Unknown

 

 

 

 

 

 

 

 

ସ୍ମୃତିର ଅତଳେ

 

ମୂଳଲେଖା (ବଙ୍ଗଳା)

ଶ୍ରୀ ଅମିୟନାଥ ସାନ୍ୟାଲ

 

ଅନୁବାଦ

ବାମାଚରଣ ମିତ୍ର

 

ସୂଚୀପତ୍ର

 

୧.

ଶ୍ରୁତିଧର ମୌଜୁଦ୍‌ଦୀନ

୨.

ଆଫ୍‌ତାବ-ଏ-ମୌସିକୀ ଫୈୟାଜ୍ ଖାଁ

୩.

କାଲେ ଖାଁ (କାଳିଆସୁନା)

Image

 

ପ୍ରଖ୍ୟାତ କଥାକାର ସ୍ୱର୍ଗତ ବାମାଚରଣ ମିତ୍ରଙ୍କ ଲିଖିତ ସ୍ମୃତିର ଅତଳେ ପାଣ୍ଡୁଲିପିଟି ପାଠ କରିବାର ସୁଯୋଗ ଲାଭ କଲି । ଏ ବହିଟି ବଙ୍ଗଳାର ସୁଲେଖକ ଶ୍ରୀ ଅମିୟନାଥ ସାନ୍ୟାଲଙ୍କ ପୁସ୍ତକର ଅନୁସରଣ ବୋଲି ମଧ୍ୟ ଜାଣିବାକୁ ପାଇଲି । ଏ ବହିଟିରେ ଭାରତବର୍ଷର ବିଶିଷ୍ଟ ସଙ୍ଗୀତଜ୍ଞମାନଙ୍କ ଜୀବନର କେତେକ ରମ୍ୟ ଅନୁଭୂତି ଅତି ରସବନ୍ତ ଶୈଳୀରେ ପ୍ରକାଶିତ ହୋଇଛି । ସ୍ୱର୍ଗତ ବାମାଚରଣ କ୍ଳାସିକାଲ ସଙ୍ଗୀତର ଜଣେ ମୁଗ୍‌ଧ ଶ୍ରୋତା ଥିଲେ । କ୍ଳାସିକାଲ୍ ସଙ୍ଗୀତର କେତେକ ବିଶେଷ ତତ୍ତ୍ୱ ସଂପର୍କରେ ମଧ୍ୟ ସେ ଖୁବ୍ ଅବହିତ ଥିଲେ । ତାଙ୍କର ଏହି ସଙ୍ଗୀତାନୁରାଗ ତାଙ୍କୁ ବିଶିଷ୍ଟ ସଙ୍ଗୀତଜ୍ଞମାନଙ୍କ ଜୀବନ ପ୍ରତି ଆକୃଷ୍ଟ କରିଥିଲା । ପ୍ରକୃତରେ ହିମାଳୟରୁ ଗଙ୍ଗାନଦୀର ଅବତରଣ ପରି ବିଶିଷ୍ଟ ସଙ୍ଗୀତଜ୍ଞମାନଙ୍କର ଉଦାର ସମୁଚ୍ଚ ହୃଦୟଶିଖରର ଗଭୀର କନ୍ଦରା ଭିତରୁ ସଙ୍ଗୀତର ସ୍ରୋତସ୍ୱିନୀ ଝରିଆସି ଶ୍ରୋତମାନଙ୍କ ହୃଦୟକୁ ପ୍ଳାବିତ କରିଥାଏ । ଶିଳ୍ପୀର ହୃଦୟକନ୍ଦରା ହେଉଛି ସବୁଠାରୁ ରହସ୍ୟମୟ ସ୍ଥଳୀ—ସେହିଠାରେ ହିଁ ସେ ତାର ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଭ୍ରମଣର ଅନୁଭୂତିଗୁଡ଼ିକୁ ସଞ୍ଚୟ କରି ରଖିଥାଏ । ସେହି ଅନୁଭୂତି ଶିଳ୍ପରୂପ ପ୍ରାପ୍ତ ହେବା ପୂର୍ବରୁ ବ୍ୟାମିଶ୍ର ଅବସ୍ଥାରେ ଥାଏ । ଏବଂ ଯଦି କେହି ଶିଳ୍ପୀର ନିଜସ୍ୱ ସେହିସବୁ ବ୍ୟାମିଶ୍ର ଅନୁଭୂତି ବା ଅଭିଜ୍ଞତାଗୁଡ଼ିକୁ ଖୁବ୍‌ ସମ୍ମାନ ଓ ସହାନୁଭୂତିର ସହିତ ଗ୍ରଥିତ କରି ମନୋରମ ଶୈଳୀରେ ପ୍ରକାଶ କରେ ତେବେ ତାହା ମଧ୍ୟ ସାହିତ୍ୟର ମର୍ଯ୍ୟାଦା ଲାଭ କରେ । କହିବା ବାହୁଲ୍ୟ, ଏହି ପୁସ୍ତକରେ ଫୈୟାଜ୍ ଖାଁ, ମୌଜୁଦ୍‌ଦୀନ, କାଲେ ଖାଁ ପ୍ରମୁଖ ସ୍ୱରଶିଳ୍ପୀପ୍ରବରମାନଙ୍କ ଜୀବନର ଅତି ଗଭୀର ଆଲେଖ୍ୟ ଅତି ମାର୍ମିକତାର ସହିତ ବର୍ଣ୍ଣିତ ହୋଇଛି ।

 

ଶିଳ୍ପୀମାତ୍ରେଇ ଜୀବନର ଏକନିଷ୍ଠ ପୂଜାରୀ—ସେମାନେ ଜୀବନର ଘନିଷ୍ଠ ଉପାସକ ମଧ୍ୟ । ଏହି ଲୌକିକ ଜଗତର ଅଧଃ, ଊର୍ଦ୍ଧ୍ୱ ଓ ଚତୁଃପାର୍ଶ୍ୱକୁ ଘେରି ରହିଛି ଯେଉଁ ଅଲୌକିକ ରସମୟ ଜଗତ, ତାହା ହିଁ ହେଉଛି ଏହି ସ୍ଥୂଳ ଜଗତରେ ଯଥାର୍ଥ ସତ୍ୟରୂପ ଓ ମଙ୍ଗଳମୟ ରୂପ—ତାହାହିଁ ମଧ୍ୟ ଏହି ଜମ୍ୱାଳାବୃତ ପ୍ରପଞ୍ଚର ସୌନ୍ଦର୍ଯ୍ୟମୟ ରୂପ । ଯଥାର୍ଥ ଶିଳ୍ପୀମାନଙ୍କର ଲୌକିକ ଜୀବନ ଭିତରୁ ଏହି ସତ୍ୟଶିବ ସୁନ୍ଦରର ଆଲୋକକୁ ଧରି ତାକୁଇ ପ୍ରତିଫଳିତ କରିଛନ୍ତି ଏହି ପୁସ୍ତକରେ ବାମାଚରଣ ମିତ୍ର । ଅବଶ୍ୟ ଏହାର ମୂଳ ବଙ୍ଗଳା ଭାଷାରେ ଲିଖିତ ପୁସ୍ତକଟି ଅଧିକତର ମନୋଜ୍ଞତା ଦାବୀ କରିପାରେ । କିନ୍ତୁ ବାମାଚରଣ ମାତୃଭାଷା ଓଡ଼ିଆରେ ଏହାକୁ କମ୍‌ ଚମତ୍କାରିତାର ସହିତ ପ୍ରତିଫଳନ କରିନାହାନ୍ତି ।

 

କଳାତତ୍ତ୍ୱବିଦ୍‌ମାନଙ୍କ ମତରେ ସଙ୍ଗୀତ ହିଁ ସର୍ବଶ୍ରେଷ୍ଠ କଳା । ସ୍ୱରସଙ୍ଗତି ମାଧ୍ୟମରେ ଗାୟକ ଓ ଶ୍ରୋତା ଉଭୟେ ଅତି ସହଜରେ ରସଲୋକକୁ ଉତ୍ତୀର୍ଣ୍ଣ ହୋଇଯାନ୍ତି ଏବଂ ବ୍ରହ୍ମାନନ୍ଦ ସହୋଦର ତୁଲ୍ୟ ଏକ ଆସ୍ୱାଦନ ଲାଭ କରନ୍ତି । ଏବଂ ଯେଉଁମାନେ ପ୍ରତିଭାବାନ୍ ସଙ୍ଗୀତଜ୍ଞ, ସେମାନଙ୍କ ଜୀବନ ମଧ୍ୟ ସେହିପରି ସଙ୍ଗୀତମୟ । ବହୁ ରମଣୀୟ ଚମତ୍କାରିତାରେ ଏବଂ ପରମ ଭାବୁକତା ଓ ଭାବାବେଗରେ ବିଚିତ୍ର ବର୍ଣ୍ଣାଢ଼୍ୟ : ଏହିସବୁ ସଙ୍ଗୀତଜ୍ଞମାନଙ୍କ ଜୀବନଲୀଳା ଓଡ଼ିଆ ପାଠକମାନଙ୍କ ଆଗରେ ପରିବେଷଣ କରି ବାମାଚରଣ ଆମର କୃତଜ୍ଞତାଭାଜନ ହୋଇଛନ୍ତି । ଓଡ଼ିଆ ପାଠକପାଠିକା ଏହାକୁ ପରମ ଆଦରରେ ଗ୍ରହଣ କରିବେ ବୋଲି ଆଶା କରୁଛି । ଇତି ।

 

ମହାପାତ୍ର ନୀଳମଣି ସାହୁ

ସଂପାଦକ, ସ୍ୱରାଷ୍ଟ୍ର (ଲୋକସମ୍ପର୍କ) ବିଭାଗ

ଓଡ଼ିଶା ସରକାର, ଭୁବନେଶ୍ୱର-୨

ତା ୮ । ୪ । ୭୭

Image

 

Unknown

ଶ୍ରୁତିଧର ମୌଜୁଦ୍‌ଦୀନ

 

ସଙ୍ଗୀତ ସ୍ମୃତିରେ ଆନନ୍ଦର ଅଭିଜ୍ଞତାଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଓତପ୍ରୋତ ଭାବରେ ରହିଚି । ବେଳେବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆବିଷ୍କାରକ ଅଭିନବ ଆସ୍ୱାଦ ପାଏ । ନିମେଷକେ ମନ ସେତେବେଳେ ଇସୋର୍ତ୍ତୀର୍ଣ୍ଣ ଶିଳ୍ପୀମାନଙ୍କର ସନ୍ଧାନ ପାଇଯାଏ । ବାସ୍ତବ ଅତୀତ ମଧ୍ୟରେ ସନ୍ଧାନ କାର୍ଯ୍ୟ ପାଇଁ ଅନେକ ସମୟ ଦେବାକୁ ପଡ଼ିଚି । ଯେଉଁ ଜ୍ୟୋତିଷ୍ମାନ୍‍ ସ୍ମୃତିବିଗ୍ରହ ସବୁ ଆଜି ନିଜେ ସ୍ୱଇଚ୍ଛାରେ ଆସି ଧରା ଦେଇଛନ୍ତି ସ୍ମରଣର ଦାବି ନେଇ, ସେମାନଙ୍କ ସନ୍ଧାନ ପାଇବାପାଇଁ ଅତୀତରେ ମୋତେ ଊଣା ଦୌଡ଼ାଦୌଡ଼ି କରିବାକୁ ପଡ଼ିନାହିଁ । ଐତିହାସିକ ବୁଦ୍ଧି ଉଦାର ଭାବରେ କୁହେ– ଯେଉଁମାନେ ଗଲେଣି ସେମାନଙ୍କୁ ମନର ଯାଦୁଘର ଭିତରେ ଶ୍ରେଣୀବଦ୍ଧ କରି ସଜାଇ ରଖିବାହିଁ ଶ୍ରେୟସ୍କର । ବିଗତ ସୁଖ ଆଲୋଚନାର ଅନବାର୍ଯ୍ୟ ଫଳ ଯେତେବେଳେ ବର୍ତ୍ତମାନର ଅନୁଶୋଚନା, ସେତେବେଳେ ଏ ଦୁଇଟିକୁ ବର୍ଜନ କରିବାହିଁ ବୁଦ୍ଧିମାନର କାର୍ଯ୍ୟ ।

 

କିନ୍ତୁ ରସପିପାସୁ ମନର ମୂଳ ଚେରଟି ପ୍ରସାରିତ ହୁଏ ଅତୀତର ଅମୃତ ପାଇଁ । ମୃତର ପୁରୁଣା ପାଞ୍ଜିରେ ସାଲତମାମୀ ସନ୍ଧାନ ପାଇଁ ନୁହେଁ । ଏହା ମନର ସହଜ ଧର୍ମ । ଥରେ ଉଦ୍ଦୀପିତ ହେଲେ ଇତିହାସର ମୋହମୁଦ୍‌ଗରକୁ ଉପେକ୍ଷା କରି ସେ ଅତଳ ସ୍ମୃତି ମଧ୍ୟରେ ତଳକୁ ତଳକୁ ବୁଡ଼େ । ସୁଖ-ସ୍ମୃତିର ମଣିମାଣିକ୍ୟ ନେଇ ଫେରେ । ବାସ୍ତବ ଇତିହାସର ମାଟି କାଦୁଅ ତା ଦେହରେ ଲାଗିଥିଲେ ବି ତା’ ହାତମୁଠା ଭିତରେ ଥାଏ ଟୁକୁରା ଟୁକୁରା ସୁଖସ୍ମୃତି ସବୁ । ତାକୁ ନେଇ ସେ ଖେଳେ । ପୁଣି ଆଦର କରୁ କରୁ ସେସବୁକୁ କେତେଥର ସେ ବିସ୍ମୃତି ଭିତରକୁ ଠେଲିଦିଏ ବି । ବିସ୍ମୃତି ତଳେ ତ ସ୍ମୃତିର ଅତଳ । ତଥାପି ସେଇ ସୁଖ-କୌତୁକର ସ୍ମୃତିଗୁଡ଼ିକୁ ପୁନରୁଦ୍ଧାର କରିବାକୁ ହେବ । କାରଣ, ଅତୀତ ଭିତରେ ଅଛି ମନର ପ୍ରବଳତମ ଆସକ୍ତି । ସେଠି ନିଜ ଅଜାଣତରେ ମୃତ ଓ ଅମୃତର ବାଛବିଚାର ହୋଇଯାଏ ।

 

ଗୀତଶିଳ୍ପୀ ମୌଜୁଦ୍‌ଦୀନ ଓ ଅନ୍ୟମାନଙ୍କ କଥା ସ୍ମୃତିପଟରେ ଉଦ୍‌ଭାସିତ ହେବାରୁ ଗୋଟାଏ କୈଫିୟତ୍ ପେଶ୍ କଲି । ମୋର ସ୍ମୃତି ଏକଚକ୍ଷୁ ହରିଣ ନୁହେଁ, ତା’ର ଦୁଇଟି ଆଖି । ଗୋଟିକରେ ଲୋକଧର୍ମୀ ଇତିହାସର ସାମାନ୍ୟ ଆଲୋକ । ଅନ୍ୟଟିରେ ଲୋକୋତ୍ତର ଅନୁଭବର ସ୍ନେହାଞ୍ଜନ । ଅତୀତର ଛାଇଆଲୁଅ ଭିତରେ ଗୁଣୀର ଜୀବନ ରହସ୍ୟ ସନ୍ଧାନ କରିବାପାଇଁ ତା’ର ଦୃଷ୍ଟି ଘୁରି ବୁଲେ । କିଛି ଆସ୍ୱାଦ ସଂଗ୍ରହ କରିବାପାଇଁ କେବଳ ବର୍ତ୍ତମାନ ଆଡ଼କୁ ସେ ଦୃଷ୍ଟି ବେଳେବେଳେ ଫେରିଆସେ । ଏହି ଆସ୍ୱାଦକୁ ମୁଁ ବଡ଼ ମନେକରିଚି ।

 

ମୌଜୁଦ୍‌ଦୀନ ପ୍ରସଙ୍ଗରେ ଅନେକ କଥା ମୋର ମନେପଡ଼ୁଛି । ଅବଶ୍ୟ ଯେତେବେଳେ ଧ୍ରୁପଦଖିୟାଲ ପ୍ରଭୃତି ଶ୍ରେଣୀର ସଙ୍ଗୀତ କଥା ଉଠେ ସେତେବେଳେ ଶ୍ରେଣୀ ଖାତିରରେ ଅନେକଙ୍କ ନାମ ମନେପଡ଼େ । କିନ୍ତୁ ମୌଜୁଦ୍‌ଦୀନ ଏବଂ ଆହୁରି ଅନେକ ଗୁଣୀଙ୍କ କଥା ସେମାନଙ୍କ ପ୍ରତିଭା ଓ ବୈଶିଷ୍ଟ୍ୟ ପାଇଁହିଁ କେବଳ ମନରେ ଜାଗରିତ ହେଉଛି । ସ୍ମରଣ କରିବା ଗୋଟାଏ କଥା । ପୁରୁଣା ପାଞ୍ଜି ଘାଣ୍ଟି ଜନ୍ମ ତାରିଖ ଅନୁସନ୍ଧାନ କରିବା ବା ଅଲୌକିକ ଜୀବନକୁ ଲୌକିକ ଇତିହାସର ଯାଦୁଘରେ ସଜାଇ ରଖିବା ଆଉ ଗୋଟାଏ କଥା ।

 

ନିଭୃତରେ ବା ବନ୍ଧୁ ଗହଣରେ ସଙ୍ଗୀତ କଥା ଉଠେ । ସଙ୍ଗୀତ କଥା ଉଠିଲେ ‘ସୁପ୍‌ନେମେ ଆଏ’, ‘ଅବ୍‌ତୋ ରୁତ ମାନେ’, ‘ଲଙ୍ଗର କା କରିୟେ’, ‘ପିୟା ବିନ୍‍ ନାହିଁ’, ‘ନାହିକ୍‌ ଲାଏ-ଗମନ୍’, ‘ବାଜୁବନ୍ଦ୍ ଖୁଲ୍ ଖୁଲ୍ ଯାଏ’ ପ୍ରଭୃତି ଖିୟାଲ୍-ଠୁମରୀ-କାଜରୀର ଗୀତ-ରୂପ ସ୍ମୃତିରେ ଯେତେବେଳେ ଜାଗେ, ସେତେବେଳେ ମୌଜୁଦ୍‌ଦୀନ ମନେପଡ଼େ ଏବଂ ମୌଜଦ୍‌ଦୀନଙ୍କୁହିଁ ମନେ ପଡ଼େ । ଠିକ୍ ଯେମିତି ‘ତୁମ୍ ବିନ ଘୋମ୍ ଘୋମ୍’ ଧୁରିୟାମଲ୍ଲାରର ଧ୍ରୁପଦଟି ମନେପଡ଼ିଲେ ତତ୍‌କ୍ଷଣାତ୍ ଭୂତନାଥବାବୁଙ୍କ କଥା ମନେପଡ଼େ ଯଦିଚ ଅନ୍ୟ ଧ୍ରୁପଦିଆଙ୍କ କଣ୍ଠରେ ସେ ଗୀତଟି ଶୁଣିଚି । ‘ଭ୍ରମରାରେ ଫୁଲି’ ବସନ୍ତର ଧାମାର ରୂପଟି ମନେ ପଡ଼ିବା ମାତ୍ରକେ ବିଶ୍ୱନାଥଜୀଙ୍କ କଥା ମନେପଡ଼େ । ‘ଫଗୁଆ ବ୍ରିଜ୍ ଦେଖନକୋ’ ଗୀତରୂପ ପ୍ରସଙ୍ଗରେ ସବୁଠୁ ପ୍ରଧାନ ହୋଇ ମନେପଡ଼େ ଗହରଜାନ୍ ବାଇଜୀ ଓ ଅବଦୁଲ୍ କରିମ୍‌ଖାଁ ସାହେବଙ୍କୁ । ଜୟଜୟନ୍ତୀ ରାଗର ସ୍ୱରୂପ ବିଷୟରେ ଯେତେବେଳେ ଭାବେ ସାଙ୍ଗେ ସାଙ୍ଗେ ମନେପଡ଼େ ଚନ୍ଦନ ଚୋବେଜୀ ଓ ଫିଦା ହୋସେନ୍‌ ଖାଁ ସରୋଦିଆଙ୍କୁ । ‘ପଗ୍‌ ଲାଗନ୍ ଦେ’ ମାଲକୋଶର ଆସ୍ଥାୟୀ ପ୍ରସଙ୍ଗରେ କେବଳ କାଲେଖାଁ ସାହେବ ଖିଆଲିଆଙ୍କ କଥା ମନେ ପଡ଼ୁଚି । ଦରବାରୀ-କାନଡ଼ାର କୋମଳ ଗାନ୍ଧାରର ସ୍ୱାଦ ମନେପକାଇବା ବେଳେ ସୁର୍‌ବାହାର ହାତରେ ଇମ୍‌ଦାଦ୍‌ ଖାଁ ଓ ରାଧିକାମୋହନ ଗୋସ୍ୱାମୀଙ୍କ କଥା ମନେପଡ଼ୁଚି । ତିନିମିନିଟିଆ ରେକର୍ଡ଼ରେ ରାଗର ଆଳାପ ଅସମ୍ଭବ । ତଥାପି ସେଇ ଅଳ୍ପ ସମୟର ପରିବେଶନ ମଧ୍ୟରେ ଇମ୍‌ଦାଦ୍‌ ଖାଁଙ୍କ ପରିକଳ୍ପନା ଜାଲରେ ଧରା ଦେଇଚି ଜୌନପୁରୀ ତୋଡ଼ୀର ଅପୂର୍ବ ଗଠନ ଓ ମୋହନ ପରିଚୟ । ଅଦ୍ଭୁତ ପ୍ରକାରର ଉଦାତ୍ତ ଓ ସୁନ୍ଦର ମୂର୍ତ୍ତିରେ ଧରା ଦେଇଚି ବାଗେଶ୍ରୀ ରାଗ । ସେଇ ତିନିମିନିଟର ଉଦ୍‌ବେଳତା ମଧ୍ୟରେ ମନେପଡ଼େ ଆଲ୍ଲାଉଦ୍ଦୀନ ଖାଁ ସାହେବଙ୍କୁ ।

 

ସ୍ମୃତିର ପକ୍ଷପାତିତ୍ୱ ସମସ୍ତେ ଅନୁଭବ କରିଥିବେ । ବସ୍ତୁର ପ୍ରାଣବନ୍ତ ପରିଚୟ ଓ ଅମୃତର କ୍ଷଣିକ ଆସ୍ୱାଦ ମଧ୍ୟରେ ଏହାର କାରଣ ନିହିତ । ଶିଳ୍ପୀର କୃତିତ୍ୱ ଏହା ସହିତ ଜଡ଼ିତ ଅଛି ବୋଲି ତ ଆମେ ଆସ୍ୱାଦର ସ୍ମୃତିରେ କୀର୍ତ୍ତିମାନ୍‌ଙ୍କ କଥା ସ୍ମରଣ କରୁଁ । ପକ୍ଷପାତର ଅନ୍ତରାଳରେ ଥାଏ ଆମର କୃତଜ୍ଞତା । ଅମୃତଲବ୍‌ଧ ସ୍ମୃତି ଭିତରେ କୀର୍ତ୍ତିମାନ୍ ଅମର ହୋଇ ରହେ ।

 

ଆଜିଠୁ ପ୍ରାୟ ଚାଳିଶବର୍ଷ ପୂର୍ବେ ଗୟାଧାମରେ ପ୍ରଥମେ ମୁଁ ମୌଜୁଦ୍‌ଦୀନଙ୍କ ଗାନ ଶୁଣିଥିଲି । ଗୟାର ଖ୍ୟାତନାମା ଧନୀ ଓ ଗୁଣଗ୍ରାହୀ ଗୋବିନ୍ଦଲାଲ ସିଜୁଆର ଦିନେ ନିଜେ ଆସି ବାପାଙ୍କୁ ନିମନ୍ତ୍ରଣ କଲେ, ‘ଆଜି ମୌଜୁଦ୍‌ଦୀନଙ୍କର ମଇଫିଲ୍ ହେବ ମୋ ଗରୀବ୍‌ଖାନାରେ । ବନାରସରୁ ଆସୁଛନ୍ତି ସେ । ଏମିତି ଗାନ ଆପଣ ଆଉ ଶୁଣିବାର ସୁଯୋଗ ପାଇବେ ନାହିଁ । ପାଁଚୁବାବୁଙ୍କୁ ସାଙ୍ଗରେ ନେଇ ଅବଶ୍ୟ ଆସିବେ’ ଇତ୍ୟାଦି । ମୋ ଡାକ ନାଁଟି ଥିଲା ପାଁଚୁ । ତରୁଣ ବୟସରେ ମୋର ଗୋଟିଏ ସୌଭାଗ୍ୟ ଦେଖା ଦେଇଥିଲା ଯାହାକି ସେ ସମୟରେ ଥିଲା ବିରଳ । ସଙ୍ଗୀତପ୍ରିୟ ପ୍ରୌଢ଼ ପିତୃଦେବ (ଦୀନନାଥ ସାନ୍ୟାଲ) ରାତି ନ’ଟା ଭିତରେ ଖିଆପିଆ ସାରି ତରୁଣ ପୁତ୍ର, ଅର୍ଥାତ୍ ପାଁଚୁକୁ ସାଙ୍ଗରେ ନେଇ ଖିୟାଲ-ଠୁମ୍‌ରୀ ସୀତାର-ସରୋଦର ମଇଫିଲ୍‌ରେ ଉପସ୍ଥିତ ହୁଅନ୍ତି ।

 

ବାପା ଥିଲେ ସରକାରୀ ଡାକ୍ତର, ସୁସାହିତ୍ୟିକ ଓ ପରିପୂର୍ଣ୍ଣ ସଙ୍ଗୀତରସିକ । ସବୁପ୍ରକାର ଗୀତ ତାଙ୍କୁ ଭଲ ଲାଗୁଥିଲେହେଁ ତାଙ୍କର ପ୍ରାଣ ଥାଏ ଖିୟାଲ୍, ଟପ୍‌-ଖିୟାଲ୍ ଓ ଟପ୍ ପା’ରେ । ରାଗ-ଆଳାପର ମାଧୁର୍ଯ୍ୟ ତାଙ୍କୁ ଆକୃଷ୍ଟ କରୁଥିଲା ସତ, କିନ୍ତୁ ମାତ୍ରାଧିକ୍ୟ ତାଙ୍କୁ ଭଲ ଲାଗୁ ନ ଥିଲା । ପ୍ରାୟ ପ୍ରତି ପୂର୍ଣ୍ଣିମାରେ ଆମ ବସାରେ ଗୀତବାଦ୍ୟର ଆସର ବସୁଥିଲା । ବଙ୍ଗଳା ଟପ୍‌-ଖିୟାଲ୍ ସେତେବେଳ ପର୍ଯ୍ୟନ୍ତ ଅନ୍ତର୍ହିତ ହୋଇ ନ ଥାଏ । ଗୟାବାସୀ ଦୁଇଚାରି ଜଣ ବଙ୍ଗାଳୀ ଗୀତପଟୁ ନିମନ୍ତ୍ରିତ ଭାବରେ ଆସି ଗୀତ ଗାଇ ନିଜେ ଆନନ୍ଦ ପାଇବା ସଙ୍ଗେ ସଙ୍ଗେ ଆମକୁ ବି ପରିତୃପ୍ତ କରନ୍ତି । ତଥାପି ଆମ ଘରୋଇ ଆସରର ମଧ୍ୟମଣି ଥିଲେ ଭେଲୁବାବୁ ଅର୍ଥାତ୍ ଶ୍ରୀ ଯୋଗେନ୍ଦ୍ରେନାଥ ଗାଙ୍ଗୁଲୀ । ଏ ମଧ୍ୟ ଥିଲେ ଜଣେ ଚିକିତ୍ସକ ଓ ଅତ୍ୟନ୍ତ ଲୋକପ୍ରିୟ ବ୍ୟକ୍ତି; କିନ୍ତୁ ତାଙ୍କର ଅସଲ ପରିଚୟ ହେଉଚି ଏସ୍‌ରାଜ ଉପରେ ତାଙ୍କର ଆନନ୍ୟସାଧାରଣ ଦଖଲ ଏବଂ ଅତି ଉଚ୍ଚକୋଟୀର ଶିକ୍ଷିତ-ପଟୁତ୍ୱ । ଏ ମହାଶୟ ଏବଂ ସମସାମୟିକ ବୁଲାକିଲାଲ ଥିଲେ ସଙ୍ଗୀତ ଧୁରନ୍ଧର କନ୍‌ହଇୟାଲାଲ ଢେଡ଼ୀଙ୍କ ଯୋଗ୍ୟତମ ଶିଷ୍ୟ । ବିଶେଷ କରି ଭେଲୁବାବୁଙ୍କ ସଂସ୍ପର୍ଶରେ ଆସି ମୋ ଭିତରେ ରାଗ-ସଂସ୍କାରଟି ଯେ ମାର୍ଜିତ ହୋଇଥିଲା ଏ କଥା ମୋର ଚିରଦିନ ମନେଥିବ-

 

ପ୍ରସଙ୍ଗତଃ ମନେପଡ଼େ ସେ ସମୟରେ ଉପେନ୍ଦ୍ରବାବୁଙ୍କ ସୁନ୍ଦର, ସୁସଜ୍ଜିତ ବୈଠକଖାନା, ଯେଉଁଠି ଗୀତବାଦ୍ୟର ବିଖ୍ୟାତ ଶିଳ୍ପୀମାନେ ସମବେତ ହେଉଥିଲେ । ମୋ ସ୍ମୃତିପଟରେ ଏବେବି ଭାସିଯାଏ ଯେ ସେ ଘରଟି ସତେ କି ତମ୍ବୁରା, ଏସ୍‌ରାଜ ଓ ହାରମୋନିୟମ୍ ସୁରରେ ବନ୍ଧା ହୋଇଯାଇଥିଲା । ବୃଦ୍ଧ କିନ୍ତୁ ସଦାନନ୍ଦ ଓସ୍ତାଦ ହନୁମାନଦାସଜୀ ସେଠାକୁ ଆସୁଥିଲେ । ଆଉ ଆସୁଥିଲେ କାଶେମ ଅଲି ଖାଁ ଘରର ଶିଷ୍ୟ ସରୋଦିଆ ବିଶ୍ୱନାଥ ଭଟ୍ଟ, ଭେଲୁବାବୁ, ବୁଲାକିଲାଲ, ହାରମୋନିୟମ୍‌ର ଯାଦୁକର ସୋହନୀଜୀ ଓ ତାଙ୍କ ଶିଷ୍ୟ ବିହାରୀଲାଲ ଏବଂ ପ୍ରଶାନ୍ତଚେତା ଲୟପ୍ରବୀଣ ଦର୍ଶନ୍ ସିଂଜୀ । ଏମାନେ ଥିଲେ ପ୍ରାତ୍ୟହିକ ସଭାସଦ୍ । ଅନ୍ୟ ଯାଯାବର ଶିଳ୍ପୀମାନଙ୍କ ଭିତରୁ ମନେପଡ଼େ ହାରମୋନିୟମ୍‌ର ଐନ୍ଦ୍ରଜାଲିକ ବଶୀର ଖାଁ, ଖର୍ବାକୃତି, ପିଙ୍ଗଳନେତ୍ର ଓ ଘୋର କୃଷ୍ଣବର୍ଣ୍ଣ ଗୋଟିଏ ବିଗ୍ରହ ଯାହାଙ୍କ ଅଙ୍ଗୁଳି ଅଗରେ ଖେଳୁଥିଲା ବିଦ୍ୟୁତ୍‌ ଗତିରେ ତାନ୍‌ର ଝଲକ ।

 

ପାଲଟା ଆଖଡ଼ା ଥିଲା ଅନ୍ଦରଗୟାର ଗୋବିନ୍ଦଲାଲ ଓ ରାଜାବାବୁଙ୍କ ପ୍ରାଚୀନ କିଲ୍ଲା ଭଳି ଘରେ । ସେଠି ବସେ-ଖିୟାଲ-ଠୁମ୍‌ରୀ ହୋରି-ଦାଦ୍‌ରାର ରଙ୍ଗ୍‌ଦାର୍ ମଇଫିଲ । ବାଈଜୀମାନଙ୍କର ଗାନ ଥିଲା ସେଠାକାର ବଡ଼ ଖବର । ଗୁଣିଜନମାନଙ୍କର ସମାଗମ ସେଠାରେ ହେଉଥିଲା । ସେମାନଙ୍କର ଅଭ୍ୟର୍ଥନା ହେଉଥିଲା ପୁରୁଣାକାଳିଆ କାଇଦା ମାଫିକ, ଅତର-ଅଳେଇଚ ଓ ଗୋଲାପଜଳ ଛିଞ୍ଚି ଏବଂ ସୁନେଲି ରୂପେଲି ତବକଦିଆ ପାନ ଦେଇ । ଏବେ ଯେମିତି ଚାହା, ସେବେ ସେମିତି ଥିଲା ବାଦାମ୍-ପେସ୍ତାଦିଆ ଭାଙ୍ଗପାଣି ପରିବେଷଣ । ହର୍‌ରା-ଗର୍‌ରା ଅଂଶଟା ଟିକିଏ ପ୍ରବଳ ଥିଲା । ନାନାପ୍ରକାର ଦିଲ୍‌ଲଗୀର ମୁଖବନ୍ଧ ପରେ ସୁରେଲା ଗାନ ଆରମ୍ଭ ହେଉଥିଲା । ଏସବୁ କାରଣ ପାଇଁ ହେଉ ବା ବାଈଜୀମାନଙ୍କ ଭାବଭଙ୍ଗୀର ପ୍ରାଚୁର୍ଯ୍ୟ ପାଇଁ ହେଉ, ବାପା ଏସବୁ ମଇଫିଲ୍ ଏଡ଼ାଇ ଯାଆନ୍ତି । ହେଲେ ସନିର୍ବନ୍ଧ ଅନୁରୋଧ, ବିଶେଷକରି ଭେଲୁବାବୁଙ୍କ ଅନୁରୋଧ ଏଡ଼ାଇ ପାରୁ ନ ଥିଲେ । ସେ ଯାହାହେଉ, ଗୋବିନ୍ଦଲାଲ ଓ ରାଜାବାବୁ ଧନୀ ଓ ବ୍ୟସନୀ ହେଲେହେଁ ସଙ୍ଗୀତର ଯଥାର୍ଥ ଅନୁରାଗୀ ଥିଲେ । ୟାଙ୍କ ଘରେ ଏହାର ଅଜସ୍ର ପ୍ରମାଣ ପାଇଛି । ୟାଙ୍କର ଉତ୍କୃଷ୍ଟ ରେକର୍ଡ଼ ସଂଗ୍ରହ ମଧ୍ୟରେ ବି । ବର୍ତ୍ତମାନ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏମାନେ ପ୍ରତ୍ୟେକ ରେକର୍ଡ଼କୁ ଗୋଟିଏ ତୁଳାରେ ସିଲାଇ ଖାପ ଭିତରେ ରଖୁଥିଲେ ଏବଂ ପ୍ରତ୍ୟେକ ସେଟ୍‌ଟି ରଖୁଥିଲେ ସୁନ୍ଦର କ୍ୟାବିନେଟ୍ ଭିତରେ । ଅନ୍ୟ ନାନା କାରଣରୁ ମୁଁ ଓ ବାପା ଯେକୌଣସି ସମୟରେ ଉପସ୍ଥିତ ହୋଇଚୁ ଆମର ଅଭ୍ୟର୍ଥନା ପାଇଁ ଆମର ରୁଚି ଅନୁଯାୟୀ ରେକର୍ଡ଼ଗୁଡ଼ିକୁ ସଯତ୍ନେ ଆବରଣମୁକ୍ତ କରି କଳ ଉପରେ ରଖାଯାଇଚି । ଏପ୍ରକାର ଆସରରେ ମୋର ପ୍ରଧାନ ଆକର୍ଷଣ ଥିଲା ସାରଙ୍ଗୀର ଶ୍ରବଣମନୋହାରୀ ସୁର ଓ ସଙ୍ଗୀତ । ଉପେନ୍ଦ୍ରବାବୁଙ୍କ ଆସରରେ ଏହାର ଅଭାବ ମୁଁ ଅନୁଭବ କରୁଥିଲି ।

 

ପୂର୍ଣ୍ଣମାତ୍ରାରେ ଶ୍ରୋତାର ସଂସ୍କାର ନେଇ ଆମେ ଏଇସବୁ ମଇଫିଲ୍‌କୁ ଯାଉ । ପଶ୍ଚିମା ଢଙ୍ଗର ଗୀତବାଦ୍ୟ ପ୍ରତି ବିଶିଷ୍ଟ ପ୍ରକାର ପ୍ରୀତିକର ସମ୍ମୋହ ଆମ ମନରେ ଗଠିତ ହୋଇଥିଲା । ସେଦିନମାନଙ୍କର କଥା ସ୍ମରଣ କରି କହିପାରେ ଯେ ସେ ଅଭିଜ୍ଞତା ଆମର ବିଫଳ ହୋଇନାହିଁ । ଅନ୍ତତଃ ହାଲୁକା ତାମ୍‍ସା ଓ ବାରମିଶା ନାଚର ମୋହ ଆମକୁ ଗ୍ରାସ କରି ନାହିଁ ।

 

ରାତି ସାଢ଼େ ନ’ଟା ସୁଦ୍ଧା ଆମେ ଗୋବିନ୍ଦଲାଲଜୀଙ୍କ ଆସରରେ ପହଞ୍ଚିଗଲୁ । ପରିଚିତ କଳାବିତ୍ ଓ ସଙ୍ଗୀତାମୋଦୀମାନେ ଆସନ ଗ୍ରହଣ କଲେ । ତମ୍ୱୁରା, ହାରମୋନିୟମ୍, ଡୁଗି-ତାବଲା ସାରଙ୍ଗୀର ସମାରୋହରେ ପୂର୍ବରାଗର କଳ୍ପନା ଆରମ୍ଭ ହୋଇଗଲା । ସମସ୍ତଙ୍କ ମୁହଁରେ ମୌଜୁଦ୍‌ଦୀନଙ୍କ ନାମ । ରାଜାବାବୁ ସ୍ୱୟଂ ଅସାଧାରଣ ସମଝଦାର । ସେ ତାଙ୍କ ସହିତ ଆଣିଲେ ଜଣେ ସୁଶ୍ରୀ ଗୌରବର୍ଣ୍ଣ ପୂର୍ଣ୍ଣବୟସ୍କ ଯୁବାପୁରୁଷ । ଗୁଞ୍ଜନ ଶୁଣାଗଲା ‘ମୌଜୁଦ୍‌ଦୀନ’ । ୟାଙ୍କ ମୁଣ୍ଡରେ ଥିଲା ଗୋଟିଏ ସବୁଜ ରଙ୍ଗର ପଗଡ଼ି । ପିନ୍ଧିଥିଲେ ଆଦ୍‌ଦିର ଢିଲା ପଞ୍ଜାବି ଓ ଯୋଧପୁରୀ ଢଙ୍ଗର ପାଇଜାମା ।

 

ରାଜାବାବୁ ବାପାଙ୍କ ସହିତ ୟାଙ୍କର ପରିଚୟ କରାଇଦେଲେ, ଯଥା- ଏ ଡାକ୍ତର, କିନ୍ତୁ ମସ୍ତବଡ଼ ସମଝଦାର । ଆଉ ଏ ହେଲେ ଗଣପତ ରାଓ ଭାଇୟାସାହେବଙ୍କ ଶାଗିର୍ଦ୍‌ ସ୍ୱନାମଧନ୍ୟ ମୌଜୁଦ୍‌ଦୀନ ଇତ୍ୟାଦି ଇତ୍ୟାଦି । ନାନାପ୍ରକାର ଅଭିବାଦନ ଓ ଆଦବକାଇଦା ଭିତରେ ସେଇ ନାଁ’ଟି ବେଶୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

 

ଏଥିମଧ୍ୟରେ ଦେଖିଲି ମୌଜୁଦ୍‌ଦୀନ ହାତଯୋଡ଼ି ଆଣ୍ଠୁ ମାଡ଼ି ବସି ପ୍ରବୀଣ ହନୁମାନଦାସଜୀଙ୍କୁ ପ୍ରଣତି ଜଣାଉଛନ୍ତି । ଆଉ ହନୁମାନଦାସଜୀ ଆନନ୍ଦାଶ୍ରୁ ବର୍ଜନ କରୁ କରୁ ତାଙ୍କୁ ନିଜ କତିକୁ ଟାଣିନେଇ ତାଙ୍କ ପିଠିରେ ଛାତିରେ ହାତ ବୁଲାଉଛନ୍ତି । ତାଙ୍କ ମୃଦୁମଧୁର ଗଦ୍‍ଗଦ ବଚନରେ ଥିଲା ଆନନ୍ଦ ଓ ଆଶୀର୍ବାଦର ଅସ୍ଫୁଟ ବାଣୀ । ଦକ୍ଷିଣାୟନରେ ଅସ୍ତାଚଳର ସୂର୍ଯ୍ୟ ସତେକି ଶରତର ପୂର୍ଣ୍ଣଚନ୍ଦ୍ରକୁ ଶିଶିରସିକ୍ତ ରଜନୀରେ କିଛିଦିନ ପାଇଁ ଜ୍ୟୋତ୍ସ୍ନା ବିକିରଣ କରିବାର ଦାୟିତ୍ୱ ଦେଇଗଲେ ।

 

ଢିଲା ପଞ୍ଜାବି ଓ ବାମକୁ ଈଷତ୍ ଢଳିଥିବା ପଗଡ଼ି ଭିତର ଦେଇ ମୌଜୁଦ୍‌ଦୀନଙ୍କ ମୁହଁରେ ବିନୟ ଓ ସରଳତାର ଆଭା ଫୁଟି ଉଠିଥିଲା । ପରବର୍ତ୍ତୀ କାଳରେ ଉଦ୍ଦାମ ଜୀବନଲୀଳାର ଆବର୍ତ୍ତ ମଧ୍ୟରେ ପଡ଼ି ମଧ୍ୟ ସେ ବିନୟ ଓ ସରଳତା ଅତୁଟ ଥିଲା । ତାଙ୍କ ମୁଖମଣ୍ଡଳରେ ଥିଲା ଅଳ୍ପ ବସନ୍ତର ଦାଗ; କିନ୍ତୁ ମୁଖଶ୍ରୀର କ୍ଷତି କରୁ ନ ଥିଲା । ଆଖିର ଦୃଷ୍ଟି ସ୍ୱାଭାବିକ ଥିଲେହେଁ ଚଞ୍ଚଳ ସପ୍ରତିଭ କଟାକ୍ଷ ମୁହୂର୍ତ୍ତକ ମଧ୍ୟରେ ଉଜ୍ଜ୍ୱଳ ହୋଇଯାଉଥିଲା । ଆଖିର ଦୁଇ ପ୍ରାନ୍ତରେ ପୁଞ୍ଜୀଭୂତ ହୋଇଥିଲା ସୁର୍‌ମା ରେଖାର ଲାବଣ୍ୟ । ସୁର୍‌ମା ଓ ପଗଡ଼ି ବିଷୟରେ ମୌଜୁଦ୍‌ଦୀନଙ୍କର ବିଶେଷ ଆସକ୍ତି ଥିଲା । ଏକଥା ମୁଁ ପରେ ଜାଣିପାରିଥିଲି । ସେ ବିଷୟରେ ପରେ କହିବି ।

 

ଅଳ୍ପ ସମୟ ପରେ ଭେଲୁବାବୁ ପ୍ରସ୍ତାବ କଲେ, ‘ବର୍ତ୍ତମାନ ଆପଣମାନେ ତାଙ୍କୁ ଟିକିଏ ଛାଡ଼ିଦିଅନ୍ତୁ, ସେ ପ୍ରସ୍ତୁତ ହେବେ ।’ ପ୍ରସ୍ତୁତ ହେବା ବ୍ୟାପାରଟି କଅଣ ୟାଙ୍କୁ ତାଙ୍କୁ ପଚାରି ବୁଝିଲି । ମୌଜୁଦ୍‌ଦୀନ ପ୍ରଥମେ ଦଶକୋଡ଼ିଏଟା ଦଣ୍ଡ ବୈଠକ ମାରି ଗୋସାଲ୍ (ସ୍ନାନ) କରିବେ ଓ ତା’ପରେ କିଛି ପୁରୀ ହାଲୁଆ ଭୋଜନ କରି ବିଶୁଦ୍ଧ ତାନ୍ତ୍ରିକ ମତାନୁସାରେ କଣ୍ଠଶୁଦ୍ଧି କରିବେ । ଏତକ ହୋଇସାରିଲେ ଜାଣିବ ଯେ ମୌଜଦ୍‌ଦୀନ ପ୍ରସ୍ତୁତ । ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଜାଣିଛି ଯେ କେବଳ ଦୁଇଜଣ, ମୌଜୁଦ୍‌ଦୀନ ଓ କାଲେ ଖାଁ ସାହେବ, ଖାଇବା ଆଗରୁ ଭୂରି ଭୋଜନ କରନ୍ତି । ମୌଜୁଦ୍‌ଦୀନ ଥିଲେ ମିତାହାରୀ । କିନ୍ତୁ କାଲେ ଖାଁ ଥିଲେ ଅମିତାହାରୀ । ମାତ୍ର ଦି’ଜଣଯାକ ଥିଲେ ପୁରୀ-ହାଲୁଆ-ରାବିଡ଼ି-ମିଠାଇ ଭକ୍ତ ।

 

ପ୍ରାୟ ସାଢ଼େଦଶଟା ବେଳେ ମୌଜୁଦ୍‌ଦୀନ ଆସରକୁ ଆସିଲେ । ତମ୍ୱୁରା, ସାରଙ୍ଗୀ ଓ ତବଲା ବେଶ୍ ଚଢ଼ାସୁରରେ ବନ୍ଧା ହେଲା । ମୌଜୁଦ୍‌ଦୀନଙ୍କ ଗୋଟିଏ ପଟେ ବସିଲେ ସୋହନୀଜୀ ତାଙ୍କ ଦର୍ଶନଧାରୀ ବପୁ ନେଇ । ଅନ୍ୟପଟେ ବସିଲେ ନିରତିଶୟ ସୌଖୀନ ବିହାରୀଲାଲ । ପ୍ରତ୍ୟେକଙ୍କ ସାମନାରେ ଥୁଆ ହେଲା ଗୋଟିଏ ଲେଖା ସୁନ୍ଦର ସ୍କେଲ୍‌ଚେଞ୍ଜ୍ ହାରମୋନିୟମ୍ । ମୌଜୁଦ୍‍ଦୀନ୍‌ଙ୍କ ପଛପଟେ ଡାହାଣ ଆଡ଼କୁ ବସିଲେ ଜଣେ ପ୍ରୌଢ଼ ସାରଙ୍ଗୀବାଦକ । ବାଁ ଆଡ଼କୁ ବସିଲେ ଜଣେ ସୁଦର୍ଶନ ଯୁବା ତବଲ୍‌ଚି । ଏ ମହାଶୟ ଲକ୍ଷ୍ନୌରୁ ଆସି ମୌଜୁଦ୍‌ଦୀନ୍‌ଙ୍କ ସହିତ ଯୋଗ ଦେଇଥାନ୍ତି । ୟାଙ୍କ ମୁଣ୍ଡରେ ଲକ୍ଷ୍ନୌ ଟୋପି । ପରିହିତ ପତଳା ପଞ୍ଜାବି ଭିତରୁ ଦିଶୁଥାଏ ଗଳାର କଣ୍ଠି ଓ ହାତର ଚାରିକୋଣିଆ ତାବିଜ । ତବଲ୍‌ଚି ଓ ପହିଲ୍‍ମାନମାନଙ୍କର ଭାରି ଭୟ କାଳେ ଜିନ୍ ବା ପରୀଙ୍କ ନଜର ପଡ଼ିଯିବ । ମୌଜୁଦ୍‌ଦୀନଙ୍କ ଠିକ୍ ପଛପଟେ ଜଣେ ଗୀତନବିସ୍ ତମ୍ୱୁରା କୋଳରେ ରଖି ସୁର ଦେବାକୁ ଲାଗିଲେ । ତମ୍ୱୁରାର ମଧୁର ଗୁଞ୍ଜନ ଫାଙ୍କେ ଫାଙ୍କେ ସୁରଦିଗନ୍ତର ନୀଳିମାଭରା ଗାନ୍ଧାର (ଗା)ର ଅନୁଧ୍ୱନି ଭାସି ଆସୁଥାଏ । ବାପା ଥିଲେ ଇମନ୍‌-କଲ୍ୟାଣର ଭକ୍ତ । ସେ ମୋ କାନେ କାନେ କହିଲେ, ବୋଧହୁଏ ଇମନ୍-କଲ୍ୟାଣ ଗାଇବେ ।

 

କିନ୍ତୁ ଦେଖିଲି, ମୌଜୁଦ୍‌ଦୀନ ବାଙ୍କଚାହାଣିରେ ସାରଙ୍ଗୀବାଦକଙ୍କୁ ଥରେ ଚାହିଁଦେଇ ଏକାବେଳକେ ଗାନ ଧରିଦେଲେ । କୌଣସି ପ୍ରକାର ଗୁଣୁଗୁଣୁ ବା ଗୌରଚନ୍ଦ୍ରିକା ନ କରି ଏତେ ସଂସିଦ୍ଧ ସୁର ଓ ଅସନ୍ଦିଗ୍‌ଧ ମିଜାଜରେ ଅବଲୀଳାକ୍ରମେ ଗାନ ଧରିବାର ଏହା ପୂର୍ବରୁ କାହାକୁ ମୁଁ ଦେଖି ନ ଥିଲି । ପରେ ବି କାହାକୁ ଦେଖିନାହିଁ । ଅବଶ୍ୟ ବାଈଜୀମାନେ ପ୍ରକାଶ୍ୟରେ ତୋମ୍‌ତେରେନୋମ୍ କରନ୍ତି ନାହିଁ । ତଥାପି ଗାନ ଧରିବା ପୂର୍ବରୁ ସାରଙ୍ଗୀର ସୁର ସହିତ ସୁର ମିଳାଇ ଟିକିଏ ଗୁଣୁଗୁଣୁ କରନ୍ତି । ସେ ଦିନର ଏବଂ ପରବର୍ତ୍ତୀକାଳର ଅଭିଜ୍ଞତାରୁ ଦେଖିଛି, ଗାନ ପରେ ଗାନ ଭିତରେ ମୌଜୁଦ୍‌ଦୀନଙ୍କ କଣ୍ଠସ୍ୱରର ଅବିକୃତ ସ୍ଫୂର୍ତ୍ତି ଓ ସୁରର ସପ୍ରତିଭ ଲୀଳା । ତାଙ୍କର ଆନ୍ତରିକ ପ୍ରଗଳ୍‌ଭତାର ମର୍ଯ୍ୟାଦା କଦାପି କ୍ଷୁଣ୍ଣ ହୋଇନାହିଁ । କଦାପି ମୁଁ ତାଙ୍କୁ ସୁର ଖୋଜିବାର ଦେଖିନାହିଁ ।

 

ବୀଣାଧ୍ୱନି ପରି ଅତି ମଧୁର ଅଥଚ ଶଙ୍ଖଧ୍ୱନି ପରି ବଳଶାଳୀ ସେଇ ଅତୁଳନୀୟ କଣ୍ଠସ୍ୱର ଏପର୍ଯ୍ୟନ୍ତ କାନରେ ଲାଖି ରହିଚି । ନିଜ ଅଭିଜ୍ଞତାରୁ ମୋର ଆଉ ଜଣେ ଗୁଣୀଙ୍କ କଥା ମନେପଡ଼ୁଚି । ସେ ହେଉଛନ୍ତି ମଥୁରାବାସୀ ବିଖ୍ୟାତ ଧ୍ରୁପଦୀ ଚନ୍ଦନ ଚୋବେଜୀ । ୟାଙ୍କ କଣ୍ଠ ମଧୁର ଓ ବଳଶାଳୀ ହେଲେହେଁ ମୌଜୁଦ୍‌ଦୀନଙ୍କ ଭଳି କାଶ୍ମିରୀ କାରୁକାର୍ଯ୍ୟ ସେଥିରେ ନଥିଲା । ଅବଶ୍ୟ ଏହାର ପ୍ରୟୋଜନ ନଥିଲା । କାରଣ, ଧ୍ରୁପଦ ଧାମାରର ପ୍ରୌଢ଼ ପରିପାଟି ଓ ଈଷତ୍-ପ୍ରମତ୍ତ ମନ୍ଥର ଗତିଭଙ୍ଗି ନେଇ ରାଗର ଯେଉଁ ସଂଯତ ପ୍ରଶାନ୍ତ ରୂପ ଉଦ୍‌ଭାସିତ ହୁଏ ଏବଂ ଜଳଧର ଧ୍ୱନିବତ୍ ମଧୁର ଗମ୍ଭୀର ମୃଦଙ୍ଗଧ୍ୱନିଦ୍ୱାରା ଯେଉଁ ରୂପଟି ଆଦ୍ୟପ୍ରାନ୍ତ ପୁଷ୍ଟ ହୁଏ, ତା ଅଙ୍ଗରେ ଚିକ୍‌କଣ ଚଞ୍ଚଳ ସୁର-ବିଭୂତି ଶୋଭା ପାଏନା । ଏକାଳର ଅଭିଜ୍ଞତାରୁ ମୋର ମନେହୁଏ କେବଳ ଜ୍ଞାନ ଗୋସ୍ୱାମୀଙ୍କ କଣ୍ଠରେହିଁ ବୀର୍ଯ୍ୟ ଓ ମାଧୁର୍ଯ୍ୟର ଅପୂର୍ବ ମିଳନ ଘଟିଥିଲା । ଭାଗ୍ୟଦେବୀ ଗୋସ୍ୱାମୀଙ୍କୁ ସେଭଳି କଣ୍ଠସ୍ୱରର ଅଧିକାରୀ କରି ମଧ୍ୟ ତାଙ୍କ ଜୀବନସୂତ୍ରଟି ଅକାଳେ କାଟିଦେଲେ । ଏହାକୁ ଜାତିର ଦୁର୍ଭାଗ୍ୟ ବୋଲିବାକୁ ହେବ । ମୌଜୁଦ୍‌ଦୀନଙ୍କ ସମ୍ପର୍କରେ ତୁଳନାତ୍ମକ ପ୍ରସଙ୍ଗରେ ପିତୃଦେବ ତାଙ୍କର ଉଚ୍ଛ୍ୱସିତ ପ୍ରଶଂସା କରି କହୁଥିଲେ, ଅଘୋରବାବୁଙ୍କ ଗଳା ମଧ୍ୟ ସେମିତି ଥିଲା ସତ, କିନ୍ତୁ ସେଥିରେ ଏତେ ସୁନ୍ଦର ସୂକ୍ଷ୍ମ ଗିଟ୍‌କିରୀ ବାହାରେ ନାହିଁ । ପରେ ମୋର ଗୁରୁଦେବ ଶ୍ୟାମଲାଲଜୀ ଓ ବଦଲ ଖାଁ ସାହେବଙ୍କ ମୁହଁରୁ ଅଘୋରବାବୁଙ୍କ ବିଷୟରେ ସେହିପ୍ରକାର ମନ୍ତବ୍ୟ ଶୁଣିଛି । କଣ୍ଠର ଦୀପ୍ତି ଓ ଓଜଗୁଣ ପ୍ରସଙ୍ଗରେ ପିତୃଦେବ ଆଉ ଜଣେ ସୌଖୀନ ଗୁଣୀଙ୍କ ନାମ କହୁଥିଲେ—ଲାଲଚାନ୍ଦ ବଡ଼ାଲ । ଗୟାରେ ଥିବା ସମୟରେ ମୌଜୁଦ୍‌ଦୀନ ଓ ଲାଲଚାନ୍ଦଙ୍କର କେତୋଟି ରେକର୍ଡ଼-ଗୀତ ତୁଳନା କରିବାବେଳେ ମୋର ମନେହୋଇଚି ମୌଜୁଦ୍‌ଦୀନଙ୍କ କଣ୍ଠସ୍ୱର ଦୂରରୁ ଭାସି ଆସୁଥିବା ଜ୍ୟୋତ୍ସ୍ନା ଭଳି, ଆଉ ଲାଲଚାନ୍ଦଙ୍କ କଣ୍ଠ ସତେକି ସୂର୍ଯ୍ୟାଲୋକ ଭଳି ପ୍ରସାରିତ । ପରିଷ୍କାର ବୁଝାପଡ଼େ, ମୌଜୁଦ୍‌ଦୀନଙ୍କ ଗାନ ଭିତରେ ଥିଲା ଗାୟକୀୟ ସୂକ୍ଷ୍ମ ନିତ୍ୟ-ନୂତନ ମର୍ମସ୍ପର୍ଶୀ ଆବେଦନ ଏବଂ ଲାଲଚାନ୍ଦଙ୍କ ଗାନରେ ଥିଲା ସୁରର ସ୍ଥିର ଅକୃପଣ ଦାକ୍ଷିଣ୍ୟ ଓ ତେଜୋମୟ ଆହ୍ୱାନ ।

 

ପିତୃଦେବ ଆଶା କରିଥିଲେ ଇମନ୍-କଲ୍ୟାଣ । କିନ୍ତୁ ମୌଜୁଦ୍‌ଦୀନ ଧରିଲେ ପୁରିୟା ରାଗର ପ୍ରସିଦ୍ଧ ଗାନ ‘ସୁପ୍‌ନେମେ ଆୟେ ପିୟା’ । ଏହାପରେ ସେ ଗାଇଥିଲେ ‘ଫୁଲବା ବିନତ ଡାରଡାର’ ପରଜ ବସନ୍ତର ଗାନ ଜଲଦ୍ ଏକତାଲା ଛନ୍ଦରେ । ମନେପଡ଼େ, ସୁରର ରଚନା କୌଶଳ, ଗାନର ଭାବଭଙ୍ଗୀ, ଗୀତର ରୂପ-ମାହାତ୍ମ୍ୟ ଟିକିନିଖି ବିଚାର କରିବାର ଯୋଗ୍ୟତା ମୋର ନଥିଲା । କିନ୍ତୁ ଅନୁଭବଦ୍ୱାରା ମାଧୁର୍ଯ୍ୟ ଓ ଚମତ୍କାରିତା ଆସ୍ୱାଦନର ଅଧିକାର ମୋର ଆସିଥିଲା । ପରେ କଲିକତାରେ ମୌଜୁଦ୍‌ଦୀନଙ୍କ ସହିତ ପରିଚୟର ସୁଯୋଗ ବେଳେ ଏ ଗାନସବୁ ଓ ଅନ୍ୟ ଅନେକ ଗାନ ଉତ୍ତମଭାବେ ଆଲୋଚନା କରିବାର ସୁବିଧା ପାଇଥିଲି । ପ୍ରଥମ ପରିଚୟ ବିଷୟରେ ମାତ୍ର ଏତିକି ମନେପଡ଼େ ଯେ ‘ସୁପ୍‌ନେମେ’ ଗାନଟି ସେ ଗାଇଥିଲେ ଢିମାଠେକାରେ । ଏହାର ସମ୍ ପଡ଼ୁଥିଲା ଖାଦର କଡ଼ି ମଧ୍ୟମ ଉପରେ ଏବଂ ଠିକ୍ ସମ୍ ପରେ ଖାଦର ଗାନ୍ଧାରଠାରୁ ମୁଦାରାର କୋମଳ ରେଖାବ୍ ପର୍ଯ୍ୟନ୍ତ ଗୋଟିଏ ମୀଡ଼ାର ଅପୂର୍ବ ଜ୍ୟୋତିରେଖା ମୋ ମନକୁ ବିହ୍ୱଳ କରି ରଖିଥିଲା । ଅକସ୍ମାତ୍ ଉଦୟ ହେଉଛି ପରବର୍ତ୍ତୀ କାଳର ଗୋଟିଏ ଯୋଡ଼ିଏ ସ୍ମୃତି ଯାହା ବିଷୟରେ ନ କହି ମୁଁ ରହିପାରୁ ନାହିଁ । ମନେପଡ଼େ ରାଧିକା ଗୋସ୍ୱାମୀଙ୍କ କଣ୍ଠରେ ଦରବାରୀ କାନାଡ଼ାର ଧୈବତ-ଗାନ୍ଧାରର ଅପୂର୍ବ ମିଳନ-ମୂର୍ଚ୍ଛନା ଏବଂ ଚନ୍ଦନ ଚୋବେଜୀଙ୍କ କଣ୍ଠରେ ପଞ୍ଚମ ରେଖବର ସମ୍ୱାଦ-ମାଧୁରୀ । କିନ୍ତୁ ଆଜି ମୁଁ ୟାଙ୍କ ପାଖରୁ ବିଦାୟ ନେଉଚି ।

 

ବିଚିତ୍ର ମର୍ମସ୍ପର୍ଶୀ ମୂର୍ଚ୍ଛନା । ସାନ ସାନ ଫିରତ୍ ଓ ମୁର୍‌କି ଏବଂ ଶ୍ରବଣମଧୁର ତାନତରଙ୍ଗରେ ପ୍ରବାହିତ ପୁରିୟାର ତାନଟି ଅନୁଭବ ମଧ୍ୟରେ ଯେଉଁ ଉନ୍ମେଷ ରୂପରେ ଦେଖାଦେଲା ତାକୁ କେଉଁ ଭାଷାର ରୂପ ଦେବି କିପରି ? ଏହାପରେ ମନେପଡ଼େ ଅନୁଭବ ମଧ୍ୟରେ ନିର୍ବିଚାର ଆତ୍ମସମର୍ପଣ ।

 

ଏକତାଲା ଛନ୍ଦର ସୂକ୍ଷ୍ମ, ଦ୍ରୁତ ଓ ତୀକ୍ଷ୍‌ଣଧାର ସ୍ୱରବର୍ଷଣ ହେତୁ ପରଜ-ବସନ୍ତ ଗାନଟିର ମଝିରେ ଅନୁଭବର ଶିକୁଳି ଛିଣ୍ଡିଗଲା । ଗୋଟିଏ ସୁରରୁ ଅନ୍ୟ ଗୋଟିଏ ସୁରକୁ ଏଇ ଯେ ବିଦ୍ୟୁତ୍ ଗତି ତାହା କିପରି ସମ୍ଭବ ଏଇ ପ୍ରଶ୍ନ ମୋ ମନକୁ ଘାରିଥାଏ ସେତେବେଳେ । ବାପାଙ୍କୁ ଧୀରେ ପଚାରିଲି, ପ୍ରତ୍ୟେକ ସୁର ପାଇଁ ଅଲଗା ପର୍ଦା କଅଣ କଣ୍ଠରେ ଅଛି ? ପିତୃଦେବ କୌଣସି ଉତ୍ତର ଦେଲେ ନାହିଁ । ଗାନ ଶେଷ ହେବା ପରେ ବାପା ମୌଜୁଦ୍‌ଦୀନ୍‌ଙ୍କୁ କହିଲେ, ମୋ ପୁଅ ପଚାରୁଚି ଆପଣଙ୍କ କଣ୍ଠରେ କଅଣ କୌଣସି ଗୁପ୍ତ ଯନ୍ତ୍ର ଅଛି ? ତା ନହେଲେ ଏମିତି ସୁରର ଦାନା ବାହାରେ କେମିତି ? ପ୍ରଶ୍ନ ଶୁଣି ମୌଜୁଦ୍‌ଦୀନ ବାରମ୍ୱାର ସସ୍ମିତ ଅଥଚ ସଲଜ୍ଜ ସଲାମ୍ ଜ୍ଞାପନ କଲେ । ଅର୍ଥାତ୍ ପ୍ରଶ୍ନଛଳରେ ତାଙ୍କର ପ୍ରଶଂସା କରାହେଲା । ଭେଲୁବାବୁ, ସୋହନୀଜୀ ପ୍ରଭୃତି ସମସ୍ତେ ତାରିଫ୍ ଉପରେ ତାରିଫ୍, ସମର୍ଥନ ଉପରେ ଅନୁମୋଦନ ବର୍ଷଣ କରିବାକୁ ଲାଗିଲେ—ହଦ୍‍ଦ କିୟା ଭାଇ ମୌଜୁଦ୍‌ଦୀନ, ମୌଜୁଦ୍‌ଦୀନ କମାଲ୍ କିୟା, ରାମ୍ ଜାନେ ଉନ୍‌କେ ଗଲେମେ କ୍ୟାୟସା ରସ୍‌ ଭର୍ ଦିହିନ୍, ତୋ ପରମେଶ୍ୱରକା ହି ଲୀଲା ହ୍ୟାୟ ବସ୍ ଔର୍ କ୍ୟା । ପ୍ରବୀଣ ହନୁମାନଦାସଜୀ ରାୟ ଦେଲେ, ଯାହାର ମର୍ମ—ମୌଜୁଦ୍‌ଦୀନ୍‌ଙ୍କ ନୈପୁଣ୍ୟ କୁଦ୍‌ରତି ଅର୍ଥାତ୍ ଈଶ୍ୱରଦତ୍ତ, ସନ୍ଦେହ ନାହିଁ ଏବଂ ଏଭଳି ନୈସର୍ଗିକ ବ୍ୟାପାରର କଳନା କରିବା ଅସମ୍ଭବ । ମୋର ସରଳ ପ୍ରଶ୍ନର ଏତାଦୃଶ ସରଳତର ମୀମାଂସା ହୋଇଯିବାର ଦେଖି ଭାବିଲି, ସତେ ତ ! ମୁଁ ତ ଭାରି ବୋକା ! ଏଇ ସହଜ କଥାଟା ମୁଁ ବୁଝି ନ ଥିଲି କେମିତି ବା !

 

ସେ ଆସରରେ ମୌଜୁଦ୍‌ଦୀନ୍ ପରେ ପରେ ଆଉ ତିନୋଟି ଗାନ ଗାଇଥିଲେ । ବିଚାର କରି ବାହାବା ଦେବାଭଳି ଚୈତନ୍ୟ ବା ଅବକାଶ କାହାରି ନଥିଲା । ସୁରର ମାଦକତାରେ ସମସ୍ତେ ସେତେବେଳେ ଅଭିଭୂତ । ଭାବାବେଗରେ ତାରିଫ କରାହେଉଥିଲା । ଗୋଟିଏ ଗାନର ପଦଟିଏ ଅସ୍ପଷ୍ଟ ଭାବରେ ମନେପଡ଼ୁଚି ଡଗମଗ ହାଲେ ମୋରି ନଇୟା କନ୍‌ହଇୟା ବିନ୍ । ଆଉ ବାରମ୍ୱାର ମନେପଡ଼ୁଚି ଏହା ଭିତରେ କୋମଳ ଧୈବତର ଅନିନ୍ଦ୍ୟସୁନ୍ଦର ବିଳାସ-ବିଭ୍ରମ ।

 

ରାତି ଗୋଟାକବେଳେ ଘରକୁ ଫେରୁଥିବାବେଳେ ଗାଡ଼ିରେ ବାପା କହିଲେ, ଖେୟାଲ୍ ଗାନ ଏତେ ମଧୁର ହୋଇପାରେ, ମୁଁ କେବେ କଳ୍ପନା କରି ନ ଥିଲି । ସେ ପୁଣି କହିଲେ, ବରୋଦାର ପ୍ରସିଦ୍ଧ ଖେୟାଲୀ ମୌଲାବକ୍‌ସ ଏଫ୍ ସ୍କେଲ୍‌ରେ ଗାନ କରୁଥିଲେ ସତ, ହେଲେ ଏମିତି ରସାଳ ଗାନ ତାଙ୍କ ମୁହଁରୁ ସେ ଶୁଣି ନ ଥିଲେ । ରାନାଘାଟର ପାଲଚୌଧୁରୀଙ୍କ ଘରୁଆ ଆସରରେ ସେକାଳର ବଡ଼ ବଡ଼ ଖେୟାଲୀ ସବୁ ଆସି ଗାନ କରିବାର ସେ ଶୁଣିଛନ୍ତି । ସେମାନଙ୍କର କାରିଗରି ମଧ୍ୟ ଯଥେଷ୍ଟ ଥିଲା । କିନ୍ତୁ ଏମିତି ଚିକ୍‌କଣ କାମ ବା ଏତେ ରସ ସେଥିରେ ନଥିଲା । ଆଉ ଠୁମ୍‌ରୀ ବୋଲି ଯାହା ଥିଲା ତା ହେଉଚି ତୟଫାଓଲୀମାନଙ୍କ ଅତି ହାଲୁକା ଗାନ ଏବଂ ଲକ୍ଷ୍ନୌ ନବାବଙ୍କ ରଚିତ ‘ଯବ ଛୋଡ଼୍‌ ଚଲି ଲକ୍ଷ୍ନୌ ନଗ୍‍ରୀ’ ଗାନର ଅନୁକରଣ ‘କତ କାଲ ପରେ ବଲ ଭାରତରେ’ ସୁରର କେତୋଟି ଗାନ । କିନ୍ତୁ ପୁରୁଷ ଲୋକ ଆସରରେ ବସି ଠୁମ୍‌ରୀ ଗାଆନ୍ତି, ଠୁମ୍‌ରୀ ଗାନ ପୁଣି ମଧ୍ୟମାନ-ଆଡ଼ା ଭଳି ଢିମା ତାଳରେ ଗାଇ ପାରାଯାଏ ଏବଂ ସେ ଗାନ ପୁଣି ମୁଗ୍‌ଧ କରିଦିଏ, ଏହା ତାଙ୍କ ପକ୍ଷରେ ସମ୍ପୂର୍ଣ୍ଣ ନୂତନ ଅଭିଜ୍ଞତା । ଯେଉଁମାନେ ଏଭଳି ଠୁମ୍‌ରୀ ଜୀବନରେ ଶୁଣିନାହାଁନ୍ତି ସେମାନଙ୍କୁ ହୁଏତ ପୁସ୍ତକଗତ ଅଭିଜ୍ଞତାରେହିଁ ସନ୍ତୁଷ୍ଟ ରହିବାକୁ ପଡ଼ିବ ।

 

ଭୈରବୀ ମଇଫିଲ୍ ପାଇଁ ପରଦିନ ସକାଳେ ରାଜାବାବୁଙ୍କ ଘରେ ନିମନ୍ତ୍ରଣ ଥିଲା । ଭୈରବୀ ମଇଫିଲ୍‌ର ଅର୍ଥ- ପରିତୃପ୍ତ ହେବା ଭଳି ଭୈରବୀ ଗାନ ଏବଂ ଗାୟକ ହେଉଛନ୍ତି ସ୍ୱୟଂ ମୌଜୁଦ୍‌ଦୀନ୍ । ଆମେ ସେ ଆସରକୁ ଯାଇ ନ ଥିଲୁ, କାରଣ ଆମ ପୂର୍ବ ଅଭିଜ୍ଞତା ଥିଲା । ଜମିଦାର୍ ବା ରଇସ୍‌ମାନଙ୍କର ଭୈରବୀ ଆସର ପ୍ରସ୍ତୁତ କରିବାକୁ ହୋଇଯାଏ ଦିନ ଏଗାରଟା ଏବଂ ଶେଷ ହୁଏ ଅନ୍ତତଃ ଦିନ ଗୋଟାଏ ବେଳେ । ଲୋକମୁଖରେ ଶୁଣିଲି, ଭୈରବୀ ମଇଫିଲ୍ ପରେ ମୌଜୁଦ୍‌ଦୀନ୍ କଲିକତା ଯାତ୍ରା କରିଛନ୍ତି ।

 

ଜ୍ୟୋତିଷ୍କଙ୍କ କ୍ଷଣିକ ପରିଚୟ ପାଇଥିଲି ଗୟାରେ । ଏହାର କିଛିକାଳ ପରେ କଲିକତାରେ ଅଭିନବ ପରିବେଶ ମଧ୍ୟରେ ଶ୍ରଦ୍ଧା ଓ ବିସ୍ନୟ ସହ ପୂର୍ଣ୍ଣତାର ଓ ଘନିଷ୍ଠତାର ପରିଚୟ ହୋଇଥିଲା ।

 

ଇଂରାଜୀ ୧୯୧୦ ସାଲରୁ ଆରମ୍ଭ ହେଲା କଲିକତାର ସଙ୍ଗୀତ-ସ୍ମୃତିର ନୂତନ ଦିଗନ୍ତ-। ପ୍ରତ୍ୟକ୍ଷ ଅଭିଜ୍ଞତାର ସୁଖ-ସ୍ମୃତି ବହନ କରି ଆଣେ କେତୋଟି ବଡ଼ ବଡ଼ ନକ୍ଷତ୍ରଦ୍ୟୂହ ଓ ତାଙ୍କୁ ଲଗାଲଗି କେତେକ ତାରକାବୀଥି । ସ୍ୱୟମାଗତ ଏହି ସବୁ ସ୍ମୃତି ମଧ୍ୟରେ ସ୍ପଷ୍ଟ ଓ ପ୍ରଧାନ ଭାବରେ ଦୃଶ୍ୟମାନ ହୁଏ ନାଟୋର ମହାରାଜାଙ୍କ ଭବନରେ ଗୁଣୀ ସମାଗମ, ମୋର ସଙ୍ଗୀତଗୁରୁ ଶ୍ୟାମଲାଲ ବାବୁଜୀଙ୍କ ସଙ୍ଗୀତ-ତୀର୍ଥ, ଉତ୍ତର କଲିକତାର ସଙ୍ଗୀତ-ସମାଜ, ମୁରାରି ସମ୍ମେଳନରେ ବାର୍ଷିକ ଅଧିବେଶନଗୁଡ଼ିକ, ଶେଠ ଦୁଲୀଚାନ୍ଦଙ୍କ ଦମଦମା ବାଗାନବାଡ଼ୀର ସଙ୍ଗୀତ ମଇଫିଲ ଏବଂ ଶଙ୍କର ଉତ୍ସବର ବାର୍ଷିକ ମିଳନଗୁଡ଼ିକ । ସାନ ସାନ ନକ୍ଷତ୍ର-ବୀଥି ଓ ନୀହାରିକାପୁଞ୍ଜମାନେ ମଧ୍ୟ ସ୍ମରଣପଥରେ ଆବିର୍ଭୂତ ହୁଅନ୍ତି । ବିଶେଷ କରି ଶ୍ୟାମଲାଲଜୀଙ୍କ ଆତ୍ମୀୟ-ସ୍ୱଜନମାନଙ୍କ ଘରେ ବସିଥିବା ଜଲ୍‌ସାଗୁଡ଼ିକ, ଯଥା– ଚୁନିଲାଲ ବର୍ମନ ଏବଂ ଶ୍ରୀ ଦାମୋଦର ଖାନ୍‌ନା ମହାଶୟଙ୍କ ଘରେ, ଗଣେଶଚନ୍ଦ୍ର ଚନ୍ଦ୍ରଙ୍କ ଘରେ ଏବଂ ସିମ୍‌ଳାସ୍ଥ ଓସ୍ତାଦ୍ କରାମତୁଲ୍‌ଲା ଖାଁ ସାହେବଙ୍କ ବସାରେ-। ଦିବ୍ୟ ଆନନ୍ଦମୟ ସ୍ମୃତି-ବିଗ୍ରହ ଧାରଣ କରି ଆବିର୍ଭାବ ହେଉଛନ୍ତି ତତ୍‌କାଳୀନ ସଙ୍ଗୀତ-ଜ୍ୟୋତିଷ୍କପୁଞ୍ଜ, ଗନ୍ଧର୍ବଲୋକର ଦିବ୍ୟବାଣୀ ବହନ କରି । ମାନସପଟରେ ଉଦ୍‌ଭାସିତ ହେଉଛନ୍ତି ଏମାନଙ୍କ ମଧ୍ୟରୁ କେତେକ ମହାବିଭାବ, ଯଥା– ଖଲିଫା ବଦଲ୍ ଖାଁ ସାହେବ, ଲଛମୀପ୍ରସାଦ ମିଶ୍ର, ବିଶ୍ୱନାଥ ରାଓ, କାଲେ ଖାଁ ସାହେବ, ଅଲ୍ଲାଦିୟା ଖାଁ, ମୌଜୁଦ୍‌ଦୀନ୍, ରାଧିକାମୋହନ ଗୋସ୍ୱାମୀ, ଚନ୍ଦନ ଚୋବେଜୀ, ଭୂତନାଥ ବାବୁ, ମହିମବାବୁ, ସରୋଦୀୟା ଫିଦା ହୋସେନ୍ ଖାଁ ସାହେବ, ଇନ୍ଦୋରର ବୀଣ୍‌କାର୍ ମଜିଦ୍ ଖାଁ, ଜୟପୁରର ବୀଣ୍‌କାର୍ ହାଫିଜ ଖାଁ, ସୁରବାହାରୀ, ଇମ୍‌ଦାଦ୍ ଖାଁ, ଆଲ୍‌ଲାଉଦ୍‌ଦୀନ୍ ଖାଁ ସାହେବ ଓ ତାଙ୍କ ଅଗ୍ରଜ ଆଫତାବୁଦ୍‌ଦୀନ୍ ସାଧୁ, ହାଫେଜ ଆଲି ଖାଁ ସାହେବ, ଗଣପତ୍ ରାଓ ଭାଇୟା ସାହେବ, ଶ୍ୟାମଲାଲଜୀ ଗହରଜାନ, ବୀଣ୍‌କାର୍ ମନଜୁର୍ ଖାଁ, କରାମତ୍‌ତୁଲ୍‌ଲା ଖାଁ ସାହେବ, କୁକଭ ଖାଁ, ସୋହନୀଜୀ, ବସିର ଖାଁ, ମୃଦଙ୍ଗବିଶାରଦ ଦୁର୍ଲଭବାବୁ, ନଗେନବାବୁ ଓ ଶମ୍ଭୁ । ଟପ୍‌ପାପାଶିଳ୍ପୀ ରାମ ଚାଟାର୍ଜି ଓ ରାନାଘାଟର ନଗେନ୍ଦ୍ର ଭଟ୍ଟାଚାର୍ଯ୍ୟ, ଖଲିଫା ଆବେଦ ହୁସେନ ଖାଁ ସାହେବ, ଦର୍ଶନସିଂଜୀ, ବୀରୁ ମିଶ୍ର ପ୍ରଭୃତି-। ଏତଦ୍‌ବ୍ୟତୀତ ଅସ୍ପଷ୍ଟଭାବେ ପ୍ରତିଭାତ ହେଉଛନ୍ତି ଅନେକ ଗୁଣୀ, ଗାନ୍ଧର୍ବିକା ଓ ଗୁଣଗ୍ରାହୀ ଯେଉଁମାନଙ୍କୁ ପରିସ୍ଫୁଟ କରିବାକୁ ହେଲେ ସ୍ମୃତିର ଦୂରବୀକ୍ଷଣ ଓ ବିଶିଷ୍ଟ ପରିଧି ଆବଶ୍ୟକ-। ଏମାନଙ୍କ ପ୍ରତି ସକୃତଜ୍ଞ ନମସ୍କାର ଜଣାଇ ନିବେଦନ କରୁଚି ଯେ ଛାୟାପଥର ଅପରପାର୍ଶ୍ୱସ୍ଥିତ ପଶ୍ଚିମ ଲୋକାଲୋକ ପର୍ବତଶିଖରରେ ଅସ୍ତଗାମୀ ଭାସ୍ୱର ଗୋଟିଏ ତାରକା ଆଡ଼କୁ ମୋର ଦୃଷ୍ଟି ନିବଦ୍ଧ କରିଥିବାରୁ ମୁଁ ଆଜି ତାଙ୍କୁହିଁ ଅନୁସରଣ କରିବି ।

 

ଗୁରୁଦେବ ଶ୍ୟାମଲାଲଜୀଙ୍କୁ କେନ୍ଦ୍ର କରି ଗୁଣୀମାନଙ୍କର ଜମାୟେତ ହେଉଥିଲା ୧୦୧ ନମ୍ୱର ହ୍ୟାରିସନ ରୋଡ଼ସ୍ଥ ଘରର ଦ୍ୱିତଳ ପ୍ରକୋଷ୍ଠରେ । କାଚଖଚିତ ଘର ଚଟାଣ ଉପରେ ପଡ଼େ ସତରଞ୍ଜି, ତା ଉପରେ ପରିଷ୍କାର ଧଳା ଚାଦର ଏବଂ କେତୋଟି ତକିଆ । କାନ୍ଥକୁ ଲାଗି ରଖାହୋଇଚି ଅଇନାଦିଆ କେତୋଟି ଆଲମାରି । ମୁଣ୍ଡ ଉପରେ ବିଜୁଳି ଆଲୁଅ ଓ ପଙ୍ଖା । ଏଇ ନିରୀହ ସାଧାରଣ ଆସରରେ ସକାଳେ ଓ ସନ୍ଧ୍ୟାରେ ଜମୁଥିଲା ବିଚିତ୍ର ରକମର ଗୁଣୀ ସଙ୍ଗମ । ଗୀତ ବାଦ୍ୟ ନୃତ୍ୟର ଉତ୍‌କୃଷ୍ଟ ପରିଚୟଗୁଡ଼ିକର ଚର୍ଚ୍ଚା ପ୍ରଧାନତଃ ହୁଏ । ପ୍ରାସଙ୍ଗିକଭାବେ ଓ କଥୋପକଥନ ଛଳରେ କାବ୍ୟ ସାହିତ୍ୟ ଓ କିମ୍ୱଦନ୍ତୀ ମଧ୍ୟ ଉପଭୋଗ ହୁଏ । ଶ୍ୟାମଲାଲଜୀ ଥିଲେ ଜ୍ଞାନୀ, ରସିକ, ସଂଯତବାକ୍ ଓ ଆଜୀବନ ବ୍ରହ୍ମଚାରୀ । ଉଚ୍ଛଳ ଓ ସାନନ୍ଦ ଅଭ୍ୟର୍ଥନାଦ୍ୱାରା ସେ ସମସ୍ତଙ୍କୁ ଆପଣେଇ ପାରୁଥିଲେ । କୁଶଳ ପ୍ରଶ୍ନ ଓ ବିଦଗ୍‌ଧ ଆଳାପଦ୍ୱାରା ଗୁଣୀମାନଙ୍କୁ ଆପ୍ୟାୟିତ କରୁଥିଲେ । ଯଥାଯୋଗ୍ୟ ପରାମର୍ଶ ଓ ଯଥାସାଧ୍ୟ ସାହାଯ୍ୟ ଦେଇ ସେମାନଙ୍କୁ ଆନୁଗୃହୀତ କରୁଥିଲେ । ସେଇ ଶୁଦ୍ଧ ଶିଷ୍ଟ ସଭାଦ୍ୱାରା ପ୍ରଭାବିତ ହୋଇ ସମସ୍ତେ ବୈଠକ ଶେଷରେ ଫେରି ଯାଉଥିଲେ ।

 

ମୋ ଜୀବନରେ ମୁଁ ଠିକ୍‍ ଏବଂବିଧ ସମାଗମ ଆଉ ଦେଖି ନାହିଁ । ସେଇ ଧଳା ଫରାସ ଉପରେ ବିଭିନ୍ନ ସମୟରେ ଆସନ ଗ୍ରହଣ କରିଛନ୍ତି ସଙ୍ଗୀତର ମୂର୍ତ୍ତିମାନ ବିଗ୍ରହ ଗଣପତ୍‌ରାଓ ଭାଇୟା ସାହେବ, ଖଲିଫା ବଦଲ ଖାଁ ସାହେବ, ମୌଜୁଦ୍‌ଦୀନ, କାଲେ ଖାଁ ସାହେବ, ଆଲ୍‌ଲାଦୀୟା ଖାଁ, ଚନ୍ଦନ ଚୋବେଜୀ, ରାଧିକାମୋହନ ଗୋସ୍ୱାମୀ, ମୁସ୍ତାକ ହୋସେନ ଖାଁ ସାହେବ, ସଜ୍‌ଜାତ୍ ହୁସେନ୍, ଜନାବ ମିକା ସାହେବ, ଦିଲ୍‌ଲୀର ମୀର ସାହେବ, ଗହରଜାନ୍ ବାଈଜୀ, ଆଗ୍ରାଓୟାଲୀ ମାଲ୍‌କାଜାନ୍ ବାଈଜୀ, ଚୁଲବୁଲ୍‌ଲେଓୟାଲୀ ମାଲ୍‌କାଜାନ୍ ବାଈଜୀ, ଜଦ୍‌ଦନ୍ ବାଈଜୀ, ସରୋଦୀୟା ଫିଦା ହୁସେନ ଖାଁ, ଆଲ୍‌ଲାଉଦ୍‌ଦୀନ ଖାଁ ଓ ହାଫିଜ ଅଲ୍‍ଲି ଖାଁ ସାହେବ, ଇସଦାଜ୍ ଖାଁ ସାହେବ, ବୀଣ୍‌କାର ମଜିଦ ଖାଁ, ହାରମୋନିୟମର ଶ୍ରେଷ୍ଠ ଶିଳ୍ପୀ ବଶୀର ଓ ଜଙ୍ଗୀ, ଶମ୍ଭୁ ପାଖାଓଜୀ, ନ୍ୟାଟା ଆବ୍‌ବୁଲ୍, ବୀରୁ ମିଶ୍ର ଓ ଆବେଦ୍ ହୁସେନ ଖାଁ ସାହେବ ପ୍ରଭୃତି ବିଚିତ୍ରକର୍ମା କଳାକୁଣଳୀଗଣ । ପ୍ରସିଦ୍ଧ ଗୀତଶିଳ୍ପୀ ଗିରିଜାବାବୁ, ଯେ କି ପ୍ରଥମେ ରାଧିକା ଗୋସ୍ୱାମୀଙ୍କର ଓ ପରେ ଗଣପତ୍‌ରାଓ ସାହେବଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ସେ ସେତେବେଳେ ଶ୍ୟାମଲାଲଜୀଙ୍କ ପକ୍ଷପୁଟ ଆଶ୍ରୟରେ ସାଧନା କରୁଥାନ୍ତି । ପ୍ରାୟ ନିତିଦିନର ସଭାସଦ୍‍ମାନଙ୍କ ଭିତରୁ ବଦଲ ଖାଁ ସାହେବ, ହକିମ୍‌ଜୀ, ଠୁମରୀର ଅଦ୍ୱିତୀୟ ସମଝଦାର ତନ୍‌ନୁଲାଲଜୀ ଏବଂ ଆଉ କେତେ ଜଣ ଅନ୍ତରଙ୍ଗ ଗୁଣଗ୍ରାହୀ ସନ୍ଧ୍ୟାବେଳର ଆସରରେ ଯୋଗଦେଇ ରାତି ଦଶଟା ବା ଏଗାରଟା ବେଳେ ଫେରନ୍ତି ।

 

ମୁଁ ସେତେବେଳେ ବଦଲ ଖାଁ ସାହେବ ଓ ଶ୍ୟାମଲାଲଜୀଙ୍କ ପାଖରୁ ଖେୟାଲ ଠୁମରୀ ଶିକ୍ଷା କରୁଥାଏ । ଦିନେ ସନ୍ଧ୍ୟାବେଳେ ବଶୀର ଖାଁ ବିଛଣାପତର ନେଇ ଇନ୍ଦୋରରୁ ବାରାଣସୀ ହୋଇ ଆସି ହାଜର । ଆସନ୍ତା କାଲି ମୌଜୁଦ୍‌ଦୀନ ଆସୁଛନ୍ତି ବୋଲି ସୁସମାଚାର ବହନ କରି ଆଣିଥାନ୍ତି । ବଶୀର ବିଷୟରେ ପୂର୍ବେ କହିଚି । ଏ ହେଉଛନ୍ତି ଶ୍ୟାମଲାଲଜୀଙ୍କ ଶିଷ୍ୟ । ମୋ ଦେଖିବାରେ ଏ ହେଉଛନ୍ତି ଏକମାତ୍ର ହାରମୋନିୟମ ଶିଳ୍ପୀ ଯିଏ ମୌଜୁଦ୍‌ଦୀନଙ୍କ ସହିତ ଅନୁରାଗ ଓ ସମ୍ମାନ ସହିତ ସଙ୍ଗତ କରିବାକୁ ସକ୍ଷମ । ଅନେକ ସମୟରେ ଶ୍ୟାମଲାଲଜୀ ହାରମୋନିୟମରେ ପାଞ୍ଚ ସାତଟି ଅନାବିଷ୍କୃତପୂର୍ବ ତାନ ବଜାଇ ମୌଜୁଦ୍‌ଦୀନଙ୍କ ଧ୍ୟାନଗୋଚର କରନ୍ତି । କିନ୍ତୁ ମୌଜୁଦ୍‌ଦୀନ ସେ ତାନକୁ କଣ୍ଠରେ ପ୍ରକାଶ କରିବାବେଳେ ବାବୁଜୀ ଆନନ୍ଦରେ ଆତ୍ମହରା ହୋଇ ହାରମୋନିୟମ ବଜାଇବା ଛାଡ଼ିଦେଇ ବସନ୍ତି । ଘରୁଆ ବୈଠକରେ ତନ୍ନୁଲାଲବାବୁ ଆଦର କରି ବଶୀରର ନାଁ ଦେଇଛନ୍ତି ‘କୋୟେଲ’ । ସାର୍ଥକ ନାଁଟି । ହାଣ୍ଡିକଳା ଭଳି ଦେହର ରଙ୍ଗ । ସାନ ସାନ ଦୁଇଟି ଆଖି ପୀତାଭ । ପତଳା ଛୋଟ ଓଠ ଦୁଇଟି ସର୍ବଦା ତାମ୍ୱୁଳରାଗରଞ୍ଜିତ । ଏତାଦୃଶ ସମାବେଶ କ୍ୱଚିତ୍ ଦେଖାଯାଏ । କିନ୍ତୁ ଭାବସାଦୃଶ୍ୟଟି ହେଉଚି—ବସନ୍ତର ବାର୍ତ୍ତା ଅନେକେ ଆଣନ୍ତି ସତ, ହେଲେ କୋକିଳ କଣ୍ଠରେ ତାହା ମନମତାଣିଆ ରୂପ ନିଏ-। ବଶୀର ଖାଁ ଠିକ୍ ସେଇଭାବରେ ମୌଜୁଦ୍‌ଦୀନଙ୍କ ଆଗମନୀ ବାର୍ତ୍ତା ନେଇ ଆସନ୍ତି-। ୟାଙ୍କ ଭଳି ଗୁରୁଭକ୍ତ ମୁଁ କମ୍ ଦେଖିଚି । ଦୁଃଖ ହେଉ ବା ସୁଖ ହେଉ, ସବୁ ସମୟରେ ମୌଜୁଦ୍‌ଦୀନଙ୍କ ହିତ ସାଧନ ଏବଂ ସେବା ଶୁଶ୍ରୂଷା କରିବାକୁ ବଶୀରର ସମକକ୍ଷ କେହି ନଥିଲେ ।

 

ତନ୍‌ନୁଲାଲବାବୁ ତକିଆ ଛାଡ଼ି ଛିଡ଼ା ହୋଇ ପଡ଼ିଲେ ଦୁଲୀଚାନ୍ଦବାବୁ, ଗହର୍ ଓ ମାଲ୍‌କା ବାଈଙ୍କୁ ଫୋନରେ ଖବର ଦେବାକୁ । ଦୁଲୀଚାନ୍ଦ ଥିଲେ ଗଣପତରାଓ ସାହେବଙ୍କ ଶିଷ୍ୟ । ଗହର୍ ଓ ଆଗ୍ରାଓୟାନୀ ମାଲ୍‌କା ଶ୍ୟାମଲାଲଜୀଙ୍କ ଶିଷ୍ୟ । ଉପସ୍ଥିତ ସମସ୍ତେ ବ୍ୟଗ୍ର ହୋଇପଡ଼ିଲେ-। ମୌଜୁଦ୍‌ଦୀନ କେତେବେଳେ କେଉଁ ଗାଡ଼ିରେ ଆସୁଛନ୍ତି, ତାଙ୍କର ମିଜାଜ୍ ଓ ତବିୟତ୍ ଦୁରସ୍ତ୍ ଅଛି କି ନା ପ୍ରଭୃତି ପ୍ରଶ୍ନବାଣରେ ବଶୀର ଜର୍ଜରିତ ହେଲେ । ଟିକିଏ ଅବସର ପାଇ ବଶୀର ସ୍ଥିର ହେବା ମାତ୍ରେ ଗୟାରେ ଉପେନ୍ଦ୍ରବାବୁଙ୍କ ଘରେ ବସିଥିବା ଆସର କଥା ଉଠାଇ ତାଙ୍କ ସହିତ ଆଳାପ ଜମାଇ ଦେଲି । ଆହ୍ଲାଦ ଓ ବିସ୍ମୟ ସହ ବଶୀର ଦୁଇ ହାତରେ ଏଇ ତରୁଣ ଭକ୍ତଟିର ଡାହାଣ ହାତ ଚାପି ଧରିଲେ ଏବଂ ବାବୁଜୀଙ୍କୁ ଅନାଇବାରୁ ବାବୁଜୀ ସହର୍ଷେ ତାଙ୍କର ପୁରୁଣା ଓ ନୂତନ ଶାଗ୍‌ରେଦମାନଙ୍କ ମଧ୍ୟରେ ପରିଚୟ କରାଇଦେଲେ । ବଶୀର ସେଇଦିନରୁ ମୋ ଉପରେ ଭାରି ଖୁସୀ । ସତୀର୍ଥ ବୋଲି ମୋର ଯାହା ଅଭିମାନ ଅଛି ତାହାର ବାରଅଣା ଦଖଲ କରନ୍ତି ଏଇ ବଶୀର । ପରଦିନ ତିନିଟାବେଳେ ମୌଜୁଦ୍‌ଦୀନଙ୍କୁ ନୂତନ କରି ଦେଖିବା ଆଗ୍ରହ ନେଇ ବୈଠକରେ ଉପସ୍ଥିତ ହେଲି ।

 

ଦେଖିଲି, ବଖରାଟିର ଗୋଟିଏ କଡ଼େ ଆଲମାରି ନିକଟରେ ବସି ଗୟାର ସେଇ ମୌଜୁଦ୍‌ଦୀନ ଆଇନା ଆଡ଼କୁ ତେରେଛା ଦୃଷ୍ଟି ରଖି ପଗଡ଼ିର ପେଞ୍ଚ କଷୁଛନ୍ତି ଏବଂ ବଶୀରକୁ ମୃଦୁସ୍ୱରରେ ସମସ୍ତଙ୍କ ହାଲଚାଲ ପଚାରୁଛନ୍ତି । ମୋତେ ଦେଖି ବଶୀର କହିଲେ, ଆସନ୍ତୁ ଆସନ୍ତୁ ପାଁଚୁବାବୁ, ଏଇ ହେଉଛନ୍ତି ସ୍ୱୟଂ ମୌଜୁଦ୍‌ଦୀନ ଖାଁ ସାହେବ । ମୁଁ ଦୁଇଜଣଙ୍କୁ ଆଦାବ୍ ଜଣାଇ ମୌଜୁଦ୍‌ଦୀନଙ୍କୁ ଲକ୍ଷ୍ୟ କରି ଗୟାର ମଇଫିଲ୍ ପ୍ରସଙ୍ଗ ଉଠାଇଲି । ମୌଜୁଦ୍‌ଦୀନ ପ୍ରତିନମସ୍କାର କରି କହିଲେ, ହାଁ ହାଁ, କେଓ ନହିଁ, ବେଶକ୍ ବେଶକ୍ । ଅର୍ଥାତ୍ ଗୟାରେ ଯେ ନିଶ୍ଚୟ ସେ ଜଲସା ହୋଇଥିଲା ସେଥିରେ ସନ୍ଦେହ ନାହିଁ । ବୁଝିଲ, ତାଙ୍କର ସବିଶେଷ କିଛି ସ୍ମରଣ ହେଉନାହିଁ । ବିସ୍ମୃତିର ଛିଦ୍ରମାନଙ୍କୁ ଆବରଣ ଦେଇ ସୁନ୍ଦର କରିବା ପାଇଁ ‘ବେଶକ୍’ ଶବ୍ଦ ଭଳି ଅନ୍ୟ ମନ୍ତ୍ର ନାହିଁ ।

 

ପାଖ ବଖରାରେ ବାବୁଜୀ କଅଣ ପାଠ କରୁଥିଲେ । ପାଠ ବନ୍ଦ କରି ବୈଠକକୁ ଆସିଲେ । କପାଳରେ ତାଙ୍କର ହୋମସ୍ନିଗ୍‌ଧ ଭସ୍ମତିଳକ, ଆଖିରେ ସୁନା ଚଷମା, ଦେହରେ ମୂଲ୍ୟବାନ ବୃନ୍ଦାବନୀ ନାମାବଳୀ । ବାବୁଜୀ ମୋତେ ଦୁଇଟି ନାମାବଳୀ ଦେଇଥିଲେ । ସେ ଦୁଇଟିକୁ ବ୍ୟବହାର ନ କରି ମୋ ବୀଣା ଉପରେ ସଯତ୍ନେ ଥୋଇଚି ଆଜି ପର୍ଯ୍ୟନ୍ତ । ନାମାବଳୀର ଶୁଭ୍ର ଅଙ୍ଗରେ ଲେଖାଙ୍କିତ ରହିଚି ତରିତାବଳୀର ସୁଖ-ସ୍ମୃତି ସବୁ । ସ୍ମରଣର ପ୍ରଦୀପ ଜଳିଲେ ତାହାର ମର୍ମକଥା ଓ ରହସ୍ୟ ଗୁଞ୍ଜନ ଉଜ୍ଜ୍ୱଳଭାବେ ପ୍ରତିଭାତ ହୁଏ ।

 

ପାଖରେ ଆସି ବସିବାକୁ ବାବୁଜୀ ଆମକୁ ଡାକିଲେ । ମୌଜୁଦ୍‌ଦୀନ ଆଡ଼କୁ ଚାହିଁ ହତାଶାର ଅଭିନୟ କରି କପାଳରେ ହାତ ମାରି କହିଲେ, ଆରେ ମୌଜୁଦ୍‌ଦୀନ, ଦୁଲୀଚାନ୍ଦ ଘରେ ଜଲସା ଯାଇ ରାତି ଦଶଟାବେଳେ, ଆଉ ତୁମର ପଗଡ଼ି କସରତ୍ ଏତେବେଳୁ ଆରମ୍ଭ ହୋଇଗଲାଣି ! ସେ ଥାଉ, ଏଠିକି ଆସ ।

 

ଅଧାବନ୍ଧା ପଗଡ଼ି ଧରି ମୌଜୁଦ୍‌ଦୀନ ବାବୁଜୀଙ୍କ ସାମନାରେ ବସିଲେ । ବାବୁଜୀ ମୌଜୁଦ୍‌ଦୀନଙ୍କ ସହିତ ମୋର ପରିଚୟ କରାଇଦେଲେ । ତା’ରି ଭିତରେ ରସିକତା କରି କହିଲେ, ଏଇ ପାଁଚୁବାବୁକୁ ଦେଖୁଚ ? ଇୟା କାନ ଭାରି ତିଆର । ଇୟା ସାମନାରେ ହୁସିୟାର ହୋଇ ଗାଇବ । ବେସୁରା ଯେମିତି ନ ହୁଏ ।

 

ମୁଁ ଭାରି ଲଜ୍ଜିତ ହେଲି ଯେତେବେଳେ ମୌଜୁଦ୍‌ଦୀନ ସେ ରସିକତା ବୁଝି ନ ପାରି ମୋତେ ଅଭିନିବେଶ ସହ ଅନାଇ କହିଲେ, ବାବୁଜୀ, ଖୁବ୍ ଖୁସିର କଥା, ବଡ଼ ଆନନ୍ଦର କଥା, ନୁହେଁ କି ବଶୀର ଭାଇ ? ବଶୀର ଏକଥା ଉପରେ ପାଲିସ୍ ଲଗାଇ କହିଲେ, ଅବଶ୍ୟ ଅବଶ୍ୟ; କାହିଁକି ବା ନ ହେବ ? କାହାର ଆଶ୍ରୟରେ, କେଉଁ ବୈଠକରେ ଏ ହାଜିର୍ ବିଚାର କରନ୍ତୁ !

 

ରାତି ନ’ଟା ସୁଦ୍ଧା ଏଇଠି ଆସି ହାଜିର୍ ହେବାକୁ ଏହା ପରେ ପରେ ବାବୁଜୀ ମୋତେ କହିଲେ । ଏଇଠୁଁ ଆମେ ଯାତ୍ରା କରିବୁ ଦୁଲୀଚାନ୍ଦବାବୁଙ୍କ ଘରକୁ । ମୌଜୁଦ୍‌ଦୀନ ମହା ଖୁସୀ । କଲିକତା ଆସିବାମାତ୍ରେ ଜଲ୍‌ସା ଏବଂ ଦୁଲୀଚାନ୍ଦ ବାବୁଙ୍କ ଘରେ ସେ ଜଲ୍‌ସାର ଅର୍ଥ ହେଉଚି ଗୋଟାଏ ଭଲ ପଗଡ଼ି ବା ଦୁ-ପଟ୍ଟା ଏବଂ ନଗଦ ପଚାଶ ଟଙ୍କା ଦକ୍ଷିଣା ଲାଭ ।

 

ଦୁଲୀଚାନ୍ଦବାବୁଙ୍କ ମଇଫିଲ୍‌ରେ ସଙ୍ଗତ କରିବା ପାଇଁ ଇମ୍‌ଦାଦ୍‌ ଖାଁ ସାରେଙ୍ଗୀୟା ଏବଂ ତବଲ୍‌ଚି ଆଲି କଦରକୁ ନିମନ୍ତ୍ରଣ କରି ଆସିବା ପାଇଁ ବାବୁଜୀ ବଶୀରଙ୍କୁ ନିର୍ଦ୍ଦେଶ ଦେଲେ । ବଶୀର ତତ୍‌କ୍ଷଣାତ୍ ଉଠି ଲୁଗା ପାଲଟିବାକୁ ଗଲେ । ମୌଜୁଦ୍‌ଦୀନ ଟିକିଏ ଉସୁରୁ ଖୁସୁରୁ ହୋଇ କହିଲେ, ବାବୁଜୀ, ବଶୀରକୁ ଗୋଟାଏ କଥା କହିଆସେ । ବାବୁଜୀ କହିଲେ, ହାଁ ହାଁ, ଯାଓ ଯାଓ । ସେଠିକା ପାଇଁ କିଛି ସଲା ପରାମର୍ଶ କରିଦିଅ ।

 

କଥାଟା କିନ୍ତୁ ଏଇୟା । ମରିଗଲେ ବି ବାବୁଜୀଙ୍କ ଘରେ ବସି ସେ କଦାପି ଉତ୍ତେଜକ ବସ୍ତୁର ସେବା କରିବେ ନାହିଁ । ତେଣୁ ସେ ବ୍ୟାପାରଟା ଦୁଲୀଚାନ୍ଦବାବୁଙ୍କ ଘରେ ନିଭୃତରେ ସମାପନ କରିବାକୁ ହେବ । ବଶୀର ହେଲେ ଏକମାତ୍ର ଉତ୍ତରସାଧକ । ତେଣୁ ତାଙ୍କୁହିଁ ଆଗରୁ ସେସବୁ ଯୋଗାଡ଼ କରି ରଖିବାକୁ ପଡ଼ିବ– ବାବୁଜୀ ବ୍ୟାଖ୍ୟା କଲେ ।

 

ଟିକିଏ ପରେ ଦି’ଜଣ ଫେରି ଆସିଲେ । ନିଜ ହାତ ତିଆରି କେଇଖଣ୍ଡ ପାନ ଘର ଭିତରୁ ଆଣି ବାବୁଜୀ ବଶୀରଙ୍କ ହାତରେ ଦେଲେ । ନମସ୍କାର କରି ବଶୀର ବାହାରିଗଲେ । ‘କୋୟେଲ୍’ ବସନ୍ତର ବାର୍ତ୍ତା ପହଞ୍ଚାଇ ଦେବାକୁ ଯାତ୍ରା କଲା । ବାବୁଜୀ ମୌଜଦ୍‌ଦୀନ୍‌ଙ୍କୁ କହିଲେ, ପଗଡ଼ି ବୋଝ ମୁଣ୍ଡରୁ ଉତାରି ଟିକିଏ ଶୋଇପଡ଼ । ଟ୍ରେନ୍ ବାଧା ଦେହରୁ ଯାଇ ନ ଥିବ । ପୁଣି ରାତି ଜାଗିବାକୁ ହେବ । ତା’ପରେ ଟିକିଏ ଆଖି ଟିପି କହିଲେ, ଯଦି କହିବ ତେବେ ଆଜି ରାତି ମଇଫିଲ୍‌ଟା ନହେଲେ ବନ୍ଦ କରିଦେବି । ମୌଜୁଦ୍‌ଦୀନ ପିଲାଙ୍କ ଭଳି ତ୍ରସ୍ତ ହୋଇ କହିଲେ– ନା ବାବୁଜୀ ନା, ମୁଁ ବର୍ତ୍ତମାନ ଯାଉଚି ଶୋଇବାକୁ । ରାତି ନିଶ୍ଚୟ ଜାଗିବି । ସେ ତତ୍‌କ୍ଷଣାତ୍ ଉଠିଗଲେ ଶୋଇବାକୁ । ବାବୁଜୀ ମୋତେ କହିଲେ, ବର୍ତ୍ତମାନ ପାଇଲ ତ ତୁମ ଗୟାର ମୌଜୁଦ୍‌ଦୀନଙ୍କୁ । ଏହାର ମାମଲା ଶୁଣିବ ରାତି ମଇଫିଲରେ । ବାବୁଜୀଙ୍କ ଅନୁମତି ନେଇ ମୁଁ ମଧ୍ୟ ବିଦାୟ ନେଲି ।

 

ବାଟରେ ଆସୁ ଆସୁ ଗୟାର ମୌଜୁଦ୍‌ଦୀନ ମନେପଡ଼ିଲେ । ଇୟେ ତ ସେଇ ମୌଜୁଦ୍‌ଦୀନ । ତେବେ ୟାଙ୍କ ଡିମ୍ୱାକୃତି ମୁହଁଟି ଆଗଠୁ ଆହୁରି ରସାଳ ଓ ଗୋଲାକାର ହୋଇଚି । ଆଖିର ସୁରମା ଅନ୍ତରାଳରେ ଦେଖାଦେଇଚି ରକ୍ତିମା । ସୁନ୍ଦର ଦିଶୁଥିଲେହେଁ ଭବିଷ୍ୟତ ପାଇଁ ତାହା ଶୁଭସୂଚକ ନୁହେଁ । ତେବେ କଅଣ ମଦିରା ଦେବୀ ପ୍ରଭାବ ବିସ୍ତାର କରିବାକୁ ଆରମ୍ଭ କରିଛନ୍ତି ? ମୌଜୁଦ୍‌ଦୀନଙ୍କ ବୟସ ସେତେବେଳେ ଅନ୍ଦାଜ ତିରିଶ କି ବତ୍ରିଶ । ପୁଣି ଭାବିଲି, ରାତିଜଗା ଟ୍ରେନଯାତ୍ରା ମଧ୍ୟ ଏହାର କାରଣ ହୋଇପାରେ । ବାବୁଜୀଙ୍କ ପାଖରୁ ଯାହା ଶୁଣିଥିଲି ଯେ ସେ ରକ୍ତିମା ତମାଶ୍‌ବିନ ପୁରୁଷର ଲକ୍ଷଣ–ତାହା ମଧ୍ୟ ହୋଇପାରେ । ତମାଶ୍‌ବିନ ବୋଇଲେ ବାତ୍ସ୍ୟାୟନ ମୁନିଙ୍କ ସଂଜ୍ଞାନୁସାରେ ନାଗରିକ । ଏମିତି କିଛି କଥା ନାହିଁ ଯେ ଏ ନାଗରିକ ଅଳ୍ପାୟୁ ହେବେ । ଚିନ୍ତାର ଖିଅଟି ହଜିଗଲା ।

 

ଦୁଲୀଚାନ୍ଦବାବୁଙ୍କ ଘରର ମଇଫିଲ ବୋଇଲେ ବିରାଟ ହଲ ଘର ଓ ଅଜସ୍ର ବନ୍ଧୁ-ସମାଗମ, ରବାହତ ବହୁ ଲୋକଙ୍କୁ ବାଦ୍ ଦେଲେ ବି । ଯେଉଁ କେତେଜଣ ପ୍ରଧାନ ପ୍ରଧାନ ଲୋକଙ୍କ କଥା ମନେପଡ଼େ ସେମାନେ ହେଉଛନ୍ତି– ବଦଲ ଖାଁ, ବାବୁଜୀ, ବଶୀର ଖାଁ, ଗିରିଜାବାବୁ ତନ୍‌ନୁଲାଲ ବାବୁ, ଦୁଇ ମାଲକା (ଆଗ୍ରାଓୟାଲୀ ଓ ଚୁଲବୁଲଲେଓୟାଲୀ) ଓ ଗହର ପ୍ରଭୃତି । ବିଶିଷ୍ଟ ବୋଲି ମନେପଡ଼େ ଦୁଲୀଚାନ୍ଦବାବୁଙ୍କ ସ୍ତ୍ରୀ ତାରାବାଈଙ୍କ କଥା । ଏ ଆଲ୍ଲାଦିୟା ଖାଁ ଓ ବଦଲ ଖାଁ ସାହେବଙ୍କଠାରୁ ଖେୟାଲ ଶିଖିଥିଲେ । କିନ୍ତୁ ବାହାରେ କଦାପି ଗାନ କରି ନାହାନ୍ତି ।

 

ମୌଜୁଦ୍‌ଦୀନଙ୍କ ସହିତ ସଙ୍ଗତ୍ କରିବାପାଇଁ ବସିଲେ ବାବୁଜୀ, ବଶୀର ବସିଲେ ହାରମୋନିୟମ ନେଇ । ଗିରିଜାବାବୁଙ୍କ ହାତରେ ତମ୍ବୁରା । ସାରଙ୍ଗୀ ବାନ୍ଧିଲେ ଇମ୍‌ଦାଦ ଖାଁ ସାରେଙ୍ଗୀୟା । ବାଙ୍ଗର ଗୋଲଗାଲ ଚେହେରାର ମଣିଷଟିଏ । ସେ ଗଣପତରାଓ ସାହେବଙ୍କ ଘରର ତାନ୍‌କର୍ତବରେ ଅଭ୍ୟସ୍ତ, ଏପରିକି ସୁପଟୁ ଥିଲେ, ଆଉ ଗହରଙ୍କ ସହିତ ସଙ୍ଗତ୍ କରନ୍ତି । ଚୁଲ୍‌ବୁଲ୍‌ଲେଓୟାଲୀ ମାଲ୍‌କାଜାନଙ୍କ ଭାଇ ଓ ଆବେଦ୍ ହୁସେନ ଖାଁ ଘରର ଶିଷ୍ୟ ଆଲି କାଦର୍ ଡୁଗୀ-ତବଲା ଧରିଲେ ।

ଯଥାରୀତି ଗାନ ଆରମ୍ଭ ହେଲା । ମୌଜୁଦ୍‌ଦୀନ ଆରମ୍ଭ କଲେ ‘ଏ ଅବତେ ରୁତ୍‌ମାନେ ଆୟେ’ ପୁରିୟା-ଧାନଶ୍ରୀର ଢିମା ଆସ୍ଥାୟୀ । ତା’ପରେ ଧରିଲେ ‘ସାଁବରୋ ତୁ ମେରି’ ଦିନ୍-କି-ପୁରିୟାର ମଧ୍ୟଲୟର ଆସ୍ଥାୟୀ ଏବଂ ଖେୟାଲ ଅଙ୍ଗଟି ଶେଷ କଲେ ‘ଡାଲ ଫୁଲ ଫୁଲ’ ପରକ-ବାହାରର ବିଚିତ୍ର ଗାନଦ୍ୱାରା ।

ଶେଷୋକ୍ତ ଗାନଟିରେ ପରଜ ଓ ବାହାର ଛଡ଼ା ଅନ୍ୟ ଅନେକ ରାଗର ଏତେ ବିଚିତ୍ର ସଂସ୍ପର୍ଶ ଓ ଅପ୍ରତ୍ୟାଶିତ ଛାୟା ସୃଷ୍ଟି ହେଉଥିଲା ଯେ ମୌଜୁଦ୍‌ଦୀନ, ବାବୁଜୀ, ବଶୀର ଓ ଇମ୍‌ହାଦ କେହି ପରିବେଷଣରୁ ବିରତ ହୋଇପାରିଲେ ନାହିଁ । ବାବୁଜୀ ପ୍ରଥମେ ନୂତନ ରାଗର ଛାୟା ଦେଖାଇବା ମାତ୍ରେ ମୌଜୁଦ୍‌ଦୀନ ତାଙ୍କର ଅସାମାନ୍ୟ ପ୍ରତିଭାଦ୍ୱାରା ରାଗର ଅଭିନବ ଲତାବିତାନ ରଚନା କରୁଥିଲେ ଏବଂ ଅଦ୍‌ଭୁତ ସାମଞ୍ଜସ୍ୟର ଶୃଙ୍ଖଳା ସୃଷ୍ଟି କରି ଫେରିଆସୁଥିଲେ ପରଜ ଉପକ୍ରମଣିକାକୁ । ହୃଦୟଙ୍ଗମ କଲି–‘ବାହାର’ କହିଲେ ‘ବାହାର’ ରାଗକୁ ବୁଝାଏ ନାହିଁ । ‘ବାହାର’ର ଅର୍ଥ ବିଚିତ୍ର ଶୋଭା । ଏଭଳି ଗାନ ମୁଁ ଶୁଣି ନ ଥିଲି । ଅଥଚ ଏହାକୁ ‘ରାଗମାଳା’ ବା ‘ସାଗର’ କୁହାଯିବ ନାହିଁ ।

ସୁର ଓ ରସ ଦୃଷ୍ଟିରୁ ଅନବଦ୍ୟ ହୋଇଥିଲା ପୁରିୟା-ଧାନଶ୍ରୀର ଗାନଟି । ଏଥିରେ ମଧ୍ୟ ଅନୁଭବ କଲି ମୌଜୁଦ୍‌ଦୀନଙ୍କ କଣ୍ଠମାଧୁର୍ଯ୍ୟ ଓ ରଚନା-ଚାତୁରୀ । ଆରମ୍ଭରେ ଥିଲା ରେଖବ ଷଡ଼ଜ-ନିଖାଦର ଗୋଟିଏ କନ୍‌ (ସୁରର କଣା) । ସପ୍ରେମ ଅଭିମାନର ଗୋଟିଏ ମାତ୍ର କଟାକ୍ଷ ଭଳି ତୀବ୍ର ଅଥଚ ମଧୁର । ଏହା ପରେ ଥିଲା ସେଇ ଉଦାରାର ନିଖାଦରୁ ମୁଦାରାର କୋମଳ ଧୈବତ ପର୍ଯ୍ୟନ୍ତ କୋଟିଏ ମୀଡ଼ । ଅଭିମାନ ଅନ୍ତର୍ହିତ ହୋଇ ହୃଦୟର ସଞ୍ଚିତ ମାଧୁର୍ଯ୍ୟ ଗୋଟିଏ ମାତ୍ର ଅଶ୍ରୁରେଖାମଧ୍ୟରେ ଉଛୁଳିପଡ଼ିଲା ! ମୌଜୁଦ୍‌ଦୀନ ଏଭଳି ଅନୁଭବର ଆସ୍ୱାଦ ଦେଲେ ଯାହା କାନ ଓ ମରମରେ ଏ ପର୍ଯ୍ୟନ୍ତ ବାଜୁଚି । ସମସ୍ତ ଗାନଟି ରସାପ୍ଳୁତ ମନେହେଲା । ମୁହୂର୍ତ୍ତକ ପାଇଁ ସୁଦ୍ଧା ମନ ଅନ୍ୟ କୌଣସି ଆଡ଼େ ଯାଇ ପାରି ନାହିଁ । ଗୟାରେ ଯେମିତି ଏଠି ବି ସେମିତି । ମୌଜୁଦ୍‌ଦୀନ ଚିରଦିନ ମୌଜୁଦ୍‌ଦୀନ । ସେମିତି ଅପହଞ୍ଚ ।

ଦ୍ୱିତୀୟ ଗାନରୁ ଆରମ୍ଭ ହେଲା ତାନକତବର ଉଦ୍ଦାମ ଲୀଳା । ଖୁବ୍‌ ମନ ଦେଇ ଶୁଣି ବି କୌଣସି ତାନ୍‌ର ପୁନରୁକ୍ତି ପାଇଲି ନାହିଁ । ମଧୁର ଅବିକୃତ କଣ୍ଠସ୍ୱର, ଅନନ୍ୟସାଧାରଣ କଳ୍ପନା ବୈଚିତ୍ର୍ୟ ଏବଂ ପ୍ରତିଭାର ବ୍ୟକ୍ତିଗତ ସ୍ୱରୂପର ଯେଉଁ ପରିଚୟ ମୌଜୁଦ୍‌ଦୀନ ବାରମ୍ବାର ଦେଲେ ତାକୁ ଅନ୍ୟ ସହିତ ତୁଳନା କରିବାର ପ୍ରବୃତ୍ତି ହୁଏନା । ମୌଜୁଦ୍‌ଦୀନ ସେଇ ପ୍ରତିଭାକୁ ସାଙ୍ଗରେ ନେଇ ପୃଥିବୀ ଛାଡ଼ି ଚାଲିଗଲେ । ଉତ୍ତରାଧିକାରୀ କାହାକୁ ରଖିଗଲେ ନାହିଁ । ଯାହା ରଖିଗଲେ ତାକୁ ଯତ୍‍ସାମାନ୍ୟ ଅନୁକରଣ ଚେଷ୍ଟା ବୋଲିବାକୁ ବାଧ୍ୟ ହେଉଚି । ସେତେବେଳେ ମୌଜୁଦ୍‌ଦୀନଙ୍କୁ ନକଲ କରିବାକୁ ଯେଉଁମାନେ ଚେଷ୍ଟା କରୁଥିଲେ, ଶ୍ୟାମଲାଲଜୀ ଓ ତନ୍‌ନୁଲାଲଜୀ ସେମାନଙ୍କୁ କରୁଥିଲେ ‘ନକ୍‌କାଲ’, ବୋଇଲେ ‘କ୍ୟାରିକେଚାରିଷ୍ଟ’ ।

ସେ ରାତି ପାଇଁ ମଇଫିଲ ଶେଷ ହେଲା । ମୌଜୁଦ୍‌ଦୀନ କ୍ଳାନ୍ତି ଅନୁଭବ କରୁଥିଲେ ବୋଲି ତାଙ୍କୁ ଠୁମରୀ ପାଇଁ ଆଉ ଅନୁରୋଧ କରାଗଲା ନାହିଁ । ସମସ୍ତେ କହିଲେ– ଠୁମ୍‌ରୀର ମଇଫିଲ ତ ହବ ନିଶ୍ଚୟ । ବାବୁଜୀ, ଦୁଲୀଚାନ୍ଦ ଓ ମୌଜୁଦ୍‌ଦୀନ ଯେତେବେଳେ ଅଛନ୍ତି, ଠୁମରୀକୁ କିଏ ଛାଡ଼ିଦେବ ! ଆଜି ନ ହେଲା ନାହିଁ ।

ଶ୍ୟାମଲାଲଜୀଙ୍କୁ ଦୁଲୀଚାନ୍ଦ କହିଲେ, ଆଜି ରାତିରେ ମୌଜୁଦ୍‌ଦୀନ ଏଇଠି ଥାଆନ୍ତୁ, ବଦଲଖାଙ୍କ ବଖରାର ପାଖ ବଖରାରେ । ବଶୀର ବି ଥାଆନ୍ତୁ, ନହେଲେ ତାଙ୍କୁ ସମ୍ଭାଳିବ କିଏ ? ଆମେ ଘରେ ପହଞ୍ଚିବା ବେଳକୁ ରାତି ଦେଢ଼ଟା ବାଜିଯାଇଥାଏ ।

 

ପରଦିନ ଖରାବେଳେ ବାବୁଜୀଙ୍କ ଘରକୁ ଗଲି । ସେ ଖବରକାଗଜ ପଢ଼ୁଥିଲେ । ମୋତେ ଦେଖି କହିଲେ, ବଶୀର ଓ ମୌଜୁଦ୍‌ଦୀନ ଏପର୍ଯ୍ୟନ୍ତ ଫେରିନାହାନ୍ତି । ଛାଡ଼ ସେ କଥା । କାଲି ଗାନ କେମିତି ଲାଗିଲା ?

 

ମୁଁ ନିର୍ଭୟରେ ମନ୍ତବ୍ୟ ଦେଇଗଲି ଯାହାର ସାର କଥା ହେଉଚି, ଅଦ୍‌ଭୁତ, ଅତୁଳନୀୟ, ଅବର୍ଣ୍ଣନୀୟ ! ପଚାରିଲି ‘ଡାଲ ଫୁଲ ଫୁଲ’ ଗାନଟି ଭାରି ଚମତ୍କାର । ମୌଜୁଦ୍‌ଦୀନ ତାକୁ କେଉଁଠୁ ଶିଖିଲେ ?

 

ବାବୁଜୀ କହିଲେ, ସେଟା ଆଲିୟାଫତ୍ତୁ ଘରର । ଗହର ତାକୁ ବହୁ କଷ୍ଟ ସ୍ୱୀକାର କରି ଶିଖିଥିଲା ଏବଂ ତାକୁ ନେଇ ବେଶ୍‌ ନାଁ କଲା । ପରେ ଗହର ମୁହଁରୁ ମୌଜୁଦ୍‌ଦୀନ ଶୁଣି ତାକୁ ଆତ୍ମସାତ୍ କଲା ।

 

ମୌଜୁଦ୍‌ଦୀନର କାରିଗରି ଦାଉରେ ଗହର ସେ ଗାନ ଗାଇବା ଛାଡ଼ିଦେଲା । ମୌଜୁଦ୍‌ଦୀନର ଦାଉ ଅନାକଙ୍କୁ ଅନେକ ଗାନ ଗାଇବା ଛଡ଼େଇଚି । ସେଟା ତାର ଦୋଷ କି ଗୁଣ ବିଚାର କରିବା କଷ୍ଟ । ତେବେ ମୌଜୁଦ୍‌ଦୀନ ତ ମୌଜୁଦ୍‌ଦୀନ । ସେ ବିଚାର ବାହାରେ । ଯାହାହେଉ, ତୁମେ ସେ ସବୁ ଗାନ ବଦଲ ଖାଁଙ୍କ ମୁଣିରେ ପାଇବ, ଭୟ ନାହିଁ ।

 

କହିଲି, ବାବୁଜି ! ବଦଲଖାଁଙ୍କ ମୁଣିରୁ ଧର ମୋ ମୁଣିକୁ ଆସିଲା । କିନ୍ତୁ ସେଥିରେ ଲାଭ କଅଣ ? ଗାନ ଗାଇବା ତ ଦୂରର କଥା, ମୌଜୁଦ୍‌ଦୀନଙ୍କ ଗାନ ଶୁଣିବା ପରେ ଆଉ ଗାନ ଶିଖିବାକୁ ତ ଇଚ୍ଛା ନାହିଁ !

 

ବାବୁଜୀ ହସି କହିଲେ, ଠିକ୍ କଥା । ତେବେ କଥାଟା ହେଉଚି, ଗୀତବାଦ୍ୟ ସମଝ୍‌ଦାରିର ରସ ପାଇବାକୁ ହେଲେ ସେ କାମର ସୁଖ-ଦୁଃଖ ସ୍ୱୀକାର କରି ଭଲକରି ଶିଖିବା ଦରକାର । ସମସ୍ତେ କଅଣ ମୌଜୁଦ୍‌ଦୀନ ହୁଅନ୍ତି, ନା ହୋଇପାରିବେ ?

 

ଆମ କଥାବାର୍ତ୍ତା ବେଳେ ବଶୀର ଆସି ହାଜର୍ । ସେ କହିଲେ, ମୌଜୁଦ୍‌ଦୀନ ଏବେ ବି ଶୋଇଛନ୍ତି । ସନ୍ଧ୍ୟାବେଳେ ତାଙ୍କୁ ନେଇଆସିବି । ବାବୁଜୀ, କାଲି ରାତିରେ ଭାରି ହଇରାଣ କରିଛନ୍ତି ସେ ।

 

ଶ୍ୟାମଲାଲଜୀ ଗୋଟିଏ ଦୀର୍ଘନିଶ୍ୱାସ ଛାଡ଼ିଲେ । ତାଙ୍କ ବେଦନାର ପ୍ରତିଧ୍ୱନି କରି ବଶୀର କହିଲେ, ଓସ୍ତାଦ୍‌ ! ଆପଣଙ୍କ ଭଳି ପୁଣ୍ୟାତ୍ମା ଶରୀଫଙ୍କ ସ୍ପର୍ଶ ପାଇ ବି ଯିଏ ନିଜକୁ ସମ୍ଭାଳି ପାରେନା ତା ନସିବ ଭାରି ଖରାପ ବୋଲିବାକୁ ହେବ । ଆପଣଙ୍କଶ୍ରୀଚରଣରେ ହାତ ରଖି ସେ କେତେଥର କସମ୍ ନ ଖାଇଚି, ନ କାନ୍ଦିଚି ? କିନ୍ତୁ ଦାଓତ୍ ରକ୍ଷା କରିବାକୁ ଯାଇ ପୁଣି ହାରାମୀ କରିଛି । ଓସ୍ତାଦ ! ଆପଣଙ୍କୁ ଖୋଦାଙ୍କ ରାଣ ! ତାକୁ ଆଉ ଆପଣ ନିଜ ପାଖରୁ ଛାଡ଼ନ୍ତୁ ନାହିଁ । ନହେଲେ ସେ ମରିଯିବ !

 

କହୁ କହୁ ବଶୀର ଅଧୀର ଭାବରେ କାନ୍ଦି ପକେଇଲେ । ଏହାର ଚାରିବର୍ଷ ପରେ ବଶୀର ଇନ୍ଦୋରରୁ ବାରାଣସୀ ଦୌଡ଼ି ଯାଇଥିଲେ ମୃତ୍ୟୁ ଶଯ୍ୟାରେ ମୌଜୁଦ୍‌ଦୀନଙ୍କ ସେବା କରିବାକୁ । ବାବୁଜୀ ବା ଅନ୍ୟ କେହି ତାଙ୍କୁ ସଂଯତ କରିପାରିଲେ ନାହିଁ । କ୍ଷଣପ୍ରଭା ଦ୍ୟୁତିଭଳି ମୌଜୁଦ୍‌ଦୀନ ଆର୍ବିଭୂତ ହୋଇଥିଲେ । ବିଦାୟବେଳେ ଅଶନି ପତନର ବେଦନା ଭରି ଦେଇଗଲେ ବିରହ ସ୍ମୃତିରେ !

 

କଥାପ୍ରସଙ୍ଗରେ ବାବୁଜୀ ଓ ଚନ୍ଦନ ଚୋବେଜୀଙ୍କ ମୁହଁରୁ ମୌଜୁଦ୍‌ଦୀନଙ୍କ ପୂର୍ବବୃତ୍ତାନ୍ତ ଯାହା ଶୁଣିଥିଲି ତାହା ସଂକ୍ଷେପରେ କହିବି । ଏ ପ୍ରକାର ବକ୍ତବ୍ୟ ଭିତରେ ସାଲ ତାରିଖର ହିସାବ ମିଳେ ନାହିଁ । ତେବେ ମୋର ଅନୁମାନ, ଇଂରାଜୀ ୧୮୯୫ରୁ ୧୯୦୦ ମଧ୍ୟରେ ଘଟନାଟି ସମ୍ଭବତଃ ଘଟିଥିଲା ।

 

ବାବୁଜୀ ଓ ତାଙ୍କ ଗୁରୁଦେବ ଗଣପତରାଓ ରାଇୟାସାହେବ ସେଥର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବ୍ରତ ଉଦ୍‌ଯାପନ କରି ଭାଇୟାସାହେବଙ୍କ କାଶୀର ‘ଗଙ୍ଗାମହଲ’ ନିବାସରେ ଅବସ୍ଥାନ କଲେ । ସାଙ୍ଗରେ ଥିଲେ ମଥୁରା ନିବାସୀ ଚନ୍ଦନ ଚୋବେଜୀ, ମାଧୋଜୀ ଓ ଅନ୍ୟାନ୍ୟମାନେ । ବାବୁଜୀଙ୍କ ଗୁରୁଭାଇ କାମାକ୍ଷାପ୍ରସାଦ ମୈମୁରଗଞ୍ଜସ୍ଥ ତାଙ୍କ ବାଗାନ ବାଡ଼ିରେ ମଇଫିଲ୍‌ର ଆୟୋଜନ କଲେ । ଭାଇୟାସାହେବ, ବାବୁଜୀ, ଚନ୍ଦନ ଚୋବେଜୀ, କାଶୀର ସଙ୍ଗୀତ-ବିଶାରଦ ପାଠକଜୀ ପ୍ରଭୃତି ଏବଂ ସେ ସ୍ଥାନର ରାଜେଶ୍ୱରୀ ଓ ହୁସ୍‌ନାବାଈ ପ୍ରଭୃତି ଶ୍ରେଷ୍ଠ ଗୁଣୀ ଓ ରସିକମାନେ ସମବେତ ହେଲେ । ଚୋବେଜୀଙ୍କ ଧ୍ରୁପଦ-ଧାମାର ଏବଂ ପାଠକଜୀଙ୍କ ସଙ୍ଗତ୍ ହେବା ପରେ ରାଜେଶ୍ୱରୀ ଓ ହୁସ୍‌ନା ଖେୟାଲ ଗାନ ଶେଷ କରି ଠୁମ୍‌ରୀ ଧରିଲେ । ଆସର ଜଗ୍‌ମଗ୍ । ବାବୁଜୀ ଓ ବଶୀର ଧରିଥାନ୍ତି ହାରମୋନିୟମ ।

 

ଏତିକିବେଳେ କାମାକ୍ଷାପ୍ରସାଦଙ୍କର ଜଣେ ବନ୍ଧୁ ଗୋଟିଏ ଟୋକାକୁ ଭାଇୟାସାହେବଙ୍କ ସାମନାକୁ ଆଣି କହିଲେ, ଓସ୍ତାଦ, ଏହାର ନାଁ ମୌଜୁଦ୍‌ଦୀନ । ଭାରି ମିଠା ଗଳା । ଗାଇବାକୁ ଭାରି ଇଚ୍ଛା ଏହାର । ଦୟାକରି ଟିକିଏ ଏହାର ଗାନ ଶୁଣନ୍ତୁ ।

 

ଭାଇୟାସାହେବ ଅତ୍ୟନ୍ତ ଉଦାର ପ୍ରକୃତିର ଲୋକ । ସେ କହିଲେ, କିଛି ଆପତ୍ତି ନାହିଁ, ମୌଜୁଦ୍‌ଦୀନ ଗାନ କରୁ । ଜଣେ ସାରେଙ୍ଗୀୟା ସାରଙ୍ଗୀରେ ପୁଣି ନୂଆ ସୁର ବାନ୍ଧିଲା । ବଶୀର ଓ ବାବୁଜୀ ବଜାଇବେ । ମୌଜୁଦ୍‌ଦୀନଙ୍କର ଏଥରେ ଆପତ୍ତି ନାହିଁ ।

 

ଶ୍ୟାମଲାଲଜୀଙ୍କ ଭାଷାରେ–ମୌଜୁଦ୍‌ଦୀନ ଗାନ ଧରିବା ମାତ୍ରେ ବୁଝିପାରିଲି ସେ କେତେଦୂର ବେପରୋୟା ଓ ସପ୍ରତିଭ । ରାଜେଶ୍ୱରୀ କି ହୁସ୍‌ନା ମନେନାହିଁ, ଲଲିତ୍‌ର ଗୋଟିଏ ଅସ୍ଥାୟୀ ‘ହମ୍‌ସେ ଅବଧ୍‌ବଦ’ ଗାଇଥିଲେ । ମୌଜୁଦ୍‌ଦୀନ ସେଇ ଗାନଟି ପୁଣି ନୂଆ କରି ଆରମ୍ଭ କଲା । ଓସ୍ତାଦ କିଛି କହିଲେ ନାହିଁ, ତେଣୁ ଆମେ ବି ଏ ଅଶିଷ୍ଟତା ବିରୁଦ୍ଧରେ ଆପତ୍ତି ଉଠାଇବାର ସାହସ କଲୁ ନାହିଁ । ଖାଲି ଏତିକିରେ କଥା ସରିଗଲା ନାହିଁ । ସେଇ ମିଠା ଗଳାରେ ସୁର ବିସ୍ତାର କରୁ କରୁ ଏମିତି ଗୋଟିଏ ନିରାଲା ଓ ଚମତ୍କାର ତାନ ଦେଇ ପୁଣି ସ୍ଥାୟୀକୁ ଫେରିଆସିଲା ଯେ ଡୁଗୀ-ତବଲାରେ ଆମ ହାତ ବନ୍ଦ ହୋଇଗଲା । ସାବାସ୍ ବେଟା ସାବାସ୍—ଓସ୍ତାଦ ଚିତ୍କାର କରି କହିଲେ । ଏବଂ ମୌଜୁଦ୍‌ଦୀନଙ୍କୁ କହିଲେ, ପୁଣି ସେଇ ତାନ୍‌ଟି କର ତ ।

 

ମୌଜୁଦ୍‌ଦୀନ ନୂଆ ପ୍ରକାର ବିସ୍ତାର କରୁ କରୁ ପୁଣି ଯେତେବେଳେ ସେଇ ତାନ୍‌ଟି ଦେଖାଇ ସ୍ଥାୟୀକୁ ଫେରିଆସିଲା ଓସ୍ତାଦ ତାକୁ ଛାତିରେ ଜାକି ଧରିଲେ । ତାରିଫ୍‌ର ଝଡ଼ ବୋହିଗଲା । ଚନ୍ଦନ, ରାଜେଶ୍ୱରୀ ଓ ହୁସ୍‌ନା ହାଁ କରି ଗାଲରେ ହାତ ଦେଇ ବସି ଖାଲି ଅନେଇ ରହିଲେ ସେ ଟୋକାକୁ ।

 

ପୁଣି ଗାନ ଆରମ୍ଭ ହେଲା । ଏଥର ମୌଜୁଦ୍‌ଦୀନ ମୋ ଆଡ଼କୁ ଚାହିଁ ଏମିତି କେତୋଟି ବିଚିତ୍ର ଫିରତ୍ ଆରମ୍ଭ କଲା ଯେ ମୋ ମୁଣ୍ଡ ବୁଲିଗଲା ଏବଂ ମଇଫିଲ୍‌ର ସମସ୍ତେ ଜାଣିଲେ ମୁଁ ଅପଦସ୍ତ ହୋଇଚି । ପରେ ପୁଣି ବଶୀର ଆଡ଼କୁ ନଜର ଦେଇ ଏମିତି ତାନ୍‌-କର୍ତ୍ତବ ଯୋଡ଼ିଦେଲା ଯେ ବଶୀର ନୟାନ୍ତ ହୋଇଗଲା । ତେବେ ବି ବଶୀର ହାରମୋନିୟମ ଛାଡ଼ିଲା ନାହିଁ । ଧନ୍ୟ କହିବା ତା ଜିଦ୍‌କୁ ! ମୁଁ ବଜେଇବା ଛାଡ଼ିଦେଲି । ସାରେଙ୍ଗୀୟା ବି ବେଦମ୍ । କିନ୍ତୁ ଗାନ ମଝିରେ କଦାପି ସେମାନେ ସାରଙ୍ଗୀ ଛାଡ଼ି ଦିଅନ୍ତି ନାହିଁ । ବ୍ୟାପାର ଦେଖି ଓସ୍ତାଦ ମୋ ହାତରୁ ହାରମୋନିୟମ ଟାଣିନେଲେ । ଏଥର କଅଣ ହେବ କିଏ ଜାଣେ ! ମନେହେଲା ମଇଫିଲ୍ ଶ୍ୱାସରୁଦ୍ଧ ହୋଇ ପ୍ରତୀକ୍ଷା କରୁଚି ।

 

ଓସ୍ତାଦ୍ କିନ୍ତୁ ଓସ୍ତାଦ୍ । ତାଙ୍କ ଉପରେ ଥିଲା ସ୍ୱୟଂ ବିଶ୍ୱନାଥଜୀଙ୍କ ଆଶୀର୍ବାଦ । ଅନ୍ତର୍ଯ୍ୟାମୀ ହୋଇ ସେ ମୌଜୁଦ୍‌ଦୀନ ସହିତ ବଜେଇବାକୁ ଲାଗିଲେ । ମୌଜୁଦ୍‌ଦୀନ ଯେତେ ଚେଷ୍ଟା କଲେ ବି ତାଙ୍କୁ ଟପିପାରିଲା ନାହିଁ । ମଣିଷ କଣ୍ଠରେ ଯେତେ ରକମର ଫନ୍ଦା ଓ ପେଞ୍ଚ ହୋଇପାରେ ମୌଜୁଦ୍‌ଦୀନ ଗୋଟିକ ପରେ ଗୋଟିଏ ଓଜାଡ଼ି ଦେଲା । ଏତିକିବେଳେ ଓସ୍ତାଦ୍ ଏମିତି ଗୋଟିଏ ତାନ ବଜେଇଲେ ଯାହା ତାଙ୍କ ଛଡ଼ା ଅନ୍ୟ କାହାରି ପକ୍ଷରେ ଅସମ୍ଭବ ଏବଂ ଯାହାର ମର୍ମ ମୋତେ ଜଣାଥିଲା । ମୌଜୁଦ୍‌ଦୀନ ଟିକିଏ ଦମ୍ ମାରି ରହିଲା । ଓସ୍ତାଦ୍ ତାନ୍‌ଟି ଶେଷ କରି ମୌଜୁଦ୍‌ଦୀନକୁ କହିଲେ, ବେଟା ! ତୁମ୍‌ହାରା ଗଲେକା କାମ୍‌ ତୋ ହାମ୍ କର୍‌କେ ଦେଖ୍‌ଲାୟା, ଅବ୍ ହାମାରା ବାଜାକା କାମ୍‌ଭି ତୋ କୁଛ୍ ଗଲେମେଁ ଦେଖଲାଓ ।

 

ମୌଜୁଦ୍‌ଦୀନ ହାତ ଯୋଡ଼ି କହିଲା, ଓସ୍ତାଦ୍ ! ଆଉଥରେ ଦେଖାନ୍ତୁ । ଏକଥା ତାକୁ ଫାବେ । କାରଣ ଓସ୍ତାଦ୍ ତାଙ୍କୁ ସେ ପରୀକ୍ଷାରେ ପକାଇଥିଲେ । ଓସ୍ତାଦ୍ ପୁଣି ସେଇ ତାନ୍‌ଟି ଅବିକଳ ବଜେଇ ଦେଖେଇଦେଲେ । ଶେଷ ନ ହେଉଣୁ ମୌଜୁଦ୍‌ଦୀନ ଧରି ନେଲା । ନିର୍ଭୁଲ ଭାବରେ ଯେତେବେଳେ ସେଇ ତାନ୍‌ଟି ଶେଷ କରିଆଣିଲା ସେତେବେଳେ ‘ବାହାବା ବାହାବା’ ପାଟିରେ ଛାତ ଭାଙ୍ଗି ପଡ଼େ ନ ପଡ଼େ ! ମୌଜୁଦ୍‌ଦୀନକୁ କୁଣ୍ଢାଇ ପକାଇ ଓସ୍ତାଦ୍‌ ତା ମୁଣ୍ଡରେ ହାତ ବୁଲାଇବାକୁ ଲାଗିଲେ ଓ ଗୁଣୁଗୁଣୁ କରି ଭଗବାନଙ୍କ ପାଖରେ କଅଣ ପ୍ରାର୍ଥନା କଲେ । କୋଳାହଳ ଥମିଯିବା ପରେ ଓସ୍ତାଦ୍ ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ, ଭାଇମାନେ ଶୁଣିରଖ, ଏ ତାନ୍ ଗଳାରେ ଦେଖାଇ ପାରୁଥିଲେ ଏକମାତ୍ର ଅହମଦ୍‌ଖାଁ ଖେୟାଲୀ । ଅନ୍ୟ କେହି ପାରିନି ହିଁ । ଆଜି ଏଇ ମୌଜୁଦ୍‌ଦୀନ ସେ ତାନ୍‌ଟିରେ କମାଲ୍ କଲା । ଏହା ପରେ ଆଜି କିଛି ହବ ନାହିଁ । ଆଜି ପାଇଁ ଏଇଠି ଥାଉ ।

 

ଓସ୍ତାଦ୍ ମୌଜୁଦ୍‌ଦୀନକୁ ସିଧା ପଚାରିଲେ, ବେଟା ! ତୁମେ ଆମ ସାଙ୍ଗରେ ଯିବ, ଏଇ ଶ୍ୟାମଲାଲ ସାଙ୍ଗରେ ?

 

ସେ ତତ୍‌କ୍ଷଣାତ୍ କହିଲା, ଏହା ଆପଣଙ୍କ ଅନୁଗ୍ରହ । ମୁଁ ପ୍ରସ୍ତୁତ ।

 

ସେ ଆମ ସାଙ୍ଗରେ ଆମ ଘରକୁ ଆସିଲା । ପରେ ଜାଣିଲି ତା’ର ବାପାମା ଆତ୍ମୀୟସ୍ୱଜନ କେହି ନାହାନ୍ତି । ତାଲ୍‌କାମଣ୍ଡୀର ତୟଫାଓୟାଲୀମାନେ ଗାନ ଗାଇବାକୁ କହନ୍ତି । ସକାଳେ ଜିଲବୀ ଓ ଦୁଇବେଳା ଲୁଚି ହାଲୁଆ ଖାଇବାକୁ ଦିଅନ୍ତି । ସେ ରାତିରେ ଆମ ଘରେ ପେଟେ ମିଠେଇ ଖାଇଲା । ମୁଁ ଓ ଚନ୍ଦନ ଛିଡ଼ା ହୋଇ ତା ଖାଇବା ତଦାରକ କଲୁ । ଦୁଇଦିନ ଆଗେ ଶିବରାତ୍ରି ଯାଇଥାଏ । ଚନ୍ଦନ କହିଲା, ବାବୁଜୀ, ବାବା ବିଶ୍ୱନାଥ ବୋଧହୁଏ ଆମ ବ୍ରତର ଫଳ ଦେଲେ । ଏକୁ ନେଇ ଆମେ ଦିଗ୍‌ବିଜୟରେ ବାହାରିବୁଁ । କଅଣ କହୁଛନ୍ତି ?

 

ମୁଁ କହିଲି, ଭାଇ ଚନ୍ଦନ ! ଯେ ଆମ ଦିଲ୍‌କୁ ଜୟ କରିଛି, ଓସ୍ତାଦଙ୍କ ହୃଦୟ କାଢ଼ି ନେଇଚି, ତା ପକ୍ଷରେ ଆଉ ଦିଗ୍‌ବିଜୟ କରିବାର ବାକି କଅଣ ରହିଲା ?

 

ପରଦିନ ସକାଳେ ମୌଜୁଦ୍‌ଦୀନକୁ ଡାକି ଏକଥା ସେକଥା ମଝିରେ ପଚାରିଲି, କାଲି ଯେ ତୁମେ ଲଲତ୍ ଭିତରେ ଲଲତ୍‌ର ତାନ୍ ଧରିଲ, କାହା ପାଖରୁ ଶିଖିଲ ତାକୁ ?

 

ମୌଜୁଦ୍‌ଦୀନ ଉତ୍ତର ନଦେଇ ଅନେଇ ରହିଲେ । ମୁଁ ତାକୁ ଆହୁରି ପରିଷ୍କାର କରି ବୁଝାଇ କହିଲି, ଓସ୍ତାଦ୍ ସବା ଶେଷରେ ଗୋଟିଏ ତାନ୍ ବଜେଇଥିଲେ । ଲଲତ୍ ରାଗ ଭିତରେ ମଧ୍ୟମକୁ ନୂଆ ସୁର ଦେଇ ସେଠାରୁ ଲଲତ୍‌ର କେଜର ଘୁରିଆସିଲେ ତାଲ୍ ମୁହଁକୁ । ତୁମେ ବି ସେଇ ତାନ୍ କରି ଦେଖାଇଲ ଗଳାରେ । ବର୍ତ୍ତମାନ ଓସ୍ତାଦ୍ ପଚାରୁଛନ୍ତି ଯେ ତୁମେ ସେ ତାନ୍‌ଟି କାହା ପାଖରୁ ଶିଖିଛ ?

 

ସେ କହିଲା, ଖୋଦା ଜାଣନ୍ତି । ମୁଁ କାହାରି ପାଖରୁ ଶିଖିନାହିଁ ।

 

ଆମେ ସମସ୍ତେ ଅବାକ୍ । ପଚାରିଲି, ଲଲତ୍‌ର ଆନଟି ପାଇଲ କାହା ପାଖରୁ ?

 

ସେ ସରଳ ଉତ୍ତର ଦେଲା, ସତ କହୁଚି, କାହାରି ପାଖରୁ ପାଇନି । ହୁସ୍‌ନା ସେଇ ଗାନଟି ଗାଇଲେ । ମୋତେ ଭାରି ଭଲ ଲାଗିଲା । ତାଙ୍କ କଥା ଓ ସୁର ନକଲ କରି ଗାଇଲି ।

 

ଆରେ ! ଏ ଟୋକା କଅଣ କହୁଚି ! ହୁଏତ ସେ ଭୂତ, ନ ହେଲେ ମିଥ୍ୟାବାଦୀ । ଦେଖିଲ, ଓସ୍ତାଦ୍ ଗମ୍ଭୀର ଭାବରେ ବସି ହୁକାନଳଟି ମୁହଁରେ ଦେଲେ । ତାଙ୍କ ମିଜାଜ୍ ଏବଂବିଧ ଦେଖି ଆମେ ମୌଜୁଦ୍‌ଦୀନକୁ ପାଖ ବଖରାକୁ ନେଇଗଲୁଁ ।

 

ଫେରି ଆସି ଦେଖିଲୁଁ ଓସ୍ତାଦ ହୁକାନଳଟି ଧରି ଅନ୍ୟମନସ୍କ ଭାବରେ ଅନାଇ ରହିଛନ୍ତି-। ମୁଁ କତିକୁ ଗଲାରୁ ସେ କାଳେ କେହି ଶୁଣି ପକେଇବେ ବୋଲି ତ୍ରସ୍ତ ଭାବରେ ଏଣେ ତେଣେ ଚାହିଁ ମୋତେ କହିଲେ– ଶ୍ୟାମଲାଲ, ଇୟେ ଆଉ କେହି ନୁହେଁ, ଅହମଦ ଖାଁ ଫେରିଆସିଚି ପ୍ରତିଶୋଧ ନେବାକୁ ।

 

ମୁଁ ସଶ୍ରଦ୍ଧ ଭାବେ ପଚାରିଲି, ଓସ୍ତାଦ୍, ପ୍ରତିଶୋଧ କଥାଟା ତ ମୁଁ ବୁଝିପାରୁନି ।

 

ଓସ୍ତାଦ୍ ଯାହା କହିଲେ ତାର ସାର କଥାଟି ଅବିଶ୍ୱାସ ବୋଲି ଉଡ଼େଇଦେଇ ହବନି । ଗୋୟାଲିୟର୍‌ରେ ଥିବାବେଳେ ଓସ୍ତାଦ୍ ଅନେକ ଥର ଅହମଦ୍ ସାହେବଙ୍କ ଗାନ ଶୁଣିଥିଲେ । ଏହାର କୋଡ଼ିଏ ବର୍ଷ ପରେ ଅହମଦ୍ ଖାଁଙ୍କ କାଳ ହୋଇଗଲା । ତାଙ୍କ ଭଳି ପାଲ୍ଲାଦାର୍ ଆଓୟାଜ ଆଉ କୌଣସି ଗୁଣୀର ନଥିଲା । ଏତେ ବଡ଼ ବେ-ବୟାନ୍ (ଅବର୍ଣ୍ଣନୀୟ) ତାନାଇୟାତ୍ (ତାନକୁଶଳୀ) ଗାୟାବ ମଧ୍ୟ କେହି ନଥିଲେ । କଣ୍ଠ ଥିଲା କିନ୍ତୁ ଅତ୍ୟନ୍ତ କର୍କଶ । ଏକମାତ୍ର ସେଇହିଁ ଖେୟାଲ ଗାନ ଭିତରେ ଯେକୌଣସି ସ୍ଥାନରେ ଖରଜ ବଦଳାଇ ସେଇ ଖରଜରୁ ବେ-ଭାର୍ (ବେରାସ୍ତାର) ତାନ୍ ଓ ଚିତ୍ର କରୁ କରୁ ଅସଲ ଖରଜ ଓ ମୂଳ ରାଗରେ ପହଞ୍ଚି ପାରୁଥିଲେ । ଓସ୍ତାଦ୍ ତାଙ୍କରି ପାଖରୁ ଏ କାରିଗରି ଓ କୌଶଳ ହାସଲ କରିଥିଲେ । କିନ୍ତୁ କଣ୍ଠରେ ଦେଖାଇ ନ ପାରି ହାରମୋନିୟମରେ ଦେଖାନ୍ତି । କୌଣସି ଆସରରେ ଅହମଦ୍ ଖାଁ ଉପସ୍ଥିତ ଥିବାବେଳେ ଜଣେ ବାଈଜୀ ତାଙ୍କୁ ଅପମାନ ଦେବା ଉଦ୍ଦେଶ୍ୟରେ କହିଥିଲେ, ଯେଉଁଠି କର୍କଶ-କଣ୍ଠ ଗିଦ୍‍ଧଡ଼୍ (ଖିଆଲ) ଗାନ କରେ ସେ ଆସରରେ ସେ ଗାନ କରନ୍ତି ନାହିଁ । ଅହମଦ୍‌ ଖାଁଙ୍କ ପ୍ରତିପକ୍ଷ ବି ସେଇ କଥା କହି ତାଙ୍କୁ ବ୍ୟଙ୍ଗବିଦ୍ରୂପ କରିବାକୁ ଆରମ୍ଭ କଲେ । ତେଣୁ ରାଗ ଓ ଦୁଃଖରେ ଅହମଦ୍ ଖାଁ ଆଉ କେବେ ବାହାରେ ଗାଇଲେ ନାହିଁ । ଗଣପତ ରାଓଙ୍କ ବକ୍ତବ୍ୟ ହେଲା, ମୃତ୍ୟୁବେଳେ ଅହମଦ୍ ଖାଁଙ୍କ ମନରେ ଏଇ ଅପମାନର ପ୍ରତିଶୋଧ ନେବା କଥା ନିଶ୍ଚୟ ଜାଗିଥିଲା । ସେଇ ଅହମଦ୍ ଖାଁ ଜନ୍ମିଛନ୍ତି ମୌଜୁଦ୍‌ଦୀନ ରୂପରେ, ପୂର୍ବସିଦ୍ଧ କଣ୍ଠନୈପୁଣ୍ୟ ଓ କୁଦ୍‌ରତୀ ସୁର୍ ନେଇ । ସେଇଥିପାଇଁ ସିନା ମୌଜୁଦ୍‌ଦୀନ କିନ୍ନରକଣ୍ଠୀମାନଙ୍କ ରଙ୍ଗ ନଷ୍ଟ କରି ସେମାନଙ୍କୁ ଅପମାନ କରୁଛି-

 

ଶ୍ୟାମଲାଲଜୀ ଶେଷରେ କହିଲେ, ତୁମେ ବଦଲ୍ ଖାଁଙ୍କ ସହିତ ଥରେ ଅହମଦ ଖାଁ ବିଷୟରେ କଥାବାର୍ତ୍ତା କରି ଦେଖ । କାରଣ ଓସ୍ତାଦଙ୍କଠାରୁ ବଦଲ୍ ଖାଁ ନ’ ଦଶ ବର୍ଷ ବଡ଼ ଏବଂ ଅହମଦ୍ ଖାଁଙ୍କ ସହିତ ଏକ ଆସରରେ ସାରଙ୍ଗୀର ଆଳାପ କରିଥିଲେ । ଏ ତ ପୁରୁଣା କଥା । ଆଉ ମୌଜୁଦ୍‌ଦୀନଙ୍କ ସହିତ ମଧ୍ୟ ଆଳାପ କରି ଦେଖ । ସେ ଜାଣେନା ରାଗ କାହାକୁ କହନ୍ତି; ତାଳ ବିଷୟରେ ତା’ର ଧାରଣା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଗ ଓ ତାଳ ଠିକ୍ ରଖି ସେ ଗାନ କରେ । ମାତ୍ର ଥରେ ଶୁଣି ସେ ଯେକୌଣସି ରାଗର ସମସ୍ତ ବିଭବ ଆୟତ୍ତ କରିପାରେ । ଲଜ୍ଜାର କଥା, କାହାକୁ କହିବି, ମୌଜୁଦ୍‌ଦୀନ ରେଖବଗାନ୍ଧାର (ରେ,ଗା) ଜାଣେନା । କେବେ ସେ ବସି ସାର୍‌ଗମ୍ (ଗଳାସାଧିବା) କରୁଚି ଏ କଥା ଦେଖିବ ନାହିଁ ।

 

ବିନା ସାଧନାରେ ଏହି ଅଦ୍‍ଭୁତ ସିଦ୍ଧି କଥା ବାବୁଜୀଙ୍କ ମୁହଁରୁ ଶୁଣି ମୋ ହୃଦୟ ଶ୍ରଦ୍ଧା ଓ ବିସ୍ମୟରେ ଭରିଗଲା । ସେଥର ବାବୁଜୀଙ୍କ ଘରେ ମୌଜୁଦ୍‌ଦୀନ କୋଡ଼ିଏ ଦିନ ଥିଲେ । ଯେତେବେଳେ ସୁବିଧା ପାଇଛି ଏହି ସରଳ ଶିଶୁ ସହିତ କଥାବାର୍ତ୍ତା କରି ବୁଝିପାରିଛି ବାବୁଜୀ ଯାହା କହୁଥିଲେ ସବୁ ସତ । ମୌଜୁଦ୍‌ଦୀନ ରାଗ ଓ ତାଳ ଜାଣନ୍ତି ନାହିଁ, ଶିକ୍ଷା ବି କରିନାନ୍ତି, ସାରଗମ ବି ସାଧି ନାହାନ୍ତି । ବତକ ଛୁଆକୁ ପାଣିରେ ଛାଡ଼ିଦେଲେ ସେ ଯେମିତି ପହଁରେ, ଖେଳେ, ମୌଜୁଦ୍‌ଦୀନ ସେମିତି ରାଗ ଓ ତାଳ ଠିକ୍ ରଖି ଗାନ କରନ୍ତି । ପୂର୍ବଜନ୍ମର ସଂସିଦ୍ଧି ଛଡ଼ା ଏହାର ଆଉ କଅଣ ବ୍ୟାଖ୍ୟା ହୋଇପାରେ !

 

ବାବୁଜୀ ଆହୁରି କହିଥିଲେ, ମୌଜୁଦ୍‌ଦୀନଙ୍କୁ ନିଇତି ନୂଆ ନୂଆ ଗୀତ ଶୁଣାଇବାପାଇଁ ଓସ୍ତାଦ୍‌ଙ୍କ ନିର୍ଦ୍ଦେଶ ଥିଲା, ଖେୟାଲ୍ ବା ଠୁମରୀ ବା ଅନ୍ୟ ଯାହା କିଛି ହେଉ ନା କାହିଁକି । ଓସ୍ତାଦ୍‌ ନିଜେ ତାଙ୍କୁ ଅନେକ ଗାନ ଶୁଣାଇଛନ୍ତି । ଅନ୍ୟ ଗୁଣୀ ଓ ରାଈଜୀମାନଙ୍କୁ ଡାକି ମଧ୍ୟ ସେମାନଙ୍କ ଗାନ ଶୁଣାଇଛନ୍ତି । ଏକଥାଟା ଯେତେବେଳେ ପ୍ରଚାର ହୋଇଗଲା ଖେୟାଲ ଗାୟକମାନେ ଆଉ ଆସିଲେ ନାହିଁ ଗାଇବାକୁ । କିନ୍ତୁ ସେଥିରେ କିଛି କ୍ଷତି ହୋଇନାହିଁ । ଏବେ ବି ମୌଜୁଦ୍‌ଦୀନ ତାଙ୍କର ଅଦ୍‌ଭୁତ ସୃତିରୁ ଶୁଣି-ଶିଖା ପୂରା ଗାନ ସବୁ ବାହାର କରି ଗାଆନ୍ତି । ସେ ସବୁ ସେ କସରତ୍‌ କରି ଶିଖି ନାହାନ୍ତି । କସ୍ମିନ୍‍ କାଳେ ସେ କସରତ୍ କରିନାହାନ୍ତି । ତମ୍ବୁରାତ ଧରି ଜାଣନ୍ତି ନାହିଁ, କସରତ୍ କଅଣ କରିବେ !

 

ବଦଲ ଖାଁ ସାହେବ ମୌଜୁଦ୍‌ଦୀନ୍‌ଙ୍କୁ ଯେ କେତେ ଭଲପାଉଥିଲେ ସେ କଥା ବୁଝାଇ କହିବା ଅସମ୍ଭବ । ଅଥଚ ସେ ନିଜେ କହୁଥିଲେ, ମୌଜୁଦ୍‌ଦୀନ୍ ତ ଶ୍ୟାମଲାଲଙ୍କ ନୟନମଣି, ଭାଇୟା ସାହେବଙ୍କ କଲିକା । ମୌଜୁଦ୍‌ଦୀନ୍‍ଙ୍କ କଥା ଉଠିଲେ ସଙ୍ଗୀତର ଏଇ ମାର୍କଣ୍ଡେୟ ପୁରୁଷଟି ମୁଣ୍ଡ ହାତ ହଲାଇ, କେତେବେଳେ ବା ଆମକୁ ଶୁଣେଇ କେତେବେଳେ ବା ନିଜ ମନକୁ ମନ, ବିଭିନ୍ନ ଜଲ୍‌ସାରେ ମୌଜୁଦ୍‌ଦୀନ୍‌ଙ୍କ କୀର୍ତ୍ତିକଳାପ ଗାଥା ଗାଇଯାଆନ୍ତି ।

 

ଦିନେ ବଦଲ୍ ଖାଁ ସାହେବଙ୍କ ପାଖେ ଭାଇୟାସାହେବ ପ୍ରସଙ୍ଗରେ ଅହମଦ୍ ଖାଁଙ୍କ କଥା ଉଠାଇଥିଲି । ବଦଲ୍ ଖାଁ ସାହେବ ସେ ସମସ୍ତ ବୃଭାତ୍ତାନ୍ତକୁ ସମର୍ଥନ କରି ତା’ ଉପରେ ଏକ ଚରମ ମନ୍ତବ୍ୟ କଲେ– ଶୁଣ ପାଁଚୁବାବୁ, କାହାକୁ କହିବ ନାହିଁ, ମୌଜୁଦ୍‌ଦୀନ୍ ଗାନ କରିବାକୁ ବସିଲେ ମୁସିକ୍ (music-ସଙ୍ଗୀତ)ର ସୈୟଦ୍ (କଲ୍ୟାଣକାମୀ ଆତ୍ମା ।) ତା ଭିତରେ ପ୍ରବେଶ କରେ । ଏ ବିଷୟରେ ମନ୍ତବ୍ୟ ଅନାବଶ୍ୟକ ।

 

ପରେ ପରେ ବିଭିନ୍ନ ମଜ୍‌ଲିସ୍‌ରେ ମୌଜୁଦ୍‌ଦୀନ୍‌ଙ୍କ ପ୍ରତିଭାର ନିତ୍ୟ ନୂତନ ପରିଚୟ ମୋତେ ସମ୍ପୂର୍ଣ୍ଣରୂପେ ବିମୋହିତ କଲା । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏଥିରେ । ସେଥର ପ୍ରାୟ ପଚାଶ ଖଣ୍ଡ ଗାନ ଶୁଣିଲି । କେଉଁଠି କଉଁ ଗାନ ଗାଇଥିଲେ ହିସାବ ଅବଶ୍ୟ ଦେଇ ପାରିବି ନାହିଁ । କିନ୍ତୁ ମନରେ ସବୁ ଗାନ ଗୁନ୍ଥିଯାଇଚି । ମାତ୍ର ନ କହି ରହି ପାରୁ ନାହିଁ—ତାଙ୍କ ମୁହଁରେ ‘କହି ମଧୁର ମୁରଲୀ ଧୁନ୍ ବାଜି ରେ’ ‘ଶ୍ୟାମ ତୋରେ ନୟନା ହୋ ରଙ୍ଗୀଲେ’,‘ଇଠ୍‌ଲାତି ଆତି ଲଚକ୍ ଲଚକ୍’, ‘ମୁରଲୀବାଲେ ଶ୍ୟାମ’ ଓ ‘ଛବି ଦିଖ୍‌ଲାୟା ଯା ବାଁକେ ସାମଲିୟା’ ଏ କେତୋଟି ଢିମା ତାଳର ଠୁମରୀର ଯେଉଁ ରୂପ ପ୍ରତ୍ୟକ୍ଷ କରିଥିଲି ତା ଭଳି ଆଉ କେଉଁଠି ହେଲେ ଶୁଣିନାହିଁ । ପାଞ୍ଚବର୍ଷ ପରେ କାଶୀଧାମ ଯାଇ ଯେତେବେଳେ ମୋତି ବାଈଜୀ ମୁହଁରୁ ସେ ଗାନଟି ଶୁଣିଲି ସେତେବେଳେ ମନେହେଲା ଅସ୍ଥିର ସମୁଦ୍ରର ଗଭୀର ଦେଶରେ ଯେମିତି ମୁକ୍ତାର ସ୍ଥିର ଆଭା ସଞ୍ଚିତ ହୁଏ ସେମିତି ମୋତି କଣ୍ଠରେ ମୌଜୁଦ୍‌ଦୀନଙ୍କ ସ୍ଥିର ଲାବଣ୍ୟ ସଞ୍ଚିତ ହୋଇଚି । ପୁଣି କଲିକତାର ଜଦ୍‌ଦନ୍ ବାଈଜୀ କଣ୍ଠରେ ମୌଜୁଦ୍‌ଦୀନ୍‌ଙ୍କ ଗାନର କିଛି ଚମକ୍ ଦେଖା ଦେଇଥିଲା । ତା ହେଲେ କି ଏମାନେ କେବେହେଲେ ମୌଜୁଦ୍‌ଦୀନଙ୍କ ଢଙ୍ଗ ନକଲ କରି ପାରି ନାହାଁନ୍ତି ?

 

ମୌଜୁଦ୍‌ଦୀନ୍ ଗଜଲ୍ ଦାଦରା ଅଳ୍ପ ଗାଆନ୍ତି । କିନ୍ତୁ ଗାଇଲେ ସେ ଗାନ ହେଉଥିଲା ମାରାତ୍ମକ ! ଏସବୁ ଗାନ ଭିତରୁ ‘ନଦୀୟା ନାରେ ହିରାୟ ଆୟି କଙ୍ଗନା’ ଗାନଟି ସହିତ ଏମିତି ଗୋଟିଏ ଘଟନା ମନେପଡ଼େ ଯେଉଁଥିରେ ମୈଜୁଦ୍‌ଦୀନଙ୍କ ଅହଂକାରିତା ଓ ବାଈଜୀ-ବିଦ୍ୱେଷ ପ୍ରକଟ ହୋଇଥିଲା ।

 

ସତରେ ଏକା, ଅପରିଚିତ ବାଈଜୀମାନଙ୍କ ଉପରେ ମୌଜୁଦ୍‌ଦୀନ୍‍ଙ୍କର ଗୋଟାଏ ବିଜାତୀୟ ବିଦ୍ୱେଷ ଥିଲା । ଆସରରେ ସମସ୍ତେ ଆସି ବସିଲେଣି । ମୌଜୁଦ୍‌ଦୀନ ମନଖୁସିରେ ୟାଙ୍କ ପାଖରେ ଟିକିଏ ତାଙ୍କ ପାଖରେ ଟିକିଏ ବସି ଗଳ୍ପ କରୁଛନ୍ତି । ଏଇ ସମୟରେ ଜଣେ ବାଈଜୀ ଉପସ୍ଥିତ ହେଲେ । ବାସ୍, ସାଙ୍ଗେ ସାଙ୍ଗେ ମୌଜୁଦ୍‌ଦୀନ ତାଙ୍କ ଆଡ଼କୁ ପଛ କରି ବସିଲେ-। କଥା କହିବା ତେଣିକି ଥାଉ ତାଙ୍କ ଆଡ଼କୁ ଟିକିଏ ଅନେଇଲେ ବି ନାହିଁ । ଗହର୍ ଓ ମାଲ୍‌କା ବାଈଜୀଙ୍କ ପକ୍ଷେ ଅବଶ୍ୟ ଏହାର ସାମାନ୍ୟ ଟିକିଏ ବ୍ୟତିକ୍ରମ ଥିଲା । କାରଣ, ଏମାନେ ଥିଲେ ଭାଇୟା ସାହେବ ଓ ଶ୍ୟାମଲାଲଜୀଙ୍କ ଅନୁଗୃହୀତ ।

 

କିନ୍ତୁ ଅଦୃଷ୍ଟର ଏମିତି ପରିହାସ ଯେ ଆଖି ଧଳା ଥିବା ଅବସ୍ଥାରେ ଯେଉଁ ପ୍ରକୃତିକୁ ସେ ଅବଜ୍ଞା କରେ, ଆଖି ଲାଲ ଥିବା ଅବସ୍ଥାରେ ଅତ୍ମବିସ୍ମୃତ ହୋଇ ସେଇ ପ୍ରକୃତିର ହୁଅନ୍ତି ଅସହାୟ କ୍ରୀଡ଼ନକ । ଶ୍ୟାମଲାଲଜୀ ଜୀବିତ ଥିବା ପର୍ଯ୍ୟନ୍ତ, ଅର୍ଥାତ୍ ୧୯୨୮ ସାଲ ପର୍ଯ୍ୟନ୍ତ, ତାଙ୍କ ବୈଠକରେ ମୌଜୁଦ୍‌ଦୀନଙ୍କ ଗାନ ଓ ଚରିତ୍ର ବିଷୟରେ ବହୁ ଆଲୋଚନା ହୋଇଚି । ମୌଜୁଦ୍‌ଦୀନଙ୍କୁ ଭଲ ଭାବରେ ଜାଣିଥିବା ଲୋକେ ତାଙ୍କ ଦ୍ୱୈଧ ଚରିତ୍ର ଲକ୍ଷ୍ୟ କରିଥିଲେ । କେଉଁଠି କେଉଁ କେଉଁ ଗାନ ଗାଇ ମୌଜୁଦ୍‌ଦୀନ କେଉଁ ବାଈଜୀଙ୍କୁ ଅପମାନ କରିଥିଲେ ଏ ବିଷୟରେ ଅନେକ ନିର୍ଭରଯୋଗ୍ୟ କାହାଣୀ ଶୁଣିଛି । ମୋ ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଗୋଟିଏ ଘଟନା ମନେପଡ଼ୁଚି ।

 

ଆଗ୍ରାଓୟାଲୀ ମାଲକା ଭଳି ଏମିତି ନିରହଙ୍କାର ବାଈଜୀ ଖୁବ୍ କମ୍ ଥିଲେ । ଦିନେ ତାଙ୍କ ଘରେ ସୁଗ୍‌ଗନ୍ ବାଈଜୀଙ୍କ ଗାନ ହେବା ଉପଲକ୍ଷେ ସେ ବାବୁଜୀଙ୍କ ଅନ୍ତରଙ୍ଗ ଗୋଷ୍ଠୀଙ୍କୁ ନିମନ୍ତ୍ରଣ କଲେ । ସୁଗ୍‌ଗନ୍‍ ସେତେବେଳେ କଲିକତାକୁ ନୂଆ ଆସି ମାଲ୍‌କାଙ୍କ ଅତିଥି ହୋଇଥାଆନ୍ତି । ୟାଙ୍କ ଗାନ ପରେ ଅନେକ ଥର ଶୁଣିଚି । ୟାଙ୍କ ଭଳି ଦାଦ୍‌ରା ଗାନଶିଳ୍ପୀ ମୁଁ ଆଉ ଦେଖି ନାହିଁ । ଶ୍ୟାମଲାଲଜୀ,ମୌଜୁଦ୍‌ଦୀନ, ବଶୀର ପ୍ରଭୃତି ଆମେ ସବୁ ଉପସ୍ଥିତ ହେଲୁଁ । ସୁଗ୍‌ଗନ୍ କୌଣସିମତେ ଖଣ୍ଡେ ଖେୟାଲ ଓ ତେରାନା ଶେଷ କରି ପରେ ପରେ ତିନି ଖଣ୍ଡ ଦାଦ୍‌ରା ଗାଇଲେ । ଦାଦ୍‌ରାର ଏମିତି ଗୋଟାଏ ବିଶେଷ ଗଠନ ଓ କାରିଗରି ଅଛି ଯାହାର ଅଭାବ ହେଲେ କୌଣସି ଗାନକୁ ଦାଦ୍‌ରା କୁହାଯିବ ନାହିଁ । ସୁଗ୍‍ଗନ୍‌ଙ୍କ ଦାଦ୍‌ରା ଶୁଣି ମୁଁ ହୃଦୟଙ୍ଗମ କଲି ଯେ ଖାଲି ଛ’ ମାତ୍ରାର ଛନ୍ଦ ଓ ଛୋଲା ଦେଇ ଗାନ ଖଲାସ କଲେ ଦାଦ୍‍ରା ହବ ନାହିଁ । ସଭାସ୍ଥ ସମସ୍ତେ ତାରିଫ୍ କଲେ ।

 

ମୌଜୁଦ୍‌ଦୀନ କିନ୍ତୁ ନୀରବ । ପାନଜରଦା ଖାଇବା ଛଳରେ ସୁଗ୍‌ଗନ୍ ଟିକିଏ ବିଶ୍ରାମ ନେଲେ । ଇତିମଧ୍ୟରେ ରବ ଉଠିଲା ମୌଜୁଦ୍‌ଦୀନଙ୍କର ଖଣ୍ଡେ ଦାଦ୍‌ରା ହେଉ । ମାଲ୍‌କା ଟିକିଏ ଅସ୍ୱସ୍ତି ବୋଧ କଲେ ବି ସମସ୍ତଙ୍କ ମତକୁ ସମର୍ଥନ କରିବାକୁ ବାଧ୍ୟ ହେଲେ । ଖାଲି ହାରମୋନିୟମ ସଙ୍ଗତ ସହ ମୌଜୁଦ୍‌ଦୀନ ଗାନ ଆରମ୍ଭ କଲେ । କିନ୍ତୁ ତାଙ୍କ ଅଶିଷ୍ଟତା ଦେଖି ଆମେ ହତବାକ୍ ହୋଇଗଲୁଁ । ଠିକ୍ ଏହା ପୂର୍ବରୁ ସୁଗ୍‌ଗନ୍ ‘ନଦୀୟା କିନାରେ’ ଗାନଟି ଗାଇଥିଲେ-। ମୌଜୁଦ୍‌ଦୀନ ସେଇ ଗାନ୍‌ଟି ଧରିଲେ । ସେତିକି ନୁହେଁ, ସେଇ ଗାନ୍‍ ଉପରେ ସେ ଚାରିଗୁଣା ରଙ୍ଗ ଚଢ଼େଇଲେ । ବିଚାରୀ ସୁଗ୍‌ଗନ୍‌ଙ୍କ ‘ନଦୀୟା କିନାରେ’ କେଉଁଠି ଭାସିଗଲା ! ସେ ଅପମାନ ଓ ରାଗରେ ପାଖ ବଖରାକୁ ଉଠିଗଲେ । ମାଲ୍‌କା ଆଖି ଛଳ ଛଳ କରି ତାଙ୍କୁ ସାନ୍ତ୍ୱନା ଦେବାକୁ ଉଠିଗଲେ । ଆସର ନିଷ୍‌ପ୍ରଭ ହୋଇଗଲା । ପରଦିନ ବାବୁଜୀଙ୍କ ସାମନାରେ ମୌଜୁଦ୍‌ଦୀନ ଉପସ୍ଥିତ ଥିବାବେଳେ ମାଲ୍‌କା ଅଭିଯୋଗ କଲେ । ମାଲ୍‌କାଙ୍କ ଇଚ୍ଛା ଯେ ତାଙ୍କ ଅତିଥି ସୁଗ୍‌ଗନ୍‌ଙ୍କଠାରେ ମୌଜୁଦ୍‌ଦୀନ କ୍ଷମା ଭିକ୍ଷା କରନ୍ତୁ । ମୌଜୁଦ୍‌ଦୀନ କହିଲେ, ଜାନ୍ ଥିବାଯାଏଁ ନୁହେଁ । ଶେଷକୁ ମୌଜୁଦ୍‌ଦୀନ ମାଲ୍‌କାଙ୍କ ପାଖରେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରି କହିଲେ, ବହିନ୍, ତମ ଦିଲ୍‌ରେ ଚୋଟ୍‌ ଲାଗିବ, ତା ମୁଁ ଜାଣି ନ ଥିଲି । ସତ କହୁଚି, ସେ ଗାନଟି ଶୁଣି ମୋତେ ଏତେ ଭଲ ଲାଗିଲା ଯେ ନ ଗାଇ ରହିପାରିଲି ନାହିଁ ।

ଆମେ ଧରିନେଲୁ ମୌଜୁଦ୍‌ଦୀନ ସତ କହିଲେ । କିନ୍ତୁ ସେଟା ପୂରା ସତ ନୁହେଁ । ମୌଜୁଦ୍‌ଦୀନ ଯେ ବିଜାତୀୟ ଆକ୍ରୋଶ ଯୋଗୁଁ ଅଶିଷ୍ଟତା କରିଥିଲେ ଏ ଧାରଣା ଆମର ଗଲା ନାହିଁ । ପରେ ମୁଁ ବାବୁଜୀଙ୍କ ପାଖରେ ଅଭିଯୋଗ କରିଥିଲି ଯେ ସେ ଚାହିଥିଲେ ମୌଜୁଦ୍‌ଦୀନଙ୍କୁ ସେଥିରୁ ନିବର୍ତ୍ତାଇ ପାରିଥାନ୍ତେ । ବାବୁଜୀ କହିଲେ, ଓସ୍ତାଦ୍ ମୋତେ କହିଥିଲେ, ଖବରଦାର, ମୌଜୁଦ୍‌ଦୀନ ଗାନ କରିବାକୁ ଚାହିଲେ ତାକୁ ନିଷେଧ କରିବ ନାହିଁ । ନହେଲେ ସେ ପାଗଳ ହୋଇଯିବ ରହମତ୍‌ ଖାଁ ଭଳି । ତେଣୁ ମୁଁ କେବେହେଲେ ତାଙ୍କୁ ଗାନ କରିବାକୁ ମନା କରିନି । ବାବୁଜୀଙ୍କ କଥା ହେଲା– ଅଶିଷ୍ଟତା ବରଞ୍ଚ ଭଲ ।

ଏଇ ରହମତ୍ ଖାଁ ଓ ମୌଜୁଦ୍‌ଦୀନ ବିଷୟରେ ବାବୁଜୀ ଗୋଟିଏ ବୃତ୍ତାନ୍ତ କହନ୍ତି । କଳାବିତ୍ ଶିଳ୍ପୀ ହୃଦୟର ଦୁର୍ଜ୍ଞେୟ ରହସ୍ୟ ସେ ବୃତ୍ତାନ୍ତ ମଧ୍ୟରେ ଅଛି—

ଶ୍ୟାମଲାଲ୍‍ଜୀଙ୍କ କଥା

ରହମତ୍‌ ଖାଁ ଥିଲେ ନାମଜାଦା ଖେୟାଲୀ ଓ ତାନାଇୟାତ୍ କଳାବିତ୍ । ତାଙ୍କ ଭଳି ଅଦ୍ଭୁତ ହଲକ୍‌ତାନ ଏ ଯୁଗରେ ଆଉ କେହି ଦେଇପାରି ନାହାନ୍ତି । କିନ୍ତୁ ତାଙ୍କ ମୁଣ୍ଡରେ ଟିକିଏ ଦୋଷ ଥିଲା । ମଝିରେ ମଝିରେ ସେ ପାଗଳ ଭଳି ହୋଇଯାଉଥିଲେ । ବାରାଣସୀରେ ଭାଇୟାସାହେବ, ମୌଜୁଦ୍‌ଦୀନ ଓ ଆମେ ଥିବା ସମୟରେ ମୌଜୁଦ୍‌ଦୀନ୍‍ଙ୍କ ଖ୍ୟାତି ଦେଶ ଦେଶାନ୍ତରରେ ବ୍ୟାପିଯାଇଥିଲା । ହଠାତ୍ ଦିନେ ଗୋୟାଲିୟରରୁ ରହମତ୍ ଖାଁ ଆସି ହାଜର । ଓସ୍ତାଦ୍ ତାଙ୍କୁ ଅତି ଖାତିର କରି ବସିବାକୁ କହିଲେ । ତାଙ୍କ ପାଇଁ ପାନ ତମାଖୁ ଓ ବିଶେଷ ଖାଇବା ପିଇବା ବନ୍ଦୋବସ୍ତ କଲେ ।

 

ଓସ୍ତାଦ୍ ରହମତ୍ ଖାଁ କହିଲେ, ଭାଇୟାଜୀ, ମୌଜୁଦ୍‌ଦୀନ ବୋଲି ଜଣକର ଭାରି ସୁଖ୍ୟାତି ଶୁଣିଲି । ତାହାରି ଗାନ୍ ଶୁଣିବାକୁ ବାହାରିଛି । ଶୁଣିଲି ସେ ତୁମ ସହିତ ରହେ । ତାକୁ ଦେଖାଅ, ତା ଗାନ୍ ଶୁଣିବି ।

 

ଓସ୍ତାଦ୍‌ ତାଙ୍କୁ କହିଲେ– ଆଚ୍ଛା, ଆଚ୍ଛା, ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସେ ଏଇଠି ଥାଏ । ଆପାତତଃ ଆପଣ କିଛି ସେବା କରନ୍ତୁ, ବିଶ୍ରାମ ନିଅନ୍ତୁ । ଗାନ୍‍ ପରେ ହେବ ।

 

ରହମତ୍‌ ଖାଁ ଟିକିଏ ଉତ୍ତେଜିତ ହୋଇ କହିଲେ, ନା ଭାଇୟା, ଦେରୀ କରନା । ମୁଁ ଏହିକ୍ଷଣି ଶୁଣିବାକୁ ଚାହେ । ନ ଶୁଣି ଛାଡ଼ିବି ନାହିଁ ।

 

ଓସ୍ତାଦ୍ ନିରୁପାୟ । ଅଗତ୍ୟା ମୌଜୁଦ୍‌ଦୀନ୍‍ଙ୍କୁ ଡାକି କହିଲେ– ବେଟା, ୟାଙ୍କୁ ଆଦାବ୍ କର । ହଦ୍‌ଦୁ-ହସ୍‌ସୁ ଖାଁ ଘରର ଶ୍ରେଷ୍ଠ ଗାୟକ ଏ । ହିନ୍ଦୁସ୍ତାନର ଗୌରବ ଏହି ରହମତ୍ ଖାଁ । ଏ ମହାଶୟ ତୁମ ଗାନ ଶୁଣିବାକୁ ଚାହାନ୍ତି । ହୁସିୟାର ହୋଇ ୟାଙ୍କ ସାମନାରେ ଗାନ କରିବ ।

 

ମୌଜୁଦ୍‌ଦୀନ ଆଦାବ୍ ଜଣାଇଲେ । ପାଖ ବଖରାରେ ଯଥାଶୀଘ୍ର ଚାଦର ପଡ଼ିଲା । ତମ୍ବୁରା ଆସିଲା । ତବଲା ଯୋଡ଼ି ଆସିଲା ।

 

ରାଗରାଗିଣୀ ବୋଲିବାର କାଳାକାଳ ବିଷୟରେ ମୌଜୁଦ୍‌ଦୀନ ସଂପୂର୍ଣ୍ଣ ଅଜ୍ଞ । ଦିନବେଳାରେ ଧରି ବସିଲେ ମାଲ୍‌କୋଷ୍‍ର ଗୋଟିଏ ମାମୁଲୀ ଅସ୍ଥାୟୀ । ଅବଶ୍ୟ ତାଙ୍କ କଣ୍ଠରେ ସେ ଆଉ ମାମୁଲୀ ରହିଲା ନାହିଁ । ମୌଜୁଦ୍‌ଦୀନ୍‍ଙ୍କ ଗଳା ଓ ଗାନ୍‍ ଶୁଣି ରହମତ୍‌ ଖାଁ ମହାଖୁସୀ । ଅନେକ ଥର ‘ସାବାସ’ କରି କହିଲେ– ବେଟା, ଖଣ୍ଡେ ଭୈରବୀ ଶୁଣାଅ ।

 

ମୌଜୁଦ୍ଦୀନ୍ ଧରିଲେ, ‘ବାଜୁବନ୍ଦ ଖୁଲ୍ ଖୁଲ୍ ଯାୟ’ । ବ୍ୟାପାରଟା ବୁଝନ୍ତୁ । ଏକେ ଭୈରବୀ । ସେଥିରେ ପୁଣି ମୌଜୁଦ୍‌ଦୀନ୍ । ଓସ୍ତାଦ୍ ଧରିଥିଲେ ହାରମୋନିୟମ । ଗାନ୍‍ ମଝିରେ ଓସ୍ତାଦ୍ ଚକିତେ ପୁରିୟାର ରଙ୍ଗ ଧରେଇଦେଲେ । ଦେଖନ୍ତୁ ମଜା ! ମୌଜୁଦ୍‌ଦୀନ୍ ତାଙ୍କର ଅନବଦ୍ୟ ଗାୟକି ଦେଇ ପୁରିୟା ଓ ଅନ୍ୟ ରାଗର ବାହାର ଦେଖାଇଦେଲେ ।

 

ଗାନ୍‍ ଶେଷ ହେବା ପୂର୍ବରୁ ରହମତ୍ ଖାଁ ତାରିଫ୍ ଆରମ୍ଭ କରିଦେଲେ । ଏପ୍ରକାର ଅଭିଜ୍ଞତା ତାଙ୍କ ପକ୍ଷରେ ଥିଲା ସମ୍ପୂର୍ଣ୍ଣ ନୂତନ । ଗାନ୍‍ ବନ୍ଦ ହେଲା, କିନ୍ତୁ ତାରିଫ୍ ବନ୍ଦ ହୁଏନା ।

 

ଭାଇୟାସାହେବ ଭାବର ଗତି ଦେଖି ତାଙ୍କ ହାତ ଧରି ଖୋଲା ଛାତକୁ ନେଇଗଲେ ଖୋଲା ହାଓଆ ପାଇଁ । କିଛିକ୍ଷଣ ପରେ ଘରକୁ ଫେରିଆସି ଆମେ ଦେଖିଲୁ ଖାଁସାହେବଙ୍କର ଭାବାନ୍ତର ଉପସ୍ଥିତ । ବଡ଼ କାରୁଣ୍ୟଭରା ସେ ଦୃଶ୍ୟ । ସେ ସାଶ୍ରୁନୟନରେ ଭଗବାନଙ୍କୁ ପାର୍ଥନା ଜଣାଉଛନ୍ତି, ଖୋଦା ! ମୋତେ ମୌଜୁଦ୍‌ଦୀନ୍‍ଙ୍କ ଭଳି ତାସିର୍ ପ୍ରଭାବଚାରୀ ଗୁଣ କାହିଁକି ନଦେଲ-? ପୁଣି କେତେବେଳେ ଓସ୍ତାଦ୍‍ଙ୍କୁ କାତର ଭାବରେ ଅନାଇ କହୁଛନ୍ତି–କୁହ ଭାଇୟା, କୁହ, ମୁଁ ଯଦି ଏହି ମୁହୂର୍ତ୍ତରୁ ଗଳା ସାଧେ ତେବେ କଅଣ ମୌଜୁଦ୍‌ଦୀନ୍‍ ଭଳି ଗାଇପାରିବି ନାହିଁ ?

 

ଓସ୍ତାଦ୍ ତାଙ୍କୁ ବୁଝାଇ କହିଲେ– ଖାଁ ସାହେବ ! ଆପଣ ହେଲେ ସଙ୍ଗୀତର ବୁଜୁର୍‍ଗ ! ଆପଣ ଏସବୁ କଅଣ କହୁଛନ୍ତି ! ଆପଣଙ୍କ ସହିତ ତା’ର ତୁଳନା ! ଶେର୍ ସହିତ କୁତ୍ତାର ତୁଳନା ! ଦେଖିବେ ସେଇ ମୌଜୁଦ୍‌ଦୀନ ଖୋଦାଙ୍କ ପାଖରେ ପ୍ରାର୍ଥନା କରିବ ଆପଣଙ୍କ ଭଳି ଗୁଣ ପାଇବାପାଇଁ !

 

କିନ୍ତୁ କିଏ ଶୁଣୁଚି କାହା କଥା ! ରହମତ୍ ଖାଁ ତିନି ଚାରି ଦିନ ଥିଲେ । ତାଙ୍କ ପାଇଁ ଆମେ ବି ପାଗଳ ହେବା ଉପରେ । ତାଙ୍କ ପ୍ରାଥନା ଓ କାତର ଭକ୍ତିର ବିରାମ ନାହିଁ । ଭାଇୟାସାହେବ ମୌଜୁଦ୍‌ଦୀନଙ୍କୁ ନିଭୃତକୁ ଡାକି ନେଇ କହିଲେ, ବେଟା, ତାଙ୍କ ଗୋଡ଼ ଧରି କୁହ ଯେ ତୁମେ ତାଙ୍କ ଗାନ୍‍ ଶୁଣିବାକୁ ଚାହ । ସେ ଯଦି ଗାନ୍‍ କରନ୍ତି ସେଥିରେ ତୁମେ ହର୍‌ଦମ୍ ତାରିଫ୍ କରିଯାଅ ।

 

ମୌଜୁଦ୍‌ଦୀନ ରହମତ୍ ଖାଁଙ୍କ ଗୋଡ଼ ଧରି ଗାନ୍‍ କରିବାକୁ ଅନୁରୋଧ କଲେ ! ଆଶ୍ଚର୍ଯ୍ୟର କଥା, ରାଜାରାଜୁଡ଼ାମାନେ ଯାହାଙ୍କୁ ଅନୁରୋଧ କରି ଗାନ୍‍ କରାଇପାରି ନାହାନ୍ତି, ମୌଜୁଦ୍‌ଦୀନଙ୍କ କଥାରେ ସେ ତତ୍‌କ୍ଷଣାତ୍ ବିନା ସଙ୍ଗତ୍‌ରେ ଗାନ୍‍ ଧରିଲେ ! ଉପକ୍ରମଣିକାରେ ଏମିତି ଗୋଟିଏ ହଲକ୍ ତାନ୍ ଦେଇ ତୋଡ଼ୀ (ରାଗ ବିଶେଷ) ଧରିଲେ ଯେ ମନେହେଲା ଦୁଆର କବାଟ ହଲୁଚି । ମୌଜୁଦ୍‌ଦୀନ ସେପ୍ରକାର ତାନ୍‌ ଆଗରୁ ଶୁଣି ନଥିଲେ । ସେ ଆନ୍ତରିକତାର ସହିତ ଉଚ୍ଚସ୍ୱରରେ ତାରିଫ୍ କଲେ । ଆମେ ବି ସେଥିରେ ଯୋଗଦେଲୁ । ଭାଇୟାସାହେବ ତ ପଞ୍ଚମୁଖ । ଖାଁ ସାହେବ ଆମ ସମସ୍ତଙ୍କର ତାରିଫ୍ ଶୁଣି ଗମ୍ଭୀର ହୋଇ ବସି ରହିଲେ । ପରେ ପିଲାଙ୍କ ଭଳି ମୌଜୁଦ୍‌ଦୀନଙ୍କୁ ପଚାରିଲେ, ସତେ କଅଣ ମୁଁ ଭଲ ଗାନ୍‍ କରେ ? ତୁମଠାରୁ ବି ଭଲ ?

 

ମୌଜୁଦ୍ଦୀନ ବାରମ୍ବାର ତାଙ୍କ ଆଣ୍ଠୁଛୁଇଁ ଖୋଦାଙ୍କ କସମ୍ ଖାଇ କହିଲେ– ଓସ୍ତାଦ୍, ମୁଁ ଜିନ୍ଦ୍‍ଗିଭର୍ ଚେଷ୍ଟା କଲେ ବି ଆପଣଙ୍କ ଗଳାଗାନର ରତିଏ ସୁଦ୍ଧା ହାସଲ୍ କରିପାରିବି ନାହିଁ ।

 

ଏକଥା ଶୁଣି ରହମତ୍ ଖାଁଙ୍କ ମୁହଁରେ ଆତ୍ମପ୍ରସାଦର ଆଭା ଖେଳିଗଲା । ମୌଜୁଦ୍ଦୀନଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ ପାଖରେ ଦୁଆ ଜଣାଇଲେ । ପୁଣି ମନକୁ ମନ କହିଲେ– ଠିକ୍ ଠିକ୍ । ମୁଁ ଖୁବ୍ ଭଲ ଗାନ୍‍ କରେ । ତା’ପରେ ପ୍ରକୃତିସ୍ଥ ହୋଇ ଓସ୍ତାଦ୍‍ଙ୍କ ଆଡ଼େ ଅନାଇ କହିଲେ, ଭାଇୟା, ମୁଁ ଏଥର ଆସେ । ସେହିକ୍ଷଣି ସେ ଚାଲିଗଲେ । ଆମେ ବୁଝିଲୁ, ଓସ୍ତାଦ୍ ସେଇ କୌଶଳଟି କରି ନ ଥିଲେ ମର୍ମାହତ ରହମତ୍‌ ଖାଁ ସାହେବଙ୍କ ମନରେ ଆନନ୍ଦ ଆଉ ଫେରି ଆସି ନ ଥାନ୍ତା । କଳାବିତ୍ ଗୁଣୀହିଁ ଜାଣେ କଳାବିତ୍ ଶିଳ୍ପୀର ସୁଖ-ଦୁଃଖ ରହସ୍ୟ । ଆଉ କେହି ତାହା କଳିପାରିବେ ନାହିଁ ।

 

ମୌଜୁଦ୍ଦୀନ୍‌ଙ୍କର ପଗଡ଼ି ଓ ସୁର୍‌ମା ଉପରେ ଯେଉଁ ଝୁଙ୍କ ଥିଲା ସେ ବିଷୟରେ ବାବୁଜୀଙ୍କୁ ଥରେ ପଚାରିଥିଲି । ସେ କହିଲେ, ସେ ବି ଗୋଟାଏ ପାଗଳାମି । କାଶୀର ତାଲ୍‌କାମଣ୍ଡୀ ଗଳି ଭିତରେ ଥରେ ଦଙ୍ଗାହାଙ୍ଗାମା ବେଳେ ତା ମୁଣ୍ଡରେ ଆଘାତ ଲାଗିଥିଲା । ସେତେବେଳେ ସେ ଟୋପି ପିନ୍ଧୁଥିଲା । ଆମ ପାଖକୁ ଦୌଡ଼ିଆସିଲା । ପରିହାସ ଛଳରେ ଓସ୍ତାଦ୍‍ କହିଥିଲେ, ମୁଣ୍ଡରେ ପଗଡ଼ି ଥିଲେ ଏ ଆଘାତରୁ ରକ୍ଷା ପାଇଥାନ୍ତ । ସେଇଦିନୁ ତାର ପଗଡ଼ି ଉପରେ ଝୁଙ୍କ ଆରମ୍ଭ ହେଲା । ଚନ୍ଦନ ତାକୁ ପଗଡ଼ି ବାନ୍ଧିବା ଶିଖାଇ ଦେଇଥିଲା । ସେଥିପାଇଁ ସେ ଚନ୍ଦନକୁ ଭାରି ଖାତିର୍‍ କରେ ।

 

ବାବୁଜୀ କହିଲେ– ସୁରମା କଥା ବର୍ତ୍ତମାନ କହିବି ନାହିଁ । ଆଜି ସମସ୍ତଙ୍କ ସାମ୍‍ନାରେ ତୁମେ ପଚାରିବ, ଖାଁ ସାହେବ, ତୁମଠୁଁ ଆହୁରି ଭଲ ଗାନ୍‍ ତୁମେ ଶୁଣିଛ କି ନା । ତା’ପରେ ମୁଁ କହିବି ସୁର୍‌ମା କଥା ।

 

ସେଇ ଦିନ ସନ୍ଧ୍ୟାବେଳର ବୈଠକରେ ମୌଜୁଦ୍ଦୀନ୍‌ଙ୍କୁ ପଚାରିଲି, ଖାଁ ସାହେବ, ଆପଣଙ୍କଠୁଁ ବଡ଼ ଗୁଣୀ ଆପଣ ଦେଖିଛନ୍ତି କି ନା ସତ କୁହନ୍ତୁ । ଆମେ ତ ଜାଣୁ ଆପଣଙ୍କୁ ବଳି ଆଉ କେହି ନାହିଁ ।

 

ପ୍ରଶ୍ନ ଶୁଣି ମୌଜୁଦ୍‌ଦୀନ୍‌ଙ୍କ ଆଖି ଉଜ୍ଜ୍ୱଳ ହୋଇଗଲା । ବାବୁଜୀ ଓ ତନ୍‌ନୁଲାଲଜୀଙ୍କ ଆଡ଼କୁ ଚାହିଁ ସେ କହିଲେ– ଜଗ୍‌ଦୀପ୍ ! ଜଗ୍‌ଦୀପ୍ ! ଆଉ କେହି ନୁହେଁ । ଆହା ହା ! କି ସୁନ୍ଦର ଗାନ୍‍ ସେ କରନ୍ତି ! ମୁଁ ଠିକ୍ କହୁଚି କି ନା ବାବୁଜୀହିଁ କହିବେ ।

 

ଜଗ୍‌ଦୀପ୍ କଥା ଉଠିଲା । ବାବୁଜୀ ଓ ତନ୍‌ନୁଲାଲଜୀ ଯାହା କହିଲେ ତା’ର ସାର ମର୍ମ ଏହିପରି :

 

ଜଗ୍‍ଦୀପ୍ ସହାୟ ମୌଜୁଦ୍‌ଦୀନଙ୍କଠାରୁ ଅଳ୍ପ ବଡ଼ । ଯୋଡ଼ା ଭ୍ରୂ ତଳେ ବଡ଼ ବଡ଼ ଆକର୍ଣ୍ଣବିସ୍ତୃତ ଦୁଇଟି ଆଖି । ଗୌରବର୍ଣ୍ଣ, ସୁନ୍ଦର ମୁଖଶ୍ରୀ । ଉନ୍ନତ ଶ୍ରେଣୀର ଶିକ୍ଷିତ-ପଟୁତ୍ୱ ଥିଲା ତା’ର ପ୍ରତିଷ୍ଠାର କାରଣ । ଭାଇୟାସାହେବ ଓ ମୌଜଦ୍‌ଦୀନଙ୍କ ସହିତ ଦୁଲୀଚାନ୍ଦ୍‌ଙ୍କ ସମ୍ପର୍କ ସ୍ଥାପିତ ହେବା ପୂର୍ବେ ଦୁଲୀଚାନ୍ଦ୍ ଥିଲେ ଜଗ୍‌ଦୀପ୍‌ର ପୃଷ୍ଠପୋଷକ ଓ ପାଳନକର୍ତ୍ତା । ଜଗ୍‌ଦୀପର ଯଶଲାଭ କାମନା ନଥିଲା । ସେ ଥିଲା ଅତି ବିନୟୀ । ଦଙ୍ଗଲ ବା ବାଦବିବାଦର ଗନ୍ଧ ପାଇଲେ ସେ ଜାଗାକୁ ସେ ଯାଉ ନ ଥିଲା ।

 

ଭାଇୟା ସାହେବ ଓ ଶ୍ୟାମଲାଲ୍‍ଜୀ ଯେବେ ମୌଜୁଦ୍‌ଦୀନ୍‍ଙ୍କୁ ଆଣି କଲିକତାରେ ଦୁଲୀଚାନ୍ଦ୍‌ଙ୍କ ଘରେ ପ୍ରଥମ ମଇଫିଲ କଲେ ସେତେବେଳେ ସେଇ ଏକ ଆସରରେ ଜଗ୍‌ଦୀପ୍‌ ଓ ମୌଜୁଦ୍‌ଦୀନଙ୍କ ପ୍ରତିଭାର ପ୍ରତିଦ୍ୱନ୍ଦିତା ହୋଇଥିଲା । ଜଗ୍‌ଦୀପ୍‌ଙ୍କ ମୁହଁରେ ନାୟକୀ ବିଳାସ-ବିଭ୍ରମ ଏବଂ ଭାବାବେଗପୂର୍ଣ୍ଣ ଗାୟକୀ ମୌଜୁଦୀଦ୍‌ନଙ୍କୁ ମୁଗ୍‌ଧ ଓ ଅଭିଭୂତ କରିଥିଲା ।

 

ମାତ୍ର ସେଇ ଥରକ ପାଇଁ ମୌଜୁଦ୍‌ଦୀନଙ୍କ ଆତ୍ମାବମାନନା ହୋଇଥିଲା । ତାଙ୍କ ଗାନ୍‍ ସେଦିନ ଜମିଲା ନାହିଁ । କିନ୍ତୁ ଏହାର ବଦ୍‌ଲା ନେଇଥିଲେ ଭାଇୟା ସାହେବ ଓ ବାବୁଜୀ । ଏମାନେ ଜଗ୍‌ଦୀପ୍‍ଙ୍କ ନାୟକୀ ଓ ଗାୟକୀ ଅନୁକରଣ କରି ମୌଜୁଦଦୀନଙ୍କୁ ପ୍ରସ୍ତୁତ କରିଦେଲେ । ଦ୍ୱିତୀୟ ଓ ତୃତୀୟ ଥରର ମଇଫିଲ୍‌ରେ ସେମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ହେଲାରୁ ଦେଖାଗଲା ମୌଜୁଦ୍‌ଦୀନ ଟପିଗଲେ ଜଗ୍‍ଦୀପ୍‌ଙ୍କୁ । ପୁଣି ତାଙ୍କୁହିଁ ଅନୁକରଣ କରି !

 

ଜଗ୍‌ଦୀପ୍‍ ମଳିନ ମୁଖରେ ଦୁଲୀଚାନ୍ଦ୍‌ଙ୍କ ଆସରରୁ ବିଦାୟ ନେଇ କଲିକତା ଛାଡ଼ି ଚାଲିଗଲେ ନେପାଳ ଯେଉଁଠି ତାଙ୍କ ଆତ୍ମୀୟସ୍ୱଜନ ରହୁଥିଲେ । ସେଠାରୁ ଜଗ୍‍ଦୀପ୍ ବ୍ୟଥିତ ଭାବରେ ଗୋଟିଏ ଅଭିମାନଭରା ଚିଠି ଶ୍ୟାମଲାଲ୍‍ଜୀଙ୍କୁ ଲେଖିଲେ– ଆପଣମାନେ ମୋତେ ଯେଉଁ ସ୍ନେହ ଆଦର କରୁଥିଲେ ତାହା ମୁଁ ଭୁଲି ନାହିଁ । କିନ୍ତୁ ମୌଜୁଦ୍‌ଦୀନଙ୍କ ଯଶର ମାର୍ଗରେ କଣ୍ଟା ହୋଇ ରହିବାକୁ ମୁଁ ଚାହେ ନା । ଗୋଟିଏ କଲିକତାରେ ଜଗ୍‌ଦୀପ୍ ଓ ମୌଜୁଦ୍ଦୀନ୍ ଏକା ସାଙ୍ଗରେ ରହିପାରିବେ ନାହିଁ । ସେଇ ହେତୁ ଆପଣମାନଙ୍କ ମାୟା କଟାଇ ଏଠାକୁ ଆସିଲି ।

 

ବାବୁଜୀ ଆକ୍ଷେପ ସହ କହୁଥିଲେ ଯେ ଜ୍ଞାତସାରରେ ଯଦି ସେ କୌଣସି ପାପ କରିଥାନ୍ତି ତେବେ ସେ ଗୋଟିଏ ମାତ୍ର ପାପ ହେଉଛି ଜଗ୍‍ଦୀପ୍ ମନରେ କଷ୍ଟ ଦେବା । ମଝିରେ ମଝିରେ ଏକାନିଃଶ୍ୱାସରେ ଜଗ୍‍ଦୀପ୍ ଓ ମୌଜୁଦ୍‍ଦୀନଙ୍କ ନାଁ ଧରି ସେ ପ୍ରାୟଶ୍ଚିତ୍ତ କରୁଥିଲେ । ଦୁଇତିନି ବୁନ୍ଦା ଆଖିପାଣି ସହ ସେ ନାଁ ଉଚ୍ଚାରଣ ଭାରି କରୁଣ ହେଉଥିଲା ।

 

କିନ୍ତୁ ଗୋଟାଏ ଅଲୋପନୀୟ ପ୍ରଭାବ ଜଗ୍‍ଦୀପ୍ ରଖିଗଲା ମୌଜୁଦ୍‌ଦୀନ୍‍ଙ୍କ ଉପରେ । ଦିନେ ସେ ବାବୁଜୀଙ୍କୁ କହିଲେ, ଜଗ୍‍ଦୀପ୍ ଭଳି ଭ୍ରୂ, ଆଖି ଯଦି ଭଗବାନ ମୋତେ ଦେଇଥାନ୍ତେ ତେବେ ଜଗ୍‌ଦୀପଠାରୁ ମୁଁ ଆହୁରି ବଡ଼ ହୋଇପାରିଥାନ୍ତି । କି ଚମତ୍କାର ଗାନ୍‍ ଜଗ୍‌ଦୀପ କରୁଥିଲା, ବାବୁଜୀ ! ସେଭଳି ଗାନ୍‍ ମୁଁ ଆଉ ଶୁଣିବାକୁ ପାଇଲି ନାହିଁ । ଆଚ୍ଛା, ବାବୁଜୀ, ସେମିତି ଆଖି ଓ ଭ୍ରୂ-ବିଳାସ ନକଲ କରିହେବ ନାହିଁ ?

 

ବାବୁଜୀ ଆଉ କଅଣ ବା କହନ୍ତେ ! କହିଲେ, ତୁମେ ଆଖିରେ ସୁରମା ଲଗାଅ । ତା’ ହେଲେ ମୁହଁର ସୁରତ୍ ଖୋଲିଯିବ । ଆଉ ଓସ୍ତାଦ୍‍ଙ୍କ ପାଖରୁ ମୁଖବିଳାସ ଶିଖିନିଅ ।

 

ସେଇଦିନରୁ ମୌଜୁଦ୍‌ଦୀନଙ୍କ ସୁରମା ଝୁଙ୍କ ଆରମ୍ଭ ହେଲା । ଗଣପତ ରାଓଙ୍କୁ ପଚାରିବା ମାତ୍ରେ ସେ ତାଙ୍କ ସାମ୍‍ନାରେ ହାତ ଯୋଡ଼ି ବସନ୍ତି । ଏବଂ ଅତ୍ୟନ୍ତ ଶ୍ରଦ୍ଧାସହ ଆଗେ ପଚାରନ୍ତି ଓସ୍ତାଦ୍‍ଙ୍କ ମିଜାଜ ଓ ତବିୟତ୍ କଥା ଓ ପରେ ଏ ଗାନ୍‍ ସେ ଗାନ୍‍ର ମୁଖ-ବିଳାସ କଥା । ଶ୍ୟାମଲାଲଜୀ ତାଙ୍କୁ ଏ ନିୟମାନୁବର୍ତ୍ତିତା ଶିଖେଇଥିଲେ । କାରଣ, ମୁଁ ନିଜେ ଦେଖିଛି ଗଣପତରାଓଙ୍କ ମିଜାଜ ଓ ତବିୟତ୍‌ର କୌଣସି ସ୍ଥିରତା ନଥିଲା । ହୋରୀ-ଠୁମ୍‌ରୀ ଗାନରେ ତ ମୁଖ-ବିଳାସ ଅର୍ଥାତ୍ ଆଖି, ମୁହଁ ଓ କଟାକ୍ଷର ସମୁଚିତ ଭାବ-ଭଙ୍ଗୀ ପ୍ରୟୋଜନ । ଧ୍ରୁପଦ-ଖେୟାଲ ଗାନରେ ବି ବିଶିଷ୍ଟ ପ୍ରକାରର ମୁଖ-ବିଳାସ—ନହେଲେ, ମାଟି କଣ୍ହେଇ ବା ଇଜିପ୍‌ସିୟାନ୍ ମମି ଭଳି ମୁହଁ କରି ଗାଇଲେ ନାୟକୀ ଓ ଗାୟକୀର ଶୋଭା ଯେ ନଷ୍ଟ ହୋଇଯାଏ, ଏକଥା ଏକମାତ୍ର ଶ୍ୟାମଲାଲ୍‍ଜୀଙ୍କ ସଂସ୍ପର୍ଶରେ ଆସି ଜାଣିଥିଲି । ଚନ୍ଦନ ଚୋବେଜୀ ଖଇନି ଦଳୁ ଦଳୁ ମୌଜୁଦ୍‌ଦୀନ ଓ ଭାଇୟାଜୀଙ୍କ କଥାପ୍ରସଙ୍ଗରେ କହନ୍ତି, ସେ ସେମାନଙ୍କ ପାଖରେ ଏଥିପାଇଁ କେତେଦୂର ଋଣୀ । ମୁଖବିଳାସର ପ୍ରଧାନ କଥା ହେଉଚି ଗାନ୍‍ର ‘ଭାଓ’ ଅର୍ଥାତ୍ ଭାବ ଏବଂ ଭାବୋଚିତ ମୁଖବିଳାସ ।

 

ରହମତ୍ ଖାଁ, ମୌଜୁଦ୍‌ଦୀନ ଓ ଜଗ୍‌ଦୀପ୍‍ଙ୍କ କଥା ମନେପଡ଼ିଲେ ଭାବେ– ମଣିଷର, ବିଶେଷକରି ଶିଳ୍ପୀର ସୁଖ-ଦୁଃଖର ଆନ୍ତରିକ ସୂତ୍ରଗୁଡ଼ିକ ସତେ କି ଗୂଢ଼ ଓ ବିଚିତ୍ର ! ରହମତ୍ ଖାଁ କାନ୍ଦନ୍ତି ମୌଜୁଦ୍‌ଦୀନ ହେବାକୁ ! ମୌଜୁଦ୍‌ଦୀନ ହାୟ ହାୟ କରନ୍ତି ଜଗ୍‍ଦୀପ୍ ପାଇଁ ! କେଉଁ ଅଜ୍ଞାତନାମା ଗୁଣୀ ପାଇଁ ଜଗ୍‍ଦୀପ୍ ଗୋପନରେ ଦୀର୍ଘନିଃଶ୍ୱାସ ପକାନ୍ତି କିଏ ଜାଣେ ! ଭଗବାନ ମଣିଷ ଛାତିରେ ଅସ୍ଥି-ପଞ୍ଜରା ଭିତରେ ତା’ର ହୃତ୍‌ପିଣ୍ଡଟିକୁ ସୁରକ୍ଷିତ କରି ଥୋଇଛନ୍ତି । ତା’ର ମର୍ମକୁ ସନ୍ଧାନ କରିବାପାଇଁ ଅଜସ୍ର ଓ ବିଚିତ୍ର ତୀର ମଧ୍ୟ ସୃଷ୍ଟି କରିଛନ୍ତି ! ଦୀର୍ଘନିଃଶ୍ୱାସ ପାଇଁ ରଖିଛନ୍ତି ଗୋଟିଏ ମାତ୍ର ଶ୍ୱାସନଳୀ ଏବଂ ସୁଖ-ଦୁଃଖର ଉତ୍ସଟି ରଖିଛନ୍ତି ଆଖି କୋଣରେ ଅତି ସଂଗୋପନରେ । ବୃଦ୍ଧ ହନୁମାନଦାସଜୀ ପ୍ରକୃତ କଥା କହିଛନ୍ତି– ଏ ସବୁ ବ୍ୟାପାର କଳନା କରିବା ଅସମ୍ଭବ ।

 

ମୌଜୁଦ୍‌ଦୀନଙ୍କ ଜୀବନର ଶେଷ ମୁହୂର୍ତ୍ତ କଥା କହିବି ନାହିଁ । ମୋ ସୃତି ଘାଣ୍ଟିଲେ ହୁଏତ ମାଟି କାଦୁଅ ହିଁ ଉଠିବ । ତେବେ ଆଉ ଜଣେ ବିଶିଷ୍ଟ ଗୁଣୀ ତାଙ୍କ ସ୍ମୃତିରେ କିଛି ମୁକ୍ତା ସଞ୍ଚୟ କରି ରଖିଛନ୍ତି । ତାଙ୍କ ସହିତ କଥାବାର୍ତ୍ତା ହେଲେ ସେ ସେଇ ମୁକ୍ତାଗୁଡ଼ିକ ଦେଖାନ୍ତି । ସେଇ ମୁକ୍ତା କଥା କହିବି ।

 

ଇଂରାଜୀ ୧୯୨୯ ସାଲରେ ଦିନେ ମୋତି ବାଈଜୀଙ୍କ ବାରାଣସୀର କ୍ୟାଣ୍ଟନମେଣ୍ଟସ୍ଥିତ ଦ୍ୱିତଳ ଅଟ୍ଟାଳିକାରେ ଭୈରବୀର ମଇଫିଲ୍ ଶେଷ ହେଲା । ମୋତି ବାଈଜୀ ନିଜେ ଗାଇଲେ ‘ବାଜୁବନ୍ଦ୍ ଖୁଲ୍‌ ଖୁଲ୍ ଯାୟ’ । ତାଙ୍କ ସୁରର ରେଶ ମୋତେ ନେଇଗଲା ସେଇ ସୃତିର ଅତଳକୁ ଯେଉଁଠି ମୌଜୁଦ୍‌ଦୀନ ଥିଲେ ଗୋପନଚାରୀ । ମୋତି ବାଈଜୀଙ୍କ ଭଳି ମୌଜୁଦ୍‌ଦୀନଭକ୍ତ ଆଉ କେହି ନଥିଲେ । ତେଣୁ ମୌଜୁଦ୍‌ଦୀନ୍‍ଙ୍କ ପ୍ରସଙ୍ଗ ସ୍ୱଭାବତଃ ହିଁ ଉଠିଲା । ମୋତିଙ୍କ ଆଖି ଛଳ ଛଳ ହୋଇଗଲା । ସେ କୌଣସି ବାହାନାରେ ଉଠିଗଲେ ପୂର୍ବଦିଗର ଝରକା ପାଖକୁ । ଆଖିପାଣି ପୋଛୁ ପୋଛୁ ସେ ଦୂରକୁ ଅନାଇରହିଲେ । କିଛି କ୍ଷଣ ପରେ ମୁଣ୍ଡ ହଲାଇ ମୋତେ ସଙ୍କେତ ଦେଲେ ତାଙ୍କ ପାଖକୁ ଯିବାକୁ । ଦେଖିଲି ତାଙ୍କ ମୁଖ ପ୍ରସନ୍ନ ଓ ଆଖି ଉଜ୍ଜ୍ୱଳ । ଅଦୂରସ୍ଥିତ ଗୋଟିଏ ଜଙ୍ଗଲ ଜାଗା ଦେଖାଇ ସେ ଗଦ୍‌ଗଦ୍‌ କଣ୍ଠରେ ଅତି କଷ୍ଟରେ ମୋତେ କହିଲେ, ସେ ହେଲା ଫାତ୍‌ମାନ୍ କବରଭୂମି । ସେଇ ଯେ ବୁଦାଟି ଦିଶୁଚି ତା ତଳେ କବର ଭିତରେ ଅଛି ମୌଜୁଦ୍‌ଦୀନ୍‍ । ଟିକିଏ ଥମିକି ପୁଣି କହିଲେ, ହାମାରା ମୌଜୁଦ୍‌ଦୀନ୍‍ । ଅନାଇ ଦେଖିଲି ତାଙ୍କ ଦୁଇ ଆଖିରୁ ଦୁଇଟି ମୁକ୍ତାବିନ୍ଦୁ ଗଡ଼ିଆସୁଚି ।

Image

 

Unknown

ଆଫ୍‌ତାବ୍‌-ଏ-ମୌସିକୀ ଫୈୟାଜ୍ ଖାଁ

 

ସଙ୍ଗୀତ-ପ୍ରତିଭା ସ୍ମରଣ କଲେ କେତେ ବିଚିତ୍ର ପରିଚୟର ମୁହୂର୍ତ୍ତ ମୋ ମନରେ ଜାଗେ-। ସ୍ମୃତି-ନିକୁଞ୍ଜର ପ୍ରବେଶଦ୍ୱାରରେହିଁ ଆତ୍ମହରା ହୋଇଯାଏ ବିଚିତ୍ର କୂଜନରେ । ବାଧ୍ୟ ହୋଇ ଐତିହାସିକ ବନ୍ଧନୀଦ୍ୱାରା ମନକୁ ସଂଯତ କରେ । ସ୍ମୃତିର ଇତିହାସ ମୋତେ କୁହେ– କାଲେ ଖାଁ ସାହେବଙ୍କ ପରେ ଫୈୟାଜ୍ ଖାଁ ସାହେବ । କିନ୍ତୁ ଇତିହାସର ଘାଟନିକ ପାରମ୍ପରିକ ସମ୍ବନ୍ଧକୁ ସ୍ମୃତିର ଅନୁଭବ ଛିଣ୍ଡାଇ ଇତସ୍ତତଃ କରିଦିଏ । କେତେବେଳେ ବା ଅବଲୋପ ସାଧନ କରେ-। ଅନୁଭବ ମୋତେ କୁହେ– ବିଚିତ୍ର ପରିଚୟ ଭିତରେ ବିଚିତ୍ର ମାଧୁର୍ଯ୍ୟର ସ୍ୱାଦ ହେଲା ପ୍ରଧାନ କଥା-। ସେହି ସରଳ ସହଜ ସ୍ମୃତିପଥରେ ଚାଲ । ଏଥିରେ ଦୋଷ ନାହିଁ ।

 

ଅନୁଭବର ନିର୍ଦ୍ଦେଶହିଁ ଗ୍ରହଣ କଲି । ବିଶେଷକରି ଫୈୟାଜ୍ ଖାଁ ସାହେବଙ୍କ ସହିତ ବ୍ୟକ୍ତିଗତ ପରିଚୟ ମଧ୍ୟ ଏପରି ସୂଚନା ଦିଏ । କିନ୍ତୁ ଇତିହାସକୁ ପୂରାପୂରି ଉପେକ୍ଷା କରିବା ମଧ୍ୟ ଅସମ୍ଭବ । ମହୀଶୂରର ମହାରାଜା ଏଇ ଗୁଣୀଙ୍କୁ ‘ଆଫ୍‌ତାବ୍‌-ଏ-ମୌସିକୀ’ ଅର୍ଥାତ୍ ‘ସଙ୍ଗୀତ-ଭାସ୍କର’ ଉପାଧିରେ ଭୂଷିତ କରିବା ପରଠୁଁ (ଇଂରାଜୀ ୧୯୧୧ ସାଲ ? ୧୯୧୩ ସାଲ ?) ଫୈୟାଜ୍ ନାଁଟି ଭାରତ-ବିଖ୍ୟାତ ହୋଇପଡ଼ିଲା, ଦୁର୍ଭାଗ୍ୟବଶତଃ ବଙ୍ଗଲାଦେଶ ବାଦେ । ବହୁକାଳ ପରେ, ଇଂରାଜୀ ୧୯୩୪ ସାଲରୁ, ସେ ନାଁ ବଙ୍ଗଳାର ସଙ୍ଗୀତସେବୀମାନଙ୍କ ମୁହଁରେ ଧ୍ୱନିତ ହେଉଛି । ଲକ୍ଷ୍ନୌ ନଗରରେ (ଇଂ ୧୯୨୬ ସାଲ ?) ସର୍ବଭାରତୀୟ ସମ୍ମେଳନ ମଧ୍ୟରେ ଫୈୟାଜ୍ ଖାଁ ସାହେବ ଓ ରାମପୁରର ମୁସ୍ତାକ ହୋସେନ ଖାଁ ସାହେବ (ଭଗବାନ ୟାଙ୍କୁ ଦୀର୍ଘଜୀବୀ କରନ୍ତୁ) ସମାନ ମର୍ଯ୍ୟାଦା ଓ ଶ୍ରେଷ୍ଠ ଆସନ ପାଇଥିଲେ । କିନ୍ତୁ ସେତେବେଳେ ବି ବଙ୍ଗଳାଦେଶକୁ ୟାଙ୍କ ଶୁଭାଗମନ ହୋଇନାହିଁ । ଯୁବକ ଫୈୟାଜ୍‌ଙ୍କୁ ଆମେ ପ୍ରକାଶ୍ୟ ଆସନ ଗ୍ରହଣ କରିବାର ଦେଖିନାହୁଁ । ୧୯୩୪ ସାଲ ବେଳକୁ ଫୈୟାଜ୍ ଖାଁଙ୍କ ବୟସ ତେପନ ବର୍ଷ । ଆମେ ଦେଖିନୁ, କିନ୍ତୁ ଅନ୍ୟମାନେ ଦେଖିଥିଲେ ।

 

ଅବଶ୍ୟ ସ୍ମରଣପଟରେ ଉଦ୍‌ଭାସିତ ହୁଏ ଅସ୍ତଗାମୀ ସୂର୍ଯ୍ୟର ମାହାତ୍ମ୍ୟ । ସୁରର ଗାୟକୀ ବା ରାଗର ଗାୟକୀ ବିଷୟରେ କୌଣସି କଥା ମନେପଡ଼ିବା ମାତ୍ରକେ ଫୈୟାଜ ଖାଁଙ୍କ କଥା ମନେପଡ଼େ । ରାଗ ଆଳାପ କରୁ କରୁ ସେ ଯେତେବେଳେ ଯେଉଁ ସୁରରେ ସମାହିତ ହୁଅନ୍ତି ମନେହୁଏ ସେହି ସୁରଟିହିଁ କେବଳ ସେଇ ରାଗ ପାଇଁ ଚରମ ସୁର । ଏବଂ ସେକଥା ଏକମାତ୍ର ଫୈୟାଜ୍ ଖାଁ ସାହେବଙ୍କ ବିଷୟରେ ଖଟେ । ଖେୟାଲ୍‌ର ଅପୂର୍ବ ଭଙ୍ଗୀ ଭିତରେ ସେ ମାତ୍ର ଲୀଳାଛଳରେ ଯେଉଁ ଠୋକ୍ ଓ ଲଢ଼ୀ ତାନ୍‌ର ବିଚିତ୍ର ସିଲ୍‌ସିଲା (ଶୃଙ୍ଖଳା) ଦ୍ୱାରା ରାଗକୁ କବଳିତ କରି ଆମ ଆଗରେ ପରିବେଷଣ କରିଯାଇଛନ୍ତି ସେକଥା ଭୁଲିହେବ ନାହିଁ । କାରଣ, ସେକଥା କେବଳ ଫୈୟାଜ୍ ଖାଁଙ୍କ କଥା । ଅନ୍ୟ କହାକୁ ସେକଥା ଖଟେ ନାହିଁ । ମଇଫିଲ୍‌ର ଫୈୟାଜ୍ ଖାଁ ହେଉଛନ୍ତି ଇତିହାସ ସୃଷ୍ଟିକର୍ତ୍ତା ।

 

ତା ହେଲେ ବି ସବୁକଥାରେ ଟିକିନିଖି ଆଲୋଚନା କରିବାକୁ ମନ ବଳୁନାହିଁ । କାରଣ, ସୌଭାଗ୍ୟବଶତଃ କଲିକତାରେ ଇଂ ୧୯୧୫ ସାଲରେ ଯୁବକ ଫୈୟାଜ୍‌ଙ୍କୁ ମାତ୍ର ଦୁଇଦିନ ପାଇଁ ଦେଖିଥିଲି । ସେ ଫୈୟାଜ୍ ବୈଠକର ଫୈୟାଜ୍ । ଆଉ ତାଠୁଁ ଆହୁରି ବଡ଼ କଥା–ତରୁଣ ଫୈୟାଜ୍‌ଙ୍କ ସଂପର୍କରେ ଗୋଟିଏ କୀର୍ତ୍ତିକାହାଣୀ ଶୁଣିଥିଲି ତନ୍‌ନୁଲାଲଜୀଙ୍କ ମୁହଁରୁ । କୋଡ଼ିଏ ବର୍ଷ ବୟସର ଫୈୟାଜ୍ ଗୋଟିଏ ଅଗ୍ନିସ୍ଫୁଲିଙ୍ଗ । ଏ ଫୈୟାଜ୍ ହୁଏତ ଇତିହାସ ସୃଷ୍ଟି କରିପାରି ନାହିଁ, କିନ୍ତୁ ଅନୁଭବ ସୃଷ୍ଟି କରିପାରିଚି ଶ୍ୟାମଲାଲଜୀ, ତନ୍‌ନୁଲାଇଜୀ ଓ ଅନ୍ତତଃ ଦୁଇଜଣ ଗାୟିକାଙ୍କ ମନରେ । ଏଇ ବୈଠକର ଫୈୟାଜ୍‌ଙ୍କ ସ୍ମରଣ କରିବାପାଇଁ ମନ ମୋର ବର୍ତ୍ତମାନ ବ୍ୟାକୁଳ ।

 

ମନେପଡ଼େ ଶ୍ୟାମଲାଲ୍‍ଜୀଙ୍କ ବୈଠକର ଗୋଟିଏ ବିଚିତ୍ର ପରିବେଶ । ପ୍ରତ୍ୟେକ ମୁହୂର୍ତ୍ତ ତାର ମନୋରମ, ବିସ୍ମୟକର । ବୈଠକ ବସିଥିଲା ହ୍ୟାରିସନ୍ ରୋଡ଼ର ୧୦୧ ନମ୍ବର ଘରର ଦୁଇତାଲାରେ ଗୋଟିଏ ପରିଷ୍କାର ଚାଦର-ବିଛା ବଖରାରେ । ଅନିବାର୍ଯ୍ୟ ବୋଲି ମନେପଡ଼େ, ମୌଜୁଦ୍‌ଦୀନ ସେତେବେଳେ ଥାନ୍ତି ଶ୍ୟାମଲାଲ୍‍ଜୀଙ୍କ ଆଶ୍ରୟରେ ।

 

ମୌଜୁଦ୍‌ଦୀନଙ୍କ ଗାନ ଆଶାରେ ମୁଁ ଓ ନନୀ ସନ୍ଧ୍ୟାପୂର୍ବରୁ ଯାଇ ଉପସ୍ଥିତ । ଗାନ କେତେବେଳେ ହବ କିଛି ସ୍ଥିରତା ନାହିଁ । ଅନ୍ତରଙ୍ଗର ଦଳ ରାତି ଆଠଟା ଭିତରେ ଆସ୍ଥାନ ଜମେଇ ବସିଯାଆନ୍ତି । ଗୁରୁଜୀଙ୍କ ବୈଠକକୁ ଗୋଟିଏ ‘ହଟ୍‌ ହାଉସ୍‌’ ବୋଲି କହିଲେ ଚଳେ । ନାନାପ୍ରକାର ଆଶାଆକାଂକ୍ଷା ଭିତରେ ଓ ନାନାପ୍ରକାର କଳ୍ପନାଜଳ୍ପନା ଭିତରେ ଗୁଣୀ ଓ ଗୁଣମୁଗ୍‌ଧ ଲୋକେ ଆସି ସେଠି ତାପ ସଞ୍ଚୟ କରିନିଅନ୍ତି ।

 

କେବଳମାତ୍ର ଚିରଂଜୀବ ବସିଛନ୍ତି ହାରମୋବିୟମ ନେଇ । ବଶୀର-ମୌଜୁଦ୍‌ଦୀନଙ୍କ ସୋରଶବ୍ଦ ନାହିଁ । ଗୁରୁଜୀ ପୂଜାପାଠ ସାରିନେବାକୁ ଘର ଭିତରକୁ ଯାଇଛନ୍ତି । ବୈଠକ ବର୍ତ୍ତମାନ ଶୂନ୍ୟପୁରୀ । ଚିରଂଜୀବ କହିଲେ, ଆଉ ଦେଖୁଛନ୍ତି କଅଣ ? ଚିଡ଼ିୟା ଆଜି ଉଡ଼ି ଯାଇଛି । ତା’ପରେ ବ୍ୟାଖ୍ୟା କରି କହିଲେ, ବଡ଼ବଜାରର ଶେଲୀ ବାଈଜୀ ଘରେ ଆଜି ରାତିରେ ବଶୀର- ମୌଜୁଦ୍‌ଦୀନଙ୍କ ଜଲ୍‌ସା । ସେମାନେ ସେଠାକୁ ଯାଇଛନ୍ତି । ଆମକୁ ବି ନିମନ୍ତ୍ରଣ ହୋଇଚି । କିନ୍ତୁ ଜାଣନ୍ତି ତ, ବାବୁଜୀ ସେଠାକୁ ଯାଆନ୍ତି ନାହିଁ, ତେଣୁ ଆମେ ବି ଯାଉନା । ଆପଣମାନେ ବସି ମୌଜ କରନ୍ତୁ । ମୋତେ ଆଜି ଛୁଟି ଦିଅନ୍ତୁ । ଅନ୍ୟମାନେ ଆସିଲେ ବାବୁଜୀ ନ ଆସିବା ପର୍ଯ୍ୟନ୍ତ ବସେଇଥିବେ ।

 

ଏତକ କହି ସେ ଉଠିପଡ଼ିଲେ । ଆଉ ସେଇ ଚକଲଗା ହାରମୋନିୟମଟି ଆମ ଆଡ଼କୁ ଗଡ଼େଇଦେଲେ । ଆମେ ଭାବିଲୁ, ମୌଜୁଦ୍‌ଦୀନ ନ ଥିଲେ ପୁଣି ମୌଜ କଅଣ !

 

ନନୀ ମୋର ସମ୍ପର୍କୀୟ କକାପୁଅ ଭାଇ । ଭଲ ନାଁ ସୁଧାଂଶୁମୋହନ ବାଗଚୀ । ପରେ ଏମ. ବି. ଉପାଧିଧାରୀ ଚିକିତ୍ସକ । କିନ୍ତୁ ‘ଏଓ ବାହ୍ୟ’ !

 

ସଙ୍ଗୀତସମୁଦ୍ରର କୂଳ ଧରି ଆମେ ଦି’ଜଣ ଦୁଇଟି ପାଲଟଣା ଡଙ୍ଗାରେ ଚାଲିଚୁ । ଗୁରୁଜନମାନଙ୍କୁ ଅନୁକରଣ କରି ପାଲ ଟାଣି ପବନ ଧରିବାକୁ ଶିଖିଛୁଁ । କିନ୍ତୁ ନଜର ସର୍ବଦା କୂଳ ଆଡ଼େ । ଅକୂଳ ଜଳଧିର ଦିଗନ୍ତ ଦିଶୁନାହିଁ । ଢେଉରେ ଦୋହଲିବାକୁ ଭାରି ଆନନ୍ଦ । କିନ୍ତୁ ଡର ମାଡ଼ିବା ମାତ୍ରକେ ପାଲ ଉତାରି କୂଳ କଡ଼କୁ ଡଙ୍ଗା ବାହିନେଉଁ । ଅକୂଳର ଆକର୍ଷଣ ଅଛି । କିନ୍ତୁ ଭରସା ଆମର କୂଳ !

 

ଚେହେରା ଓ ଚାଲିଚଳଣରେ ନନୀ ଥିଲା ଯଥାର୍ଥ ସୌଖୀନ । କେଶାଗ୍ରରୁ ସେଲିମ୍-ଜୋତାଗ୍ର ପର୍ଯ୍ୟନ୍ତ ଫିଟ୍-ଫାଟ୍ । ସୁନ୍ଦର ଆଖିଦୃଶିଆ ଚେହେରା । ଛାତି ଥିଲା ବେଶ୍ ଚଉଡ଼ା । ହୃଦୟରେ ଥିଲା ଦୁର୍ଜୟ ସାହସ । ଆଖିରେ ଅଶେଷ ଆଲୁଅ । ସେକାଳର ଧ୍ରୂପଦୀ ହରିବାବୁଙ୍କ କଣ୍ଠ ଭଳି ତା କଣ୍ଠ ଥିଲା ଗମ୍ଭୀର ଓ ମଧୁର । ଅଥଚ ସେ କେବେହେଲେ ଗଳା ସାଧିନାହିଁ । ତା’ର ବାକ୍‍-ବିନ୍ୟାସ ସୁମାର୍ଜିତ ହାସ୍ୟରସଦ୍ୱାରା ଉଜ୍ଜ୍ୱଳ ଏବଂ ଅସାଧାରଣ; ଅଭିନୟ-ଚାତୁର୍ଯ୍ୟ ଥିଲା ତା’ର ସ୍ୱଭାବଗତ । ମୋ ବନ୍ଧୁମାନଙ୍କ ମଧ୍ୟରେ ତା ଭଳି ସପ୍ରଗଳ୍‌ଭ ଲୋକ ନଥିଲେ ।

 

ସେଦିନ ସେ ତା’ର ପରିଷ୍କାର ହାତରେ ନାସ୍‌ଦାନୀଟି ଖୋଲିଲା । ଡାହାଣ ହାତର ଦୁଇଟି ଅଙ୍ଗୁଳିଦ୍ୱାରା ଲେଲିହା (ଲେ ଲିୟା ନୁହେଁ ତ !) ମୁଦ୍ରା କରି ସାମାନ୍ୟ ଟିପେ ନାସ ଉଠାଇ ପାଖରେ ଥୁଆ ହୋଇଥିବା ଆଲମାରୀ ଆଇନାରେ ନିଜ ଚେହେରାଟି ଦେଖିନେଲା । ଏଟା ତାର ଗୋଟାଏ ଅଭ୍ୟାସ । ତାକୁ ମାନୁ ନ ଥିଲେ କହିଥାନ୍ତି ମୁଦ୍ରାଦୋଷ । କହିଲା, ଆରେ ଭାଇ ! ଶେଲୀ ତ ଆମର ଚିହ୍ନା । ତା ଘରକୁ ଯାଇ ଗାନ୍‍ ଶୁଣିଲେ କଅଣ ଏମିତି ମହାଭାରତ ଅଶୁଦ୍ଧ ହୋଇଯିବ-?

 

ମୁଁ ଟିପେ ନାସ ନେଇ କହିଲି, ସେକଥା ନୁହେଁ, ଭାଇ ! ଆମ ମୌଜୁଦ୍‌ଦୀନ ତ ଅସମ୍ଭାଳ-ମାତାଲ ମୌଜୁଦ୍‌ଦୀନ ନୁହେଁ । ସେ ମୌଜୁଦ୍‌ଦୀନକୁ ନ ଦେଖିବାହିଁ ଭଲ ।

 

ନନୀ ମୁଣ୍ଡ ହଲାଇ କହିଲା, ଠିକ୍ କହିଚ । ଆମ ମୌଜୁଦ୍‌ଦୀନ ଦୁସ୍‌ରା ମୌଜୁଦ୍‌ଦୀନ । ବିଲକୁଲ୍‌ ବେ-ନଜିର !

 

କିଛି କାମ ନ ଥିବାରୁ ହାରମୋନିୟମଟା ଟାଣିନେଇ ପରୀକ୍ଷା କରିବାକୁ ବସିଲି, ସେ ଗଡ଼ୁଥିବାଭଳି ସେଥିରେ ସୁର ଗଡ଼େ କି ନା । ଏହି ସମୟରେ ଉପସ୍ଥିତ ହେଲେ ଆଗ୍ରାଓୟାଲୀ ମାଲ୍‌କାଜାନ୍ ବାଈନୀ । ସାଙ୍ଗରେ ତାଙ୍କର ଜଣେ ବିଶିଷ୍ଟ ଭଦ୍ରଲୋକ । ତାଙ୍କୁ ଏହା ପୂର୍ବରୁ କେବେ ଦେଖିନାହିଁ । ସମୁଚିତ ନମସ୍କାର ଓ ଅଭ୍ୟର୍ଥନା କରି ତଶ୍‌ରିଫ୍ ରକ୍ଷା କରିବାକୁ ସେମାନଙ୍କୁ ଅନୁରୋଧ କଲୁଁ ଆମେ । ସେ ଦି’ଜଣଙ୍କ ଚେହେରା ଦେଖିବାଭଳି, ସମାଦର କରିବାଭଳି ସତେ ! ବୈଠକକୁ ଶ୍ରୀ ଫେରିଆସିଲା ।

 

ମାଲ୍‌କା ଆମର ଗୁରୁ-ବହିନ୍ । ଖୁବ୍ ପରିଚିତ । ଉଜ୍ଜ୍ୱଳ ଶ୍ୟାମବର୍ଣ୍ଣ ମଧ୍ୟମ ଆକୃତିର ଏଇ ମହିଳା ଥିଲେ ସ୍ୱଭାବତଃ ଶାନ୍ତ, ସଂଯତ, ମଧୁର । ଏପରିକି ଠୁମ୍‌ରୀ ବା ଗଜଲ୍‌ ଗାନର ଭାବୋଚ୍ଛଳ ମୁହୂର୍ତ୍ତରେ ବି ୟାଙ୍କ ଆଚରଣରେ ଅଧୀରତା ବା ଆତିଶଯ୍ୟ ଦେଖାଯାଉ ନ ଥିଲା । ମୁଖଶ୍ରୀରେ ପରିପକ୍ୱ ସୌନ୍ଦର୍ଯ୍ୟ ଉଦ୍‌ଭାସିତ । କେଜାଣି କାହିଁକି, ସୂର୍ଯ୍ୟଦେବ ସେପର୍ଯ୍ୟନ୍ତ ୟାଙ୍କ ଜୀବନକୁ ପଇଁତିରିଷ ବର୍ଷକାଳ ପରିକ୍ରମା କରି ମଧ୍ୟ ସେଇ ବିକଶିତ କମଳସଦୃଶ ମୁଖମଣ୍ଡଳର ଶୋଭା-ସମ୍ଭ୍ରମ ଅକ୍ଷତ ରଖିଛନ୍ତି । ଏହାର କାରଣ ଆଲୋଚନା କରିବାକୁ ଯାଇ ନନୀ ଓ ମୋ ଭିତରେ ମତଭେଦ ଘଟିଚି । ନନୀର ଧାରଣା, ୟାଙ୍କ ଅପାଙ୍ଗଭଙ୍ଗୀରେ ତିର୍ଯ୍ୟଗ୍‌ଦୃଷ୍ଟି ଖେଳା କରେ ବୋଲି, ଅର୍ଥାତ୍ ଲକ୍ଷ୍ମୀଦେବୀଙ୍କଭଳି ସେ ଟିକିଏ ଟେରୀ ବୋଲି, ତାର ଇତସ୍ତତଃ ସଞ୍ଚାଳନକୁ ସୂର୍ଯ୍ୟଦେବ ଭୟ କରିବାକୁ ସୌରବର୍ଷର ପ୍ରଭାବ ତାଙ୍କ ଉପରେ ପଡ଼ି ନାହିଁ । ମୋ ମତରେ, କଥାଟା ତା ନୁହେଁ । ୟାଙ୍କ ଅଧରପ୍ରାନ୍ତରେ ଗୋଟିଏ କଳା ତିଳ ସଦର୍ପେ ନିତ୍ୟନିୟତ ବିରାଜ କରୁଥିବାରୁ ସେଇ ପ୍ରତିଦ୍ୱନ୍ଦୀର ସମାଦର ଦେଖି ସୂର୍ଯ୍ୟଦେବ ଈର୍ଷାରେ ପ୍ରତିଦିନ ମ୍ଳାନ ଭାବରେ ତାଙ୍କଠାରୁ ବିଦାୟ ନିୟନ୍ତି । ନିଜ ବ୍ୟର୍ଥତାରେ ଯିଏ ମଳିନ ସେ ବା ଅନ୍ୟକୁ ଖର୍ବ କଅଣ କରିବ !

 

ସେ ଯାହାହେଉ, ସବୁଠୁ ବଡ଼ କଥା ହେଲା, ଶ୍ୟାମଲାଲ୍‍ଜୀଙ୍କ ଭଳି ଶୁଦ୍ଧ ସାତ୍ତ୍ୱିକ ଗୁରୁଙ୍କ ପ୍ରଚ୍ଛନ୍ନ ସ୍ନେହାଶୀର୍ବାଦର ପୂତ ଧାରାବର୍ଷଣ ୟାଙ୍କ ଜୀବନ ଉପରେ ଥିଲା । ଏଇ କୋମଳସ୍ୱଭାବ ବିନୟନମ୍ର କଳାନିପୁଣ ସ୍ତ୍ରୀଚରିତ୍ର ସେଇ ସୁକୃତିର ସଦ୍‌ବ୍ୟବହାର କରିଯାଉଛନ୍ତି । ଆଖିର ସୁର୍‍ମା ଭଳି ସେଇ ରକ୍ଷାକବଚଟି ସଯତ୍ନେ ଧାରଣ କରି ସେ ଶିଳ୍ପୀଜୀବନ ଯାପନ କରିଯାଇଛନ୍ତି । ଏକଥା ଆମେ ବରାବର ଦେଖିଆସିଚୁ । ୟାଙ୍କୁ ଏବଂ ୟାଙ୍କଭଳି ଆଉ କେତେଜଣ ବିଦଗ୍‌ଧା ମହିଳାଙ୍କୁ ଆମେ ଆନ୍ତରିକ ଶ୍ରଦ୍ଧା କରୁଥିଲୁଁ । ସେମାନଙ୍କ ପ୍ରତିଭା ପାଇଁ ଖାଲି ନୁହେଁ, ସାମାଜିକ ଜୀବନରେ ସେମାନଙ୍କ ସୁଶୀଳତା ଓ ପରିପୂର୍ଣ୍ଣତା ପାଇଁ । ସ୍ତ୍ରୀ ହେଉନ୍ତୁ ବା ପୁରୁଷ ହେଉନ୍ତୁ, ସଙ୍ଗୀତ-ଶିଳ୍ପୀ ଜୀବନରେ ସେଭଳି ରକ୍ଷାକବଚର ପ୍ରଭାବ ନଥିଲେ ଆଧିଭୌତିକ ବିପଦଜାଲରେ ପଡ଼ି ଜୀବନର ବ୍ରତ ସ୍ଖଳିତ ହୁଏ, ପ୍ରତିଭାର ଦ୍ୟୋତନା ଅକାଳେ କ୍ଷୟ-ମଳିନ ହୋଇଯାଏ । ସୁଦୀର୍ଘ ଚଉଦବର୍ଷକାଳ ଆମେ ଆଗ୍ରାଓୟାଲୀଙ୍କୁ କୃତିତ୍ୱ ଲକ୍ଷ୍ୟ କରିବାର ସୁଯୋଗ ପାଇଚୁଁ । ଦିନେ ହେଲେ ବି ତାଙ୍କ ଜୀବନରେ ଆମେ ଆବିଳତା ବା ପ୍ରତିଭାର ଦୈନ୍ୟ ଦେଖିବାକୁ ପାଇନୁ । ଶ୍ୟାମଲାଲ୍‍ଜୀ କହୁଥିଲେ, ଏମାନେ ହେଲେ ଗନ୍ଧର୍ବ ବିଗ୍ରହ । ଏମାନଙ୍କୁ ସମ୍ମାନ ଦେବ । ତା’ହେଲେ ବୁଝିବ ୟାଙ୍କ ଜୀବନର ମାହାତ୍ମ୍ୟ ଓ ସାର୍ଥକତା ।

 

ସେତେବେଳେ ଅବଶ୍ୟ ଗୁରୁଜୀଙ୍କ କଥାର ମର୍ମ ହୃଦୟଙ୍ଗମ କରିପାରି ନ ଥିଲି । କିନ୍ତୁ ତାଙ୍କ ଆଦେଶ ପାଳନ କରିଚି ଆଜୀବନ । ବୋଧହୁଏ ସେଇ କାରଣରୁ ପରେ ଯେତେବେଳେ ‘ସଙ୍ଗୀତ ରତ୍ନାକର’ ପଢ଼ିଲି ସେ ଉପଦେଶର ମର୍ମ ହୃଦୟଙ୍ଗମ କରିପାରିଲି ।

 

ମାଲ୍‌କା ସହିତ ଯେଉଁ ଭଦ୍ରଲୋକ ଆସିଥିଲେ ତାଙ୍କ ଚେହେରାର ପରିପାଟି ଦେଖି ନନୀ ନାସ ନେଉ ନେଉ ଚୁପ୍ କରି କହିଲା, ଖାସା ଚେହେରା ବାଗେଇଚି ଏକା ! ତା’ପରେ ସାଙ୍ଗେ ସାଙ୍ଗେ ସେ ମାଲ୍‌କା ସହିତ ଶାନ୍ତ-ଶିଷ୍ଟ ଭାବରେ କଥାବାର୍ତ୍ତା କଲା ।

 

ମୁଁ ଭାବୁଥିଲି, ଏ ମହାଶୟ କିଏ ? ଅର୍ଥାତ୍ କିଏ ହୋଇପାରନ୍ତି ? ମୁଣ୍ଡରେ ଥିଲା ୟାଙ୍କର ଲାଲ୍ ମଖ୍‌ମାନ୍‌ର ଜରୀଦାର ଟୋପି, ଅତି ମନୋରମ ଭାବରେ ଡାହାଣକୁ ଟିକିଏ ତେରେଛା ଭାବରେ । ଦେଖି ମନେହେଉଥିଲା ଏ ବୋଧହୁଏ ଦିଲ୍ଲୀ-ଲକ୍ଷ୍ନୌ ଅଞ୍ଚଳର ଲୋକ ହେବେ । ମୁସଲମାନ ତ ନିଶ୍ଚୟ । ବୋଧହୁଏ ଆଗ୍ରାଓୟାଲୀଙ୍କ ଆତ୍ମୀୟ । ୟାଙ୍କ ଚୌକଶ ମୁଖମଣ୍ଡଳରେ ଯୌବନର ଉଜ୍ଜ୍ୱଳ ଦୀପ୍ତି । ସେ ଭରା ଯୌବନର ପ୍ରଥମ ବନ୍ଧଟି ଥିଲା ଓଷ୍ଠାଧରର ସଂଯତ ରେଖାରେ । ଦ୍ୱିତୀୟଟି ଥିଲା ସୁଠାମ ମସୃଣ ଚିବୁକ ତଳେ ଗୋଟିଏ ଗାମ୍ଭୀର୍ଯ୍ୟପୂର୍ଣ୍ଣ ରେଖାରେ । ଆଖିରେ ଥିଲା ମୁକୁଳିତ ଦୃଷ୍ଟି । ଦୃଷ୍ଟି ଭିତରେ ଥିଲା ଭାବଗମ୍ଭୀର ପରିଚୟ । ଆନ୍ତରିକ ଚଟୁଳତା ଯଦିବା ସାମାନ୍ୟ ପ୍ରକାଶ ପାଉଥିଲା ତା ଥିଲା କେବଳ ନିଶ ଅଗରେ । ପିନ୍ଧିଥିଲେ ସେ ସବୁଜ ରଙ୍ଗର ପତଳା ଲମ୍ବା କୋଟ । ଘଡ଼ିଚେନ୍‌ଟି ଛାତିର ଗୋଟିଏ ବୋତାମରୁ ଚୋରା ପାକିଟ ପର୍ଯ୍ୟନ୍ତ ପ୍ରତିପଦା ଚାନ୍ଦଭଳି ଝୁଲୁଥିଲା । ସେଇ ପକେଟରୁ ଦିଶୁଥିଲା ହଳଦିଆ ରୁମାଲର କୁସୁମୋଚ୍ଛ୍ୱାସ । ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ଥିଲା ଗୋଟିଏ ମାତ୍ର ପଥରବସା ମୁଦି-। ସେ ସମୟରେ ପଶ୍ଚିମା ସୌଖୀନ ପୁରୁଷଙ୍କ ପକ୍ଷରେ ଏ ବିଷୟରେ ବାହୁଲ୍ୟହିଁ ଥିଲା ଚଳଣି-। ସେମାନଙ୍କ ଆଙ୍ଗୁଳି ସବୁ ଦେଖିଲେ ମନେହେଉଥିଲା ମଣିମାଣିକ୍ୟର ଚଳନ୍ତା ଦୋକାନଟିଏ-। ତେଣୁ ୟାଙ୍କର ଭାବ, ରୂପ ଓ ବର୍ଣ୍ଣସଜ୍ଜାରେ ସୌଷ୍ଠବ ସାମଞ୍ଜସ୍ୟ ଦେଖି ମନେ ମନେ ପ୍ରଶଂସା କରିଥିଲି ।

 

ସେଇ ସୁନ୍ଦର ଛବି ଏପର୍ଯ୍ୟନ୍ତ ବି ମୋ ମନରେ ସ୍ପଷ୍ଟ ଅଙ୍କିତ ଅଛି । ବିଶେଷକରି ଏହି କାରଣରୁ ଯେ ମାଲ୍‌କା ପାଖରେ ସେ ମୂର୍ତ୍ତିଟି ଭାରି ଭଲ ଲାଗିଥିଲା ! ତରୁଣ ବୟସରେ ଦେଖିବାକୁ ଭଲ ଲାଗିବାଟା ଗୋଟାଏ ବଡ଼ ଉପଭୋଗ ।

 

ମାଲ୍‌କା ଓ ନନୀ କଥାବାର୍ତ୍ତା କରୁଥିଲେ । ମୁଁ ଚୁପ୍‌ କରି ବସିଥିଲି । ଶ୍ୟାମଲାଲ୍‍ଜୀଙ୍କ ବୈଠକରେ ଗୋଟାଏ ନିୟମ ଥିଲା– ବୈଠକର ପ୍ରଧାନ ବ୍ୟକ୍ତି, ବିଶେଷତଃ କୌଣସି ବାଈଜୀ କଥୋପକଥନ କରୁଥିବାବେଳେ ଅନ୍ୟମାନଙ୍କ ପକ୍ଷରେ ପୃଥକ୍‌ଭାବେ କଥାବାର୍ତ୍ତା କରିବା ଅଶିଷ୍ଟତା-। ଆଗନ୍ତୁକ ଭଦ୍ରଲୋକଟି ସମାହିତ ଭାବରେ ବସିରହିଲେ । ମୁଁ ବି ନିର୍ବାକ୍ । କିନ୍ତୁ ମନ ବ୍ୟସ୍ତ ତାଙ୍କ ସହିତ କଥାବାର୍ତ୍ତା କରିବାକୁ ।

 

ପ୍ରାୟ ଦୁଇ ତିନି ମିନିଟ ପରେ ଦେଖିଲି ନନୀ ‘ମାଶେଆଲ୍ଲା’ କହି ମାଲ୍‌କାର ପ୍ରଶଂସା କରୁଚି । ଓଠକଡ଼ରେ ସେଇ ତିଳ କଥା କହି ସକଳଙ୍କ ଚନ୍ଦ୍ରର ଉପମା ଦେଇ ବେଶ୍ ଜମେଇ ଦେଇଥାଏ । ସେ ‘ମାଶେଆଲ୍ଲା’ ବଚନଦ୍ୱାରା କାହାରି ଗୁଣ ବର୍ଣ୍ଣନାରେ ପୁଟ ଦେବାର ଅର୍ଥ ହେଉଚି ଭଗବାନଙ୍କ କୃପାଦୃଷ୍ଟି ଆକର୍ଷଣ କରି ସେଇ ପାର୍ଥିବ ଗୁଣକୁ ମଣିଷର କୁଦୃଷ୍ଟିରୁ ଘୋଡ଼ାଇ ରଖିବା-। ମାଲ୍‌କା ସତର୍କ ଭାବରେ ହସ ଚାପି ନନୀ କଥା ଶୁଣିଯାଉଥିଲେ । କାରଣ, ଅନ୍ୟ ଉପାୟ ନ ଥିଲା ସେ ଆମ ଦି’ଜଣଙ୍କୁ ଯେମିତି ଭଲକରି ଜାଣନ୍ତି, ନନୀକୁ ସେମିତି ଭଲକରି ଚିହ୍ନନ୍ତି-। ଗୋଟିଏ ବାକ୍ୟରେ କାହାକୁ ଆକାଶକୁ ଉଠାଇଦେଇ ପରବାକ୍ୟରେ ତାକୁ ପାହାଡ଼ତଳକୁ ପକାଇଦେବାର କ୍ଷମତା ନନୀ ଭଳି କାହାରି ନଥିଲା । ଦେଖିଲି, ଭଦ୍ରଲୋକଟି କଥାବାର୍ତ୍ତାର ସୁର ଓ ପରିହାସ ବେଶ୍‌ ଉପଭୋଗ କରୁଛନ୍ତି । ତାଙ୍କ ନିଶର ଅଗ ବେଶ୍ ଚଞ୍ଚଳ । ମୁହଁରେ ଗୋଟାଏ ହାଲୁକା ଆଭା-

 

ନନୀ କଥାବାର୍ତ୍ତାର ସୁରକୁ ହଠାତ୍ ବଦଳାଇଦେଲା । ପ୍ରଶଂସା କରୁ କରୁ ହଠାତ୍ ଖେଦ ଓ ଅଭିମାନର ଖାଦସୁର ଆରମ୍ଭ କରି କହିଲା, ଭଗବାନ ଆପଣଙ୍କୁ ଅନେକ ଗୁଣ ଦେଇ ଉପରୁ ଲକ୍ଷ୍ୟ କରୁଛନ୍ତି ଆପଣ ଖୟରାତ୍-ଜକାତ୍ କରୁଛନ୍ତି କି ନା । ଆମର ତ ମନେହୁଏ ଆପଣଙ୍କ ଦିଲ୍‌ ପଥରରେ ଗଢ଼ା । ଲୁହାର ହୋଇଥିଲେ ତ ଉତ୍ତାପରେ ତରଳିଯାଆନ୍ତା ।

 

ଏତକ କହି ଭଦ୍ରଲୋକଙ୍କ ଆଡ଼େ ଚାହିଁ କହିଲା, ଆପଣଙ୍କ ନିଶ ଦେଖି ତ ମନେହୁଏ ଆପଣ ସମଝ୍‌ଦାର । କୁହନ୍ତୁ ତ ମୁଁ ଠିକ୍ କହିଲି କି ନା ।

 

ନିଶରୁ ସମଝ୍‌ଦାରୀର ପରିଚୟ ମିଳେ କି ନା, ମାଲ୍‌କାର ହୃଦୟର ସ୍ୱରୂପଟି ତାଙ୍କୁ ଅବଗତ ଅଛି କି ନା, ଅଥବା ଖୟରାତ୍ ଓ ଜକାତ୍ ଭିତରେ କି ସୂକ୍ଷ୍ମ ପାର୍ଥକ୍ୟ ଅଛି– ଏସବୁ ବିଷୟ ବ୍ୟାଖ୍ୟା କରି ସେପ୍ରକାର ପ୍ରହେଳିକାର ସରଳ ଉତ୍ତର ଦେବାକୁ ଚେଷ୍ଟା କଲେ ତ ରସଭଙ୍ଗ ହେବ । ପୁଣି ଉତ୍ତର ନ ଦେଲେ ହେବ ଅରସିକତା । ଭଦ୍ରଲୋକ ସେଇ ସୁର ମିଳାଇ ନନୀକୁ ସମର୍ଥନ କରି କହିଲେ, ସେ ବିଷୟରେ ତ ତିଳେ ମାତ୍ର ସନ୍ଦେହ ନାହିଁ । ଏ ଯଦି ଅନୁମତି ଦେବେ ତ କସମ୍ ଖାଇ ମୁଁ ଏ କଥା କହିବାକୁ ପ୍ରସ୍ତୁତ ଅଛି ।

 

ଦେଖି ଆଶ୍ୱସ୍ତ ହେଲି ଯେ ଖାଲି ନିଶ ଅଗରେ ନୁହେଁ, ସେଇ ସମଗ୍ର ଗମ୍ଭୀର ମୁଖଶ୍ରୀରେ ଝଲକାଏ କୌତୁକ ଖେଳିଗଲା ।

 

ମାଲ୍‌କା ଥିଲେ ଭାରି ସରଳ ପ୍ରକୃତିର ଲୋକ । ପରିହାସର ଆବେଦନକୁ ସତ ଅଭିଯୋଗ ଭାବି ସେ ତ୍ରସ୍ତ ହୋଇଯାଆନ୍ତି । ଅବଶ୍ୟ କ୍ଷଣକ ପାଇଁ । ସେଥିରେ ପୁଣି ସେ ଥିଲେ ଧର୍ମପ୍ରାଣ । ସେଇ ଯେ ଭଗବାନଙ୍କ ନାମ ଓ ଖୟରାତ୍-ଜକାତ୍‌ର ଉଲ୍ଲେଖ ହେଲା ସେଥିରେ ତ୍ରସ୍ତ ହୋଇ ସେ କହିଲେ, କାହିଁକି ଡାକ୍‌ଟରବାବୁ ! ମୁଁ କଅଣ ଅପରାଧ କରିଛି ଯେ ଆପଣ ମୋର ବଦନାମ କରୁଛନ୍ତି ? ବିନୟ-ବିସ୍ମୟ ଦୃଷ୍ଟିରେ ଆମ ଆଡ଼େ ଚାହିଁ ଆମକୁ ମଧ୍ୟ ସେ ନୀରବ ପ୍ରଶ୍ନଟି ଜଣାଇଲେ ।

 

ନନୀ ଉତ୍ତର ଦେଲା, ତା’ହେଲେ ପରିଷ୍କାର କରି କଥା କୁହେଁ । ଭଦ୍ରଲୋକଙ୍କୁ ମଧ୍ୟସ୍ଥ ମାନି ସେ ଅଭିମାନ ସୁରରେ କହିଲା, ଜନାବ, ଆପଣହିଁ ବିଚାର କରନ୍ତୁ । ମାତ୍ର କିଛିଦିନ ତଳେ ସେ ନିଜ ଘରେ ମୌଜୁଦ୍‌ଦୀନଙ୍କ ଜଲ୍‌ସା କଲେ । କିନ୍ତୁ କେଜାଣି କାହିଁକି ସେ ଏଇ ଅଭାଗା ଉପରେ ରାଗି ନିମନ୍ତ୍ରଣ କଲେ ନାହିଁ । କଅଣ ଆଉ କହିବି, ଜନାବ୍ !

 

ତା’ପରେ ଡାହାଣ ହାତରେ ମାଲ୍‌କାଙ୍କୁ ନିର୍ଦ୍ଦେଶ କରି ତା’ର କଥାର ସୁଅ ଛୁଟିଲା, ଆମେ ୟାଙ୍କ ନାଜ୍‌ବର୍‌ଦାର୍ ଚିରଦିନ । ହୁକୁମ ନୁହେଁ, ଆଖିର ଇସାରା ବି ଦରକାର ନାହିଁ, ଥରେ ମାତ୍ର ଇୟାଦ୍ କରିବା ମାତ୍ରକେ ଆମ କଲିଜା ଥରିଉଠେ । ମନେକରନ୍ତୁ ଚଢ଼େଇ ଗୋଡ଼ରେ ଅଠା ଲାଗିଲେ ସେ ଯେମିତି ହୁଏ ସେଇଭଳି । ଆପଣଙ୍କୁ ହସ ମାଡ଼ୁଚି ସତ, ହେଲେ ଆମ ପକ୍ଷରେ ଏଟା ପରିହାସର କଥା ନୁହେଁ, ଜୀ । ହାଁ ! ସେକଥା ଥାଉ । ମୁଁ ତ ଆଉ ଝଗଡ଼ା କରିବି ନାହିଁ ।

 

ଖୁବ୍ ଉଦାସ ଭାବରେ କିଛିକ୍ଷଣ ଉପରକୁ ଚାହିଁ ପୁଣି ସେ କହିଚାଲିଲା, ପରମେଶ୍ୱର ୟାଙ୍କୁ ଏଇ ମିଜାଜ୍‌ ଦେଇ ବଞ୍ଚାଇ ରଖନ୍ତୁ । ମୋର ମାଗୁଣି ଏତିକି । ମୋ ଶ୍ୱାସ ଯେବେ ଛାତି ଭିତରୁ ଆସି ଓଠରେ ରହିବ ସେଇ ଅସ୍ଥିର ମୁହୂର୍ତ୍ତରେ ମୁଁ ଏତିକି ମାତ୍ର ଶୁଣିବାକୁ କାନ ଡେରିଥିବି– ମାଲ୍‌କା ଭଲ ଅଛନ୍ତି, ଭୟ କରନା । ମୋ କାନ ସେଇ କଥାଟି ମୋ ହୃଦୟରେ ପହଞ୍ଚାଇ ଦେବା ପରେ ମୋର ଆଖେରୀ ଦମ୍ ବାହାରିଯାଉ । ବାସ୍, ଏତିକି ! କହି ଗୋଟାଏ ମଧ୍ୟମ ଧରଣର ଦୀର୍ଘନିଃଶ୍ୱାସ ପକାଇ ନନୀ ବନ୍ଦ ହେଲା ।

 

ବକ୍ତବ୍ୟ ସ୍ରୋତରେ ଯେତେବେଳେ ଚଢ଼େଇ ଗୋଡ଼ରେ ଅଠା ଉପମାଟି ଦେଖା ଦେଇଥିଲା ସେତେବେଳେ ଉଦ୍ୟତ ହସକୁ ଭଦ୍ରଲୋକ ସମ୍ଭାଳି ନେଇଥିଲେ । କାରଣ, ସେ ବିଚାରକ । ଶେଷଆଡ଼କୁ ସେ ଟିକିଏ ବିସ୍ମିତ ହେଲାପରି ମନେ ହୋଇଥିଲା । ହୁଏତ ତାଙ୍କର ମନେହୋଇଥିଲା ଖାସ୍ ବଙ୍ଗଳାରେ ବଙ୍ଗାଳୀ ଟୋକା ମୁହଁରେ ଯଦି ଆଶକ୍-ମାଶୁକ୍‌ର ରଗଡ଼ ଶୁଣିବାକୁ ହେଲା ତେବେ କପାଳରେ ଆଉ କଅଣ ଅଛି କିଏ ଜାଣେ ! ମାଲ୍‌କାର ମୁହଁର ଭାବ ବର୍ଣ୍ଣନା କରିବାର ଭାଷା ନାହିଁ । ହର୍ଷ, ଲଜ୍ଜା ଓ ବିସ୍ମୟ ଭିତରୁ କେଉଁ ଭାବଟି ବେଶି, କେଉଁଟି କମ୍ ବୁଝିପାରିଲି ନାହିଁ ।

 

ବାଦୀ ପକ୍ଷର, ଅର୍ଥାତ୍ ନନୀର ବକ୍ତବ୍ୟ ଶେଷ ହେବା ପରେ ଯେଉଁ ସାମାନ୍ୟ ଅବକାଶ ମିଳିଥିଲା ସେଥିରେ ଭଦ୍ରଲୋକ ନନୀର କଥାଖିଅ ଧରି କହିଲେ, ମାଶେଆଲ୍ଲା । ଡାକ୍‌ଟାର୍ ସାବ୍ ! ପରମେଶ୍ୱର ଆପଣଙ୍କ ଦିଲ୍ ଆଓର୍ ଜବାନ୍‌କୁ ବଞ୍ଚେଇ ରଖନ୍ତୁ । କାରଣ, ଆପଣ ୟାଙ୍କର ଯେଉଁ ନକ୍‌ସା ଆଙ୍କିଲେ ତାହାର ଜବାବ୍ ନାହିଁ । ଆପଣ ବଞ୍ଚି ନ ରହିଲେ ୟାଙ୍କ ଦିଲ୍‌ର ଅଜବ୍ ଖବର ଆଉ କିଏ ପ୍ରଚାର କରିବ, କୁହନ୍ତୁ ତ !

 

ତତ୍‌କ୍ଷଣାତ୍ ନନୀ ଖୁବ୍ କାଇଦାମାଫିକ୍ ତୋତା ଭଳି ମୁଣ୍ଡ ହଲାଇ ସଲାମ କଲା । ଦି’ହାତ ସଲାମ । ବିଚାରକ ଯେ ରସିକ ସୁଜନ ଏଥିରେ ଆଉ ସନ୍ଦେହ ରହିଲା ନାହିଁ ।

 

ଅତିଶୟୋକ୍ତି ପାଇଁ ହେଉ ବା ମିଥ୍ୟା ଦୋଷାରୋପର ଜ୍ୱଳନ୍ତ ବର୍ଣ୍ଣନା ପାଇଁ ହେଉ ମାଲ୍‌କା ଟିକିଏ ଲଜ୍ଜା ପାଇବାକୁ ଲାଗିଲେ । କିନ୍ତୁ ସେ ଲଜ୍ଜା ଥିଲା ସୁଶୋଭନ । ତା ଅନ୍ତରାଳରେ ଥିଲା ନିଶ୍ଚୟ ଆତ୍ମପ୍ରସାଦ । ତଥାପି ଦୋଷମୋଚନ ପାଇଁ ସେ କହିଲେ, ଏ କଅଣ କହୁଛନ୍ତି ଡାକ୍‌ଟରବାବୁ ! ଆପଣ ମୋତେ ନାହକ୍ ଲଜ୍ଜା ଦେଉଛନ୍ତି । ଖୋଦାଙ୍କ କସମ୍, ମୁଁ ତ ପାଁଚୁବାବୁଙ୍କ ଜରିଆରେ ଆପଣଙ୍କୁ ନିମନ୍ତ୍ରଣ ପଠାଇଥିଲି । ପାଁଚୁବାବୁ କଅଣ ତା ପହଞ୍ଚାଇ ନାହାଁନ୍ତି ? କହି ସେ ମୋ ଆଡ଼େ ସପ୍ରଶ୍ନ ଦୃଷ୍ଟି ଦେଲେ ।

 

ବ୍ୟାପାରଟି ଏଠି ପରିଷ୍କାର କରିଦେବା ଉଚିତ । ମାଲ୍‌କାଙ୍କ କଥା ସତ । ମୁଁ ମଧ୍ୟ କର୍ତ୍ତବ୍ୟ ପାଳନ କରିଛି । ଶାରୀରିକ ଅସୁସ୍ଥତା ଯୋଗୁଁ ନନୀ ସେ ମଇଫିଲ୍‌କୁ ଯାଇପାରି ନ ଥିଲା । କିନ୍ତୁ ନନୀ ସେ ସତ୍ୟକୁ ଦବାଇଦେଇ ଛନ୍ଦକଳହ ଆରମ୍ଭ କରିଦେଇଚି ବର୍ତ୍ତମାନ । କିନ୍ତୁ ମାଲ୍‌କା ମୁକାବିଲାର ଚେଷ୍ଟା କଲେ ବି ନନୀ ଦବିଯିବା ପାତ୍ର ନୁହେଁ । ନନୀ ପୁଣି ଭଦ୍ରଲୋକଙ୍କ ଆଡ଼େ ଚାହିଁ କହିଲା, ଦେଖିଲେ ଜନାବ୍, ୟାଙ୍କ ଅକ୍‌କଲ ଆଉ ଛଳନାକୁ ଦେଖିଲେ ତ ! ବାଃ, ଏଇ ପାଁଚୁ ହେଲା ରକୀବ୍ ! ଆଉ ସେଇ ରକୀବ୍‌ର ମୁହଁ-ପିୟାଲାରେ ମୋତେ ପିପାସା ମେଣ୍ଟାଇବାକୁ ପଡ଼ିବ । ହା’ରେ ଅଦୃଷ୍ଟ !

 

ନନୀର ବକ୍ତବ୍ୟ ହେଲା, ସେବା ଓ ସ୍ନେହ ବିଷୟରେ ଯେଉଁ ପରିକରଟି ତା’ର ପ୍ରତିଦ୍ୱନ୍ଦୀ ସେଇ ହେଲା ରକୀବ୍ ! ନନୀ କପାଳରେ ହାତ ଦେଇ ମୁଣ୍ଡ ତଳକୁ ପୋତି ବସିଲା ।

 

ଏହା ପରେ ଆଉ ମକଦ୍ଦମା ଚାଲେନା । ଆମୋଦ ଓ ପରିତୋଷ ମଧ୍ୟରେ ଦେଖିଲି ଭଦ୍ରଲୋକଙ୍କ ମୁହଁରେ ଅପରିଚୟର ସଙ୍କୋଚ ବା ଭାବୀ ପରିଚୟର ସମ୍ଭ୍ରମ ବୋଲି ଯାହା ଥିଲା ସବୁ ଧୋଇ ସଫା ହୋଇଯାଇଛି ମନଖୋଲା କଥାର ଅବିରଳ ବର୍ଷଣରେ ।

 

ଟିକିଏ ସଂଯତ ଭାବରେ ସେ ରାୟ ଦେଲେ, ଡାକ୍‌ଟାର୍ ସାହେବଙ୍କ ଜୟ । ମାଲ୍‌କାବିବି ହାରିଗଲେ କହି ସେ ମାଲ୍‌କାଙ୍କ ଆଡ଼େ ଅନେଇଲେ । ତାଙ୍କ ମୁହଁରେ ହସର ଆଭା ନ ଦିଶୁଥିଲେ ବି ଆଖିରେ ଥିଲା ।

 

ମାଲ୍‌କା ବୋଧହୁଏ ଅପିଲ କରିବାକୁ ଯାଉଥିଲେ । କିନ୍ତୁ ନନୀ ତାଙ୍କ ମୁହଁ ବନ୍ଦ କରିଦେଲା ଗୋଟିଏ ଗଜଲ୍‌ର ପ୍ରଥମ ପଦଟି ଗାଇ :

 

ରକୀବ୍‌ର ଯୋ ଭୟୋ ବୋସୋ କରାର୍ ହ୍ୟାୟ ।

ଜଲାଜଲାକେ ହମେଁ ବେକରାର୍ କର୍‌ତେ ହ୍ୟାଁୟ ।।

 

ଧାରରେ କାଟୁ ବା ଭାରରେ କାଟୁ, ଗଜଲ୍‌ଟି ସେତେବେଳେ ଶ୍ରେଷ୍ଠ ଶିଳ୍ପୀମାନଙ୍କ କଣ୍ଠରେ ଶାଣିତ ହୋଇ ଝକଝକ କରୁଥାଏ ।

 

ଧାର ଦିଗରୁ, ଅର୍ଥାତ୍ ମାଟିର ମଣିଷର ମନ ଯେଉଁଥିରେ କାଟି ହୋଇଯାଏ ସେଇ ଦିଗରୁ, ଗଜଲ୍‌ଟିର ଭାବାର୍ଥ ହେଉଚି ଏହିପରି : କୌଣସି ହତାଶ ପ୍ରଣୟୀ କ୍ଷୋଭର ସାଂପ୍ରତିକ କାରଣ ଗୋଟିଏ ଉଲ୍ଲେଖ କରି କହୁଛି– ଲୋକମୁଖରେ ଶୁଣିଲି, ମୋର ପ୍ରେମାସ୍ପଦ ମୋ ପ୍ରତିଦ୍ୱନ୍ଦୀ ସହିତ ଚୁମ୍ୱନ ବିନିମୟ କରିଛନ୍ତି । ସେ ମୋତେ ଜଳାଇ ଜଳାଇ ପରଖି ଦେଖୁଛନ୍ତି, ମୁଁ ମୋର କରାର୍‌ ଅର୍ଥାତ୍ ପ୍ରତିଶ୍ରୁତିରୁ ବିଚ୍ୟୁତି ହେଉଛି କି ନା । ଲକ୍ଷଣା ଅନୁସାରେ କବିଙ୍କ ଭାବଟି ହେଉଚି– ଗୋଟାଏ ଅକୁହା ପ୍ରତିଶ୍ରୁତି ଥିଲା ଯେ ସେ ମୋତେ ଯେତେ ଦହନ କରନ୍ତୁ ନା କାହିଁକି ମୁଁ ତାଙ୍କୁ ଭୁଲିବି ନାହିଁ । କୌଣସି ପ୍ରକାରେ ମୋତେ ଯେତେବେଳେ ପ୍ରତିଶ୍ରୁତି-ଚ୍ୟୁତ କରାଇପାରିଲେ ନାହିଁ ସେତେବେଳେ ସେଇ ଚରମ ସମ୍ୱାଦଟି ସେ ମୋ ଗୋଚର କରାଇଲେ । ହେଲେ ମୁଁ ସଂସାରକୁ ଜଣାଇଦେଉଚି, ସେଥିରେ ମୁଁ ପ୍ରତିଶ୍ରୁତି-ଚ୍ୟୁତ ହେବି ନାହିଁ, କାରଣ, ମୁଁ ବିଶ୍ୱାସ କରେ ନା ଯେ ସେ ମୋ’ ଠାରୁ ମୋ ପ୍ରତିଦ୍ୱନ୍ଦୀକୁ ବେଶି ଭଲ ପାଆନ୍ତି । ମୁଁ ମନେକରେ ଯେ ମୋର ପ୍ରେମକୁ ଦହନ କରି ଅଧିକ ଉଜ୍ଜ୍ୱଳ କରିବାପାଇଁ ସେ ମୋ ପ୍ରତିଦ୍ୱନ୍ଦୀକୁ ଚୁମ୍ୱନ ଦେଇଛନ୍ତି । ତା ନ ହେଲେ ପ୍ରତିଦ୍ୱନ୍ଦୀକୁ ଚୁମ୍ୱନ ଦେଇଥିବା ଖବରଟି ମୋତେ ଜଣାଇବାକୁ ତାଙ୍କର ଏତେ ଆଗ୍ରହ କାହିଁକି ହୁଅନ୍ତା ! ସେ ନିଶ୍ଚୟ ମୋ କଥା ଭାବନ୍ତି, ଯଦିଓ ତାଙ୍କ ରୀତି ବିଚିତ୍ର !

 

ମଣିଷ ମାଟିରେ ଗଢ଼ା । ମାଟିର ମନ ଯେତେବେଳେ ଶୁଖି ଝରି ପଡ଼ୁଥାଏ ସେତେବେଳେ ଏପରି ଅର୍ଥ ବ୍ୟର୍ଥ ହୁଏ । କିନ୍ତୁ ଭାରଟି ଥାଏ । ଏହି ଭାର ଦିଗରୁ ଗଜଲ୍‌ଟିର ଅର୍ଥ ହେଉଚି– ଭଗବାନଙ୍କୁ ଆମେ ଭଲ ପାଉ, ସେବା କରୁ । କିନ୍ତୁ ମୁଁ କୁଡ଼ିଆ ଘରେ ଦିନ କାଟୁଚି । ମୋ ପ୍ରତିବେଶୀ ସୁଖସମୃଦ୍ଧି ଭିତରେ ଆନନ୍ଦରେ ଅଛି । ଏ କଥାଟା ମୋତେ ଭାରି ବାଧୁଚି, ସନ୍ଦେହ ନାହିଁ । କିନ୍ତୁ ତଥାପି ମୁଁ ତାଙ୍କୁ ଭୁଲିପାରୁ ନାହିଁ । କାହିଁକି ନା, ସେ ଇଚ୍ଛା କରିଥିଲେ ତ ମୋତେ ଅନ୍ଧ ବଧିର କରିଦେଇ ପାରିଥାନ୍ତେ । ତା ହେଲେ ତ ପ୍ରତିବେଶୀର ସୁଖସମୃଦ୍ଧି ମୁଁ ଦେଖି ବା ଶୁଣି ପାରନ୍ତି ନାହିଁ । କିନ୍ତୁ ତା ତ ସେ କରି ନାହାନ୍ତି । ସେ ଚାହାନ୍ତି ଯେ ମୁଁ ସେଇ ଆପାତମର୍ମାନ୍ତିକ ସଂବାଦ ପାଏ । ତା ହେଲେ ସେ ମୋତେ ନିଶ୍ଚୟ ମନେରଖିଛନ୍ତି । ଖାଲି ପରୀକ୍ଷା କରି ଦେଖୁଛନ୍ତି ମୁଁ ତାଙ୍କୁ ଭୁଲି ଯାଉଚି କି ନା ।

 

ଏ ଭାବକୁ ଭାର କହୁଚି ଏହି କାରଣରୁ ଯେ ଏ ଭାବଟି ମନକୁ ଆସିଲେ ମୁଣ୍ଡ ଆପେ ଆପେ ନାଇଁଯାଏ ।

 

ଭୀମପଲଶ୍ରୀ ରାଗର ଉପକ୍ରମଣିକାଦ୍ୱାରା ବନ୍ଧା ଏଇ ଗଜଲ୍‌ଟି ଆମେ ଶିଖିଥିଲୁ ଶ୍ୟାମଲାଲ୍‍ଜୀଙ୍କ ପାଖରୁ । ଏହାର ଗାୟକୀ ବୈଶିଶ୍ଟ୍ୟର କିଛିଟା ଆଦାୟ କରିଥିଲୁ ଗଫୁର ଖାଁ ସାହେବଙ୍କ ମୁହଁରୁ । ଗଫୁର ଖାଁ ଥିଲେ ଗୋୟାଲିୟର ଇନାୟେତ୍ ହୁସେନ୍ ଖାଁ ଘରାନାର ଗାୟକ-। ପରେ ଗଣପତ୍ ରାଓ ଭାଇୟାସାହେବଙ୍କ ଶିଷ୍ୟତ୍ୱ ଗ୍ରହଣ କରି ସେ ଠୁମ୍‌ରୀ ଓ ଗଜଲ୍‌ର ଗୀତ-ରୂପ ଏମିତି ପ୍ରକାଶ କରୁଥିଲେ ଯେ ଅତ୍ୟନ୍ତ ସଂକ୍ଷେପରେ କହିଲେ କୁହାଯିବ ତାଙ୍କ ଢଙ୍ଗ ଥିଲା ନିରାଲା (ନିଜସ୍ୱ) ଓ ମଧୁର । ମଝିରେ ମଝିରେ ସେ ଯେତେବେଳେ ଶ୍ୟାମଲାଲ୍‍ଜୀଙ୍କ ବୈଠକକୁ ଆସନ୍ତି ସେତେବେଳେ ଆମେ ଅଫ୍‌ସୋସ୍ କରୁ ଏଇଥିପାଇଁ ଯେ କ୍ରମାଗତ ଅତ୍ୟାଚାର କରି ସେ ତାଙ୍କ କଣ୍ଠମାଧୁର୍ଯ୍ୟ ନଷ୍ଟ କରିଛନ୍ତି ।

 

ନନୀ ପଦୁଟିଏ ଗାଇ ମୋତେ ଗାଇବାକୁ ଇସାରା କଲା । ଆମେ ଗାନ୍‍ ଶିଖୁଥିଲୁ, କିନ୍ତୁ ସୌଭାଗ୍ୟବଶତଃ ଗାୟକ ହୋଇନୁ । ପୁଣି, ଗୁରୁଜୀଙ୍କ ତୀର୍ଥ ଥିଲା ଅନାବିଳ ଆନନ୍ଦର ମହାଦ୍ରୁମ ଯାହା ଛାଇରେ ବସି ଗାନ୍‍ ବଜାନା କରିବାକୁ କେବେହେଲେ ଭୟ ବା କୁଣ୍ଠାବୋଧ କରିନାହୁଁ । ନନୀ ଓ ମୁଁ ସେଇ ପଦଟି ମନ ଆନନ୍ଦରେ ଗାନ୍‍ କରିଥିଲୁ । ନନୀ ଗାନର ଭାଙ୍ଗଟି ଜାହିର୍‌ କଲା । ମୁଁ ତା ଉପରେ କାରିଗରି କରି ସୁରର ଆଲିଂପନ ଦେଇ ଛକ୍‌ ପରିସ୍ଫୁଟ କଲି, ପ୍ରତ୍ୟେକ ଥର ନୂଆ ପ୍ରକାର କରି ।

 

ମାଲ୍‌କା ଆମ କାଣ୍ଡ ନୀରବରେ ଦେଖିଯାଉଥିଲେ । ସେ ବି ସେଇ ପଦଟି ଗାନ କରନ୍ତି-। ଆମେ ତାଙ୍କ କାୟଦା ଅନୁକରଣ କରିନୁ ଏଟା ସେ ଏକ୍ଷ୍ୟ କଲେ । ନନୀ ଆଉ ଚୁପ୍‌କରି ରହିପାରିଲା ନାହିଁ । ଭଦ୍ରଲୋକଙ୍କ ଆଡ଼େ ଚାହିଁ କହିଲା, ମନେହେଉଚି ଆପଣଙ୍କ ନିଶ ଫାଙ୍କେ ଫାଙ୍କେ ସୁର ଆସି ପୁଣି ମିଳାଇ ଯାଉଚି । ଏତେବେଳ ଯାଏ ତ ଆପଣ ଆପଣଙ୍କ ଛେଡ଼୍‌-ଛାଡ଼୍ କଥାରେ ଆମ ମନ ହରଣ କରିନେଲେ । ବର୍ତ୍ତମାନ ସୁରନ ଛେଡ଼୍‌-ଛାଡ଼୍ ଟିକିଏ ଲଗାନ୍ତୁ-। ତା ହେଲେ ସିନା ଜାଣିବୁ ଆପଣ ବରାବର୍‌କା ଦୋସ୍ତ । ‘ବରାବର୍‌କା’ର ଅର୍ଥ ସମାନଧର୍ମୀ-। ନନୀ ତାଙ୍କୁ ବି ରକୀବ୍‌ଦଳକୁ ଟାଣିନେବାକୁ ଚାହେ ।

 

ପରିଚିତ ବା ଅପରିଚିତ ଯେ ହେଉ, ବୈଠକରେ ଆମେ କାହାରିକୁ ହେଲେ ଗାନ ପାଇଁ ଅନୁରୋଧ କରିବାକୁ ଦ୍ୱିଧାବୋଧ କରିନାହୁଁ । ଭୟ ବି ନ ଥିଲା । କାରଣ ବେସୁରା ଲୋକ ବୈଠକକୁ ଖୁବ୍ କମ୍ ଆସୁଥିଲେ । ଯଦିବା କେହି କେବେ ଆସୁଥିଲେ କଦାପି ଗାନ କରିବାକୁ ସେ ସାହସ କରି ନାହାନ୍ତି । ଏଟା ଥିଲା ଆମର ମହାଭାଗ୍ୟ ।

 

ଭଦ୍ରଲୋକ ନନୀ କଥାର ଉତ୍ତର ନ ଦେଇ ମାଲ୍‌କା ଆଡ଼େ ଥରେ ଚାହିଁଲେ । ଲକ୍ଷ୍ୟ କଲି ତାଙ୍କ ଆଖି କୋଣରେ ସୁରର ଧ୍ୟାନ ଦେଖାଦେଲାଣି । ଗାୟକର ଆଖିରେ ଗୋଟାଏ ଅଗ୍ନିକୋଣ ଥାଏ । ସେଠାରେ ତାପ ଦେଖାଦେଲେ ଗାନ ନିଶ୍ଚୟ ବାହାରିବ । ତେବେ ଝଡ଼-ଗର୍ଜନ ହେବ ନା ସ୍ନିଗ୍‌ଧ ବର୍ଷଣ ଦେବ କହିବା କଠିନ ।

 

ଅକସ୍ମାତ୍ କ୍ଷଣିକ ଭ୍ରମରଗୁଞ୍ଜନ ଆମ କାନକୁ ଆସିଲା । ଆମେ ପ୍ରସ୍ତୁତ ନ ହେଉଣୁ ଆମ ପ୍ରତ୍ୟାଶାର ଚରମକୁ ଟପି ଯାଇ ତାଙ୍କ କଣ୍ଠରୁ ଧ୍ୱନିତ ହେଲା ‘ରକୀବ୍‌ସେ ଯୋ ଭୟୋ’ । ଶେଷର ଶବ୍ଦ ଯେତେବେଳେ ପଞ୍ଚମକୁ ଆସି ସ୍ଥିର ମାଧୁର୍ଯ୍ୟରେ ପ୍ରତିଷ୍ଠିତ ହେଲା ସେତେବେଳେ ମନେ ହେଲା ସୁରର ନିଆଁ ଜଳିଉଠିଚି । ଅନ୍ଧାରରେ ଖଦ୍ୟୋତର ଝିକିମିକି ନୁହେଁ, ମେଘମୁକ୍ତ ଚନ୍ଦ୍ରପ୍ରଭା ! ନନୀ ଓ ମୁଁ ବିସ୍ମୟ ଓ ଆନନ୍ଦରେ ବିମୋହିତ ।

 

ମାତ୍ର ତିନୋଟି ଶବ୍ଦରେ ଏତେ ଭାବ ଲୁଚିଥିଲା; ଅଥବା ଏତେ ସୁର ଓ ଦରଦ ଲୁଚିଥିଲା ସେ ଅଶ୍ରୁତପୂର୍ବ କଣ୍ଠରେ, ସେ ଅଜ୍ଞାତ ହୃଦୟରେ ! ଏ ତ ଅପରିପକ୍ୱ ସୁରନବୀସ୍‌ର କଣ୍ଠ ନୁହେଁ ! ଏତ ଗାନର ଅଭିନୟ ନୁହେଁ ! ମୋ କଥା ଛାଡ଼ନ୍ତୁ, ମୋ ହୃଦୟ ଦୁର୍ବଳ । ସୁରର ଦରଦରେ ଶବ୍ଦର ଗୋଟିଏ ପାଖୁଡ଼ା ଖୋଲିବା ମାତ୍ରେ ମୋତେ ନିଶା ଧରେ, ସେ ଯେକୌଣସି ଗାୟକ ହେଉ ନା କାହିଁକି । କିନ୍ତୁ ନନୀ ଥିଲା ସେଇ ଜାତିର ଲୋକ ଯିଏ ଚୋଟ ଖାଇଲେ ବି ବେଦନା ସ୍ୱୀକାର କରେନା । ଦେଖିଲି ସେ ବି ସେ ପଞ୍ଚମର ଆବାହନରେ ଆତ୍ମସମର୍ପଣ କରିଚି । ଆଉ ମାଲ୍‌କା ? ତାଙ୍କ ସ୍ନିଗ୍‌ଧ ଶାନ୍ତ ଅଥଚ ସାଭିଳାଷ ଦୃଷ୍ଟି ଅନନ୍ତକୁ ପ୍ରସାରିଚ ହୋଇ ସ୍ତବ୍‌ଧ ହୋଇଯାଇଚି । ଗୋଟିଏ ଗୋଟିଏ ସୁର ଆସି କାହାକୁ ବା ନେଇଯାଏ ସୁରର ଅନନ୍ତକୁ, କାହାକୁ ବା ବିସ୍ତୃତ ଅତୀତର ଦିଗନ୍ତକୁ ।

 

ଶବ୍ଦ ପରେ ଶବ୍ଦର ପରାଗ ସଞ୍ଚୟ କରି ସୁର ପରେ ସୁରଦ୍ୱାରା ଅନାୟାସ ଯାତ୍ରାରେ ସେ ଆଗେଇ ଚାଲିଛନ୍ତି । ଧୈବତ ଓ ନିଷାଦର ଚକିତ ନକ୍‌ସା ସାରି ସେ ଫେରି ଆସି ସମାହିତ ହେଲେ ପଞ୍ଚମରେ ‘କର୍‌ତେ ହ୍ୟାୟ’ ଧ୍ୱନି ମଧ୍ୟରେ । ମନେହେଲା ଯେମିତି ବସନ୍ତ-ତିଲକ୍‌ର ରହସ୍ୟ ବହନ କରି ଫୁଲର ଚାରିପଟେ ଟିକିଏ ପ୍ରଦକ୍ଷିଣ କରି ଭ୍ରମର ଆସି ବସିଲା ଫୁଲ ଉପରେ-। ସେ ପଞ୍ଚମର କି ସ୍ଫୂର୍ତ୍ତି ! କି ଶୋଭା ! ଭୀମପଲଶ୍ରୀ ରାଗର ସମସ୍ତ ମଧୁ ଓଜାଡ଼ିଦେଲା ସେଇ ପଞ୍ଚମର ଧ୍ୱନି ! ସମସ୍ତ ସୌରଭ ଉନ୍ନତ ହୋଇ ସେଇ ପଞ୍ଚମର ଶ୍ରୁତିଧାରାରେ ବାହାରି ଆସିଲା-!

 

ନିର୍ଭୁଲ ସୁରର ଗୋଟିଏ କ୍ଷୁଦ୍ର ଫିରତ୍, ଗୋଟିଏ କୋମଳ ଝଟ୍‌କା ଦେଇ ଦ୍ୱିତୀୟ ପଦଟିକୁ ଦୋହଲାଇ ଆଣି ସେ ସୁର ଉପରେ ଛିଡ଼ା ହେଲେ । ପଞ୍ଚମ ନେପଥ୍ୟକୁ ଅନ୍ତର୍ହିତ । ମଧ୍ୟମ, ଗାନ୍ଧାର, ରେଖବ୍‌ ବି କ୍ଷଣିକର ଗୋପନ ରହସ୍ୟ ଜଣାଇ ଚାଲିଗଲେ । ବିସ୍ମୟର ବାଣୀଟି ବହନ କରି ସୁର ଆସି ଛିଡ଼ା ହେଲା । ତଥାପି ମନେହେଲା ଗାନର ଫୁଲଟି ପଞ୍ଚମର ଆବେଗରେ ସେପର୍ଯ୍ୟନ୍ତ ଦୋହଲୁଛି । ସେ ଯେମିତି ଜଣାଇଦେଉଛି ତା’ର ଅତୃପ୍ତ ବାସନା– ଆଉଥରେ ଆସି ପଞ୍ଚମକୁ ସାର୍ଥକ କର । ସେ ପିପାସା ଯେ ମୋର ମେଣ୍ଟିନି ।

 

ଗଜଲ୍‌ ଗାନର ନିୟମଧର୍ମ ଅନୁସାରେ ପ୍ରଥମ ପଦର ପଦାଙ୍କଗୁଡ଼ିକ ଅନୁସରଣ କରି ସେ ଆରମ୍ଭ କଲେ ତୃତୀୟ ପଦଟି । ପଞ୍ଚମର ସେଇ କ୍ଷଣିକ ଆବେଶ । ସୁରର ସେଇ ଲୁଚୁକାଳି ଖେଳ । ଅଳ୍ପକ୍ଷଣ ପାଇଁ ଟିକିଏ ବୁଲି ଆସି ପଞ୍ଚମରେ ସମ୍ଭୋଗର ପୂର୍ଣ୍ଣାହୁତି ! ଖଣ୍ଡ ଖଣ୍ଡ ସୁରର ଆରତି-ଚକ୍ର କରି ସେ ଏଥର ଫେରିଆସିଲେ ଚତୁର୍ଥ ପଦକୁ । ସମ୍ମୋହିନୀ ଲୀଳା ଶେଷ କରି ସୁରର ବିଶ୍ରାନ୍ତି ହେଲା ! ପଞ୍ଚମର ସେଇ ବିଳାସ, ତାର ସୁଗନ୍ଧ, ତାର ଆକୁତି, ସବୁ ଝରି ଖସିପଡ଼ିଚି ଫେରିବା ବାଟରେ, ମଧ୍ୟମ-ଗାନ୍ଧାର ରେଖବର ତ୍ୱରିତ ତର୍ପଣର ଅନ୍ତରାଳରେ ! ସୁରରେ ଧ୍ୱନିତ ହେଲା ଖଣ୍ତିତା (ନାୟିକା)ର ଅଚିରସଞ୍ଚିତ ବେଦନାବଶେଷ ! ନିରାଶ ହୃଦୟ ରଖିଗଲା ମାତ୍ର ଗୋଟିଏ ତୃଷ୍ଣା, ଗୋଟିଏ ସଙ୍କେତ । ସେଇ ସଙ୍କେତକୁ ସାର୍ଥକ କରିବାକୁ ହେବ ଗାନ୍‍ର ଗହନରେ, ସୁରର ପଥରେ, ନୂତନ ବାଣୀର ସାଜରେ, ନୂତନ ଅଭିସାରଦ୍ୱାରା ! ବର୍ତ୍ତମାନର ବିରତିର ଅର୍ଥ ଭବିଷ୍ୟ ଆରତିର ନୂତନ ବର୍ତ୍ତିକାରେ ନୂତନ ଆକାଂକ୍ଷାର ଅଗ୍ନିସ୍ପର୍ଶ ।

 

ନୂତନରୁ ନୂତନତର ଅଭିଯାନ କେତେବେଳେ ଯେ ଆରମ୍ଭ ହେଉଚି ଆଉ କେତେବେଳେ ବା ଶେଷ ହେଉଚି ଜାଣିପାରୁ ନ ଥାଉ । ଜ୍ଞାନସୂର୍ଯ୍ୟର ବିପରୀତ ଦିଗରେ ଅନୁଭବର ଇନ୍ଦ୍ରଧନୁର ଉଦୟ ହୁଏ । ଦୁହିଁଙ୍କ ମିଳନ ତେଣୁ ଅସମ୍ଭବ । ଅନ୍ତତଃ ମୋର ଧାରଣା ଏହିପରି ।

 

ଆହୁରି ମନେହୁଏ ପ୍ରତ୍ୟେକ ଗାନ୍‍ ଗୋଟିଏ ଗୋଟିଏ ଫୁଲ । ତାର ପ୍ରତ୍ୟେକ ପଦ ଗୋଟିଏ ଗୋଟିଏ ପାଖୁଡ଼ା-ଚକ୍ର । ପଦର ପ୍ରତ୍ୟେକ ଶବ୍ଦ ଗୋଟିଏ ଗୋଟିଏ ପାଖୁଡ଼ା । ସୁର ଓ ଛନ୍ଦ ଫୁଲଟିକୁ ଫୁଟାଏ, ନିଜର ସାର୍ଥକତାଦ୍ୱାରା ଫୁଲକୁ ସାର୍ଥକ କରିବ ବୋଲି । ସେ ସନ୍ଧ୍ୟାରେ ଗାନ୍‍ ଶେଷ ହେବା ପରେ ମନେହେଲା, ଫୁଲର ପ୍ରତ୍ୟେକଟି ପାଖୁଡ଼ା ବିକଶିତ ହୋଇଚି । କିନ୍ତୁ ସୂସୁଷମାର ସ୍ୱର୍ଦ୍ଧାରେ ନୁହେଁ । ସମସ୍ତ ଗାନ୍‍ଟିର ଆକାଂକ୍ଷା ନିବେଦନ କରିବାହିଁ ଥିଲା ପାଖୁଡ଼ାମାନଙ୍କ ପ୍ରେରଣା, ପ୍ରୟୋଜନ, ବିଶେଷ ଗୌରବ, ସବୁ ।

 

ପୁରା ଗାନ୍‍ଟି ଆମେ ଆଗରୁ ଜାଣିଥିଲୁ ବୋଲି ଆମ ମନରେ ଆଗରୁ ତାଇ ଅସ୍ଫୁଟ ବାସନା ଜାଗିଥିଲା । ଏକ ଅଜଣା ମୁହୂର୍ତ୍ତର ଅଭାବନୀୟ ସୁଯୋଗ ପାଇଁ ପ୍ରତୀକ୍ଷା କରି ରହିଥିଲା । କିନ୍ତୁ ଏହା ପୂର୍ବରୁ ତାହାର ପୂର୍ଣ୍ଣ ସାର୍ଥକତା ସମ୍ଭବ ହୋଇନି । ମନେହେଲା, ଗାନ୍‍ର ସେଇ ମର୍ମକଥା, ସେଇ ‘ଅର୍‌ମାଁ’ ଏତେ ତୀବ୍ର ଏତେ ସ୍ପଷ୍ଟ ଭାବରେ ଆଉ କେବେ ଦେଖି ନ ଥିଲି । ବର୍ତ୍ତମାନ ବୁଝିପାରୁଚି, ଯିଏ ସେଇ ଅପୂର୍ବ ସାକ୍ଷାତ୍‌କାର ଘଟାଇଥିଲେ ତାଙ୍କୁ ଭୁଲିଯିବା ଅସମ୍ଭବ ।

 

ବୁଝିପାରିଲି ଏକ ନିପୁଣ ପରିପକ୍ୱ ଗୀତରସିକ ଆମ ହାତରେ ଧରାଦେଲେ । ସୌଖୀନ ଖାସ୍-ଖେୟାଲୀ ମିଜାଜ୍ ପକ୍ଷରେ ଏପରି ଶିଳ୍ପଚାତୁର୍ଯ୍ୟ ଅସମ୍ଭବ । ଅନ୍ତତଃ ବିପଜ୍ଜନକ । ସୁରରେ ତିଳେ ଊଣା ହେବାମାତ୍ରେ ଗାନ୍‍ର ସମସ୍ତ ଛବିଟି କଳଙ୍କିତ ହୁଏ । ଘଣ୍ଟା ଘଣ୍ଟା ଧରି ରାଗାଳାପର ଶୁଦ୍ଧିପତ୍ର ଯୋଗ କଲେବି ଏପ୍ରକାର ଅଶୁଦ୍ଧିର ମୋଚନ ହୁଏନା । ‘ଠାହରାନ୍‌’, ଅର୍ଥାତ୍ କଥା ଓ ସୁରର ସ୍ଥିତି, ଓଜନରେ ରତିଏ ଏପଟ ସେପଟ ହେଲେ ଫୁଲର ଶୋଭା ନଷ୍ଟ ହୁଏ । ଭାବର ପାଖୁଡ଼ାଗୁଡ଼ିକ ଫୁଲ ଫୁଟିବା ଆଗରୁ ଝରିପଡ଼େ । ପଡ଼ିଥାଏ ଖାଲି ରାଗର କଙ୍କାଳସୂତ୍ର । ଗାନର ତାଳ-ବେତାଳ ଭୈରବୀ ଅଛନ୍ତି । ରାଗ-କଙ୍କାଳ-ମାଳିନୀ ବି ଅଛନ୍ତି । ପୁଣି କଥା-ସୁର ଓ ଛନ୍ଦର ତ୍ରିପୁରା-ସୁନ୍ଦରୀ ବି ଅଛନ୍ତି । ପ୍ରତ୍ୟକ୍ଷ କରିଛି ବୋଲି ଏମାନଙ୍କୁ ସ୍ୱୀକାର କରିବାକୁ ବାଧ୍ୟ । ଅନୁଭବ କରିଛି ବୋଲି ତ ତ୍ରିପୁରାସୁନ୍ଦରୀଙ୍କୁ ସ୍ମରଣ କରିବାକୁ ବାଧ୍ୟ । ଗଜଲ୍ ଓ ସେଇ ଧରଣର ଅନ୍ୟସବୁ ଗାନ ତ ଶ୍ମଶାନନୃତ୍ୟ ପାଇଁ ନୁହେଁ, କଙ୍କାଳମାଳା ସଜାଇବା ପାଇଁ ନୁହେଁ । ଏମାନେ ତ୍ରିପୁରାସୁନ୍ଦରୀଙ୍କ ସାକ୍ଷାତ୍ ଅଂଶ ।

 

ସେଇ ଅପୂର୍ବ ଆବିର୍ଭାବକୁ ସାର୍ଥକ କରି ସେ ଯେତେବେଳେ ସୁରକୁ ଆସି ବିଶ୍ରାମ ନେଲେ ଆମେ ସେତେବେଳେ ମୁଗ୍‌ଧ । ନନୀ ପରିହାସ-ରସିକତା କରୁଥିବାବେଳେ ଆମେ ସ୍ୱପ୍ନରେ ବି ଭାବି ନ ଥିଲୁ ଯେ ଏଭଳି ଉପଭୋଗ ପ୍ରତ୍ୟାସନ୍ନ ନିୟତି ପରି ଅପେକ୍ଷା କରି ରହିଚି । ଶ୍ୟାମଲାଲ୍‍ଜୀଙ୍କ ବୈଠକରେ ଅନ୍ତରଙ୍ଗମାନଙ୍କ ସମାବେଶ ହେଲେ କଥାରେ କଥାରେ ଭାବର ପବନ ଖେଳେ । ସେ ପବନରେ ଭାସିଆସେ ଗାନର ସୁର । ସେ ସୁର ଜଳ୍ପନା-କଳ୍ପନାର ତରଙ୍ଗରେ ମିଳାଇଯାଏ । ଶେଷରେ ରୁହେ କିଛି ଭାବାନ୍ତର, କିଛି ପୁରୁଣା କଥାର ଅବାନ୍ତର ସୂତ୍ର । କିନ୍ତୁ ଥଟ୍ଟା-ପରିହାସ ସ୍ରୋତରେ ଆକସ୍ମାତ୍‍ ଏପରି ଗୀତଶ୍ରୀ ଆସିବାର କଦାପି ଘଟିନି । ଏଥିଯୋଗୁହିଁ କେବଳ ମୋ ହୃଦୟରେ ସ୍ମୃତିର ଅତଳଦେଶରେ ଥିବା ଏହି ନିରାଲା ଘଟନାଟି ପ୍ରତୀକ୍ଷା କରି ରହିଚି, ନିଭୃତରେ ପଥ ଚାହିଁ ଅପେକ୍ଷମାଣା ବିରହିଣୀ ଭଳି । ଯେ ପ୍ରତୀକ୍ଷା କରି ରହିଚି ତାକୁ ପାଇବା ସହଜ ।

 

ନନୀ ପ୍ରଥମେ କହିଲା, ଆପଣ ଯେ ଏମିତି ପକ୍‌କା ଖେଲୋୟାଡ଼ ଆମେ ତ ତା ଅନ୍ଦାଜ୍ କରିପାରି ନ ଥିଲୁ । ମୁଁ ଯଦି ସେଇ ସୁରଟି ନ ଧରାଇ ଦେଇଥାନ୍ତି ତେବେ ତ ଆପଣ ନିଜକୁ ଲୁଚାଇ ବସିଥାଆନ୍ତେ । କିନ୍ତୁ ଆପଣଙ୍କ ତାରିଫ୍ କରିବା ଭାଷା ତ ଆମେ ପାଉନୁ ।

 

ତା’ପରେ ମାଲ୍‌କା ଆଡ଼େ ଅନାଇ ସେ କହିଲା, ଆପଣ ଯେ କେଉଁ ମିଜାଜ୍‌ରେ କେତେବେଳେ ଥାଆନ୍ତି ବୁଝିବା କଷ୍ଟ । ଏମିତି ଗୁଣୀକୁ ଆପଣ ଲୁଚାଇ ରଖିଛନ୍ତି ! ବେୟାଦବୀ ମାଫ୍‌ କରିବେ, ଆପଣମାନେ ବଡ଼, ଆମେ ଛୋଟ, ତା ହେଲେ ବି ମେହେର୍‌ବାନୀ କରି ୟାଙ୍କ ତାରିଫ୍ ପ୍ରକାଶ କରନ୍ତୁ ।

 

ନନୀ କଥାରେ ଥିଲା ଆନ୍ତରିକତାର ସୁର । ସାନମାନେ ବଡ଼ର ପରିଚୟ ମାଗିବା ଶିଷ୍ଟତା ନ ହେଲେ ବି ଭଦ୍ରଲୋକ ଏହାର ଆନ୍ତରିକ ସୁରଟି ଅନୁଭବ କରି ତା’ର ସମ୍ମାନ ରକ୍ଷା କଲେ ଆଦାବ୍ ଜ୍ଞାପନ କରି ।

 

ମାଲ୍‌କା ହସି ହସି କହିଲେ, ପରିଚୟ ଦେବାର ସୁଯୋଗ ମୋତେ ଦେଲେ ବା କେବେ-? ମୁଁ ଆସିବା ପରଠୁଁ ତ ମୋତେ ପାଗଳ କରିବା ଉପରେ । ସେଥିରେ ପୁଣି ଆପଣମାନେ ଗାନ ଆରମ୍ଭ କରିଦେଲେ । ଆପଣମାନେ ଯଦିବା ଥମିଲେ ୟାଙ୍କ ଗଳାରେ ସୁରର ପାଶ ଲଗାଇଦେଲେ.....

 

ମାଲ୍‌କାଙ୍କ କଥା ଶେଷ ନ ହେଉଣୁ ଶ୍ୟାମଲାଲ୍‍ଜୀଙ୍କ ପାଖ ଦରଜା ବାଟେ ବୈଠକରେ ପ୍ରବେଶ କଲେ । ପିନ୍ଧିଥିଲେ ସେ ସେ କାଳର ଉତ୍କୃଷ୍ଟ ରେଲୀର ଧୋତି, ଗେଞ୍ଜୀ ଓ ଅଦ୍‌ଦୀ ପଞ୍ଜାବୀ । ବେକ ପାଖେ ବୁଟି ଲଗାଉ ଲଗାଉ ସେ ଆସି ମାଲ୍‌କା ପାଖରେ ଛିଡ଼ା ହେଲେ । ମାଲ୍‌କା ଓ ଆମେ ସମସ୍ତେ ଛିଡ଼ା ହୋଇ ନମସ୍କାର କଲୁଁ । ପ୍ରତିନମସ୍କାର କରୁ କରୁ ବାବୁଜୀ କହିଲେ, ଆରେ ଫୈୟାଜ୍‌ ଖାଁ ସାହେବ ଯେ ! ଭାରି ଆନନ୍ଦର କଥା ଭାଇ ! ସେଇ କଥାହିଁ ତ ଭାବୁଥିଲି ଯେ ଏଭଳି ସୁର ଓ ଆବାଜ୍ ପୁଣି କିଏ ଜାହିର୍ କଲେ ! ବସନ୍ତୁ ବସନ୍ତୁ ଆପଣମାନେ । ଫୈୟାଜ୍‌ ଖାଁ ? କେଉଁ ଫୈୟାଜ୍ ? ସେଇ ଫୈୟାଜ୍ ଯାହାଙ୍କ କଥା ଥରେ ଦି’ଥର ତନ୍‌ନୁଲାଲଜୀ ଓ ବାବୁଜୀ କହିବାର ଶୁଣିଛି ? ଏ ଲଗ୍ନ ଧନ୍ୟ । ଏ ମୁହୂର୍ତ୍ତ ଧନ୍ୟ ! ଆଶା ଓ ଆନନ୍ଦରେ ମୋ ହୃଦୟ ଉଦ୍‌ବେଳିତ ହେଲା ।

 

ବାବୁଜୀ ଆଗେଇଯାଇ ସେ ଭଦ୍ରଲୋକଙ୍କ ହାତ ଦୁଇଟି ଧରି ସମାଦର କରି ଆବେଗରେ କୁଣ୍ଢାଇଲେ । ବାବୁଜୀ ଓ ମାଲ୍‌କା ଆସନ ଗ୍ରହଣ କରିବା ପରେ ଆମେ ସବୁ ବସିଲୁଁ ।

ବାବୁଜୀଙ୍କ ବୟସ ସେତେବେଳେ ଅନ୍ଦାଜ ପଞ୍ଚାବନ ହେବ । ଦେଖିଲେ କିନ୍ତୁ ମନେ ହେଉଥିଲା ପଇଁଚାଳିଶ ବର୍ଷର ସୁସ୍ଥ ଶକ୍ତିମାନ ପୁରୁଷ । ଭଗବାନ ତାଙ୍କୁ ଅଶେଷ ଗୁଣ, ପ୍ରଚୁର କର୍ମଶକ୍ତି ଓ ଅସାଧାରଣ ସୌଭାଗ୍ୟର ଅଧିକାରୀ କରି ପଠାଇଥିଲେ । ସରସ, ଏକନିଷ୍ଠ ଭକ୍ତିର ଫଲ୍‌ଶୁଧାରା ତାଙ୍କ ଜୀବନର ନିଭୃତ ସାଧନାକୁ ସଂଜୀବିତ କରି ରଖିଥିଲା । ଆତ୍ମୀୟ ଓ ଅନ୍ତରଙ୍ଗ ଦଳ ବାହାରେ ସେ ନିଜକୁ ଧରା ଦେଉ ନ ଥିଲେ । ଅଥଚ ନାନାରୂପେ, ନାନାଦିଗରେ, ନାନାକାର୍ଯ୍ୟରେ ତାଙ୍କ ବ୍ରହ୍ମଚର୍ଯ୍ୟପୂତ ଜୀବନ ଉତ୍‌ସର୍ଗିତ ଥିଲା । ନିଜ ସ୍ୱାର୍ଥରେ ଦେବୀ ସରସ୍ୱତୀଙ୍କ ସେବାରେ ସେ ଯେତେ ଆଗ୍ରହ ଦେଖାଇଛନ୍ତି, ତା’ଠୁ ବେଶି ଉଦ୍ୟମ ଫଳିତ ହୋଇଚି ଅନ୍ୟ ସେବାର୍ଥୀମାନଙ୍କୁ ସାହାଯ୍ୟ କରିବାରେ, ପ୍ରତିଦାନର ଆଶା ନ ରଖି ।

ବାବୁଜୀ ଓ ସେ ଭଦ୍ରଲୋକଙ୍କ ମଧ୍ୟରେ କଥାବାର୍ତ୍ତା ମୁଁ ଓ ନନୀ ଉତ୍‌ସୁକ ଭାବରେ ଶୁଣୁଥିଲୁଁ । ରାଜ୍ୟଯାକର ଖବର ତା ଭିତରେ ଥିଲା । ସବୁ ଖବର ପୁରାନା ଜମାନାର, ଅର୍ଥାତ୍ ପୁରୁଣା ଲୋକମାନଙ୍କ ବିଷୟରେ, ଯେଉଁମାନଙ୍କ ବିଷୟରେ ଆମେ ଦି’ଜଣ ବିଶେଷ କିଛି ଜାଣି ନ ଥାଉଁ ।

ଆଗ୍ରା, ଦିଲ୍ଲୀ, ଗୋୟାଲିୟର, ବୋମ୍ୱାଇ, ମହୀଶୂରର ଉଲ୍ଲେଖ ଶୁଣିଲି । ଗୋଲାମ ଆବ୍‌ବାସ୍‌ ଖାଁ ଓ ଅନ୍ୟ କେତୋଟି ଲୋକଙ୍କ ବିଷୟରେ ପ୍ରଚୁର ଗୁଣବର୍ଣ୍ଣନା ମଧ୍ୟ ଥିଲା । ମୋଟାମୋଟି ଜଣାଗଲା, ଗୋଲାମ ଆବ୍‌ବାସ୍ ହେଉଛନ୍ତି ପ୍ରସିଦ୍ଧ ଖାନ୍‌ଦାନି ଘରାନାର ପ୍ରବୀଣ ଗାୟକ । ଆଉ ଫୈୟାଜ୍‌ ହେଉଛନ୍ତି ସେଇ ଘରର ଗୁଣୀ ଆବ୍‌ବାସ୍ ଖାଁଙ୍କ ଦୌହିତ୍ର । ନିବାସ ଆଗ୍ରା । ସଂପ୍ରତି କଲିକତାକୁ ଆସି ଏକ ହୋଟେଲ୍‌ରେ ଉଠିଛନ୍ତି । ଆଜି ରାତିରେ ଶେଲୀ ବାଈଜୀ ଘରେ ୟାଙ୍କୁ ଓ ମାଲ୍‌କାଙ୍କୁ ନିମନ୍ତ୍ରଣ ଅଛି । ମାଲ୍‌କା ବୋଧହୁଏ ସେଠାକୁ ଯିବେ ନାହିଁ । କିନ୍ତୁ ଫୈୟାଜ୍ ଖାଁଙ୍କୁ ଯିବାକୁ ହେବ । ଖାଲି ଭଦ୍ରତା ଖାତିରରେ ନୁହେଁ, ମୌଜୁଦ୍‌ଦୀନଙ୍କ ଗାନ ଲୋଭରେ । ମୌଜୁଦ୍‌ଦୀନଙ୍କ ସହିତ ଅନେକ ଦିନ ହେବ ତାଙ୍କର ଦେଖା ହୋଇନାହିଁ । ପ୍ରଣୟ-ଋଣ ଖାତାରେ ଆଗ୍ରହଟା ବକେୟା ଗଡ଼ୁଚି । ପ୍ରସଙ୍ଗତଃ ଜାଣିଲି ଏ ମହାଶୟ ଅନେକ ଦିନ ହେବ ମୌଜୁଦ୍‌ଦୀନଙ୍କୁ ଜାଣନ୍ତି । ଅନ୍ଦାଜି ହିସାବ କରି ଜାଣିଲି ଫୈୟାଜ୍‌ ଖାଁ ମୌଜୁଦ୍‌ଦୀନଙ୍କ ସମବୟସ୍କ ହେବେ । ଅନ୍ଦାଜଟା ଭୁଲ ନୁହେଁ ।

ଶ୍ୟାମଲାଲଜୀ ନିଜ ଡବାରୁ ପାନ କାଢ଼ି ମାଲ୍‌କା ଓ ଫୈୟାଜ୍‌ଙ୍କ ହାତରେ ଦେଲେ । ପରିବେଶଟି ବେଶ୍ ସ୍ୱାଭାବିକ ହେଲା । ଅଳ୍ପ ମୁଣ୍ଡ ନୁଆଁଇ ସେମାନେ ପାନର ସଦ୍‌ବ୍ୟବହାର କଲେ-। ଇତିମଧ୍ୟରେ ନନୀ ବାବୁଜୀଙ୍କ ପାଖରୁ ଖଣ୍ଡେ ପାନ ଆଦାୟ କରିନେଲା । ଅତି ସନ୍ତର୍ପଣରେ ପାନଟି ମୁହଁ ଭିତରେ ଛାଡ଼ିଦେଇ ରୁମାଲରେ ଅଙ୍ଗୁଳି ପୋଛି ପକେଟରୁ ସୁର୍‌ତିର ଡବା ବାହାର କରି ମାଲ୍‌କା ଓ ଫୈୟାଜ୍‌ଙ୍କ ସାମ୍‍ନାରେ ଧରିଲା । ଏଇ ଦାନଯଜ୍ଞ ସମାପ୍ତ କରି କିଞ୍ଚିତ୍ ଯଜ୍ଞଭାଗ ନିଜ ମୁହଁରେ ରଖି ସେ କହିଲା, ହାୟ ହାୟ ବାବୁଜୀ ! କି ସୁର, ଆଉ କି ମିଜାଜ୍-! ମନେହେଲା ଏ ଯେମିତି ଗାନର ଚିରାଗ୍‌ଟିଏ ଜାଳିଦେଲେ ! ଆମେ ଅନ୍ଧାରରେ ଖାଲି ତେଲ ଓ ସଳିତା ନେଇ ଖେଳୁଥିଲୁଁ । ନନୀ କଥାରେ ଟିକିଏ ବି ମିଥ୍ୟା ନାହିଁ । ମୁଁ ବି ସମର୍ଥନ କଲି-

ବାବୁଜୀ ଖୁବ୍ ଖୁସୀ ହୋଇ କହିଲେ, ଗୋଲାମ ଆବ୍‌ବାସ୍‌ଙ୍କ ଘରର ରୋଶ୍‌ନି ଯଦି ଥାଏ ତେବେ ତା ୟାଙ୍କ ପାଖରେ ହିଁ ଅଛି । ଆଉ ମାଲ୍‌କାଙ୍କ ଶୁଚିସ୍ମିତ ମୁହଁଆଡ଼େ ଅନାଇ କହିଲେ, ୟାଙ୍କ ପାଖରେ କିଛି ।

 

‘ରୋଶ୍‍ନି’ର ମାନେ ଆଲୋକ । ଏଠାରେ ଅର୍ଥ ହେଉଚି, ଗାନ୍‍ରେ ଗାୟକୀୟ ଆଲୋକ । ହାତରେ ସୂତା ବାନ୍ଧି (ଶିଷତ୍ୱ ଗ୍ରହଣର ପରିଚାୟକ) ଓ ସୁନା ଚେନ୍ ଲମ୍ୱାଇ ଗୁରୁଙ୍କ ପାଖରୁ ‘ଆସ୍ତାଇ’ (ଧ୍ରୁପଦ ଓ ଖେୟାଲ୍‌ର ପ୍ରଥମ ପଦକୁ ‘ସ୍ଥାୟୀ’ କହନ୍ତି । ତାର ଅପଭ୍ରଂଶ ‘ଆସ୍ତାଇ’) ଆଦାୟ ହୁଏତ କରିହେବ । କିନ୍ତୁ ଆଲୋକ ଆଦାୟ କରିବା ଏତେ ସହଜ ନୁହେଁ ।

 

ଫୈୟାଜ୍ ମୁଣ୍ଡ ନୁଆଇଁ ବାବୁଜୀଙ୍କ ପ୍ରଶଂସାକୁ ସମ୍ମାନ ଦେଲେ । ସେତେବେଳଯାଏଁ ଆମେ ସେ ପ୍ରଶଂସାର ପୂରା ଅର୍ଥ ବୁଝି ପାରି ନ ଥିଲୁ । ସେ ରୋଶ୍‌ନିର ସ୍ୱରୂପ ମୁଁ ପ୍ରତ୍ୟକ୍ଷ କରିଥିଲି ବହୁବର୍ଷ ପରେ । କେଉଁଠି ୧୯୨୫, ଆଉ କେଉଁଠି ଯାଇ ୧୯୩୪ ସାଲ ! ପରେ ବୁଝିପାରିଲି, ଆବ୍‌ବାସ୍ ଖାଁ ଘରର ପ୍ରଦୀପଟି କେତେ ମଜ୍‌ବୁତ୍ । ଆଉ ତା’ର ବନାଓଟ୍-ସଜାଓଟ୍ ବା କେତେ ଚମତ୍‌କାର ! ଆଉ ସେଇ ଯୌବନକାଳରେ ଫୈୟାଜ୍ ଯେ ‘ଆଫ୍‌ତାବ୍-ଏ-ମୌସିକୀ’ ଉପାଧି ପାଇଥିଲେ ତାର ସାର୍ଥକତା କି ଧରଣର ଥିଲା ତା ମଧ୍ୟ ବୁଝିଥିଲି । ଆହୁରି ବୁଝିଥିଲି- ତେଲ ଓ ସଳିତା କ୍ଷୟର ଶେଷସୀମାରେ ପହଞ୍ଚିଲେ ଯେଉଁ ଆଲୁଅ ଜଳିଉଠେ ସେ ଆଲୁଅ କୁହେ,ହେ ଦେଖ୍‌ନେଓୟାଲାମାନେ, ମୋତେ ଶେଷଥର ପାଇଁ ଦେଖିନିଅ । ଏ ଆଲୁଅ ଆଉ ଜଳିବ ନାହିଁ ।

 

ବାବୁଜୀଙ୍କ ମୁହଁରେ ପ୍ରଶଂସା ଶୁଣି ମାଲ୍‌କାଙ୍କ ଆଖି ଉଜ୍ଜ୍ୱଳ ହୋଇଗଲା । ହେବାର କଥା । ଶ୍ୟାମଲାଲଜୀଙ୍କ ଭଳି ସତ୍ୟବାକ୍ ପୁରୁଷଙ୍କ ପ୍ରୀତିସ୍ନିଗ୍‌ଧ ବାଣୀ ! ସେଥିରେ ପୁଣି ବର୍ତ୍ତମାନର ଗୁରୁ ସପ୍ରଶଂସ ଉଲ୍ଲେଖ କରିଛନ୍ତି ପୂର୍ବ ଗୁରୁଙ୍କୁ ଏବଂ ଅତୀତର ସତୀର୍ଥଙ୍କୁ । ଏହା ଉପରେ ଆହୁରି କାରଣ ଥିଲା ଯାହା ଆମେ ସେତେବେଳେ ଜାଣି ନ ଥିଲୁଁ ।

 

ନନୀ କିଛି କହିବା ପାଇଁ ଉଦଗ୍ର । ବାବୁଜୀଙ୍କ କଥା ଶେଷ ହେବା ମାତ୍ରକେ କହିଲା, ବାବୁଜୀ, ଗୋଟିଏ ନିବେଦନ ଅଛି । ମାଲ୍‌କା ଆଜି ଆମ ଉପରେ ରନ୍‌ଜ୍ ହୋଇଛନ୍ତି ଖାଁ ସାହେବଙ୍କ ବିଚାରରେ ସେ ହାରିଯାଇଛନ୍ତି ବୋଲି । ଆମ ତରଫରୁ ଆପଣ ତାଙ୍କୁ ଟିକିଏ ଭଲ କରି ପ୍ରଶଂସା କରିଦିଅନ୍ତୁ । ତା ହେଲେ ହୁଏତ ଆମ ଉପରୁ ତାଙ୍କ ରାଗ ଚାଲିଯିବ ।

 

ଦେଖିଲି, ନନୀ ହସ-ମସ୍‌ଖରାର ଲଗାମ ହୁଗୁଳା କରି ଦେଇଚି । ତେବେ ରଥରୁ ଓହ୍ଲାଇବା ଦୂରେ ଥାଉ, ଲଗାମ ହାତରୁ ଏପର୍ଯ୍ୟନ୍ତ ଛାଡ଼ିନାହିଁ । ନନୀର ହାବଭାବ ଦେଖି ଫୈୟାଜ୍ ଖାଁ ଟିକିଏ ସିଧା ହୋଇ ବସିଲେ । ନନୀ କେତେବେଳେ କଥାଟା କେଉଁଆଡ଼କୁ ନେବ ତାର କିଛି ଠିକ୍‍ଠିକଣା ନାହିଁ କିନା, ସେଇଥିପାଇଁ । ମାଲ୍‌କା ଟିକିଏ କାତର ଭାବରେ କହିଲେ, ବାବୁଜୀ, ଏ ଡାକ୍‌ଟାର୍ ବାବୁଙ୍କ ଦାଉରୁ ମୋତେ ବଞ୍ଚାନ୍ତୁ । ଏ ଯାହା ଆରମ୍ଭ କଲେଣି ଆଜି ହୁଏତ ମୋତେ କଲିକତା ଛାଡ଼ି ଚାଲିଯିବାକୁ ପଡ଼ିବ ।

 

ମାଲ୍‌କା ଓ ଆମ ଭିତରେ ଛଳ-କଳହ କଥା ବାବୁଜୀଙ୍କୁ ମାଲୁମ ଥିଲା । ବେଶି ବା କଅଣ କହିବି, ବୈଠକର ସବୁଠାରୁ ବଡ଼ କଥା, ତନ୍‌ନୁଲାଲଜୀ, ବଲ୍‌ଦେଓ ଦାସଜୀ ଓ କ୍ଷାକିମ୍‌ଜୀମାନଙ୍କ ସାଗ୍‌ରେଦୀ କରି ଶିଖିଥିଲୁ ଏ ବିଷୟରେ ପେଞ୍ଚ-ପାଞ୍ଚ, ପ୍ରୟୋଗ-ପରିହାର । ଆଉ ଦିଲ୍‌ଲଗୀ ଦଙ୍ଗଲରେ ପରୀକ୍ଷା ବି ଦେଇଚୁ ଅନ୍ୟ ପାଖରୁ ମାଡ଼ ଖାଇ । ମାଲ୍‌କା ଆମର ଗୁରୁ-ବହିନ୍ । ସେ ବୈଠକକୁ ଆସିଲେ ନାନା ଛଳରେ ତାଙ୍କୁ ତାରିଫ୍ କରି ବା ତାଙ୍କ ସହିତ ତାମ୍‍ଶା କରି ତାଙ୍କ ମନକୁ ସରସ କରିବାର ପ୍ରୟୋଜନୀୟତା ଆମକୁ ଜଣା ଥିଲା । କାରଣ, ଏହା ପରେ ଆମେ ଆମ ପ୍ରାର୍ଥନା ନିବେଦନ କରନ୍ତୁ, ଯଥା- ସେଇ ଯେ ଖାମ୍ବାବତୀର ଅସ୍ଥାୟୀଟି, ସେ ଠୁମ୍‌ରୀର ଅନ୍ତରାଟି । ଯାହାର ଅର୍ଥ, ଥରେ ଶୁଣାନ୍ତୁ, ନ ଶୁଣେଇଲେ ଆମର କିଛି କ୍ଷତି ହେବ ନାହିଁ ଯେ ଆପଣଙ୍କର ଅବ୍‌ଶୋସ୍ ରହିଯିବ ।

 

ଆଗ୍ରାଓୟାଲୀ ମାଲ୍‌କା ଥିଲେ ଭୀରୁ ଓ ଭଲ ମଣିଷ । ତାଙ୍କ ପାଖରୁ ଦାବୀ ଆଦାୟ କରିବା କଷ୍ଟ କଥା ନୁହେଁ । ୟାଙ୍କ ଯୋଡ଼ି ଚୁଲ୍‌ବୁଲ୍‌ଲେଓୟାଲୀ ମାଲ୍‌କା ଥିଲେ ବିଦୁଷୀ ଓ ସୁଚତୁରା-। ତାଙ୍କୁ ବାଗେଇବା ସହଜ କଥା ନୁହେଁ । କିନ୍ତୁ ଆମେ ପ୍ରଶସ୍ତି ଓ କଳ୍ପନାଦ୍ୱାରା ସଜାଇ ଖଲିଫା ବଦଲ୍‌ ଖାଁ ସାହେବଙ୍କ ଜବାନୀ ଅନୁରୋଧ-ଉପରୋଧ ପେଶ୍‌ କଲେ ସେ ଇଚ୍ଛା କରି, ଦୟା କରି ହାର୍‌ ମାନନ୍ତି । ଆମ ସାଧନା କଦାପି ବିଫଳ ହୋଇନି । ୟାଙ୍କ ସ୍ମରଣ କଦାପି ଉପେକ୍ଷା କରିବି ନାହିଁ । କାରଣ, ମେଘ ମାଗିଲେ ଜଳ ପାଇଚୁ । ଖଣ୍ଡେ ଗାନ୍‍ ଗାଇବାକୁ ଅନୁରୋଧ କରି ତିନିପ୍ରକାରର ତିନିଖଣ୍ଡ ଗାନ୍‍ ଶୁଣିଚୁ । ଏମାନେ ଆମକୁ, ଅର୍ଥାତ୍ ସାନଭାଇମାନଙ୍କୁ କେତେ ସମ୍ଭ୍ରମ କରୁଥିଲେ, କେତେ ଅନୁଗ୍ରହ କରୁଥିଲେ, କେତେ ସ୍ନେହ କରୁଥିଲେ ତା’ର ତୁଳନା ନାହିଁ-। ଥରକରେ ଏକଥା ଆମେ ବୁଝି ପାରି ନ ଥିଲୁ । ସେସବୁ ଅଳି-ଅନୁଗ୍ରହ କଥା ସ୍ମରଣ କଲେ ଦେଖେ, ନିଷ୍କଳୁଷ ସୌଖ୍ୟର ଆଲୋକରେ ସୃତିର ମନ୍ଦିର ଉଦ୍ଭାସିତ । ସେ ଆଲୁଅ ଉଛୁଳିପଡ଼ିଚି ବର୍ତ୍ତମାନର ଅଙ୍ଗନରେ । ସେଥିରେ ଉଜ୍ଜ୍ୱଳ ଦିଶୁଛନ୍ତି ଅତୀତର ଛାୟା-ଶରୀରବିଶିଷ୍ଟ ମୂର୍ତ୍ତିସବୁ-। ଏ ଆଲୁଅର ଗୋଟିଏ ମାତ୍ର ରଶ୍ମି ଯଦି ଭବିଷ୍ୟତ ଆଡ଼କୁ ଯାଇ ଅପେକ୍ଷା କରେ ତେବେ ବୁଝିବି ମୋ ହୃଦୟରେ କୃତଜ୍ଞତା ବୋଲି କିଛି ଅଛି ।

 

ବିଚାରକର ଗମ୍ଭୀର ସୁରରେ ବାବୁଜୀ କହିଲେ– ଡାକ୍ତରବାବୁ, ମାଲ୍‌କା ଆପଣଙ୍କ ନାଁରେ ଶିକାୟେତ୍ କଲେ । ଆପଣଙ୍କର ଜବାବ୍ କଅଣ କୁହନ୍ତୁ ।

 

ନନୀ ଖୁବ୍‌ ବିଷାଦଭରା ସ୍ୱରରେ କହିଲା, ମୁଁ ଆଉ କି ଜବାବ୍ ଦେବି, ବାବଜୀ ! ଆମ ତଗଦିର୍ ଖରାପ । ୟା ଭିତରେ ଆହ୍‌ସାନି ଏତିକି ଯେ ଖାଁ ସାହେବ ଆସି ଗାନ୍‍ କରି ଆମ ତବିୟତ୍ ଥଣ୍ଡା କରିଦେଲେ । କିନ୍ତୁ ଏ ଆସିଲେ, ଆଉ ମାଲ୍‌କା ଚଢ଼ି-ନିଖାଦ ସୁରରେ କହିଲେ ଯେ ସେ କଲ୍‌କତା ଛାଡ଼ି ଚାଲିଯିବେ । ଆମ କପାଳରେ ଯାହା ଥାଉ, ମାଲ୍‌କାବିବିଙ୍କ ଟ୍ରେନ୍ ହୁଇସିଲ୍‌ ଦେବା ମାତ୍ରେ ଆମେ ବୈରାଗୀ ହୋଇଯିବୁ । ଆଉ କାହାରି ଗାନ୍‍ ଶୁଣିବୁ ନାହିଁ । ନା କଅଣ କହୁଚ ପାଂଚୁ ଭାଇ, ମୋତେ କିଛି ମଦତ୍ ଦିଅ, ମୋ ଗଳା ଯେ ଶୁଖି ଯାଉଚି ।

ଏହାପରେ ଗୋଟାଏ ହସର ଜୁଆର ମାଡ଼ିଗଲା । ବାବୁଜୀ ହସିଲେ । ଖାଁ ସାହେବ ହସିଲେ । ମୁଁ ଓ ମାଲ୍‌କା ବି ହସିଲୁ । ଚଢ଼ି-ନିଖାଦ ହେଉଚି ସପ୍ତମ ବା ଶେଷ ସୁର । ମାଲ୍‌କା ଟିକିଏ ଦମ୍ ମାରି କହିଲେ, ଡାକ୍‌ଟାର୍‌ବାବୁ, ଆପଣଙ୍କୁ ଜୁହାର୍ । ମୁଁ ହାର ମାନିଲି । ମୋ କଥା ମୁଁ ଫେରାଇ ନେଉଚି । ଏଥର ମୋତେ କ୍ଷମା କରନ୍ତୁ ।

ନନୀ ଏତେବେଳେ ଯାଇ ଖୁସୀ ହେଲା । ବିନୀତ ଭାବରେ କରଯୋଡ଼ି ମାଲ୍‌କାଙ୍କୁ ଚାହିଁ କହିଲା, ବହିନ୍, ଆପଣ ବାବୁଜୀଙ୍କ ଖାସ୍ ସାଗିରଦ୍ । ଆପଣଙ୍କ ସହିତ ଆମେ ମସ୍‌କରା କରୁ । ଆପଣଙ୍କ ଛଡ଼ା ଆମର ଅଛି କିଏ ! ଆଉ ଆପଣ ତାର ବଦ୍‌ଲା ନିଅନ୍ତି ଆମକୁ ଗାନ୍‍ ଶୁଣାଇ ଚୋଟ୍ ଦେଇ । ଏ କଅଣ ଆମେ ଭୁଲିପାରୁ ! ଆପଣ ଦୁଇଥର ହାରିଗଲେ । ଦୁଇଟି ଗାନ୍‍ର ପାଉଣା ରହିଲା । ମେହେର୍‌ବାନି କରି ଏକଥା ଇୟାଦ୍ ରଖିବେ ।

ଫୈୟାଜ୍ ଖାଁ ଚୂଡ଼ାନ୍ତ ଆମୋଦ ପାଇଛନ୍ତି ମନେହେଲା । ବାବୁଜୀଙ୍କୁ କହିଲେ, ଦର୍‌ଦୀ ଔର୍ ଇନ୍‌ସାନ୍ ତ ଅନେକ ଦେଖିଛୁ । ତେବେ ୟାଙ୍କଭଳି ଜିନ୍ଦାଦୀଲ୍‌ ହରଦମ୍ ତୈୟାର୍‌ ମୁଁ କେବେ ଦେଖିନି । ଏମାନଙ୍କ ସହିତ ଜାନ୍‌ପହେଚାନ୍ ନାହିଁ, ତା ହେଲେ ବି.....

 

ଶ୍ୟାମଲାଲ୍‍ଜୀ ବାଧା ଦେଇ କହିଲେ, ହାଁ ହାଁ, କହୁଚି । ଜଣ ଜଣ କରି ଆମର ଯଥାଯୋଗ୍ୟ ପରିଚୟ ସେ ଦେଲେ । ଶେଷରେ କହିଲେ, ଏମାନେ ମୋର ବେ-ଫିକର୍ ଦୋସ୍ତ । ଏହାର ଅର୍ଥ- ଏମାନେ ସେଇ ପ୍ରକାରର ବନ୍ଧୁ ଓ ବିଶ୍ୱସ୍ତ ଯେଉଁମାନେ ମୋ’ରି ପାଇଁ ମୋତେ ଚାହାନ୍ତି, ଅନ୍ୟ କୌଣସି ପ୍ରକାର ଫିକର୍‌ ବା ସ୍ୱାର୍ଥ ନୁହେଁ । ଆମ ଜୀବନରେ ସେଭଳି କଥା ଶୁଣି ନ ଥିଲୁ । ସେଇ କ୍ଷୁଦ୍ର ଶବ୍ଦ ଦୁଇଟି ମଧ୍ୟରେ ଯେ ସ୍ନେହ, ପ୍ରୀତି ଓ ଆଶୀର୍ବାଦ ଏକତ୍ର ଭାବେ ଥିଲା ଏ ଦୁଇଟି କ୍ଷୁଦ୍ର ହୃଦୟ ତାହାର ଯୋଗ୍ୟ ହେବା ପାଇଁ ଚେଷ୍ଟା କରିଚି ମାତ୍ର । ଯୋଗ୍ୟ ହୋଇ ପାରିଥିଲି କି ନା ଅନ୍ତର୍ଯ୍ୟାମୀ ଜାଣନ୍ତି ।

 

ପରିଚୟ ପ୍ରସଙ୍ଗରେ ବଦଲ୍ ଖାଁ ସାହେବଙ୍କ କଥା ଉଠିଲା । କୌଣସି କାରଣରୁ ସେଦିନ ବଦଲ୍‌ ଖାଁ ସାହେବ ଦମ୍‌ଦମ୍‌ରୁ ଆସି ପାରି ନ ଥିଲେ । ଅତୀତର ଛାୟା ଅନୁସରଣ କରୁ କରୁ କଥା ଚାଲିଗଲା ପୌରାଣିକ ପଥରେ । ଖଲିଫା ବଦଲ ଖାଁ ସାହେବ ସେତେବେଳେ ମୁନି-ଋଷି ପର୍ଯ୍ୟାୟକୁ ଯାଇଥାନ୍ତି– ଗୁଣ, ବୟସ ଓ ଚରିତ୍ରବତ୍ତା ପାଇଁ । ଫୈୟାଜ୍ ଖାଁ ସାହେବଙ୍କ ବାପ-ଦାଦା-ପର୍‌ଦାଦାମାନେ ଆଗ୍ରାର ବଦଲ୍‌ ଖାଁ ସାହେବଙ୍କୁ ଜାଣିଥିଲେ । ଫୈୟାଜ୍ ଖାଁଙ୍କୁ ନେଇ ଚାରିପୁରୁଷ ହେଲା । ସେତେବେଳେ ବଦଲ୍‌ ଖାଁ ସାହେବଙ୍କ ବୟସ ତେୟାଅଶୀ ବର୍ଷ ।

 

କଥାସୂତ୍ରରେ ଆଗ୍ରାର ଓ ଗୋୟାଲିୟର୍‌ର ଖାନ୍‌ଦାନି ଘର ଖବର ମଧ୍ୟ ଉଠିଲା । ଖାନ୍‌ଦାନିର ଅର୍ଥ– କୌଣସି ବଂଶର ବା ସଙ୍ଗୀତ-ସଂପ୍ରଦାୟର କୌଣସି ଶିଳ୍ପୀ କୌଣସି ବାଦ୍‌ଶାହୀ ଅମଳରେ ଶାହ୍‌ଙ୍କ ସଭାକୁ ଯାତାୟାତ କରି ବିଶିଷ୍ଟ ଖାତିର ପାଇଥିବାରୁ ସେଇ ବଂଶର ସୌଭାଗ୍ୟ ହେତୁରୁ ପରବର୍ତ୍ତୀ ବଂଶଧରମାନେ ଖାନ୍‌ଦାନି ମର୍ଯ୍ୟାଦା ଦାବି କରନ୍ତି । ପରେ ଏହି ଶବ୍ଦଟି ଓ ‘ଘରାନା’ ଶବ୍ଦ ପ୍ରାୟ ଏକ ଅର୍ଥରେ ପ୍ରୟୋଗ ହେଲା । ସେକାଳର, ଅର୍ଥାତ୍ ଆମ ସମୟର, ପ୍ରକୃଷ୍ଟ ଉଦାହରଣ ହେଲା ତାନ୍‌ସେନଙ୍କ ଦୌହିତ୍ର ବଂଶର ପ୍ରଖ୍ୟାତ ଗୁଣୀ ପୁରୁଷ ରାମପୁର ଷ୍ଟେଟ୍‌ର ଓସ୍ତାଦ୍ ଉଜିର ଖାଁ ସାହେବ । ବଂଶାନୁକ୍ରମେ ଏଇ ବଂଶ ବାଦ୍‌ଶାହା ବା ଶାହ୍‌ଙ୍କ ସଂଶ୍ରବ ବଜାୟ ରଖିଥିଲା । ଅଥଚ ତାନ୍‌ସେନ୍‍ଙ୍କ ପୁତ୍ର-ପୌତ୍ର ବଂଶ ପଶ୍ଚିମ ଦିଗକୁ ଯାଇ ଯେଉଁ ସେନୀଘରାନା ବା ପଛାଁଓବାଜୀ ସଂପ୍ରଦାୟ ନାମରେ ଅଭିହିତ ହେଲା ତାକୁ ଖାନ୍‌ଦାନି କୁହାଗଲା ନାହିଁ । କାରଣ, ବାଦ୍‌ଶାହ ବା ଶାହ୍‌ମାନଙ୍କ ସାକ୍ଷାତ୍ ପୋଷକତାରୁ ଏ ସଂପ୍ରଦାୟ ବିଚ୍ୟୁତ ହୋଇଗଲା । ସେ ଯାହାହେଉ, ଖେୟାଲୀମାନଙ୍କ ମଧ୍ୟରେ ଗୋଲାମ୍ ଆବ୍‌ବାସଙ୍କ ଘର ଯେ ଖାନ୍‌ଦାନି ଏକଥା ସେଇଦିନ ଶୁଣିଲି । ଆମ ସମୟ ପର୍ଯ୍ୟନ୍ତ ଖାନ୍‌ଦାନି ଘରର, ଅର୍ଥାତ୍ ‘ଘରାନା’ର ଯେ ବିଶିଷ୍ଟ ମର୍ଯ୍ୟାଦା ଥିଲା, ଏଥିରେ ସନ୍ଦେହ ନାହିଁ । ତେବେ ବି ମନେପଡୁଚି ସେଇ ସୌମ୍ୟଦର୍ଶନ, ସୁରସିକ ଫୈୟାଜ୍ ଖାଁ ସାହେବ ଏସବୁ କଥା ଭିତରେ ଥରେ ଦି’ଥର ଦୀର୍ଘନିଶ୍ୱାସ ପକାଇଥିଲେ । ଯାହାର ଅର୍ଥ– ତେହି ନୋ ଦିବସା ଗତାଃ ।

 

ସାକ୍ଷାତ୍ ଗୋଲାମ୍ ଆବ୍‌ବାସଙ୍କର ଘର କଥା ଉଠିଲା । ଗୋଟାଏ କ୍ଷୀଣ ଆଶା ନେଇ ମୁଁ ଫୈୟାଜ୍ ଖାଁ ସାହେବଙ୍କ ନିକଟରେ ଯାଇ ବସିଲି । ଗଜଲ୍‌ ଯଦି ପବନରେ ଉଡ଼ି ଆସିପାରିଲା ତେବେ ଗମ୍ଭୀର ପଦକ୍ଷେପରେ ଖେୟାଲ୍‌ର ଗୋଟାଏ ନମୁନା ବା ନ ଆସିବ କାହିଁକି ! ଅବଶ୍ୟ ଗୋଟାଏ ଯୋଗ୍ୟ ସଙ୍ଗତ ଆବଶ୍ୟକ । ହୁଏତ ଟିକିଏ ଅନୁରୋଧ କରିବାକୁ ପଡ଼ିବ । ସେଥିରେ ଅନ୍ତତଃ ଆମେ ହଟିଯିବା ଲୋକ ନୋହୁଁ । ଏହି ଉଦ୍ଦେଶ୍ୟ ରଖି ତ ମୁଁ ଆଗେଇଯାଇ ତାଙ୍କ ପାଖରେ ବସିଥିଲି । ରସିକ ସହୃଦୟ ପୁରୁଷ ତ ଆମର ଆଶା ।

 

କିନ୍ତୁ...ଭାଗ୍ୟଦେବତା ଯେଉଁ ହାତମୁଠା ଖୋଲି ସେଦିନ ପୁଷ୍ପବର୍ଷଣ କରିଥିଲେ ସେଇ ହାତଟି ଓଟାରିନେଲେ । ସେଦିନର ଶେଷ ନିୟତିର ରୂପ ନେଇ ଉପସ୍ଥିତ ହେଲେ ଗହର୍‌ଜରନ୍ ବାଈଜୀ । ସେ ଆସ୍ଥାନ ଜମାଇ ବସୁ ନ ବସୁଣୁ ଆସିଲେ ପୁରୁଷୋତ୍ତମ ଦାସଜୀ, ଯାହାଙ୍କୁ ଆମେ ‘ମହାଦେଓ’ ବୋଲି ଡାକୁଥିଲୁ ।

 

ବୈଠକକୁ ଗହର୍‌ଙ୍କ ଆଗମନର ଅର୍ଥ, କଳ୍ପନା-ଜଳ୍ପନା, ଲଣ୍ଡଭଣ୍ଡ, ତାତ୍‌କାଳୀନ ସବୁ କାମ ପଣ୍ଡ ! ତାଙ୍କ କଥା ମନେପଡ଼ିବା ମାତ୍ରକେ ସବୁଠୁଁ ବଡ଼ ହୋଇ ଦେଖା ଦିଏ ତାଙ୍କ ବିଚିତ୍ର ଜୀବନ ଓ ଅଦ୍‌ଭୁତ ପ୍ରତିଭା । କିନ୍ତୁ ସେ ସନ୍ଧ୍ୟାଲଗ୍ନର ଗହର୍‌ ବୋଇଲେ ମନକୁ ଆସେ ଦିଗହରା ପବନର ଗୋଟିଏ ଆବର୍ତ୍ତ, ଯାହା ନିଜେ ରୁହେ ନାହିଁ, ଅନ୍ୟକୁ ବି ଦିଗହରା କରିଦେଇଯାଏ ।

 

ଗହର୍‌ ଆସିବା ମାତ୍ରେ ମୁଁ ଓ ନନୀ ଭୟ ଓ ସମ୍ଭ୍ରମ ସହ ବେଶ୍ ଦୂରେଇ ଦୂରେଇ ଦୁଇପଟକୁ ବସିଲୁ । ସମସ୍ତଙ୍କୁ ଆମେ ସମ୍ଭ୍ରମ କରୁଥିଲୁ । ପ୍ରତିଦାନରେ ନାଇଛୁ ପ୍ରୀତି ଓ ସମ୍ଭ୍ରମ । କିନ୍ତୁ ଏହି କଳାପଟ୍ଟୀୟସୀ ମହିଳାଙ୍କ ପ୍ରତି ଆମର ଗୋପନ ଭୟ ଥିଲା । ଅବଶ୍ୟ ମୁହଁ ଆଖିରେ ସପ୍ରତିଭ ଭାର ପ୍ରକାଶ କରୁଥିଲୁ । କିଛି ନ ହେଲେ ବି ଆମେ ତ ଶାନ୍ତିପୁର କୃଷ୍ଣନଗରର ପିଲା । ବିଶେଷତଃ ପୁଣି ଆମେ ଶ୍ୟାମଲାଲ୍‌ଜୀଙ୍କ ଶିଷ୍ୟ । ଗୁରୁଜୀ ଆମ ମନୋଭାବ ବୁଝୁଥିଲେ ବୋଲି ଆମକୁ ଭଲପାଉଥିଲେ । ଆଉ ନିଶ୍ଚିନ୍ତ ଥିଲେ ବି ।

 

ସେ ସମୟରେ ଆମ ଦୁଇଜଣଙ୍କ ବୟସ ମିଶାଇଲେ ଯେତେ ହୁଅନ୍ତା ଗହର୍‌ଙ୍କ ବୟସ ତାଠୁଁ ବରଞ୍ଚ ବେଶି ଥିଲା, କମ୍ ନୁହେଁ । ଏ ହେଲା ହିସାବୀ କଥା । ସ୍ୱୟଂ ଗହର୍‌ଙ୍କଠାରୁ ତାଙ୍କ ଜାତକ ମୁଁ ଆଦାୟ କରିପାରିଥିଲି ବୋଲି ବୟସ କଥା କହି ପାରିଲି । ସେ ଯାହାହେଉ, ଗହର୍ ବୈଠକକୁ ଆସିଲେ କିନ୍ତୁ ଅଙ୍କଶାସ୍ତ୍ରର ସିଦ୍ଧାନ୍ତରେ ଅଧ୍ୟବସାୟ ରକ୍ଷା କରିବା ଅସମ୍ଭବ । ତାଙ୍କ ଦେହ ସମାନ କି ଅସମାନ, ଖର୍ବ କିମ୍ୱା ଦୀର୍ଘ, କ୍ଷୀଣ ବା ମେଦବହୁଳ ଏ ସବୁ ଗବେଷଣା କରିବାର ଅବସର ସେତେବେଳେ ମିଳେ ନାହିଁ । ସେ ନଥିଲା ବେଳେ ତାଙ୍କ ବୟସ ଅନ୍ଦାଜ କରି ବସିଲେ ସଂଶୟ ଜାତ ହୁଏ । କାରଣ, ତାଙ୍କ କଥା ଓ ଆଚରଣରେ ପ୍ରକାଶ ପାଏ ତରୁଣୀର ଉଦ୍‌ଭ୍ରାନ୍ତ କଳା-ଚପଳତା । ତାଙ୍କ ପ୍ରତିଦିନର ରୂପସଜ୍ଜାର ଲକ୍ଷ୍ୟ ଥିଲା ଷୋଡ଼ଶୀର ଗର୍ବ ଓ ଗୌରବ । ସ୍ୱାଭାବିକ ଗମନରେ ଥିଲା କୁଞ୍ଜରର ଗତିବିଭ୍ରମ । ତାଙ୍କ ଭାବ-ଭଙ୍ଗୀ କଟାକ୍ଷର ସାମାନ୍ୟ ସାବଲୀଳ ଭଙ୍ଗିମା ଦେଖି ତଓୟାୟେଫ୍‌ମାନେ କୁଳବଧୂ ଭଳି ଲଜ୍ଜାରେ ସଙ୍କୁଚିତ ହୋଇ ଯାଉଥିଲେ । ଚିକ୍ (ବାଉଁଶର ଜାଲି ପରଦା) ସେ ପଟେ ବସିଥିବା ବାସ୍ତବିକ କୁଳବଧୂମାନଙ୍କର କି ଦଶା ହେଉଥିଲା ତା ମୁଁ ଏ ପର୍ଯ୍ୟନ୍ତ ଠିକ୍ କରି ପାରି ନାହିଁ । ଗହର୍‌ଙ୍କ ସହିତ ତୁଳନା କଲେ ମନେହୁଏ, ଆଧୁନିକ ବାଈଜୀମାନେ ତ ସରଳ, ନିରୀହ ! ଆଧୁନିକ ସିନେମା-ତରୁଣୀମାନେ ତ ଶିଶୁ, ଆମେରିକାନ୍‌ମାନେ ଯାହାଙ୍କ ପିଠି ଚାପୁଡ଼େଇ ବାତ୍ସଲ୍ୟ ପ୍ରକାଶ କରି କହନ୍ତି, ‘ବେବି’ ! ରାମଚନ୍ଦ୍ର !

 

ଗଣପତ୍ ରାଓ ଭାଇୟାସାହେବ, ବଦଲ୍ ଖାଁ ସାହେବ, ଶ୍ୟାମଲାଲ୍‌ଜୀ ପ୍ରଭୃତି ଗୁରୁଙ୍କ ପ୍ରତି ଗହର୍‌ଙ୍କ ଶ୍ରଦ୍ଧା ଓ ଭକ୍ତି ଥିଲା ଅଚଳା । ସୂତାଏ ବି ଏପାଖ ସେପାଖ ହେବାର କେବେ ଦେଖି ନାହିଁ । କିନ୍ତୁ ବୈଠକର ଅନ୍ୟ ସମସ୍ତଙ୍କୁ, ସେ ସ୍ତ୍ରୀ ବା ପୁରୁଷ, ପରିଚିତ ବା ଅପରିଚିତ ଯେ ହୁଅନ୍ତୁ, ସେ ବନ୍ଧୁ ବା ବୟସ୍ୟ, ନହେଲେ ବାଧ୍ୟ ବା ବଶ୍ୟ ଭାବରେ ଦେଖୁଥିଲେ । ବୈଠକକୁ ଆସି କେବଳ ସଖ୍ୟ ଖାତିରରେ କୌଣସି ପରିଚିତ ସ୍ତ୍ରୀ ବା ପୁରୁଷ କାନ୍ଧରେ ଆସ୍ତେ ହାତ ରଖି ଆସନ ଗ୍ରହଣ କରିବା ତାଙ୍କ ପକ୍ଷରେ ଏବଂ କେବଳ ମାତ୍ର ତାଙ୍କ ପକ୍ଷରେ ଅଦ୍‌ଭୁତ ବା ଅଶୋଭନ ମନେ କରା ହୁଅନ୍ତା ନାହିଁ । ପରିଚିତ ଲୋକଙ୍କ ସହିତ ରହସ୍ୟ ବା କଥାବାର୍ତ୍ତା ଛଳରେ ଅତି ନିରୀହ, ନିର୍ମୋହ ଭାବରେ ନିଜର ଆଖି-ମୁହଁର ଅସ୍ତ୍ରଗୁଡ଼ିକ ଶାଣେଇ ନିଅନ୍ତି ଏବଂ ନିର୍ମମ ନିର୍ବିଶେଷ ଭାବରେ ସେସବୁ ପ୍ରୟୋଗ କରନ୍ତି । ଆମର ମନେ ହୁଅନ୍ତା ଅପରିଚିତକୁ ଜୟ କରିବା ପାଇଁ ହିଁ ସେପରି ସେ କରନ୍ତି । ବୈଠକରେ ପ୍ରଥମଥର ତାଙ୍କ ସହିତ ସାକ୍ଷାତ୍ ହେବା ବେଳେ ଆମର ମନେହୋଇଥିଲା ସେସବୁ ଛଳନା ଓ ଅଭିନୟ । ଦ୍ୱିତୀୟ ଥର ସାକ୍ଷାତ ବେଳେ ମନେକରିବାକୁ ବାଧ୍ୟ ହେଲୁ– ତାଙ୍କ ଆଚରଣ ସଙ୍ଗତ ହେଉ ବା ଉଦ୍‌ଭଟ ହେଉ, ସେ ସବୁ ଗହର୍‌ଙ୍କ ପ୍ରକୃତି ଗତ, ଦୁର୍ନିବାର, ଅକୃତ୍ରିମ ।

 

କଦାଚିତ୍ ତାଙ୍କ ଆଚରଣରେ ଅଶୋଭନତା ଦେଖି ଆମ ତରୁଣ ମନ ବେଦନା ପାଇଚି ସତ, ହେଲେ ଶ୍ୟାମଲାଲ୍‌ଜୀ ଓ ଅନ୍ୟ ବୟସ୍କ ବ୍ୟକ୍ତିମାନେ ସେଭଳି କଥାକୁ କ୍ଷମାଚକ୍ଷୁରେ ଦେଖନ୍ତି-। ତାହାର ଏକମାତ୍ର କାରଣ, ଗହର୍‌ଙ୍କ ଭିତରେ ଏମାନେ ପ୍ରତ୍ୟକ୍ଷ କରିଥିଲେ ଗୀତ ଓ ନୃତ୍ୟର ଅନନ୍ୟସାଧାରଣ ପ୍ରତିଭା ଏବଂ ତା ସହିତ ସେଇ ଅଦମ୍ୟ ସ୍ୱଭାବକୃତ ଲୀଳାପ୍ରବଣତା-। ଏ ବିଷୟରେ ଟିକିନିଖି ଆଲୋଚନାର କ୍ଷେତ୍ର ଏ ନୁହେଁ । ଏତିକି ମାତ୍ର କହିପାରେ ଯେ ଆମେ ବି ଗହର୍‌ଙ୍କ କଳାକୁଶଳତା ଓ ପ୍ରତିଭାର ବିକାଶ ପ୍ରତ୍ୟକ୍ଷ କରିଥିଲୁ । ଚମକ୍‌କୃତ ବା ତନ୍ମୟ ହେଉ କହିଲେ ଆମ ପକ୍ଷରେ ଗୋଟାଏ ସାମାନ୍ୟ ସତ୍ୟ କଥା କୁହାଗଲା ବୋଲିବାକୁ ହେବ ଏବଂ ତାହା ମଧ୍ୟ ଅତି ସଂକ୍ଷିପ୍ତ ଭାବରେ କୁହାଗଲା । ଗହର୍‌ଙ୍କ ସମୃଦ୍ଧ ଅବସ୍ଥାକୁ ସଙ୍ଗୀତ ସମାଲୋଚନା ଦୃଷ୍ଟିରେ ଅନୁଶୀଳନ କରୁଥିବା କେଇ ଜଣ ପ୍ରାଚୀନ ବ୍ୟକ୍ତି କହିବାର ଶୁଣିଚି, ଏ ତ କିଛି ନୁହେଁ, ଅତି ସାମାନ୍ୟ ! ଏତ କେବଳ ଗହର୍‌ର ଛାୟା ! ଯେଉଁ ପ୍ରବୀଣଙ୍କ କଥା କହିଲି, ସେମାନେ ନିଜେ ଥିଲେ ଗୁଣୀ ଓ ଗୁଣଗ୍ରାହକ, ବିଦ୍ୱାନ୍ ଓ ବିଦଗ୍‌ଧ, ସୁଶୀଳ ଓ ସଂଯତବାକ୍, ଯଥା– ବଦଲ୍ ଖାଁ ସାହେବ, ବିଶ୍ୱନାଥଜୀ, ଓସ୍ତାଦ୍ ଲଛ୍‌ମୀପ୍ରସାଦ ମିଶ୍ର, ଶ୍ୟାମଲାଲ୍‌ଜୀ, ତନ୍‌ନୁଲାଲ୍‌ଜୀ, ଚୌଧୁରାନ୍ ବାଈଜୀ ସାହେବା ପ୍ରଭୃତି । ଏସବୁ କଥା ଜାଣି ଓ ଶୁଣି ନନୀ ଓ ମୁଁ ଗହର୍‌ଙ୍କୁ ଦେଖି ଭୟ-ସମ୍ଭ୍ରମ କରୁଥିଲୁ ବୋଲି ଯାହା କହିଲି ତାହା କେବଳ ଆମର ତଟସ୍ଥ ଭାବର ଇଙ୍ଗିତ । କିନ୍ତୁ ଏହାଦ୍ୱାରା ଗହର୍‌ଙ୍କର ତିଳେମାତ୍ର ଅପବାଦ ହୁଏନା କି ସେ ଚରିତ୍ରର ଲେଶମାତ୍ର ମର୍ଯ୍ୟାଦା ବି ବଢ଼େନା ।

 

ଗହର୍‌ ଆସି ପ୍ରଥମେ ବାବୁଜୀଙ୍କୁ ନମସ୍କାର କଲେ । ପରେ ପ୍ରଶାନ୍ତ ଦୃଷ୍ଟିରେ ଅନ୍ୟ ସମସ୍ତଙ୍କୁ ନମସ୍କାର କରି ନନୀ ଆଡ଼କୁ ମୁହଁ କରି ଆସନ ନେଲେ । ଅନ୍ୟ ଆଡ଼େ ମାଲକା, ତାଙ୍କୁ ଲାଗି ଫୈୟାଜ୍ ଖାଁ ଓ ତାଙ୍କ ପାଖେ ମୁଁ । ଆମେ ତିନି ଜଣ ଗହର୍‌ଙ୍କର ପ୍ରାୟ ସମ୍ମୁଖରେ ବସିଥିଲୁ । ମୋର ଲକ୍ଷ୍ୟ ବିଶେଷ କରି ଗହର୍‌ଙ୍କ ଆଖି ଆଡ଼େ । ସେଇ ଆଖିରେ ଉଦ୍‌ବେଳ ଭାବରେ ଦେଖା ଦିଏ ଭାବର ତରଙ୍ଗ । କଥାର ଅଗ୍ରଦୂତ ହୋଇ ଆଖିର ଭଙ୍ଗିମା ପ୍ରକାଶ ପାଏ । ଆଖିର ଦୃଷ୍ଟି ଥିଲା କଥାର ଉପକ୍ରମଣିକା । ପରେ ଓଷ୍ଠାଗ୍ରରେ କଥା ଫୁଟେ । ଯେଉଁ ତନ୍‌ନୁଲାଲ୍‌ଜୀ ଆଠବର୍ଷର ଗହର୍‌ଙ୍କୁ କୋଳରେ ବସାଇ ଆଦର କରିଛନ୍ତି ସେ ଏ ସବୁ ରହସ୍ୟ ମୋତେ କହିଥିଲେ ।

 

ନିମିଷକ ଭିତରେ ଗହର୍ ସମସ୍ତଙ୍କୁ ଦେଖିନେଲେ । ସସ୍ନେହ ଦୃଷ୍ଟିରେ ମାଲ୍‌କାଙ୍କ ସହିତ କୁଶଳ ସମ୍ୱାଦ ବିନିମୟ କଲେ । ଗୋଟିଏ ସଶ୍ରଦ୍ଧ ଗ୍ରୀବାଭଙ୍ଗି, ଗୋଟିଏ ସବିକାଶ ଲକ୍ଷଣ ସହ ତାଙ୍କ ମୁହଁ ବାବୁଜୀଙ୍କ ଆଡ଼କୁ ହେଲା । ଚାହାଣିରେ ଶିଶୁସୁଲଭ ସରଳ ଜିଜ୍ଞାସା ।

 

ପଚାରିଲେ- ବାବୁଜୀ, ଆପଣ ଶେଲୀର ଜଲସାକୁ ଯିବେ କି ? ଗାଡ଼ି ପ୍ରସ୍ତୁତ ଅଛି ।

 

ବାବୁଜୀ କହିଲେ- ନା, ମୁଁ ତ ଯିବି ନାହିଁ । ମୋର ଅନ୍ୟତ୍ର ଯିବାର ଅଛି । ବର୍ତ୍ତମାନ ଟିକିଏ ଧ୍ୟାନ ଦେଇ ୟାଙ୍କୁ ଦେଖି କୁହ ତ ୟାଙ୍କୁ କେଉଁଠି ଦେଖିଛ କି ନା, ମନେପଡ଼େ କି ନା ?

 

ବାବୁଜୀ ଗହର୍‌ଙ୍କ ହୋସ୍ ଫୈୟାଜ୍‌ ଖାଁ ସାହେବଙ୍କ ଆଡ଼େ ମୁହାଁଇଦେଲେ । ବାବୁଜୀଙ୍କ କଥାରୁ ବୁଝିଲି, ଗହର୍ ଓ ଖାଁ ସାହେବ ନିଶ୍ଚୟ ଏହା ପୂର୍ବରୁ ପରସ୍ପରକୁ ଦେଖିଛନ୍ତି । ତେବେ ବୁଝିପାରିଲି ନାହିଁ ଏମାନେ ଚିହ୍ନି ପାରିଛନ୍ତି କି ନା । ଅବଶ୍ୟ ପୂର୍ବ ପରିଚୟକୁ ଇଚ୍ଛାନୁସାରେ ଭୁଲିଯିବା ବା ଅସ୍ୱୀକାର କରିବାର ଅଧିକାର ସ୍ତ୍ରୀଜାତିର ଅଛି । ସାରା ଜଗତର ଲୋକେ ଏକଥା ମୁଣ୍ଡପାତି ସ୍ୱୀକାର କରନ୍ତି । ବିଚାରା ପୁରୁଷ ପକ୍ଷରେ ଏ ଅଧିକାର ସ୍ୱୀକୃତ ହୋଇନାହିଁ । ଚିହ୍ନିବାର ଦାୟିତ୍ୱଟା ବାବୁଜୀ ପ୍ରଥମେ କାହିଁକି ଗହର୍‌ଙ୍କ ଉପରେ ଲଦିଦେଲେ ବୁଝିପାରିଲି ନାହିଁ ସେତେବେଳେ ।

 

ଫୈୟାଜ୍ ଖାଁ ସାହେବ ଅବିଚଳିତ ଭାବରେ ବସି ରହିଲେ, ଯେମିତି ଦୀପଶିଖାର ଗୋଟିଏ ନିଷ୍କମ୍ପ ରୂପ ।

 

ନିର୍ନିମେଷ ବିସ୍ମୟ ଦୃଷ୍ଟିରେ ଖାଁ ସାହେବଙ୍କ ମୁହଁ ଉପରେ ଲାହର୍ ମନୋନିବେଶ କଲେ-। ଈଷତ୍ ବଙ୍କିମ ଗ୍ରୀବାର ଗୋଟିଏ ଅପୂର୍ବ ଭଙ୍ଗିକୁ ତାଙ୍କ ବାମ ହାତର ତର୍ଦ୍ଦନୀ ଛୁଇଁଚି କି ନାହିଁ ତାଙ୍କ ବିସ୍ମୟଭାବ ମିଳାଇଗଲା । କାର୍ମୁକ ଭଳି ତାଙ୍କ ଭ୍ରୂଯୁଗଳ ସଙ୍କୋଚରୁ ନିର୍ମୁକ୍ତ ହେଲା-। ହର୍ଷରେ ମୁଖମଣ୍ଡଳ ଉତ୍‌ଫୁଲ୍ଲ । ଆଖିତାରା ଦୁଇଟି ଯେମିତି ଅତୀତର କୌଣସି ନିର୍ମଳ ସ୍ମୃତିକୁ ବିଶଦ ଭାବରେ ଅଭିବାଦନ କରି ପାଛୋଟି ଆଣିଲା । ବାବୁଜୀ ଗହର୍‌ଙ୍କୁ ଧ୍ୟାନ ଠିକ୍ କରିବାକୁ କହିଥିଲେ । ଗହର୍‌ଙ୍କ ଧ୍ୟାନାବସ୍ଥା ମାନେ ଦର୍ଶକର ଚିତ୍ତବୃତ୍ତିର ସ୍ତମ୍ଭ ବା ପ୍ରଳୟ । ଗହର୍‌ଙ୍କର କିଛି ନୁହେଁ ।

 

ସ୍ୱଚ୍ଛସ୍ମିତ ହସଗୋଳା ମଧୁର ସ୍ୱରରେ ଗହର କହିଲେ– ବାବୁଜୀ, ଏ ମହାଶୟ କେମିତି ମୋ ସ୍ମୃତି ବାହାରକୁ ଚାଲିଯିବେ । ଏ ତ ହୋଇପାରେନା । ଯେଉଁ ଚୋଟ ସେ ମୋତେ ଦେଇଥିଲେ ତା କଅଣ ମୁଁ ଭୁଲିପାରେ ! ଟିକିଏ ଅନ୍ୟମନସ୍କ ଭାବରେ ସେ ମୁହଁ ତଳକୁ କରି ଗୋଲାପୀ ଜର୍‌ଜେଟ୍ ଶାଢ଼ି-ପଣତର ଫୁଲପକା ହେସ୍‌କୁ ଅଙ୍ଗୁଳିରେ କୁଞ୍ଚାଉ କୁଞ୍ଚାଉ ପୁଣି କହିଲେ– ବାବୁଜୀ, ଏ ମହାଶୟ ସେଇ ଦିଲ୍ଲୀଜଲ୍‌ସାର ଫୈୟାଜ୍ ଖାଁ ସାହେବ ନୁହଁନ୍ତି କି ? ତ ଖାଁ ସାହେବ, ଆପଣ କଲିକତା କେବେ ଆସିଲେ ? ମୁଁ ତ କିଛି ଖବର ପାଇନି ! ମାଲକା, ତୁମେ ବା ମୋତେ ଖବର ନ ଦେଲ କାହିଁକି ? ଖଏର୍, ଯାହା ହେବାର ତ ହେଲାଣି । ବର୍ତ୍ତମାନ କୁହନ୍ତୁ ଜନାବ୍, କେବେ ଆମକୁ ଗାନ ଶୁଣାଉଛନ୍ତି ?

 

ଅନ୍ୟ ହାତରେ କମଳା ଦେଖି ଛୋଟ ପିଲାର ଆଖିରେ ଯେଉଁ ଉଲ୍ଲାସ ଦେଖା ଦିଏ ଗହର୍‌ଙ୍କ ଆଖି-ମୁହଁରେ ସେଇ ଉଲ୍ଲାସ ଦେଖିଥିଲି ସେଦିନ । ଶେଷ କଥାଟି ଥିଲା ଆବେଗ-ଆକୁଳତାରେ ଜଡ଼ିତ । ବୀଣାରେ ଆଳାପ ଆଗରୁ ଗୋଟିଏ ଯୋଡ଼ିଏ ପର୍ଦାରେ ଗୋଟିଏ ଯୋଡ଼ିଏ ମଧୁର ସୁର ବାଜିଲା ଯେମିତି । ସେଇ କେଇ ପଦ କଥା ପାଇଁ ଗହର୍‌ଙ୍କୁ ମନେ ମନେ ଧନ୍ୟବାଦ ଦେଇଥିଲି । ଗହର୍‌ଙ୍କ ଆକୁଳତା ମାନେ ସମ୍ଭାବନା ପଥରେ ଅଧେ ଆଗେଇଯିବା । ତା’ଛଡ଼ା ପ୍ରାଚୀନଙ୍କଠାରୁ ଶୁଣିଥିଲି, କୌଣସି ବିଖ୍ୟାତ ଗୁଣୀ କଲିକତା ଆସିଲେ ଗହର୍ ଆଗ୍ରହ ସହକାରେ ତାଙ୍କୁ ନିମନ୍ତ୍ରଣ କରନ୍ତି, ଗାନ ଶୁଣନ୍ତି ଏବଂ ପାଞ୍ଚଜଣଙ୍କୁ ଶୁଣାନ୍ତି । ଯଥାଯୋଗ୍ୟ ଦକ୍ଷିଣା ଓ ପାଥେୟ ଦେଇ ତୁଷ୍ଟ କରିବା ତ ଗୋଟାଏ ଅଭ୍ୟସ୍ତ ପ୍ରଥା – ସବୁ ବାଈଜୀଙ୍କ ପକ୍ଷରେ ।

 

ଗହର୍‌ଙ୍କ ପକ୍ଷରେ ଏତେ ଆଗ୍ରହ ଶୋଭନ ଓ ସ୍ୱାଭାବିକ ହେଲେ ବି ଫୈୟାଜ୍ ଖାଁ ଖୁବ୍ ସଂଯମ ରକ୍ଷା କରି ବାବୁଜୀଙ୍କୁ କହିଲେ : ଜନାବ୍, ଆମେ ପଶ୍ଚିମ ଆଡ଼ର ଲୋକ । ପୂର୍ବ ଆଡ଼ର ଆଦବ-କାଇଦାରେ ଆମେ ଦୂରସ୍ତ ନୋହୁଁ । ତେଣୁ ୟାଙ୍କ କଥାର ଉତ୍ତର ଦେବାକୁ ଗଲେ ହୁଏତ ବେଆଦବୀ ହୋଇଯିବ ! କ୍ଷମା କରିବେ । ଆପଣ ଅନୁଗ୍ରହ କରି ୟାଙ୍କୁ ବୁଝାଇଦିଅନ୍ତୁ, ଆମ ଘରର ଏ ଚଳଣି ନୁହେଁ ଯେ ଯେଉଁଠି ପାରେ ତମ୍ବୁରା କାଖେଇ ପହଞ୍ଚି ଗାନ ଗାଇ ନିଜକୁ ପ୍ରଚାର କରିବୁ । ୟାଙ୍କର ଯଦି ଇଚ୍ଛା ହୁଏ ତେବେ ଟିକିଏ କଷ୍ଟ କରି ଆଗ୍ରା ଯାଇ ଆମ ଘରାନାର ସ୍ୱାଦ ଗ୍ରହଣ କରିପାରନ୍ତି । ମୁଁ ତ ଏଠିକି ଗାନ ଗାଇବାପାଇଁ ଆସିନାହିଁ ।

 

ବୁଝିଲି, ଗହର୍‌ଙ୍କ ଉପରେ ପଡ଼ି ଆଳାପ କରିବା ଢଙ୍ଗକୁ ଖାଁ ସାହେବ ଆଦୌ ସହ୍ୟ କରି ପାରି ନାହାନ୍ତି । ତଥାପି ତାଙ୍କ କଥାଗୁଡ଼ିକ ଅଶ୍ୱସ୍ତିକର ଲାଗିଲା । ସେ ପ୍ରକାର କଥାରେ ଯେକୌଣସି ଲୋକ ଅପମାନିତ ମନେ କରିପାରିଥାନ୍ତା କିନ୍ତୁ ବିଧାତା ଗହରଙ୍କୁ ଅଜବ୍‌ ପ୍ରକାର ସରସ ମାଟିରେ ଗଢ଼ିଥିଲେ ।

 

ଇତିମଧ୍ୟରେ ପୁରୁଷୋତ୍ତମ ଆସି ମୋ ପାଖରେ କେତେବେଳେ ବସିସାରିଥାନ୍ତି । ଅତି ବିଚିତ୍ର ଠାଣିରେ ପୁରୁଷୋତ୍ତମ ଆଡ଼େ ମୁହଁ ବୁଲାଇନେଲେ ଗହର ତତ୍‌କ୍ଷଣାତ୍ । ତାଙ୍କ ଦୁଇ ଆଖିରେ ଦୁଇ ପ୍ରକାର ଚାହାଣି । ଗୋଟିକରେ ସରଳ ବିସ୍ମୟ, ଅନ୍ୟଟି ପ୍ରଚ୍ଛନ୍ନ ରହସ୍ୟରେ ଚଞ୍ଚଳ ଓ କୁଟିଳ । ଆଖିର ବି ଅଦ୍‌ଭୁତ ସାଧନା ଅଛି । ଆଉ ସେଥିରେ ଗହର୍‌ଙ୍କ ସିଦ୍ଧି ବି ଥିଲା ଅଦ୍‌ଭୁତ ! ଅବିକୃତ ସ୍ୱରରେ ପୁରୁଷୋତ୍ତମଙ୍କୁ ଗହର ପଚାରିଲେ– ପୁରୁଷୋତ୍ତମ ଭାଇ, କୁହ ତ କଲିକତାଠାରୁ ଆଗ୍ରା କେତେ ଦୂର ?

 

ପୁରୁଷୋତ୍ତମ ଦାସ, ଓରେଫ୍‌ ‘ମହାଦେଓ’, ନିତିଦିନିଆ ବୈଠକର ଲୋକ । ବୟସ ତାଙ୍କର ପଚାଶରେ ପହଞ୍ଚି ଥମକି ଯାଇଚି । ଚେହେରାଟି ଯେମିତି ସ୍ନିଗ୍‌ଧ ଗୋଲଗାଲ୍ ସେମିତି ସାନନ୍ଦ ହୃଦୟଟି ତାଙ୍କର । ବଚନ ଯେମିତି ସେ ରସରେ ବୁଡ଼ାଇ ଉଠାଇ ଆଣନ୍ତି । ଅନ୍ୟ କାରଣରୁ ଆମେ ତାଙ୍କର ବନ୍ଦୀ ହୋଇଥିଲୁ । ଏ ମହାଭାଗ ବଡ଼ବଜାରର ଅଫିମଛକ ଅଞ୍ଚଳରେ କ୍ଷୀରସସୁଦ୍ରର ସମ୍ରାଟ ଅଟନ୍ତି । ଅର୍ଥାତ୍ କ୍ଷୀର-ରାବଡ଼ି-ମଲାଇର ମହାଜନ । ଆଦର-ଆବାହନଦ୍ୱାରା, ବା ଯେକୌଣସି ଆଳ ଦେଖାଇ, ଦରକାର ହେଲେ ଜୋରଜବରଦସ୍ତି କରି ଏ ମହାଶୟ ଆମକୁ ସେଇ କ୍ଷୀରସମୁଦ୍ରର ବେଳାଭୂମିକୁ, ବୋଇଲେ ତାଙ୍କ ବିରାଟ ଦୋକାନକୁ, ନେଇଯାଆନ୍ତି । ସେଇ ବେଳାଭୂମିରେ ବାଳକ ପରି ନିରୀହ ଭାବରେ ଆମେ ରସନା-ସ୍ୱର୍ଗର ମଧୁର ଓ ଅଦ୍‌ଭୁତ ରସର ଆସ୍ୱାଦ ପାଇ ନିଜକୁ ଧନ୍ୟ ମଣିଚୁ । ତାଙ୍କ ଆଦେଶ ବିରୁଦ୍ଧରେ ‘ନା’ କହିବାର କ୍ଷମତା ଆମର ନଥିଲା । ହେ ମହାଭାଗ । ଯେତେଦିନ ଆପଣ ମରଲୋକରେ ପ୍ରକଟ ଥିଲେ, ଆପଣଙ୍କୁ ଆମେ ବୈଠକରେ ସାକ୍ଷାତ୍‍ କରି, ବରଣ କରି ଧନ୍ୟ ହୋଇଚୁ । ଆଜି ଆପଣ ଅପ୍ରକଟ, ତେଣୁ ଆପଣଙ୍କୁ ସ୍ମରଣ କରୁଛି । ମୋକ୍ଷ ନାମକ ମାୟାପିଶାଚୀର ଭକ୍ତ ଆମେ ନୋହୁଁ । ଅପ୍ରାକୃତ ସୁଖ ବି ଆମର କାମ୍ୟ ନୁହେଁ । ଆମର କାମନା, ଜନ୍ମଜନ୍ମାନ୍ତର ଧରି ଆପଣଙ୍କ ଭଳି ମହାପ୍ରାଣ ମୁରବ୍‌ବୀଙ୍କ ସଙ୍ଗ, ଆଉ କିଛି ନାହିଁ ।

 

ମହାଦେବ ଠିକ୍ ସେତିକିବେଳେ ହାତରେ ‘ସୁଧା’ ଦଳିବା ଆରମ୍ଭ କରିଥାନ୍ତି । କିନ୍ତୁ ସବୁ ପରିସ୍ଥିତି ପାଇଁ ସବୁବେଳେ ପ୍ରସ୍ତୁତ ଥିବା ଥିଲା ତାଙ୍କ ସ୍ୱଭାବ । ଗହରଙ୍କ ପ୍ରଶ୍ନରେ ଗାଲେ ହସି ସେ କହିଲେ– ହଦ୍‌ଦ କଲ ଗହର୍‌ ତୁମେ ! କାହିଁକି ? କଲିକତାଠାରୁ ଆଗ୍ରାର ଦୂରତ୍ୱ କଅଣ ତୁମକୁ ଜଣା ନାହିଁ ? ତାହେଲେ ଶ୍ରବଣ କର । ଆଗ୍ରାଠାରୁ କଲିକତା ଯେତେ ଦୂର କଲିକତାଠାରୁ ଆଗ୍ରା ଠିକ୍ ସେତିକି ଦୂର । ଯଦି ବିଶ୍ୱାସ ନହୁଏ ତ ମାପି ଦେଖି ପାର । ଏବେ ବୁଝିଲ ତ ?

 

ମହାଦେଓଙ୍କ କଥାରେ, ତାଙ୍କ ସ୍ୱଚ୍ଛନ୍ଦ ଭାବରେ, ଆମ ମନ, ଏମିତି କି ଫୈୟାକ୍ ଖାଁଙ୍କ ଗମ୍ଭୀର ବଦନ ବି ଟିକିଏ ଲଘୁ ଓ ଶିଥିଳ ହୋଇଗଲା । କିନ୍ତୁ ଆଚମ୍ବିତେ ଗୋଟିଏ ପ୍ରତିଧ୍ୱନି ଗହର୍‌ଙ୍କ ମୁହଁରୁ ନିର୍ଗତ ହେଲା । ଆକାଶରୁ ହଠାତ୍ ଗଳିପଡ଼ିବା ଭଳି ଆଶ୍ଚର୍ଯ୍ୟ ଭାବ ଦେଖାଇ ସେ କହିଲେ, ଆଚ୍ଛା ! ସତେ ନା କଅଣ ? ହୋଇପାରେ ବା । ଗାଲରେ ହାତ ଦେଇ ଖାଁ ସାହେବ ଓ ମାଲ୍‌କାଙ୍କ ଆଡ଼େ କୁଟିଳ କଟାକ୍ଷ ହାଣି ପୁଣି କହିଲେ– କେଜାଣି ! ମୋର ତ ମନେହୁଏ, ଆଗ୍ରା ଓ କଲିକତା ଭିତରେ ଆଉ ଦୂରତ୍ୱ ବୋଲି କିଛି ନାହିଁ । ଦୁହେଁ ବୋଧହୁଏ ଏକ ହୋଇଗଲେଣି । ପୁରୁଷୋତ୍ତମ ଭାଇ, ତୁମ ମତ କଅଣ ? ମୋ ଖାକ୍-ଲଗା ନଜର୍ କଅଣ ତେବେ ଭୁଲ ଦେଖିଲା-?

 

ୟାକୁ ତ ଅନାଡ଼ିର ମାଡ଼ କହିହେବ ନାହିଁ ! ଖାଁ ସାହେବ ଯେମିତି ବାବୁଜୀଙ୍କ ଜରିଆରେ ଗହର୍‌ଙ୍କୁ ଉତ୍ତର ଦେଇଥିଲେ, ବର୍ତ୍ତମାନ ଗହର୍‌ ବି ସେମିତି ମହାଦେଓ ଜରିଆରେ ତାଙ୍କ ଶତକ ମନ୍ତବ୍ୟ ପ୍ରଦାନ କଲେ । ଏ ଯେମିତି ସିଆଣା-ସିଆଣା କୋଳାକୋଳି । ମୁଁ ତ ଏଥିରେ କିଛି ଦୋଷ ପାଇଲି ନାହିଁ । କିନ୍ତୁ କୋଳାକୋଳି ଆଉ ହେଲା ନାହିଁ ।

 

କାରଣ, ଗହର୍‌ଙ୍କ କଥାରେ ଶ୍ଳେଷ ବୁଝିପାରି ଫୈୟାଜ୍‌ଙ୍କ ମୁହଁ ଗମ୍ଭୀର ହୋଇଗଲା । ଚିବୁକ ତଳର ରେଖାଟି ଦୃଢ଼ ଓ ସ୍ପଷ୍ଟରୂପେ ଦେଖା ଦେଲା ପୁଣି । କୌଣସି ଉତ୍ତର ସେ ଦେଲେ ନାହଁ । ଅଶ୍ୱସ୍ତି ବୋଧ କରୁଥିବା ଭଳି ମନେହେଲା । ଗହର୍‌ ତାଙ୍କୁ ନିଶ୍ଚୟ ଚିହ୍ନିପାରିଛନ୍ତି । କିନ୍ତୁ ସେ ଗହର୍‌ଙ୍କୁ ଯଥାର୍ଥ ଚିହ୍ନିପାରିଛନ୍ତି କି ଚିହ୍ନିଥିଲେ ମଧ୍ୟ ସ୍ୱୀକାର କରିବାକୁ ନାରାଜ ଠିକ୍ ବୁଝିପାରିଲି ନାହିଁ । ନନୀ ଓ ମୋ ମଧ୍ୟରେ ଆଖିରେ ଆଖିରେ ପ୍ରଶ୍ନ ବିନିମୟ ହୋଇଗଲା । ଅନ୍ୟ ଅଲକ୍ଷ୍ୟରେ ମହାଦେଓ ମୋ ହାତ କେଞ୍ଚିଦେଲେ । ଏହାର ଅର୍ଥ, ଗହର୍‌ର ତମାଶା ଦେଖ ଏଥର ! ଗହର୍‌ କଥାରେ ମହାଦେଓ ଅନାୟାସରେ କିଛି କହିପାରିଥାନ୍ତେ । କିନ୍ତୁ ସେ କିଛି ନ କହିବାର ଉଦ୍ଦେଶ୍ୟ କଅଣ ଖାଲି ମଜା ଦେଖିବା ?

 

ମାଲ୍‌କା ବାବୁଜୀଙ୍କ ମୁହଁକୁ ଚାହିଁଲେ । ମୁହଁରେ କଥା ନ କହିଲେ ବି ଆଖି ତାଙ୍କର କହୁଥିଲା : ବାବୁଜୀ, ଗହର୍‌କୁ ଆମେ ସମ୍ଭାଳି ପାରିବୁ ନାହିଁ, ଦୟା କରି ଆପଣ ତାକୁ ସମ୍ଭାଳନ୍ତୁ । ବାବୁଜୀ କିନ୍ତୁ ବିଲ୍‌କୁଲ୍‍ ଚୁପ୍ ରହିଲେ, ନିରପେକ୍ଷ ଦର୍ଶକ ଭଳି ।

 

ମୁହୂର୍ତ୍ତକ ସ୍ତବ୍‌ଧତା ଭଙ୍ଗ କରି ଫୈୟାଜ୍ ଖାଁ ବାବୁଜୀଙ୍କୁ କହିଲେ, ଆପଣଙ୍କ ଅନୁମତି ହେଲେ ମୁଁ ବର୍ତ୍ତମାନ ଯିବି । ଧର୍ମତଳା ଯିବି । ସେଠୁ ଯିବି ଜଲସାକୁ ।

 

ବାବୁଜୀ ଖୁବ୍ ଖାତିର କରି କହିଲେ, ହଁ ହଁ, ଆପଣ ଯାଆନ୍ତୁ । ଏଠି ସମୟ ନଷ୍ଟ କରି ଲାଭ ନାହିଁ । ତେବେ ଗୋଟାଏ କଥା କହିବି ଶୁଣନ୍ତୁ । ମନେରଖିବେ ଯେ ଆପଣ ଆର ଘରଲୋକ ଭଳି । ଆପଣଙ୍କ ନାନାଜୀଙ୍କ ସହିତ ତେଳ୍‌ନାରାୟଣ, ଦୁଲୀଚାନ୍ଦ୍ ଓ ଆମର ଖାତିର କେବଳ ଦେଖ୍‌ନା-ପୁଛ୍‌ନା ପର୍ଯ୍ୟାୟର ନଥିଲା । କଦାପି ନୁହେଁ । ଆଉ କଲିକତା ସହର ବି ଏକ ଅଜବ୍ ପ୍ରକାରର । ଭଗବାନ ନ କରନ୍ତୁ, ଯଦି କେବେ ବି କୌଣସି କଥାରେ ଆପଣଙ୍କର କିଛି ଅସୁବିଧା ହୁଏ, ଆଉ ମୁଁ ସେକଥା ଜାଣି ନ ପାରେ, ତେବେ ମୋ ଅଫ୍‌ଶୋସର ଅନ୍ତ ରହିବ ନାହିଁ, କହିଦେଉଛି । ଆଚ୍ଛା, ଆପଣ ଯାଆନ୍ତୁ । ଆଉ ମାଲ୍‌କା ବି ।

 

ବାବୁଜୀଙ୍କ ମୁହଁରୁ ସେକାଳର ସିଧାସଳଖ କଥା ଶୁଣି ଫୈୟାଜ୍‌ ଖାଁଙ୍କ ମୁଖ ପ୍ରସନ୍ନ, ଉଜ୍ଜ୍ୱଳ ହୋଇଗଲା । ନମ୍ର-ମଧୁର ସ୍ୱରରେ ଫୈୟାଜ୍ କହିଲେ, ଆପଣଙ୍କୁ ଦେଖିବା ସୌଭାଗ୍ୟ ସେଇ କେବେ ଯାଇ ହୋଇଥିଲା । ପୁଣି ଆଜି ହେଲା । ମୋତେ ଆଉ ଆମ ଘର ଲୋକଙ୍କୁ ଆପଣ ମନେ ରଖିଛନ୍ତି ଏ ମୋର ଭାଗ୍ୟ । ଆପଣ ଯେବେକା କଥା ସ୍ମରଣ କରୁଛନ୍ତି ସେ ତ ବହୁ ପୁରାତନ କାଳ । ଅନେକେ ମନେ ରଖିପାରନ୍ତି । ଅନେକଙ୍କ ନଜର ବି ଅଛି । କିନ୍ତୁ ଯେଉଁ ନଜରରେ ଆପଣମାନେ ଦେଖୁଛନ୍ତି ଓ ଯେଉଁ ହୃଦୟରେ ଆପଣମାନେ ସ୍ମରଣ କରୁଛନ୍ତି ସେ ନଜର ଓ ଦିଲ୍‌ ତ ଆଜିକା ଜମାନାରେ ଦେଖା ଯାଉ ନାହିଁ । ଭଗବାନଙ୍କଠାରେ ପ୍ରାର୍ଥନା ଯେ ଆପଣମାନେ ଦୀର୍ଘଜୀବୀ ହେଉନ୍ତୁ । ଆଦାବ୍ ବାବୁଜୀ ! ଅନ୍ୟମାନଙ୍କୁ ଜଣ ଜଣ କରି ଆଦାବ୍ ଜଣାଉ ଜଣାଉ ଖାଁ ସାହେବ ଉଠି ଛିଡ଼ା ହେଲେ ।

 

ମୁଁ ମୁଣ୍ଡ ଉଞ୍ଚାଇ ତାଙ୍କୁ ଅନାଇ ରହିଥିଲି । ତାଙ୍କ ମଧୁର ସଂଯତ ଭାଷଣ ଶୁଣି ମୋ ମନ ତ ଆଗରୁ ଉଞ୍ଚା ହୋଇଯାଇଥିଲା । ଦେଖିଲି, ବାବୁଜୀଙ୍କ ଆଡ଼କୁ ମୁହଁ କରି ଦୁଇଚାରି ପାଦ ପଛକୁ ଯାଇ ସୁବିନ୍ୟସ୍ତ ପଦକ୍ଷେପ ସହ ସେ ଦୁଆର ପ୍ରାନ୍ତରେ ଅନ୍ତର୍ହିତ ହୋଇଗଲେ । ବର୍ତ୍ତମାନ ଅନୁଷଙ୍ଗମାନଙ୍କ କଳାକାକଳୀ ଓ ପତ୍ରମର୍ମରକୁ ସଂପୂର୍ଣ୍ଣ ଉପେକ୍ଷା କରି ଜଣେ ପୁରୁଷସିଂହ ଯେମିତି ଚାଲିଗଲେ କୌଣସି ଏକ ଅଦୃଶ୍ୟ ଭବିତବ୍ୟର ଅରଣ୍ୟାନି ମଧ୍ୟକୁ । ମାଲ୍‌କା କେତେବେଳେ ଯେ ତାଙ୍କ ସହିତ ଗଲେ ସେ କଥା ଆଦୌ ମନେପଡ଼ୁ ନାହିଁ ।

 

ଅଇରା ପବନ ଶାନ୍ତ ହେବାକୁ ଆହୁରି କିଛି ସମୟ ଗଲା । ସବୁ କଥା ମୋର ମନେନାହିଁ । କାରଣ, ମୋ ମନ ଚାଲିଯାଇଥିଲା ଫୈୟାଜ୍ ଖାଁଙ୍କ ସହିତ । ଗହରଙ୍କ ପ୍ରତି ବାବୁଜୀଙ୍କ ତିରସ୍କାର ଶୁଣି ମୋ ଚମକ ଭାଙ୍ଗିଲା । ବାବୁଜୀ କହୁଥିଲେ– ତୁମର କଅଣ ରତିଏ ବି ଅକଲ ନାହିଁ ! ଫୈୟାଜ୍ ଖାଁ ପୁରାନା ଖାନ୍‌ଦାନୀ ଘରାନାର ପିଲା । ମାନ୍‌-ଇଜ୍‌ଜତ୍ କହିଲେ ସେମାନଙ୍କର ଗୋଟିଏ ଅଲଗ୍ ହକ୍‌ ଅଛି । ଖାସ୍‌ ତାଜିମ୍‌-ତକ୍‌ରିମ ଅଛି । ଆଉ ମୁଁ ଥାଉଁ ଥାଉଁ ତୁମର କି ଅଖ୍‌ତିୟାର ଭଲା ଆସିଗଲା ଯେ ତୁମେ ତାଙ୍କୁ ଗାଇବାକୁ କହିଲ ? ମୁଁ କଅଣ କହି ପାରି ନ ଥାନ୍ତି ? ମାଲ୍‌କା କଅଣ ଅନୁରୋଧ କରିପାରନ୍ତା ନାହିଁ ? ମୁଁ ଯେ ତାଙ୍କୁ ଗାଇବା କଥା କାହିଁକି ନ କହିଲି ସେକଥା ବୁଝିପାରିବା ଭଳି ତୁମର ଅକଲ ଅଛି କି ?

 

ବାବୁଜୀଙ୍କ କଥା ଶୁଣି ଆମେ ବି ନିଜକୁ ଅପରାଧୀ ମନେକଲୁ । ଏତେ ବଡ଼ ଜଣେ ଗାୟକଙ୍କ କଣ୍ଠରୁ ଆମେ ଗଜଲ୍‌ ଆଦାୟ କରିନେଇଚୁ ! ଅବଶ୍ୟ ରକ୍ଷା ଏତିକି ଯେ ସେତେବେଳେ ତାଙ୍କ ପରିଚୟ ଆମକୁ ଜଣା ନ ଥିଲା ।

 

ଗହର୍ ମୁଣ୍ଡ ପୋତି ବାବୁଜୀଙ୍କ ତିରସ୍କାର ଶୁଣିଯାଉଥିଲେ । ମୋର ମନେ ହେଉଥିଲା ଗହର୍ ଯେମିତି ଆଶୀର୍ବଚନ ଗ୍ରହଣ କରୁଛନ୍ତି । ଅସରାଏ ବର୍ଷାର କେତେ ସାମାନ୍ୟ ଟିକିଏ ବା ଦୂବଘାସ ଅଗରେ ପଡ଼େ ! ଆଉ ସେଥିରେ ବା କଅଣଟା ହୁଏ ! ଦୂବଘାସର ପ୍ରକୃତି ତ ସେଥିରେ ବଦଳିଯାଏ ନାହିଁ । ବରଞ୍ଚ ବର୍ଷା ଆଘାତରେ ନଇଁପଡ଼ିବାଟା ତା ପକ୍ଷରେ ମହାଲାଭ, ମହାଗୌରବ-

 

ବାବୁଜୀ କହିଲେ : ତାଙ୍କୁ ନେଇ ଜଲ୍‌ସା ବନ୍ଦୋବସ୍ତ କଲେ ସେ ମନେ କରିପାରନ୍ତି, ଆମେ ହୁଏତ ତାଙ୍କ ସହିତ ମୌଜୁଦ୍‌ଦୀନଙ୍କୁ ଲଢ଼େଇଦେଇ ମଜା ଦେଖିବାକୁ ଚାହୁଁ । ଆରେ ଛି ଛି-! ସେ କଥା କଅଣ ମୁଁ କଦାପି ମୋ ବୈଠକରେ କରିପାରେ ? ନା ଦୁଲୀଚାନ୍ଦଙ୍କ ଘରେ ବି-? ହାୟରେ ଜଗ୍‍ଦୀପ୍‍ ! ବାବୁଜୀ ନୀରବ ହେଲେ । ଆମେ ଦେଖିଲୁଁ ବାବୁଜୀ ଲୁଗାକାନିରେ ଆଖିକୋଣ ପରିଷ୍କାର କରିନେଲେ । ସେଇ ମୁହୂର୍ତ୍ତରେ ମୁଁ ବି ମୋ ବୁକୁରେ କଣ୍ଟା ବିନ୍ଧିବା ଭଳି ଗୋଟାଏ ବେଦନା ଅନୁଭବ କଲି । ସେତେବେଳେ ସେଟା ଥିଲା ବେଦନା ଅବଶ୍ୟ । କିନ୍ତୁ ମଧୁର ସେ ବେଦନା । ନ ହେଲେ ଆଜି ସେ ସବୁ କଥା କାହିଁକି ବା ମନେପଡ଼ନ୍ତା ?

 

ପରଦିନର କିଛି ଘଟନା, କିଛି ଅଭିନବ ପରିଚୟ ସ୍ମରଣ ଜାଲରେ ଧରାପଡ଼େ ।

 

ଉପରଓଳି ଏଲ୍‌ଗିନ ରୋଡ଼ ଅଞ୍ଚଳରୁ ଫେରି ଏସ୍‌ପ୍ଳାନେଡ଼୍ ଛକରେ ଓହ୍ଲାଇଲି । ଶ୍ୟାମବଜାର ଟ୍ରାମ୍ ପାଇଁ ଅପେକ୍ଷା କରୁଥାଏ । ଚମତ୍କାର ଗୋଟିଏ ସମ୍ଭାବନାର ଆଶାରେ ମନ ଥାଏ ବିଭୋର । ଫୈୟାଜ୍ ଖାଁ ଯଦି ଆଉ ସପ୍ତାହେ କାଳ କଲିକତାରେ ରହିଯାଆନ୍ତେ ତା’ହେଲେ ତାଙ୍କୁ ଏମିତି ଗୋଟିଏ ସଙ୍ଗୀତ-ନିକୁଞ୍ଜକୁ ନେଇ ଯାଇପାରନ୍ତି ଯେଉଁଠି ଜଙ୍ଗଲ ବା ପ୍ରତିଦ୍ୱନ୍ଦିତାର ସମ୍ଭାବନା ନାହିଁ ।

 

ବୋଧହୁଏ ସେ ସମୟଟା ଥିଲା ମାଘର ଶେଷ । ଫାଲ୍‌ଗୁନର ଆରମ୍ଭ ବି ହୋଇପାରେ-। ପଶ୍ଚିମର ଅବନତ ରୌଦ୍ର ସହିତ ଷଡ଼ଯନ୍ତ୍ର କରି ଯେମିତି ଦୁଇଚାରୋଟି ଉତ୍ତରା ବାୟୁ ଚାଲବୁଲ କରୁଥାନ୍ତି । ଅନୁଭବଦ୍ୱାରା ବୁଝିହେଲା; ଅସଲ କଥାଟା ହେଲା ଏସବୁ ବସନ୍ତାଗମନର ବାର୍ତ୍ତା-। ତଥାପି ଶୀତର ଛଦ୍ମବେଶ ପୂରା ଫିଙ୍ଗିଦେବାକୁ ପ୍ରକୃତି ଟିକିଏ ଲଜ୍ଜା ପାଉଛନ୍ତି । ଅଥବା, ଏବେ ବି ଉତ୍ତରା ବାୟୁର ଅଞ୍ଚଳ ଉଡ଼ାଇ ଆମ ମନ ଦେଇ ସେ ଖେଳିବାକୁ ଚାହାନ୍ତି । ସେ ଯେ ଲୀଳାମୟୀ-! ସଦ୍ୟଗଢ଼ା ମୋ କଳ୍ପନାଜାଲଟି ସେ ଖରାରେ ଝିକିମିକି କରୁଥାଏ-। ସେଇ ପବନର ଆବେଗ ନେଇ ଦୋହଲୁଥାଏ ନୂଆବୁଣା ବୁଢ଼ିଆଣୀ ଜାଲ ଭଳି ।

 

ପଶ୍ଚିମ ପଟର ସାନ ପାର୍କ ଆଡ଼କୁ ଦୃଷ୍ଟି ଯାଆନ୍ତେ ଦେଖିଲି ତନ୍‌ନୁଲାଲଜୀ ଗୋଟିଏ ବେଞ୍ଚ ଉପରେ ବସିଛନ୍ତି । ଠିକ୍ ଯେମିତି ଗୋଟିଏ ପ୍ରବୀଣ ଉର୍ଣ୍ଣନାଭ ଜାଲ ଛାଡ଼ିଦେଇ ଉଦାସ ନିଃସଙ୍ଗ ଉପଭୋଗ କରୁଚି । ତାଙ୍କ ପାଖକୁ ଆଗେଇଗଲା ଏଇ ତରୁଣ ବୁଢ଼ିଆଣୀଟି ନିଜ ମନର ଜାଲ ଓଟାରିନେଇ ।

 

ମୁଁ ଯୌବନ ପଥରେ ଗୋଡ଼ ବଢ଼ାଇଥାଏ ମାତ୍ର ସେ ସମୟରେ । ସେ ବି ପ୍ରୌଢ଼ତ୍ୱର ସୀମାକୁ ଆହୁରି ଆଗକୁ ଠେଲିଦେଇ ବାର୍ଦ୍ଧକ୍ୟକୁ ପ୍ରବଞ୍ଚିତ କରି ଅଗ୍ରସର ହେଉଥାନ୍ତି । ସମ୍ମୁଖରେ ଅନତିଦୂରରେ ତିନିକୋଡ଼ିର କାଳଦଣ୍ଡକୁ ଦେଖି ବି ତାଙ୍କ ଭ୍ରୂଯୁଗଳ କୁଞ୍ଚିତ ହୋଇ ନ ଥାଏ, କପାଳରେ ଅନୁଶୋଚନାର ରେଖାପାତ ହୋଇ ନ ଥାଏ, ପ୍ରାଣର ଛନ୍ଦ ଓ ଗତି ଲେଶମାତ୍ର ବ୍ୟାହତ ହୋଇ ନ ଥାଏ । ମୁଁ ଯେକୌଣସି ସମୟରେ ତାଙ୍କ ପାଖକୁ ଯାଇଛି ସେ ସେହି କାଳଦଣ୍ଡ ଆଡ଼କୁ ପିଠି କରି ମୋ ଆଡ଼କୁ ଆସିଛନ୍ତି । ପଦକ୍ଷେପ ମନ୍ଥର ହେଲେହେଁ ଅଭ୍ରାନ୍ତ । କାରଣ, ଅତୀତର ପଥ ତ ତାଙ୍କର ସୁପରିଚିତ । ଭବିଷ୍ୟତ ଆଡ଼କୁ ପିଠି କରିବା କାଇଦାଟି ସେ ଜାଣିଥିଲେ ବୋଲି କଦାପି ପଛେଇ ପଛେଇ ଆସିନାହାନ୍ତି ତାରୁଣ୍ୟ ଆଡ଼େ ।

 

ଯେକୌଣସି ସମୟରେ ମୁଁ ତାଙ୍କ ପାଖରେ ଉପସ୍ଥିତ ହୋଇଛି ସେ ତାଙ୍କର ଅତୀତ ଅଭିଜ୍ଞତାର ଅମ୍ଳାନ କୁସୁମ ମୋତେ ଉପହାର ଦେବାପାଇଁ ପ୍ରସ୍ତୁତ ଥାଆନ୍ତି । ମୋ ତରୁଣ ମନ ସେ ଉପହାରକୁ ପ୍ରତ୍ୟେକ ଥର ଅନୁଭବର ଅଞ୍ଜଳି ପାତି ଗ୍ରହଣ କରିଚି । ସେତେବେଳେ ଯାହା ଥିଲା ସ୍ନେହର, ପ୍ରୀତିର ଉପହାର ବର୍ତ୍ତମାନ ତାହା ମନନ ଓ ସ୍ମରଣର ଋଣରେ ପରିଣତ ହୋଇଚି ।

 

ସେଦିନର ତନ୍‌ନୁଲାଲ୍‌ଜୀଙ୍କୁ ମନେପଡ଼ୁଚି । ସେଇ ବିରାଟ ବପୁ, ବିଶାଳ ବକ୍ଷ, ବିସ୍ତୃତ ଲଲାଟ ପ୍ରତିଫଳିତ କରୁଥାଏ ଗୋଟିଏ ମହାପ୍ରାଣକୁ । ତନ୍‌ନୁଲାଲ, ଶ୍ୟାମଲାଲ ଓ ଦୁଲୀଚାନ୍ଦ ବୋଇଲେ ଆମେ ଦେଖୁଁ ତିନି ପ୍ରକାରର ତିନୋଟି ମୂର୍ତ୍ତି । କିନ୍ତୁ ବୁଝିପାରୁ ଏମାନଙ୍କର ଗୋଟିଏ ପ୍ରାଣ । ସଙ୍ଗୀତର ଅକ୍ଳାନ୍ତ ସେବାରେ ଓ ଅବସର ସମୟରେ ବିଦଗ୍‌ଧ ଆଲୋଚନାରେ ସେ ପ୍ରାଣର ପରିଚୟ ଆମେ ପାଇଚୁଁ ।

 

ତଥାପି ବିଶେଷ ଭାବରେ ତନ୍‌ନୁଲାଲ୍‌ଜୀଙ୍କ ଆଖିରେ ଥିଲା ବାସ୍ତବତାର ଛବି ଓ ବୈଜ୍ଞାନିକର ଦୃଷ୍ଟିଭଙ୍ଗୀ । କଥାବାର୍ତ୍ତା ଭିତରେ ତାହା ପ୍ରକାଶ ପାଉଥିଲା ସରସ ଅଥଚ ବଳିଷ୍ଠ ବକ୍ତବ୍ୟର ରୂପ ନେଇ । ସେ ଯେତେବେଳେ ବୈଠକରେ ଉନ୍ମୁକ୍ତ ହୃଦୟରେ ନିଜ ଅଭିଜ୍ଞତାର ବର୍ଣ୍ଣନା ଦିଅନ୍ତି ସେତେବେଳେ ତାଙ୍କ ଗମ୍ଭୀର କଣ୍ଠଧ୍ୱନିରେ ବାଜେ ସୁର୍‌ବାହାରରେ ବୃଦ୍ଧ-ଖରଜର ଦୁଇଚାରୋଟି ମୀଡ଼୍‌ଦାର ସୁର । ତାଙ୍କ ଭ୍ରୂଯୁଗଳ ଧନୁ ଭଳି ବାଙ୍କି ଉନ୍ନତ ହୋଇଯାଏ । ତାଙ୍କ ଦୃଷ୍ଟିରେ ମୁଁ ଲକ୍ଷ୍ୟ କରିଚି କେତେବେଳେ ଅତୀତର, କେତେବେଳେ ବା ଅନାଗତର ଏକାଗ୍ର ସନ୍ଧାନ । ବର୍ତ୍ତମାନ ତ ତାଙ୍କ ବଜ୍ରମୁଷ୍ଠିରେ କବଳିତ । ତର୍କ ବେଳେ ଦେଖିଚି, ତାଙ୍କର ନାସାପୁଟ ଦୁଇଟି ଛଞ୍ଚାଣ ଡେଣା ଭଳି ସତର୍କ ଉଲ୍ଲାସରେ ଫୁଲିଉଠୁଥାଏ । ସେଥିରୁ ଆମେ ବୁଝୁଥିଲୁ ତାଙ୍କ ମୃଗୟା ସାର୍ଥକ ହୋଇଚି । ସଙ୍ଗୀତର ଏତେବଡ଼ ବସ୍ତୁବାଦୀ ଅଥଚ ସୂକ୍ଷ୍ମ ସମାଲୋଚକ ମୁଁ ଆଉ କାହାକୁ ଦେଖିନାହିଁ । ଅଥଚ ଅଲୌକିକର ଅବତାରଣା କରିବାବେଳେ ସେ କୁହନ୍ତି– ଅଲୌକିକ ହେଲେ ଯେ ଅବାସ୍ତବ ହେବ ଏମିତି କିଛି କଥା ନାହିଁ ।

 

ତାଙ୍କ ପାଖକୁ ଗଲାରୁ ସେ କହିଲେ : ଚାଲନ୍ତୁ, ଚାଲି ଚାଲି ଫେରିବା । ବସି ବସି ବାୟୁ ସେବନ କରିବା ବାତରୋଗୀର ସହ୍ୟ ହୁଏନା । ତନ୍‌ନୁଲାଲଜୀଙ୍କ ବାମ ଆଣ୍ଠୁରେ ପୁରୁଣା ବାତରୋଗ ସଞ୍ଚିତ ଥିଲା । ପ୍ରତିଦିନ ଯଥେଷ୍ଟ ପାଦରେ ଚାଲି ସେ ବୃଦ୍ଧ ବୟସ ପର୍ଯ୍ୟନ୍ତ ଭଲ ଥିଲେ-

 

ମୋର ଆଶା ଭରସା ବିଷୟରେ କଥାବାର୍ତ୍ତା ହେଉ ଆମେ ଚୈାଛକି ପାର ହୋଇ ଧର୍ମତଳା ଷ୍ଟ୍ରୀଟ ଦେଇ ବାଁ ପଟର ଫୁଟପାଥ୍ ଉପରେ ଯେତେବେଳେ ଯାଉଥାଉ ସେତେବେଳେ ପାଖ ରାସ୍ତା ଆଡ଼େ ହଠାତ୍ ନଜର ପଡ଼ିବାରୁ ଦେଖିଲି, ଗାଡ଼ି ଜଙ୍ଗଲ ଭିତରେ ମନ୍ଥର ଗତିରେ ପୂର୍ବଦିଗକୁ ଚାଲିଛି ଗୋଟିଏ ଫିଟିନ୍ ଓ ତା ଭିତରେ ବସିଛନ୍ତି ମାଲ୍‌କା ଓ ଫୈୟାଜ୍ ଖାଁ ସାହେବ । ତାଙ୍କ ଗୋଡ଼ ପାଖରେ ଥୁଆ ହୋଇଚି ଫଳପରିବା ଭର୍ତ୍ତି ଗୋଟିଏ ଟୋକେଇ । ଖାଁ ସାହେବଙ୍କ ଦେହରେ ଗୋଟିଏ କାଳିଆ ରଙ୍ଗର କୋଟ, ମୁଣ୍ଡରେ ସେଇ ରଙ୍ଗର ଟୋପି । କେବଳ ଦାଢ଼ି ନ ଥିବାରୁ ତାଙ୍କୁ ମୋଲ୍ଲା ସାହେବ ବୋଲି ଭ୍ରମ ହୋଇନାହିଁ । ତନ୍‌ନୁଲାଲଜୀ ସେମାନଙ୍କ କଥା କହୁ ନ କହୁଣୁ ଦେଖେ ସେମାନେ ଆମକୁ ଦେଖିପାରି ନିକଟବର୍ତ୍ତୀ ଫୁଟପାଥ୍ କଡ଼େ ଗାଡ଼ି ଅଟକାଇଲେ । ନମସ୍କାର ବିନିମୟ ହେଲା ପ୍ରସନ୍ନତା ସହ । ମାଲ୍‌କା ଗାଡ଼ିରେ ବସିଥାଇ ଅନୁରୋଧ କଲେ : ମୋତେ କ୍ଷମା କରିବେ ବାଁଶବାବୁ ! ଗାଡ଼ିରୁ ଓହ୍ଲାଇବା ଭାରି ମୁସ୍କିଲ । ଖାଁ ସାହେବ ଆଜି ପଛାଁ ଓ ରମାନା ହେଉଛନ୍ତି । ଯଦି ବିଶେଷ କାର୍ଯ୍ୟ କିଛି ନ ଥାଏ ଓ ତକ୍‌ଲିଫ ନ ହୁଏ ତେବେ ଆପଣମାନେ ମୋ ବସାକୁ ଆସି ପଦଧୂଳି ଦେଲେ ମେହେରବାନି ମନେ କରିବି । ବର୍ତ୍ତମାନ ଅନୁମତି ଦେଲେ ଆମେ ବସାକୁ ଫେରିବୁ ।

 

ତନ୍‌ନୁଲାଲଜୀ କହିଲେ : ହଁ ହଁ, ଆପଣମାନେ ଯାନ୍ତୁ । ଆମେ ଟିକିଏ ବୁଲାବୁଲି କରୁ କରୁ ପହଞ୍ଚିଯିବୁ । ଆଦାବ୍, ଆଦାବ୍ ।

 

ତନ୍‌ନୁଲାଲଜୀଙ୍କ ଡାକ ନାଁ ଥିଲା ‘ବାଁଶ’ ବାବୁ । ଯୌବନ ଅବସ୍ଥାରେ ସଉକରେ ପଶ୍ଚିମା ବାଁଶଲି ବଜାଉଥିଲେ । ଗହର୍‌ ତାଙ୍କ ବାଲ୍ୟାବସ୍ଥାରେ ତନ୍‌ନୁଲାଲଜୀଙ୍କ ନାଁ’ ଦେଇଥିଲେ ‘ବାଁଶବାବୁ’ । କୀର୍ତ୍ତି-କଥା ସ୍ତବ୍‌ଧ ହେଲେ ବି ଶେଷ ବୟସ ପର୍ଯ୍ୟନ୍ତ ପରିଚିତ ମହଲରେ ସେଇ ନାଁଟି ମୁଖରିତ ହେଲା ।

 

ଫୈୟାଜ୍ ଖାଁ ତା’ହେଲେ ଆଜି ଚାଲି ଯାଉଛନ୍ତି । ମୋର ସୁଖକଳ୍ପନାର ଜାଲ ହଠାତ୍ ବିଧ୍ୱସ୍ତ ହୋଇଗଲା । ହଠାତ୍ ମନେହେଲା ଧର୍ମତଳା ଷ୍ଟ୍ରୀଟ୍‌ରେ ଭାରି ଭିଡ଼ । ଖରା ଢଳିପଡ଼ିଲାଣି । ଶୀତସ୍ପର୍ଶ ବାୟୁର ଚଞ୍ଚଳ ଆବର୍ତ୍ତନ ମଧ୍ୟ ନିରୁଦ୍ଧ । ଏମିତି ହିଁ ହୁଏ ।

 

ଚାଲୁ ଚାଲୁ ତନ୍‌ନୁଲାଲଜୀଙ୍କୁ କହିଲି : କିଛି ମିଷ୍ଟାନ୍ନ ନେଇ ଯିବାକୁ ଇଚ୍ଛା ହେଉଚି । ବାବୁଜୀ କହିଥିଲେ, ଗୁଣୀ ଲୋକଙ୍କ ସହିତ ଅନ୍ତତଃ ପ୍ରଥମଥର ଦେଖା କରିବାକୁ ଗଲେ କିଛି ମିଷ୍ଟାନ୍ନ ବା ଫଳ ଉପହାର ନେଇ ଯିବା ଉଚିତ ।

 

ତନ୍‌ନୁଲାଲଜୀ କହିଲେ– କଥାଟା ଭଲ । ତେବେ ଏ କ୍ଷେତ୍ରରେ ବରଞ୍ଚ ହଗ୍ ସାହେବ ବଜାରରୁ ଭଲ ଭଲ ଦୁଇଟି ଫୁଲତୋଡ଼ା ନେଇଯିବା ଉଚିତ । ସେ ଯେଉଁ ଯୁକ୍ତି ଦେଲେ ତାହା ଅକାଟ୍ୟ, ଯଥା– ଖାଁ ସାହେବଙ୍କୁ ଫଳ-ମିଷ୍ଟାନ୍ନ ଦେବାକୁ ହେଲେ ମାଲ୍‌କାଙ୍କୁ ବି ଅଲଗା କରି ଦେବାକୁ ହେବ । ଭୋଜ୍ୟ ବିଷୟରେ ସ୍ତ୍ରୀଲୋକଙ୍କ ଆକାଂକ୍ଷା ପୁରୁଷର ଚାରିଗୁଣ । ତା’ ଛଡ଼ା, ମାଲ୍‌କାଙ୍କ ପୋଷ୍ୟବର୍ଗ ବି ଅଛନ୍ତି । ଊଣା ଦେଲେ ବେଖାତିର ହେବ । ଏସବୁ ବିଚାର କରି ତନ୍‌ନୁଲାଲଜୀଙ୍କ କଥା ରହିଲା ।

 

ଆମେ ସେତେବେଳେ ମେଡ଼ିକ୍ୟାଲ କଲେଜରେ ଶରୀରତତ୍ତ୍ୱ ଚର୍ଚ୍ଚା କରୁଥାଉଁ । ଏଇ ଚାରିଗୁଣ ଭୋଜ୍ୟ କଥା ମିଥ୍ୟା ବୋଲି ମନେ ହୋଇନି । ଯେଉଁ ଜାତି ସନ୍ତାନ ଭିତରେ ତିନିଗୁଣ ସଞ୍ଚାରିତ କରେ ସେ ଯଦି ଚାରିଗୁଣ ନ ଖାଏ ତେବେ ତ ଗୃହିଣୀ ବୋଲାଇବାକୁ କୌଣସି ଗୁଣ ହାତରେ ରୁହେ ନା । ତା’ହେଲେ ଶିବଙ୍କୁ କେଉଁ ଗୁଣରେ ସେ ବଶରେ ରଖିବ ! ତାଙ୍କ ସେବାର ଦାୟିତ୍ୱ ନେବାର ଯୋଗ୍ୟତା କଅଣ !

 

ଫଳରେ, ପତ୍ରଶୋଭିତ ଡହଡହ ନାଲିଆ ଗୋଲାପର ଦୁଇଟି ତୋଡ଼ା ମାର୍କେଟରୁ କିଣି ଆମେ ଚାଲିଲୁ ଇଣ୍ଡିୟାନ୍ ମିରର୍ ଷ୍ଟ୍ରିଟରେ ଥିବା ମାଲ୍‌କାଙ୍କ ଆବାସକୁ ।

 

ଏହା ପୂର୍ବରୁ ଶ୍ୟାମଲାଲ୍‍ଜୀଙ୍କ ସହିତ ସେ ସ୍ଥାନକୁ କେଇଥର ଯାଇଥିଲି । କିନ୍ତୁ ତନ୍‌ନୁଲାଲଜୀଙ୍କ ସହିତ ଯିବା ଏଇ ପ୍ରଥମ । ଫାଟକ ପାଖରେ ପହଞ୍ଚି ତନ୍‌ନୁଲାଲଜୀ ଛିଡ଼ା ହୋଇଗଲେ । ମୁଁ ବି ଛିଡ଼ା ହେଲି । ମୋର ଦୁଇ ହାତରେ ଦୁଇଟି ତୋଡ଼ା । ମୋ ହାତରୁ ଛଡ଼ାଇନେବ ତାକୁ ଏମିତି କାହାର ସାଧ୍ୟ ନାହିଁ ।

 

ଗମ୍ଭୀର ମୁହଁ କରି ତନ୍‌ନୁଲାଲଜୀ କହିଲେ : ଏଥର ନିଜର ଦୁଇ ଗାଲରେ ନିଜେ ଦୁଇଟି ଚଟକଣି ମାରନ୍ତୁ । ଆଉ କାନ ମୋଡ଼ା ବି ଖାଆନ୍ତୁ ।

 

ବିସ୍ମିତ ହୋଇ ପଚାରିଲି, କାହିଁକି ? ଏହାର ଅର୍ଥ ?

 

ତନ୍‌ନୁଲାଲଜୀ କହିଲେ ! ମାନେ ଅଛି ଅବଶ୍ୟ । ବୋକାଙ୍କ ପାଇଁ ଓ ଚଲାଖଙ୍କ ପାଇଁ । ବୋକାଙ୍କ ପାଇଁ ମାନେ– ଏଭଳି ଜାଗାକୁ ଆସି ଗାଲରେ ଚଟକଣି ଖାଇଲେ ଓ କାନମୋଡ଼ା ଖାଇଲେ ମୁହଁଟା ରଙ୍ଗୀନ ଦିଶିବ, ଅନ୍ତତଃ କିଛି ସମୟ ପାଇଁ । ଆଉ ଚଲାଖଙ୍କ ପାଇଁ ମାନେ– ବୋକା ବନିବା ଆଗରୁ ପ୍ରାୟଶ୍ଚିତ କରି ରଖିବା, ନିଜ ଗାଲରେ ନିଜେ ଚଟକଣି ଖାଇ ଓ ନିଜ କାନ ନିଜେ ମୋଡ଼ି । ବୁଝିଲ ?

 

ମୁଁ ହସି ହସି କହିଲି, ଏତେ କଥା ବି ଆପଣ ଜାଣନ୍ତି ! ହଉ, ମୁଁ ଏଥିରେ ରାଜି । କିନ୍ତୁ ହାତ ଯେ ମୋର ଯୋଡ଼ା, ହାତରେ ଫୁଲର ତୋଡ଼ା !

 

ତନ୍‌ନୁଲାଲଜୀ ହସି କହିଲେ ! ସାବାସ୍ ପାଁଚୁବାବୁ ! ଛାଡ଼, ଫୁଲ ନେଇ ହାତ ଯେତେବେଳେ ଆପଣ ଯୋଡ଼ିଲେଣି ଆପଣଙ୍କୁ ସବୁ ମାଫ୍ । ଚାଲନ୍ତୁ ଏଥର ଭିତରକୁ ।

 

ଅନୁଚରମାନଙ୍କ ମଧ୍ୟରୁ ଜଣେ ଯୁବକ ତଳ ମହଲାରୁ ଆମକୁ ଉପର ମହଲାର ହଲ୍‌ଘରକୁ ଲାଗି ଗୋଟିଏ ସୁସଜ୍ଜିତ ସାନ ବଖରାକୁ ନେଇଗଲେ । ଯାହା ମନେପଡ଼ୁଚି ସେ ଯୁବକଟି ଥିଲେ ବିଖ୍ୟାତ ତବଲ୍‌ଚି ନ୍ୟାଟା ଆବ୍‌ବୁଲଙ୍କ ପୁତୁରା । ସେ ନିଜେ ମଧ୍ୟ ଥିଲେ ତବଲ୍‌ଚି । ଆମେ ଉପସ୍ଥିତ ହେବା ମାତ୍ରକେ ମାଲ୍‌କା ଓ ଫୈୟାଜ୍ ଖାଁ ଆସିଲେ । ଆସନ୍ତୁ-ବସନ୍ତୁ ଇତ୍ୟାଦିର ଅପେକ୍ଷା ନ କରି ମୁଁ ଗୋଟିଏ ତୋଡ଼ା ମାଲ୍‌କା ହାତରେ ଓ ଅନ୍ୟଟି ଫୈୟାଜ୍ ଖାଁଙ୍କ ହାତରେ ଦେଲି । ଦୁଇଜଣଙ୍କୁ ଆଦାବ୍ କଲି ।

 

ଦୁଇଜଣ ଆପ୍ୟାୟିତ ହେଲେ ।

 

ମାଲ୍‍କା ଉତ୍‌ଫୁଲ୍ଲ ହୋଇ କହିଲେ, ଏ ନିଶ୍ଚୟ ବାଁଶବାବୁ ମତଲବ ମୁତାବିକ୍ । ମୁଁ ଠିକ୍ କହିଚି କି ନା ?

 

ମୁଁ କହିଲି : ବିଲ୍‌କୁଲ୍‌ ଠିକ୍ କହିଛନ୍ତି । ସେ ହିଁ କହିଲେ, ରଙ୍ଗରେ ରଙ୍ଗ ମିଶାଇବାକୁ ହୁଏ ।

 

ଖାଁ ସାହେବ ଖୁବ୍ ଖୁସୀ ହୋଇ କହିଲେ : ବହୁତ ଆଚ୍ଛା,ଡାକ୍ଟର ସାବ୍ ! ବେଶ୍ କହିଛନ୍ତି ଆପଣ ।

ମାଲ୍‌କା ହସି କହିଲେ : ଦେଖୁଚି ଆପଣମାନେ ମୋତେ ନ ବନେଇ ଛାଡ଼ିବେ ନାହିଁ ଆଜି ।

ବନେଇବା ଅର୍ଥ କୌଣସି ସାମାନ୍ୟ ଚରିତ୍ରକୁ ଅତିରଞ୍ଜିତ କରି ବିଦ୍ରୂପ ଥଟ୍ଟା ତମାସାର ଯୋଗ୍ୟ କରିବା ।

ଆମେ କେତେବେଳେ ସୋଫାରେ ବସି ପଡ଼ିଚୁ ଖିଆଲ ନାହିଁ । ମାଲ୍‌କା କଥାବାର୍ତ୍ତା ଆରମ୍ଭ କଲେ : କହିଲେ ! ଖାଁ ସାହେବ, ଏଇ ତନ୍‌ନୁଲାଲଜୀଙ୍କୁ ନିଶ୍ଚୟ ଆପଣଙ୍କ ମନରେ ଅଛି । ଏକଥା କହି କୌଣସି ଏକ ଜଲ୍‌ସା କଥା ମାଲ୍‌କା ତାଙ୍କର ମନେ ପକାଇଦେଲେ । ହୁଏତ ସେ ଜଲ୍‌ସା କଥା ଖାଁ ସାହେବଙ୍କ ମନକୁ ଆସିଥିଲା କିନ୍ତୁ ତନ୍‌ନୁଲାଲଜୀଙ୍କ କଥା ତାଙ୍କର ମନେନାହିଁ । ତାଙ୍କ ଆଖି ଦେଖି ଏକଥା ବୁଝିପାରିଥିଲି । ଅପ୍ରସ୍ତୁତ ହୋଇ କହିଲେ : ବଡ଼ ତାଜ୍‌ଜୁବ୍‌ କଥା ! ୟାଙ୍କୁ ମନେ ପକାଇ ପାରୁନାହିଁ । ମୁଁ ଲଜ୍ଜିତ ଏଥିପାଇଁ । ଓଃ ହୋ ! କେବେକା ମାମ୍‌ଲା ସେ ହେଲାଣି !

ମାଲ୍‌କା କିନ୍ତୁ ନ ଛୋଡ଼ବନ୍ଦା । ଲଜ୍ଜାରୁ ଖାଁ ସାହେବଙ୍କୁ ମୁକ୍ତ କରିବାକୁ ସେ ବଦ୍ଧପରିକର । କହିଲେ : ସେଇ ଯେ ଗହର୍, ମୁଁ ଆଉ ଗହରଙ୍କ ମା ଥିଲୁ ଗୋଟାଏ ପଟେ । ଆଉ ଅନ୍ୟ ପଟେ ଥିଲେ ତେଜନାରାୟଣଜୀ, ଶ୍ୟାମଲାଲଜୀ । ଆଉ ଏ ଆସି ବସିଲେ ସିଂଜୀଙ୍କ ପାଖରେ । ଆପଣଙ୍କର ମନେପଡୁଚି ଏଥିର ?

ତନ୍‌ନୁଲାଲଜୀ ସେ ପ୍ରକାର ‘ବେସଙ୍ଗ୍‌’ର ଅର୍ଥ ଜାଣନ୍ତି । ମାଲ୍‌କା ବି ବୁଝିଲେ । ଯେଉଁ କଥାଟା ଆଦୌ ମନେ ପଡ଼େ ନାହିଁ ଅଥଚ ମନେ ନ ପଡ଼ିବାଟା ଲଜ୍ଜାକର କଥା ସେଠି ଆମେ କହୁଁ, ‘ନିଶ୍ଚୟ’ । ଏ କଥା ପୁଣି ପଚାରୁଛନ୍ତି ନା, ମାଲ୍‌କା ଏଥର ବାଟ କାଟିଲେ ।

 

ତନ୍‌ନୁଲାଲଜୀ ସ୍ୱଭାବଗୟାର କଣ୍ଠରେ ପଚାରିଲେ : ଖାଁ ସାହେବ, ଆପଣ ଆପଣଙ୍କ ଘରର ଝଣ୍ଡା କଲିକତା ସହରରେ କେବେ ଉଞ୍ଚା କରିବେ ? ଅର୍ଥାତ୍ ଖାଁ ସାହେବ ଜଲ୍‍ସା ନ କରି ତ ଚାଲିଯାଉଛନ୍ତି । ପୁଣି କେବେ ଆସି କଲିକତାବାସୀଙ୍କୁ ଗାନ୍‍ ଶୁଣାଇବେ, ଏଇ ହେଲା ପ୍ରଶ୍ନ । ସାମାନ୍ୟ ଉପକ୍ରମଣିକା, ଯାହା ନ ହେଲେ ନୂଆ ରାସ୍ତା ଖୋଲିବ ନାହିଁ ।

 

କଥାଟା ଶୁଣିବା ମାତ୍ରେ ଖାଁ ସାହେବଙ୍କ ମୁହଁ, ଦେଖିଲି, ହର୍ଷ ଓ ବିସ୍ମୟରେ ଆପ୍ଳୁତ ହୋଇଗଲା । ଅପଲକ ନେତ୍ରରେ ତନ୍‌ନୁଲାଲଜୀଙ୍କ ଆଡ଼େ ମୁହୂର୍ତ୍ତେ ଚାହିଁ ସେ ହଠାତ୍ ସୋଫା ଛାଡ଼ି ଛିଡ଼ା ହେଲେ । ପ୍ରାଚୀନ କାଇଦା ଅନୁସାରେ ସାମ୍‍ନା ଆଡ଼କୁ ଟିକିଏ ନତ ହୋଇ ଦୁଇଥର ତସ୍‌ଲିମ୍ ଜଣାଇ ସେମିତି ଛିଡ଼ା ହୋଇ କହିଲେ : ଶେଠ୍‌ଜୀ, ମୋର ଫରାମୋଶୀ ଔର ଫଲତ୍ ମାଫ୍ କରନ୍ତୁ (ବିସ୍ମରଣଜନିତ ଅବହେଳା କ୍ଷମା କରନ୍ତୁ) । ବର୍ତ୍ତମାନ ଆପଣଙ୍କ କଥା ବେଶ୍ ମନେପଡ଼ୁଚି । ଆପଣ ତେଜ୍ ନାରାୟଣଜୀଙ୍କ ଡାହାଣ ପଟେ ବସିଥିଲେ । ଭଗବାନ୍‌ ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ । ଆପଣ ତାଙ୍କରି ଜବାନ୍‌ର ହୁକୁମତ୍‌ ପୁଣି ଜାରି କଲେ ଆଜି ! ଆଉ ମୋ ୟାଦ୍‌କୁ ପୂରାପୂରି ଜାଗରିତ କଲେ । ଆହାଃ ହା ! କି ସୁନ୍ଦର ଦିନସବୁ ଆସିଥିଲା ! ଆଉ ଚାଲି ବି ଗଲା ! ଉଦାସ ଦୃଷ୍ଟିରେ ସେ କିଛିକ୍ଷଣ ଅନାଇ ରହିଲେ । ମାଲ୍‌କା ବି ସେତେବେଳେ ଅନ୍ୟମନସ୍କ ହୋଇଯାଇଥିଲେ । ହୁଏତ ଅତୀତର କୌଣସି ଏକ ସ୍କୃତି ତାଙ୍କୁ ବର୍ତ୍ତମାନର କୋଳରୁ କାଢ଼ି ନେଇଥିଲା ।

 

ଖାଁ ସାହେବଙ୍କୁ ଛିଡ଼ା ହୋଇଥିବାର ଦେଖି ତନ୍‌ନୁଲାଲଜୀ ଉଠି ତାଙ୍କ ହାତ ଧରି ସୋଫା ଉପରେ ବସାଇଦେଲେ । ମାଲ୍‌କା ଶ୍ୱସ୍ତିର ନିଃଶ୍ୱାସ ପକାଇଲେ । ଖାଁ ସାହେବଙ୍କ ଭାବାନ୍ତର ଦେଖି ମୁଁ ଅବାକ୍ ହୋଇଗଲି । ଭାବୁଥିଲି, ଏଇ ଖାଁ ସାହେବ ତ ସେଦିନ ପୁଣି ଗହରଙ୍କୁ ଉପେକ୍ଷାର କଶାଘାତ ଦେଇଥିଲେ : । ଆଜି ପୁଣି ସେ କେଉଁ ପୁରୁଣା ଦିନର କଅଣ ଗୋଟାଏ ମୌଖିକ କଥା ମାତ୍ର ସ୍ମରଣ କରି ଆତ୍ମସମର୍ପଣ କଲେ ! କେଉଁ ଅତୀତରେ କେଉଁ ତେଜନାରାୟଣଜୀଙ୍କ ମୁହଁରୁ ସେ କେଉଁ ହୁକୁମତ୍ ଜାରି ହୋଇଥିଲା ! ଆଉ ଆଜି ବର୍ତ୍ତମାନ ତନ୍‌ନୁଲାଲଜୀ ପୁଣି ସେଇ ହୁକୁମତ୍ ଜାରି କରିବା ମାତ୍ରେ ଅତୀତ ଫେରିଆସିଲା ବର୍ତ୍ତମାନ ଭିତରକୁ ! ମୁହଁ ତ ଗ୍ରାମୋଫୋନ୍‌ର ଚୁଙ୍ଗା । ଆବାଜ ଖଲାସ କରିବା ହେଲା ତା କାମ । କିନ୍ତୁ ସେଇ କଥାଟି ନ ଜାଣି କେତେ ସଞ୍ଜୀବନୀ ମଧୁରେ ଭରପୂର୍ !

 

ତନ୍‌ନୁଲାଲଜୀ ମନଖୋଲା ସୁରରେ ପଚାରିଲେ : ସତ କୁହନ୍ତୁ ତ ଖାଁ ସାହେବ, ସେଭଳି କଥା ଜୀବନରେ କେତେଥର ଶୁଣିଛନ୍ତି !

 

ଖାଁ ସାହେବ ମୁଣ୍ଡ ହଲାଇ କହିଲେ : କି ସୁନ୍ଦର କଥା ଆଜି ଆପଣ ମୋର ମନେ ପକାଇଦେଲେ ସତେ ! ଖୋଦାଙ୍କ କସମ୍, ନ ତୋ ତେଲନାରାୟଣଜୀଙ୍କ ଭଳି କଥା ଶୁଣିଚି, ନ ତୋ ଶ୍ୟାମଲାଲ୍‍ଜୀଙ୍କ ଭଳି କେହି ମୋତେ ଆଜି ପର୍ଯ୍ୟନ୍ତ କହିଛନ୍ତି । ବୋମ୍ୱାଇ, ଆଗ୍ରା, ମହୀଶୂର ଓ ଆହୁରି କେତେ ସହରର କେତେ ଗୁଣଗ୍ରାହକଙ୍କ କେତେ ପ୍ରଶଂସା କରି ଶେଷରେ କହିଲେ : କିନ୍ତୁ ତେଜନାରାୟଣଜୀ ଔର୍‌ ଶ୍ୟାମଲାଲଜୀଙ୍କ ଭଳି ଦିଲ୍‌କା-ଖବର-ଲେନେଓ୍ୟାଲା ତ ଆଜି ପର୍ଯ୍ୟନ୍ତ ଜଣେ ବି ଦେଖିଲି ନାହିଁ ।

 

ଏହା ପରେ ବୈଠକୀ ପରିବେଶର ମାମୁଲୀ ରୀତି ଦେଖା ଦେଲା । ସାନ ସାନ ଘଟନା କଥା ଉଡ଼ିଆସେ, ପୁଣି ଚାଲିଯାଏ । ଉଡ଼ନ୍ତା ଶିମିଳି ତୁଳା ଭଳି । ମୋଟାମୋଟି ବୁଝିଲି, ଗୁଣୀମାନଙ୍କର ନିଜସ୍ୱ ସୁଖଦୁଃଖର ମୁଣି ଭଳି ଗୋଟାଏ ଦିଲ୍ ଅଛି । ସେ ତ ସମସ୍ତଙ୍କର ଅଛି । ଯେଉଁମାନେ ପରସ୍ପରଙ୍କ ମୁଣିର ଖବର ନିଅନ୍ତି ତାଙ୍କୁ ହିଁ ଆମେ କହୁ ବନ୍ଧୁ, ସୁହୃଦ୍ ।

 

ଏକଥା ସେକଥା ପରେ ତନ୍‌ନୁଲାଲଜୀ ବର୍ତ୍ତମାନକୁ ଫେରିଆସି କହିଲେ : ଲେକିନ୍ ମୋ କଥାର ଜବାବ ତ ଆପଣ ଦେଲେ ନାହିଁ । କଲିକତାରେ ଆପଣଙ୍କ ଘରର ଝଣ୍ଡା କେବେ ଉଞ୍ଚା କରିବେ ? ଏଭଳି ହୋନ୍‌ହାରି ଭିତରେ କେତେଦିନ ଆଉ ବଞ୍ଚିରହିବୁ ଆମେ ? ପଶ୍ଚିମର ଆଫ୍‌ତାବ୍ କଅଣ ପୂରବ୍‌କୁ ଆସିବ ନାହିଁ ? ହୋନ୍‌ହାରିର ଅର୍ଥ ସମ୍ଭାବ୍ୟର ପ୍ରତ୍ୟାଶା । ସମସ୍ତେ ଆଶା କରନ୍ତି ପଶ୍ଚିମର ସୂର୍ଯ୍ୟ ବୁଲି ପୂର୍ବରୁ ଆସିବ । ଫୈୟାଜ୍ ସେତେବେଳେ ଥାନ୍ତି ପଶ୍ଚିମର ଆଫ୍‌ତାବ୍ ।

 

ସେକଥା ଭିତରେ ହୁଏ ଗୋଟାଏ ଶ୍ଳେଷ ଥିଲା । ଦିଲ୍ଲୀ, ଆଗ୍ରା, ବୋମ୍ବାଇ, ମହୀଶୂର ପ୍ରଭୃତି ସହରରେ ସୂର୍ଯ୍ୟଙ୍କର ଯେତେ ନାଁ ଡାକ ଥାଉ ନା କାହିଁକି, ବିଶେଷଣର ଯେତେ ଝଙ୍କାର ଉଠୁନା କାହିଁକି, ପଶ୍ଚିମର ସୂର୍ଯ୍ୟଠାରୁ ପୂର୍ବର ସୂର୍ଯ୍ୟଙ୍କ ସମ୍ମାନ ବେଶି । ବଙ୍ଗଳାର କଲିକତାକୁ ଆସି ସୁନାମ ଅର୍ଜନ କରି ନ ପାରିଲେ ମନ ଭରେ ନାହିଁ, ଅନ୍ତତଃ ତନ୍‌ନୁଲାଲଜୀଙ୍କର । ସମ୍ଭବତଃ ଏହି ଶ୍ଳେଷଟିକକ ବୁଝିପାରି ଖାଁ ସାହେବ ଚୁପ୍ ରହି କଥା ଶୁଣୁଥିଲେ ।

 

ତନ୍‌ନୁଲାଲଜୀ ପୁଣି କହିଲେ : ଏ ଦୁଇ ଡାକ୍‌ଟାର ବାବୁଙ୍କୁ ତ ଆପଣ ମାତ୍ର ଗୋଟିଏ ଗଜଲ୍‌ ଶୁଣାଇ ଘାୟେଲ୍‌ କରିସାରିଛନ୍ତି । ଆପଣଙ୍କ ଘରର ଲିହାଜ୍ (ଗାନର ଦୃଷ୍ଟିଭଙ୍ଗି) ଆଉ ଲଢ଼ୀ ଆଉ ଠୋକ୍‌ଦାର ତାନ୍‌ର ସ୍ୱାଦ ତ ଏମାନେ ଏପର୍ଯ୍ୟନ୍ତ ପାଇନାହାନ୍ତି । ପାଇଲେ କଅଣ ହୁଅନ୍ତା କେଜାଣି ୟାଙ୍କର ! କଲିକତାରେ ସୁର ନାଁରେ କେତେ କୁଦ୍‌ନା-ପିଟ୍‌ନା ଚାଲିଛି । ଆଉ ଆପଣ ଛୁପେ-ଛୁପେ ପଶ୍ଚିମରେ ବସି ରହିଛନ୍ତି । ଏ ତ ଭଲ କଥା ନୁହେଁ, ଖାଁ ସାହେବ !

 

ଖାଁ ସାହେବ ବିନୟ ଭାବରେ ଉତ୍ତର ଦେଲେ : ଶେଠ୍‌ଜୀ, ଆପଣ ଯାହା କହିଲେ ସବୁ ଠିକ୍‌ । କିନ୍ତୁ ଖାମଖା ଦଙ୍ଗଲ ଭିତରକୁ ଯିବାକୁ ମୋ ମନ ବଳେ ନାହିଁ । ଆପଣ ତ ଜାଣନ୍ତି ଆମ ଘରର ସେ ଲିହାଜ୍ ନୁହେଁ । ହେଲେ ଏକଥା ମଧ୍ୟ ଖିଆଲ ରଖନ୍ତୁ, ଖୋଦାଙ୍କ ମର୍ଜି ଯେତେବେଳେ ହେବ ସେତେବେଳେ କଲିକତାରେ ଆମ ଘରର ଝଣ୍ଡା ଉଞ୍ଚା ହୋଇ ଦେଖା ଦେବ । ତା’ଛଡ଼ା, ସଚ୍‌-ମୁଚ୍ ତ କୁହନ୍ତୁ, ଆଜିକାଲି ଜେନାନାଙ୍କ ଗାନ୍‍ର ରଙ୍ଗ୍ ଔର୍ ଜୋଶ୍ (ଉନ୍ମାଦନା) ବେଶି ନୁହଁ କି-? ମର୍ଦ୍ଦାନା ଗାନ୍‍, ପାଲ୍ଲାଦାର ଆଓୟାଜ୍ ଔର୍‌ ତାନ୍‌ତରକୀବ୍‌ର ସମଝଦାରୀ କଅଣ ଆଉ ଅଛି ସେକାଳ ଭଳି ? କହୁ କହୁ ସେ ମାଲ୍‌କାଙ୍କ ଆଡ଼େ କଣେଇ ଚାହିଁଲେ ।

 

ମାଲ୍‌କା ନିରୀହ ଶ୍ରୋତା ହୋଇ ଏତେକ୍ଷଣ ପାଖ ସୋଫାରେ ବସିଥିଲେ । ଖାଁ ସାହେବଙ୍କ କଥାର ଶେଷ କେଇପଦ ଶୁଣି ଆହତ ଅଭିମାନର ଭଙ୍ଗିରେ ଉଦ୍ୟତ ଭୁଜଙ୍ଗର ଶୋଭା ଧାରଣ କରି ସେ ଚେଙ୍ଗା ହୋଇ ବସିଲେ । ତାଙ୍କ କଣ୍ଠର ତ୍ରିବଳୀ କୁଣ୍ଡଳିନୀ ଭଳି ସଜାଗ ହେଲା । ସ୍ୱଭାବ ନତ, ଶାନ୍ତ ହେଲେ କଅଣ ହେବ, ଜାତିଟା ତ ଅଢ଼େଇପେଞ୍ଚିଆ କୁଣ୍ଡଳିନୀର !

 

ସ୍ଥିର ଦୃପ୍ତନେତ୍ରରେ ଆମ ଆଡ଼କୁ ଚାହିଁ ସେ କହିଲେ; ଆପଣମାନେ ଖାଁ ସାହେବଙ୍କ ଲଢ଼ୀ ଔର୍ ଠୋକ୍‌କୀ ତାନ୍ ଶୁଣିବାକୁ ଚାହିଥିଲେ ନା ? ଏଥର ନିଅନ୍ତୁ; ଶୁଣନ୍ତୁ ୟାଙ୍କ ଠୋକ୍ ଓ ଲଢ଼ୀର ନମୁନା । ବାଃ ବାଃ, ଖାଁ ସାହେବ ! ବେଶ୍ ସମଝ୍‌ବୁଝ୍‌ର କଥା କହିଲେ ଆପଣ । କାହିଁକି ? ମଙ୍ଗୁବାଈ (ଦିଲୀପ ମୁଖୋପାଧ୍ୟାୟଙ୍କ ‘ସଙ୍ଗୀତେର ଆସରେ’ରୁ ଜଣାଯାଏ ଯେ ସେ ଧ୍ରୁପଦ ପଦ୍ଧତିରେ ଜୟଦେବଙ୍କ ପଦାବଳୀ ଗାଇ କଲିକତାବାସୀଙ୍କୁ ମୁଗ୍‌ଧ କରିଥିଲେ- ଅନୁବାଦକ), ଜୋହରାବାଈ, ବନାରସକୀ ସରସ୍ୱତୀ ରାଜେଶ୍ୱରୀ, ହୁସ୍‌ନା, ଆହୁରି ଅନେକେ, କଅଣ ଗାଓୟାଇୟା ନୁହଁନ୍ତି ? ନା ଗାନା ଶିଖିନାହାନ୍ତି ଏମାନେ ? –କହି ସେ ଟିକିଏ ଥମିଲେ ।

 

ଭାବିଲି, ବୋଧହୁଏ ପ୍ରଳୟର ସୂଚନା ହେଲା । ଖାଁ ସାହେବଙ୍କ ମୁହଁରେ କଥା ନାହିଁ । କିନ୍ତୁ ନିଶ ଅଗରେ ଜମିଲା ହସର ଭାବ । ଟିକିଏ ଆଶ୍ୱସ୍ତ ହେଲି । ସନ୍ଦେହ ଜାଗିଲା କାଳେ ମାଲ୍‌କା କଥାବାର୍ତ୍ତା ଶୁଣୁ ଶୁଣୁ ସୋଫା ଉପରେ ଢ଼ୁଳେଇ ପଡ଼ିବେ ବୋଲି ଖାଁ ସାହେବ କଥାରେ ଟିକିଏ ଚିମୁଟିଦେଲେ । ତା ଯଦି ହୁଏ ତେବେ ଖାଁ ସାହେବଙ୍କ କୌତୁକପ୍ରିୟତାରେ ବାହାଦୂରୀ ଅଛି ବୋଲିବାକୁ ହେବ ।

 

ମାଲ୍‌କାଙ୍କ ଆବେଗ ଶେଷ ହୋଇ ନ ଥାଏ । କହିଲେ : ଭଗବାନଙ୍କ ମର୍ଜି ହେଲେ ଜେନାନାଙ୍କ ଗଳାରେ ସୁର, ରଙ୍ଗ୍, ଜୋଶ୍ ଦେଇଦିଅନ୍ତି । ସେତେବେଳେ ଲୋକେ ପସନ୍ଦ କରନ୍ତି । ଆପଣଙ୍କ କଥା ମୁଁ କଦାପି ମାନିନେଇପାରିବି ନାହିଁ । ଆଉ ଆପଣମାନେ ବି ଶୁଣନ୍ତୁ ନାହିଁ ଏଇ ଅଳସୁଆ ଲୋକର କଥା । ଇୟେ ନିଜ ଗମ୍ ନିଜେ ଉଠାଉଥାନ୍ତୁ । କେତେଥର ୟାଙ୍କୁ ନ କହିଚି- ଆସନ୍ତୁ, ଦେଖନ୍ତୁ, ବଙ୍ଗଳା ମୁଲକରେ ସମଝ୍‌ଦାରୀ ଅଛି କି ନା । କିନ୍ତୁ ୟାଙ୍କ ମୁହଁରେ ସେଇ ଗୋଟିଏ କଥା, ଆଉ ମୁଣ୍ଡଭିତରେ ସେଇ ଗୋଟିଏ ଧନ୍ଦା ! ଏଠି ଥାଏ ଗହର୍ । ଇୟେ ତାକୁ ବରଦାସ୍ତ କରିପାରନ୍ତି ନାହିଁ ! ବାଁଶବାବୁ କୁହନ୍ତୁ ତ ଆପଣ, ଗହର୍ କଅଣ କଲିକତା ସହରଟାଯାକ ମାଡ଼ି ବସିଚି ? ନା ସେ ବାଘୁଣୀ ଯେ ୟାଙ୍କୁ ଝାମ୍ପିନେଇ ଖାଇଯିବ ? କୁହନ୍ତୁ ତ !– କହି ସେ ଖାଁ ସାହେବଙ୍କୁ ଅପାଙ୍ଗ ଦୃଷ୍ଟିରେ ଚାହିଁଲେ ।

 

ତଥାପି ଖାଁ ସାହେବଙ୍କ ମୁହଁରେ କଥା ନାହିଁ । ତନ୍‌ନୁଲାଲଜୀଙ୍କ ଆଖିକୋଣରେ କୁଟିଳ କୌତୁକର ଚୋରା ଚାହାଣିଟିଏ କେବଳ ଦେଖାଦେଲା ।

 

ମାଲ୍‌କାଙ୍କ ମୁହଁରେ ଗହର୍-ବ୍ୟାଘ୍ରିଣୀ କଥା ଶୁଣି ମନେ ପଡ଼ିଗଲା ବାବୁଜୀଙ୍କ ବୈଠକରେ ଗହର୍ ଉପସ୍ଥିତ ହେବା ମୁହୂର୍ତ୍ତଠାରୁ ଖାଁ ସାହେବଙ୍କ ଅସ୍ୱାଭାବିକ ଆଚରଣ କଥା । ତା ସହିତ ମନେ ପଡ଼ିଲା ଓସ୍ତାଦ୍ କାଲେ ଖାଁ ସାହେବଙ୍କ ଚରିତ୍ର । ମୃଦୁସ୍ୱରରେ ତନ୍‌ନୁଲାଲଜୀଙ୍କୁ ଖାଣ୍ଟି ବଙ୍ଗଳାରେ ପଚାରିଲି : ଏଇ ସେ ଫୈୟାଜ୍ ଖାଁ ସାହେବ ଯିଏ ଏମିତି ସୁସ୍ଥ ସୌମ୍ୟ ରସିକ ପୁରୁଷ-। କାଲେ ଖାଁଙ୍କ ଭଳି ୟାଙ୍କ ମୁଣ୍ଡରେ ବି ଛିଟା ଅଛି ନା କଅଣ ?

 

ତନନୁଲାଲ-ଶ୍ୟାମଲାଲଜୀ ହେରିକା ଖାଣ୍ଟି ବଙ୍ଗଳା ପକ୍‌କା ବୁଝିପାରନ୍ତି । ବଙ୍ଗଳା କହି ବି ପାରୁଥିଲେ । ତେବେ ମଝିରେ ମଝିରେ ତାଙ୍କ ବଙ୍ଗଳା କଥାରେ ପଶ୍ଚିମା ଟାଣ୍‌ ପ୍ରକାଶ ପାଏ । କିଛି ଉର୍ଦ୍ଦୁ କଥା ବି ପଶିଯାଏ ବେଳେ ବେଳେ । ମାଲ୍‌କା ବି ବଙ୍ଗଳା ଭଲ ବୁଝି ପାରୁଥିଲେ । ତେବେ ସେ ଭଲ କହିପାରୁ ନ ଥିଲେ । କିନ୍ତୁ ବଙ୍ଗଳା ଟପ୍‌ପା ଗାଇପାରୁଥିଲେ ।

 

ମାଲକା ତତ୍‌କ୍ଷଣାତ୍ ମୋ କଥାଟି ବୁଝିପାରି ଖିଲି ଖିଲି ହସି ଉଠିଲେ । ଶେଷରେ ମୁହଁରେ ରୁମାଲ୍‌ ଚାପା ଦେଲେ । ଅବଶ୍ୟ କାଲେ ଖାଁ ସାହେବଙ୍କ ଗହର୍‌-ଭୀତି କଥା ମାଲ୍‌କାଙ୍କୁ ଭଲ ଜଣାଥିଲା ।

 

ତନ୍‌ନୁଲାଲଜୀ କିଛି କହିବା ପୂର୍ବରୁ ଫୈୟାଜ୍ ମାଲ୍‌କାଙ୍କୁ ପଚାରିଲେ : କାଲେ ଖାଁ ସାହେବଙ୍କ ଜିକର ହେଲା ବୋଲି ଜଣାଯାଉଚି ? ଜିକର ମାନେ ଉଲ୍ଲେଖ । ତା ଶୁଣି ମାଲ୍‌କା ଆହୁରି ହସିବାକୁ ଲାଗିଲେ । ଖାଁ ସାହେବ ନିଶ୍ଚୟ କାଲେ ଖାଁ ସାହେବଙ୍କ ପାଗଳାମି କଥା ଜାଣି ନ ଥିଲେ । ଜାଣିଥିଲେ ସେ ବି ହସିଥାଆନ୍ତେ । କିମ୍ବା ଆଉ କଅଣ କରନ୍ତେ କହିହେବ ନାହିଁ ।

 

ତନ୍‌ନୁଲାଲଜୀ ଉତ୍ତର ଦେଲେ : ହାଁ ଜୀ, ଡାକ୍‌ଟାରବାବୁ କାଲେ ଖାଁ ସାହେବଙ୍କ କଥା ଉଲ୍ଲେଖ କଲେ ।

 

ଖାଁ ସାହେବ ମୋତେ ପ୍ରସ୍ତୁତ ହେବାର ସମୟ ନ ଦେଇ ପଚାରିଲେ : କେଓଁ ଡାକ୍‌ଟାର୍‌ ସାବ୍, ଆପଣ କାଲେ ଖାଁ ସାହେବଙ୍କ ଗାନା ଶୁଣିଛନ୍ତି ?

 

ମୁଁ କହିଲି : ଜୀ ହାଁ । ଲାହୋରଓୟାଲା କାଲେ ଖାଁ ସାହେବଙ୍କ ଗାନ ମୁଁ ଶୁଣିଛି । ତାଙ୍କ ଗଳାର ଆଶ୍ଚର୍ଯ୍ୟ କରିଗରି ବି ଶୁଣିଛି ଗତବର୍ଷ ।

 

ସେ ପୁଣି ପଚାରିଲେ : କୌନସା ଆଶ୍ଚର୍ଯ୍ୟ କାରିଗରି ଆପଣ ଶୁଣିଥିଲେ ?

 

ମୁଁ ସରଳ ମନରେ ଉତ୍ତର ଦେଲି : ଖେୟାଲୀଆଙ୍କ ଗଳାରେ ଯେତେ ପ୍ରକାରର ଲିୟାକତ୍ (କୌଶଳ) ଅଛି ସେସବୁ ତ ଶୁଣିଛି । ଉପରକୁ ଶୁଣିଛି ତାଙ୍କ ଗଳାରେ ଅଦ୍ଭୁତ ଲଗଜ୍‌ଦାର୍ ତାନ୍ ଯାହା ମୁଁ ଏପର୍ଯ୍ୟନ୍ତ ଆଉ କାହାରିକୁ କରିବାର ଶୁଣିନାହିଁ ।

 

କହି ଦେଖିଲି ଖାଁସାହେବ ମୋ ମୁହଁକୁ ସ୍ଥିରଦୃଷ୍ଟିରେ ଅନାଇ ରହିଛନ୍ତି । ତାଙ୍କ ମୁହଁର ଭାବ ଦେଖି ମୁଁ ଘାବୁଡ଼େଇ ଗଲି କି ଭୁଲ କରିପକେଇଲି ! ଗୁରୁଜୀମାନଙ୍କ ପାଖରୁ ଗୋଟାଏ ସାଧାରଣ ନୀତିର ଉପଦେଶ ପାଇଥିଲି, ଯଥା– ଖୁବ୍ ଘନିଷ୍ଠ ପରିଚୟ ନ ହେବା ପର୍ଯ୍ୟନ୍ତ ଜଣେ ଗୁଣୀଙ୍କ ପାଖରେ ଅନ୍ୟ ଗୁଣୀର ଗୁଣଗାନ କରିବା ଉଚିତ ନୁହେଁ । କାରଣ, ସେମିତି କହିବାର ଅର୍ଥ, ପ୍ରକାରାନ୍ତରେ ଜଣାଇଦେବା ଯେ ବର୍ତ୍ତମାନ ଗୁଣୀର ସେ ଗୁଣ ନାହିଁ । ଅର୍ଥାତ୍, ବର୍ତ୍ତମାନ ଗୁଣୀର ପ୍ରଚ୍ଛନ୍ନ ନିନ୍ଦାହିଁ କରାହୁଏ ତାହାଦ୍ୱାରା । ଏବଂ ଭାବାବର୍ତ୍ତରେ ପଡ଼ି ନିଜର ବୋକାମିହିଁ ପଦାରେ ପଡ଼େ ।

 

ମୁଁ ସେ ନୀତିର ଲଙ୍ଘନ କରିପକେଇଲି ବର୍ତ୍ତମାନ । ବୋକାମି ତ ହେଲା । ଏଥକୁ ଉପାୟ ? କାତର ନୟନରେ ତନ୍‌ନୁଲାଲଜୀଙ୍କ ଆଡ଼େ ଅନାଇଲି, ଯାହାର ଅର୍ଥ– ବଞ୍ଚାନ୍ତୁ, ନ ହେଲେ ବୁଡ଼ିଲି ।

 

ତନ୍‌ନୁଲାଲଜୀ କିନ୍ତୁ କଢ଼ିଆଙ୍ଗୁଳିଟିଏ ବି ବଢ଼େଇଲେ ନାହିଁ । ବୁଡ଼ିଯାଉଥିବା ଲୋକଟା ଛାଟିପିଟି ହୋଇ କୂଳକୁ ନିଜେ ଉଠିପାରୁଚି କି ନା ଏଇ କଥା ଦେଖୁଥିଲେ । ଅଗତ୍ୟା ତତ୍‌କ୍ଷଣାତ୍ ସାବ୍ୟସ୍ତ କଲି, ବୁଡ଼ୁଛି ଯଦି ପାତାଳ ଦେଖିବି । କହିଲି : ଖାଁ ସାହେବ, ମୋ କଥାର ବେ-ଆଦବି ମାଫ୍ କରିବେ । ମୋ କାନକୁ ଆପଣଙ୍କ ସୁର ଓ ମିଜାଜ୍ ଯେମିତି ଭଲ ଲାଗିଛି, ସେମିତି ଭଲ ଲାଗିଛି କାଲେ ଖାଁ ସାହେବଙ୍କ ତାନ୍ । ହକ୍ କଥାହିଁ କହୁଛି । ତେବେ, ଗଜଲ୍‌ର ସୁର ଓ ଲରଜ୍‌ର ତାନ୍ ଏକା କାନରେ, ଏକା ମନରେ ଭଲ ଲାଗିବାଟା ଦୋଷ କି ଗୁଣ ମୁଁ ଜାଣେ ନା । ଯଦି ଦୋଷ, ତେବେ ସେଟା ମୋର ହିଁ ଦୋଷ । ଆଉ ଯଦି ଗୁଣ ହୁଏ ତେବେ ଏହା ତନ୍‌ନୁଲାଲଜୀ, ମାଲ୍‌କାବିବି ଓ ଗୁରୁମାନଙ୍କ ସଙ୍ଗତ-ସୁହବତର ଗୁଣ । ଆପଣମାନେ ନିଆଁ ଜାଳି ଦିଅନ୍ତି, ଆପଣମାନେ ହିଁ ଲିଭାନ୍ତି ପୁଣି । କହି ଚୁପ୍ ରହିଲି ।

 

ଖାଁ ସାହେବଙ୍କ ମୁହଁର ଭଙ୍ଗିମା ଦେଖି ମନେହେଲା ମୋ ପାଦ ମାଟି ଛୁଇଁଚି, ଆଉ ବୁଡ଼ିବା ଭୟ ନାହିଁ । ଦେଖେ ତ ଖାଁ ସାହେବ ମୁଚୁକି ମୁଚୁକି ହସୁଛନ୍ତି, ଆଉ ମୁଣ୍ଡ ହଲାଉଛନ୍ତି । ଏତେବେଳକୁ ତନ୍‌ନୁଲାଲଜୀଙ୍କ ମୁଖ ଦିଶିଲା । ସେ କହିଲେ : ଖାଁ ସାହେବ, ଡାକ୍ଟାର୍‌ବାବୁଙ୍କ ମତଲବ ବୁଝିଲେ ତ ?

 

ଖାଁ ସାହେବ ପ୍ରସନ୍ନ ହୋଇ କହିଲେ : ଖୁବ୍ ଭଲକରି ବୁଝିଛି ଜନାବ୍ ! ଦୁଇ ଡାକ୍ଟାର୍‌ବାବୁ ମନେହୁଏ ତମ୍ବୁରାର ଯୋଡ଼ୀର ତାର । ସୁର ଭଲ ବାହାରୁଚି, ଆଉ ଜଓୟାରି ବି ମୋଲାୟେମ ଅଛି । ବାକି ଖାଲି ଖରଜ୍ ଔର୍ ପଞ୍ଚମର ସାହାରା । ତୋ ଫିର୍ ଓ୍ୱ ବି ପାଇଯିବେ ଏମାନେ ।

 

ତନ୍‌ନୁଲାଲଜୀ ତାଙ୍କ ମୁହଁରୁ କଥା ଛଡ଼ାଇନେବା ଭଳି କହିଲେ : ତା’ବି ୟାଙ୍କୁ ମିଳିଗଲାଣି । ଖରଜ୍ ତ ବଦଲ୍‌ ଖାଁ ସାହେବ, ଆଉ ପଞ୍ଚମ ତ ଶ୍ୟାମଲାଲଜୀ ।

 

ଖାଁ ସାହେବ କହିଲେ, ଖୁବ୍ ଖୁସିର କଥା ବେଶକ୍ । ମଗର୍, କଲ୍‌କତ୍ତା ସହରର ସୌଖୀନ୍ ବଙ୍ଗାଳୀବାବୁ କାନରେ ଯେତେବେଳେ ଲହଜ୍‌ତାନର ଖୁବ୍‌ସୁରତି (ସୌନ୍ଦର୍ଯ୍ୟ) ଧରାପଡ଼ିଛି ଆଉ ବାକି ଥୋଡ଼ା ଇ ରହିଲା । ଟିକିଏ ଥମି ପୁଣି କହିଲେ : ଲେକିନ୍ ଡାକ୍‌ଟାର୍ ସାବ୍, ଆପଣମାନେ ତ ଡାକ୍‌ଟାରି କରିବେ ଆଖର୍ । ଗାନା-ବଜାନା ବି କଅଣ କରିବେ ?

 

ଖାଁ ସାହେବଙ୍କ କଥାରେ ଚମତ୍‌କୃତ ହୋଇଥିଲି । ନ ହେବି ବା କାହିଁକି !

 

ଚଟାପଟ୍ ଗୋଟାଏ ଉତ୍ତର ମୁଣ୍ଡରେ ଖେଳିଗଲା । କହିଲି : ଜନାବ୍, ଗାନା-ବଜାନା ଆମର ହବ ନାହିଁ । ଆପଣ ସେ ଭୟ ଆଦୌ କରନ୍ତୁ ନାହିଁ । ଆମେ ନିଶ୍ଚୟ ଡାକ୍ତରି କରିବୁଁ । ଖାସ୍‍ କରି, ଯେଉଁମାନେ ବେସୁରା ଚୋଟ୍ ଖାଇ ତଡ଼ପିତ (ଛଟପଟ) ହେବେ ତାଙ୍କ କଷ୍ଟର ଆସାନି ପାଇଁ ଚେଷ୍ଟା କରିବୁଁ । ତା ପରେ ଯାହା ହବାର ହବ– କହି ଗମ୍ଭୀର ଭାବରେ ଉପରକୁ ଅନେଇଲି-

ଆମ ଭବିଷ୍ୟତ ପେଶା କଥା ଶୁଣି ତିନିଜଣଯାକ ଅସରାଏ ହସିଲେ । ହାୟ ହାୟ । ବର୍ତ୍ତମାନ ଦେଖୁଚି, ଅନ୍ୟର ଚିକିତ୍ସା କରିବି କଅଣ, ନିଜକୁ ବେସୁର୍ ଦାଉରୁ ରକ୍ଷା କରିବାକୁ ଯାଇ ଜାନ୍ ପରେଶାନ୍ । ଜୀବନର ତମ୍ୱୁରାକୁ ଘଟାଟୋପ ଘୋଡ଼ାଇ ସଜାଇ ରଖିବାହିଁ ସାର ହେଲା । ବର୍ତ୍ତମାନ ସାଜ୍-ପୋଶ୍ ଖୋଲି ଦେଖେ ତ ତାର ବାଜୁଛି ଅତି ପୁରୁଣା ସୁରରେ । କଳଙ୍କିଲଗା ତାର-! ବଜେଇବାକୁ ସାହସ ନାହିଁ । ତଥାପି ପୁରୁଣା ଗୁଣୀମାନଙ୍କ ଗୁଣଗାନ ନୂଆକରି ଶୁଣିବା ଲୋଭରେ ଟିକିଏ ଅଧେ ଛେଡ଼୍-ଛାଡ଼୍ କରେ ସେହି ଅନାହୃତ ଜୀବନତମ୍ବୁରାର ତାର ଧରି-। ଅତି ସାବଧାନତା ସହିତ ରକ୍ଷାକରି ଚାଲିଛି ସେହି ପୁରାତନ କଳଙ୍କିଲଗା ତାରଗୁଡ଼ିକୁ । ସୁର୍‌ ପାଇଁ ନୁହେଁ, ସ୍ମୃତିର ଲୋଭରେ ।

ହଜିଲା କଥାର ଖିଅ ଧରି ମାଲ୍‌କା କହିଲେ : କଲିକତାରେ କିନ୍ତୁ କିଛି ବାକି ରହିଗଲା ଆଜି ପର୍ଯ୍ୟନ୍ତ–

ଖାଁ ସାହେବ ଜିଜ୍ଞାସୁ ଭାବରେ ତାଙ୍କୁ ଚାହାଁନ୍ତେ ମାଲ୍‌କା କହିଲେ : ବାକି ରହିଲା ଆପଣଙ୍କ ଠୋକ୍ ଔର୍ ଲଢ଼ୀକି ତାନ୍ ! କେବେ ସେସବୁ ଜାରି କରିବେ ସେତିକି ତ ଅନ୍ତତଃ କହି ଦେଇଯାଆନ୍ତୁ । ଉମିଦ୍ (ଆଶା) ମାତ୍ରକ ନେଇ ଆମେ ବଞ୍ଚିରହିବୁ ।

 

ତକ୍‌ଦିର (ଈଶ୍ୱରଙ୍କ ଇଚ୍ଛା) ଯେବେ ପୂର୍ଣ୍ଣ ହେବ ତେବେ ଆସି ଶୁଣାଇ ଦେଇ ଯିବି । ନିଶ୍ଚୟ ଶୁଣିବାକୁ ପାଇବେ ଆପଣମାନେ– କହି ଖାଁ ସାହେବ କଥାଟାକୁ ବୁଲାଇ ଦେବାପାଇଁ ଯେମିତି କହିଲେ : ଶେଠ୍‌ଜୀ ଆପଣ ଅନୁଗ୍ରହ କରି ଶ୍ୟାମଲାଲବାବୁଙ୍କୁ ମୋର ବହୁତ ବହୁତ ସଲାମ୍ ଜଣାଇବେ । ଆଉ ତାଙ୍କୁ କହିବେ, ଜରୁରୀ ଚିଠି ପାଇ ହଠାତ୍ ମୋତେ ରମାନା ହେବାକୁ ପଡ଼ିଲା । ଯିବା ଆଗରୁ ତାଙ୍କ ସହିତ ଦେଖା କରିପାରିଲି ନାହିଁ ଏ ଅପରାଧ ମୋର ସେ ଯେପରି କ୍ଷମା କରନ୍ତି । ଆଉ କହିବେ, କଲିକତା ଆସି ସବୁ ସୁଖ-ସୁବିଧା ମୁଁ ପାଇଚି । ଭଗବାନଙ୍କ କୃପାରୁ ଅପାର ଆନନ୍ଦ ବି ପାଇଲି । ପୁଣି ଯେବେ ସୁଯୋଗ ଆସିବ ନିଶ୍ଚୟ ତାଙ୍କ ସହିତ ଓ ଆପଣମାନଙ୍କ ସହିତ ଦେଖାହେବ ।

 

ବାବୁଜୀଙ୍କ ସହିତ ଫୈୟାଜ୍‌ ଖାଁଙ୍କର ଆଉଥରେ ସାକ୍ଷାତ୍ ହୋଇଥିଲା ଏହାର ଦଶ ଏଗାର ବର୍ଷ ପରେ ଲକ୍ଷ୍ନୌ ଅଧିବେଶନରେ । ତାହାର ଆଠ ନ’ବର୍ଷ ପରେ କଲିକତାବାସୀଙ୍କ ତକ୍‌ଦିର (ଭାଗ୍ୟ) ଖୋଲିଥିଲା ଯେବେ ଖାଁ ସାହେବ କଲିକତାର ସିନେଟ୍ ହଲ୍ ସଙ୍ଗୀତ ଅଧିବେଶନରେ ଗାନ୍‍ ଓ ତାନ୍, ଠୋକ୍ ଓ ଲଢ଼ୀର ବିଚିତ୍ର ପରିବେଷଣ କରି ଶ୍ରୋତାମାନଙ୍କୁ ବିହ୍ୱଳ କରିଦେଇଥିଲେ । ଶ୍ୟାମଲାଲଜୀ ସେତେବେଳେ ସ୍ୱର୍ଗବାସୀ । ମାଲ୍‌କା ଶିଳ୍ପୀଜୀବନରୁ ଅବସର ନେଇ ନିଭୃତରେ ଧର୍ମଜୀବନ ଯାପନ କରୁଥାନ୍ତି । ତନ୍‌ନୁଲାଲଜୀ ସେତେବେଳେ ବଞ୍ଚିଥିଲେ ବି ଅଧରାତିର ଜଲ୍‌ସା ବା ଶେଷରାତିର କମାଲ୍ ଉପଭୋଗ କଲାଭଳି ମାନସିକ ଅବସ୍ଥା ତାଙ୍କର ନ ଥିଲା ।

 

ନନୀ ସହିତ ଖାଁ ସାହେବଙ୍କ ଦେଖା ହୋଇଥିଲା ଆଉଦିନେ । ଖାଁ ସାହେବଙ୍କ ଉପଲକ୍ଷରେ ନାଟୋର୍ ମହାରାଜାଙ୍କ ଭବନରେ ଜଲ୍‌ସା ବସିଥିଲା ସେଦିନ । ସେଦିନ ମୁଁ ସେଠି ଉପସ୍ଥିତ ନ ଥିଲି । ପରେ ତାଙ୍କ ସହିତ ମୁଁ ଦେଖା କରିଥିଲି । କିନ୍ତୁ ସେ ସାକ୍ଷାତ୍ ନାଁକୁ ମାତ୍ର । ଅବଶ୍ୟ ୧୯୩୪ ସାଲ ପରଠୁ ୧୯୩୯ (ବା ୪୦) ପର୍ଯ୍ୟନ୍ତ ସମୟ ମଧ୍ୟରେ ଖାଁ ସାହେବଙ୍କ ଗାନ ଶୁଣିବାର ସୌଭାଗ୍ୟ ବହୁଥର ଘଟିଚି ।

 

ଖାଁ ସାହେବଙ୍କ କଥାର ସୁରରେ ବାଜିଥିଲା ଆଖ୍‌ରୀ ତାନ୍ । ସନ୍ଧ୍ୟା ଆଗତ ପ୍ରାୟ । ମୁହୂର୍ତ୍ତକ ମଧ୍ୟରେ ପ୍ରଥମ ଦିନର ଘଟନା, ପ୍ରଥମ ପରିଚୟର ପ୍ରଗାଢ଼ ସ୍ମୃତି ସବୁ ଝଲକ୍ ଦେଇଗଲା-। ମନେ ପଡ଼ିଗଲା ନନୀର ଶେଷ କଥାଟି । ଖାଁ ସାହେବଙ୍କୁ କହିଲି : ଖାଁ ସାହେବ, ଆପଣ ଆଜି ଚାଲି ଯାଉଛନ୍ତି । କିନ୍ତୁ ଆପଣଙ୍କ ସୁରର ତୀର ଆମ ହୃଦୟରେ ବିନ୍ଧି ରହିଲା । ୟାକୁ ଆପଣ ଆଉ ବାହାର କରିନେଇପାରିବେ ନାହିଁ । ସେ ଡାକ୍‌ଟାର୍‌ବାବୁଙ୍କ କଥାଟି ବି ସ୍ମରଣ କରାଇଦିଏ-। ଦୁନିଆରେ ମାଲ୍‌କା ନାମରେ ଅନ୍ୟ ଅନେକ ଲୋକ ହୁଏତ ଅଛନ୍ତି । କିନ୍ତୁ ‘ଆଗ୍ରାଓୟାଲୀ’ କହିଲେ ଏଇ ଗୋଟିକ ଛଡ଼ା ଦ୍ୱିତୀୟ ନାସ୍ତି । ଆପଣ ବି ଆଗ୍ରାର ଲୋକ । କିନ୍ତୁ ଦୟା କରି ଯିବାବେଳେ ୟାଙ୍କୁ ଆଉ ଟାଣି ନେଇଯିବେ ନାହିଁ ।

 

ନନୀ କଥା ମନେ ପକାଇ ଦିଅନ୍ତେ ଖାଁ ସାହେବ ହସ ଆଉ ସମ୍ଭାଳି ପାରିଲେ ନାହିଁ । କହିଲେ : ବାଃ ଜୀ, ବାଃ ! ସେ ଡାକ୍‌ଟାର୍‌ବାବୁଙ୍କ ତାନ୍ ଆପଣ ଆଜି ପୂରା କରିଦେଲେ । ତାଙ୍କୁ ମୋର ଆବାଦ୍ ଜଣାଇବାକୁ ଭୁଲିଯିବେ ନାହିଁ କିନ୍ତୁ । ଆଉ କହିବେ, ମୋର ଏମିତି କି ଯୋଗ୍ୟତା ଅଛି ଯେ ୟାଙ୍କୁ ଆପଣମାନଙ୍କ ପାଖରୁ କାଢ଼ି ନେଇପାରିବି ! ଆପଣମାନେ ବନ୍ଧୁତ୍ୱ ଡୋରିରେ ୟାଙ୍କ ନିୟତ୍‌କୁ ବାନ୍ଧି ପକେଇଛନ୍ତି, କୟେଦ୍ କରି ରଖିଛନ୍ତି । ମାଲ୍‌କାଙ୍କୁ ଉଦ୍ଦେଶ୍ୟ କରି ସେ ପୁଣି କହିଲେ : ସତ କି ନା ? ମୁଁ କିଛି ବେ-ଅନ୍ଦାଜ୍ କଥା କହିଲି କି ନା ୟାଙ୍କୁ ପଚାରନ୍ତୁ !

 

ମୋ କାନ ଶୁଣୁଥିଲା ଖାଁ ସାହେବଙ୍କ କଥା । କିନ୍ତୁ ଆଖି ଥିଲା ମାଲ୍‌କାଙ୍କ ମୁହଁ ଉପରେ-। ଅନୁଭବ କରୁଥିଲି, ସତେ କି ସନ୍ଧ୍ୟାର ବିଦାୟ-ଦିଗନ୍ତରୁ ଅଜସ୍ର ଅସ୍ଫୁଟ କାକଳୀ ଭାସିଆସୁଛି-। ନ ଜାଣି କେତେ ଅଦୃଶ୍ୟ ରହସ୍ୟ ଘଟିଯାଉଛି ଦିନ ଓ ରାତିର ସନ୍ଧିକ୍ଷଣରେ, ଆକାଶ ଓ ମାଟିର ସଙ୍ଗମ ସ୍ଥଳରେ ! ମାଲ୍‌କାଙ୍କ ମୁଖମଣ୍ଡଳରେ ଦେଖିବାକୁ ପାଇଥିଲି ପ୍ରସନ୍ନ କୁତୂହଳର ଛବି । କିନ୍ତୁ ଆଖି ପଲ୍ଲବ ଦୁଇଟି ମୁହୁର୍ମୁହୁ କମ୍ପି ଉଠୁଥିଲା, ସତେ କି ଗୂଢ଼ ଅଭିମାନର ଆନନ୍ଦହିଲ୍ଲୋଳରେ-। ନିରୁପଦ୍ରବ ସୂର୍ଯ୍ୟାସ୍ତର ଶେଷ ରକ୍ତିମଚ୍ଛଟା ବି ଦେଖିଥିଲି ତାଙ୍କ ଆଖିର କଜ୍ଜଳଘନ ପ୍ରାନ୍ତ ଦେଶରେ-। କିନ୍ତୁ ଅଳ୍ପସମୟ ପାଇଁ କେବଳ ।

 

ଅତିସମୀପ ବିହଙ୍ଗର ମଧୁର କଳଧ୍ୱନି ସୁରରେ ମାଲ୍‌କା ଖାଁ ସାହେବଙ୍କ ଶେଷୋସ୍ତ ଠୋକ୍ ତାନ୍‌ର ଜବାବ ଦେଲେ । କହିଲେ ଆପଣଙ୍କ ଅନ୍ଦାଜ୍-ବେଅନ୍ଦାଜ୍ ଆପଣ ଜାଣନ୍ତି । ମୁଁ ତା’ର ହିସାବ ରଖେନା । ହିସାବ କଥା ତାଙ୍କୁହିଁ ପଚାରନ୍ତୁ, ଆପଣା ନସିବ୍‌କୁ ପଚାରନ୍ତୁ, ଯିଏ ଆପଣଙ୍କୁ ଦୁଇ ଚାରି ଦିନ ପାଇଁ ଏଠାକୁ ପଠାଇଥିଲେ ଆଉ ୱାପସ ମଧ୍ୟ ନେଇଗଲେ ଆଜି । ଆମେ ତ କେବଳ ନିଜ ଅନ୍ଦାଜ୍ କଥା ଜାଣୁ । ସତ କି ନା, ବାଁଶବାବୁ !

 

Unknown

ବୁଝିଲି ଦିନ ଶେଷର ସବୁ ଖେଳା ପରାଭୂତ ହେଲା ସନ୍ଧ୍ୟାର ଏଇ ପ୍ରଶାନ୍ତି ପାଖରେ । ଦେଖିଲି, ନର୍‌ଗିସ୍‌ଭଳି ଆଖି ଦୁଇଟି ଭରିଯାଇଛି ସନ୍ଧ୍ୟାର ନୀଳିମାରେ । ନିରାବେଗ ମାଧୁରୀ ମଧ୍ୟରେ ଯେମିତି ବିଲୀନ ହୋଇଗଲା ହୃଦୟର କୁଙ୍କୁମରାଗ । ସମ୍ମୁଖରେ ଫୈୟାଜ୍ ଖାଁ ସ୍ୱୟଂ ଅଛନ୍ତି । ତଥାପି ଆକାଶରୁ ସେ ଅପସରିଗଲେ ଅପ୍ରାକୃତ ବିଦାୟବାଣୀ ନେଇ । ସେଇ କେତୋଟି ମୁହୂର୍ତ୍ତ ଭିତରେ ସୂର୍ଯ୍ୟ ବୁଡ଼ି ଯାଇଥିଲେ । ସେଇ ଅପୂର୍ବ ବିଦାୟଲଗ୍ନରେ ପ୍ରତିଭାତ ହେଲା ଯେମିତି ଗୋଟିଏ ସନ୍ଧ୍ୟାତାରାର ନିର୍ମଳ ଜ୍ୟୋତି । ନିଜ ପ୍ରକାଶରେହିଁ ଯେ ଚିରତୃପ୍ତ, ଚିରସାର୍ଥକ । ପୂର୍ବଦିଗର ଅରୁଣୋଦୟ ଲଗ୍ନ ଆଉ ୟାକୁ ଖୋଜି ପାଇନି ।

 

ତନ୍‌ନୁଲାଲଜୀ କଅଣ ଭାବୁଥିଲେ ଜାଣେନା । କିନ୍ତୁ ଗୋଟିଏ କଥାର ସୂତ୍ର ଧରି ସେ ଆଗକୁ ବାସ୍ତବ ଜଗତକୁ ଟାଣି ଆଣିଲେ । ମାଲ୍‌କାଙ୍କ କଥାକୁ ସମର୍ଥନ କରି ସେ କହିଲେ : ଖୁବ୍ ଠିକ୍ କହିଛନ୍ତି ମାଲ୍‌କା । ହିସାବ-ନିକାସ୍, ଅନ୍ଦାଜ୍-ବେଅନ୍ଦାଜ୍ ସବୁ ନିଜ ନିଜର । ଏକ୍‌ସଚେଞ୍ଜ ଔର୍ ଶେୟାର୍ ମାର୍କେଟ କଥା ସବୁ ଗୋପନରେ ହୁଏ, ବନ୍ଧୁ ସହିତ ହୁଏ । ନ ହେଲେ ଲୋକ୍‌ସାନି ସହିବାକୁ ହୁଏ ।

 

ମାଲ୍‌କାଙ୍କ ମୁହଁରେ ଏଥର ହସ ଦେଖାଦେଲା ।

 

ସେ ଗୋପନରେ, ଅର୍ଥାତ୍ ଶ୍ୟାମଲାଲଜୀଙ୍କ ଉପଦେଶ ପାଇଁ ଅପେକ୍ଷା ନ କରି ଶେୟାର୍ ବଜାରରେ ଚଢ଼ା-ମାନ୍ଦା ଖେଳରେ ଭାଗ୍ୟପରୀକ୍ଷା କରନ୍ତି । ଆଉ ଲୋକ୍‌ସାନ୍ ହେବାମାତ୍ରେ ବାବୁଜୀଙ୍କ ପାଖରେ ତନ୍‌ନୁଲାଲଜୀଙ୍କ ନାଁରେ ଅଭିଯୋଗ କରନ୍ତି । ଅର୍ଥାତ୍, କାହିଁକି ତନ୍‌ନୁଲାଲଜୀ ତାଙ୍କୁ ଆଗରୁ ସତର୍କ କରାଇ ନ ଦେଲେ ।

 

ମାଲ୍‌କା ଏଥର ନାରୀ ଚରିତ୍ରର ବନ୍ଧୁର ଭୂମିକୁ ଅବତରଣ କଲେ । ଚକିତ ଉତ୍ସୁକତା ସହ ପଚାରିଲେ : କ୍ୟା ଭାଓ ବାଁଶବାବୁ ? ଅର୍ଥାତ୍, ଉପରଓଳିର ଶେଷ ଦର କେତେ ?

 

ଏ କ୍ଷେତ୍ରରେ ତନ୍‌ନୁଲାଲଜୀ ମାଲ୍‌କାଙ୍କ ଏକମାତ୍ର ସାଥୀ । ସେ କହିଲେ : ଆଠ-ତିନ୍ । ସାତ୍ ବଜେ ବାଦ୍‌ ଫିର୍ ଖବର ଦେବି । ଅର୍ଥାତ୍ ଫୋନ୍‌ରେ ଖବର ଦିଆ ଚାଲିବ ।

 

ପ୍ରକୃତ ବିଦାୟ ହୋଇ ତ ଯାଇଥିଲା । ତନ୍‌ନୁଲାଲଜୀ ଦୁଇଚାରୋଟି କାୟଦା-ଦୂରସ୍ତ କଥା କହୁଁ କହୁଁ ଉଠି ଛିଡ଼ା ହେଲେ । ମୁଁ ବି ଉଠିଲି । ତନ୍‌ନୁଲାଲଜୀଙ୍କ ଆପତ୍ତି ସତ୍ତ୍ୱେ ମାଲ୍‌କା ଓ ଫୈୟାଜ୍ ଫାଟକ ପର୍ଯ୍ୟନ୍ତ ଆସିଲେ ଓ ବିଦାୟୀ ଆଦାବ୍ ଜଣାଇବାକୁ ଲାଗିଲେ । ଆମେ ବି ଆଦାବ୍ ଜଣାଇ ବିଦାୟ ନେଲୁଁ । ପଶ୍ଚିମର ଅଭିଯାତ୍ରୀ ସେଇ ସୂର୍ଯ୍ୟ ଓ ସନ୍ଧ୍ୟାକାଶର ସେଇ ତାରାକୁ ଆଉ କେବେ ଏକାସାଙ୍ଗରେ ଆକାଶରେ ଦେଖିନାହିଁ ।

 

ଫେରିବା ବାଟରେ ତନ୍‌ନୁଲାଲଜୀଙ୍କୁ ପଚାରିଲି ଦିଲ୍ଲୀର ସେଇ ଜଲ୍‌ସା କଥା । ବଙ୍ଗଳା, ହିନ୍ଦି, ଉର୍ଦ୍ଦୁ ବଚନିକା ସହ ଟୀକା-ଟିପ୍‌ପଣୀର ଫଲ୍‌ ସଜାଇ ବାଟ ଚାଲୁ ଚାଲୁ ସେ ଜଲ୍‌ସା କଥା ବିବୃତ କରିଥିଲେ । ମଝିରେ ମଝିରେ ଛିଡ଼ା ବି ହୋଇ ଯାଉଥିଲେ । ସାର କଥା ଓ ମଜାର କଥା ଯାହା ମନକୁ ପାଇଥିଲା ତାକୁ ହିଁ ସମ୍ଭ୍ରମତା ସହ ଧରିରଖିଛି ମୋ ସ୍ମୃତି-ଜାଲରେ । ତନ୍‌ନୁଲାଲଜୀଙ୍କ ଜବାନୀରେ ହିଁ କହୁଚି–

 

ଆହାମେଦାବାଦ କଂଗ୍ରେସ, ଅର୍ଥାତ୍ ବାର ତେର ବର୍ଷ ଆଗର ମାମ୍‌ଲା । ହଜୁରା-ତମାସା ଦେଖି ଶ୍ୟାମଲାଲ, ତେଜନାରାୟଣ ଓ ମୁଁ ଫେରୁଥାଉଁ ଦିଲ୍ଲୀ ବାଟେ । ସିଂଜୀ ଘରେ ଅତିଥି ହୋଇଥାଉଁ । ଧନୀ ସୌଖୀନ୍ ଇୟାରବକଶ୍ ପୁରୁଷ ସେ । ଆଉ ଯାହାକୁ କହନ୍ତି ପହିଲା ନମ୍ୱର୍ ତମାସେବିନ୍ । ପ୍ରକାଣ୍ଡ ଦୋମହଲା ଘରଟି ପୁରୁଣାକାଳିଆ । ଆମ ଖାତିରରେ ସିଂଜୀ ନାଚ-ଗାନର ଜଲ୍‌ସା କଲେ ରାତିଏ । ଗହର୍ ଓ ଗହର୍‌ଙ୍କ ମା ସେତେବେଳେ ଥାନ୍ତି ଦିଲ୍ଲୀରେ । ଗହର୍ ଓ ଆଉ ଦୁଇ ତିନି ଜଣ ବଛା ବଛା ତଓୟାୟେଫ୍‌ଙ୍କ (ନାଚ ଓ ଗାନ କରିପାରୁଥିବା ବାଈଜୀଙ୍କର) ନାଚଗାନ ହେଲା । ଠୁମ୍‌ରୀ-ଦାଦ୍‌ରା-ଗଜଲର ବଗିଚା ଖୋଲିଗଲା । ହରେକ ରକମର ଫୁଲ ଫୁଟିଲା । ସିଂଜୀ ଥିଲେ ଠୁମ୍‌ରୀ ଗଜଲ୍‌ର ସୌଖୀନ । ଆଉ ବିଶେଷ କରି ଗହରଙ୍କ ଭକ୍ତ । ଗହର୍ ସେ ସମୟରେ ଗଣପତ୍‌ରାଓଙ୍କ ଇଲାକା ମଧ୍ୟରେ ପଡ଼ିଥାନ୍ତି ଓ ଶ୍ୟାମଲାଲଙ୍କ ଶାଗିର୍ଦ୍ ହୋଇଥାନ୍ତି-। ସେ କାହାଣୀ ତ ଆପଣ ଜାଣନ୍ତି । ଛାଡ଼ । ଗହରଙ୍କ ଗାନର ଜୋଶ୍ ଓ ଚମକରେ ସାରା ହିନ୍ଦୁସ୍ଥାନରେ ଚହଳ ପଡ଼ିଯାଇଥାଏ ସେତେବେଳେ । ଏମିତିକି, ଆସରରେ ମୌଜୁଦ୍‌ଦୀନଙ୍କ ସହିତ ଲଢ଼ିବାର ସାହସ ମଧ୍ୟ ଗହର୍‌ର ଆସିଯାଇଥାଏ । ମୌଜୁଦ୍‌ଦୀନଙ୍କ ପାଖରୁ ହାରିଯିବାର ବାହାଦୂରୀ ସେ ଆଜି ପର୍ଯ୍ୟନ୍ତ ବି କରେ । ଦିନେ ତା ନିଜ ମୁହଁରୁ ଶୁଣିବେ ସେ କଥା-। ମୋଟ କଥା, ସେ ରାତିରେ ଗହର୍‌ର ରଙ୍ଗହିଁ ବଜାୟ ରହିଲା । ମୌଜୁଦ୍‌ଦୀନ ସେ ସମୟରେ କାଶୀରେ ଭାଇୟା ସାହେବଙ୍କ ପାଖରେ ଥାନ୍ତି ।

 

ଶ୍ୟାମଲାଲ ଓ ତେଜ୍‌ନାରାୟଣ ଯେମିତି ହୁଜୁଗପ୍ରିୟ ସେମିତି ତୁରବୁରିଆ । ସେଥିରେ ପୁଣି ସେମାନଙ୍କର ଥିଲା ଧର୍ମପାଗଳାମି । ତାଙ୍କ ପାଲରେ ପଡ଼ି କେଉଁଠି କେଉଁ ପୁରୁଣା ମନ୍ଦିର ଆଉ ପ୍ରାଚୀନ ଇମାରତ୍ ବୁଲି ଦେଖୁଥାଉଁ ମୁଁ ଓ ସିଂଜୀ । ଯେଉଁଦିନ ଆମେ ମହାତରବରିଆ ଭିତରେ କୁରୁକ୍ଷେତ୍ର ଯାଇ ମହାଭାରତର ବିଭୂତି ଓ ଏକାଳର ପୋଡ଼ାମାଟିର ଧୂଳି ମାଖି ଫେରିଆସିଲୁ ସେଦିନ ହଇରାଣିର ଚରମ ହୋଇଥିଲା ।

 

ସିଂଜୀ ବେଦମ୍ ହୋଇ ତକିଆ ଧଇଲେ । କହିଲେ : ଦେହ ଆଉ ମନର ଦରଜ ମାରିବାପାଇଁ ଆଗେ ଦରକାର ହକିମ୍‌ସାହେବଙ୍କ ସୋନେଚାଁଦିଓୟାଲା ଫଓଲାଦ୍ (ସୁନା ଓ ରୂପାଭସ୍ମ ଦିଆ), ଦୋ’ଚାରୁ ଖୋରାକ୍ କମ୍‌ସେବଟି କମ୍ । ଆଉ ସରବତ୍ ଦୋ’ଚାର୍ ବୋତଲ୍, କମ୍‌ସେ କମ୍ । ତା’ପରେ ଦରକାର, ସିରିଫ୍ ଆରାମ୍ ଦୋ’ଚାର୍ ରୋଜ୍, କମ୍‌ସେ କମ୍ । ଔର୍ ଦୋ’ଚାର୍ ତଓୟାୟେଫ୍‌ଙ୍କ ନାଚଗାନ୍, ଗହର୍ କମ୍‌ସେ କମ୍ । ଅର୍ଥାତ୍ ଗହର୍ ନିଶ୍ଚୟ । ‘କମ୍‌ସେ କମ୍’ ଲଗେଇବା ଥିଲା ସିଂଜୀଙ୍କ ଏକଚାଟିଆ । ରସାଳ ଆମୋଦ କରୁ କରୁ ସେ ଠିକ୍ ବେଳ ଉଣ୍ଡି ଉକ୍ତ ବୋଲ୍‌ଟି ଛାଡ଼ନ୍ତି । ହକିମ୍‌ସାହେବ ଥିଲେ ସିଂଜୀ ଓ ତେଜନାରାୟଣଙ୍କ ବିଶିଷ୍ଟ ବନ୍ଧୁ । ଯେମିତି ରସିକ ସେମିତି ବିଦ୍ୱାନ ସେ ଥିଲେ । ଆଉ ସେତାରର ଆବାଜ ଶୁଣିବା ମାତ୍ରକେ ତାଙ୍କୁ ଢୁଳ ମାଡ଼ୁଥିଲା ।

 

ମୋଟ ଉପରେ ସମସ୍ତେ ଏକମତ ହେଲେ । କେବଳ ଶ୍ୟାମଲାଲ ଫଓଲାଦ୍ ଓ ସରବତ୍‌ର ଫାଇଦା ନେବେ ନାହିଁ । ଶହେ ଖଣ୍ଡେ ଦଣ୍ଡ-ବୈଠକ ଓ ଶହେ ଖଣ୍ଡେ ଯୋଡ଼ି ମୁଗୁର ବୁଲେଇଦେଲେ କୁଆଡ଼େ ତାଙ୍କ ମନର ହା-ହୁତାଶ ଓ ଦେହର ପରାସ ଚାଲିଯାଏ । ଆଉ ତେଜନାରାୟଣଙ୍କ ଗୋଟାଏ ଖୁଞ୍ଚାଣିଆ ଆପତ୍ତି ଥିଲା ଜଲ୍‌ସାରେ ତଓୟାୟେଫ୍‌ଙ୍କ ନାଚ ବିଷୟରେ-

 

ତେଜନାରାୟଣ ଥିଲେ ସେକାଳର ସବୁକିଛି ଭାରୀ ଜିନିଷର ନିହାୟେତ୍ ସୌଖୀନ ଓ ସମଝ୍‌ଦାର । ତାଙ୍କ ମତରେ, ଘର କରିବ ତ ପଥରର କରିବ । ତା ଚେହେରା ହେବ ଦୁର୍ଗ ଭଳି । ଉଚ୍ଚ ହେବ କୁତବ୍‌ମିନାର ଭଳି । ନୁହେଁ ତ ଆଉ କଅଣ ? ସ୍ତ୍ରୀ ଲୋକଙ୍କ ବେକର ସୁନା କଣ୍ଠୀର ଗୋଟାଏ ଦାନା ହବ ଓଜନରେ ଛଟାକ୍‌ଭର୍ । ନାଚଓୟାଲୀଙ୍କ ପେଶୋୟାଜୀ ଘୁଙ୍ଗୁର ହବ ପାଞ୍ଚ ପାଞ୍ଚ ସେର ଓଜନର । ନୁହେଁ ତ ଆଉ କଅଣ ? ସେ କହନ୍ତି, ଗାନ ତ ଧୁର୍‌ପଦ୍-ଧାମାର ଆଉ ବିଲମ୍‌ପଦ୍ ଆସ୍ତାୟୀ । ଗୋଟାଏ ଗୋଟାଏ ଗାନ ଘଣ୍ଟାଏ ଘଣ୍ଟାଏର ମାମ୍‌ଲା, ନୁହେଁ ତ ଆଉ କଅଣ ?

 

ଗାଓୟାଇୟା ହବ ତ ଖାନ୍‌ଦାନୀ ଘରର । ଗଳା ଆବାଜ ହବ ତ ପଲ୍ଲାଦାର । ଗୋଟିଏ ଗାଁରେ ଗାନ ହେଉଚି ପାଖ ଗାଁର ଲୋକେ ଘରେ ବସି ଶୁଣିବେ, ନୁହେଁ ତ ଆଉ କଅଣ ? ସାଜ ତ ରବାବ୍‌ବୀଣ୍‌-ସୁରଶୃଙ୍ଗାର ଆଉ ପଖାଓଜ୍, ନୁହେଁ ତ ଆଉ କଅଣ ? ତେଜନାରାୟଣ ଥିଲେ ଯେତିକି ପ୍ରାଚୀନ ରିଓୟାଜ୍ (ରୀତି-ନୀତି) ର ସମର୍ଥକ ସେତିକି ଥିଲେ ପସନ୍ଦ୍ ନା-ପସନ୍ଦ୍‌ରେ ଦୃଢ଼ । ଯେମିତି ସରଳ, ସେମିତି ତେଜୀ । ମହାପ୍ରାଣ ଲୋକ ଥିଲେ ସେ । ମୁହଁରୁ ଥରେ ‘ନା’ ବାହାରିଚି ତ ଆଉ ‘ହଁ’ ହୋଇ ସେ ଫେରିଆସେ ନା ।

 

ତେଜନାରାୟଣଙ୍କ ମୁହଁରୁ ସେ ଜାତିର କଥା ବାହାରିଥିଲେ ସିଂଜୀ ଉସ୍‌କାଇ ଦିଅନ୍ତି- କମ୍‌ସେ କମ୍ ! କେଓଁ ତେଜନାରାୟଣଜୀ ! ଦିନେ ବୀଣାର ପ୍ରଶଂସା କରିବାକୁ ଯାଇ ତେଜନାରାୟଣ କହିଲେ- ଆହାଃ । ବୀଣାର ସାସ୍ ଔର୍ ଆଓୟାଜ୍ ଯେମିତି ବର୍‌ଖାର ଦୁର୍ଦୁର ଭଳି-। ସାଙ୍ଗେ ସାଙ୍ଗେ ସେତାର ବିଷୟରେ କହିଲେ– ଯେମିତି ଝିଣ୍ଟିକାର ଶବ୍ଦ, ବିଲ୍‌କୁଲ୍ ରୁଖାସୁଖା, ନା ଅଛି ତା ଭିତରେ ମାଲ୍‌, ନା ସାସ୍ (ସାସ୍‌ର ଅର୍ଥ-ସୁରର ରେଶ୍ ବା ଦମ୍) ।

 

ହକିମ୍‌ଜୀ ଉପସ୍ଥିତ ଥିଲେ । କିନ୍ତୁ ସେତାରର ବଦନାମଟି ସେ ହଜମ କରିନେଲେ । ନାନା କଥା ଭିତରେ ବିନ୍ଦାଦୀନ୍ କାଲ୍‌କାଦୀନ୍ ଘରର ନାଚ କଥା ଉଠିଲା । ସେ ନାଚର ପୁରାନା ତରିକା (ଢଙ୍ଗ, ଚାଲ୍) କଥା ବି ଉଠିଲା । ହଠାତ୍‌ ଖୁବ୍ ଗମ୍ଭୀରଭାବରେ ହକିମ୍‌ସାହେବ ତେଜନାରାୟଣଜୀଙ୍କୁ ପଚାରିଲେ : ତେଜନାରାୟଣଜୀ, ଧରନ୍ତୁ ଯଦି ହାତୀର ନାଚିବା ଦରକାର ପଡ଼େ ତେବେ ତା’ର ପେଶୋୟାଜୀ ପାୟେଲ କେତେ ଓଜନର ହେବା ଉଚିତ ? ମହଣେ କରି ନା ଦଶମହଣ କରି ? ତେଜନାରାୟଣଙ୍କ ଅଲକ୍ଷ୍ୟରେ ଆମଆଡ଼େ ଆଖି ଟିପିଲେ ।

 

ଆମେ ହସ ଚାପି ବସିଲୁଁ । ଦେଖିଲୁଁ ତେଜନାରାୟଣ କଅଣ ଅଙ୍କ କଷୁଛନ୍ତି । ମୁହଁରେ ଗୁଣୁଗୁଣୁ କରି ହିସାବ ଯୋଡ଼ି ତେଜନାରାୟଣ କହିଲେ : ନା ନା, ଦଶ ଦଶ ମହଣ ହେବା ଉଚିତ ! ସିଧା ହିସାବ ଏହାର ଅଛି—

 

କହିବାକୁ ଯାହା ଡେରି ହେଲା, । ସିଂଜୀ ପାଟି କରି ପଚାରିଲେ : କମ୍‌ସେ କମ୍‌ ! ଇୟେଭି ତୋ କହିୟେ ତେଜନାରାୟଣଜୀ !

 

ହସର ଜୁଆର ଘରେ ମାଡ଼ିଗଲା । ସେତେବେଳେ ଯାଇ ତେଜନାରାୟଣଙ୍କ ଚେତା ପଶିଲା । କିନ୍ତୁ ଏମିତି ସରଳିଆ ଲୋକ ସେ ! ଅପ୍ରସ୍ତୁତ ଟିକିଏ ବି ହେଲେ ନାହିଁ । କହିଲେ : ହଁ ହଁ, ବୁଝିପାରିଚି । ସେତାରର ନିନ୍ଦା କରିଥିଲି ବୋଲି ତ ହକିମସାହେବ ଫନ୍ଦବାଜୀ (ଚାତୁରୀ) କଲେ । କିଛି କ୍ଷତି ନାହିଁ । ଆଉ ସେତାର କଥା ନ କହିବି ଏବେ ! ହକିମସାହେବଙ୍କୁ ଆଦାବ୍ ଜଣାଇ ସେ ଅଳ୍ପ ହସିବାକୁ ଲାଗିଲେ ।

 

କି ସୁନ୍ଦର ଦିନ ସବୁ ନ ଯାଇଛି ! କେମିତି ଦିଲ୍‌ଦାର୍‌ ଲୋକସବୁ ଥିଲେ, ପାଁଚୁବାବୁ !

 

ତନ୍‌ନୁଲାଲଜୀ ନୀରବ ହେଲେ । ମୁଁ କହିଲି : କମ୍ ସେ କମ୍ ! କେଓଁ ତନ୍‌ନୁଲାଲଜୀ !

 

ଶୁଣି ସେ ହସି କହିଲେ : ହେଲା କିଛିଟା । ତେବେ ଅଭ୍ୟାସ କଲେ ଆହୁରି ଭଲ ହେବ-

 

ଉଠି ଛିଡ଼ା ହେଲେ ସେ । ମୋ ଆଡ଼କୁ ଚାହିଁ କହିଲେ : କେଜାଣି । ସେ ଦିନ ସବୁ ଯାଇଛି ସତ, ହେଲେ ସେ ମଣିଷସବୁ ତ ଅନ୍ୟରୂପ ନେଇ ଜନମୁଛନ୍ତି । ଦୁଃଖ କରିବାର କିଛି ନାହିଁ-

 

ଅବଶ୍ୟ ଗାନା-ବଜାନା ଓ ନାଚର ଯଥାର୍ଥ ସମଝଦାର୍ ଥିଲେ ତେଜନାରାୟଣ । ଠିକ୍ ସେଇଥିପାଇଁ ଭାୟା ସାହେବ ତାଙ୍କୁ ଖାତିର କରୁଥିଲେ । ଖାତିର କରୁଥିଲେ ତାଙ୍କୁ ମହମ୍ମଦ ଆଲି ଖାଁ ରବାଦିୟା, ବନ୍ଦେ ଆଲି ଖାଁ ବୀଣ୍‌କାର୍ ଓ ଆଗ୍ରାର ଆବ୍‍ବାସ୍‌ ଖାଁ ସାହେବ । ତେଜନାରାୟଣଙ୍କ ମନଲାଖି ଚିଜ କହିଲେ ଆମେ ବୁଝନ୍ତୁ– ପୁରାନା ଘରାନାର ଲିହାଜ୍‌-ମିଜାଜ୍‌ ତର୍‌କାରୀ (ବସ୍ତୁର ରୂପ) ଦ୍ୱାରା ତାଲାବନ୍ଦ ଗୋଦାମର ଚିଜ ।

 

ତେଜନାରାୟଣ କହିଲେ : ବୁଲ୍‌ବୁଲ୍‌ ଲଢ଼ାଇ ଆଉ ଭଲ ଲାଗେନା । ବରଞ୍ଚ ଧୁରପଦ୍‌ ଧାମାର ଜଲ୍‌ସା ହେଲେ ଭଲ ହୁଅନ୍ତା । ତାଙ୍କ ପସନ୍ଦମୁତାବକ ମାର୍ ବା କାହିଁ ? କିନ୍ତୁ ତାଙ୍କ ନାପସନ୍ଦକୁ ବି ଅମାନ୍ୟ କରିବା ସାହସ ହେଲା ନାହିଁ ସିଂଜୀଙ୍କର । କାରଣ ତେଜନାରାୟଣ ହେଲେ ମୁଖ୍ୟ ଅତିଥି । ଫଳରେ ଗଳ୍ପମଜ୍‌ଲିସ୍‌ରେ ମନ ଦେବା ଛଡ଼ା ଆଉ କିଛି କାମ ରହିଲା ନାହିଁ-

 

ଏତିକିବେଳେ ଖବର ଆସିଲା, ଆଗ୍ରାଓୟାଲୀ ମାଲ୍‌କା ଓ ତାଙ୍କ ମା ଦିଲ୍ଲୀ ଆସିଛନ୍ତି । ଆହୁରି ମଧ୍ୟ ଫୈୟାଜ୍ ଖାଁ ଆସିଛନ୍ତି, ଗୋଲାମ ଆବ୍‌ବାସ୍‌ଙ୍କ ନାତି, ସେଇ ଘରର ଉଦୀୟମାନ ଗାଓୟାଇୟା । ଫୈୟାଜ୍ ଖାଁ ସେତେବେଳେ ଜଓ୍ୱାନ୍ ପଠ୍‌ଠା (ତରୁଣ ପହିଲୁମାନ) । ତେଜୀ ମିଜାଜ୍‌ରେ ନିଜ ଭିତରେ ନିଜେ ମସ୍ତ୍ ହୋଇ ବୁଲୁଥାନ୍ତି । ଏକଥା ଆମକୁ ମାଲୁମ ଥିଲା । ଶ୍ୟାମଲାଲ ବସୁ ପକ୍‌କା ଖବର ରଖନ୍ତି । ଆଉ ଶୁଣା କଥାକୁ ଧପାଲି ଯାଇ ସାକ୍ଷାତ କରିବା ଉତ୍ସାହଟା ତାଙ୍କର ଚିରକାଳ ଥିଲା ।

 

ତେଜନାରାୟଣଙ୍କ ପାଖରୁ ଖବର ପାଇଲି । ବର୍ଷକ ଆଗେ ବୋମ୍ୱାଇରେ ବଡ଼ ବଡ଼ କଳାବନ୍ତଙ୍କ ମଇଫିଲ୍‌ରେ ଏହି ନଓଜଓୟାନ୍ ଫୈୟାଜ୍ ଧ୍ରୁପଦ-ଧାମାର-ବିଲ୍‌ମ୍‌ପଦ୍‌ ଓ ଆଳାପ ଶୁଣାଇ ଖୁବ୍ ନାଁ ଓ ଇଜ୍ଜତ ହାସଲ କରିଛନ୍ତି । ତେଜନାରାୟଣ ନିଜେ ତାଙ୍କ ଗାନ ଶୁଣି ମୁଗ୍‌ଧ ହୋଇଛନ୍ତି । ଆଉ ଆଗ୍ରାଓୟାଲୀ ମାଲ୍‌କା ନବୀନ ବୟସରେ ବି ଆବ୍‌ବାସ୍‌ ଖାଁ ଘରର ଓଜନ୍‌ଦାର୍‌ ଧାମାର, ବିଲମ୍‌ପଦ୍‌ ଓ ଖେୟାଲରେ ପକ୍‌କା ତାଲିମ୍‌ ନେଇଛନ୍ତି । କଦର୍‌ଦାନ୍ ଲୋକେ ତାଙ୍କ ନାଁ ସଙ୍ଗ ଆଗ୍ରଓୟାଲୀ ବୋଲି ଖାସ୍‌ ପହେଚାନ୍ (ବିଶେଷ ପରିଚୟ) ଯୋଡ଼ି ଦେଇଥାନ୍ତି । ତା’ ଉପରେ ପୁଣି ଠୁମ୍‌ରୀ ଗଜଲ୍‌ର ରଙ୍ଗୀଲା ଗାନ ବି ଶିଖିଛନ୍ତି । ତା’ ନ ହେଲେ ତଓୟାୟେଫ୍‌ଙ୍କ ଭିତରେ ଗଣ୍ୟ ହେବେ ନାହିଁ—ଇତ୍ୟାଦି ଇତ୍ୟାଦି କଥା ତେଜନାରାୟଣ ଆମ ଆଗରେ ବୟାନ କଲେ ।

 

ସିଂଜୀ କହିଲେ : ହାଁ ହାଁ, କମ୍‌ସେ କମ୍ । ତୋ ମାଲ୍‌କାଜାନ୍‌କୁ ଗୋଟିଏ ମୁଜ୍‌ରା (ନାଚ-ଗାନ ପରୀକ୍ଷା ମଜ୍‌ଲିସ୍) ଦେଇ ହିମାୟେତ୍ (ପୋଷକତା) କରାଯାଉ । ନା, କଅଣ କହୁଛନ୍ତି ତେଜନାରାୟଣଜୀ ? ଫୈୟାଜ୍‌ ଖାଁଙ୍କ ଜଲ୍‌ସା ପରେ ହେଉ, ଅଲଗା କରି !

 

ଆଗ୍ରାଓୟାଲୀ ମା’ଙ୍କ ସହିତ ତେଜନାରାୟଣ ପରିଚିତ । ଆବ୍‌ବାସ୍‌ ଖାଁ ସାହେବ, ତାଙ୍କ ଘରର ବିଦ୍ୟା ଓ ଚାଲି-ଚଳଣ ତେଜନାରାୟଣଙ୍କ ଭାରି ପସନ୍ଦ । ତେଜନାରାୟଣ ଖୁସିରେ ରାଜି ହେଲେ । ବିଶେଷକରି ନୂତନ ବିଦ୍ୟାଧାରୀ କନ୍ୟାଟିକୁ ସମାଜର ସମଝଦାରମାନଙ୍କ ମଧ୍ୟରେ ଜାହିର୍‍ କରିବା ସବୁଦିଗରୁ ଶୋଭନ ମଧ୍ୟ ହେବ । ଫୈୟାଜ୍ ଖାଁଙ୍କ ନାମଓୟାରି (ଖ୍ୟାତି) ବେଶି । ତାଙ୍କ ଗାନ୍‍ ପରେ ହେଲେ ଭଲ । ଶ୍ୟାମଲାଲ୍‍ଙ୍କର ବି ଇଚ୍ଛା– ମାଲ୍‌କାଙ୍କ ଗାନ୍‍ ଆଗେ ହେଉ, ଅନ୍ତତଃ ଗୋଟାଏ ରାତି ପାଇଁ । ତେବେ ସେ ରାତିରେ ଖାଲି ମାଲ୍‌କାଙ୍କ ଗାନ୍‍, ଆଉ କାହାରି ନୁହେଁ ।

 

ଅବଶ୍ୟ ସେ ଜଲ୍‌ସାକୁ ଆଉ ଦୁଇ ଚାରି ଜଣ ବାଈଜୀଙ୍କୁ ନିମନ୍ତ୍ରଣ କରାଗଲା । ତେଜନାରାୟଣ ନିଜେ କହିଲେ, ଅନ୍ୟମାନେ ଏଇ ବେ-ନଜୀର, ମାଲ୍‌ଦାର୍‌ ଚିକ୍ ଶୁଣନ୍ତୁ । ତାଙ୍କ ଆଖିକନା ଖୋଲିଯିବ । ଫୈୟାଜଙ୍କୁ ବିଶେଷ ନିମନ୍ତ୍ରଣ ପଠାଇଲେ ତେଜନାରାୟଣଜୀ । ସିଂଜୀ ବିଶେଷକରି ନିମନ୍ତ୍ରଣ କଲେ ଗହର୍‌ ଓ ତାଙ୍କ ମା’ଙ୍କୁ । ଗହର୍‌ଙ୍କର ସେତେବେଳେ ଏତେ ନାଁ ଡାକ ଯେ ବଡ଼ଘରର ଜଲ୍‌ସାକୁ ତାଙ୍କୁ ନିମନ୍ତ୍ରଣ ନ କଲେ ସେ ଜଲ୍‌ସାରେହିଁ ବଦନାମ ।

 

ମଜ୍‌ଲିସ୍‌ରେ ମାଲ୍‌କା ଗାନ ଆରମ୍ଭ କଲେ ସକାଳର ଗମ୍ଭୀର କାଇଦାରେ ତମ୍ୱୁରା କୋଳରେ ନେଇ । ତାଙ୍କ ଦୁଇ କଡ଼େ ବସିଲେ ଦୁଇଜଣ ସାରେଙ୍ଗୀୟା । ପଛରେ ତବଲ୍‌ଚି । ଆଗ୍ରା-ଦିଲ୍ଲୀର ସାରଙ୍ଗୀ ଓ ଲକ୍ଷ୍ନୌ ତବଲାର ବାଜ୍‌ ! ୟାଙ୍କ ସରି ଆଉ କାହାରିକୁ ଆଜିପର୍ଯ୍ୟନ୍ତ ଦେଖିନାହିଁ । ମାଲ୍‌କା ଆରମ୍ଭ କଲେ ଧାମାର–

 

ବାଧାଦେଇ ମୁଁ ପଚାରିଲି : ମାଲ୍‌କା ଗାଇଲେ ତମ୍ୱୁରା ଦେଇ ! ତା ପୁଣି ଧାମାର !

 

ତନ୍‌ନୁଲାଲଜୀ କହିଲେ : ହାଁ ଜୀ ହାଁ (ସେକାଳର ଶ୍ରେଷ୍ଠ ବାଈଜୀମାନେ ସେ ପ୍ରକାର ଗାନ ତ ଶିଖୁଥିଲେ ନିଶ୍ଚୟ । ଏମିତି କି, ଆସରରେ ଖଣ୍ଡେ ଦିଖଣ୍ଡ ଧ୍ରୁପଦଧାମାର ବି ଗାଉଥିଲେ । କିଛି ନ ହେଲେ, ବାଦ୍‌ଶାହୀ ଅମଳର ଇଜ୍ଜତରଖା ସେଲାମ ଭଳି ।) କାହିଁକି ? ଆପଣ କଅଣ ଭୁଲିଗଲେ ? ଏଇ ସେଦିନ ତ ଚୌଧୁରାନ୍ ବାଈ ଧାମାରରେ ନାଚ ଦେଖାଇଲେ । ଆପଣ ତ ନିଜେ ଦେଖିଛନ୍ତି ।

 

ସତ କଥା । ଓଲ୍‌ଡ଼୍‌ ବାଲିଗଞ୍ଜ ଅଞ୍ଚଳରେ ମଲ୍ଲିକଙ୍କ ବାଗନବାଡ଼ୀରେ ନୃତ୍ୟପଟ୍ଟୀୟସୀ ଚୌଧୁରାନ୍ ବାଈଙ୍କ ନାଚ ଦେଖିଥିଲି । ସ ନାଚ ଥିଲା ଧାମାରର ଲହରା ସହିତ ବନ୍ଧା । ତା ବିଷୟ ଥିଲା ହୋଲିର ଉଲ୍ଲାସ । ସଙ୍ଗତ କରିଥିଲେ ସ୍ୱୟଂ ଆବେଦ୍ ହୁସେନ ଖାଁ ସାହେବ । କାଶୀର ବୀରୁ ମିଶ୍ରଙ୍କୁ ଧାମାରର ‘ଉଠାନ୍’ (ଆରମ୍ଭିକ ପ୍ରବନ୍ଧ ବିଶେଷ) ଶିଖାଇଥିଲେ ଆବେଦ୍‌ ହୁସେନ୍ ଖାଁ । କଲିକତାର ବୀରୁ ଗାଙ୍ଗୁଲିକୁ ବି ଶିଖାଇଥିଲେ ପରେ । ଏମାନଙ୍କ ପରିଚୟ ଅନାବଶ୍ୟକ । ଦି’ଜଣଯାକ କଳସୀ, କେହି ଊଣା ନୁହେଁ, କେହି ଖାଲି ନୁହେଁ । ନାଟୋର୍‌ ମହାରାଜାଙ୍କ ଘରେ ବିଶେଷକରି ବୀରୁ ପାଇଁ ଥରେ ଜଲ୍‌ସା ଆୟୋଜିତ ହୋଇଥିଲା । ଫର୍‌ମାଇସ୍‌ କରି ଶୁଣିଥିଲି ସେଇ ଧାମାରର ବିଚିତ୍ର ଉପୋଦ୍‌ଘାତ ଓ ଲହରୀଲୀଳା । ଆଉ ବୀରୁଭାଇ ପାଖରୁ ଶୁଣିଥିଲି ପରେ । କିନ୍ତୁ ଯିଏ ଧାମାର ନାଚି ନାଁ କିଣିପାରେ ଏମିତି କାହାକୁ ଆଖିରେ ଦେଖି ନାହିଁ । ଚୌଧୁରାନ୍‌ଙ୍କ ନାଚ ପ୍ରଥମେ ଦେଖିଥିଲି ୧୯୧୪ ସାଲରେ । ସେତେବେଳେ ସେ ବୟସରେ ଶ୍ୟାମଲାଲଜୀଙ୍କ ସମାନ, ହେଲେ ଟିକିଏ ବଡ଼ ବି ହୋଇପାରନ୍ତି । ଚୌଧୁରାନ୍‌ଙ୍କ ତିରୋଧାନ ପରେ ପରେ ଯଦି ଧାମାରର ନାଚ କିମ୍ୱଦନ୍ତୀ ପର୍ଯ୍ୟାୟକୁ ଯାଇଥାଏ ତେବେ ଏଇ କ୍ଷଣିକ ସ୍ମୃତି ଦେଇ ତାକୁ ବିଦାୟୀ ନମସ୍କାର ଜଣାଉଚି ।

 

ତନ୍‌ନୁଲାଲଜୀ କହିଚାଲିଲେ– ଯଦି ଚୌଧୁରାନ୍‌ ପକ୍ଷରେ ଧାମାରର ନାଚ ସମ୍ଭବ ହେଲା, ତେବେ କୋଡ଼ିଏ ବାଇଶ ବର୍ଷ ବୟସରେ ମାଲ୍‌କା ପକ୍ଷରେ ଧାମାର ଗାଇବା ଆଶ୍ଚର୍ଯ୍ୟ କଅଣ ? ଆପଣ କଅଣ ମନେକରନ୍ତି ସ୍ତ୍ରୀଲୋକ ପକ୍ଷରେ ନାଚ ସହଜ, ଆଉ ଗାନ କଠିନ ?

 

ମୁଁ କହିଲି : ନା, ତା ନୁହେଁ । ତେବେ ଧାମାର ଓ ତମ୍ୱୁରା ବାଟ ମାଲ୍‌କା ଛାଡ଼ିଲେ କାହିଁକି ?

 

ସେ କହିଲେ : ତା’ର କାରଣ ଅଲଗା । ସେ କଥା ଆଉ ଦିନେ ହବ, ମାଲ୍‌କା ସାମ୍‍ନାରେ । ଏତେ ତରବର ହେଲେ ଚଳିବ ନାହିଁ ।

 

ମୁଁ କହିଲି : ଆଚ୍ଛା ଆଚ୍ଛା, ହେଲା । କୁହନ୍ତୁ ଏଥର ।

 

ତନ୍‌ନୁଲାଲଜୀ କହିଚାଲିଲେ ପୁଣି–

 

ସୁରେଲା ମାର୍ଜିତ ଗଳା । ତା ଉପରେ ପୁଣି ହାରମୋନିୟମର ବାଁଟ୍‌, ଆଉ ଢୋଁଡନ୍‌, ପୁଣି ମୋଢ଼ନ୍ ଆଉ ଲଚାଓ । ମାଲ୍‌କାର ଗାନ୍‍ ଓ ତାଲିମ ଆମକୁ ଖୁବ୍ ଭଲ ଲାଗିଥିଲା । ପରେ ପରେ ଦୁଇଖଣ୍ଡ ଧାମାର ଗାଇ ଭଲକରି ସୁର ଜମେଇଦେଇ ମାଲ୍‌କା ଧରିଲେ ‘ଗାରା’ର ବିଲମ୍‌ପାଦ୍ । ଯଦି ଗଳାରେ ସୁର କାୟେମ ଅବିଚଳିତ ଥାଏ ଆଉ ମାର୍ଜିତ ବାଢ଼ତ୍‌-ବହଲାଓବା (ରାଗ ବିସ୍ତାର କାଇଦା)ର ପରିପାଟି ଥାଏ ତା’ହେଲେ ବିଲମ୍‌ପାଦ୍‌ ଅସ୍ଥାୟୀ ଦେଇ ଏକପ୍ରକାର ଧ୍ୟାନ ତିଆରି ହୋଇଯାଏ । ଆପଣ ତ ମାଲ୍‌କାର ବର୍ତ୍ତମାନ ଅବସ୍ଥାର ଗାନ ଶୁଣିଛନ୍ତି । ବର୍ତ୍ତମାନ ତ ତା’ ଗାନରେ ପୂରା ସୌନ୍ଦର୍ଯ୍ୟ ଖୋଲିଯାଇଛି । ଆଗବେଳର ଗାନ ଶୁଣି ମୋର ଓ ଶ୍ୟାମଲାଲ୍‍ର ମନେହୋଇଥିଲା, ଗାୟକୀ ଗୁଣରେ ଲତାଟି ଯେତେଦୂର ସମ୍ଭବ ତିଆରି ହୋଇଚି ଓ ଲଟେଇଚି, ବାକି ଅଛି ଖାଲି ଫୁଲ ଫୁଟିବାର ଚମକ୍‌ଦାରି । ଯାହାକୁ କହନ୍ତି ଗାନର ‘ଚମକ’ ସେଥିରୁ କିଛି ଊଣା ଅଛି, ଆମେ ବୁଝିଥିଲୁ । ଚମକ ଜିନିସଟି ଅନୁଭବ କରିବା କଥା । କଥାରେ ବୁଝେଇହେବ ନାହିଁ ତାକୁ । ଗୁଣୀର ମନର ଅନ୍ଦର ମହଲରେ ଯେତେବେଳେ ନିଆଁର ଖେଳ ଚାଲିଥାଏ ସେତେବେଳେ ସେଇ ରୋଶ୍‌ନିର ଝଲକ ପ୍ରକାଶ ପାଏ ଗାନରେ, ଗାୟକୀରେ । ମେଘ ଗର୍ଭରେ ବିଦ୍ୟୁତ୍‌ କହିପାରନ୍ତି । ବାହାର ଘନଘଟାର ଫାଙ୍କେ ଫାଙ୍କେ ବିଜୁଳିର ଝଲକ । ନ ଦେଖିଲେ ବୁଝିହୁଏନା । ଗାୟକୀ ଗୁଣ ଯୋଗୁହିଁ ମାଲ୍‌କାର ଗାନ ଜମିଲା । ତେଜନାରାୟଣର ଆନନ୍ଦ ସମଝଦାରର ଆନନ୍ଦ ହୁଏତ । ତାସହିତ ମିଶିଥିଲା କିଛି ସ୍ନେହ, ହୁଏତ କିଛି ଆତ୍ମପ୍ରସାଦ ବି-। ଆମେ ବି ଖୁବ୍ ଆନନ୍ଦିତ ହୋଇଥିଲୁଁ । ତାରିଫ୍‌ କରିବାକୁ କସୁର୍‌ କରି ନ ଥିଲୁ-। ପାଁଚୁବାବୁ, ସେତେବେଳେ ଗାନ ଶୁଣିବା ପରେ ତାରିଫ କରୁଥିଲୁଁ । କିନ୍ତୁ ବର୍ତ୍ତମାନ ଗାନ ଶୁଣିବାପାଇଁ ଆଗରୁ ତାରିଫ କରିବା ଦରକାର ପଡ଼ୁଛି ! ବୁଝନ୍ତୁ ବ୍ୟାପାରଟା !

 

ପରେ ମାଲ୍‌କା ଦୁଇଟି ଠୁମ୍‌ରୀ ଗାଇଥିଲେ । ରଙ୍ଗୀଲା କିନ୍ତୁ ହାଲୁକା ପୁରାନା ଢାଞ୍ଚାର ଠୁମ୍‌ରୀ ମୋତେ ଭଲ ଲାଗେ ନାହିଁ । ମାଲ୍‌କା ପକ୍ଷରେ ନ ଗାଇ ବି ଉପାୟ ନଥିଲା । କାରଣ, ତଓୟାୟେଫ୍ ବୋଲି ତ କିଛି ପରିଚୟ ଦେବାକୁହିଁ ହେବ । ଯାହାହେଉ, ମାଲ୍‌କା ପୁଣି ଜମେଇଦଲେ ପରେ ପରେ ଦୁଇଟି ଓଜନିୟା ଗଜଲ୍‌ ଗାଇ । ଗଜଲ୍‌ ଜିନିସଟା ଖୁବ୍ ଅଜବ୍‌ । ଭଲ ଗାୟକ ଗଳାରେ ବାରମ୍ୱାର ପୋଡ଼ା ଖାଇ ଖାଇ ଯେତେ ପୁରୁଣା ହେଉଥାଏ ତେତେ ତା’ର ସ୍ୱାଦ ପକ୍‌କା ହୁଏ । ଆଉ ତା’ର ଅମ୍ଳରସ ଓ ଉଗ୍ରତା ମରିଯାଇଥାଏ କେବଳ ତେଜ୍‌ (ଜ୍ୟୋତି) ଓ ତାବିଶ୍‌ (ତାପ) ଓ ମିଠାର (ମିଷ୍ଟତା) । ତା ଉପରେ ସେଇ ଚିଜ ଦନି ନୂତନ ଗଳାରୁ ସୁର ଓ ମିଜାଜ୍ ନେଇ ବାହାରିଆସେ ତବେ ତ ଜାଣ କମାଲ ହେଲା । ଆମେ ତ ଶୁଣି ଶୁଣି ବୁଢ଼ା ହୋଇଗଲୁ । ନୂଆ ଗଜଲ୍‌ର ଅମ୍ଳତା, ଉଗ୍ରତା ଓ ଫେଣ ଆମକୁ ସେମିତି ଭଲ ଲାଗେନା । ତେବେ ଜାଣନ୍ତୁ ଯେ, ଅସଲ କଥା ହେଉଚି ମାଲ୍‌ ଭଲ ଥିବା ଦରକାର । ତା ନ ହେଲେ, ଗଜଲ୍ ଭଳି ହାଲୁକା ଚିଜ ଯେତେ ପୁରୁଣା ହେଉଥିବ ତେତେ ତା’ର ସ୍ୱାଦ ହେବ ଖାରିଆ ପାଣି ଭଳି, ଆଉ ଉଗ୍ରତା ହେବ ଶିର୍କା ଭଳି । ମେଜାଜୀ ସମଝ୍‌ଦାର ଲୋକଙ୍କ ପତରରେ ଦେବାଯୋଗ୍ୟ ହବ ନାହିଁ,ଏଇ ଯାହା ।

 

ଗଜଲ୍‌ ଗାଇ ମାଲକା ଆସରର ମିଜାଜ୍‌ ବଦଳାଇଦେଲେ । ତବିୟତ୍‌ ଖୁସ୍ କରିଦେଲେ, ସବୁଦିଗରୁ । ଠୁମ୍‌ରୀରେ ଯାହା କିଛି ଊଣା ପଡ଼ିଥିଲା ସବୁ ଆଦାୟ କରିନେଲେ । ତାରିଫ୍‌ ମଧ୍ୟ ଅସୁଲ କଲେ ଯଥେଷ୍ଟ । ତେଜନାରାୟଣ ମୂଳରୁ ଶେଷଯାଏ ଖୁସୀ । ଠୁମ୍‌ରୀ ନ ମଜିଲା ତ କଅଣ ହେଲା ! ଆମ ପାଖରେ ସବୁ ଭଲ, ଧାମରଠାରୁ ଗଜଲ୍‌ ପର୍ଯ୍ୟନ୍ତ । ମାଲ୍‌କା ଆରମ୍ଭ କରିଥିଲେ ସନ୍ଧ୍ୟାର ଟିକିଏ ପରେ । ତାଙ୍କର ରହଣି ଯେତେବେଳେ ହେଲା ସେତେବେଳେ ରାତି ପ୍ରାୟ ସାଢ଼େ ଏଗାର ହେବ । ବୁଝିପାରିଲୁ, ତାଙ୍କ ଦମ୍ ତିଆରି ହୋଇଗଲାଣି ।

 

ବ୍ୟାପାର ଏଇଠି ଶେଷ ହୋଇପାରନ୍ତା । କିନ୍ତୁ ହୋଇ ନ ଥିଲା । ସମସ୍ତେ ଖୁସୀ । କିନ୍ତୁ ଗହରଙ୍କ ମା ଖୁସୀ ହୋଇପାରିଲେ ନାହିଁ । ସିଂଜୀଙ୍କ ଅନ୍ୟ ଇୟାର୍‌ମାନଙ୍କ ସହିତ ଫୁସ୍ ଫୁସ୍‌ ହୋଇ ସେ ଗୋଟାଏ ମତଲବ ସଜାଡ଼ୁଥିଲେ– ଗହରକୁ ଲଢ଼େଇ ଦେଲେ ଭାରି ମଜା ହୁଅନ୍ତା ! ଇୟାର୍‌ମାନେ ସିଂଜୀକୁ ଧରିଲେ, ଗହର୍‌ର ଗାନ ନହେଲେ ଚଳିବ ନାହିଁ । ତମାସା କରିବାପାଇଁ ସିଂଜୀ ନରକକୁ ଯିବାକୁ ବି ରାଜି । ଏ ତ ସାମାନ୍ୟ କଥା । ମାଲ୍‌କାର ଗାନ ଶେଷ ନ ହେଉଣୁ ଏ ମତଲବ ଆରମ୍ଭ ହୋଇଯାଇଥିଲା । ଅବଶ୍ୟ ସେଭଳି ମଜ୍‌ଲିସ୍‌ରେ ଏତେ ଶୀଘ୍ର କେହି ହାଇ ମାରନ୍ତି ନାହିଁ । ଗାନ ଶେଷ ହେବା ମାତ୍ରେ ଦଙ୍ଗଲୀ ସଭ୍ୟସବୁ କହିବାକୁ ଲାଗିଲେ, ଗହର୍‌ଙ୍କ ଗାନ ହେଉ ଏଥର । ଜଲ୍‌ସାର ମସ୍‌ରୁର (ଉତ୍ସବ) ତ ମାଲ୍‌କା ଆରମ୍ଭ କରିଦେଲେ ମାତ୍ର !

 

ଏ ବିଷୟରେ ଶ୍ୟାମଲାଲଙ୍କ କିଞ୍ଚିତ ଅମତ ଥିଲା । କିନ୍ତୁ ତେଜନାରାୟଣଜୀ ତାହା ସମାଧାନ କରିଦେଲେ । ସେ କହିଲେ– ଗହର୍‌ ବି ତ ଧାମାର ବିଲମ୍‌ପଦ୍‌ ଗାଇବେ । ତାଙ୍କ ଗାନ ଶୁଣିଲେ କ୍ଷତି କଅଣ !

 

ଯାହାହେଉ, ମନା କରିଦେବା ଭଳି ଅଶିଷ୍ଟତା ତେଜନାରାୟଣଜୀଙ୍କର ନ ଥିଲା । ଗହର୍ ତ ସର୍ବଦା ପ୍ରସ୍ତୁତ । ମାଲ୍‌କାର ସାଥ୍ ସଙ୍ଗତୀମାନେ ସଙ୍ଗତ୍‌ କରିବେ ? କରନ୍ତୁ ନା । ଗହର୍‌ଙ୍କ ତିଳେ ହେଲେ ଦୁଶ୍ଚିନ୍ତା ନାହିଁ । ବରଞ୍ଚ ଗହର୍‌ଙ୍କ ସହିତ ଯେ ସଙ୍ଗତ୍‌ କରିପାରିଛନ୍ତି ସେଇଟା ହିଁ ହେବ ସେମାନଙ୍କ ପକ୍ଷରେ କହିବୁଲିବା ଭଳି କଥା ।

 

ଗହର ପ୍ରଥମେ ଗୋଟିଏ ବାଣ ଛାଡ଼ିଲେ– ଛିଡ଼ା ହୋଇ ଗୋଟିଏ ଦରବାରୀ ରାଗର ତେରାନା ଗାଇ ନାଚିଲେ ।

 

ମୁଁ ବିସ୍ମିତ ହୋଇ ସିଧା ବାଧା ଦିଅନ୍ତେ ତନ୍‌ନୁଲାଲଜୀ କହିଲେ : ଶୁଣିବେ, ଶୁଣିବେ । ଅନ୍ତତଃ ହୁସ୍‌ନା, ବିଦ୍ୟାଧରୀ, ଆଉ ଗହର୍‌ ଯଦି ବଞ୍ଚିବର୍ତ୍ତି ଥାନ୍ତି, ଆଉ ଆପଣଙ୍କ ଭାଗ୍ୟର ଜୋର୍ ଥାଏ, ତେରାନାର ନାଚ ବି ଦେଖିବେ । ଆଉ ତାନ୍ ବି ଶୁଣିବେ ସବୁ ସମ୍ଭବ । ଆଉ ଭଲ ବି ଲାଗେ, ଯଦି ସେମିତି ଗୁଣୀ ହୋଇଥାଏ ଓ ହିମ୍‌ମତ୍ ଥାଏ ।

 

କହିବା ଦରକାର ମନେକରୁଛି ଯେ ସେ ତିନିଜଣ ବଞ୍ଚିଥିବା ଅବସ୍ଥାରେ ମୋର ସେ ସୌଭାଗ୍ୟ ହୋଇଥିଲା । ଏ ଆଚମ୍ୱିତ କଥା ସମ୍ଭବ କି ନା ଯେଉଁଦିନ ବଦଲ୍‌ ଖାଁ ସାହେବଙ୍କୁ ପଚାରିଲି ଏବଂ ସେଭଳି ଦୁଇଖଣ୍ଡ ତେରାନା ଶୁଣାଇଦେଲେ, ସେଇଦିନ ତନ୍‌ନୁଲାଲଜୀଙ୍କ କଥା ଉପରେ ନିର୍ଭର କରିବାକୁ ଶିଖିଲି ।

 

ତନ୍‌ନୁଲାଲଜୀ କହି ଚାଲିଲେ–

 

ସେଇ ଗୋଟିଏ ତେରାନାରେ ଗହର୍‌ ମଇଫିଲ୍‌ର ଆଖିକାନ ନୂଆକରି ପଜେଇଦେଲେ-। ଅବସ୍ଥାଟା ଥରେ ଭାବି ଦେଖନ୍ତୁ, ସେଇ ଚମକ, ସେଇ ବିଜୁଳିର ଖେଳ, ଯାହା ଥିଲା ମୃତ ଗାନ ବି ଗୁଣୀଗଳାରେ ଜିନ୍ଦା ତାଜା ହୋଇ ପ୍ରକାଶ ପାଏ ! ତା’ପରେ ଆସରର ମନ ଜୟ କରିବାକୁ ଯାହା ବା ଟିକିଏ ବାକି ଥିଲା, ଭାଇୟାସାହେବ ଘରର ଠୁମ୍‌ରୀ ଗାଇ ଓ ବେ-ନଜୀର୍‌ ଭାଓ (ଆଖି ମୁଖର ଭାବ) ବତେଇ ସେ ଟିକିକ ‘ଗୋଟିଏ ଥାବା ମାରି’ କାଢ଼ି ନେଲେ । ଏକାଳର ଗହର୍‌ଙ୍କ ଭାଓ ‘ବତାନ’ ଦେଖିଛନ୍ତି ତ ? ଅନୁମାନ କରନ୍ତୁ ତା’ର ଜଓୟାନିର ଆଲସ୍ (କାଳୋଚିତ ରୂପଲାବଣ୍ୟ) ! ହୃଦୟଙ୍ଗମ କରିପାରିବେ କି ନା ଜାଣେନା । ତେବେ କଳ୍ପନା କରିପାରିବେ ନିଶ୍ଚୟ-। ଶିକାରୀ ଚିତା ଦେଖିଛନ୍ତି ? ଦେଖିନାହାନ୍ତି । ତା’ହେଲେ ଆଉ କଅଣ କହିବି ! ପ୍ରକୃତରେ, ଚିତାର ବଳ, ତେଜ ଓ ଚତୁରାଇ ଦେଇ ଭଗବାନ ଗହର୍‌କୁ ଚଢ଼ିଥିଲେ । ଆଗ୍ରାଓୟାଲୀ ସିନା ଖାଲି ଥଟ୍ଟାରେ କହିଥିଲେ ‘ଗହର୍‌ ବାଘନି’, କିନ୍ତୁ ସତ କଥାହିଁ ସେ କହିଥିଲେ ।

 

ସେ ଜଲ୍‌ସା ବ୍ୟାପାର ବିଷୟରେ ପରେ ଆମ ଭିତରେ ଅନେକ ଆଲୋଚନା ହୋଇଥିଲା । ତେଜନାରାୟଣ ନିଜେ ସ୍ୱୀକାର କରିଥିଲେ, ତଓୟାୟେଫଙ୍କ ଭିତରେ ଗହର୍‌ଙ୍କ ଭଳି କାହାରି ଚମକ ନାହିଁ । ଆଉ ଧନ୍ୟ ତା’ ବୁଦ୍ଧି ! ଆଗ୍ରାଓୟାଲୀ ସେଦିନ ନାଚର କାଇଦା ଦେଖାଇ ନଥିଲେ, ତେରାନା ବି ଗାଇ ନ ଥିଲେ, ତା’ର ଭାଓ ବି ବତେଇ ନ ଥିଲେ । ଠିକ୍‌ ଏଇ ତିନୋଟି କସୁର୍‌ (ଅଭାବ) ପୂରଣ କରି ଗହର୍‌ ମାରିଲେ ଚୋଟ । ସେଇଥିରେ ମଇଫିଲ୍ ଘାୟେଲ୍‌ । ମାଲ୍‌କାଙ୍କ ରଙ୍ଗ ବିଗିଡ଼ିଗଲା । ଠୁମ୍‌ରୀ ପରେ ଗହର୍‌ ଯେତେବେଳେ ଗଜଲ ଓ ଦାଦରା ଚଳେଇଲେ, ସେତେବେଳେ ହେଲା ମଡ଼ା ଉପରେ ଖଣ୍ଡା ଚୋଟ !

 

ଗହର୍‌ଙ୍କ ଗାନ ଶୁଣି ମାଲ୍‌କାଙ୍କ ମା ମୁହଁ ହାଣ୍ଡି କରି ବସିଥିଲେ । ମଝିରେ ମଝିରେ ଝିଅର ମୁହଁ ଅବସ୍ଥା ଲକ୍ଷ୍ୟ କରୁଥିଲେ । ମୁଁ କିନ୍ତୁ ନଜର କରି ଦେଖିଲି, ଗହର୍‌ଙ୍କ ଗାନର ଲୁତ୍‌ଫ୍‌ (ଆନନ୍ଦ) ଓ ଦର୍ଦହିଁ ମାଲ୍‌କାଙ୍କ ଆଖି ମୁହଁରେ । ଯେମିତି ପରିଷ୍କାର ଆଇନାରେ ଚେହେରା ଆହୁରି ପରିଷ୍କାର ଦିଶେ । ଆରେ ପାଁଚୁବାବୁ ! ଗାନାବଜାନା ଔର୍‌ ନାଚ– ଏସବୁରୁ ଆନନ୍ଦ ପାଇବାକୁ ହେଲେ ଆଖି ବନ୍ଦ କରି ବସିଲେ ତ ଚଳିବ ନାହିଁ, ଏପରିକି, ଗୁଣୀର ମୁହଁଆଡ଼େ ହାଁ କରି ଅନେଇ ରହିଲେ ବି ପୂରା ଆନନ୍ଦ ମିଳିବ ନାହିଁ । ଆଖି ଖୋଲି ମଝିରେ ମଝିରେ ଦେଖିବାକୁ ହେବ ଝରଣାର ଧାରା କେଉଁ ପଥରରେ ଆଘାତ ପାଇ କେତେ ଅଜବ ପ୍ରକାରର ହୀରା ଓ ମୋତିର ଟୁକୁରାରେ ପରିଣତ ହୋଇ ଏଠି ସେଠି ଛିଟ୍‍କି ପଡ଼ୁଛି । ତେବେ ଯାଇ ନା ତମାମ୍‌ ଅସୁଲ ହେବ !

 

କିନ୍ତୁ ତେଜନାରାୟଣ ଅଶ୍ୱସ୍ତି ଅନୁଭବ କରୁଥିଲେ । ସେଟା ଚାପି ରଖି ନ ପାରି ସରଳ ମନରେ ଆମକୁ କହିଲେ : ଅଯଥା ମାଲ୍‌କାଙ୍କୁ ଆଘାତ କରାହେଲା । ବିଚାରୀ ପିଲା । ଛନ୍ଦବନ୍ଦ (ଛଳନା ଓ ପ୍ରଗଳ୍‌ଭତା) ଜାଣେନା । କାମଟା ଭାଇ ହେଲା ନାହିଁ ।

 

ଆମେ ବି ଏକଥା ବୁଝିପାରିଥିଲୁଁ । ତେବେ ଆମ ମନରେ କିଛି ଦାଗ ପଡ଼ି ନ ଥିଲା । ମଇଫିଲ୍‌ରେ ଚୋଟ ଖାଇ ଓ ଛାଟ ଦେଇ ଗୁଣୀ ଗଢ଼ାହୁଏ । ଏଥିରେ ଦୁଃଖର ପ୍ରଶ୍ନ ଉଠୁନାହିଁ । ଆଉ ଦୁସ୍‌ରା ରାସ୍ତା ବା କଅଣ ଅଛି ? କିନ୍ତୁ ଶ୍ୟାମଲାଲ ଓ ତେଜନାରାୟଣଙ୍କ ମନ ଥିଲା ନରମ । ଶ୍ୟାମଲାଲ କହିଲେ : ଯା ହବାର ତ ହେଲା । ମୁଁ ଆଗରୁ କହିଥିଲି, ଖାଲି ମାଲ୍‌କାଙ୍କ ଗାନ ହଉ ଆଜି । ସଂଜୀ ଏକଥା ବୁଝିଲେ ନାହିଁ ।

 

ବଥ ଉଠିଲେ ଭଲ ହେଲା ଛାଇ ହେଲା କହିବା ଲୋକ ସିଂଜୀଙ୍କ ଭଳି ଆଉ କେହି ନ ଥିଲେ । ଗମ୍ଭୀର ଭାବରେ ସେ କହିଲେ : ମୁଁ ଭାବିଥିଲି, ମାଲକାଙ୍କ ମୁଜ୍‌ରା କମ୍‌ସେ କମ୍ ! ଏମିତି ହବ ମୁଁ ତ ଆଉ ଜାଣି ନ ଥିଲି ।

 

ଶ୍ୟାମଲାଲ ଏହାର ପାଲଟା ଜବାବ ଦେଲେ : ଜାଣେ ସବୁ । ଯାହା ହେବାର ତ ହୋଇସାରିଲାଣି, ତେଜନାରାୟଣଜୀ ! ଏଥିରୁ ମୁକୁଳିବା ଉପାୟ ବତାନ୍ତୁ ବର୍ତ୍ତମାନ ।

 

ତେଜନାରାୟଣ ଧୀର ପ୍ରକୃତିର ଲୋକ । କିନ୍ତୁ ଜିଦ୍‌ ଧରିଲେ, ଆଉ ଓହରିଯିବା କଥା ନୁହେଁ । କହିଲେ : ଗୋଟାଏ ଉପାୟ ଅଛି । ଗହର୍‌ ପରେ ଫୈୟାଜ୍‌ଙ୍କୁ ଗାନ୍‍ କରାଇ ରଙ୍ଗ୍‌ ଅନ୍ୟ ଆଡ଼କୁ ମୁହାଁଇଦେବା ଗୋଟାଏ ଚେଷ୍ଟା ମାତ୍ର ।

 

ଫୈୟାଜ୍‌ଙ୍କ ପାଇଁ ଖାସ୍ କରି ଆଉ ଦିନେ ଜଲ୍‌ସା କରିବା ଆଗରୁ ଠିକ୍ କରାହୋଇଥିଲେହେଁ ତେଜନାରାୟଣଙ୍କ ମନର ଆବେଗ ତ ମେଣ୍ଟାଇବାକୁ ପଡ଼ିବ । ଅବଶ୍ୟ ମୁଁ ବୁଝିପାରିଲି ନାହିଁ, ତା’ଦ୍ୱାରା ମାଲକାଙ୍କ ଇଜ୍‌ଜତ୍‌ ଉଞ୍ଚା ବା ହେବ କିପରି । ବରଞ୍ଚ ଡର ମାଡ଼ୁଥିଲା, ଫୈୟାଜ୍‌ ଯଦି ଗାଆନ୍ତି ଓ ରଙ୍ଗ୍‌ ଜମେଇ ନ ପାରନ୍ତି– କିଛି କହି ହେବନାହିଁ – ତେବେ ହୁଏତ ସେ ରାତିରେ ତେଜନାରାୟଣ ଆହାର ଛୁଇଁବେ ନାହିଁ । ଅସଲ କଥା, ମାଲ୍‌କା ଓ ଫୈୟାଜ୍‌ଙ୍କ ହିପାଜତରେ ଯେଉଁ ଘରାନାର ଇଜ୍‌ଜତ ରହିଚି ସେଇ ଇଜ୍‌ଜତ୍‌କୁ ଅପମୃତ୍ୟୁରୁ ବଞ୍ଚାଇବାକୁ ପଡ଼ିବ-। ଯାହାହେଉ, ସିଂଜୀ ଏଥିରେ ଖୁବ୍ ରାଜି । କାରଣ, ସେତେବେଳଯାକେ ଗହର୍‌ ମାଲ୍‌କାଙ୍କୁ ହାଇ ମାରିବା ସମୟ ଦେଇ ନାହାନ୍ତି । ଆହୁରି ବଡ଼ କଥା, ମଜା ବଢ଼ିବ ବରଞ୍ଚ ଊଣା ତ ହବ ନାହିଁ-

 

ଗହର୍‌ ସେତେବେଳେ ଶେଷ ଦାଦ୍‌ରାର କେତାଟି ନିରାଲା (ସ୍ୱତନ୍ତ୍ର, ଅତୁଳନୀୟ) ଆଖ୍‌ରୀ ତାନ୍ ଦେଉଥାନ୍ତି । ତେଜନାରାୟଣ ଫୈୟାଜ୍‌ଙ୍କୁ ତାଙ୍କ ପାଖକୁ ଡାକିଲେ । ତେଜନାରାୟଣଙ୍କୁ ଫୈୟାଜ୍ ଭଲ ଭାବରେ ଜାଣିଥିଲେ । ମୃଦୁ ଗମ୍ଭୀର ସ୍ୱରରେ ତେଜନାରାୟଣ କହିଲେ : ଆପଣଙ୍କ ଘରର ଝଣ୍ଡା ତଳକୁ ହୋଇଗଲା ଦେଖୁଛନ୍ତି ତ ! କିଛି ଗୋଟାଏ କରିବା ଦରକାର ।

 

ଫୈୟାଜ୍‌ ଉଦାସ ଭାବରେ ଆମ ଆଡ଼କୁ ଅନାଇ କହିଲେ : ଜନାବ, ଆପଣମାନେ ଯାହା ବୁଝିଲେ ମୋ ବୁଝା ବି ସେଇୟା । ହେଲେ ବର୍ତ୍ତମାନ ଅବସ୍ଥାରେ କିଛି କରିହେବ ନାହିଁ କହି ସେ ଅନ୍ୟଆଡ଼େ ଚାହିଁଲେ । ମନେହେଲା, ତେଜ୍‌ନାରାୟଣଙ୍କ ଆଡ଼କୁ ସିଧା ନଜର ଦେବାକୁ ସେ ନାରାଜ । ଖୁବ୍ ତେଜୀ ସୁରରେ ତେଜନାରାୟଶ କହିଲେ : ଗହର୍‌ ପରେ ତୁମେ ଆଳାପ ଦେଇ ଆରମ୍ଭ କରି ପୁଣି ଘରର ଝଣ୍ଡା ତୋଳି ଧରିବ । ପାରିବ ନାହିଁ ମର୍ଦ୍‌ ହୋଇ ?

 

ଆମେ ବି ଆବ୍‌ବାସ୍‌ ଖାଁଙ୍କ ନାଁ ଧରି ସେକଥାର ସମର୍ଥନ କରିଗଲୁଁ । ସିଂଜୀ ଥିଲେ ଦଙ୍ଗଲ୍‌ବାଜ୍ । ସେ ବୋମ୍ୱାଇ କଥା ଉଠାଇ କହିଲେ : ମଇଫିଲର ପୁରାନା ରଙ୍ଗ ଯଦି କେହି ଫେରାଇ ଆଣିପାରେ ତେବେ ସେଇ ପୁରାନା ଘରର ଏଇ ନଓଜଓୟାନ । ହାଁ, ଆଉ କେହି ନୁହେଁ-

 

କିନ୍ତୁ ଫୈୟାଜ୍‌ଙ୍କୁ କେହି ରାଜି କରାଇ ପାରୁ ନ ଥିଲେ । ଭାବିଲି, ଏହାର କାରଣ ତାଙ୍କ ଦଙ୍ଗଲ୍‌ର ଇୟାର୍‌ମାନେ କେହି ନାହାନ୍ତି ବୋଲି ବୋଧହୁଏ । ଫୈୟାଜ୍‌ କୌଣସିମତେ ତେଜନାରାୟଣଙ୍କ ଆଖିରେ ଆଖି ମିଳାଇଲେ ନାହିଁ । ତାଙ୍କ ଆଖି ମୁହଁ ନିର୍‌ମୋହୀ (ଉଦାସୀନ) । ଫୈୟାଜ୍‌ କହିଲେ : ଜନାବ୍, ମାଫ୍‌ କରନ୍ତୁ । ଆଜି ଜେନାନାର ଦଙ୍ଗଲ୍‌ । ଇୟା ଭିତରେ ତମ୍ୱୁରା ନେଇ ବସି ଗାନ ଗାଇଲେ ମୋର ବଦ୍‌ନାମୀ ହେବ । ମାଫ୍‌ କରନ୍ତୁ । ଆଉ କେଉଁଦିନ ସୁଯୋଗ ପାଇଲେ ଦେଖାଯିବ ।

 

ଥରେ ଥରେ ସନ୍ଦେହ ଜାଗୁଥିଲା, ଟୋକାଟା କଅଣ ଆଉ ଡରିଗଲାକି ? କିନ୍ତୁ ତାଙ୍କ ଚେହେରାରେ ଭୟର ଚିହ୍ନବର୍ଣ୍ଣ ସୁଦ୍ଧା ଦେଖିଲି ନାହିଁ । ଭୟ ପାଇଲେ ତ ତା’ଦ୍ୱାରା କିଛି କାମ ହେବ ନାହିଁ ।

 

ତେଜନାରାୟଣଙ୍କ ହୃଦୟରେ ଜାଗିଥିଲା ଅନୁଭବ ଓ ସାତ୍ତ୍ୱିକ ବୁଦ୍ଧି । ଭଗବାନ ବି ବୋଧହୁଏ ମଜା ଦେଖିବାପାଇଁ ତାଙ୍କ ମଥାରେ ଗୋଟାଏ ନୂଆ ବୁଦ୍ଧିର ପେଞ୍ଚ ବୁଲାଇଦଲେ । ଆବେଗ ଭରି ତେଜନାରାୟଣ କହିଲେ : ନିଜ ବଦ୍‌ନାମୀ ବଡ଼, ନା ଘରର ବଦ୍‌ନାମୀ ବଡ଼ ? ଔର୍‌ ୟେ ଭି ତୋ ଖିଆଲ୍‌ କରୋ, ଭାଇ, ଟିକିଏ ବୁଝି ଦେଖ, ମାଲ୍‌କା ପ୍ରାଣରେ କି ପ୍ରକାର ଦହନ, କଷ୍ଟ ହେଉଚି ! ଯେତେହେଲେ ସେ ତ ପିଲାଟା !

 

ତେଜନାରାୟଣ ଯେଉଁଠି ଟିପ ମାରିଲେ ସେଟା ଥିଲା ଅନ୍ତରର ସବୁଠୁ ଗୋପନ ଖୋପ, ସବୁଠୁ ବଳି ନରମ ଜାଗା । ଇଜ୍ଜତ କଥା ସେଠି ତୁଚ୍ଛ ।

 

ଫୈୟାଜ୍ ଥିଲେ ପ୍ରକୃତ ମର୍ଦ । ସେଇ ଗୋଟିଏ ଆଘାତରେ ତାଙ୍କ ମେରୁଦଣ୍ଡ ସିଧା ହୋଇଗଲା । ତାଙ୍କ ଛାତି ଏକା ନିଃଶ୍ୱାସକେ ଭରିଗଲା । ବେଶ୍‌ ମଜ୍‌ବୁତ ନଜରରେ ସେ ତେଜନାରାୟଣଙ୍କ ଆଖିରେ ଆଖି ରଖିଲେ । ମୁହୂର୍ତ୍ତକ ପାଇଁ ଦମ୍‌ ନେଲେ । ତା’ପରେ କହିଲେ : ଅବ୍‌ ଯୋ କୁଛ୍‌ ଭି ହୋ ପର୍‌ଓୟା ନ କରୁଙ୍ଗା ! ଜନାବ୍, ଆପ୍‌ଲୋଗୋଁକୀ ହିଫାଜତ୍ ମେ ମେରା ଇଜ୍ଜତ୍ କୋ ଛୋଡ଼୍‌ ଦେତା ହୁଁ । ମଗର୍ ବାତ୍‌ ତୋ ଏକ୍ ହ୍ୟାୟ ଜନାବ୍‌ !

ଟିକିଏ ଥମକି ଶ୍ୟାମଲାଲ ଓ ତେଜନାରାୟଣଙ୍କ ଆଡ଼କୁ ଚାହିଁ କହିଲେ : ଆପ୍ ଔର୍ ଆପ୍ ! ଆପ୍‌ଲୋଗ ଇଲ୍‌ତିମାସ୍ (ଅନୁରୋଧ) କରେଙ୍ଗେ, ଔର୍ ଫର୍‌ମାୟେଙ୍ଗେ ତୋ ମୈ ଗାନେ ବୈଠୁଙ୍ଗା । ନ ତୋ ଔର୍‌ କିସ୍‍କୀ ଖାତିର୍ ନ କରୁଙ୍ଗା, ଇୟେ ଭି ମୈ କହ୍ ଦେତା ହୁଁ ।

ଇୟେ ଦୁହେଁ ତାଙ୍କୁ ଅନୁରୋଧ କଲେ ସେ ଗାଇବସିବେ, ନ ହେଲେ ନାହିଁ । ଆଉ କେହି ଅନୁରୋଧ କଲେ ଖାତିର ନାହିଁ । ଇଜ୍ଜତ୍ କଥାଟା ଜୋର୍‌କରି ଦବାଇଦେଇ ପୈୟାଜ୍ ଯେତେବେଳେ ଗମ୍ଭୀର ଗଳାରେ ସେହି କଥାଗୁଡ଼ିକ କହିଲେ ସେତେବେଳେ ତାଙ୍କ ମୁହଁରୁ ଉଦାସଭାବ ଚାଲିଯାଇଥାଏ । ତାଙ୍କ ମୁହଁରେ ଏମିତି ଗୋଟାଏ ଭାବ ଦେଖାଦେଲା ଯାହାର ବର୍ଣ୍ଣନା ଦେବା ଅସମ୍ଭବ । କିନ୍ତୁ ଥରେ ଦେଖିଲେ ଚିରକାଳ ମନେଥିବ । ଅବାକ୍ ଭାବରେ ସେଇ ମୁହଁ, ସେଇ ଆଖି ଆଡ଼େ ମୁଁ ଅନେଇ ରହିଥିଲି । କୋଡ଼ିଏ ବାଇଶ ବର୍ଷର ତେଜୀ ଦିଲ୍‌ । ତା’ ଭିତରେ ଚାଲିଥିଲା ଯୁଦ୍ଧ ! ଗୋଟାଏ ପଟେ ମାନ-ଇଜ୍ଜତ, ବସ୍‍ । ଆଉ ଅନ୍ୟ ପଟେ ସଚ୍ଚା ଆସକ୍ (ବିଶୁଦ୍ଧ ପ୍ରେମ) । ବା ସିଭାଲ୍‌ରି, ଯାହା କୁହନ୍ତୁ । ସେଇ ଯୁଦ୍ଧର ବହ୍ନି ଝଲକ ପ୍ରତିଫଳିତ ହେଉଥିଲା ତାଙ୍କ ଆଖି ମୁହଁରେ । ସେ ପର୍ଯ୍ୟନ୍ତ ଭିତରର ସେଇ ଖେଲ୍ ଶେଷ ହୋଇ ନ ଥାଏ । ଶ୍ୟାମଲାଲ ଓ କେଜନାରାୟଣ ସେଇ ରୋଶ୍‌ନିରେ ଧରାପଡ଼ିଥିଲେ । ଆମେ ନୋହୁଁ । ଦେଖିଲେ ତ, ମାତ୍ର କିଛିକ୍ଷଣ ପୂର୍ବେ ମଲ୍‌କାଙ୍କ ଘରେ ଫୈୟାଜ୍ ମୋତେ ଚିହ୍ନି ପାରି ନ ଥିଲେ । ତା’ର କାରଣ, ସେଦିନର ଫୈୟାଜଙ୍କ ଆଖିର ଆଲୁଅରେ ମୁଁ ନ ଥିଲି । ସେଇଥିପାଇଁ ତ ମୁଁ ତେଜନାରାୟଣଙ୍କ ଜବାନୀରେ ସେଇ ଝଣ୍ଡା ଉଞ୍ଚା କରିବା କଥା ତାଙ୍କୁ ମନେ ପକେଇଦେଇ ଦେଖୁଥିଲି ସେଦିନର ସେ ସବୁ କଥା ତାଙ୍କ ମନେପଡ଼େ କି ନା, ସେ ଫୈୟାଜ୍ ବର୍ତ୍ତମାନ ସୁଦ୍ଧା ଅଛନ୍ତି ନା ନାହିଁ । ଦେଖିଲି ସେ ଫୈୟାଜ ଆଜି ବି ଅଛନ୍ତି । ଆଉ ଅଛନ୍ତି ବୋଲି ମୋର ପୁରାନା ଇୟାଦ୍ ଚିତ୍ର ପ୍ରାୟ ଦେଖିପାରୁଚି ।

ଫୈୟାଜ୍‌ଙ୍କ କଥା ଶୁଣି ତେଜନାରାୟଣ ଖୁବ୍ ଖୁସୀ ହୋଇ କହିଲେ : ଏଇ ତ ପୁରୁଷଯୋଗ୍ୟ କଥା । ତାହାହିଁ ହେବ । ଯାଅ, ନିଜ ଜାଗାରେ ବସ କହି ଖଣ୍ଡିଏ ପାନ ଫୈୟାଜ୍‌ଙ୍କ ହାତରେ ଦେଲେ । ଯାଦୁବନ୍ଦି ଭଳି ଫୈୟାଜ୍ କିଛିକ୍ଷଣ ପାନ ହାତରେ ଧରି ରହିଲେ । ପରେ ଆଦାବ୍‌ କରିଥିଲେ । ଲକ୍ଷ୍ୟ କଲି, ତାଙ୍କ ଆଖି ମୁହଁରେ ନିଜକୁ ନିଃଶେଷ କରିଦେବାର ଜ୍ୟୋତି ଦେଖା ଦେଇଚି । ସେଇ ଯେ ଗୋଟିଏ ଶେର୍ (କବିତା) ନାହିଁ–

ଇସ୍‌ ଇସ୍‌କ୍‌କେ ମଖ୍‌ତକ୍‌ ମେ

ମିଲ୍‌ତା ହ୍ୟାୟ ସବଖ୍‌ ପହଲେ ।

ଗର୍‌ ବଦ୍‌ଲ୍‌କି ଖାୟଶ୍‌ ହୋ

ତେ ହସ୍‌ତୀକୋ ଫନା କର୍‌ନା ।।

 

ତାଙ୍କ ଆଖିମୁହଁର ରେଖାରେ ସେଇ କଥାର ଜ୍ୱଳନ୍ତ ନକ୍‌ସା ଦେଖିଲି । ଯାହାର ମାନେ, ପ୍ରେମର ପାଠଶାଳାରେ ସର୍ବପ୍ରଥମ ପାଠ ହେଉଚି, ଯଦି ମିଳନର ପ୍ରତ୍ୟାଶ ଥାଏ ତେବେ ନିଜର ବୋଲି ଯାହା କିଛି ଅସ୍ତିତ୍ୱ, ମମତ୍ୱ ଅଛି, ସବୁ ତ୍ୟାଗ କରିବାକୁ ପଡ଼ିବ, ନିଶ୍ଚିହ୍ନ କରିବାକୁ ପଡ଼ିବ ।

 

ତନନୁଲାଲଜୀ ଟିକିଏ ଥମକି ରହିଲେ ।

 

ତାଙ୍କ ଶେଷ କଥାଗୁଡ଼ିକ ମୋ ମନଗହନକୁ ପ୍ରବେଶ କରି କେତେଗୁଡ଼ିଏ ସନ୍ଦେହ ନେଇ ଫେରିଆସିଲା । ଗ୍ରେ-ଷ୍ଟାର୍ଲିଂ ପ୍ରଭୃତି ଆନାଟମି-ଫିଜିଓଲଜିର ବ୍ୟାସ-ବାଲ୍ମୀକିଗଣ ଯେଉଁ ଆଖି କଥା କହିଛନ୍ତି ତାରି ଭିତରେ ତ ଜଳେ ସଚ୍ଚା ଆସକ୍‌ର ଆଲୋକ । ଆମେ ସେତେବେଳେ ଏଇ ବ୍ୟାସ-ବାଲ୍ମୀକିଙ୍କ ଶ୍ରୋତା । କାହିଁ, ଏମାନେ ତ ସେଭଳି ଶିଖା ବା ଜ୍ୟୋତି କଥା କହିନାହାନ୍ତି-! ଅବଶ୍ୟ ଏକପ୍ରକାର ଜଳାପୋଡ଼ାର ତତ୍ତ୍ୱକଥା ଏମାନେ କହନ୍ତି ସତ । ଆହାର-ବିହାର-ମୈଥୁନର ନିଆଁରେ ଦେହରେ ଏନାବୋଲିଜ୍‌ମ୍‌-କଟାବୋଲିଜ୍‌ମ୍‌ ହେଉଚି । ସରଳ ଭାଷାରେ, ଏଟା ଶରୀରର ପୋଡ଼ିବା ଅବସ୍ଥା । ଧୂଆଁ କଥା ବି ଅଛି । ସତ କହିଲେ, ପ୍ରାୟ ସବୁଟା ଧୂଆଁ ! କିନ୍ତୁ ବିଶୁଦ୍ଧ ପ୍ରେମର ବହ୍ନି ବା ଆଲୋକ କଥା ତ ସେମାନେ କହନ୍ତି ନାହିଁ । ତେବେ କଅଣ ନିଆଁର ପ୍ରକାର ଭେଦ ଅଛି-! ଜଳାପୋଡ଼ାର ବି ? ଆଖି ଭିତରେ ଯଦି ତାହାର ଜ୍ୟୋତି ଦିଶୁଥାଏ ତେବେ ତ ବୋଲିବାକୁ ହେବ ରକ୍ତମାଂସରେ ଗଢ଼ା ଏ ଆଖିଦି’ଟା ସତେ ଅଦ୍‌ଭୁତ ! ବିଜ୍ଞାନର ଧୂଆଁର ଜ୍ୱାଳାରେ ଆମେ ସେତେବେଳେ ସବୁ ଧୂଆଁ ଦେଖୁଥାଉଁ, ଆଖି ରଗଡ଼ୁ ଥାଉଁ । ଆମେ ବା କେଉଁ ଆଖିରେ ସେ ଆଲୋକର ସନ୍ଧାନ ପାଇବୁ ? ଏଇ ମଶା-ମାଛିବିଧ୍ୱସ୍ତ ଗୁହାଳଘରର ଧୂଆଁ ଦାଉରୁ ନିଜେ ନିଷ୍କୃତି ପାଇଲେ ବା ସେଭଳି ଆଲୁଅ ଆମେ ଦେଖି ପାରନ୍ତୁ.... ।

 

ତନ୍‌ନୁଲାଲଜୀଙ୍କ କଣ୍ଠସ୍ୱର ମୋତ କଳ୍ପନାରାଜ୍ୟରୁ ବାସ୍ତବ ଜଗତକୁ ଫେରାଇଆଣିଲା ।

 

ତନୁଲାଲଜୀ କହିଚାଲିଥାନ୍ତି–

 

ପାନ ହାତରେ ଧରି ଫୈୟାଜ୍ ନିଜ ଜାଗାକୁ ଫେରିଗଲେ । ଦେଖିଲି, ସେ ସ୍ଥାଣୁ ଭଳି ବସିଛନ୍ତି । ଯୌବନରେ ବେଳେ ବେଳେ ଏମିତି ହୁଏ !

ଗହରଙ୍କ ଗାନ ଶେଷ ହେଲା । ତାରିଫ୍ ପାଲା ବି ଶେଷ ହେଲା । ଗହର୍‌ଙ୍କ ପକ୍ଷରେ ସେଟା କିଛି ନୂଆ କଥା ନୁହେଁ । ଆସର ତେବେ ବି ଚଞ୍ଚଳ ଗୁଣୁ ଗୁଣୁ ଶବ୍ଦରେ ମୁଖରିତ । ଏତିକିବେଳେ ତେଜନାରାୟଣ ଛିଡ଼ାହୋଇ ଫୈୟାଜଙ୍କୁ ଅନୁରୋଧ କଲେ ଗାଇବାକୁ । ରାଗର ଆଳାପ ସହ ଆରମ୍ଭ କରିବାକୁ କହିଲେ । ଶ୍ୟାମଲାଲ ମଧ୍ୟ ସେହି ଅନୁରୋଧ ଜଣାଇଲେ । ସିଂଜୀ ଉଠି ଛିଡ଼ା ହୋଇ କହିଲେ : ଆପ୍‌ଲୋଗ୍‌ ଜେରା ଔର୍‌ ବୈଠ୍‌ ଯାଇୟେ, ମଜେମେ । ଶେର୍‌କି ଖେଲ୍‌ କୁଦ୍‌ଭି ହୋନି ଚାହିୟେ, କମ୍‌ ସେ ମକ୍‌ । ତେଜନାରାୟଣଜୀନେ ଅଚ୍ଛି ଖବର୍‌ ଉଡ଼ାୟି । ଅବ୍‌ ଦେଖିୟେ କ୍ୟା ହୋତା ହ୍ୟାୟ ।

ଆପଣମାନେ ଆଉ ଟିକିଏ ବସନ୍ତୁ, ମୌଜ କରି, କମ୍‌ ସେ କମ୍‌ । ବାଘର ଖେଳ କିଛି ତ ହେବା ଉଚିତ ! ତେଜନାରାୟଣଜୀ ଭଲ ଖବର ଉଡ଼େଇଦେଲେ ! ଦେଖନ୍ତୁ କଅଣ ଘଟୁଚି ! ସେ ପର୍ଯ୍ୟନ୍ତ ମଜ୍‌ଲିସ୍‌ର ଆଖିକାନ ଖୁବ୍ ଜାଗତିଆର ଥାଏ । ସମସ୍ତେ ଉତ୍ସୁକ । କେବଳ ଗହର୍‌ଙ୍କ ମା କଳେ ପାନ ଚୋବାଉ ଚୋବାଉ ହୁସିଆର ଭାବରେ ଏଣେତେଣେ ଆଖି ପକାଉଥାନ୍ତି । ବାଘୁଣୀ ଯମିତି ତା’ର ଛୁଆକୁ ଅମଙ୍ଗଳଠରାରୁ ରକ୍ଷା କରିବାପାଇଁ ସବୁ ଆଡ଼କୁ ମୁଣ୍ଡ ବୁଲାଇ ଦୃଷ୍ଟି ଦେଉଥାଏ ।

ତେଜନାରାୟଣ, ଶ୍ୟାମଲାଲ ଓ ଆସରର ପ୍ରଧାନ ପ୍ରଧାନ ଲୋକମାନଙ୍କୁ ଆଦାବ୍ ଜଣାଇ ଫୈୟାଜ୍‌ ଉଠିଯାଇ ଗାୟକ ଆସନରେ ବସିଲେ । ବେଶ୍‌ ମନେ ଅଛି– କାରଣ, ମିୟାଁକି-ମଲ୍ଲାର ଆରମ୍ଭ କରିବା ମାତ୍ରକେ ମୁଁ ଘଡ଼ି ଦେଖିଥିଲି ।

 

ଆରେ ନା, ପାଞ୍ଚୁବାବୁ, ନା ! ରାଗର ବଖ୍‌ତ ବନ୍ଦୋବସ୍ତୀ ହିସାବ ପାଇଁ ନୁହେଁ । କେତେବେଳେ ଶେଷ ହେବ ତା’ର ଗୋଟାଏ ହିସାବ ରଖିବାପାଇଁ କେବଳ । ଆମେ ସେତେବେଳେ ଭୁକ୍ତଭୋଗୀ । ଆଲାବନ୍ଦେଜାକ୍‌ ରୁଦ୍ଦୀନଙ୍କ ଆଳାପ ଶୁଣି ମୋର ଗୋଟାଏ ମୋଟାମୋଟି ଧାରଣେ ଥିଲା, ଆଳାପର ଗୁଣୀଗିରିର ବିଚାର ହୁଏ, କିଏ କେତେକ୍ଷଣ ଆଳାପ ଚଳାଇପାରେ, ସେଇଥିରୁ । ଆଉ ସମଝଦାରିର ପରୀକ୍ଷା ହୁଏ କିଏ କେତେକ୍ଷଣ ବସି ସହ୍ୟ କରିପାରେ, ସେଇଥିରୁ । ପ୍ରଥମ ଥର ସେ ଭୁଲ ଭାଙ୍ଗିଥିଲେ ବନ୍ଦେ ଆଲୀ ଖାଁ ବୀଣ୍‌କାର୍ । ଆଉ ଦ୍ୱିତୀୟ ଥର ଭୁଲ ଭାଙ୍ଗିଥିଲେ ଏହି ଫୈୟାଜ୍‌ଙ୍କ ଆଳାପ ଶୁଣି । ଆପଣ ତ ଇମ୍‌ଦାଦ୍ ଖାଁଙ୍କ ଆଳାପ ଶୁଣିଛନ୍ତି । ମନେ ରଖିବେ, ସେ ବନ୍ଦେଅଲୀ ଖାଁ ସାହେବଙ୍କ ସାଗିର୍ଦ୍‌ ।

 

ସାବାସ୍ ଦେବାକୁ ବାଧ୍ୟ ହୋଇଥିଲି ଫୈୟାଜ୍‌ଙ୍କୁ । ଜନ୍ମହେବା ଦିନରୁ ସୁର୍‌ କାନରେ ଧରି ବୁନିୟାଦୀ ‘ରଙ୍ଗିଲା’ ଘରର ତାଲିମ ପାଇଥିଲା ଏଇ କୋଡ଼ିଏ ବାଇଶ ବର୍ଷର ନଓଜଓୟାନ । ଥରେ କଳ୍ପନା କରନ୍ତୁ ସେଇ ପକ୍‌କା ଆବାଜ । ଘଣ୍ଟାଶବ୍ଦ ଭଳି ସ୍ପଷ୍ଟ ଓ ରେଶ୍‌ଦାର୍‌ ! ସୁର ଲାଗିବା ମାତ୍ରକେ ତ ମଜ୍‌ଲିସ୍‌ଭର୍‌ ଲୋକ ସନ୍‌ନାଟା (ବିସ୍ମିତ) ବନି ଶୁଣିବାକୁ ଲାଗିଲେ । ତା’ ଉପରେ, ଭାବି ଦେଖନ୍ତୁ, ସେଇ ମିଜାଜ୍‌, ତବିୟତ୍ ଆଉ ଠହରାନ୍ (କ୍ଷଣିକ-ବିରତିର କଳା-କୌଶଳ) । ଏହାର ନମୁନା ଆପଣ ସେଦିନ ଶୁଣିଥିବେ । ଆସରର ଲୋକେ ସୁର ଓ ମିଜାଜ୍‌ରେ ମଜ୍ଜିଗଲେ । ତା’ପରେ ହୁଏତ କେହି କେହି ମିୟାଁକି-ମଲ୍ଲାରର ଦୋ-ନିଖାଦ୍‌ର କାର୍‌ଚୋବି ଓ ମେହନତ୍‌ ବୁଝିଲେ-। କେହି ବା ନ ବୁଝିଲେ– ସେଥିରେ କିଛି କ୍ଷତି ନାହିଁ । ମୋଟ ଉପରେ, ଫୈୟାଜ୍‌ ଯେତେବେଳେ ରାଗର ଲହର୍ ଉଠାଇବାକୁ ଆରମ୍ଭ କଲେ ସେତେବେଳେ ସୁରର ଯାଦୁ ଆରମ୍ଭ ହୋଇଗଲା-। ଏଇ ସୁରର ଯାଦୁ ହାତରୁ କେହି ମୁକୁଳି ଯାଇପାରିବେ ନାହିଁ ! ଏଇଠି ସମସ୍ତେ ବୁଝିଲେ, ଗହର୍‌ଙ୍କ ସବୁ ରଙ୍ଗ ଧୋଇଗଲା । ଧାର ଓ ଭାର ଏକାସାଙ୍ଗରେ ଖେଳୁଆଡ଼ ହାତରେ ଥିଲେ ତଲୋୟାରର ଚୋଟ କି ପ୍ରକାର ହୁଏ ଅନ୍ଦାଜ କରନ୍ତୁ ।

 

ତା’ପରେ ଆରମ୍ଭ ହେଲା ଯୋଡ଼୍‌ ଓ ଲଢ଼ୀ, ଠୋକ୍‌ର ବର୍‌ସାତ (ବର୍ଷା) ! ଆଉ ମଝିରେ ମଝିରେ ସୁରର ଚମକ୍‌ ଓ ଗମକର ଗମ୍ଭୀର ଗର୍ଜନ ! ମନେହେଲା ଯେମିତି ସୁରର ଆକାଶ ମଇଫିଲ୍‌ ଉପରେ ଭାଙ୍ଗିପଡ଼ୁଛି । ମାତ୍ର ଦୁଇଟି ସାରଙ୍ଗୀ ଓ ଗୋଟିଏ ତମ୍ୱୁରାର ଆବାଜ କଅଣ ସେ ମେଘନିନାଦ ସହିତ ସଙ୍ଗତ କରିପାରେ ! ଏହା ପରେ ଯେତେବେଳେ କେତୋଟି ଆଖ୍‌ରୀ, ଚମକିଲୀ ତାନ୍‌ର ଶୋଭାଦ୍ୱାରା ଫୈୟାଜ୍ ଆଳାପ ଶେଷ କରିବାକୁ ଲାଗିଲେ, ସେତେବେଳେ ମନେହେଲା ସତେ ଏକା ମେଘଜାଲ ଓଟାରି ମଲ୍ଲାର ଚାଲିଯାଉଛି ଦୂର ଆସ୍‌ମାନ୍‌ରେ ! ଦୂର ଦିଗନ୍ତରୁ ଦେଖାଇ ଦେଉଛି କିଛି ରୋଶ୍‍ନି ଓ ବିଜୁଳିର ଖେଳ ! ରାଗର ଗର୍ଜନ ସ୍ଥଗିତ । ତା ସ୍ଥାନରେ ହାଓୟାଇ ବୋଲ୍‌ ଘୁରି ବୁଲୁଚି ସୁମ୍ ସନନ ଫୁକାର୍ ଦେଇ । ମଝିରେ ମଝିରେ କାନକୁ ଆସୁଚି ତମ୍ୱୁରାରୁ ରୁମ୍‌ ଝୁମ୍‌ । ବରଖା (ବର୍ଷା) ନ ଯାଉଣୁ ଝିଣ୍ଟିକାର ବୋଲ୍‌ !

 

ପାଁଚୁବାବୁ ! ଆର୍ଟ ତ ଗୋଟିଏ ‘ଏଫେକ୍ଟ’ (effect) । ସେଇ ଏଫେକ୍ଟ ବଜାଏ ରହେ ପରିବେଶ କାଇଦାରେ । ଆଳାପ କୁହନ୍ତୁ ବା ଗାନ କୁହନ୍ତୁ, କାଇଦାର ଶେଷ କଥା ହେଲା– କି ଉପାୟରେ ଖାତେମୀ (ଶେଷର) ଶୋଭା ବିକଶିତ କରାହେଲା, ସଲାମ ଜଣାଇ ବିଦାୟ ଦିଆହେଲା । ତାରିଫ୍‌ର କୋଳାହଳରେ ଯଦି ଗାୟକୀ ଚାପା ପଡ଼ିଯାଏ, ଆଉ ଗାଓୟାଇୟା ଯଦି ସୁର ଛାଡ଼ି ତାରିଫ୍‌ର ଟୁକୁରା ଗୋଟେଇବାରେ ମନ ଦିଏ ତେବେ ମୁଁ କହିବି ସେ ଲୋକଟା କମ୍‌ ଦରର ।

 

ମୁହଁର ଆଳାପ ଶୁଣିଛି ଅନେକ । କଳାବନ୍ତଙ୍କର କାରିଗରୀ ବି ଶୁଣିଛି ଢେର୍‌ ଢେର୍‌ । ଅଧିକାଂଶ କ୍ଷେତ୍ରରେ ଦେଖିଛି-ଆବାହନର କାଇଦା ଜଣାଅଛି ତ ମଇଫିଲର ଖବରଦାରୀ କରୁ କରୁ ବିସର୍ଜନର ଲୁତ୍‌ଫ ହଜେଇ ବସିଲେଣି । ସେଦିନ ଫୈୟାଜ୍‌ଙ୍କ ଆଳାପ ଓ ଆଖ୍‌ରୀ କାଇଦା ଦୁଇଚାରିଟା ଶୁଣି ମନେହେଲା, ଜଣେ ସଚ୍ଚା କାରିଗର ସେ । ମିଳନ ଓ ବିଦାୟ, ଏ ଦୁଇ ବ୍ୟାପାରର ରହସ୍ୟ ୟାଙ୍କ ହୃଦୟରେ ଭରି ରହିଚି । ସତ କହୁଚି, ମିୟାଁକି-ମଲ୍ଲାର ରାଗର ଏମିତି ଆଳାପ ମୁଁ ଆଉ ଶୁଣି ନାହିଁ ।

 

ଆମେ, ବିଶେଷ କରି ତେଜନାରାୟଣଙ୍କ ବନ୍ଧୁମାନେ, କୁହାକୁହି ହେଉଥିଲୁ ଫୈୟାଜ୍‍ଙ୍କ ହାତରେ ତାଙ୍କ ଘରର ଝଣ୍ଡା ନିଶ୍ଚୟ ଉଞ୍ଚା ହେଲା । ପରେ ଶ୍ୟାମଲାଲ କହିଥିଲେ, ନିଶ୍ଚୟ ସେଇ ଠୋକ୍‌ଦାର୍‌ ବୋଲ୍‌ ଓ ଲଢ଼ୀର ତାନ୍‌ ବୀଣା ଓ ରବାବ୍‌ର ବାଜ୍‌ରୁ ଉଦ୍ଧାର କରାହୋଇଚି ଏବଂ ଫୈୟାଜ୍‌ଙ୍କ ନିଜର ବୁଦ୍ଧି, କାରିଗରୀ ଓ ସାଫଇୟତ୍‌ (ପରିମାର୍ଜନା) ଫଳରେ ତାହା ଅଧିକ ମନୋଜ୍ଞ ହୋଇଚି । ଏସବୁ ବାଜ୍‌ ବ୍ୟାପାରରେ ଶ୍ୟାମଲାଲ ମୋ’ ଠାରୁ ଭଲ ଜାଣେ ।

 

ଯାହା କୁଅନ୍ତୁ ପଛକେ ପାଁଚୁବାବୁ, ଜେନାନାର ମିଠି ଆବାଜ୍‌ରେ ଚାନ୍ଦ୍‌ନୀ ବିକଶିତ ହୋଇପାରେ, ଫୁଲ ଫୁଟିପାରେ, କୋୟେଲ ଭି କୁହକ୍‌ ଦେଇପାରେ । ସବୁ ମାନୁଚି । ଲେକିନ ବର୍‌ଖାର ଘଟାକାରୀ, ତାହାର ରୋମ୍‌-ଝୋମ୍ ତାହାର ମେଘଗର୍ଜନ, ଏସବୁ ପ୍ରକାଶ କରିବାକୁ ହେଲେ ଦରକାର ସୁର ଓ ମିଜାଜ୍ ଏବଂ ପୁରୁଷର ତିଆରି ଗଳା । ଆଉ ସେ ପୁରୁଷର ଗଳା ହେବ ଫୈୟାଜ୍‍ଙ୍କଭଳି ।

 

ତନ୍‌ନୁଲାଲଜୀ ଚୁପ୍‌ ହେଲେ । ପରେ ହଠାତ୍‌ ପଚାରିଲେ : କେତେ ପ୍ରକାରର ମଲ୍ଲାର ଅଛି ବୋଲି ଖବର ଅଛି ?

 

କିଛି ଶୁଣା-କଥା ଆଉ କିଛି ପଢ଼ା-କଥା ନଜିର୍‍ ଉପରେ ନିର୍ଭର କରି କେତେକ ମଡ଼ମ୍ୱରିଆ ନାଁ କହିଚି କି ନାହିଁ ମୋତେ ବାଧା ଦେଇ ସେ କହିଲେ : ଆରେ ନା ନା । ଆପଣଙ୍କ ରାମ୍‌ ଦାସୀ-ହରଦାସୀ, ସୁରାଟ୍‌-ରୂପମଞ୍ଜରୀ ଓଗେରାହ ନାଁ ଫାଁ ରଖନ୍ତୁ । ସେମିତି ଫିରସ୍ତି ତ ରାମଶ୍ୟାମ ଯଦୁ ମଧୁ ଦେଇପାରିବେ । ମୁଁ ପଚାରୁଛି କେତେ ପ୍ରକାରର ମଲ୍ଲାର କଥା । ବୁଝିପାରୁଛନ୍ତି ତ ?

 

ଠିକ୍ ବୁଝି ନ ପାରି କେଇଟା ଠାଟ୍‌ର ତାଲିକା ଦେଲି, ଯାହାର ଆଭାସ ପାଇଥିଲି ଓସ୍ତାଦ୍‍ଙ୍କ ମୁହଁରୁ । ସେ କହିଲେ : ତା ବି ନୁହେଁ । ସେ ବାସ୍ ତ ଫୁଲର ଫ୍ଲୋରାଲ ଫର୍‍ମୁଲା । ସେଥିରେ ଖୁଶବୁର ଖବର ସହ ମଜାର ସନ୍ଧାନ ଅଛି କି ? ଛାଡ଼ନ୍ତୁ । ଶୁଣନ୍ତୁ ତେବେ—

 

କେତେକ ମଲ୍ଲାରରେ ପାଇବେ ବତାସ ଓ ଝଡ଼-ତୋଫାନର ସୁମ୍ ସନ୍‍ନନ୍ । ବାରିସ୍‌ (ବର୍ଷା) ପାଇବେ ଖୁବ୍ କମ୍ । ଆଉ କେତେକରେ ପାଇବେ ବର୍‌ଖାର ରୁମ୍‌ଝୁମ୍‌ ଆଉ ମୌର୍‌ (ମୟୁର)ର ବୋଲ୍‌ ଆଉ ଦାଦର୍‌ (ଦର୍ଦୁର-ବେଙ୍ଗ)ର ଶୋର୍, ବିଶେଷ ଭାବରେ । ପୁଣି ଆଉ କେତେକରେ ପାଇବେ ଭିଜା, ଥଣ୍ଡା ହାଓୟାର ମଧୁରାଇ (ମଧୁରତା) ଓ ଶୁଣିବେ ସାନ ବଡ଼ ବୁନ୍ଦ୍ (ବର୍ଷା ଟୋପା)ର ଟପକ୍ (ଟପଟପ ଶବ୍ଦ) । କେତେକରେ ପାଇବେ ମେଘର ଘଟାକାରୀ, ବିଜ୍‌ଲିର ଚମକ୍‌, ଔର୍‌ କରକ (କରକା) ଓ ଗଡ଼ଗଡ଼ାହଟ୍‌ (ଗଡ଼ଗଡ଼ ଧ୍ୱନି) । ବର୍‌ଖା ପାଇବେ ଅଳ୍ପ, ମଝିରେ ମଝିରେ ହଠାତ୍ ଅଓଚକ୍ । ଏସବୁ ହେଲା ଅନୁଭବର ସାକ୍ଷାତ୍ ଚମତ୍କାରିତା । କାବ୍ୟ ନୁହେଁ ଏ, କଳ୍ପନା ନୁହେଁ । କେବଳ ପୟଲ୍‌ (ପହିଲି) ଦର୍‌ଜାର (ଶ୍ରେଣୀର) ଗୁଣୀମାନେହିଁ ଏସବୁ ପ୍ରତ୍ୟକ୍ଷ କରାଇବାର କ୍ଷମତା ଧରନ୍ତି । ଯେ ତାଜା ଅନୁଭବ କରି ନ ପାରିଲା ସେ ଠକିଲା । ପରେ ଘରକୁ ଯାଇ ଠାଟ୍‌ ଓ ନାମ ଆଉ ଆରୋହ-ଅଓରୋହ ନେଇ ମୁଣ୍ଡ ବାଡ଼ାଏ ତେବେ ମୁଁ କହିବି– ଅବଶ୍ୟ ଏହା ଠାରୁ ଅନ୍ୟ କିଛି କାମରେ ସମୟ ନଷ୍ଟ କରିବା ଭଲ । ଅସଲ କଥା, ଅର୍ଥାତ୍‌ ଗାନ ବା ଆଳାପ ଶୁଣିବା ଅବସ୍ଥାରେ ଅନୁଭବ କରିବା, ବାଦ୍ ଦେଲେ ବାକି ସବୁ ବାଜେ କାମ । ଅନୁଭବର ଚାଙ୍ଗୁଡ଼ିରେ ଅନୁଭବ ନ ଭରି ଜ୍ଞାନ ଭରିବା ମାନେ ଫୁଲଚାଙ୍ଗୁଡ଼ିରେ ପନିପରିବା ଭରତି କରି ବଜାରରୁ ଫେରିବା । ଘରର ଅନ୍ୟ ଲୋକ ଏହା ପସନ୍ଦ କଲେ ବି ଗୃହିଣୀ ପସନ୍ଦ କରିବେ ନାହିଁ । ଯଦିବା ଗୃହିଣୀ ପସନ୍ଦ କରିବେ, ଭିତରେ ଦେଓତା କଦାପି ହେବେ ନାହିଁ ।

 

ଆପଣଙ୍କ ମିୟାଁକି-ମଲ୍ଲାର ହେଲା ସେଇ ଶେଷୋକ୍ତ ମଲ୍ଲାର । ଏହାର ଇଲାମ୍ (ବିଦ୍ୟାସିଦ୍ଧି) ବଡ଼ କଠିନ । ଆଉ ପ୍ରକାରେ ଶେଷ ଗଳାରେ ଏହା ଶୋଭାପାଏ ଓ ଏହାର ହୁନର୍‌ମନ୍ଦି ଜାହିର୍ ହୋଇପାରେ । ସବୁ ଗଳାରେ ନୁହେଁ ।

 

‘ହୁନରମନ୍ଦି’ ମାନେ ସାଧାରଣତଃ କଳାଚତୁର୍ଯ୍ୟକୁ ବୁଝାଏ । କିନ୍ତୁ ତନ୍‌ନୁଲାଲଜୀଙ୍କ କହିବା ଢଙ୍ଗ ଟିକିଏ ବିଚିତ୍ର ହୁଏ ବେଳେ ବେଳେ । ତାଙ୍କ କହିବା ଅର୍ଥ, ପ୍ରତିଟି ବିଶିଷ୍ଟ ରାଗର ବିଶେଷ ଏକ ପ୍ରକାର ବିକାଶ-ମନୋହାରିତ୍ୱ ପ୍ରଭାବରେହିଁ ଶିଳ୍ପୀର ନୈପୁଣ୍ୟ ବିଶିଷ୍ଟ ହୋଇ ପ୍ରକାଶ ପାଏ । ତାଙ୍କ ମତରେ, ଯାହାକୁ ଆମେ ଶିଳ୍ପୀର ପ୍ରତିଭା ବୋଲି କହୁଁ, ତାହା ହେଉଚି ସେଇ ରାଗରହିଁ ବିଶିଷ୍ଟ କାରୁନିପୁଣତାର ପରିଚୟ । ସେହି ମୂର୍ତ୍ତିଟି ଧ୍ୟାନସ୍ଥ ବା ହୃଦୟସ୍ଥ ନ ହେଲେ, ଯାହାକୁ ଆମେ ଶିଳ୍ପୀର କଳାଚାତୁର୍ଯ୍ୟ କହୁ ତାହା କୌଶଳ ଓ ସାଧନ ରୂପରେ ପ୍ରକାଶ ପାଏ, କିନ୍ତୁ ଅନୁଭବ ବିଶିଷ୍ଟ ଉନ୍‌ମେଷରୂପେ ପ୍ରକାଶ ପାଏ ନା; ଫୁଲ ନ ଥାଇ ଖାଲି ପତ୍ରର ଶୋଭା ଯାହା, ତାହା ସେହିପରି ।

 

ମୁଁ ହାଁ କରି ତନ୍‌ନୁଲାଲଜୀଙ୍କ କଥା ଶୁଣୁଥିଲି, ଉଦରସାତ୍‌ କରୁଥିଲି । ସନ୍ଧ୍ୟାବେଳାରେ ଗୋରୁ ଯେମିତି ଦ୍ରୁତଗ୍ରାସରେ ପେଟ ଭରତି କରିନିଏ, ଏଣେ ତେଣେ ନ ଚାହିଁ । ସେ ଯାହା କହୁଥିଲେ ସବୁ ଭଲ କଥା, ନୂତନ କଥା, ମଜାର କଥା, ଭାବିବାର କଥା । ରୋମନ୍ଥନ କରିଛି ପରେ । ସେତେବଳେ ନୁହେଁ ।

 

ତନୁଲାଲଜୀ ବହିଲେ–

 

ଆଳାପ ଶେଷକରି ମୁହୂର୍ତ୍ତକ ପାଇଁ ବିଶ୍ରାମ ନ ନେଇ ଫୈୟାଜ୍ ଧରିଲେ ମିୟାଁକି-ମଲ୍ଲାରର ଧାମାର । ଗାନର ଚମତ୍‌କାରିତା ଖୋଲିଗଲା ! ତା ସହିତ ଲଚାଓ ଓ ଲୟକାରି ! ସୁର୍‌ ଓ ବୋଲ୍‌ ଭିତରେ ସତେ କି ଫଗୁ ଓ କଙ୍କୁମର ଛଟା ବିଞ୍ଚି ହୋଇଗଲା ! ଉଦ୍‌ଭାସିତ ହେଲା ହୋରିର ଚମକ, ପିଚକାରିର ତକ୍‌ତକ୍‌ ବାଣ, ରଙ୍ଗର ଫୁହାର (ଫୁଆରା), ଗୋୟାଲନ୍ (ଗୋପାଳୁଣୀ) ମାନଙ୍କ ହୈ-ହଲ୍ଲା, ଆଉ ବିଛୁବା (ସ୍ତ୍ରୀଲୋକଙ୍କ ପାଦ ଅଙ୍ଗୁଳିର ଅଳଙ୍କାର, ଝୁଣ୍ଟିଆ) ଓ କଙ୍କଣର ଝନତ୍‌କାର୍‍ ! ଗୋଟିଏ ଗୋଟିଏ ବାଁଟ ତାନ୍, ଆଉ ତା’ସହିତ ଶ୍ରୋତାମାନଙ୍କ ତାରିଫ୍‌ର ଐକ୍ୟତାନ । ଧାମରର ଦୋଳନ ସହିତ ସମସ୍ତେ ସମ୍ ଦେଉଥାନ୍ତି ଓ ମୁଣ୍ଡ ହଲାଉଥାନ୍ତି ! ତେଜନାରାୟଣ ସମ୍ଭାଳି ନ ପାରି ମଝିରେ ମଝିରେ କହି ପକାଉଥିଲେ– ସାବାସ୍‍, ବେଟା, ସାବାସ୍‍-! ଗହର୍‌, ମାଲ୍‌କା ଓ ଅନ୍ୟମାନେ ବିହ୍ୱଳ ଭାବରେ ଚମତ୍‌କାରିତାର ସ୍ୱାଦ ଗ୍ରହଣ କରୁଥାନ୍ତି ! ଏପ୍ରକାର ଆନନ୍ଦ ଓ ହିଲ୍ଲୋଳ ଖୁବ୍ ସଂକ୍ରାମକ, ଖାଲି ଜଣଙ୍କୁ ଧରିବାକୁ ଯା ଡେରି ।

 

କଅଣ କେତେବେଳେ ହୋଇଗଲା ବୁଝିବା ଆଗରୁ ଦେଖେ ଫୈୟାଜ୍ ଧରିଛନ୍ତି ଚଲ୍‌ତାଲୟର ଗାନ । ଆଉ ଆରମ୍ଭ କରିଛନ୍ତି ସାନ ସାନ ରଙ୍ଗିଲା ଫିକ୍‌ରବନ୍ଦୀ ତାନ୍‌ ଓ ଫିରତ୍‌ର ଖେଳ, ସେଇ ମିୟାଁକି-ମଲ୍ଲାରରେ ।

 

ଶ୍ୟାମଲାଲ, ତେଜନାରାୟଣ ଓ ଆମେ ସେତେବେଳେ କୁହାକୁହି ହେଲୁ, ପୈୟାଜ୍‌ ମସ୍ତ ହୋଇଗଲେଣି । ସେ ବର୍ତ୍ତମାନ ଯାହା ଖୁସି ତାହା କରି ପାରନ୍ତି । ଗାନ ରାଜ୍ୟରେ ତାଙ୍କର ଅସମ୍ଭବ ବୋଲି ଆଉ କିଛି ରହିଲା ନାହିଁ ! ଆହା ହା ! ସେଇ ଫୈୟାଜ୍‌, ସେଇ ଚେହେରା, ସେଇ ମସ୍ତିର ଲଗନ୍‌ ! ପାଁଚୁବାବୁ, ଆପଣତ ବର୍ତ୍ତମାନର ଫୈୟାଜ୍‌ଙ୍କୁ ଦେଖିଲେ । କିନ୍ତୁ ଯା ହେଲେ ବି ସେଦିନର ଫୈୟାଜ୍‌କୁ ଅନ୍ଦାଜ ବି କରିପାରିବେ ନାହିଁ । ସେ ଥିଲେ ଗୋଟାଏ କ୍ଷଣ, ଗୋଟାଏ ଲଗ୍ନ, ଯାହା ମୋ ଆଖି ସାମ୍‍ନାରେ ଝକ୍‌ଝକ୍‌ କରୁଛି !

 

ଗୋଟିଏ ସପାଟ୍‌ ହଲକ୍ ତାନ୍‌ର ହୁଙ୍କାରରେ ଆମର କୁହାକୁହି ସ୍ତବ୍‌ଧ ହୋଇଗଲା । ଆସାରର ମୁଣ୍ଡ ହଲାଇବା ବି ବନ୍ଦ ହୋଇଗଲା ସେଇ ତାନ୍‌ର ବୁଲନ୍ଦିରେ (ଉଚ୍ଚତା ବୋଇଲେ ଏଠାରେ ତାରା-ସପ୍ତକ ସମାନ ଉଚ୍ଚତା) ! ସଚ୍ଚା ସୁରର ଦାନା ଦେଇ ତିଆରି ହେଲେ ଏଇ ସପାଟ୍‌ ଓ ହଲକ୍‌ ଭଳି ଚମକ୍‌ଦାର୍ କାମ ଆଉ ନାହିଁ । ପୁଣି ସୁରର ଓଜନରେ କମ୍‌ବେଶି ହେଲେ ସେମିତି ଛାଇପାଉଁଶ ବି କିଛି ନାହିଁ । ଗାନର ପଦ କଥା ପଚାରୁଛନ୍ତି ? କେଉଁ ଗାନ ବା ପଦ ଶୁଣୁଥିଲି କିଛି ମନେ ନାହିଁ । ହୁଏତ ଶୁଣିବି ନାହିଁ । ହୁଏତ କେହି ବି ଶୁଣିନାହାନ୍ତି କି ପଦ ବୋଲୁଥିଲେ ସେ । ରାଗର ମୂର୍ତ୍ତି କାୟେମ୍‌ ହୋଇଗଲେ ଶ୍ରୋତାମାନେ ରାଗରହିଁ ଆରତି କରନ୍ତି । ଆରରୁହିଁ ଫୈୟାଜ୍ ମିୟାଁକି-ମଲ୍ଲାର କାୟେମ୍‌ କରିଦେଇଥାନ୍ତି । ସେତେବେଳୁ ସେଇ ମିୟାଁକି-ମଲ୍ଲାର ଚାଲିଥାଏ । ଅଥଚ ମନେହେଉଥିଲା ରାଗର ଦରିୟା ଓଲଟ-ପାଲଟ ହେଉଚି ସୁରର ତୁଫାନ ଓ ଝଟ୍‌କାରେ । ସତେ କି ଗୋଟିଏ ପରେ ଗୋଟିଏ ଢେଉ ଆସି ଆମକୁ ଟାଣି ନେଇ ଯାଉଥାଏ, ପୁଣି ଧକ୍‌କା ମାରି ପକାଇ ଦେଉଥାଏ ।

 

ତେଜ୍‌ଜୁବ୍‌ (ବିସ୍ମୟ)ଦ୍ୱାରା ତାରିଫ୍‌ର ମୁହଁ ବନ୍ଦ ହୋଇଯାଇଚି । କାରଣ ନ-ମାଲୁମ୍ ମୁମ୍‌କିନ (ଅଜଣାର ସମ୍ଭାବନା) ଚମକ୍ ଦେଇ ଯାଉଥାଏ ହର୍‌ଦମ୍‌ । ହରେକ ତାନ୍‌ ସହିତ ଠୋକ୍ ଓ ସାନ ସାନ ବୋଲ୍‌-ତାନ୍‌ ନୂଆ ନୂଆ ଶୋଭା ଧାରଣ କରୁଥିଲା । ଆଉ ମଝିରେ ମଝିରେ ଦେଖା ଦେଉଥିଲା ସେଇ ହଲକ୍ ତାନ୍‌ । କେତେ ପ୍ରକାରର କାଇଦା ଭିତରେ କେତେକ୍ଷଣ ଏମିତି ଚାଲିଥିଲା ଖିଆଲ ନାହିଁ । ଫୈୟାଜ୍ ବେଦମ୍‌ ହୋଇନାହାନ୍ତି । ଆମେ ବି କ୍ଳାନ୍ତ ହୋଇନୁ । ଶେଷରେ କେତୋଟି ଲଗାଲଗି ବୋଲ୍‌-ତାନ୍‌ ଆସି କ୍ରମଶଃ ମୋଲାୟେମ ହୋଇ ଉଭା ହେଲା ଜମ୍‌ଜମାର ମାଳା । ପୁଣି ଜମ୍‌ଜମା ବି ମିଳାଇବାକୁ ଲାଗିଲା ମୀଡ଼ ଓ ସୂତ୍‌ର ବାରିକ୍‌ (ସୂକ୍ଷ୍ମ) କାରିଗରୀ ଭିତରେ । ଆସର ଚମକିତ ହୋଇ ନିସ୍ତବ୍‌ଧ ହୋଇଯାଇଥାଏ ।

 

ଫୈୟାଜ୍‌ ଥମିଲେ । ସୁରର ଉନ୍ମାଦନାରେ ତାଙ୍କ ଆଖି ତଥାପି ଝକ୍‌ଝକ୍ ଦିଶୁଥାଏ । ମଇଫିଲ ଯେତେବେଳେ ହୃଦୟଙ୍ଗମ କଲା ଯେ ଫୈୟାଜ୍ ଏଥର ସତେ ଥମିକିଛନ୍ତି ସେତେବେଳେ ଆରମ୍ଭ ହେଲା ପ୍ରଶଂସା ଓ କୋଳାହଳ । ମୋର ଯଥାର୍ଥ ମନେହେଲା ଆ’ ପର ମାଲ୍‌କା ଗହରଙ୍କ ଗାନ ଥିଲା କଣ୍ଢେଇନାଚ ମାତ୍ର । ସେ ଯେ ଖୁବ୍ ଚମତ୍କାର ଓ ମଜାଦାର ଥିଲେ ସନ୍ଦେହ ନାହିଁ । କିନ୍ତୁ ରାଗର ଏଭଳି ଜୀବନ୍ତ ପରିଚୟ ସେଥିରେ ନଥିଲା ।

 

ଫୈୟାଜ୍ ଆସନ ଛାଡ଼ି ଉଠି ଛିଡ଼ା ହୋଇ କୌଣସି କଥା ନ କହି କି କାହାରି ଆଡ଼କୁ ନ ଚାହିଁ ସାମନାକୁ ଧୀରେ ଧୀରେ ଆଗେଇଗଲେ । ସମସ୍ତଙ୍କ ଆଖି ତାଙ୍କ ଉପରେ । ତାଙ୍କ ଦୃଷ୍ଟି ତେଜନାରାୟଣ ଓ ଶ୍ୟାମଲାଲଙ୍କ ଉପରେ । ଫୈୟାଜ୍‌ଙ୍କ ମୁହଁରୁ ସେପର୍ଯ୍ୟନ୍ତ ଲାଲ ଆଭା ବାହାରୁଥାଏ । ଆମେ ବୁଝିଲୁଁ, ପ୍ରାୟ ଦୁଇଘଣ୍ଟା ମେହେନତର ଫଳ ସିୟେ । ଶ୍ୟାମଲାଲ ଓ ତେଜନାରାୟଣଙ୍କ ସାମନାକୁ ଆସି ଆଦାବ୍‍ କରି ପୂର୍ବଭଳି ପରିଷ୍କାର ଗଳାରେ କହିଲେ : ଜନାବ୍, ଘରର ଖଣ୍ଡା ଉଞ୍ଚା ରହିଲା ତ ? ମେହେରବାନି କରି କୁହନ୍ତୁ ଏକଥା । ମୁଁ ତ ବାଃ-ଜି-ବାଃ ଓ ସାବାସ ଅସୁଲ କରିବାକୁ ଗାଇ ନ ଥିଲି !

 

ଦେଖିଲି, ତାଙ୍କର ଆଗ କଥାରେ ଯେଉଁ ପିଲାଳିଆମି ଟିକକ ଓ ହଠକାରିତା ପ୍ରକାଶ ପାଇଥିଲା, ଅଥଚ ଯାହାକୁ ଆମେ ବେ-ଆଦବୀ ବୋଲି ଧରି ନ ଥିଲୁ, ତାହା ଆଉ ନାହିଁ ।

 

ତେଜନାରାୟଣ ଆଉ ଆନନ୍ଦ ଚାପି ରଖି ନପାରି ଉଠି ଛିଡ଼ା ହୋଇ ତାଙ୍କୁ ଛାତିରେ କୁଣ୍ଢାଇ ଧରିଲେ ଓ ମଧୁର ବଚନରେ ତାଙ୍କର କେତେ ନା କେତେ ପ୍ରଶଂସା କଲେ । ଶେଷରେ କହିଲେ : ତୁମେ ଯେବେହେଲେ ଗାଇବ ଇଜ୍ଜତ୍ ଓ ତାରିଫ୍ ପାଇଁ ପରବାଏ ନ କରି, ଉମିଦ୍‌ (ଆଶା) ନ କରି ଗାଇବ । ବେଟା, ତୁମର ଝଣ୍ଡା କଦାପି ତଳକୁ ହେବ ନାହିଁ, ହରଗିଜ୍‌ ନୁହେଁ । ମନେରଖ ଏକଥା ।

 

ଅନ୍ତରର ପ୍ରସାଦ ଦେଇ ସେ ଆହୁରି କେତେ କଥା କହିଲେ, ତାଙ୍କ ନାଁ ଓ ଗୋଲାମ୍‌ ଆବ୍‌ବାସ୍‌ଙ୍କ ନାଁ ଧରି । ସେ ସବୁ କଥା ସମସ୍ତଙ୍କ କାନ ଭିତରେ ପ୍ରବେଶ କରି ମୁହଁରୁ ବାହାରି ଆସୁଥିଲା । ଚାରିଆଡ଼ୁ ନିଜର ଓ ଘରର ପ୍ରଶଂସା ଶୁଣୁ ଶୁଣୁ ତାଙ୍କ ଆଖି ମୁହଁ ଶାନ୍ତ ସ୍ୱାଭାବିକ ହେଲା । ତେଜନାରାୟଣଙ୍କ କଥା ଶୁଣି ସେ ହଠାତ୍‌ କହିଲେ : ଜନାବ୍‌, ତା’ହେଲେ ମୋ ଉଜ୍ଜତ୍ ଏଥର ଫେରାଇ ଦିଅନ୍ତୁ ।

 

ଇସ୍କୁଲ ପିଲାଏ ପ୍ରାଇଜ ଆଣିବାକୁ ଯାଇ ଯେମିତି ଛିଡ଼ା ହୋଇଥାନ୍ତି ସେମିତି ସେ ଉତ୍‍ଫୁଲ୍ଲ ହୋଇ ଛିଡ଼ାହୋଇ ରହିଲେ । ସତେ କି ଅଞ୍ଜଳି ଭରି ଉଜ୍ଜତ୍ ନେଇ ସେ ଘରକୁ ଫେରିବେ ।

 

ତାଙ୍କ କଥା ଶୁଣି ଶ୍ୟାମଲାଲ କହିଲେ : ସେ କିପରି ସମ୍ଭବ, ଭାଇ ! ତୁମେ ତ ତମାମ୍ ଇଜ୍ଜତ୍ ସଦ୍‌କା କରି ଛାଡ଼ି ଦେଇଥିଲ ! ସେ ସବୁ ତ ଦୁନିୟାଭର ବିଛାଡ଼ି ପଡ଼ିଚି, ସେ ଆଉ ଫେରିବ କିପରି ?

 

ଶ୍ୟାମଲାଲଙ୍କ ଜବାବ ଶୁଣି କିଛିକ୍ଷଣ ଅବାକ୍ ହୋଇଗଲେ ଫୈୟାଜ୍ । ତାଙ୍କ ଆଖିପତା ନରମ ହୋଇ ନମ୍ର ହୋଇଗଲା । ସତେ ବା ମନର କୌଣସି ଗୋପନ କଥା ଢାଙ୍କି ଦେବାକୁ ଚାହେଁ । ଶ୍ୟାମଲାଲ ଓ ତାଙ୍କ କଥାର ଇଶାରା କି ଚମତ୍କାର ! ଲକ୍ଷେ ଟଙ୍କା ଦେଲେ ବି ତା’ର ମୂଲ୍ୟ ହବନି । ଫୈୟାଜ୍‌ଙ୍କ ଆଖିପତା ସେମିତି ଭାବରେ ନଇଁ ଆସି ନ ଥାନ୍ତା । ନିଜ ମନକଥାରେ ନିଜେ ଏମିତି ମୋହିତ ହୋଇ ନ ଥାନ୍ତା । ପାଞ୍ଚୁବାବୁ, ଟଙ୍କାରେ ପେଟ ଭରେ, କିନ୍ତୁ ଦିଲ୍‌ ଭରେ ନା । ଦିଲ୍‌ ଭରେ ହମ୍‌ଦର୍‌ଦିର (ସହୃଦୟ ବ୍ୟକ୍ତିର) ଛୋଟ ଛୋଟ ପ୍ରାଣର କଥାରେ ।

 

ତନ୍‌ନୁଲାଲଜୀ ଟିକିଏ ଥମକିଲେ ।

 

ଶ୍ୟାମଲାଲଜୀଙ୍କ କଥାର ଅଭିସନ୍ଧି ମୁଁ ବୁଝିପାରିଲି ନାହିଁ । ତନ୍‍ନୁଲାଲଜୀଙ୍କୁ ପଚାରିବାରୁ ସେ କହିଲେ–

 

ବୁଝାଇ ଦେଉଛି । ଅନ୍ୟ କୌଣସି ଲୋକର ମଙ୍ଗଳ ପ୍ରାର୍ଥନା କରି ବା ଆକାଂକ୍ଷା କରି ନିଜର କୌଣସି ପ୍ରିୟବସ୍ତୁ ତ୍ୟାଗ ବା ଉତ୍ସର୍ଗ କରିବାକୁ କୁହନ୍ତି ସଦକା । ନିଜର ଇଜ୍ଜତ ହିଁ ଥିଲା ଫୈୟାଜ୍‍ଜୀଙ୍କ ପ୍ରିୟ । ଏହା ଖୁବ୍ ସ୍ୱାଭାବିକ । ଘରର ଇଜ୍ଜତ ରଖିବା ପାଇଁ ନିଜର ଇଜ୍ଜତ ତ୍ୟାଗ କରିହୁଏ । ତେବେ ବି ତାଙ୍କର ଦୁଶ୍ଚିନ୍ତା ଥିଲା, ଜେନାନାଙ୍କ ଆସରରେ ବସି ଦଙ୍ଗଲ କରି ଗାଇଲେ ଘରର ଇଜ୍ଜତ ହିଁ ନଷ୍ଟ ହେବ । ଘରର ଇଜ୍ଜତ ସେତେବେଳେ ଅଧିକ ପ୍ରିୟ ହେଲା । ଏକୁ ଉତ୍ସର୍ଗ କରିବାକୁ ତେଣୁ ତାଙ୍କ ମନ ବଳିଲା ନାହିଁ । ତେଣୁ ସେ ଗାଇବାକୁ ଆପତ୍ତି କରୁଥିଲେ । ତା’ପରେ ତେଜନାରାୟଣ ଯେତେବେଳେ ମାଲକାଙ୍କ ମନର ଦହନ କଥା, ତାଙ୍କ ଅପମାନଜନିତ କଷ୍ଟ କଥା କହି ଫୈୟାଜ୍‌ଙ୍କୁ ଉସକାଇଦେଲେ ସେତେବେଳେ ତାଙ୍କ ହୃଦୟ ଆଘାତ ପାଇଲା । ମନର ଦ୍ୱନ୍ଦ୍ୱର ଶେଷ ନିଆଁ ନୂଆହୋଇ ଜଳିଉଠିଲା । ସେଇ ନିଆଁରେ ଘରର ଇଜ୍ଜତ୍‌କୁ ବି ଆହୁତି ଦେବାକୁ ପଡ଼ିବ, ହୃଦୟରେ ସତ୍ୟ ଅନୁଭବର ପ୍ରତିଷ୍ଠା ପାଇଁ । ଆହା ହା ! ତା ନ ହେଲେ କଅଣ ହୃଦୟରେ ସତ୍ୟ ଅନୁଭବ ଜାଗରିତ ହେବ ! କଦାପି ନୁହେଁ । ହୃଦୟର ଅନୁଭବକୁ ଯେ ସାମନାକୁ ଆଣି ପ୍ରତ୍ୟକ୍ଷ କରି ତାକୁ ଛୋଟ କରିଦିଏ, ତା ସହିତ ବେଇମାନି କରେ, ତାକୁ ଫେରାଇ ଦିଏ, ତା’ ହୃଦୟ ଦୁଆର ଚିରଦିନ ପାଇଁ ବନ୍ଦ ହୋଇଯାଏ । ଫୈୟାଜ୍‌ଙ୍କ ପାଖରେ ସେଇ ଅଦ୍‌ଭୁତ ଅନୁଭବର ଜୟ ହେଲା । ଆଉ ଠିକ୍ ସେଇ ମୁହୂର୍ତ୍ତରେ ଘରର ଇଜ୍ଜତ୍‌କୁ ସଦ୍‌କା କରାହେଲା । ସେତିକିବେଳେ ତାଙ୍କ ହୃଦୟ ତାଙ୍କ ମୁହଁରେ ସେଇ କଥାଗୁଡ଼ିକ କୁହାଇଦେଲା– ଅବ୍ ଯୋ କୁଛ୍ ଭି ହୋ ପର୍‌ଓୟା ନ କରୁଙ୍ଗା । ସବୁ ତ୍ୟାଗ କରିବାକୁ ସେ ତୈୟାର୍‌ ହୃଦୟରେ ସତ୍ୟର ଅନୁଭୂତି ପାଇଁ । ଏଇଠି ହେଲା ସଦ୍‌କାର ଚରମ । ଶ୍ୟାମଲାଲଙ୍କ କଥାର ପେଞ୍ଚରେ ଏଇଟା ହେଲା ସବୁଠୁ ତୀବ୍ର ସତ କଥା ।

 

ସଦ୍‌କା ଯାହାକୁ କରାଯାଏ ସେ ତ ଆଉ ଫେରି ଆସେ ନା । ତାକୁ ତ ଆଉ ପୁଣି ମାଗି ହୁଏ ନା । କଣ୍ଠରୁ ସୁର ଥରେ ବାହାରିଗଲେ ତାକୁ ଯେମିତି ଫେରାଇ ଆଣିବା ଅସମ୍ଭବ, ତାହା ଯେମିତି ସାରା ଜଗତରେ ବିସ୍ତାରି ଜଗତର ସମ୍ପତ୍ତି ହୋଇଯାଏ, ସେମିତି ଫୈୟାଜ୍ ଯେଉଁ ଇଜ୍ଜତ୍‌ ଚିନ୍ତାକୁ ସଦ୍‌କା କରିଦେଲେ ସେ ଚିନ୍ତାକୁ ଆଉ ସେ ମାଗି ଫେରାଇ ଦେଇ ନ ପାରନ୍ତି । ସେହି ମୁହୂର୍ତ୍ତରେ ସେ ଚିନ୍ତା ଜଗତ ପାଖରେ, ପରମେଶ୍ୱରଙ୍କ ପାଖରେ ଗଚ୍ଛିତ ହୋଇ ରହିଗଲା । ଆଖର ପରମାତ୍ମାହିଁ ତାହାର ଗୁଣାଗୁଣ ବିଚାର କରିବେ, ଏଇ ହେଲା ଶ୍ୟାମଲାଲଙ୍କ କଥା ।

 

ଗାନ ଶେଷ ହେଲେ ବି ଫୈୟାଜ୍‌ଙ୍କ ହୃଦୟରେ ଗୋଟାଏ ଜଖମ୍‌ ରହିଗଲା । ତେଜନାରାୟଣଙ୍କ ମଧୁର କଥାରେ ସେ ଜଖମି ଦିଲ୍‌ ଶାନ୍ତି ପାଇଲା ନାହିଁ । ଉପରନ୍ତୁ ସେଇ ଝଣ୍ଡା ଓ ଇଜ୍ଜତ୍ କଥାରେ ଜଖମ୍‌ ଜାଗାରେ ହାତ ବାଜିଗଲା । ଜଖମ୍‌ ଜ୍ୱାଳାରେ ବିଚାରା ଇଜ୍ଜତ୍ ଫେରିମାଗିଥିଲା । ଏଟା କିନ୍ତୁ ହୃଦୟର ସେଇ ଗୋପନ କଥା ନୁହେଁ । ଶ୍ୟାମଲାଲଙ୍କ କଥା ତାଙ୍କ ହୃଦୟର ତନ୍ତ୍ରୀ ଉପରେ ହାତ ବୁଲାଇ ଆଣିଲା, ସେଇ ପୋଷିଦୀ (ଗୋପନ) ସୁର୍ ସବୁ ଠିକ୍ ବାଜୁଛି କି ନା ଦେଖିବା ଛଳରେ । ଜଖମ୍‌ ବି ଚାଲିଗଲା ଯେତେବେଳେ ଫୈୟାଜ୍ ଆଉ ଥରେ ଅନୁଭବ କଲେ ସେଇ ମର୍ମର ଗୁଞ୍ଜନ । ଦରଦ ଓ ଜଖମ୍‌ ଭିତରେ ଦରଦ୍ ହିଁ ବଡ଼ ହୁଏ ଯେତେବେଳେ ଅନୁଭୂତିରେ ଧରା ଦିଏ । ସେତେବେଳେ ଜଖମ୍‌ଟା ମନେହୁଏ ଅମୃତ ! କିନ୍ତୁ ଯେତେବେଳେ ଦର୍‌ଦର ସୁର୍‌ ବାଜେନା ଅନୁଭବ ମଧ୍ୟରେ, ସେତେବେଳେ ଜଖ୍‌ମୀ ଜାଗାଟା ବିଷକଣ୍ଟାରେ ବିଦ୍ଧହେବା ଭଳି ମନେହୁଏ । ଏହା ଚିକିତ୍ସା ସାନ୍ତ୍ୱନା । ଦରଦ୍‌ର ଚିକିତ୍ସା ନାହିଁ । ସେଟା ରୋଗ ନୁହେଁ, ପାଞ୍ଚୁ ବାବୁ ! ସେଟା ସୌଭାଗ୍ୟର ଉଦୟ । କେଉଁ ମୁହୂର୍ତ୍ତରେ ସେ ଦେଖାଦେବ କହିହେବ ନାହିଁ । କିନ୍ତୁ ସେ ସୌଭାଗ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

 

ଥରେ ଭାବନ୍ତୁ, ଗାଓଇୟାଙ୍କ ଅଭିମାନର ଥଳିଟା ଆମେ ଟଙ୍କା ଓ ସମ୍ମାନ ଦେଇ ବଡ଼ କରିଦେଉଁ । ନୁହେ କି ? କିନ୍ତୁ, ତାଙ୍କ ପକ୍ଷରେ ସେସବୁ ତ ଆମଦାନି ମାଲ । ଉତ୍ସର୍ଗ ପ୍ରଶ୍ନ ତ ଉଠୁନାହିଁ ସେଥିରେ । ଆମଦାନୀ ଆଶାରେ ଗୁଣୀ ଯଦି ଗାଆନ୍ତି ତେବେ ସେ ଗାନ ଓ ସୁର୍‌କୁ କଅଣ ତାଙ୍କ ହୃଦୟର ଚରମ ଉତ୍ସର୍ଗ କୁହାଯିବ ? ସେଟା ହେଲା ବ୍ୟବସାୟ । ବ୍ୟବସାୟୀ ମଦ ଅଛି, ବ୍ୟବସାୟୀ ଲୁତଫ (ଆନନ୍ଦ) ବି ଅଛି । ଗୁଣୀଙ୍କର ଯେମିତି ଅଛି, ସମଝଦାରଙ୍କର ବି ସେମିତି ଅଛି । କିନ୍ତୁ ଯଥାର୍ଥ ଗୁଣୀର ଆଉ ଗୋଟାଏ ଗୁଣ ଅଛି, ଆଉ ଗୋଟାଏ ମନ ଅଛି, ଅନ୍ୟ ପ୍ରକାର ଅନୁଭବ ଅଛି । ଏଇ ଦୁସ୍‌ରା ମନ ବ୍ୟବସାୟରେ ତୃପ୍ତି ପାଏନା । କାରଣ, ବ୍ୟବସାୟ ମଧ୍ୟରେ ନିଜକୁ ଉତ୍ସର୍ଗ କରିଦେବାର ତୃପ୍ତି ଆଦୌ ନାହିଁ । ଥାଇପାରେ ନା । ସର୍ବଦା ଭୟ, ବ୍ୟବସାୟରେ କ୍ଷତି ହବ ନାହିଁ ତ !

 

ହୃଦୟର ସତ୍ୟକୁ ଅନୁଭବ କରି ତ ସେଦିନ ଫୈୟାଜ୍ ଗାଇବାକୁ ବସିଥିଲେ । ନିଜ ଅନୁଭବର ଉତ୍ତେଜନାରେ, ନିଜ ମାଧୁରୀର ସ୍ୱାଦ ନେଇ ସେ ଦିନ ସେ ମସ୍ତ ହୋଇ ଗାଇଥିଲେ । ଗାନ ମାତ୍ର ଦୁଇଘଣ୍ଟା ସରିକି ସେ କରିଥିଲେ । କିନ୍ତୁ ମସ୍ତୀର ମାପ ତ ଘଣ୍ଟା ହିସାବରେ କରାଯାଏ ନା । ଗେଟାଏ ଯୁଗର ବ୍ୟବସାୟୀ ଲୁତ୍‌ଫ ଗୋଟିଏ ପଲକର ମସ୍ତୀ ସହିତ ସମାନ ନୁହେଁ ।

 

ଏଇ ମାତ୍ର ପଅରଦିନ ତ ଆପଣମାନଙ୍କ କଥାରେ ଫୈୟାଜ୍ ଖାଁ ସାହେବ ଗାଇଲେ । କିଛି ଆମଦାନିର ପ୍ରତ୍ୟାଶା ଥିଲା କି ? ତା’ହେଲେ ପ୍ରେରଣା ଆସିଲା କେଉଁଠୁ ? ଅବଶ୍ୟ ଆସିଥିଲା ହୃଦୟରୁ । ଦରଦ୍ ସାଙ୍ଗରେ ନେଇ ଅନୁଭବ ରାସ୍ତାଦେଇ ଆସିଥିଲା । ହୋଇପାରେ ସେଟା କ୍ଷଣିକ, ତଥାପି ସେଟା ତ ଅନ୍ତରର ହିଁ ପ୍ରେରଣା । ଫୈୟାଜ୍‌ଙ୍କ ନିଜର ଦରଦ୍‌ ବା ସୌଭାଗ୍ୟ ଉଦୟ ହୋଇଥିଲା ଆଗରୁ । ଆଉ ଆପଣମାନଙ୍କ ପକ୍ଷରେ ତାଙ୍କ ଗାନ ଶୁଣିବା ସୌଭାଗ୍ୟ ଆସିଥିଲା ସେଇ ଦରଦର ନୌକର-ଚାକର ରୂପେ, ପରେ ।

 

ତନ୍‌ନୁଲାଲଜୀ ଥମିଲେ । ତାଙ୍କ କଥାର ଅନ୍ତର୍ନିହିତ ସତ୍ୟ ଏମିତି ଗୋଟାଏ ସରଳ ସ୍ୱୟଂ ପ୍ରକାଶ ମୂର୍ତ୍ତିରେ ମୋ ମନରେ ପ୍ରତିଫଳିତ ହେଉଥିଲା ଯେ ଶୁଣାଯାଉଥିବା ଅବସ୍ଥାରେ ତାଙ୍କ କଥାର ‘ତ୍ରୀଡେନ୍‌ସ୍ୟାଲ୍‌’, ଅର୍ଥାତ୍ ଯୁକ୍ତିର ଛାଡ଼ପତ୍ର ପରୀକ୍ଷା କରିନାହିଁ । ଟିକିଏ ପରେ ପଚାରିଲି : ତା’ପରେ କଅଣ ହେଲା, କୁହନ୍ତୁ ।

 

ତନ୍‌ନୁଲାଲଜୀ କହିଲେ– କଅଣ ହେବ ! ଜଲ୍‌ସା ଶେଷ ହେଲା । ମାଲକାଙ୍କ ଜୀବନର ଗତିପଥ ବଦଳିଗଲା । କାରଣ ଏହା ଅବଶ୍ୟ ସେଦିନର ଘଟନା । ସେକଥା ଆଉ ଦିନେ କହିବି । ମାଲ୍‌କାଙ୍କ ସାମ୍‍ନାରେ । ଆଜି ନୁହେଁ । ଅସଲ କଥାଟା ପରଦିନ ଆଲୋଚିତ ହେଲା, ଫୈୟାଜ୍‌ଙ୍କୁ ପୃଥକ୍ ଭାବରେ ରାତିଏ ପାଇଁ ଜଲ୍‌ସା ଦେବା ଉଚିତ କି ନା । ଆଉ ଭୈରବୀ ମଇଫିଲ ତ ବାକି ଅଛି ।

 

ମଜ୍‌ଲିସ୍‌ର ଲୋକମାନଙ୍କ ମଧ୍ୟରେ ସେ ବିଷୟ ନେଇ ବେଶ୍‌ ବାଦବିବାଦ ହୋଇଥିଲା-। କିନ୍ତୁ ଗୋଟାଏ କଥା ସମସ୍ତେ ମାନିନେଇଥିଲେ ଯେ ଗହର୍‌ ମାଡ଼ ଖାଇଛି । ସିଂଜୀ କହିଲେ : ଭୈରବୀର ମଇଫିଲ୍‌ ଫୈୟାଜ୍‌କୁ ଦେବାକୁହିଁ ହେବ । କିନ୍ତୁ ପୁଣି ନୂଆ କରି ଫୈୟାଜ୍‌କୁ ଦେଲେ ଗହରକୁ ବି ଦେବାକୁ ହେବ । ନ ହେଲେ ଗହର୍‌ପ୍ରତି ବେ-ଇନ୍‌ସାଫି (ଅବିଚାର) କରାହେବ-। ଗହର୍‌ ବି ଧାମାର ଜାଣେ, ବିଲମ୍‌ପଦ୍‌ ଜାଣେ । ସେଦିନ ସେ ନ ଗାଇବାର କାରଣ ସେ ପ୍ରୟୋଜନ ମନେ କରି ନ ଥିଲା ।

 

ତେଜନାରାୟଣଙ୍କ ମନକୁ ସେ ଯୁକ୍ତି ପାଇଲା । ସେ ବିନା ଆପତ୍ତିରେ ରାଜି ହେଲେ । ଲଢ଼ାଇ ଦେଖିବାପାଇଁ ନୁହେଁ । ଗହର୍‌ ସେକାଳରେ ଭାରୀ ଚିଜ ସବୁ କେମିତି ଖଲାସ୍‌ କରି ଜାଣେ ସେଟା ତ ଦେଖିବା ଉଚିତ । ମୁଁ ବି ରାଜି ଥିଲି ଅନ୍ୟ କାରଣରୁ । ସେଟା ହେଲା, ଫୈୟାଜ୍‌ଙ୍କ ମୁହଁରେ ଠୁମ୍‌ରୀ ଓ ଗଜଲ୍‌ କେମିତି ଶୁଭେ ସେଟା ବି ତ ଦେଖିବା ଉଚିତ ।

କିନ୍ତୁ ଅଡ଼ୁଆ ପୁରେଇଲେ ଶ୍ୟାମଲାଲ । କହିଲେ, ଲଢ଼େଇଦେଲେ ଜଲ୍‌ସା ହୁଏତ ହୋଇପାରେ । କିନ୍ତୁ ଗାନ ହୁଏନା । ଲଢ଼େଇରେ ହାର-ଜିତ୍ ଅନିଶ୍ଚିତ । କିନ୍ତୁ ଦୁଃଖ ଓ ମନୋମାଳିନ୍ୟ ସୁନିଶ୍ଚିତ । ସେ ନିଜେ ଭୁକ୍ତଭୋଗୀ । ତେଣୁ ସେ ତାହା ସହ୍ୟ କରିପାରିବେ ନାହିଁ । ଆଉ ଗହର୍‌ ତ ହାରିଯାଇଛି । ବିଚାରାକୁ ଦୁଇ ଦୁଇ ବାର ଚୋଟ ଖୁଆଇବାରେ କି ଫାୟଦା ମିଳିବ-! ସେ ଏହା ଭିତରେ ତେଣୁ ରହିବେ ନାହିଁ । ବରଞ୍ଚ ଏକେଲା ଫୈୟାଜ୍ ପାଇଁ ଜଲ୍‌ସା ଦେବା ଉଚିତ ।

ଶ୍ୟାମଲାଲଙ୍କ କଥା ମୁଁ ଓ ତେଜନାରାୟଣ ସ୍ୱୀକାର କରିନେଲେ ବି ସିଂଜୀଙ୍କ ବୈଠକୀ ଇୟାର୍‌ମାନେ କହିଲେ : ଗହର୍‌ ଦିନେ ମାଡ଼ ଖାଇଛି ବୋଲି ପୁଣି ଆଉ ଦିନେ ଯେ ମାଡ଼ ଖାଇବ ଏମିତି କିଛି କଥା ନାହିଁ । ଆଉ ସେ ଭୟ ଯଦି ଥାଏ ତେବେ ବନାରସ୍‌କୁ ତାର ପଠାଇ ମୌଜୁଦ୍‌ଦୀନକୁ ଅଣାଇ ନିଆଯାଉ । ଗୋଟାଏ ପଟେ ମାଲ୍‌କା ଓ ଫୈୟାଜ୍ । ଅନ୍ୟ ପଟରେ ଗହର୍‌ ବିଚାରା ଏକା । ଏଥିରେ କି ନ୍ୟାୟ ବିଚାର ହେବ ? ଇତ୍ୟାଦି ।

ଆମେ ଦେଖିଲୁ କୁରୁକ୍ଷେତ୍ରଭୂତ ବୋଧହୁଏ ୟାଙ୍କୁ ମାଡ଼ି ବସିଛି । ଶ୍ୟାମଲାଲ ଆସନ ଛାଡ଼ି ଛିଡ଼ା ହୋଇ କହିଲେ : ଆପଣମାନେ ଯୋ ସୁଖୀ କରନ୍ତୁ । ମୁଁ କାଲି ସକାଳେ କାଶୀ ରଓୟାନା ହୋଇଯିବି । ତିତ୍ତିର ଲଢ଼େଇ ମୁଁ ଦେଖିପାରିବି ନାହିଁ ।

 

ଶ୍ୟାମଲାଲଙ୍କ କଥାରେ ଆମେ ଡରିଗଲୁଁ । ଶ୍ୟାମଲାଲ ରାଗିଲେ କି ମୂର୍ତ୍ତି ଧରନ୍ତି ତା ତ ଆପଣମାନେ ଜାଣନ୍ତି ନାହିଁ । ଯାହାହେଉ, ଶ୍ୟାମଲାଲ ଥିବେ ନାହିଁ, ଆଉ ଆମେ ମଜା କରିବୁ, ଏ ତ ଆଉ ହୋଇପାରେନା । ମୁଁ କହିଲି : ତା’ହେଲେ ଖାଲି ଫୈୟାଜଙ୍କୁ ଅଣାଯାଉ, ରାତିକପାଇଁ, ଖାସ୍‌ କରି ।

 

ସିଂଜୀ ତରଫର ଅର୍ଥାତ୍‌ ଗହର୍ ତରଫର ବନ୍ଧୁମାନେ କହିଲେ : ତା’ହେଲେ ଗହର୍‌ ପ୍ରତି ନିୟାୟେତ୍ ଅବିଚାର କରାହେବ । ତା’ର ବି ତ ଗୋଟାଏ ହକ୍ ଅଛି, ଇଜ୍‌ଜତ୍‌ ଅଛି ।

 

ମୁଁ ସେଇଠୁ କହିଲି : ଆଚ୍ଛା, ଭୈରବୀର ମଇଫିଲ ଦେଇ ଫୈୟାଜ୍‌ଙ୍କ ଖାତିର କରାଯାଉ, ଅଲଗ୍‌ ଭାବରେ । ଆଉ ଗହର୍‌ଙ୍କ ଧାମାର ବିଲମ୍‌ପଦ୍ ହେଉ ରାତିର ଜଲ୍‌ସାରେ । ଖାସ୍ ଗହରଙ୍କ ଖାତିର୍ ପାଇଁ, ହେଲା ?

 

କିନ୍ତୁ ସେଥିରେ ଫୟସ୍‌ଲା ହେଲା ନାହିଁ । ଇୟାର୍ ଦଳକ କହିଲେ : ତ ! ହୋଇପାରେନା । ଗୋଟିଏ ଜିୟାଫତ୍‌ରେ (ନିମନ୍ତ୍ରଣରେ) ଯେତେବଳେ ଦୁଇଜଣଙ୍କୁ ଲଢ଼େଇଦିଆଯାଇଛି ସେତେବେଳେ ଦୁସ୍‌ରା ପାଲ୍‌ଟା ଜିୟାଫତ୍‌ରେ ସେ ଦୁହିଁଙ୍କ ଗାଇବା ଉଚିତ । ଆଗେ ଫୈୟାଜ୍ ଗାଇବେ, ପରେ ଗହର୍‌ ।

 

ଫଳରେ କୌଣସି ମୀମାଂସା ହୋଇପାରିଲା ନାହିଁ । ଜଲ୍‌ସା ମୁଲ୍‌ତୁବୀ ରହିଲା । ପାଁଚୁବାବୁ ! ଶିଳ୍ପୀର ସୁଖ-ଦୁଃଖ କଥା ଭୁଲିଯାଆନ୍ତୁ । କେବଳ ସମଝ୍‌ଦାରଙ୍କ ଓ ଶୁନ୍‌ନେଓୟାଲାଙ୍କ ମନର ଜିଦ୍‌-ଜଖମ୍‌ର ଲଢ଼ାଇ ତାମସା ଦେଖନ୍ତୁ । ଫୁଲର ଲେଣ୍-ଦେଣ୍‌ ହୁଏ ଭଓଁରା ସହିତ । ଆଉ କଣ୍ଟା ଏକା ପଡ଼ିଥାଏ ନିଜ ଅଭିମାନରେ ମଜ୍‌ବୁତ୍‌ ହୋଇ । ଫୁଲ ଝରିଯାଏ । କଣ୍ଟାର କିନ୍ତୁ ହଲ୍‌ଚଲ୍‌ ନାହିଁ ।

 

ସେ ସବୁକଥା ଥାଉ । ଗୋଟାଏ କଥା ଭାବ । ସେଇ ନଓଜଓୟାନ୍ ଫୈୟାଜ୍‌ଙ୍କ ମନରେ ଗୋଟାଏ ଦୁଷ୍‌ମନିର କଣ୍ଟା ପୟଦା ହେଲା ଗହର ପ୍ରତି । ବୋଧହୁଏ ଏଇ କାରଣରୁ ଯେ ସେ ଆସରରେ ଗହର ଗୋଟାଏ ଫୁତ୍‌କାରରେ ଲିଭାଇ ଦେଇଥିଲା ମାଲ୍‌କାର ରୋଶନି । ସେ ଆକ୍ରୋଶ ଫୈୟାଜ୍ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି । ସ୍ଥଳେ ସ୍ଥଳେ ବିଦ୍ୱେଷର କଣ୍ଟା ଆମରଣ ରହିଯାଏ । ରକ୍ତମାଂସର ମଣିଷ କେତେଆଡ଼େ କେତେ ଯୁଦ୍ଧ କରିପାରିବ ! ତେଣୁ ଯଦିବା ସେମିତି କଣ୍ଟା ଗୋଟାଏ ଦୁଇଟା ରହିଗଲା ତେବେ କଅଣ କୁହାଯିବ ଜୀବନ ବ୍ୟର୍ଥ ହୋଇଗଲା ନା ଗୁଣୀଙ୍କ ସାଧନା ବ୍ୟର୍ଥ ହୋଇଯାଏ ସେଥିରେ ?

 

ତନ୍‌ନୁଲାଲ ଖାଣ୍ଟି ସତ ଓ ବାସ୍ତବ କଥା କହିଲେ । ମନର କଣ୍ଟା କେବଳ ଦୁଃଖହିଁ ଦେଇପାରେ । ମୁଖାଗ୍ରରେ ଆକ୍ରୋଶ ଧରି ସେ ସଦା ସଜାଗ ରହିପାରେ । କିନ୍ତୁ ଜୀବନକୁ ବ୍ୟର୍ଥ କରିପାରେନା । ଫୁଲ ଯେତେବେଳେ ଫୁଟେ, କଣ୍ଟା ଥିଲେ ବି ଫୁଟେ । ଯେତେବେଳେ ଫୁଟେ ନା ସେତେବେଳେ କଣ୍ଟା ଥିଲେ ବା କଅଣ, ନଥିଲେ ବା କଅଣ !

 

*             *             *

 

ଆଫ୍‌ତାବ୍-ଏ-ମୌସିକୀ ଫୈୟାଜ୍ ଖାଁ ସାହେବ ତକ୍‌ଦିର୍ ପୂରା କରି କଲିକତାବାସୀ ସଙ୍ଗୀତାମୋଦୀ ସର୍ବସାଧାରଣଙ୍କ ହୃଦୟ ହରଣ କରିନେଇଛନ୍ତି । ଥରେ ନୁହେଁ । ପ୍ରତିବର୍ଷ ଓ ବାରମ୍ୱାର । ପୌଢ଼ତ୍ୱର ଆବରଣରେ କାଳ ତାଙ୍କୁ ଘେରିପକାଇଛି । ତଥାପି ସେ ଆବରଣ ଭେଦ କରି ପ୍ରତିଭାର ରଶ୍ମିଚ୍ଛଟା ପ୍ରକାଶ ପାଇଛି । ବର୍ତ୍ତମାନ ଦୃଶ୍ୟ ଓ ପଟ୍ଟଭୂମିକାକୁ ଅପୂର୍ବ ଅଭିନବ ମାହାତ୍ମ୍ୟରେ ମଣ୍ଡିତ କରିଛି । ବର୍ତ୍ତମାନ, ଅର୍ଥାତ୍ ନିକଟ ଅତୀତର ସ୍ମୃତି ମଧ୍ୟ ନିଜସ୍ୱ ପୁଷ୍ପସମ୍ଭାର ନେଇ ଅପେକ୍ଷା କରୁଛି, ବିଭିନ୍ନ ସମୟ ମଧ୍ୟରେ, ବିଭିନ୍ନ ଆବେଶ ଭିତରେ, ବିଭିନ୍ନ ଦୃଷ୍ଟିଭଙ୍ଗୀରେ । ସମସ୍ତଙ୍କ ମନକଥା ତ ମୁଁ ଜାଣେନା । ଜାଣିବାର ସ୍ପର୍ଦ୍ଧା ବି ନାହିଁ । ମୁଁ ଜାଣେ କେବଳ ମୋ ମନକଥା । ନିଜସ୍ୱ ଅନୁଭବର ସୁଖ-ସ୍ମୃତିଟିକକ ବୁଝେ ।

 

ଯେତେବେଳ ଯାଏଁ, ଯେଉଁ ମୁହୂର୍ତ୍ତ ପର୍ଯ୍ୟନ୍ତ ଏଇ ପୌଢ଼ ରସିକଙ୍କ ସଙ୍ଗୀତ ଉପଭୋଗ କରିଛି ସୁରର ଇନ୍ଦ୍ରଜାଲ ଭିତରେ ବନ୍ଦୀ ହୋଇ, ସେତେବେଳ ପର୍ଯ୍ୟନ୍ତ ଅତୀତ ମୋତେ ଟାଣି ନେଇ ପାରି ନାହିଁ ବର୍ତ୍ତମାନର ପରିବେଶରୁ । ବନ୍ଦୀଦଶାର ଅବସରରେ ଭାବିଛି, ବର୍ତ୍ତମାନର ଯାହାକିଛି ରମଣୀୟ, ବରଣୀୟ, କେବଳ ସେଇସୁବୁହିଁ ତ ଅତୀତ ପ୍ରସ୍ଥପାଇଁ ସ୍ମରଣୀୟ ହୋଇ ରହିବ । ତେଣୁ ବର୍ତ୍ତମାନର କୌଣସି ମୁହୂର୍ତ୍ତ ଅବହେଳା କରିବି ନାହିଁ, ଅପମାନିତ କରିବି ନାହିଁ, ଅତୀତର ଅନ୍ୟ କାହା ସହିତ ତୁଳନା କରିବି ନାହିଁ ।

 

ଯେତେଥର ଗାନ ଶେଷ ହୋଇଚି ସେତେଥର ମୋର ସମାଲୋଚକ ମନ ସ୍ଥୈର୍ଯ୍ୟ ସଞ୍ଚୟ କରି ଉପସଂହାର ଦିଗନ୍ତକୁ ଚାହିଁ କହିଚି– ଆବ୍‌ବାସ୍ ଖାଁ ଘରର କୁଳପ୍ରଦୀପ ଏଇ ଫୈୟାଜ୍ ଖାଁ ସାହେବଙ୍କୁ ଅନାଦିନିଧନ କାଳ ବହନ କରି ନେଆସିଚି, ମାତ୍ର ଏଇ କାରଣରୁ ଯେ କାଳ ଏହାକୁ ଅବଲୁପ୍ତ କରି ପାରି ନାହିଁ । ହେଲେ, ବହନ କରିଥିବା ଯୋଗୁଁ ସେ କାଳସ୍ରାତର ଗର୍ବ କରିବାର କିଛି ନାହିଁ । ଏଇ ଦୀପଶିଖାର ବିଚିତ୍ର ଜ୍ୟୋତି, ଅଦ୍‌ଭୁତ ମହିମା ଦେଶକାଳର ଉଦ୍‌ଭ୍ରାନ୍ତ ପ୍ରବର୍ତ୍ତନାକୁ ଉପେକ୍ଷା କରି, ଅତିକ୍ରମ କରି, ଅବହେଳା କରି ଚାଲିଛି ଯୁଗାନ୍ତରର ପଥକୁ ସମୁଜ୍ଜ୍ୱଳ କରି । ଯୁଗେ ଯୁଗେ ସଙ୍ଗୀତର ପୂଜାରୀ ପ୍ରଦୀପ ହାତରେ ଧରି ଅପେକ୍ଷା କରିଥାନ୍ତି । ଅଗ୍ନିସଂଗ୍ରହ ଅପେକ୍ଷା ସେ । କେହି ବା ସଂପ୍ରଦାୟର ଶିଷ୍ୟ ହୋଇ, କେହି ବା ଅସାଂପ୍ରଦାୟିକ ସମାଲୋଚକ ରୂପେ । ଜ୍ଞାତସାରରେ ବା ଅଜ୍ଞାତସାରରେ-ଏହି ମହାନ୍ ତେଜଃପୁଞ୍ଜ ପୁରୁଷଟି ଅକାତର ଭାବରେ, ଅବଲୀଳାକ୍ରମେ କେତେ ଆଡ଼େ କେତେ ପ୍ରକାର ପ୍ରଦୀପରେ ଅଗ୍ନି ସଞ୍ଚାର କରିଯାଇଛନ୍ତି ! ଶିଳ୍ପ-କଳା ତୀର୍ଥରେ ଅପରିମେୟ ଜନସମାଗମ ଓ ଅନିୟତ କଳରବ ମଧ୍ୟରେ ହୁଏତ ଆମେ ନିଜ ନିଜ ଋଣ ସ୍ୱୀକାର କରିବାକୁ ଭୁଲିଯାଉ । ତଥାପି ସେ ଋଣ ଜମା ହୋଇ ରହେ ଯାତ୍ରାପଥରେ ପ୍ରତି ପଦଚିହ୍ନ ମଧ୍ୟରେ । କୀର୍ତ୍ତିମାନ୍‌ର କୀର୍ତ୍ତି ଓ ଗୁଣମୁଗ୍‌ଧର କୃତଜ୍ଞତାରେ ପ୍ରୀଣିତ, ଆସ୍ତୀର୍ଣ୍ଣ ସେଇ ଛାୟାପଥ । ଯଦିବା ଆମେ କୌଣସି ବିଶେଷ ଐତିହାସିକ ଋଣ ସ୍ୱୀକାର କରିବାକୁ ଭୁଲିଯାଉ, ସେଥିରେ କିଛି କ୍ଷତି ନାହିଁ । କାରଣ, ସେହି ଛାୟାପଥର ଅଲୌକିକ ମାଧୁର୍ଯ୍ୟ ଯେ ବାରେ ହେଲେ ବି ଅନୁଭବ କରିଛି ସେ ସେହି ମୁହୂର୍ତ୍ତରେହିଁ ଚିରନ୍ତନ ନିର୍ବିଶେଷ ଭାବରେ ଋଣ ସ୍ୱୀକାର କରିଦେଇଛି ।

 

ଜାପାନୀ ଆତଙ୍କବେଳେ କଲିକତା ଛାଡ଼ି ଚାଳିଯିବାବେଳେ ଭାବିଲି, ଖାଁ ସାହେବଙ୍କୁ ଦର୍ଶନ କରି ଶେଷ ଆଦାବ୍‌ ଜଣାଇ ଯିବି । ଗୋସାଁଇ, ଅର୍ଥାତ୍‌ ଜ୍ଞାନ ଗୋସ୍ୱାମୀ କହିଲେ, ସଙ୍ଗୀତ ଜଲ୍‌ସା ଭିତର ଯେକୌଣସି ଏକ ସନ୍ଧ୍ୟାରେ ଭୂପେନ ବାବୁଙ୍କ ଘରେ ଖାଁ ସାହେବଙ୍କ ସହିତ ନିଭୃତ ଦର୍ଶନ ହୋଇପାରେ । (ଜ୍ଞାନ ଗୋସ୍ୱାମୀ ଥିଲେ ଏକଦା ବଙ୍ଗଳାର ବିଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତଜ୍ଞ-ଅନୁବାଦକ)

 

ସନ୍ଧ୍ୟାବେଳକୁ ଅଳ୍ପକ୍ଷଣ ଜଲ୍‌ସାରେ ଯୋଗଦେଇ ବିଦାୟ ନେବାବେଳେ ମନେହେଲା, ଖାଲି ହାତରେ ତ ଯିବା ଭଲ ନୁହେଁ । ପୂର୍ବର କୁସୁମାଞ୍ଜଳି କଥା ମୁହୂର୍ତ୍ତକ ଭିତରେ ମୋ ମନରେ ସ୍ପଷ୍ଟ ଅଙ୍କିତ ହୋଇଗଲା ।

 

ନାନା କଥା ଚିନ୍ତା କରୁ କରୁ ଶ୍ୟାମବଜାରରୁ ଗ୍ଳୋବ ନର୍ଶାରୀ ଗଲି, ଗୋଲାପଫୁଲର ଦୁଇଟି ତୋଡ଼ା ନେଲି, ଆଉ ଗଲି ପାଥୁରିୟାଘାଟସ୍ଥ ଭୂପେନ ଘୋଷ ମହାଶୟଙ୍କ ଘରକୁ । ଦୁଇଟି ତୋଡ଼ାର ଅର୍ଥ- ଗୋଟିଏ ବର୍ତ୍ତମାନର ଓ ଅନ୍ୟଟି ଅତୀତର ସ୍ମାରକ ।

 

ଉପର ମହଲାରୁ ଉଠି ଖାଁ ସାହେବଙ୍କ ବିଶ୍ରାମ-ପ୍ରକୋଷ୍ଠକୁ ଯିବା ମୁହଁରେ ଈଷତ୍‌ ଆଲୋକିତ ଯିବା ବାଟରେ ଦେଖିଲି ଜଣେ ପଶ୍ଚିମା ମୁସଲମାନ ଗୋଟିଏ ଢଙ୍କା ହୋଇଥିବା ପ୍ଲେଟ ଓ ପାନୀୟ ସମ୍ଭାର ନେଇ ମୋ ପାଖଦେଇ ସେଇ ଘରକୁ ଗଲା । ଛାତିଟା ଦମ୍‌କିନା ହେଲା – ତେବେ କଅଣ ଅସମୟରେ, ଖାଁ ସାହେବଙ୍କ ନାସ୍ତା ସମୟରେ, ଉପସ୍ଥିତ ହେଲି ? କିନ୍ତୁ ଯିବାକୁହିଁ ହେବ ।

 

ଉପର ଘରଗୁଡ଼ିକ ଜନଶୂନ୍ୟ । ଆଗକୁ ଯାଇ ବାଙ୍କ ଘୁରି ଦେଖିଲି, ଖାଁ ସାହେବଙ୍କ ଘରର ମେଲା ଦୁଆର ବାଟେ କମଳାରଙ୍ଗର ସ୍ତିମିତ ଆଲୋକର ଆଭାସ ଦିଶୁଛି । କବାଟ ପାଖକୁ ଯାଇ ଉଙ୍କି ମାରିବାରୁ ଦେଖିଲି, ଖାଁ ସାହେବ ନିଦରେ ଶୋଇଛନ୍ତି । ଶରୀରର ନିମ୍ନଭାଗ ଉପରେ ପଡ଼ିଚି ଖଣ୍ଡେ ପାତଳ ଚାଦର । ଘର ଭିତରେ ଗୋଟିଏ ଟେବୁଲ୍‌ ଲ୍ୟାମ୍ପ ଜଳୁଚି । କାରୁକାର୍ଯ୍ୟକରା କମଳା ରଙ୍ଗର ଗୋଟିଏ ଝାଲର ତାକୁ ଘେରି ରହିଚି । ଗୋସାଁଇ ଖାଁ ସାହେବଙ୍କ ପିଠିପଟେ ବସି ତାଙ୍କୁ ଆଉଁସୁଛନ୍ତି । ମଥା ପଛରେ ରହିଥିବା ସେଇ ଆଲୁଅ ଖାଁ ସାହେବଙ୍କ ମୁଖର ଛାୟା ରଚନା କରିଚି । କିନ୍ତୁ ଗୋସାଁଇଙ୍କ ମୁହଁରେ ରକ୍ତିମ ଆଭା । ଆଖି ଦୁଇଟି ତାଙ୍କର ଭାବାବେଗରେ ଢୁଳୁଢୁଳୁ । ଅଦୂରସ୍ଥ ଗୋଟିଏ ଟେବୁଲ ଉପରେ ଖାଦ୍ୟ ପାନୀୟର ଆୟୋଜନ । ଖାଁ ସାହେବ ଅସୁସ୍ଥ ନୁହନ୍ତି,କ୍ଳାନ୍ତ । ଗୋସାଁଇ ମୋତେ ସଙ୍କେତ ଦେଇ ବସିବାକୁ କହିଲେ ।

 

ଖାଁ ସାହେବଙ୍କ ସ୍ୱପ୍ନାଳୁ ମୁହଁକୁ ଭଲକରି ଦେଖିଲି । ପୂର୍ବ ସହିତ ତୁଳନା କରିବା ପାଇଁ ନୁହେଁ, ବର୍ତ୍ତମାନର ସମାଦର କରିବା ବାସନାରେ । ଯୌବନ ଚାଲିଯାଇଛି ଗୋଟିକ ପରେ ଗୋଟିଏ ରେଖାପାତ କରି । ନିଦ୍ରିତର ଧୀର ମନ୍ଥର ଶ୍ୱାସ ଅନୁକ୍ରମରେ ସେଇ ରେଖାଗୁଡ଼ିକ ଦେଖାଯାଉଥିଲା ଓ ମିଳେଇ ଯାଉଥିଲା । ପୌଢ଼ତ୍ୱର ଯେଉଁ ପରିପାଟୀ, ଯେଉଁ କଳୋଚିତ କାଠିନ୍ୟ ଦର୍ଶକ ମନରେ ସ୍ୱତଃ ସମ୍ଭ୍ରମ ଜଗାଏ; ସେଇ ପରିପାଟୀ, ସେଇ ସଂଯମ, ହୋଇଯାଇଛି ଶିଥିଳ, ଅବଲୁପ୍ତ । କ୍ଳାନ୍ତିର ଆବେଶରେ ? ନା ସୁଖବିଶ୍ରାନ୍ତିର ଆଲିଙ୍ଗନରେ ? ଲାଲ ଆଲୁଅ ଓ ଅସ୍ୱାଭାବିକ ଛାୟାପାତ ହେତୁ ତାଙ୍କ ମୁଖମଣ୍ଡଳ ଅଦ୍‌ଭୁତ, ଅବର୍ଣ୍ଣନୀୟ ରୂପ ନେଇଛି । ସେ ଗାଇବାବେଳେ ତ ଏଭଳି ଦିଶନ୍ତି ନାହିଁ ।

 

ଖାଁ ସାହେବ କଅଣ ସୁଷୁପ୍ତ ? ନା ତନ୍ଦ୍ରା ଓ ସ୍ୱପ୍ନର ଅଲୌକିକ ସମାଧି ରଚନା କରି ତା ଭିତରେ ନିଜକୁ ହଜେଇଦେବାର ଚେଷ୍ଟା କରୁଛନ୍ତି ? ବର୍ତ୍ତମାନ ଗୌରବର ଶିଖରଦେଶକୁ ଉଠି ସେ କ୍ଳାନ୍ତ, କାତର, ନିଃସଙ୍ଗ । କିନ୍ତୁ ଅତୀତର ଗଭୀରତା ଭିତରେ ତାଙ୍କ ଆପଣାର ବୋଇଲେ ସବୁ, କେତେ କଅଣ ଅଛି ।

 

ମନେ ପଡ଼ିଗଲା ଗୋଟିଏ ପଦ–

 

ଅବ୍‌ତୋ ଶୋନେ ଦେଓ ଚୟେନ୍‌ସେ,

ପଢ଼ୋନା ତଲ୍‌କିଁ, ଲହଦ୍‌ସେ ଯାଓ ।

 

ଅତୀତର ପୁଞ୍ଜୀକୃତ ସୁଖ-ସ୍ୱପ୍ନର ସମାଧି ରଚନା କରି ଏହି ବ୍ୟକ୍ତି ସତେ କି ତା ଭିତରେ ଶାୟିତ ! ଆଜୀନନ ପ୍ରେମାସ୍ପଦ ଯଶଃସୁନ୍ଦରୀ ଜାଗ୍ରତ ଧ୍ରୁବତାରା ହୋଇ ୟାଙ୍କ ଚେତନା ମହାପ୍ରାଣକୁ ଆମରଣ ପରିଚାଳିତ କରିଆସିଛି । କେତେ ଯତ୍ନ, କେତେ ଶ୍ରମ ସ୍ୱୀକାର କରି ସେଇ ସୁନ୍ଦରୀର ସାଧନା ଓ ମନତୁଷ୍ଟି ନ କରିଛନ୍ତି ଏହି ଖ୍ୟାତିମାନ୍ ପୁରୁଷ ! ଜୀବନର ଅପରାହ୍ନରେ କ୍ଷଣକର ବିରତି ଓ ନିର୍ଦ୍ୱନ୍ଦ୍ୱ ବିଶ୍ରାମହିଁ ତାଙ୍କ କାମନା । କିନ୍ତୁ ତାଙ୍କ ଖ୍ୟାତି ବାହାର ଜଗତରେ ପ୍ରସରିଯାଇଛି । ସାଧାରଣଙ୍କ ସାଧୁବାଣୀରେ ମୁଖରିତ ସେ ଖ୍ୟାତି । କର୍ଣାମୃତରସାୟନର ଗୋପନ ରୂପରେ ସେଇ ଯଶଃସୁନ୍ଦରୀ ୟାଙ୍କୁ ବିଶ୍ରାମ ଦେଉନାହିଁ । ସେଇ ସୁନ୍ଦରୀ ୟାଙ୍କୁ ବାରମ୍ୱାର କହୁଛି, ମୋତେ ମନେ ଅଛି ତ ? ମୋତେ ଯେମିତି ନ ଭୁଲ ।

 

ସ୍ୱପ୍ନବିହ୍ୱଳ ପ୍ରତିଭା ପକ୍ଷରେ ଏହାଠୁଁ ବଳି ମହାସ୍ମରଣ ତଲ୍‌କିଁର ଆଉ କି ପାଠଭେଦ ହୋଇପାରେ ! ସେଥିପାଇଁ ତ ଏଇ ଶ୍ମିଥ ଶିଥିଳ ମୂର୍ତ୍ତି କହୁଚି : ମନେ ଅଛି, ମନେ ଅଛି । କିନ୍ତୁ ତୁମକୁ ମୋ ରାଣ ! ଅନ୍ତତଃ ଏହିକ୍ଷଣି ମୋତେ ସୁଖନିଦ୍ରା ଭୋଗ କରିବାକୁ ଦିଅ । ମୃତ, ପଚା ଦେହର ଆଶ୍ରୟଭୂମି ଏଇ ଯେ କବର ଏଟା ତ ଅଶୁଚି । ଏଠୁ ଚାଲିଯାଅ, ଦୂରକୁ ଚାଲିଯାଅ, ହେ ମାନସୁନ୍ଦରୀ ! ଏଇ ଗଳିତ-ମୃତର ବେଦୀରେ ତୁମର ତଲ୍‌କିର ସ୍ମାରକ ମନ୍ତ୍ର ପାଠ କଭିବା ଦରକାର ନାହିଁ ।

 

ଯଥାର୍ଥ କଥା । ଅତୀତର ଓ ବର୍ତ୍ତମାନର ତୁଚ୍ଛ ଅକିଞ୍ଚନ ସ୍ମରଣମନ୍ତ୍ର ଭଳି ଯେଉଁ ଫୁଲତୋଡ଼ା ଦୁଇଟି ଆଣିଛ ସେଥିରେ ଏଇ ଶାନ୍ତନାମୀ ଚିତ୍ତର ସ୍ୱପ୍ନଭେଦ ଘଟାଇବା ଉଚିତ କି ? ମୋ ସ୍ମୃତିର ଅତୀତ ଦ୍ୱାରା ତାଙ୍କ ସ୍ମୃତିକୁ ଆଲୋଡ଼ିତ କରି ବର୍ତ୍ତମାନର ତରଙ୍ଗ ସୃଷ୍ଟି କଲେ ଅସ୍ୱାଭାବିକ ନିଷ୍ଠୁରତାହିଁ ହେବ ନାହିଁ କି ? କେଉଁଥିପାଇଁ ବା ? କଅଣ ଏମିତି ସୁଖ ଅବଶିଷ୍ଟ ଅଛି ଯାହା ଲୋଭରେ ସେ ଜାଗିବେ ତାଙ୍କ ଅତୀତ ସହିତ ମୋର ସାମାନ୍ୟ ତୃପ୍ତି ସାଧନ ପାଇଁ ?

 

ଏତିକିବେଳେ ଖାଁସାହେବ କଡ଼ ଲେଉଟାଇବା ଛଳରେ ଅର୍ଦ୍ଧଜାଗ୍ରତ ଆଖିରେ ଚାହିଁଲେ-। ତନ୍ଦ୍ରାଜଡ଼ିତ ଆଖିରେ ଅଳ୍ପକାଳ ପାଇଁ ମୋ ଆଡ଼େ ଚାହିଁଲେ । ସେଇ ମୁହୂର୍ତ୍ତର ଅବସରରେ ମୁଁ ତାଙ୍କୁ ତୋଡ଼ା ଦୁଇଟି ଅର୍ପଣ କରିବାର ଚେଷ୍ଟା କରନ୍ତେ ସେ ଦୁଇଚାରି ସେକେଣ୍ଡ ପାଇଁ ହାତ ବଢ଼ାଇ ଗୋଟିଏ ତୋଡ଼ା ଗ୍ରହଣ କଲେ । ଗୋସାଇଁଙ୍କ ଆଡ଼କୁ ଅନାଇ ସ୍ୱପ୍ନରେ କହିବା ଭଳି ଅସ୍ପଷ୍ଟ ଭାବରେ କହିଲେ : ସୁନ୍ଦର ! ଏଇ ଗୁଲ୍‌ଦସ୍ତା !

 

କିଛିକ୍ଷଣ ଅନାଇ ରହିବା ପରେ ତାଙ୍କ ହାତ ଶିଥିଳ ହୋଇଗଲା । ଗଭୀର ନିଶ୍ଚିନ୍ତ ଗୋଟାଏ ଶ୍ୱାସ ନେଇ ସେ ପୁଣି ସ୍ୱପ୍ନର ରହସ୍ୟଲୋକକୁ ଚାଲିଗଲେ । ତାଙ୍କ ହାତରୁ ସେଇ ତୋଡ଼ାଟି ପଡ଼ିଗଲା । ବୁଝିପାରିଲି ନାହିଁ, ତନ୍ଦ୍ରାରେ ସେ କେଉଁଟିକୁ ସ୍ପର୍ଶ କଲେ, ଅତୀତରଟିକୁ ନା ବର୍ତ୍ତମାନର ?

 

ଅତି ସନ୍ତର୍ପଣ ସହ ମୋ ହାତରେ ଥିବା ତୋଡ଼ାଟି ସେ ତୋଡ଼ା ପାଖରେ ଥୋଇଦେଲି-। ସେଇ ଘୁମନ୍ତ ମୂର୍ତ୍ତି ଉଦ୍ଦେଶ୍ୟରେ ମୋର ଆନ୍ତରିକ ଶ୍ରଦ୍ଧା ଓ ନମସ୍କାର ନିବେଦନ କରି ବାହାରି ଆସୁଥିବାବେଳେ ଦେଖିଲି ଅବିଚଳ ପ୍ରହରୀ ଭଳି ଗୋସାଁଇ ବସି ରହିଛନ୍ତି ।

 

[ଯେଉଁ ଆସରରେ ନାରୀ ଗାଉଛନ୍ତି ସେ ଆସରରେ ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ତାଙ୍କ ଖାନ୍‌ଦାନିର ଖିଲାଫ୍ ହେବ ବୋଲି ଫୈୟାଜ୍ ଖାଁ ସାହେବ ପ୍ରଥମେ ଗାଇବାକୁ ରାଜି ନ ହୋଇ ପରେ କେଉଁ ପରିସ୍ଥିତିରେ ପୁଣି ରାଜି ହେଲେ ତାହାର ଅତ୍ୟନ୍ତ ମର୍ମସ୍ପର୍ଶୀ ବିବରଣୀ ଲେଖକ ଦେଇଛନ୍ତି । ପ୍ରେମିକାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଖାଁ ସାହେବ ଖାନ୍‌ଦାନିର ଇଜ୍ଜତ୍ ଫିଙ୍ଗିଦେଇ କହିଲେ, ଅବ୍ ଯୋ କୁଚ୍ଛ ଭି ହୋ ପର୍‌ଓୟା ନ କରୁଙ୍ଗା । ଖାଁ ସାହେବଙ୍କ ଗାନ ପରେ ଗହର୍‌ଜାନ୍‌ଙ୍କ ପ୍ରତିଷ୍ଠା ମ୍ଳାନ ପଡ଼ିଗଲା । ଏ ଘଟନାଟିରେ ପ୍ରେମିକ ଫୈୟାଜ୍‍ଙ୍କ ମହତ୍ତ୍ୱ ପ୍ରତିଷ୍ଠିତ । ଆଉ ଏକ ଘଟନାରେ ଫୈୟାଜ୍‍ ଯେ କେଡ଼େ ଗଭୀର ଭାବୁକ ଥିଲେ ଏବଂ ସଙ୍ଗୀତ ପ୍ରତି ଯେ ତାଙ୍କର କି ଗଭୀର ବେଦନା-ଆନନ୍ଦ ଥିଲା ତାହା ଶ୍ରୀ ଦିଲୀପକୁମାର ମୁଖୋପାଧ୍ୟାୟ ତାଙ୍କ ‘ସଙ୍ଗୀତେର ଆସରେ’ ନାମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ନିମ୍ନରେ ସଂକ୍ଷେପରେ ତାହା ବର୍ଣ୍ଣିତ ହେଲା–ଅନୁବାଦକ]

 

୧୯୩୧ ସାଲ । ସଙ୍ଗୀତ ପାଇଁ ପୁରୁଷାନୁକ୍ରମେ ପ୍ରସିଦ୍ଧ ବିତ୍ତଶାଳୀ ବଡ଼ାଲ ପରିବାରର କଳିକତାସ୍ଥ ବିରାଟ ବାସଗୃହରେ ‘ଲାଲଚାନ୍ଦ ଉତ୍ସବ’ ପାଳିତ ହେଉଥାଏ । (ପ୍ରସଙ୍ଗତଃ କହିରଖେ ପ୍ରେମଚାନ୍ଦ ବଡ଼ାଲ ଥିଲେ ପ୍ରସିଦ୍ଧ ଗାୟକ ଏବଂ ତାଙ୍କ ଯୋଗ୍ୟପୁତ୍ର ଥିଲେ ଲାଲଚାନ୍ଦ ବଡ଼ାଲ । ଲାଲଚାନ୍ଦ ବଡ଼ାଲଙ୍କ ତିନି ପୁଅଯାକ—କିଷନ୍‌ଚାନ୍ଦ, ବିଷନ୍‌ଚାନ୍ଦ ଏବଂ ରାଇଚାନ୍ଦ ଥିଲେ ବିଖ୍ୟାତ ସଙ୍ଗୀତଜ୍ଞ । ଏମାନଙ୍କ ମଧ୍ୟରୁ ରାଇଚାନ୍ଦ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ୟାଙ୍କର ଜଣେ ପ୍ରିୟ ଓ ସୁଯୋଗ୍ୟ ଶିଷ୍ୟ ଥିଲେ କେନ୍ଦ୍ରାପଡ଼ାର ବିଖ୍ୟାତ ନରେନ୍ଦ୍ର ବଂଶର ୰ ଗୋକୁଳ ଶ୍ରୀଚନ୍ଦନ ଯିଏ ସଙ୍ଗୀତ ପାଇଁ ପ୍ରାୟ ସବୁ ଧନସମ୍ପତ୍ତି ହରାଇଥିଲେ । ଶ୍ରୀଚନ୍ଦନଙ୍କ ସୁଯୋଗ୍ୟ ଶିଷ୍ୟ ହେଉଛନ୍ତି ସୁଗାୟକ ଶ୍ରୀ ବାଳକୃଷ୍ଣ ଦାସ । କିନ୍ତୁ ଦୁଃଖର କଥା ତାଙ୍କ କଣ୍ଠରୁ ଆଉ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉ ନାହିଁ ।)

 

ଏଇ ଉତ୍ସବର ସକାଳ ଅଧିବେଶନରେ ଯୋଗ ଦେଲେ ଜଣେ ଗାୟିକା । ତାଙ୍କ ନିବାସ ଆଗ୍ରାର ଏକ ମଫସଲି ସହରରେ । ସେଠି ସେ ନିଜ ଘରେ ବସି ରାଇସ୍ ବ୍ୟକ୍ତିଙ୍କୁ ଗାନ ଶୁଣାଇ ପଚାଶ ଷାଠିଏ ଟଙ୍କା ଦିନକୁ ରୋଜଗାର କରୁଥିଲେ । ସେଇ କ୍ଷୁଦ୍ର ଗଣ୍ଡି ବାହାରେ କେହି ତାଙ୍କୁ ଜାଣି ନ ଥିଲେ କି ତାଙ୍କ ନାଁ ବି ଶୁଣି ନ ଥିଲେ । ତାଙ୍କ ନାଁ ମୁସ୍ତାରି ବାଇ । ‘ଲାଲଚାନ୍ଦ ଉତ୍ସବର ବିଶେଷତ୍ୱ ହେଲା, ଭାରତର ନାନା ସ୍ଥାନ ସନ୍ଧାନ କରି ନୂତନ ଓ ଅପରିଚିତ ପ୍ରତିଭାକୁ ସମ୍ମାନ ଦେବା ଓ ରସିକ ବିଦଗ୍‌ଧ ମହଲରେ ପରିଚୟ କରାଇବା । ‘ଲାଲଚାନ୍ଦ ଉତ୍ସବ’ର ଏହି ଅନୁସନ୍ଧାନ ଫଳରେ ମୁସ୍ତାରି ବାଈ କଲିକତାର ଗୁଣିସମାଜରେ ବି ପ୍ରତିଭାର ପରିଚୟ ଦେବାର ସୁଯୋଗ ପାଇଥିଲେ ।

 

ସକାଳ ଅଧିବେଶନରେ ଅନ୍ୟାନ୍ୟ ଗୁଣିଜନ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସୁବିଖ୍ୟାତ କବି, ସୁରକାର ଓ ଗୀତରଚୟିତା କାଜୀ ନଜ୍‌ରୁଲ ଇସ୍‌ଲାମ୍ । ମୁସ୍ତାରି ବାଈ ଏହି ଅଧିବେଶନରେ ଧୁମକେତୁ ଭଳି ଉଦୟ ହେଲେ । ଶ୍ରୋତୃମଣ୍ଡଳୀ ତାଙ୍କର ଅଦ୍‌ଭୂତ ନୈପୁଣ୍ୟ, କଣ୍ଠ ମାଧୁର୍ଯ୍ୟ ଓ ହୃଦୟସ୍ପର୍ଶୀ ଆବେଦନ ଶୁଣି ହତବାକ୍‌ ! ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କିଏ ଏଇ ନୂତନ ଗାୟିକା ? କବି ଇସ୍‌ଲାମ୍‌ ତ ଆଉ ନିଜ ଘରକୁ ନ ଯାଇ ବଡ଼ାଲଙ୍କ ଘରେ ରହିଗଲେ ଦିନଯାକ ମୁସ୍ତାରି ବାଈଙ୍କ ଗାନ ଘରୋଇଭାବେ ଶୁଣିବାପାଇଁ । ବିଖ୍ୟାତ ଅନ୍ଧ ଗାୟକ ୰ କୃଷ୍ଣଚନ୍ଦ୍ର ଦେ ବି ରହିଗଲେ ସେଇ ଉଦ୍ଦେଶ୍ୟରେ ।

 

ରାତିର ଅଧିବେଶନ ଆରମ୍ଭ ହେଲା । ଏ ଅଧିବେଶନରେ ଉପସ୍ଥିତ ଥିଲେ କବି ଇସ୍‌ଲାମ୍, ଅନ୍ଧ ଗାୟକ ମୁସ୍ତାକ ହୁସେନ୍‌ ଖାଁ, ଆସ୍‌ଫାକ୍‌ ହୁସେନ, ମଜିଦ୍‌ ଖା, ହରିଶ୍ଚନ୍ଦ୍ର ବାଲୀ, ବସିର୍‌ ଖାଁ, ଗିରିଜାଶଙ୍କର ଚକ୍ରବର୍ତ୍ତୀ, ଏନାୟେତ୍‌ ଖାଁ, ଜ୍ଞାନ ଗୋସ୍ୱାମୀ ଇତ୍ୟାଦି । ଆଉ ଉପସ୍ଥିତ ଥିଲେ ଆଫ୍‌ତାବ୍-ଏ-ମୌସିକୀ ଫୈୟାଜ୍‌ ଖାଁ ।

 

ମୁସ୍ତାରି ବାଈ ଗୁଣିଜନମାନଙ୍କୁ ସେଲାମ୍ କରି ଧରିଲେ ପଟଦୀପ ରାଗର ଗାଟିଏ ଗାନ-। ଶ୍ରୋତାଙ୍କ ମନ ଆପ୍ଳୁତ ହୋଇଗଲା ସେଇ କଣ୍ଠମାଧୁର୍ଯ୍ୟରେ । ରାଗର ରୂପାୟନ ବା ତାଳ-ଲୟର ପ୍ରୟୋଗ ଯଥାଯଥ ହେଲା କି ନା ସେଥିପ୍ରତି କାହାରି ଆକର୍ଷଣ ରହିଲା ନାହିଁ । ସମସ୍ତେ ଅନୁଭବ କଲେ ଏକ ଅପାର୍ଥିବ ସୁରବିହାର ।

 

ପଟଦୀପ ପରେ ଗାୟିକା ଧରିଲେ ମାଲଗୁଞ୍ଜି । ସୃଷ୍ଟି ହେଲା ଏକ ସୁମମଞ୍ଜସ ସୌନ୍ଦର୍ଯ୍ୟ । ଲୋଟିପଡ଼ିଲା ପୂର୍ଣ୍ଣବିକଶିତ ଶିଳ୍ପୀ-ପ୍ରାଣର ଏକ ଅପୂର୍ବ ବେଦନା ।

 

ସଭା ସ୍ତବ୍‌ଧ । ଉଦ୍ୟୋକ୍ତମାନଙ୍କ ମନରେ ଏକ ସମସ୍ୟା ଉପସ୍ଥିତ ହେଲା– ଏ ଗାନ ପରେ କାହାକୁ ଗାଇବାକୁ ଅନୁରୋଧ କରାଯିବ ? ମୁସ୍ତାରି ବାଈଙ୍କୁ ଅତିକ୍ରମ କରି କିଏ ଗାନ କରିପାରିବ ? ଏଇ ହତଜ୍ଞାନ ଆସରକୁ କିଏ ନୂଆ କରି ମତାଇପାରିବ ? ସମସ୍ତେ ଏକମତ ହେଲେ ଫୈୟାଜ୍ ଖାଁ ସାହେବଙ୍କ ଛଡ଼ା ଆଉ କେହି ପାରିବେ ନାହିଁ । ସମସ୍ତେ ତାଙ୍କୁ ଅନୁରୋଧ କଲେ ।

 

ଖାଁ ସାହେବ କହିଲେ : ମୋତେ ଆଜି ଏ ଆସରରେ ଗାଇବାକୁ ଆପଣମାନେ ଅନୁରୋଧ କରନ୍ତୁ ନାହିଁ । ଏ ଗାନ ପରେ ମୋର ଆଉ ଗାଇବା ମିଜାଜ ନାହିଁ । ଏ ଗାନ ପରେ ଆଉ କାହାରି ଗାନ ଗାଇବା ଦରକାର ନାହିଁ । ମୁଁ ଅନ୍ତତଃ ପାରିବି ନାହିଁ । ଆଉ କାହାରି ଯଦି ହିମ୍‌ମତ ଥାଏ ସେ ଗାଉ ।

 

ମୁସ୍ତାରି ବାଈ ସେତେବେଳେ ଖାଁ ସାହେବଙ୍କ ପାଖକୁ ଯାଇ ତାଙ୍କ ପାଦରେ ହାତ ରଖି କହିଲେ– ଏ ଆପଣ କଅଣ କହୁଛନ୍ତି ? ଆପଣଙ୍କ ପାଖରେ ମୁଁ କି ଛାର୍ !

 

ଖାଁ ସାହେବ କହିଲେ– ସେ ଯାହା ହେଉ, ମୋ ହାଲ୍‌ ତ ଦେଖୁଛ । ତୁମ ଗାନ ଶୁଣୁ ଶୁଣୁ କାନ୍ଦି କାନ୍ଦି ମୋ ଗଳା ବସିଯାଇଛି । ଗାନ ଗାଇବି କେମିତି !

 

ଏହାପରେ ଖାଁ ସାହେବଙ୍କୁ ଆଉ କେହି ଅନୁରୋଧ କଲେ ନାହିଁ । ତାଙ୍କ ସମଝଦାରୀ ଦେଖି ବି ସମସ୍ତେ ଚମତ୍କୃତ ।

 

ଏହି ପ୍ରସଙ୍ଗରେ ଆଉ ଗୋଟିଏ ଅତି ଚମତ୍କାର ଘଟନା ଶ୍ରୀମୁଖୋପାଧ୍ୟାୟ ଲେଖିଛନ୍ତି । ‘ଲାଲଚାନ୍ଦ ଉତ୍ସବ’ରେ ଏହି ଗାନ ଚାଲିଥିବାବେଳେ କବୀନ୍ଦ୍ର ରବିନ୍ଦ୍ରନାଥ ରେଡିଓରେ ସେ ଗାନ ଶୁଣୁଥିଲେ । ସେ ସେତେବେଳେ କଲିକତାରେ ଥିଲେ । କବୀନ୍ଦ୍ର ଫୋନ୍‌ କରି କହିଲେ : କିଏ ଏଇ ଦେବୀ ଯାହାଙ୍କ ଅପୂର୍ବ ଗାନ ମୁଁ ଶୁଣିଲି ? ମୋର ଅନୁରୋଧ ଗୋଟିଏ ବିଶେଷ ଅଧିବେଶନର ବନ୍ଦୋବସ୍ତ କରନ୍ତୁ । ମୁଁ ସାମ୍‍ନାରେ ବସି ତାଙ୍କ ଗାନ ଶୁଣିବି ।

 

ଷ୍ଟାର୍‌ ରଙ୍ଗମଞ୍ଚରେ ଏହାର ବ୍ୟବସ୍ଥା କରାହେଲା । ଅନ୍ୟମାନଙ୍କ ମଧ୍ୟରେ କବି ଇସ୍‍ଲାମ୍ ମଧ୍ୟ ଉପସ୍ଥିତ ଥିଲେ । ମୁସ୍ତାରି ବାଈ ପ୍ରଥମେ ଗୋଟିଏ ଖେୟାଲ୍‌ ଗାଇ ରବିନ୍ଦ୍ର ସଙ୍ଗୀତ ଯୋଡ଼ିଏ ଗାଇଲେ- ‘ଆଜି ଦକ୍ଷିନ ଦୁଆର ଖୋଲା’ ଓ ‘ମନ୍ଦିରେ ମମ କେ ଆସିଲ ହେ’ । ଆଶ୍ଚର୍ଯ୍ୟର କଥା, ମୁସ୍ତାରି ବାଈ ଇତିମଧ୍ୟରେ ବଙ୍ଗଳା ଶିଖି ରବିନ୍ଦ୍ର ସଙ୍ଗୀତ ମଧ୍ୟ ହାସଲ କରିସାରିଥାନ୍ତି !

 

(୭ । ୧୧ । ୧୯୫୦ରେ ଖବରକାଗଜରୁ ଆଫ୍‌ତାବ୍‌-ଏ-ମୌସିକୀଙ୍କ ପ୍ରୟାଣ ସମ୍ବାଦ ପଢ଼ି ଏହି ଅନୁବାଦକ ତାଙ୍କର ଅର୍ଘ୍ୟ କବିତାରେ ନିବେଦନ (ଅପ୍ରକାଶିତ) କରିଥିଲେ । ତାହାହିଁ ଥିଲା ତାଙ୍କର ପ୍ରଥମ ଲେଖା । ଲେଖକଙ୍କ ସହିତ ଅନୁବାଦକ ମଧ୍ୟ ତାଙ୍କୁ ଶ୍ରଦ୍ଧା ଓ ନମସ୍କାର ଜଣାଉଛି ସେହି କବିତା ମାଧ୍ୟମରେ, କବିତା ଦୃଷ୍ଟିରୁ ତାହା ନିକୃଷ୍ଟ ହେଲେ ହେଁ ।)

 

ସଙ୍ଗୀତ ସୂର୍ଯ୍ୟ

 

କୋଟି କୋଟି ବର୍ଷ ଆଗେ

ବିରାଟ ଦୁଇଟି ଅଗ୍ନିମୟ ପିଣ୍ଡ

ବିରାଟର ଗୀତ ଗାଇ

ବିରାଟ ଶୂନ୍ୟର ପଥେ

ଆଚମ୍ୱିତେ ହୋଇଲେ ନିକଟ ମୁହୂର୍ତ୍ତକ ପାଇଁ ।

 

ଦୁଇଟିର ଆକର୍ଷଣେ ବିରାଟ ସ୍ଫୁଲିଙ୍ଗୁଁ

ଏକ ଆଜି ଏ ପୃଥିବୀ ।

କୋଟି ବର୍ଷ ପରେ

ଜନମିଲା କୀଟ ପୃଥିବୀର ପଚାପାଣି ମଧ୍ୟୁଁ ।

କୋଟି ବର୍ଷ ପରେ ସେ କୀଟ ହେଲା ମାନବ

ସେ ବିରାଟ ସଙ୍ଗୀତର ଅଦ୍‌ଭୁତ ପ୍ରେରଣା ନେଇ ।

 

କ୍ଷୁଦ୍ର ଓ ବିରାଟ ରହିଲା ଅନ୍ତରେ ।

ବେଳେବେଳେ କ୍ଷୁଦ୍ରତାର ବିଷେ

ଅସ୍ପଷ୍ଟ ହୋଇଯାଏ ବିରାଟର ଗୀତ ।

ଯୁଗ ଯୁଗ ଧରି ବିରାଟ ମାନବେ

କଳିବାକୁ ଧାଇଁଛନ୍ତି ବିରାଟ ମହିମା

ସଂଗୀତ, ଦର୍ଶନ, ବିଜ୍ଞାନ ଶକ୍ତିରେ ।

 

ହେ ମୁନି, ହେ ଋଷି, ହେ ସଙ୍ଗୀତ ସୂର୍ଯ୍ୟ !

ବୁଦ୍ଧ, ଖ୍ରୀଷ୍ଟ, ମୁହମ୍ମଦ,

ଚୈତନ୍ୟ, ମାର୍କ୍‍ସ, ଗାନ୍ଧୀ, ଶ୍ରୀଅରବିନ୍ଦ, ଆଇନ୍‌ଷ୍ଟାଇନ୍ ଭଳି

ତୁମେ ସେ ବିରାଟର ଉପାସକ ।

 

ସଙ୍ଗୀତ ତୁମ୍ଭର

(‘ବନ୍ଦେ ନନ୍ଦକୁମାରମ୍’ କାଫି ଠୁମରୀ ମନେପଡ଼େ,

ଅନାଦ୍ୟନନ୍ତ ସୁକୁମାର ଲୀଳାମୟ ଶିଶୁପାଦେ

ଲୋଟିଯିବା ବେଦନାର ସେ କି ଗଭୀର ମୂର୍ଚ୍ଛନା !)

କ୍ଷୁଦ୍ରତାର ବିଷ ନାଶ କରି

ନେଇଯାଏ ବିରାଟ ଶୂନ୍ୟର ପଥେ ।

ଉଦ୍‌ବେଳିତ ହୁଏ ମନ

ବିରାଟ ବିରହେ ।

 

ଆଜି ଏ ପୃଥିବୀର ପଚାପାଣି ମଧ୍ୟେ

କ୍ଷୁଦ୍ରତାର ପ୍ରଚଣ୍ଡ ତାଣ୍ଡବ ଲୀଳା

ମୁଗ୍‌ଧ କରିଅଛି ମାନବଜାତିକୁ ।

ନିର୍ମମ ନୃଶଂସ ଯୁଦ୍ଧ

ଦେଶପ୍ରେମ, ଆଦର୍ଶ, ଧର୍ମ ଦ୍ୱାହି ଦେଇ ।

 

ତୁମର ଅମର ମୃତ୍ୟୁର ସଂବାଦ ତେଣୁ

ସ୍ଥାନ ପାଇଅଛି ସମ୍ୱାଦପତ୍ରରେ କ୍ଷୁଦ୍ର ଏକ କୋଣେ ।

କ୍ଷୁଦ୍ରତାର ପ୍ରଚଣ୍ଡ ବକ୍ତୃତାମାନ

ଗ୍ରାସ କରିଅଛି ସମ୍ୱାଦ ସ୍ତମ୍ଭକୁ ।

 

ହାତୁଡ଼ି ମାରୁଅଛ ସମସ୍ତଙ୍କ ମୁଣ୍ଡେ ।

ତଥାପି ଝଙ୍କୃତ ହୁଏ ଅସ୍ପଷ୍ଟ ଭାବରେ

ଅନାହତ ଶବ୍ଦ ଭଳି

କାରୁଣ୍ୟଭରା ସଙ୍ଗୀତ

‘ବନ୍ଦେ ନନ୍ଦକୁମାରମ୍‌’ ।

 

ବାମାଚରଣ ମିତ୍ର

୭ । ୧୧ । ୫୦

Image

 

Unknown

କାଳିଆସୁନା କାଲେ ଖାଁ

 

ଗୁରୁଦେବ ଶ୍ୟାମଲାଲଜୀ ଓ ଖଲିଫା ବଦଲ ଖାଁ ସାହେବଙ୍କ ସହିତ ପରିଚୟ ପୂର୍ବରୁହିଁ ଓସ୍ତାଦ୍‌ ବିଶ୍ୱନାଥ ରାଓଜୀ ଓ ମହିମବାବୁଙ୍କ କଣ୍ଠରୁ ଧ୍ରୁପଦ-ଧାମର ଶୁଣି ଧ୍ରୁପଦ ପାଇଁ କାନ ତିଆରି ହୋଇଯାଇଥିଲା । ଉତ୍ତର-ଭାରତୀୟ ସଙ୍ଗୀତର ଧ୍ରୁପଦ-ଧାମର କହିଲେ ମୋର ସ୍ମୃତି ଓସ୍ତାଦ୍‌ ବିଶ୍ୱନାଥଜୀ, ଚନ୍ଦନ ଚୋବେଜୀ, ରାଧିକାମୋହନ ଗୋସ୍ୱାମୀ, ମହିମବାବୁ, ଓସ୍ତାଦ୍‌ ଲଛମୀପ୍ରସାଦ ମିଶ୍ର, ଭୁତନାଥବାବୁ, ଏଣ୍ଟାଲୀର ହରିବାବୁ ପ୍ରଭୃତି କଳାବିଦ୍‌ ଗୁଣୀଙ୍କ ବ୍ୟକ୍ତିଗତ ପ୍ରତିଭା ଓ ପରିବେଷଣନୈପୁଣ୍ୟ ସ୍ମରଣରେ ଆଲୋଡ଼ିତ ହୁଏ । ୟାଙ୍କ କଣ୍ଠର ଗାନ ସ୍ମରଣ କଲେ ମନେହୁଏ, ସାରସ୍ୱତ ପାରାବାରରେ ସ୍ୱର-ଶ୍ରୁତିର ତରଙ୍ଗ-ଲୀଳାର କି ଅପୂର୍ବା ଭଙ୍ଗୀ ମୁଁ ପ୍ରତ୍ୟକ୍ଷ ନ କରିଛି ! ଶ୍ରବଣାଭିରାମ ଉଦ୍ଦୀପନାର ଗଭୀରଦେଶରେ କେତେ ବିଚିତ୍ର ପ୍ରଶାନ୍ତି ମଧ୍ୟରେ ମୁଁ ଥରକୁ ଥର ନ ମଜ୍ଜିଛି ! କଥା, ସୁର ଓ ଛନ୍ଦର ଉତ୍ତାଳ ବିକ୍ଷୋଭର ଅନ୍ତରରେ କି ଅଦ୍ଭୁତ ଧୀରୋଦାତ୍ତ ସଂଯମର ପରିଚୟ ନ ପାଇଛି ! ସଙ୍ଗୀତର ଅନ୍ୟ ସମସ୍ତ ଗୁଣ କଥା ବାଦ୍‌ ଦେଇ କେବଳ ଗୁରୁତ୍ୱ ଓ ଗାମ୍ଭୀର୍ଯ୍ୟ ଗୁଣର ସମୃଦ୍ଧି କଥା ଚିନ୍ତା କଲେ ମନେହୁଏ, ଧ୍ରୁପଦ-ଧାମାର ହେଉଛି ଗୀତ-ରୂପର ପରାକାଷ୍ଠା । ଧ୍ରୁପଦ-ଧାମାରହିଁ ଭାରତୀୟ ଗୀତରୂପର ଚରମ ଗୌରବ ।

 

ମାଧୁର୍ଯ୍ୟ ଆବେଶମଣ୍ଡିତ ସେସବୁ ଅତୀତ ମୁହୂର୍ତ୍ତର ସ୍ମୃତି ଉଦ୍ଧାର କରିବାକୁ ଯାଇ ମନେହୁଏ, ଗୟାର ମୌଜୁଦ୍‌ଦୀନଙ୍କ ସ୍ମୃତି ଦୂର ଦିଗନ୍ତର ଅବଗୁଣ୍ଠନରେ ବିଦ୍ୟୁଲ୍ଲେଖା ଭଳି ମନର ନେପଥ୍ୟରେ ବିଲୀୟମାନ ହୋଇଯାଉଛି । ସ୍ମୃତି ଆକାଶ ବିଶ୍ୱନାଥଜୀ ଓ ମହିମବାବୁଙ୍କ ଆବିର୍ଭାବରେ ସମୁଜ୍ଜ୍ୱଳ ହୋଇଯାଏ । ଧ୍ରୁପଦ-ଧାମାରର ସେସବୁ ସ୍ମୃତି ମୋତେ ବିଶେଷକରି ନାଟୋର ମହାରାଜ ଭବନର ସଙ୍ଗୀତ ମଜ୍‌ଲିସକୁ ନେଇଯାଏ ।

 

ଏହି ସମୟରେ ଦିନେ ଶ୍ୟାମଲାଲଜୀଙ୍କ ସହିତ ପରିଚୟ ହୋଇଗଲା । ଅଭନବ ପରିବେଶ ଭିତରୁ ନୂତନ ଅଭିଜ୍ଞତାର ସମ୍ପଦ ସଞ୍ଚୟ କରିବାର ସୌଭାଗ୍ୟକୁ ହେଳା କରିନାହିଁ । ଅବିଳମ୍ୱେ ମୋର ହୃଦୟ ମୋତେ ଜଣାଇଦେଲା– ଧ୍ରୁପଦ-ଧାମାର ଏକମାତ୍ର ସମ୍ମୋହନକାରୀ ଗୀତ-ରୂପ ନୁହେଁ । ମୋର ଶ୍ରବଣ ଓ ମନ ପାଇଁ ବିଶୁଦ୍ଧ ରାଗ-ରାଗିଣୀର ଉପଭୋଗ ସଙ୍ଗୀତର ଏକମାତ୍ର ବା ଚରମ ଉପଭୋଗ ନୂହେଁ । ସଙ୍ଗୀତର ବସ୍ତୁରୂପର ବୈଚିତ୍ର୍ୟ ଏକ ଅନିର୍ବଚନୀୟ ଆନନ୍ଦର ବିଚିତ୍ର ବାର୍ତ୍ତା ମୋ ହୃଦୟକୁ ବହନ କରି ଆଣେ । ମୋ ସମସ୍ତ ରସତୃଷ୍ଣା, ସମସ୍ତ ରସପିପାସାକୁ ପରିତୃପ୍ତ କରିବାର ଯୋଗ୍ୟତା ଧ୍ରୁପଦ-ଧାମାରର ନାହିଁ । ମୋ ମନ ସାଙ୍ଗେ ସାଙ୍ଗେ ଅନୁଭବ-ପ୍ରମାଣ-ସମ୍ବଳିତ ଟୀକା ବି ଗୋଟିଏ ଯୋଗ କରିଦେଇଥିଲା, ଯଥା– ଖେୟାଲ୍‌, ଠୁମ୍‌ରୀ, ଗଜଲ୍‌-ଦାଦ୍‌ରା ପ୍ରଭୃତି ଅନ୍ୟ ସବୁ ଗୀତକଳ୍ପଲତିକାର ମନୋହାରିତ୍ୱ ପ୍ରତ୍ୟକ୍ଷ କରୁଥିଲେହେଁ ତା’ଦ୍ୱାରା ଧ୍ରୁପଦ୍‌-ଧାମାରର ଆକାଂକ୍ଷା ପରିତୃପ୍ତ ହୁଏନା, କିମ୍ୱା ସେ ଆକାଂକ୍ଷା ଅବଲୁପ୍ତ ହୁଏନା ।

 

ଏହି ସମୟରୁ ଏମିତି ଗୋଟିଏ ସୁଲଗ୍ନ ମୋ ଜୀବନର ପୂର୍ବଗଗନରେ ଉଦିତ ହୋଇଥିଲା ଯାହା ପ୍ରଭାବରେ ଆନନ୍ଦ-ଭ୍ରମରର ମଧୁବ୍ରତ ନେଇ ମୋର ମନ-ପ୍ରାଣ ନାନାଦିଗରେ ନାନାପ୍ରକାରର ଗୀତ-କୁସୁମ ସନ୍ଧାନରେ ଅଭିସାର କରି ବୁଲୁଛି । ସେ ଫେରିଛି ବାଣୀ, ସୁର ଓ ଛନ୍ଦର ମକରନ୍ଦ ଆହରଣ କରି–ନିଭୃତ ମାନସର ମଧୁଚକ୍ର ରଚନା କରିବ ବୋଲି । ତାନସେନଙ୍କ ଧ୍ରୁବ-ବାଣୀ ବାରମ୍ୱାର କର୍ଣ୍ଣକୁହରରେ ପ୍ରତିଧ୍ୱନିତ ହୋଇଛି—ନାଦ-ଈଶ୍ୱରରୂପୀ ଅମୃତରସ, ଯିତ୍‌ନା ଯୋକୋ ମିଲେ ଉତ୍‌ନାହି ପୀଜିୟେ ।

 

ଏହି ଶ୍ରୁତି-ସଞ୍ଜିବନୀ ଅମୃତ ରସଧାରାର, ଏହି ସୁର-ସୁରଧୁନୀର କେତେ ବିଚିତ୍ର ରୂପ, ବିଚିତ୍ରତର ଗତି, ବିଚିତ୍ରତମ ପରିଣତି ! ଦେଶକାଳପାତ୍ରର ପରିଚ୍ଛନ୍ନ ଆଧାର ମଧ୍ୟରେ ସୁନିବଦ୍ଧ ରୂପରେ ହେଉ, ଅଥବା ଆନନ୍ଦସାଗର ସଙ୍ଗମ ଅଭିମୁଖୀ ଉଚ୍ଛଳ ଉନ୍ମୁକ୍ତ ପ୍ରବାହ ରୂପରେ ହେଉ, ଅନୁଭବର ସୌନ୍ଦର୍ଯ୍ୟହିଁ ଏମାନଙ୍କ ପ୍ରାଣତରଙ୍ଗ, ଅନୁଭବର ଚମତ୍କାରିତାହିଁ ଏମାନଙ୍କ ସାକ୍ଷାତ୍ ସାର୍ଥକତା ।

 

ତାନସେନଙ୍କ କଥାରୁ ବୁଝାପଡ଼େ ନାହିଁ ସୁନ୍ଦରତା ମୂଳରେ ଅନ୍ୟ କିଛି ଅଛି କି ନାହିଁ, ଅଥବା ସାକ୍ଷାତ୍ ଚମତ୍କାରିତ୍ୱ ପରେ ଆଉ କିଛି ପ୍ରତ୍ୟାଶା ଥାଏ କି ନା । ମୋ ପକ୍ଷରେ ଗୋଟାଏ ଭଲକଥା କିନ୍ତୁ ହେଲା– ଦାର୍ଶନିକ ତତ୍ତ୍ୱଜାଲରେ ମୁଁ ଧରା ଦେଇନାହିଁ । ମୁଁ ମନେକରିଛି, ମୋ ହୃଦୟର ସଛିଦ୍ର ଅଞ୍ଜଳିସଂପୁଟରେ ଅମୃତଧାରାର ଯେଉଁ କେତୋଟି ବିନ୍ଦୁ ଯେତେବେଳେ ବା ଧାରଣ କରେ ଓ ପାନ କରେ, ତାହାହିଁ ମୋର ସୌଭାଗ୍ୟ, ସେଇ ମୁହୂର୍ତ୍ତରେ ମୁଁ ଚରିତାର୍ଥ । ଏହାଠୁଁ ବଳି ଅନ୍ୟ କିଛି ବା ବେଶୀ କିଛି ମୁଁ ଆଶା କରିନାହିଁ ।

 

ସଙ୍ଗୀତର ବସ୍ତୁ ଓ ରୂପ ତ ସେଇ ଅମୃତ ରସର ଆଧାର । ବସ୍ତୁ-ରୂପଗତ ତାରତମ୍ୟ ମୋତେ ଉତ୍ତେଜିତ କରିଛି । କିନ୍ତୁ ମୁଁ ପୀଡ଼ିତ ବା ଦୁଶ୍ଚିନ୍ତାଗ୍ରସ୍ତ ହୋଇନି । ସରଳ ସହଜ ଭାବରେ ମନେହୋଇଛି– ବସ୍ତୁରୂପର ନାନାପ୍ରକାର ତାରତମ୍ୟ ସ୍ୱୀକାର କଲେ ବି ତା’ଦ୍ୱାରା ବଡ଼-ସାନ, ଉଚ୍ଚାଙ୍ଗ-ନିମ୍ନାଙ୍ଗ, ମାର୍ଗ-ଦେଶୀ ପ୍ରଭୃତି ଶ୍ରେଣୀକରଣ କାର୍ଯ୍ୟଟି ହେଲା କୁକାର୍ଯ୍ୟ । ଅସଲ କଥା ହେଲା, ଅନୁଭବର କଷଟି ପଥରରେ ଅଭିଜ୍ଞତା-ସୁନାର ପରଖ । ରକ୍ତକମଳ ଗୋଲାପଫୁଲଠାରୁ ବଡ଼ । ପୁଣି ଉଦ୍‌ଭଟ କାଠଚମ୍ପାଠାରୁ ଗୋଲାପ ବଡ଼ ଓ ସୁସମ୍ୱଦ୍ଧ । ତେବେ କ’ଣ କେବଳ ରକ୍ତକମଳର ପ୍ରତିଷ୍ଠା ଓ ମର୍ଯ୍ୟାଦା ସ୍ୱୀକାର୍ଯ୍ୟ ? ମୋର ମତ ତା ନୁହେଁ ।

 

ତରୁଣ-ବୟସସୁଲଭ ସଜାଗ ମନର ଆନ୍ଦୋଳନ ଅବସ୍ଥାରେ ଅକସ୍ମାତ୍ ଦିନେ ଖେୟାଲୀ କାଲେ ଖାଁ ସାହେବଙ୍କ ଅସାଧାରଣ ବ୍ୟକ୍ତିତ୍ୱର କିଞ୍ଚିତ୍ ପରିଚୟ ପାଇଥିଲି । ତା’ଠାରୁ ବଡ଼ କଥା ହେଲା ତାଙ୍କ ଅଦ୍ଭୁତ—ଉଦ୍‌ଭଟ କହିଲେ ଚଳେ— କଳା ଚାତୁର୍ଯ୍ୟ । ଅନୁଭବର ପରୀକ୍ଷା ଖାଣ୍ଟି ସୁନା ବୋଲି ବୁଝିଥିଲି । ସେଇ କାରଣରୁହିଁ ତ ତାଙ୍କର ଚରିତ୍ର ମୋ ସ୍ମୃତିରେ ନିରୋଳା, ଉଜ୍ଜ୍ୱଳ ଭାବରେ ରହିଛି ।

 

କାଲେ ଖାଁ ସାହେବଙ୍କୁ ସାକ୍ଷାତ୍‌ କରିବାର ପୂର୍ବ ସୂଚନା ଥିଲା ଶ୍ୟାମଲାଲଜୀଙ୍କ ବୈଠକରେ । ୧୯୧୪ ସାଲ ବର୍ଷାର ଏକ ସନ୍ଧ୍ୟା । ବସିଥିଲୁ ଶ୍ୟାମଲାଲଜୀ ଓ ଆମେ କେଇଜଣ-। ସେମାନଙ୍କ ମଧ୍ୟରୁ ମନେପଡ଼େ ମାତ୍ର ବାବୁଜୀ, ତନ୍‌ନୁଲାଲଜୀ ଓ ଚିରଞ୍ଜୀବ୍‍ଙ୍କୁ । ବାବୁଜୀ ବିଛଣା ଛାଡ଼ି ଅଲଗା ଆସନରେ ବସି ହୁକା ଟାଣୁଥିଲେ । ତକିଆ କୋଳରେ ଜାକି ତନ୍‌ନୁଲାଲଜୀ ବାବୁଜୀଙ୍କୁ ସାମୟିକ ସମ୍ୱାଦ ଦେଉଥିଲେ । ଚିରଞ୍ଜୀବ୍‍ ତାଙ୍କ ପୋଷା ହାରମୋନିୟମ ନେଇ ହସ୍ତ ସାଧନା କରିବା ଆଗରୁ ପାନ ଓ କିମାମରେ ମନ ଦେଇଥାନ୍ତି । ବର୍ଷଣ ଯୋଗୁଁ ବଦଲ୍‌ ଖାଁ ସାହେବ ଅନୁପସ୍ଥିତ । ଗିରିଜାବାବୁ (ପ୍ରବୁଦ୍ଧଗାୟକ ଗିରିଜାଶଙ୍କର ଚକ୍ରବର୍ତ୍ତୀ) ବର୍ଷାରେ ଭିଜି ଭିଜି ବାହାରକୁ ଚାଲିଗଲେ ।

 

ଏତିକିବେଳେ ସର୍ବାଙ୍ଗ ଭିଜି ଉପସ୍ଥିତ ହେଲେ ଠାଣ୍ଡୀରାମ । ତାଙ୍କ ଦୁଇଗାଲ ପାନ ବୋଝେଇ । କଥା କହିବାର ଉପାୟ ନାହିଁ । କଥା କହିଲେ ବିପଦ । ଅମୃତବିନ୍ଦୁ ମୁହଁରୁ ଛିଟିକିପଡ଼ିବ । ଫଳରେ ବାବୁଜୀଙ୍କ ତିରସ୍କାର ଶୁଣିବାକୁ ପଡ଼ିବ । ନିଃଶବ୍ଦରେ ନମସ୍କାର ଜଣାଇ ଠାଣ୍ଡୀରାମ୍ ବିଛଣା ଉପରେ ଆଣ୍ଠୁମାଡ଼ି ବସିଲେ । ସେଇଟା ଥିଲା ତାଙ୍କ ଆସନ ପରିଗ୍ରହ କରିବା କାଇଦା । ତାଙ୍କ ଦୁଇ ହାତ ଦୁଇ ଗାଲରେ, ମୁହଁରେ ଦୁଶ୍ଚିନ୍ତା, ମନରେ ହୁଏତ ଅଶ୍ୱସ୍ତି ।

 

ଠାଣ୍ଡୀରାମ୍‌ ବ୍ୟବସାୟୀ ଲୋକ । ବୟସ ଅନ୍ଦାଜ ଚାଳିଶ । ଦୀର୍ଘ କର୍ମଠ ଦେହ, ଅତ୍ୟନ୍ତ ଜୋର୍‌ଦାର୍ ଗଳାର ଆବାଜ, ଅଦମ୍ୟ ଉତ୍ସାହ ଓ ଜବରଦସ୍ତ ରସିକତା– ଏ ହେଲା ତାଙ୍କର ବାହ୍ୟ ପରିଚୟ । ଭିତରର ମଣିଷଟି ଅତ୍ୟନ୍ତ ସଙ୍ଗୀତପ୍ରିୟ, ରସ-ପାଗଳ । ସବୁପ୍ରକାର ସଙ୍ଗୀତ ଓ ଗାନ, ଏମିତି କି ଆଗମନୀ, କୀର୍ତ୍ତନ ଓ ରବିନ୍ଦ୍ରସଙ୍ଗୀତ ଶୁଣି ବି ସେ ହାୟ ହାୟ କରନ୍ତି । ଆବେଗଟା ବେଶି ହେଲେ ସ ଯେଉଁଭଳି ‘ହୋୟ୍‌ ହୋୟ୍‌’ କରନ୍ତି ସେ ଶବ୍ଦରେ ଫୁଟ୍‍ପାଥ୍‌ର ଲୋକେ ଥମକି ଛିଡ଼ା ହୋଇଯାଆନ୍ତି ! ତାଙ୍କର ସବୁଠୁଁ ପ୍ରିୟ ସୁର୍ ଥିଲା ମାଢ଼ ରାଗିଣୀ । ସେ କହୁଥିଲେ– ପାଁଚୁବାବୁ, ଆମ ଦେଶରେ (ଯୋଧପୁର ଅଞ୍ଚଳ) ଶୁଖିଲା ମାଟି, ରୁକ୍ଷ ପାହାଡ଼ ଓ ପଥରର ଇମାରତ୍‌ ଉପରେ ଯେତେବେଳେ ଚାନ୍ଦିନୀ ଫୁଟେ ସେତେବେଳେ ଯଦି ଆପଣ ‘ମାଢ଼’ ଶୁଣନ୍ତି ତେବେ ଯାଇ ଏହାର ଜବାବ୍-ସଓଆଲ ବୁଝିବେ । ସହରର ଓସ୍ତାଦ୍‌ମାନେ ଏ ବିଷୟରେ ଜାଣନ୍ତି କଅଣ ! ରତିଏ ଜ୍ଞାନ ନାହିଁ ତାଙ୍କର ଏ ବିଷୟରେ ।

 

ମୁଁ ଯୋଧପୁର ଯାଇନାହିଁ । କିନ୍ତୁ ତାଙ୍କର ଦରଦଭରା ସତ୍ୟଟା ବିଶ୍ୱାସ କରିଥିଲି ।

 

ମୁଖର ଠାଣ୍ଡୀରାମଙ୍କ ଗାଲରେ ହାତ ଓ ମୁହଁରେ ଦୁଶ୍ଚିନ୍ତାର ଭାବ ଦେଖି ବାବୁଜୀ ପଚାରିଲେ : ଠାଣ୍ଡୀରାମ୍, ଘର ଖବର ସବୁ ଭଲ ତ ? ପୁଅ ଭଲ ଅଛି ତ ?

 

ବାବୁଜୀ କିମ୍ୱା ଆଉ କେହି ଠାଣ୍ଡୀରାମ୍‌ଙ୍କୁ ତାଙ୍କ ପୁଅ କଥା ପଚାରିଲେ ମୋ ମନରେ ତ୍ରାସର ସଞ୍ଚାର ହୁଏ । ଠାଣ୍ଡୀରାମଙ୍କ ଚରିତ୍ରର ଏକମାତ୍ର ଦୁର୍ବଳତା ଥିଲା ତାଙ୍କ ପୁଅର ସ୍ୱାସ୍ଥ୍ୟ ବିଷୟରେ ଅକାରଣ ଦୁଶ୍ଚିନ୍ତା । ତାଙ୍କ ସହିତ ପ୍ରଥମ ପରିଚୟ କଥା ମନେପଡ଼େ । ବାବୁଜୀଙ୍କ ପାଖରେ ପୁଅର ଅସୁସ୍ଥତା କଥା ବର୍ଣ୍ଣନା କରିବାକୁ ଯାଇ ସେ ଛିଙ୍କ କାଶ ପ୍ରଭୃତି ନାନାପ୍ରକାର ଉପଦ୍ରବର ପୁଙ୍ଖାନୁପୁଙ୍ଖ ବୃତ୍ତାନ୍ତ ଗୋଚର କରାଉଥିଲେ । ମୁଁ ସେତିକିବେଳେ ପହଞ୍ଚି ଯାଇଥାଏ । ବ୍ୟତିବ୍ୟସ୍ତ ହୋଇ ବାବୁଜୀ କହିଲେ– ଏଇ ନିଅ ଠାଣ୍ଡୀରାମ୍‌, ଏଇ ପାଁଚୁବାବୁ ଡାକ୍ତରୀ କଲେଜର ଛାତ୍ର । ୟାଙ୍କୁ ସବୁକଥା କୁହ କହି ମୋତେ ଆଖି ଟିପିଲେ, ଯାହାର ଅର୍ଥ– ଏତିରେ ମଜା ଅଛି । ଠାଣ୍ଡୀରାମ୍‌ ଗୋଟାଏ ହଠାତ୍‌ ଚକ୍‌କର ମାରି ମୋଆଡ଼େ ମୁହଁ କରି ପୁଣି ମୂଳରୁ ଗାଇଲେ । ଅପରାଧ ଭିତରେ ମୁଁ ବାଧା ଦେଇ ତାଙ୍କୁ କହିଲି– ଟିକିଏ ସବୁର୍ କରନ୍ତୁ, ମହାରାଜା ! ମୋତେ ଦମ୍‌ ନେବାକୁ ସମୟ ଦିଅନ୍ତୁ । ଏତେ ବେଗି ବେଗି କହିବାର କି ଦରକାର !

 

ବାସ୍‌ ! ଆଉ ଯାଏଁ କୁଆଡ଼େ ! ଠାଣ୍ଡୀରାମ୍‌ ତତ୍‌କ୍ଷଣାତ୍‌ ଭ୍ରୁକୁଟି କରି କହିଲେ– ଆରେ ବାପ୍‌ ! ମିଟିୟା (ମେଡ଼ିକ୍ୟାଲ୍‌) କଲେଜରେ ପଢ଼ୁ ପଢ଼ୁ ତ ଏ ଅବସ୍ଥା ! ଏହାପରେ ଡାକ୍ଟାର ହୋଇ ଆଠ୍ ଆଠ୍ ରୂପେୟାକା ଗଣ୍ଠିଲି କାଟି ହାଓୟା ଗାଡ଼ି ପଛରେ ଧୁଆଁ ଔର୍‌ ଦୁର୍ଗନ୍ଧ ଛାଡ଼ୁ ଛାଡ଼ୁ ଯେତେବେଳେ ଚାଲିଯିବେ ସେତେବେଳେ ଆପଣଙ୍କ ମିଜାଜ୍‌.....

 

ମୁଁ ତାଙ୍କୁ ଆଉ ଅଗ୍ରସର ହେବାକୁ ନ ଦେଇ ହାତଯୋଡ଼ି କହିଲି– ଭାଇ, ବନ୍ଦ କର, ଖୁବ୍‌ ହେଲା । ତୁମ ପୁଅର କଅଣ ହୋଇଚି କୁହ ।

 

ତାଙ୍କ ପୁଅ କଥା ଶୁଣି ଠାଣ୍ଡୀରାମ୍‌ ଥଣ୍ଡା ପଡ଼ିଲେ । ସବୁକଥା ଶୁଣିବାକୁ ପଡ଼ିଲା, ସାବଧାନତା ସହ ମନ୍ତବ୍ୟ ଦେବାକୁ ହେଲା ଓ ଅଭୟବାଣୀ ଶୁଣାଇବାକୁ ପଡ଼ିଲା । ବାବୁଜୀଙ୍କ ଆଡ଼େ ଚାହିଁ ସେ କହିଲେ– ବାବୁଜୀ, ଆପଣଙ୍କ ସଭାରେ ଏଇ ପାଁଚୁବାବୁ ହେଲେ ଆଠ ରତ୍ନ ଉପରେ ନଓ ରତନ୍‌ ! ତେବେ ଟିକିଏ ରଚ୍‌ନା ବନାନାର ଦରକାର ଅଛି । ୟାଙ୍କ ହିର୍‌ଦୟମ୍‌ ଥୋଡ଼ାସା ଘବ୍‌ଡ଼ାହଟ୍‌ ଅଛି । ତୋ ଦୁଇ ଚାରିଥର ମାଡ଼ ଖାଇଲେ ସବ୍‌ ଠିକ୍ ହୋଇଯିବ ।

ଖୁବ୍ ହସତମାସା ଭିତରେ ପରିଚୟ ହେଲେ ବି ସବୁକଥା ପଛକୁ ପକେଇ ତାଙ୍କ ପୁଅ କଥା ଆଗ ଶୁଣିବାକୁ ପଡ଼ୁଥିଲା । ସେ ଯାହାହେଉ, ଠାଣ୍ଡୀରାମ ଥିଲେ ଆମ ସମସ୍ତଙ୍କ ପ୍ରିୟ । ବିଶେଷ କାରଣରୁ ସେ ଥିଲେ ମୋର ଶ୍ରଦ୍ଧାର ପାତ୍ର, ଅନ୍ୟ କାରଣରୁ । ଆପାତତଃ ଠାଣ୍ଡୀରାମ ଏମିତି ଗୋଟିଏ ଯୋଗସୂତ୍ର ଆଣିଥିଲେ ଯାହା ମୋର କରାୟତ୍ତ ହୋଇ ନ ଥିଲେ କାଲେ ଖାଁ ସାହେବଙ୍କ ସହିତ ଦେଖାହିଁ ହୋଇ ନ ଥାନ୍ତା ।

ବାବୁଜୀଙ୍କ ପ୍ରଶ୍ନର ଉତ୍ତରରେ ଠାଣ୍ଡୀରାମ୍‌ ମୁଣ୍ଡ ହଲାଇ ଜଣାଇଲେ, ସବୁ ଭଲ । ତନ୍‌ନୁଲାଲଜୀ ପଚାରିଲେ, ବଜାରରେ ଚଢ଼ା-ମାନ୍ଦା ଯୋଗୁଁ କିଛି ଲୋକସାନ୍ ହୋଇଚି କି ନା । ସେ ସବୁ ନୁହେଁ ବୋଲି ସେ ଜଣାଇଲେ । ଚିରଞ୍ଜୀବ୍ ଟିକିଏ ପରିହାସ ସୁରରେ କହିଲେ– ଠାଣ୍ଡୀରାମ୍‌ର ଗଣ୍ଠିଲି କିଏ କାଟିଦେଇଚି । କେଇ ପଇସା ଚୋରିଗଲା, ଭାଇ ?

ଚିରଞ୍ଜୀବ୍‍ଙ୍କ କଥା ଶେଷ ନ ହେଉଣୁ ଠାଣ୍ଡୀରାମ୍ କୁଦା ମାରି ଉଠି ବାହାରକୁ ଯାଇ ପାନପିକ ପକାଇ ଆସି କହିଲେ– ବାବୁଜୀ, ଆଜି ଭାରି ବୋକା ବନିଯାଇଚି । ସିନ୍ଦୁରିୟାପାଟ୍ଟି ଛକରେ ପାନ ଦୋକାନରୁ ପାନ କିଣୁ କିଣୁ ଦେଖିଲି, ବାବୁଜୀ ! କଅଣ କହିବି ! କାଲେ ଖାଁ ସାହେବ ! ତାଙ୍କୁ କହିଲି– ଆରେ, କାଲେ ଖାଁ ସାହେବ ! ଏଠି କେମିତି ? ସେ ମୋତେ କଟମଟ କରି ଚାହିଁ ‘ଅନ୍ଧା, ବେହୁଦା’ ବୋଲି ଗାଳି ଦେଲେ । ସାଙ୍ଗେ ସାଙ୍ଗେ କେଇଜଣ ଜାଓୟାନ ‘କଅଣ ହେଲା, କଅଣ ହୋଇଚି କହୁ କହୁ ହାଜିର୍ । ମୁଁ ଦମ୍‌ ରୋକି ଛିଡ଼ା ହୋଇ ରହିଲି । ଭାଗ୍ୟକୁ ପାନବାଲା ଚଲାଖ ଥିବାରୁ ସମସ୍ତଙ୍କୁ ବୁଝାଇଦେଲା ଯେ କିଛି ହୋଇନି । ପାନ ନେଇ ପଳାଇ ଆସିଲି । ଆଉ କିଛି ନୁହେଁ, ବାବୁଜୀ, ଗୋଟାଏ ଜବାବ ଜିଭ ଆଗକୁ ଆସିଯାଇଥିଲା କିନ୍ତୁ ଭୟରେ କହିପାରିଲି ନାହିଁ ।

ଠାଣ୍ଡୀରାମ ଅସ୍ଫୁଟ ସ୍ୱରରେ ଆହୁରି ଦି’ଚାରି କଥା କହିଲେ, ଯାହା ଲେଖିବାକୁ ଡର ମାଡ଼ୁଛି । ବାବୁଜୀ କହିଲେ– ଠିକ୍‌ ହୋଇଛି । ବେ-ଅକ୍‌କଲ ଓ ବଦମାସ୍‌ ଲୋକଙ୍କ ସହିତ ମୁଲାକାତ୍‌ ହେଲେ ସେମିତି ହୁଏ । ଆଉ ତୁମେ ବା କେମିତି ବର୍‌ଖାର କିଟିକିଟିଆ ଅନ୍ଧାର ରାତିରେ କାଲେ ଖାଁଙ୍କୁ ଦେଖିପାରିଲ ? କାହାକୁ ବୋଇଲେ କାହାକୁ ଦେଖିଚ, କିଏ ଜାଣେ !

ଠାଣ୍ଡୀରାମ୍ କହିଲେ : ନା ବାବୁଜୀ, ମୁଁ ଠିକ୍ ଦେଖିଚି, କାଲେ ଖାଁ । ସେମିତି ବଦ୍‌ସୁରତ୍ ତ ଆଉ କେହି ନାହିଁ । କେଜାଣି କାହିଁକି ସେ ବିଗ୍‌ଡ଼ି ଯାଇ ମୋତେ ଗାଳି ଦେଲେ !

ବାବୁଜୀ କହିଲେ– ଆରେ ନା ଭାଇ, ନା ! କାଲେ ଖାଁ କଲିକତାକୁ ଆସିଥିଲେ ମୁଁ କି ଦୁଲୀଚାନ୍ଦ୍ କଅଣ ଖବର ପାଇ ନ ଥାନ୍ତୁ ? ଆଚ୍ଛା, ତୁମେ ତାଙ୍କୁ ଦେଖିବା ବେଳେ ତାଙ୍କ ବାଁ ହାତ ଆଙ୍ଗୁଳିରେ ମୋଟା ମୋଟା ମେଜ୍‍ରାବ୍‍ ଦେଖିଥିଲ କି ?

ଠାଣ୍ଡୀରାମ୍ କହିଲେ– ତା’ ତ ନଜର କରିବାକୁ ସମୟ ପାଇନି । ତାଙ୍କ ମୁହଁ ନିଶ ଓ ଦେହକୁ ଖାଲି ନଜର କରିଥିଲି । ମନେକଲି, ହୁଏତ ସେ କାଲେ ଖାଁ, ନୁହେଁ ତ ତାଙ୍କ ଭୂତ ।

ଏହାପରେ ଠାଣ୍ଡୀରାମ୍‌ ଓ ଚିରଞ୍ଜୀବ୍‍ ଭିତରେ କଥା କଟାକଟି ଚାଲିଲା । ଚିରଞ୍ଜୀବ୍ ଆଜି ଠାଣ୍ଡୀରାମ୍‌ଙ୍କୁ ବାଗେରେ ପାଇଛନ୍ତି, ସହଜରେ ଛାଡ଼ିବେ ନାହିଁ । କହିଲେ– ତୁମକୁ ବେହୁଦା କହି ସେ ଠିକ୍‌ କରିଛନ୍ତି । ତୁମେ କାହିଁକି କାଲେ ଖାଁଙ୍କୁ ଆଗେ ଆଦାବ୍ ନ ଜଣେଇଲ କହିଲ.....

 

ଠାଣ୍ଡୀରାମ୍ କହିଲେ– ପ୍ରଥମେ ଲୋକଟାର ପହ୍‌ଚାନ୍‌ ନ ନେଇ ଆଦାବ୍ ଜଣାଇବା ଭଳି ବୋକା ମୁଁ ନୁହେଁ । ମୁଁ ଠାଣ୍ଡୀରାମ୍ । ଗୋଟାଏ ଆଦାବ୍ ବରବାଦ୍ କରିବା ଲୋକ ନୁହେଁ ।

 

ଚିରଞ୍ଜୀବ୍ କହିଲେ– ତୁମେ ଆଜି ଦୁଇଥର ବୋକା ବନିଚ । ଥରେ ପାନ ଦୋକାନରେ-। ଆଉ ଥରେ ଏଠି ତୁମ ବୋକାମି କଥା ଜାରି କରି–ଇତ୍ୟାଦି ଇତ୍ୟାଦି କହି ଶେଷରେ ଚିରଞ୍ଜୀବ୍ ଖିଲେ ପାନ ଓ କିମାମ୍ ଦେଇ ନଛୋଡ଼ବନ୍ଧା ଠାଣ୍ଡୀରାମ୍‌ଙ୍କ ମୁହଁ ବନ୍ଦ କରିଦେଲେ ।

 

ନାଟୋର ମହାରାଜାଙ୍କ ଘରେ ବସି ଏହା ପୂର୍ବରୁ ଥରେ ମାତ୍ର କାଲେ ଖାଁଙ୍କ ନାଁ ଓସ୍ତାଦ୍ ବିଶ୍ୱନାଥଜୀଙ୍କ ମୁହଁରୁ ଶୁଣିଥିଲି । ବିଶ୍ୱନାଥଜୀ ଥିଲେ ସ୍ୱଳ୍ପଭାଷୀ । ଥରେ କୌଣସି ଏକ ପ୍ରସଙ୍ଗରେ କହିଥିଲେ, ଖେୟାଲୀ ତ ରୟମତ୍ (ରହମତ୍) ଖାଁ ସାହେବ ଆଉ କାଲେ ଖାଁ ସାହେବ ।

 

ଚପଳମତି ମୁଁ ତତ୍‌କ୍ଷଣାତ୍ ପଚାରିଥିଲି ୟାଙ୍କ ଭିତରୁ କିଏ ବଡ଼ ଆଉ କିଏ ସାନ । ବିଶ୍ୱନାଥଜୀ ସେମିତି ଗମ୍ଭୀର ଭାବରେ କହିଥିଲେ– କିଏ ବଡ଼ କିଏ ସାନ ମୁଁ ମାପି ନାହିଁ । ସେମାନଙ୍କ ଭିତରେ ତଫାତ୍ ମାତ୍ର ଏତିକି ଯେ ରୟମତ୍‌ ଖାଁ କବର ଭିତରେ, ଆଉ କାଲେ ଖାଁ କବର ବାହାରେ ଅଛନ୍ତି ।

 

ସେ କଥା ଶୁଣି ମୋ ଚପଳତା ଚାଲିଯାଇଥିଲା । ମୋ ମୁହଁ ବନ୍ଦ ହୋଇଯାଇଥିଲା ସେଦିନ । ସେତେବେଳେ ଏହି ଗମ୍ଭୀର, ରାଶଭାରି, ମହାନୁଭବ ବ୍ୟକ୍ତିଙ୍କ ପରିଚୟ ପାଇ ନ ଥିଲି ।

 

ସେ ଯାହା ହେଉ ସେ ତ ଗାୟକ କାଲେ ଖାଁ । କିନ୍ତୁ ଆଜି ଯାହାଙ୍କ କଥା ଉଠିଲା ସେ କାଲେ ଖାଁଙ୍କ ଆଙ୍ଗୁଳିରେ ତ ମୋଟା ମୋଟା ମେଜ୍‌ରାବ୍ । ଅବଶ୍ୟ କେବଳ ମେଜ୍‌ରାବ୍‌ରୁ ଯଥାର୍ଥ ପରିଚୟ ମିଳେ ନାହିଁ । ଶ୍ୟାମଲାଲଜୀଙ୍କ ବୈଠକରେ ବଡ଼ ବଡ଼ ଗୁଣୀମାନେ ବସନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦି’ଜଣଙ୍କ ହାତରେ ମେଜ୍‌ରାବ୍‌ ଦେଖିଚି । ଉତ୍ତର-ଭାରତର ଜଣେ ଅଦ୍ୱିତୀୟ ଚେସ୍‌ଖେଳାଳୀ ମଝିରେ ମଝିରେ ଆସୁଥିଲେ, ତାଙ୍କ ଆଙ୍ଗୁଳିରେ ବି ମେଜ୍‌ରାବ୍ ଦେଖିଚି । ନୁର୍‌ଜାହାନ୍‌ ବାଈଜୀଙ୍କ ସଙ୍ଗତୀ ସାରେଙ୍ଗୀୟା ମିଠ୍‌ଠୁ ଖାଁଙ୍କ ଆଙ୍ଗୁଳିରେ ବି ମେଜ୍‌ରାବ୍‌ ଦେଖିଚି । ଏମାନେ ତ ସଙ୍ଗୀତସେବୀ । ୟାଙ୍କ କଥା ଛାଡ଼ । ଦିଲ୍ଲୀରୁ ଜଣେ ବିଶିଷ୍ଟ ଅତର-ବ୍ୟବସାୟୀ ସେଦିନ ବାବୁଜୀ ଓ ଦୁଲୀଚାନ୍ଦ୍‌ଙ୍କୁ ଅତର ସରବରାହ କଲେ । ତାଙ୍କ ଆଙ୍ଗୁଳିରେ ବି ଦେଖିଲି ମେଜ୍‌ରାବ୍‌ । ଅତଏବ- ?

 

ବାବୁଜୀଙ୍କୁ ପଚାରିଲି ଏଇ କାଲେ ଖାଁଙ୍କ କଥା । କାରଣ ସେଇ ତ ମେଜ୍‌ରାବ୍ କଥା ଉଠାଇଲେ । ହୁକାଟଣା ଫାଙ୍କେ ଫାଙ୍କେ ବାବୁଜୀ ଓ ତକିଆ କୋଳରେ ଜାକି ତନ୍‌ନୁଲାଲଜୀ ଯାହା କହିଲେ ତାହାର ସଂକ୍ଷିପ୍ତ ସାର ଏହିପରି—

 

କାଲେ ଖାଁ ସାହେବ ପଞ୍ଜାବର ଲୋକ । ଧୂଆଁଧାର (ସମୁଜ୍‌ଜ୍ୱଳ, ପ୍ରତିଭାବାନ୍‌) ଖେୟାଲୀ । ତାଙ୍କ ଯୋଡ଼ୀ ଆଉ କେହି ନାହାନ୍ତି । ଲୋକଟା ଟିକିଏ ପାଗଳା, ଖାମ୍‌ଖେୟାଲୀ ଧରଣର । ଦୁନିଆଭର୍ ସମଝଦାର ଜାଣନ୍ତି, ଠିକ୍ ତାଙ୍କ ଭଳି ଖେୟାଲ୍‌ଗାୟକ ଆଉ କେହି ନାହାନ୍ତି-। ଅଥଚ କାଲେ ଖାଁଙ୍କ ଭଳି ବୀଣ୍‌କାର୍‌ ଆଉ କେହି ନାହାନ୍ତି । ତାଙ୍କ ସାମ୍‍ନାରେ ଅନ୍ୟ କୌଣସି ଖେୟାଲିଆଙ୍କ ପ୍ରଶଂସା କଲେ କାଲେ ଖାଁ ଅତି ଉଦାର ମନରେ ସେ କଥା ସମର୍ଥନ କରନ୍ତି-। କିନ୍ତୁ କେହି ଯଦି କୌଣସି ବୀଣ୍‌କାର ବା ସୁର୍‌ବାହାର୍ ବାଦକଙ୍କ ତାରିଫ୍‌ କରେ, ତା’ହେଲେ ଆଉ ରକ୍ଷା ନାହିଁ । ଖାଁ ସାହେବଙ୍କ ଦୋଅକ୍ଷରି ଗାଳି ତାଙ୍କୁ ଶୁଣିବାକୁ ପଡ଼େ । ହଁ, ଚେହେରାଟା ଟିକିଏ ବେଢଙ୍ଗର ଅବଶ୍ୟ । ତ୍ରିପଣ୍ଡ କାଳିଆ ରଙ୍ଗ, ଲାଲ୍‌ ଲାଲ୍ ବଡ଼ ବଡ଼ ଆଖି ଓ ନାକ ତଳେ ହଳେ ବେ-ଦୁରସ୍ତ୍ ମୋଚ୍ । କାଲେ ଖାଁଙ୍କ ମନଟି ଭାରି ଭଲ, ସରଳ, ଖାଣ୍ଟି । କିନ୍ତୁ ଆଉ ଦୁଇଟା ଝୁଙ୍କ ଅଛି । ପ୍ରଥମ– ଗହର୍‌ କାଲେ ଖାଁଙ୍କ ପାଇଁ ଦିଓୟାନା । ଦ୍ୱିତୀୟ– ସେ ଗହର୍‌ଙ୍କୁ ଅତ୍ୟନ୍ତ ଭୟ କରନ୍ତି; ଭାବନ୍ତି, ଗହର୍‌ ଯାଦୁଗର୍‌ଣୀ, ଡାହାଣୀ; ଗହର୍‌ ଯା ଉପରେ ନଜର୍ ଦିଏ ସେ ଶୁଖିଯାଏ-। ଅବଶ୍ୟ ଗୋଲାମ୍ ପହିଲୁମାନର ଏଭଳି ଅଦ୍‌ଭୁତ ଧାରଣା ଥିଲା, ବିଚାରା ! ପୁଣି କେହି ଯଦି ଖାଁ ସାହେବଙ୍କୁ କୁହେ, ଗହର୍‌ ଯେ ଆପଣଙ୍କ ପାଇଁ ଫକୀରୀ ନେଲେ (ସନ୍ୟାସିନୀ ହେଲେ), ଆପଣଙ୍କ ଗାନ ଶୁଣି ପାଗଳ ସେ, ତାହେଲେ ଖାଁ ସାହେବଙ୍କ ମୁହଁ ଲାଲ୍‌ ପଡ଼ିଯାଏ । ଅନେକ ବଡ଼ ବଡ଼ ମଇଫିଲ୍‌ର ଶେର୍ (ଶାର୍ଦୁଳ) ଏଇ କାଲେ ଖାଁ ସାହେବ । କିନ୍ତୁ ହଜାରେ ଚେଷ୍ଟା କରି ବି ଗହର୍ ତାଙ୍କୁ ନିଜ ଘରର ମଇଫିଲ୍‌କୁ ନେଇ ଯାଇ ପାରି ନାହାନ୍ତି । ମୋଟ ଉପରେ, ସବୁ ଭଲ, ଖାଲି ଭାଗ୍ୟ ଦେବତା ବିରୂପ ହୋଇ ତାଙ୍କ ମୁଣ୍ଡରେ ଟିକିଏ ଛିଟ ଦେଇ ଦେଇଛନ୍ତି । ତା ହେଉ ପଛକେ, ତାଙ୍କ ପରି ଆଉ କେହି ନାହିଁ ।

 

ବୃତ୍ତାନ୍ତ ଶୁଣି ମନେ ପଡ଼ିଗଲା ବିଶ୍ୱନାଥଜୀଙ୍କ କଥା । ବାବୁଜୀଙ୍କୁ ସେ କଥା କହିଲି । ବାବୁଜୀ କହିଲେ, ଖୁବ୍ ଠିକ କଥା କହିଛନ୍ତି ବିଶ୍ୱନାଥଜୀ । ତେବେ ରୟମତ୍‌ ଖାଁ ଥିଲେ ବଦ୍ଧ ପାଗଳ । ଖାତିର କରି ହେଉ ବା ଟଙ୍କା ଲୋଭ ଦେଖାଇ ହେଉ ତାଙ୍କୁ ପାରିବା ଅସମ୍ଭବ ଥିଲା । କିନ୍ତୁ କାଲେ ଖାଁଙ୍କୁ ଖାତିର କଲେ କି ମିଠା କଥା କହିଲେ ପାରି ହୁଏ, ଅର୍ଥାତ୍‌ ତାଙ୍କଦ୍ୱାରା ଗାନ କରେଇ ହୁଏ । ଭଲ କରି ଖୁଆଇପାରିଲେ ତ କାଲେ ଖାଁ ସାହେବ ଖୁବ୍ ଖୁସୀ । ଟଙ୍କା କଥା ! ହାୟ ହାୟ ! ବଡ଼ ବଡ଼ ଗୁଣୀସବୁ ଚିରଦରିଦ୍ର । ଆଉ କିଛି ନ ହେଉ, ସେମାନେ ବେହିସାବୀ, ଖର୍‌ଚିଲା । ଟଙ୍କା ତାଙ୍କ ହାତରେ ରୁହେ ନା ।

 

କଥାରେ କଥାରେ ପ୍ରସଙ୍ଗ ବଦଳିଗଲା । ଏହାପରେ ଦୁଇମାସ ବିତିଗଲା । ବାବୁଜୀ ଚାଲିଗଲେ ତାଙ୍କ ଜନ୍ମସ୍ଥାନ ମଥୁରାକୁ । ଯିବାବେଳେ କହିଗଲେ, ସମ୍ଭବ ହେଲେ ଚନ୍ଦନକୁ (ଧ୍ରୁପଦୀ ଚନ୍ଦନ ଚୋବେବୀ) ନେଇ ଫେରିବେ ।

 

କଲେଜ ଛୁଟି ଆସିଗଲା । ପୂଜାଛୁଟି । ବାପା ସେତେବେଳେ ମୈମନସିଂହରେ ସିଭିଲ ସର୍ଜନ । ଗୋଟିଏ ପତ୍ରରେ ଜଣାଇଥିଲେ, ମୁକ୍ତାଗାଛାର ସ୍ୱନାମଧନ୍ୟ ଜମିଦାର ଶ୍ରୀ ଜଗତକିଶୋର ଆଚାର୍ଯ୍ୟ ଚୌଧୁରୀଙ୍କ ଘରେ ନିମନ୍ତ୍ରଣ ଉପଲକ୍ଷରେ ବଜ୍‌ରଙ୍ଗ ମିଶ୍ର ଓସ୍ତାଦ୍‌ଙ୍କ ଧ୍ରୁପଦ ଏବଂ ପ୍ରସନ୍ନ ବଣିକ ଓ ମୌଲବୀରାମ ବାଦ୍ୟବିଶାରଦ ଯୁଗଳଙ୍କ ସଙ୍ଗତ ଶୁଣି ସେ ମୁଗ୍‌ଧ ହୋଇଛନ୍ତି । ମୋତେ ପୂର୍ବରୁ ନିମନ୍ତ୍ରଣ ଅଛି, ଇତ୍ୟାଦି । ଚିଠି ପଢ଼ି ହିତୋପଦେଶର ଶୃଗାଳ ଭଳି ଭାବିଲି, ଅହୋ ଭାଗ୍ୟ-! ମୋ ସମ୍ମୁଖରେ ତ ମହତ୍‌ ଭୋଜ୍ୟ ଉପସ୍ଥିତ ! ବର୍ତ୍ତମାନ ଆପାତତଃ ଦୁଇ ଚାରି ଦିନ ‘ଅଦ୍ୟ ଭକ୍ଷ୍ୟ ଧନୁର୍ଗୁଣ’ ଭାବରେ କଟାଇବାକୁ ହେବ ବୋଧହୁଏ ।

 

ଇତିମଧ୍ୟରେ ଦିନେ ନିକୁନ୍ (ମୋର ସମ୍ପର୍କୀୟ ପିଉସୀପୁଅ ଭାଇ । ଭଲ ନାଁ ଶ୍ରୀ ନିକୁଞ୍ଜବିହାରୀ ମୈତ୍ର । ସଂପ୍ରତି ସାନ୍ତରାଗାଛିରେ ସଂସାର ସମୁଦ୍ରରେ ସନ୍ତରଣବ୍ୟସ୍ତ) ମୋତେ କହିଲା– ପାଁଚ୍‌ଦା, ବର୍ତ୍ତମାନ ତ ସମୟ ଅଛି । ଚାଲନ୍ତୁ ଦିନେ ଆମ ବ୍ୟାଟ୍‌ରାର ଘରକୁ । ସକାଳେ ଯିବା, ସନ୍ଧ୍ୟାରେ ଫେରିବା । ମୁଁ କହିଲି ଭଲ କଥା, ଚାଲ ଯିବା ।

 

ନିକୁନ୍ ଭାରି ଭଲ ପିଲା, ଆଉ ସଙ୍ଗୀତପାଗଳ । ସେଥିରେ ପୁଣି ସେ ନିଜେ ଯେମିତି ଭୋଜନପ୍ରିୟ, ପରର ଖାଇବା ପିଇବା ତଦାରକ କରିବାରେ ସେମିତି ଅଗ୍ରଣୀ । ଅଥଚ ସେ ବୟସରେ ସେ ସିଗାରେଟ ବି ଟାଣୁ ନ ଥିଲା । ଅନ୍ତତଃ ମୁଁ ଯାହା ଜାଣେ ।

 

ପରଦିନ ଅନ୍ଦାଜ ସକାଳ ସାତଟାବେଳେ (ରିଷ୍ଟ୍‌ଓୟାଚ୍ ହାତରେ ନ ଆମେ ବାନ୍ଧି ସେତେବେଳେ ସମୟର ଅପବ୍ୟବହାର କରୁଥିଲୁଁ) ନିକୁନ୍ ଓ ମୁଁ ଆମ୍‌ହାର୍ଷ୍ଟର୍ଷ୍ଟ୍ରୀଟ୍ ମୋଡ଼ରେ ହାଓଡ଼ାଗାମୀ ଟ୍ରାମ୍‌ରେ ଉଠିଲୁ । ବସିଲୁ ଟ୍ରାମର ମଝି ଧାଡ଼ିରେ । ପ୍ରଥମ ଶ୍ରେଣୀରେ ଭିଡ଼ ନାହିଁ କହିଲେ ଚଳେ । ସକାଳର ହଳଦିରଙ୍ଗର ଆଲୁଅ ଆମ ନବୀନ ପ୍ରାଣରେ ବି । କିଛି ଗୋଟାଏ କରନ୍ତେ, କିଛି ଗୋଟାଏ ନ କରନ୍ତେ ଭଳି ଅନ୍ଧାଧୁନିଆ ନିରୁଦ୍ଦିଷ୍ଟ ଉତ୍ସାହ ଆମକୁ ସର୍ବଦା ସଜାଗ କରି ରଖିଥାଏ ।

 

ଉଠିବା ମାତ୍ରେ ଦେଖିଲୁ ଡ୍ରାଇଭର୍‌ ନିକଟରେ ପ୍ରଥମ ଧାଡ଼ିରେ ବସିଛନ୍ତି ଜଣେ ମୁସଲମାନ ଭଦ୍ରଲୋକ । ଡ୍ରାଇଭର ଆଡ଼କୁ ମୁହଁ କରି ସେ ବସିଛନ୍ତି । ତାଙ୍କ ଦୃଷ୍ଟି ଝରକା ଭିତର ଦେଇ ସାମନା ରାସ୍ତା ଆଡ଼କୁ ପ୍ରସାରିତ । ସେଇଟା କିଛି ନୁହେଁ । ଅସଲ କଥା ହେଲା, ସାମନାରେ ସିଧା ଛିଡ଼ା ହୋଇଥିବା ଗୋଟିଏ ଲମ୍ୱାଚଉଡ଼ା ଲାଠିର ବେଣ୍ଟ ଉପରେ ତାଙ୍କ ପଂଝା ଭରା ଦେଇ ରହିଚି । ଏଟା ବି କିଛି ନୁହେଁ । ପ୍ରକୃତ ଅସଲ କଥା ହେଉଚି, ତାଙ୍କ ମୋଟା ମୋଟା ଆଙ୍ଗୁଳି ଭିତରୁ ବାଁ ହାତର ଅନାମିକା ଘେରି ରହିଥାଏ ବେଶ୍ ମୋଟା ତାରର ଦୁଇଟା ମେଜ୍‌ରାବ୍‌ ! ମନରେ ବିଜୁଳି ଭଳି ଖେଳିଗଲା କାଲେ ଖାଁ ସାହେବଙ୍କ ବିଷୟରେ ବାବୁଜୀ-ଠାଣ୍ଡୀରାମଙ୍କ କଥାବର୍ତ୍ତା ।

 

କିନ୍ତୁ ଏହା କଅଣ ସମ୍ଭବ ! ତଥାପି ଏଇ ଯେ ମୋଟା ଆଙ୍ଗୁଳିରେ ମୋଟା ମେଜ୍‌ରାବ୍ । ୟାକୁ ବା ବିଲ୍‌କୁଲ୍ ଉଡ଼େଇ ଦେଇ ହେବ କିପରି ! ଆଉ ଟିକିଏ ଘଟନାଟିକୁ ଖେଳେଇ ଦେଖିବା ତ ଦରକାର । ଲୋକଟି ଯେ ସେତାର ବଜାନ୍ତି ଅନ୍ତତଃ ଏଥିରେ ତ ସନ୍ଦେହ ନାହିଁ । ଧର ଯଦି ଏ କାଲେ ଖାଁ ହୁଅନ୍ତି ! ମୋ ଛାତି ଭିତର ଦମ୍‌ କିନା ହେଲା । ପରମୁହୂର୍ତ୍ତରେ ପ୍ରକୃତିସ୍ଥ ହୋଇ ସ୍ଥିର କଲି, ନା, କଥାଟାକୁ ତଳେଇ ଦେଖିବାକୁ ପଡ଼ିବ । ଏଇଟାହିଁ ବୋଧହୁଏ ଅଦ୍ୟ ଭକ୍ଷ୍ୟ ଧନୁର୍ଗୁଣ !

 

ନିକୁନ୍‌କୁ କହିଲି : ଦେଖ୍, ସେଇ ଲୋକଟା ଗୋଟାଏ ଗୁଣ୍ଡାସର୍ଦ୍ଦାର । କିନ୍ତୁ ଭାରି ଭଲ ଲୋକ । ସେତାର ବଜାଏ । ଚାଲ୍, ତା ସାମନାକୁ ଯାଇ ଟିକିଏ ଆଳାପ କରିବା ।

 

ଆମ ବସିବା ଜାଗାରୁ ଉଠିଯାଇ ଆମେ ପ୍ରଥମ ଧାଡ଼ିରେ ବସିଲୁ । ନିକୁନ୍ ନିର୍ବାକ୍ ହୋଇ ମୋ ପାଖରେ ବସିଲା । ମା ଦୁର୍ଗାଙ୍କୁ ସ୍ମରଣ କରି ମିଥ୍ୟାର ପସରା ମୁଣ୍ଡକୁ ନେଇଚି । ନିକୁନ ତ ମୋ କଥାରେ ବିଶ୍ୱାସ କରିଚି ।

 

ଭଦ୍ରଲୋକଟି ଠିକ୍ ସେମିତି ବସି ରହିଥିଲେ । ଲୋକଟିର ଚେହେରାରେ ପୌଢ଼ତ୍ୱ ଦେଖାଦେଇଚି, ଯଦିଓ ଟୋପି ପାଖର ବାଳ ସେପର୍ଯ୍ୟନ୍ତ ଧଳା ହୋଇନି । ଟିକିଏ କାଇଦା କରି ତାଙ୍କ ମୁହଁକୁ ଅନାଇଲି । ଦିଶିଲା ଖାଲି ତାଙ୍କ ପ୍ରକାଣ୍ଡ ନିଶ ହଳକ ଓ ହୃଷ୍ଟପୁଷ୍ଟ ଗର୍ଦ୍ଦନ । ମୁଣ୍ଡରେ ମଇଳା ଟୋପି । ଦେହରେ ଢିଲା ପଞ୍ଜାବୀ । ତା’ ଉପରେ ପୁରୁଣା ମଲ୍‌ମଲ୍‌ ମେର୍‌ଜାଇ ବା ସେମିତି ଗୋଟାଏ କିଛି ବ୍ୟାପାର ।

 

ଏତିକିବେଳେ ସେ ମୁହଁ ଘୁରାଇ ବସିଲେ । ଆମ ସାମନାସାମନି । ସେତେବେଳେ ଦେଖିଲି ବଦନମଣ୍ଡଳ ଠିକେ ଠ ବର୍ତ୍ତୁଳ ଚନ୍ଦ୍ରାନନ । ତେବେ କୃଷ୍ଣଚନ୍ଦ୍ର । କଳଙ୍କ ବାରିବା ଅସମ୍ଭବ । ବଡ଼ ବଡ଼ ଲାଲ ଲାଲ ବିସ୍ଫାରିତ ଆଖି ଦୁଇଟି ମଝିରୁ ନାକଟି ଓହ୍ଲାଇଆସି ବେ-ବନ୍ଦୋବସ୍ତ ନିଶ ମଧ୍ୟରେ ହଜିଯାଇଚି । ଓଠର ଅସ୍ତିତ୍ୱ ଅଦୃଶ୍ୟ । ଚାହାଣି ଟିକିଏ ଉଦାସିଆ ଓ ବିହ୍ୱଳ । ସେ ଆଖି ପାରିପାର୍ଶିକ ଅବସ୍ଥା ପ୍ରତି ସଚେତନ ବୋଲି ମନେ ହେଲା ନାହିଁ ।

 

ଆଉ ଡେରି କଲେ ଚଳିବ ନାହିଁ । ତାଙ୍କ ପ୍ରତି ମାତ୍ର ବର୍ତ୍ତମାନ ଦୃଷ୍ଟି ପଡ଼ିବା ଭଳି ଭାବଭଙ୍ଗୀ କରି ତାଙ୍କ ମୁହଁ ଆଡ଼କୁ ଚାହିଁ କହିଲି– ଆଃ ହା ! ଆଦାବ୍‌ରଜ୍‌ ଖାଁ ସାହେବ ! ଆପଣ ଯେ ! ସେଆଡ଼ୁ କୁଆଡ଼ୁ ଆସିଲେ ? ଯେମିତି ତାଙ୍କୁ ମୁଁ ଚିହ୍ନେ ଓ ସାକ୍ଷାତ୍‌ ପାଇ କୃତାର୍ଥ ହୋଇଚି, ଆଉ ତାଙ୍କ ଗତିବିଧି ଯେମିତି ନଖାଗ୍ରରେ ।

 

ସେଇ ଉଦାସ ମୁହଁରେ ଦୁଇଅଣା ଅନ୍ଦାଜ ଚେତନାର ଭାବ ଦେଖାଗଲା । ତାଙ୍କ ଆଖି ପତା ପଡ଼ିବାରୁ ତା’ ଅନ୍ଦାଜ କଲି । ନିଶଗୋଳା କଥାରେ ସ ଉତ୍ତର ଦେଲେ : ଆଦାବ୍ । କାଲି ରାତିରେ ରାଜାବଜାରରେ ଦାଓତ୍‌ ଥିଲା । ବର୍ତ୍ତମାନ ଡେରାକୁ ଫେରୁଛି । ଦାଓତ୍‌ ବୋଇଲେ ନିମନ୍ତ୍ରଣ । ନିକୁନ୍‌ ଜାଣେ, ରାଜାବଜାରରେ କିଭଳି ରାଜାମାନେ ବଜାର କରନ୍ତି । ସେ ତେଣୁ ଗମ୍ଭୀର ଭାବରେ ବସିଲା ।

 

ଲୋକଟିର ଆଖିମୁହଁରୁ ଜାଣିଲି ଯେ ମୋର ବା ଆମ ବିଷୟରେ ତାଙ୍କ ମନରେ ତିଳେ ମାତ୍ର ସନ୍ଦେହ ବା କୌତୂହଳ ଜାତ ହୋଇନି । ସେ ମୋତେ ଜାଣନ୍ତି ନାହିଁ । ମୁଁ ବି ତାଙ୍କୁ ଜାଣେନା, ଚିହ୍ନେନା । ଅଥଚ ଆରମ୍ଭରୁ ଛଳନା କଲି ଯେମିତି ସେ ମୋ ପରିଚିତ । ଏପରି ଅବସ୍ଥାରେ ଅତି ସନ୍ତର୍ପଣ ସହ ଧପ୍‌ପାବାଜି ଚାଲୁ ରଖିବାକୁ ପଡ଼ିବ । ଅବଶ୍ୟ ବୈଠକୀ ପରିବେଶ ମଧ୍ୟରେ ଅନେକ ଗୁଣୀ ଓ ଓସ୍ତାଦ୍‌ଙ୍କ ସହିତ ମିଶି ଅତିରଞ୍ଜିତ ବିଶେଷଣ ପ୍ରୟୋଗର କଳାକୌଶଳରେ ଅଳ୍ପବହୁତ ମୁଁ ଅଭ୍ୟସ୍ତ । ତା’ ହେଲେ ବି ଲୋକଟି କି ଗୁଣର ଗୁଣୀ ଓ କେଉଁ କର୍ମରେ ଓସ୍ତାଦ୍ ମୋତେ ଜଣା ନାହିଁ । ଯା’ହେଉ, ମୋ ମୂଳଧନ ହେଲା କଳ୍ପନା ଓ କାରବାର ହେଲା କଥାର ଫିକର୍ । ତେଣୁ ମିଥ୍ୟା ବଚନର ସମ୍ଭାର ବୋହି ଆଗେଇବାକୁ ପଡ଼ିବ । କିନ୍ତୁ ବିପଦ ହେଲା, ଲୋକଟି କଥା କହିବାକୁ ଚାହାନ୍ତି ନାହିଁ । ତାଙ୍କ ମୁହଁର ଭାବ ମଧ୍ୟ ଉତ୍ସାହଜନକ ନୁହେଁ । ତାଙ୍କ ମେଜ୍‌ରାବ୍ ଆଡ଼କୁ ବାରମ୍ୱାର ଚାହିଁଲି । କିନ୍ତୁ ତାହା ତାଙ୍କ ଭିତରେ କୌଣସି ଉତ୍ତେଜନା ସୃଷ୍ଟି କଲା ନାହିଁ । ଇତିମଧ୍ୟରେ ଟ୍ରାମ୍ କଲେଜଷ୍ଟ୍ରୀଟ୍ ଛକ ଧରିଥାଏ ।

 

ମୁଁ ଆରମ୍ଭ କଲି : ହାୟ ହାୟ ଖାଁ ସାହେବ ! ଶେଠ୍‌ଜୀଙ୍କ ଘରେ କି ସୁନ୍ଦର ଜଲ୍‌ସା ହୋଇଥିଲା ! ସାରା କଲ୍‌କତ୍ତାରେ ହପ୍ତାଭର୍‌ ହଲ୍ଲା ପଡ଼ିଗଲା । ଖାଁ ସାହେବ, ସେଭଳି କଦର୍‌ଦାନ୍ ଆଉ କଅଣ ଅଛନ୍ତି ବର୍ତ୍ତମାନ !

 

ଅବଶ୍ୟ ସ କେଉଁ ରାଗର ଜଲ୍‌ସା, କେଉଁ ଗୁଣୀଙ୍କ ପାଇଁ ମଇଫିଲ୍, କାହା ନାଁରେ ହୁରି ପଡ଼ିଯାଇଥିଲା ଏବଂ କେବେ ସେ ଘଟନା ଘଟିଥିଲା– ଏସବୁ ଜେରା କରିବାର ଅବକାଶ ଥାଏନା ଏ ଧରଣର କଥାବାର୍ତ୍ତାରେ । ଲକ୍ଷ୍ୟ କଲି, ‘ଶେଠଜୀ’ କଥାରେ ତାଙ୍କର ଔତ୍ସୁକ୍ୟ ଉଦ୍ରେକ ହୋଇ ନାହିଁ । ଶେଠ୍‌ଜୀ ବୋଇଲେ ଦୁଲୀଚାନ୍ଦ ଶେଠ୍‌ଜୀ ।

 

ମୋ କଥାରେ ତିଳେମାତ୍ର ବିଚଳିତ ନ ହୋଇ ସେ ଗୋଟିଏ କ୍ଷୁଦ୍ର ପ୍ରଶ୍ନସୂଚକ ‘ହାଁ ? ’ ଉଚ୍ଚାରଣ କରି ମୋ ମୁହଁକୁ ଅନାଇଲେ । ସେଇ ଉଚ୍ଚାରଣଭଙ୍ଗୀ ଭିତରେ କେତେ ପରିମାଣ ତାଚ୍ଛଲ୍ୟ, କଣ୍ଠସ୍ୱରରେ କେତେ ଅବିଶ୍ୱାସ ଓ ଦୃଷ୍ଟିରେ କେତେ ଅବଜ୍ଞା ଥିଲା ବୁଝିପାରିଲି ନାହିଁ । ଏତିକି ମାତ୍ର ବୁଝିଲି ଯେ ମୋ ବାଣଟି ବ୍ୟର୍ଥ ହୋଇଚି । ଦୁଶ୍ଚିନ୍ତାରେ ପଡ଼ିଲି ଯେ ତେବେ କଅଣ ଲୋକଟି ଭାବୁଚି ମୁଁ ଧପ୍‌ପା ଦେଉଚି ?

 

ମୁହୂର୍ତ୍ତକ ପାଇଁ ଭାବିଲି ଯେ ଏତେ ଅଡ଼ୁଆ ଭିତରକୁ ନ ଯାଇ ନିଜର ଭୁଲ ସ୍ୱୀକାର କରି ସିଧାସଳଖ ନାଁ’ ଗାଁ ପଚାରିଦେଲେ ତ ଅଡ଼ୁଆ ତୁଟିଯିବ । କିନ୍ତୁ ପୁଣି ଭାବିଲି, ମିଥ୍ୟାର ବ୍ୟବସାୟ କରି ଅନେକ ବାଟ ଆଗେଇଗଲିଣି । ବର୍ତ୍ତମାନ ପଛେଇଗଲେ ନିଜ ମାନ ରକ୍ଷା ହୁଏନା-। ଆଉ ନିକୁନ୍ ବା କଅଣ ଭାବିବ ! କି ଉପାୟ ବର୍ତ୍ତମାନ ଗ୍ରହଣ କଲେ ଭଲ ହବ–ପାଣି ଗୋଳିଆ କରିବି, ନା ବୁଡ଼ି ବୁଡ଼ି ଯିବି ? ଭଦ୍ରଲୋକ ଶୁଣିପାରିବା ଭଳି ପରିଷ୍କାର ଗଳାରେ ନିକୁନ୍‌କୁ ପଚାରିଲି– ଦେଖୁଚୁ କଅଣ ! ଏ ହେଉଚନ୍ତି କାମରେ ମସ୍ତ ଖଲିଫା ।

 

ନିକୁନ୍‌ ମୋ କଥା ଶୁଣି ହାଁ କରି ଅନେଇ ରହିଲା । ଖଲିଫା ବୋଇଲେ ସେ ଦରଜି ବା ବାରିକ କିମ୍ୱା ଆଉ କଅଣ ବୁଝିଲା ଭଗବାନ ଜାଣନ୍ତି । ଏହିପରି ସମୟରେ ଭଦ୍ରଲାକଟି ଅପ୍ରତ୍ୟାଶିତ ଭାବେ ଗୋଟିଏ ଅସ୍ତ୍ର ଛାଡ଼ିଲେ । ମୋତେ ପଚାରିଲେ– ସେଥର ଚୌଧୁରାନଙ୍କ ଜଲ୍‌ସାରେ ଆପଣ ଥିଲେ କି ?

 

ସର୍ବନାଶ ! ଧନୁଗୁଣ ଧରି ଟଣାଟଣି କରୁଥିଲି, ତୀର ଓଲଟା ମେତେ ବିନ୍ଧିଲା କି ଆଉ-! ଭଦ୍ରଲୋକଟି କଅଣ ଧପ୍‌ପା ଦ୍ୱାରା ମୋ ଧପ୍‌ପା ପରୀକ୍ଷା କରୁଛନ୍ତି ? ‘ସେ ଥର’ ବୋଇଲେ କେଉଁ ଥର, କେଉଁଠି ? ଚୌଧୁରାନ୍ ନାଁ’ଟି ପ୍ରଥମ ଶୁଣିଲି । ତା ପୁଣି ନିଶଗୋଳା ଅସ୍ପଷ୍ଟ ଉଚ୍ଚାରଣ ଭିତରେ । ଯାହାହେଉ, ଖୁବ୍ ସମ୍ଭବ ସେଟା ସ୍ତ୍ରୀଲୋକ ନାଁ’ ବା ବାଈଜୀର ନାଁ ହବ-। କିନ୍ତୁ କେଉଁ ଜଲସା, କାହାର ଜଲ୍‌ସା, ଗାନର ନା ସିତାରର, ନା ବାହାଘରର ? କିଛି ତ ଜାଣେନା-। ଝାଳ ବାହାରିଗଲା, କାରଣ ଆପଣା ହସ୍ତେ ଜିହ୍ୱା ଛେଦି । ଯାହାହେଉ, ତତ୍‌କ୍ଷଣାତ୍‌ ଟ୍ରାମ୍‌ ଝରକାବାଟେ ମୁହଁ ବଢ଼ାଇ ନାକ ପରିଷ୍କାର କରିନେଲି ଥରେ, ରୁମାଲ ଦେଇ ଭଲକରି ପୋଛିଲି ସେ ନାକକୁ, ପୁଣି ନାକ ପରିଷ୍କାର କଲି, ଏମିତି କେତେଥର ଚାଲିଲା । ଏହି ଛଳନା ଭିତରେ ଯେତିକି ଟିକିଏ ସମୟ ମିଳିଲା ତାରି ଭିତରେ ପନ୍ଥା ଠିକ୍ କରିନେଲି । ହୃଦୟ-ଭେଦୀ ବାଣଦ୍ୱାରା ଏହି ଶବ୍ଦଭେଦୀ ବାଣର ପ୍ରତିରୋଧ କରିବାକୁ ହେବ । ନ ହେଲେ ମାନଇଜ୍‌ଜତ କିଛି ରହିବ ନାହିଁ-। ମୁହଁ ନାକ ପୋଛୁ ପୋଛୁ ଅସ୍ତ୍ରଟି ଜିଭ ଆଗରେ ଭଲ କରି ପଜେଇ ନେଲି ।

 

ଅସ୍ତ୍ର ତ୍ୟାଗ କଲି । ଅର୍ଥାତ୍ ଖୁବ୍ ଆଶ୍ଚର୍ଯ୍ୟ ହେବା ଭଙ୍ଗୀରେ କହିଲି– କଅଣ କହିଲେ ଖାଁ ସାହେବ, ଚୌଧୁରାନ୍‌ଙ୍କ ଜଲ୍‌ସା ? ସେ ଜଲ୍‌ସା କଥା ଆଉ କହନ୍ତୁ ନାହିଁ ! ଧନ୍ୟ ଆପଣଙ୍କ ଇୟାଦ୍‌ଗାରି ! ଶ୍ୟାମଲାଲଜୀ କେତେ କଥା ଯେ ସେ ବିଷୟରେ କହିଲେ ! ଆଉ ଗହର କେତେ ଯେ ଗମ୍‌ଦିଦା ହୋଇଥିଲେ, ବିଚାରା !

 

‘ଇୟାଦ୍‌ଗାରି’ ବୋଇଲେ ସ୍ମୃତିର ଅଭିଜ୍ଞାନ ବା ନିଶାଣ । ‘ଗମ୍‌ଦିଦା’ ବୋଇଲେ ‘ମହାଦୁଃଖୀ’ । ଶବ୍ଦର ଅର୍ଥ ଯାହାହେଉ, ଅସ୍ତ୍ର ସଫଳ ହୋଇଚି ବୁଝିଲି ।

 

ଦେଖିଲି, ତାଙ୍କ ଜାଗାରେ ସେ ସଳଖି ବସି ଗୁଣୁ ଗୁଣୁ କଅଣ ମନ୍ତ୍ର ପଢ଼ିଲେ ଓ ଥରେ ବାଁ ହାତକୁ ଓ ପୁଣି ଡାହାଣ ହାତକୁ ଚାହିଁ ଗୋଟାଏ ଯୋଡାଏ ଫୁତ୍‌କାର ଛାଡ଼ିଲେ । ତାଙ୍କ ଆଖି ମୁହଁରୁ ଉଦାସ ଭାବ ଅପସରି ଯାଇଥାଏ । ସେଇ ନିଶ ଜଙ୍ଗଲରେ ଓ ରକ୍ତବର୍ଣ୍ଣ ଆଖିରେ ସରସ ଚେତନା ଓ ଉତ୍ତେଜନା ଦେଖା ଦେଇଥାଏ । ମୁଁ ନିଶ୍ଚିନ୍ତ ହେଲି ଯେ ଏ ଭାବାନ୍ତରର କାରଣ ହେଉଚି କେବଳ ଗହର୍‌ଙ୍କ ନାଁ ଉଚ୍ଚାରଣ । ଏ ବିଷୟରେ ମୁଁ ବାଜି ମାରିପାରେ ।

 

ସତ୍ୟ ହେଉଚି ସ୍ୱୟଂସିଦ୍ଧ । ଅଳ୍ପସ୍ୱଳ୍ପ ମିଥ୍ୟାଦ୍ୱାରା ସତ୍ୟ ଆବୃତ ଥାଏ ବୋଲି ଭାଷ୍ୟ ଟୀକା ସାହାଯ୍ୟରେ ସେ ଆବରଣ ଭେଦ କରିବାକୁ ପଡ଼େ । କିନ୍ତୁ ମିଥ୍ୟାର ଆବରଣରେ ବି ଗୋଟାଏ ସୌନ୍ଦର୍ଯ୍ୟ, ଗୋଟାଏ ସାର୍ଥକତା ଅଛି । ତା’ ନ ହେଲେ କାବ୍ୟ ବା ଅଳଙ୍କାରର ପ୍ରୟୋଜନ ନ ଥାନ୍ତା । ଭଦ୍ରଲୋକଙ୍କ ପ୍ରଶ୍ନରେ ସତର ପରିମାଣ କେତେ ଥିଲା ମୁଁ ଜାଣି ନ ଥିଲି । ମୋ ଅଜ୍ଞତା ପକ୍ଷରେ ସେତକ ଥିଲା ମାରାତ୍ମକ । ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିଁ କେବଳ ମୁଁ ଶ୍ୟାମଲାଲଜୀ ଓ ଗହର୍‌ଙ୍କ ନାଁ ଜଡ଼ିତ କରି ମିଥ୍ୟାର ଗୋଟାଏ ବାକ୍ୟଜାଲ ରଚନା କରିଥିଲି । ଏଇ ଅଜ୍ଞାତକୁଳଶୀଳ ଲୋକଟି ସେଇ ମିଥ୍ୟାଜାଲରେ ପଡ଼ି ନିଜେହିଁ ପ୍ରମାଣ କରିଦେଲେ ଯେ ସେ କାଲେ ଖାଁ ସାହେବ, ଯିଏ ଗହର ନାଁ ଶୁଣିବା ମାତ୍ରକେ ଅତିମାତ୍ରାରେ ତ୍ରସ୍ତ, ଉତ୍ତେଜିତ ହୁଅନ୍ତି । ମୁଁ ବଞ୍ଚିଗଲି । କିନ୍ତୁ ସେ ଭଦ୍ରଲୋକଟି ଟ୍ରାମରେ ଆମ ସାମନାରେ ବସି ତତ୍‌କ୍ଷଣାତ୍ ମରିଗଲେ । ତା ସ୍ଥାନରେ ଦେଖିଲି, ବସିଛନ୍ତି କାଲେ ଖାଁ ସାହେବ ! ଏଇ ଟିକକ ହେଲା ମିଥ୍ୟା ଆବରଣର ସୌନ୍ଦର୍ଯ୍ୟ, ଯାହା ସତ୍ୟର ଉଦ୍‌ଭାସକୁ ଆହୁରି ଚମତ୍କାର କରି ଆମ ଦୃଷ୍ଟିରେ ଧରା ପଡ଼େ । ଏତିକି ପାଇଁ କେବଳ ଏକ ସାମାନ୍ୟ ଟୀକାର ପ୍ରୟୋଜନ ମନେକରେ । ଯେଉଁମାନେ ମିଥ୍ୟାର ସୁନ୍ଦରତା ନ ବୁଝି ତା’ର କୁଖ୍ୟାତି କରନ୍ତି, ମୋର ମନେହୁଏ ସେମାନେ ସତ୍ୟ ପ୍ରତି ନିର୍ବିଚାର ପକ୍ଷପାତିତ୍ୱ କରନ୍ତି । ତାଙ୍କ ସହିତ କଥା କହି ସୁଖ ମିଳେ ନାହିଁ । ମୁଁ ଯଦି କୁହେ ମିଥ୍ୟା ବି ସୁନ୍ଦର ହୋଇପାରେ, ସେମାନେ କୁହନ୍ତି ସୁନ୍ଦର ଅସୁନ୍ଦର ସବୁ ମିଥ୍ୟା । ପ୍ରଥମରୁହିଁ ମିଥ୍ୟାକୁ ନିନ୍ଦିତ କରି ପରେ ଜଗତକୁ ମିଥ୍ୟା କହି ସେମାନେ ଆଉ ଯାହା ପ୍ରମାଣ କରନ୍ତୁ ପଛକେ, ସେମାନେ ଯେ ବିଶ୍ୱନିନ୍ଦୁକ ଏଇ ସତ୍ୟଟା ପ୍ରମାଣ କଲେ । ଏଇ ବିଶ୍ୱନିନ୍ଦୁକମାନଙ୍କୁ ମୁଁ ଭାରି ଭୟ କରେ । ଏହି ଭୟଟାହିଁ ମୋର ଏକମାତ୍ର ଭରସା ।

 

ସବୁ କଥାବାର୍ତ୍ତା ହେଉଥିଲା ହିନ୍ଦୁସ୍ଥାନୀ ଭାଷାରେ । ନିକୁନ୍ ଏ ଭାଷା ବୁଝିପାରେନା ବୋଲି ନିର୍ବାକ୍ ହୋଇ ବସିଥିଲା । ବୁଝିଲେ ହୁଏତ ଅବାକ୍ ହୁଅନ୍ତା ।

 

ଖାଁ ସାହେବ (ବର୍ତ୍ତମାନ ମୁଁ ତାଙ୍କୁ ଖାଁ ସାହେବ ହିଁ କହିବି) ଆତ୍ମରକ୍ଷା ମନ୍ତ୍ରପାଠ ଶେଷ କଲେ । ମୋର ବି ଚୈତନ୍ୟ ହେଲା ଯେ ଆମ ଟ୍ରାମ ଚିତ୍‌ପୁର ରୋଡ଼ରେ ପହଞ୍ଚିଲାଣି ଏବଂ ପ୍ରଥମ ଧାଡ଼ିରେ ବେଶ୍‌ ଭିଡ଼ ଜମି ଜମି ସାରିଲାଣି । ତାଙ୍କ ପାଖରେ ଗୋଟିଏ ଖାଲି ପଡ଼ିଥିବା ଜାଗାରେ ବସିବାକୁ ଖାଁ ସାହେବ ମୋତେ କହିଲେ । ମୁଁ ଯେ ଜଣେ ବୁଝାଦାର୍‌ ଲୋକ ସେ ବିଷୟରେ ତ ତାଙ୍କର ଆଉ ସନ୍ଦେହ ନାହିଁ । ନିକୁନ ସାମନାରେ ବସି ବସି ଆମ ମୁଖଭଙ୍ଗୀ ଲକ୍ଷ୍ୟ କରି ଯାଉଥିଲା । ଆଖିର ଇଶାରା ଦେଇ ବିଚାରାକୁ ଟିକିଏ କୃତାର୍ଥ କଲି । ଇଶାରା ବୁଝିବା ଭଳି ତାର ଅକଲ ଯଥେଷ୍ଟ ଥିଲା । ନିର୍ବାକ୍ ନିସ୍ପନ୍ଦ ହୋଇ ବସିରହିବାର ଯେଉଁ ବୁଦ୍ଧି ଓ ସଂଯମର ପରିଚୟ ସେ ଦେଇଥିଲା ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

 

ଚିତ୍‌ପୁର ଛକ ପାର ହୋଇ ଟ୍ରାମ ପୁଣି ଚାଲିବାବେଳେ ଖାଁ ସାହେବ ମୋ କାନ ପାଖରେ ମୁହଁ ରଖି ଚୁପ୍‌ ଚୁପ୍ ପଚାରିଲେ : ହାଁ ହାଁ, ତୋ ଶ୍ୟାମଲାଲ କୌନ୍‌ସା କଥା ବୟାନ୍‌ କଲେ ?

 

ମୁଁ ଟିକିଏ ବିବ୍ରତ ହେଲି । ମାତ୍ର ଅଳ୍ପକ୍ଷଣ ପୂର୍ବେ ସଂକଳ୍ପ କରିଥିଲି ଯେ ମିଥ୍ୟାର ଜାଲ ଓଟାରି ନେବି । କାରଣ, ମସ୍ତବଡ଼ ଗୋଟାଏ ସତ୍ୟର ମାଛ ଧରାପଡ଼ିଛି । କିନ୍ତୁ ଦେଖିଲି; ଏ ମାଛଟି ସେ ଜାଲରେ ଆହୁରି କିଛିକାଳ ଜଡ଼ୀଭୂତ ହୋଇ ରହିବାକୁ ଚାହେ ! ଫଳରେ ଖାଁ ସାହେବଙ୍କ ଜିଜ୍ଞାସାର ତୁଷ୍ଟି ସାଧନ ପାଇଁ ମିଥ୍ୟାର ଜାଲକୁ ଆଉ ଟିକିଏ ପ୍ରସାରିତ କରିବାକୁ ପଡ଼ିଲା । ଜାଲ୍‌ ଉପରେ ଜୁଆଚୋରିର ନକ୍‌ସା କାଟିବା ଏମିତି କିଛି କଷ୍ଟକର କଥା ବି ତ ନୁହେଁ । ପ୍ରଶ୍ନର ଉତ୍ତର ଦେବା କିଛି କଠିନ ନୁହେଁ । କାରଣ, ସେତେବେଳେ କଳିର କଳ୍ପଲତା ଦେବୀ ପ୍ରାତାରଣାର ମୁଁ ହୋଇଥାଏ ଏକ ଉଦ୍‌ଭଟ ଓ ଅଦ୍ୱିତୀୟ ବାର୍ତ୍ତାବାହକ । ଜେରା କରି ମୋତେ ବିପଦଗ୍ରସ୍ତ କରିବା ଭଳି ସେଠି କେହି ନ ଥିଲେ ।

 

ମୁଁ ବେଶ୍ ବନେଇ ଚୁନେଇ କହିଲି : ଶ୍ୟାମଲାଲଜୀ ଯେତେ କହିଲେ ସେ ସବୁ ଆପଣଙ୍କୁ କହି ଆପଣଙ୍କ ସୁରିଲା କାନ ଉପରେ ଆଫତ୍ (ଆପଦ) ସୃଷ୍ଟି କରିବାକୁ ମୋର ଇଚ୍ଛା ନାହିଁ । କହି ମୁଁ ଚୁପ୍‌ ରହିଲି । କଥାଟା ଏଇଠି ଶେଷ ହେଲେ ରକ୍ଷା ।

 

କିନ୍ତୁ ଖାଁ ସାହେବ ସରଳପ୍ରାଣ (ଭଗବାନ ତାଙ୍କ ଆତ୍ମାର ଶାନ୍ତି ବିଧାନ କରନ୍ତୁ) । ତାଙ୍କ ଶ୍ରବଣ ମନନର ତୃଷ୍ଣା ସହଜରେ ତୃ‌ପ୍ତ ହେବାର ନୁହେଁ । ସେ ଉଦ୍‌ଗ୍ରୀବ ହୋଇ କହିଲେ– ନା, ନା, ସେଥିରେ ତିଳେମାତ୍ର ରନ୍‌ଜିଦା (ଦୁଃଖିତ) ହେବାର କିଛି ନାହିଁ । କିଛି ହର୍‌ଜା ନାହିଁ ବାବୁସାବ୍‌ ! କିଛି ତ ହେଲେ କୁହନ୍ତୁ ।

 

କଥାରେ ଅଛି, ଉପରୋଧ କଲେ ମଣିଷ ଢେଙ୍କି ବି ଗିଳିପାରେ । ଆଉ ମୁଁ ଖାଁ ସାହେବଙ୍କ ଅନୁରୋଧକୁ ଖାତିର କରି ସାମାନ୍ୟ ମିଛ କଥା ଦି’ଚାରିଟା କହିପାରିବି ନାହିଁ ! ଖୁବ୍ ଗମ୍ଭୀର ଭାବରେ କହିଲି : ତା ହେଲେ ଶୁଣନ୍ତୁ ଖାଁ ସାହେବ ! କିନ୍ତୁ ମୁଁ କସମ୍‌ ଖାଇପାରିବିନାହିଁ, ଗୁନ୍‍ହା ହୋଇପାରେ । ଶ୍ୟାମଲାଲଜୀ କହୁଥିଲେ, ଗହର୍‌ ସାତ ଦିନ ସାତ ରାତି ଜଳ ସ୍ପର୍ଶ କଲେ ନାହିଁ । ଚାରି ଚାରିଟା ଡାକ୍ଟାର ଔର ହକିମ୍ ଆସି ଇଲାଜ୍‌ କଲେ, ସୁଇ (ଇଞ୍ଜେକ୍‌ସନ୍) ଦେଲେ, ଆହୁରି କେତେ କଅଣ କଲେ । ଲେକିନ୍‌ ଖାଁ ସାହେବ ! ଆପଣହିଁ କୁହନ୍ତୁ, ଜଖ୍‌ମି ଜିଗର୍‍ (କ୍ଷତବିକ୍ଷତ ହୃଦୟ) ଉପରେ କଅଣ ଜଡ଼ ଲୁହାର ସୁଇ କିଛି ଅସର୍‌ କରିପାରେ ? ହୁସ୍‌-ବେହୁସ୍‌ ଗହର୍‌ ହରଦମ୍ ଆପଣଙ୍କ ନାଁ ପୁକାର (ଚିତ୍କାର) କରୁଥିଲା ସେ କେଇଦିନ । ସେ କଥା ବୟାନ କରିବା ଅସମ୍ଭବ ।

 

ବର୍ଣ୍ଣନା ଭିତରେ ହୁଏତ ଆଉ କିଛି ବିଭୀଷିକା ସୃଷ୍ଟି କରି ଦେଇଥାନ୍ତି । କିନ୍ତୁ ତା’ର ପ୍ରୟୋଜନ ପଡ଼ିନାହିଁ । ଦେଖିଲି ସେଇ ଚନ୍ଦ୍ରାନନରେ ଅଳ୍ପ ହସ ଦେଖାଦେଲା । ବଦନମଣ୍ଡଳ ଇଷତ୍ ବିସ୍ଫାରିତ ହେଲା । ତଳପାଟିର ଦୁଇ ଚାରୋଟି ସାନ ସାନ ଦାନ୍ତ ବି ଦୃଷ୍ଟିଗୋଚର ହେଲା ।

 

ତଦବସ୍ଥାରେ ସେ କହିଲେ– ମୁଁ ବୁଝିପାରୁଛି, ଆପଣଙ୍କୁ ସବୁ ଜଣା ବାବୁ ସାବ୍‌ !

 

ମୁଁ ତତ୍‌କ୍ଷଣାତ୍‌ ତାରକୁ ଆଉ ଟିକିଏ ଚଢ଼ାରେ ବାନ୍ଧି ଅର୍ଥାତ୍‌ ନ ଛିଣ୍ଡି ଯେତେଦୂର ଚଢ଼ା ହୋଇପାରେ ସେତିକି ଚଢ଼ାରେ ବାନ୍ଧି କହିଲି– ଆପଣ ଏ କି କଥା କହୁଛନ୍ତି ଖାଁ ସାହେବ ! ଦୁନିୟାଭର୍‌ ଲୋକଙ୍କୁ ଏସବୁ କଥା ମାଲୁମ ! ଅଖ୍‌ବର୍‌ଓୟାଲ ସେ ସବୁ ଖବର ଜାହିର୍ କରିପାରିଲେ ନାହିଁ । କାରଣ, ଗହର୍ ସେମାନଙ୍କୁ ହୁଁସିଆର୍ କରିଦେଇଥିଲା ଯେ ବେଆଦବୀ କଲେ ହୁର୍‌ମତ୍‌ ଦାବୀ କରି ନାଲିସ୍‌ କରିବ । ଫିନ୍ ଇୟେଭି ତୋ ଖୟାଲ୍‌ କରନ୍ତୁ, ବଣର୍‌ତରେ (ପ୍ରତିଜ୍ଞା ଅନୁଯାୟୀ) ଗହର୍‌ର ପ୍ରାଣ ଗଲେ ବି ତ ସେ ଆପଣଙ୍କ ଇଜ୍‌ଜତକୁ ସାନ କରି ପାରିବ ନାହିଁ ! ଆପଣଙ୍କୁ କେତେ ସମ୍ମାନ କରେ ଗହର୍ ! ମୁଁ ତ ଦେଖୁଛି ଆପଣ ଏ ସବୁର କିଛି ଖବର ରଖନ୍ତି ନାହିଁ ।

 

କଥାଗୁଡ଼ିକ ଶୁଣି ଖାଁ ସାହେବଙ୍କ ମୁହଁ ପୁଣି ଉଦାସ ଓ ଗମ୍ଭୀର ହୋଇଗଲେ ! ଗୋଟାଏ ମୋଲାୟେମ୍‌ ଦୀର୍ଘନିଃଶ୍ୱାସ ପଡ଼ିବାର ଆମେଜ ମଧ୍ୟ ପାଇଲି । ପ୍ରକାରେ ତାରଯନ୍ତ୍ର ଅଛି ଯେଉଁଥିରେ ମିହିତାର ବାନ୍ଧିଲେ ଭଲ ସାସ୍‌ (ଶ୍ୱାସ, ଯନ୍ତ୍ରରେ ସୁରର ରେଶ୍) ନିର୍ଗତ ହୁଏ ଓ ମୋଟା ତାର ବାନ୍ଧିଲେ ଆବାଜ ଖୋଲିଲେ ବି ସେ ମଧୁର ରେଶ୍‌ ବା ମୋଲାୟେମ୍‌ ସାସ୍ ରହେ ନାହିଁ । ମନେ ହେଲା ଖାଁ ସାହେବ ଏମିତି ଗୋଟିଏ ଯନ୍ତ୍ର ! ବିଶ୍ୱକର୍ମା କେତେପ୍ରକାର ମଜାର ଯନ୍ତ୍ର ତିଆରି ନ କରିଛନ୍ତି ! ବାହାରର ଖୋଳରୁ ଭିତର ଖବର ମିଳେ ନାହିଁ । ଠିକ୍ ତାର ବାନ୍ଧି ଟିକିଏ ବଜେଇଲେ ଯାଇ କିଞ୍ଚିତ ରେଶ୍‌ ଓ ସାସ୍‌ର ମଜା ମିଳେ । ଯେଉଁ ଯନ୍ତ୍ରର ଧ୍ୱନିରେ ରେଶ୍‌ ନାହିଁ, ସାସ୍ ନାହିଁ ସେଟା ତ ଶୁଖିଲା ନିର୍ଜୀବ କାଠ ଚମଡ଼ାରେ ତିଆରି ଘର ସଜେଇବା ଆସବାବ ମାତ୍ର ।

 

ସେଇ ନିଶଗୋଳା ସୁରରେ ଖାଁ ସାହେବ ଟିକିଏ ଅନ୍ୟମନସ୍କ ଭାବରେ କହିଲେ : ହାଁ ହାଁ, ବେଶକ୍ । ଖୁବ୍ ସହି (ଭଲ) କଥା କହିଛନ୍ତି ଆପଣ । ଟିକିଏ ଥମିଯାଇ ରାସ୍ତା ଆଡ଼କୁ କିଛିକ୍ଷଣ ଚାହିଁ ହଠାତ୍‌ ପ୍ରଶ୍ନ କଲେ : ଆପଣମାନେ କେଉଁଠିକି ଯାଉଛନ୍ତି ?

 

ମୁଁ ଆଉ ରହିପାରିଲି ନାହିଁ । ତାଙ୍କୁ ସଶ୍ରଦ୍ଧ ସରଳ ଦୃଷ୍ଟିରେ ଚାହିଁ କହିପକେଇଲି– ଖାଁ ସାହେବ, ଆମ ହାଓଡ଼ା ତରଫ୍‌ ଯାନେଓୟାଲା ଥିଲୁ । କିନ୍ତୁ ଆପଣଙ୍କ ଭଳି ଗୁଣୀଙ୍କ ଦର୍‌ଶନ୍‌ ପାଇବା ତ ନେହାୟତ୍ କିସ୍‌ମତ୍‌ର କଥା । ଆମେ ବର୍ତ୍ତମାନ ଆପଣଙ୍କ ଖିଦ୍‌ମତ୍‌ ପାଇଁ ହାଜର୍ ରହିଲୁ । ଆପଣ ଯା କହିବେ ଆମେ ତାହାହିଁ କରିବୁ । ଯଦି ଅନୁମତି ଦିଅନ୍ତି ଆମେ ଆପଣଙ୍କ ସହିତ ଆପଣଙ୍କ ଡେରାକୁ ଯିବାକୁ ତୈୟାର ଅଛୁ ।

 

ଏକଥା ଅସନ୍ଦିଗ୍‌ଧ ଭାବେ ସତ୍ୟ ଯେ ନିକୁନ୍‌ର ପ୍ରସ୍ତାବ ଅନୁସାରେ କାମଟା, ଅର୍ଥାତ୍ ଆମହର୍ଷ୍ଟ ଷ୍ଟ୍ରୀଟରେ ହାଓଡ଼ାଗାମୀ ଟ୍ରାମ୍‌ ଧରିବା କାମଟା, ପାଞ୍ଚ ମିନିଟ ଏପଟ ସେପଟ ହୋଇଥିଲେ ଖାଁ ସାହେବଙ୍କ ସହିତ ସେଦିନ ଦେଖା ହୋଇ ନ ଥାନ୍ତା । ଏ ଜୀବନରେ ବି ହୋଇ ନ ଥାନ୍ତା । କାରଣ, ସେଦିନଠାରୁ କେତେକ ଦିନ ପରେ ଖାଁ ସାହେବଙ୍କ ଖବର ନେବାକୁ ଯାଇ ଶୁଣିଲି, ସେ ଢାକା ଚାଲିଯାଇଛନ୍ତି । ସେଠୁ ଫେରିଆସିବା ଖବର ମୁଁ ଆଉ ପାଇନି । ଶେଷକଥା, ଠାଣ୍ଡୀରାମ୍‌ ଯଦି ଗୋଟିଏ କ୍ଷୀଣ ସୂତ୍ର ଗୋଟେଇ ଆଣି ନଥାନ୍ତା, ଆଉ ଆମେ ହୁଏତ ଟ୍ରାମ୍‌ରେ ଉଠି ସେ ମୁସଲମାନ ଭଦ୍ରଲୋକଙ୍କ ସହିତ ଆଳାପ କରି ନ ଥାନ୍ତୁ.....

 

ମୋ କଥା ଶୁଣି ଖାଁ ସାହେବ ଛିଡ଼ା ହୋଇ କହିଲେ– ତାହେଲେ ଚାଲନ୍ତୁ ମୋ ସହିତ କହି ସେ ଧୀର ଧୀର ଟ୍ରାମ୍‌ରୁ ଓହ୍ଲାଇଲେ । ଆମେ ବି ତାଙ୍କ ପଛେ ପଛେ ଓହ୍ଲାଇଲୁ । ବନ୍‌ଫିଲ୍‌ଡ଼୍‌ସ ଲେନ ନିକଟସ୍ଥ ଗୋଟିଏ ଅଣ ଓସାରିଆ ଗଳି ଭିତର ଦେଇ ଆମେ ଯାଉଥିବାବେଳେ ଦେଖିଲି ବାଟରେ ଚାଲିଯାଉଥିବା ଚାରି ପାଞ୍ଚଜଣ ଲୋକ ଖାଁ ସାହେବଙ୍କୁ ‘ବନ୍ଦେଗି’ ଜଣାଇ ତାଙ୍କ ଆଡ଼କୁ କିଛିକ୍ଷଣ ଅନାଇ ନିଜ ନିଜ କାମରେ ଚାଲିଗଲେ ।

 

ସେ ଗଳିର ଗଠନ-ପତ୍ତନ ଏମିତି ଯେ ମନେ ହେଲା ସୂର୍ଯ୍ୟ କଦାପି ତାକୁ ବେ-ଆବୁରୁ କରିପାରିବେ ନାହିଁ । ଏତେବେଳେ ଯାଇ ନିକୁନ୍‌ର ମୁହଁରୁ କଥା ବାହାରିଲା । ସେ ପଚାରିଲା : ପାଁଚ୍‌ଦା, ବ୍ୟାପାର କଅଣ ? କିଛି ତ ବୁଝିପାରୁନି !

 

ଗଳାରେ ତା’ର ବେଶ୍ ଭୟର ଖାଦ୍ ଥିଲା । ମୁଁ ଗମ୍ଭୀର ଭାବରେ ତା ଗୋଡ଼ଆଡ଼କୁ ଅନାଇଲି । ତା ଗୋଡ଼ରେ ଚକଚକିଆ ନୂଆ ଜୋତା । ନିକୁନ୍‌ ଓ ତା ଜୋତା ଭିତରେ ଚିରଦିନ ଗୋଲାମୀ ସମ୍ୱନ୍ଧ ଥିଲା । ଜୋତାର ସେବା ସେ ଯେମିତି କରେ ଆଉ କାହାକୁ ସେମିତି ଦେଖି ନାହିଁ । ନିକୁନ୍‌କୁ କହିଲି– ଜୋତା ଫିତା କାଢ଼ି ଦେ, ଶୀଘ୍ର । ବିସ୍ମିତ ହୋଇ ସେ କହିଲା– କାହିଁକି ? ତା ମାନେ ?

 

ମୁଁ ଆସ୍ତେ କହିଲି– କଅଣ ଘଟିବ ତ କହିହେବ ନାହିଁ । ଯଦି ଦୌଡ଼ିବା ଦରକାର ପଡ଼େ ତେବେ ଚଟାପଟ୍‌ ଜୋତା ଖୋଲି ହାତରେ ଧରି ଦୌଡ଼ିବାକୁ ସୁବିଧା ହେବ । ତୋର ଜୋତାପ୍ରତି ପ୍ରେମଟା ଟିକିଏ ବେଶି କି ନା ସେଥିପାଇଁ କହୁଛି । ମୋର ପୁରୁଣା ଚଟି, ପକେଇ ଦେଇ ଦୌଡ଼ିବା ବୁଝିଲୁ ।

 

ନିକୁନ୍ ଛିଡ଼ା ହୋଇପଡ଼ିଲା । କହିଲା : ଆପଣ କଅଣ ଯା ତା ବକୁଛନ୍ତି । ଏତେବେଳଯାଏଁ ଗହର୍‌ ଫହର୍ କେତେ ନାଁ କହିଲେ । ପୁଣି ବର୍ତ୍ତମାନ କହୁଛନ୍ତି ସାବଧାନ ହେବାକୁ । ଆଉ ଦରକାର ନାହିଁ ଏ କାମ କରି ପାଁଚ୍‌ଦା, ଚାଲ ଫେରିଯିବା ।

 

କହି ମୋ ହାତ ସେ ଚାପି ଧରିଲା । ନିକୁନ୍‌ ସତରେ ଡରିଯାଇ ଇତସ୍ତତଃ କରୁଥିବାର ଦେଖି ମୁଁ ଖୁବ୍ ସଂକ୍ଷେପରେ ବ୍ୟାପାରଟି ବୁଝାଇଦେଲି । ତା’ପରେ ସେ ଆଶ୍ୱସ୍ତ ହୋଇ ଚାଲିଲା । ଅବଶ୍ୟ ନିକୁନ୍‌ ଯେ ଯଥେଷ୍ଟ ସଙ୍ଗୀତପ୍ରିୟ ଥିଲା ଏକଥା ତା ଶତ୍ରୁ ବି ସ୍ୱୀକାର କରନ୍ତି ।

 

ଖାଁ ସାହେବ ଗୋଟିଏ ଘର ଦୁଆରପାଖେ ଅଟକିଲେ । ଘରର ନମ୍ୱର ଦେଖିବା ଉପାୟ ନାହିଁ । ଆମ ପକେଟରେ ଡିଆସିଲି ନାହିଁ । କିନ୍ତୁ ମୋ ଆଖି ବାନ୍ଧିଦେଲେ ବି ସେ ଘର ମୁଁ ଖୋଜି ପାଇପାରିଥାନ୍ତି । ସେ ଗଳିରେ ଖୋଲା ଆଖି ଓ ବନ୍ଧା ଆଖି ସମାନ କଥା । ଦୁଇ ପଟକୁ ହାତ ବଢ଼େଇଦେଲେ ଘରମାନଙ୍କର କାନ୍ଥ ଛୁଇଁ ଛୁଇଁ ଯାଇ ହୁଅନ୍ତା । ଏମିତି ସୁନ୍ଦର ବ୍ୟବସ୍ଥା ସେ ଗଳିର !

 

ଦୁଆର ଠେଲିବାରୁ ଖୋଲିଗଲା । ଖାଁ ସାହେବ ଏମିତି ଭାବରେ ଆମକୁ ଚାଲିଆସିବାକୁ କହିଲେ ଯେମିତି ସେଟା ତାଙ୍କ ନିଜ ଘର । ଦୁର୍ଗାଙ୍କ ନାଁ ସ୍ମରଣ କରୁ କରୁ ଖାଁ ସାହେବଙ୍କ ସହିତ ଘର ଭିତରକୁ ପ୍ରବେଶ କଲୁ । ପୁରୁଣା ଢଙ୍ଗର ଖିଲାଣଦିଆ କଳାହାଣ୍ଡିଆ ଅନ୍ଧାର ଭିତର ଦେଇ ସେ ରାସ୍ତା । ଅଳ୍ପ ଅଗ୍ରସର ହୋଇ ବାଙ୍କ ମୋଡ଼ିବାରୁ ଗୋଟିଏ ଦେଢ଼-ମହଲା ଘରର ଖୋଲା ଅଗଣା ଦୃଷ୍ଟିପଥାରୂଢ଼ ହେଲା । ଲୋକବାକର ନାଁ ଗନ୍ଧ ନାସ୍ତି । ଏମିତି କି ଗୋଟାଏ ଅସରପା ଝିଟିପିଟି ବି ନାହିଁ ।

 

ଡାହାଣକୁ ମୋଡ଼ି ବାହାର ଘରକୁ ଲାଗିଥିବା ଗୋଟାଏ କାଠ ସିଡ଼ି ବାଟେ ଖାଁ ସାହେବ ଉପରକୁ ଉଠିଲେ । ଆମେ ବି ମହାଜନଙ୍କ ପଦାନୁସରଣ କଲୁ । ସିଡ଼ିରେ ଉଠୁ ଉଠୁ ଗୋଟାଏ କାନ୍ଥ ବ୍ୟବଧାନରେ ଅନତିଦୂରରେ ଦେଖିଲୁ ଗୋଟିଏ ସାନ ପ୍ରାଙ୍ଗଣ, ତାକୁ ଲାଗି ଗୋଟିଏ ଶୂନ୍ୟ ଚଣ୍ଡୀମଣ୍ଡପ ବି ଦୃଷ୍ଟିଗୋଚର ହେଲା । ସେ ସ୍ଥାନଟି ପାରାମାନଙ୍କ ଅବାଧ ଲୀଳାଭୂମିରେ ପରିଣତ ହୋଇ ଅତ୍ୟନ୍ତ ଅପରିଷ୍କାର । ଅପରିଷ୍କାର ଚଣ୍ଡୀମଣ୍ଡପ ଦେଖି ନିକୁନ୍ ଗୋଟିଏ ଅଶ୍ୱସ୍ତିର ନିଃଶ୍ୱାସ ପକାଇଲା । ଘରଟା ତା’ହେଲେ ହିନ୍ଦୁର ନିଶ୍ଚୟ ।

 

ସିଡ଼ି ଶେଷପରେ ଗୋଟିଏ ଅପ୍ରଶସ୍ତ ବାରନ୍ଦାରେ ପହଞ୍ଚି ଖାଁ ସାହେବ ନିଜ ଅଣ୍ଟାସୂତାରେ ବନ୍ଧା ହୋଇଥିବା ଗୋଟିଏ ଚାବିଦ୍ୱାରା ଖୁବ୍ କାଇଦା କରି ଗୋଟିଏ ଘରର ତାଲା ଖୋଲିଲେ । କବାଟ ଠେଲି ଘର ଭିତରକୁ ଯାଇ ସେ ଆମକୁ ଯିବାକୁ ସଙ୍କେତ ଦେଲେ । ଆମେ ଘର ଭିତରକୁ ଗଲୁ । ଜାରୁଲ କାଠର ଗୋଟିଏ ନଗ୍ନ ଖଟ ପଡ଼ିଚି ଦେଖିଲୁ । ଘରକୋଣରେ ଗୋଟିଏ ମଶିଣା ଗୋଟା ହୋଇ କାନ୍ଥକୁ ଡେରି ଥୁଆ ହୋଇଚି । ତା କଡ଼କୁ ଚଟାଣ ଉପରେ ଗୋଟିଏ ବଦ୍‌ନା । ଗୋଟିଏ ଦଉଡ଼ିରେ ଟଙ୍ଗା ହୋଇଚି ମଇଳା ଗେଞ୍ଜି, ଲୁଙ୍ଗି, ଲେଙ୍ଗଟ । ଗୋଟିଏ ଧୂସର ବର୍ଣ୍ଣର ଗାମୁଛା ଟଙ୍ଗା ହୋଇଚି । ଏହା ଛଡ଼ା ଆଉ କୌଣସି ଆସବାବ ବା ଛବି ସେ ଘରେ ନ ଥିଲା । ତାକୁ ଲାଗି ଆଉ ଗୋଟିଏ ଘର ଅଛି, କିନ୍ତୁ ସେ ଘରେ ତାଲା ପଡ଼ିଥାଏ । ଘରର ଦୁଇଟି ଝରକା । ଗୋଟିଏ ଖାଁ ସାହେବ ନିଜ ହାତରେ ଖୋଲିଲେ । ଏଭଳି ରିକ୍ତ ପରିବେଶ ମଧ୍ୟରେ ୟାଙ୍କ ଭଳି ଜଣେ ନାମଜାଦା ଗୁଣୀ କିପରି ରହନ୍ତି ଭାବି ଠିକ୍ କରି ପାରିଲି ନାହିଁ । ତାଙ୍କର କୌଣସି ସାଥୀ ବା ସାଙ୍ଗ ସେଠି ରହିବାର ଲକ୍ଷଣ ତ ଦେଖିଲି ନାହିଁ ।

 

ଖାଁ ସାହେବ ଆମକୁ ସେହି ଛଅଗୋଡ଼ିଆ ଖଟ ଦେଖାଇ ଦେଇ ‘ଆପଣମାନେ ବସନ୍ତୁ, ଆରାମ କରନ୍ତୁ’ କହି ଦେହରୁ ମେର୍‌ଜାଇଟି ବାହାର କରି ଦଉଡ଼ିରେ ଟଙ୍ଗେଇ ଦେଲେ, ଲାଠିଟା ଗୋଟାଏ କୋଣରେ ଥୋଇଲେ, ଆଉ ପଞ୍ଜାବି ପକେଟରୁ ଗୋଟିଏ ରୁମାଲ ବାହାର କଲେ ।

 

ଖାଁ ସାହବ ଆସନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆମେ ବସିପାରୁନା ! ସେ ଖପ୍‌ କିନା ଖଟର ଗୋଟାଏ କୋଣରେ ବସିଲେ । ସେଟା ଡବଲ ସାଇଜ୍‌ର ଖଟ । ଖାଁ ସାହେବ ବସିବା ମାତ୍ରେ ଖଟର ଗୋଟାଏ ଗୋଡ଼ ଶବ୍ଦ କଲା ‘ଠକ୍‌’ । ବୁଝିଲି ସେଟା ଖାଁ ସାହେବଙ୍କ ଗୁରୁତ୍ୱ ପ୍ରତି ସେଲାମୀ ନିଶାନା । ମୁଁ ଟିକିଏ ବ୍ୟବଧାନ ରଖି ସାବଧାନତା ସହ ବସିବାମାତ୍ରେ ଖଟଟି କହିଲା ‘ଠିକ୍’ । ଅଦ୍‌ଭୁତ ! ଆମେ ଅତିଥି କିମ୍ୱା, ସେଇଥିପାଇଁ ଏଟା ଆତିଥ୍ୟର ସେଲାମୀ । ନିକୁନ୍ ସଭୟେ ମୋତେ ଲାଗି ବସିବା ମାତ୍ରେ ଖଟ ପୁଣି କହିଲା, ‘ଠିଠିକ୍‌’ । ନିକୁନ୍ ଅବାକ୍ !

 

ରୁମାଲ ବୁଲାଇ ବୁଲାଇ ଖାଁ ସାହେବ ହାଓୟା ସେବନ କଲେ । ଇତିମଧ୍ୟରେ ବୋଧହୁଏ ଖଟର ସ୍ୱଭାବ ଚରିତ୍ର ପରୀକ୍ଷା କରିବାପାଇଁ ନିକୁନ୍‌ ଗୋଟାଏ ଆଳ ଦେଖାଇ ନଇଁପଡ଼ି ଖଟ ତଳଟା ଦେଖିନେଲା । ବିଚରା ପିଲା ମଣିଷ । କେବେହେଲେ ମେସରେ ରହି ନାହିଁ । ଜାରୁଲ କାଠ ଖଟର ଜାତିଧର୍ମ ବିଷୟ ତାକୁ ଅଜଣା । ତାର ଅଜ୍ଞତା ପାଇଁ ଦୁଃଖ ହେଲା । ହେଲେ ତା’ର ତତ୍ତ୍ୱାନୁସନ୍ଧାନ ପାଇଁ ଆଗ୍ରହ ଦେଖି ଆନନ୍ଦ ମଧ୍ୟ ହେଲା । ସେହିକ୍ଷଣି ତାକୁ ଟିକିଏ ଜ୍ଞାନ ଦେଲି । କହିଲି– ଆରେ, ସେ କଳକବ୍‌ଜାଘଟିତ ବ୍ୟାପାର ନୁହେଁ । ତା’ର କାରଣ ଅଲଗା ।

 

ଆଖିଏ ପ୍ରଶ୍ନ ନେଇ ସେ ମୋତେ ଚାହିଁଲା । ତାକୁ ବୁଝାଇଦେଲି : ଖଟରେ କାରିଗରି ଦୋଷ କିଛି ନାହିଁ । ସେଟା ହେଲା ପୂର୍ବଜନ୍ମର ସ୍ୱଭାବ । ପୂର୍ବ ଜନ୍ମ ମାନୁ ତ ? ନିକୁନ ହାଁ କରିଥାଏ ସେମିତି । ତାକୁ କହିଲି : ପ୍ରକାରେ ଲୋକ ଅଛନ୍ତି ଯେଉଁମାନେ ରକ୍ତମାଂସରେ ଗଢ଼ା ମଣିଷ ମୁହଁରୁ ଗୁରୁ-ଗୌରବ କଥା ଶୁଣିଲେ ‘ଠିକ୍ ଠିକ୍’ କରନ୍ତି । ବିଚାର କରି ଦେଖନ୍ତି ନାହିଁ ଟିକିଏ ବି । ସେ ଲୋକ ମଲେ ଜାରୁଲ କାଠର ଖଟ ହୋଇ ଜନ୍ମନ୍ତି । ଅଳ୍ପ ଓଜନ ବା ଗୁରୁତ୍ୱର ସ୍ପର୍ଶ ପାଇବା ମାତ୍ରେ ପୂର୍ବଜନ୍ମର ସ୍ୱଭାବବଶରେ କୁହେ ‘ଠିକ୍ ଠିକ୍’ ।

 

ମୋ ଜ୍ଞାନର ଚଉଡ଼ା ଦେଖି ନିକୁନ୍ ସ୍ତମ୍ଭିତ ହୋଇଗଲା । ନିକୁନ୍ ତ ସୁନା ପିଲା ! କେତେ ବଡ଼ ବଡ଼ ନାସ୍ତିକଙ୍କୁ ଜାରୁଲ କାଠ ଖଟ ତତ୍ତ୍ୱକଥା ଶୁଣାଇ ମୁଁ ସାବାଡ଼ କରିଦେଇଚି । ଏଇ ଜାରୁଲ କାଠ ଖଟକୁ ବଳି ଜନ୍ମାନ୍ତରବାଦ ସପକ୍ଷରେ ଅଧିକ ବଳିଷ୍ଠ ପ୍ରମାଣ ନାହିଁ । ତଥାପି ସୁଧୀ ପାଠକମାନଙ୍କୁ ଗୋଟାଏ କଥା କହି ରଖେ । ଏ ପ୍ରକାର କଥା ଯେଉଁମାନେ ପରୀକ୍ଷା-ବିଚାର ନ କରି ମନେ ମନେ ‘ଠିକ୍’ କହିବେ, ସେମାନଙ୍କର ନିଦାରୁଣ ଦାରୁମୟ ଜାରୁଲ କାଠ ଖଟ ହୋଇ ଜନ୍ମିବାର ସମ୍ଭାବନା ଯଥେଷ୍ଟ ! ଅନୁପ୍ରାସଟା ପ୍ରସଙ୍ଗକ୍ରମେ ଆସିଯାଇଛି କେବଳ । ସେଟା ଧରନ୍ତୁ ନାହିଁ ।

 

ବେଶି ବେଳ ଚୁପ୍ କରି ବସି ଲାଭ ନାହିଁ । ଖାଁ ସାହେବଙ୍କୁ କହିଲି– ମେହେରବାନି କରି ହୁକୁମ ଫର୍‌ମାୟେସ୍ କରନ୍ତୁ କିଛି ।

 

ଖାଁ ସାହେବ ତତ୍‌କ୍ଷଣାତ୍‌ କହିଲେ– ଆପଣଙ୍କ ପାଖରେ ସିଗାରେଟ ଅଛି ?

 

ମୁଁ ଅତ୍ୟନ୍ତ ଲଜ୍ଜିତ ହୋଇ କହିଲି– ମିନିଟକ ଭିତରେ ଅଣାଇ ଦେଉଛି ।

 

ବଡ଼ ରାସ୍ତାର ଛକ ଦୋକାନରୁ ପାନ-ସିଗାରେଟ-ଜରଦା ଶୀଘ୍ର ଆଣିବା ପାଇଁ ନିକୁନ୍‌କୁ କହିଲି । ନିକୁନ ଟିକିଏ ହଲିବା ମାତ୍ରେ ଖଟ କହିଲା ‘ଠିକ୍‌’ । ହଠାତ୍‌ ଗୋଟାଏ ଖିଆଲ ହେଲା । ଖାଁ ସାହେବଙ୍କୁ ପଚାରିଲି– କିଛି ନିମ୍‌କି-ମିଠାଇ ଅଣାଇବି କି ?

 

ତିଳେ ମାତ୍ର ସଙ୍କୋଚ ବା ଲୌକିକତା ନ କରି ସରଳ ପ୍ରାଞ୍ଜଳ ଭାଷାରେ ସେ କହିଲେ– ହାଁ ହାଁ, କୁଛ୍‌ ପୁରି-ଜିଲେବି ଭି ମଙ୍ଗାଇୟେ । କ୍ୟା ହର୍‍ଜ୍‌ ?

 

ଅର୍ଥାତ୍‌, ସେଇ ଆସନ୍ନ ଶରତର ପ୍ରଭାତ ସମୟରେ ଯଦି ଦୋକାନୀର ଦୋକାନରୁ ପାନ-ସିଗାରେଟ ସମେତ ପୁରି-ଜିଲବି ପ୍ରଭୃତି କିଛି ବସ୍ତୁ ସଂଗ୍ରହ କରାଯାଏ ସେଥିରେ ଜଗତର କେଉଁ ଲୋକର କଅଣ କ୍ଷତି ବା ଆପତ୍ତି ଥାଇପାରେ ! ପ୍ରକୃତ କଥା । ମୋର କ୍ଷତି ନାହିଁ । ଖାଁ ସାହେବଙ୍କର ନୁହେଁ । ଦୋକାନୀର ତ ଆଦୌ ନୁହେଁ । ଆଉ ନିକୁନ୍‌ ତ କଦାପି ଆପତ୍ତି କରିପାରେନା । କାରଣ, ଟ୍ରାମରେ ଉଠିବା ଆଗରୁ ସେ ତ ପ୍ରତିଶ୍ରୁତି ଦେଇଛି ଯେ ଯିବା-ଆସିବାର ଖୁବ ଖରଚ, ଏମିତିକି ରାସ୍ତାରେ (ଭଗବାନ ନ କରନ୍ତୁ) କୌଣସି ଅପଘାତ ଘଟିଲେ ଆୟୋଡିନ୍ ବ୍ୟାଣ୍ଡେଜ୍ ପ୍ରଭୃତିର ଖରଚ, ଅଧିକନ୍ତୁ ଜଳଯୋଗର ଖରଚ ଇତ୍ୟାଦି ଇତ୍ୟାଦି ସବୁ ସମ୍ଭାବନା ପାଇଁ ସେ ପ୍ରସ୍ତୁତ, ଏତେ ଭକ୍ତି ଶ୍ରଦ୍ଧା ସେ ମୋତେ କରେ ।

 

ଅତଏବ ନିକୁନ୍‌କୁ କହିଲି– ଟଙ୍କାଏ ସରିକି କଚୁରି ଜିଲବି ନଇଆସିବୁ । ଯଦି ମିଳେ ପୁରି ବି ଆଣିବୁ । ହାଲୁୟା ଓ ତରକାରି ବେଶିକରି ଲାଭରେ ଆଣିବୁ । ଆଉ ପ୍ୟାକେଟେ ସିଗାରେଟ, ଗୋଟାଏ ଡିଆସିଲି, ପାନ ଓ ଜରଦା ଆଣିବୁ । ମନେ ରଖ୍‌, ମିଠା ପାନ ।

 

ନିକୁନ୍‌ ସୁବୋଧ ବାଳକ ଭଳି ଖଟ ଛାଡ଼ିବା ମାତ୍ରେ ଆବାଜ ହେଲା ‘ଠିକ୍‌ ଠିକ୍’ । ନିକୁନ୍‌ ଚାଲିଗଲା । ଗମ୍ଭୀର ଭାବରେ ଖାଁ ସାହେବଙ୍କୁ କହିଲି– ଖାଁ ସାହେବ, ଆପଣଙ୍କ ଏ ତଖ୍‌ତ (ସିଂହାସନ) ଖୁବ୍ ହୁଁସିୟାର୍ ଓ ଅଜବ୍ । ଏହାର ଆଦ୍‌ମିୟତ୍‌ (ମାନବତା) ଆସିଗଲାଣି ! ଦି’ ଚାରିଦିନ ପରେ ହୁଏତ ରେଖବ-ଗାନ୍ଧାର କହିପାରିବ ମନେହେଉଛି !

 

ଖାଁ ସାହେବ ସମ୍ଭବତଃ ହସିବାକୁ ଚେଷ୍ଟା କରିଥିଲେ । ତାଙ୍କ ଆଖି ମୁଦି ହୋଇଗଲା, ନିଶହଳକ ଉଚ୍ଚ ହେଲେ, ମୁଖବ୍ୟାଦାନ ବି ହେଲା । କିନ୍ତୁ ହାସ୍ୟ ଏତେ ଗଭୀରରେ ଥିଲା ଯେ ବାହାରେ ପ୍ରକାଶ ପାଇଲା ନାହିଁ । କେବଳ କହିଲେ– : ଆପ୍ ଦିଲ୍‌ଲଗି କର୍‌ରହେ ହ୍ୟାୟ ।

 

ବୁଝିଲି, ଖାଁ ସାହେବ ସେଭଳି କଥାର ରସ ଗ୍ରହଣ କଲେ ନାହିଁ । ପ୍ରସଙ୍ଗ ବଦଳାଇ କହିଲି– ଖାଁ ସାହେବ, ଆପଣଙ୍କ ସାଜ୍‌ (ବାଦ୍ୟଯନ୍ତ୍ର) କେଉଁଠି ରଖିଆସିଛନ୍ତି ?

 

ମୁଁ ତାଙ୍କ ବୀଣା କଥା ପଚାରିଥିଲି । ଖାଁ ସାହେବ ଯଥେଷ୍ଟ ସପ୍ରତିଭ ହୋଇ କହିଲେ– ଲାହୋରରେ ରଖିଆସିଚି ମରାମତି ପାଇଁ । ତାହାର ତୁମ୍ୱାର ଯୋଡ଼ୀ ବିଗିଡ଼ି ଯାଇଛି । ଅର୍ଥାତ୍‌ ବୀଣାର ଲାଉ ଯୁଗଳ ଖରାପ ହୋଇଯାଇଛି ।

 

ଏଇ ପ୍ରସଙ୍ଗରେ ପରେ ଜାଣିପାରିଥିବା କଥା ଏଠି କହିବା ଦରକାର । କଲିକତାର ମାନ୍ୟଗଣ୍ୟ ଗୁଣୀ ଓ ଗୁଣଗ୍ରାହକମାନେ, ଯଥା– ବିଶ୍ୱନାଥଜୀ, ବଦଲ୍‌ ଖାଁ ସାହେବ, ଶ୍ୟାମଲାଲଜୀ ପ୍ରଭୃତି କେହି ଚର୍ମଚକ୍ଷୁରେ କାଲେ ଖାଁ ସାହେବଙ୍କ ବୀଣା ଦେଖିନାହାନ୍ତି । ତଥାପି ସେମାନେ କହନ୍ତି କାଲେ ଖାଁ ସାହେବ ବୀଣା ବଜାନ୍ତି । ମୋର ଧାରଣା, ଗୋଟିଏ ବୀଣା ଅବଶ୍ୟ କାଲେ ଖାଁ ସାହେବଙ୍କର ଥିଲା । ପରେ, ଅର୍ଥାତ୍ ୧୯୧୮-୨୦ ସାଲରେ, ଇନ୍ଦୋରର ପ୍ରସିଦ୍ଧ ବୀଣ୍‌କାର ମଜିଦ୍‌ ଖାଁ ସାହେବଙ୍କ ବୀଣାବାଦନରେ ଏକ ପ୍ରକାର ବିଶିଷ୍ଟ କାରିଗରି ଶୁଣି ଦୃଢ଼ ବିଶ୍ୱାସ ଜନ୍ମିଥିଲା, କାଲେ ଖାଁ ସାହେବ ଖାଲି ବୀଣା ବଜାଉ ନ ଥିଲେ, ଭଲ ବଜାଉ ଥିଲେ । କିନ୍ତୁ ଏ କଥା ସବୁ ପରେ କହିବି ।

 

ସେତେବେଳକାର ପ୍ରସଙ୍ଗରେ ମୋର ମନେହୋଇଥିଲା, ଖିଆଲବଶରେ କାଲେ ଖାଁ ସାହେବ କିଛିଦିନ ବୀଣା ବଜାଇ ବୀଣା ମରାମତି ବାହାନାରେ ବଜାଇବା ଛାଡ଼ିଦେଇଥିଲେ । ବୀଣା ବଜାଇବା ବା ବୀଣା ପୋଷି ରଖିବା କାର୍ଯ୍ୟଟିର ଅଡୁଆ ହେଉଛି ଯେ ବୀଣା ମୋହ ତ୍ୟାଗ କରିବା ଅତି ସହଜ । ଖାଁ ସାହେବ ଯାହା କହିଲେ ଯେ ବୀଣା ମରାମତି ପାଇଁ ଦେଇଆସିଛନ୍ତି ସେକଥା ପୂରା ବିଶ୍ୱାସ କରିଛି । ତେବେ ସେ ଘଟନାଟି ସଂପ୍ରତି ନ ଘଟି ଘଟିଥିଲା ସମ୍ଭବତଃ କୋଡ଼ିଏ ତିରିଷ ବର୍ଷ ଆଗରେ । ହୁଏତ ସେଇ ବୀଣା ଲାହୋରର କୌଣସି ଦୋକାନରେ ନିଭୃତରେ କୀଟର ଆହାର ହୋଇ ମିଥ୍ୟା ପ୍ରପଞ୍ଚର ମାୟା ଭେଦ କରୁଛି । ହୁଏତ ବା ସେଇ ଦୋକାନ ଘରଟି ନଷ୍ଟ ହୋଇଯାଇଛି । ଅଥବା ଦୋକାନ ମାଲିକ ନିର୍ବଂଶ ହୋଇ ମରି ହଜି ଗଲାଣି-। ତଥାପି ଖାଁ ସାହେବଙ୍କ ମନରେ ସେ ବୀଣାଟି ପୂର୍ବପରି ଯେମିତି କି ସେମିତି ଅଛି ।

 

କାଲେ ଖାଁ ସାହେବଙ୍କ ସହିତ ଆଳାପ-ପରିଚୟ ପରେ ବୁଝିଥିଲି ତାଙ୍କ ଅନ୍ତଃକରଣ ହୀରାଭଳି ସ୍ୱଚ୍ଛ । ସେ ହୀରାର ବନେଇ, ଯାହାକୁ କହନ୍ତି ‘କଟିଂ’, ଟିକିଏ ଏଣୁତେଣୁ, ଅସମାନ । ଅନ୍ଧାର ଭିତରେ ଟିକିଏ ବେକାଇଦାରେ ହଲାହଲି କଲେ ଅତୀତ ଓ ବର୍ତ୍ତମାନର ସଙ୍ଗତ ଓ ଅସଙ୍ଗତ ସବୁ ଏକାସାଙ୍ଗରେ ହୃଦୟରୁ ବିଚ୍ଛୁରିତ ହୁଏ । କିନ୍ତୁ ଯେବେ ସେ ହୃଦୟରେ ସୁରର ଆଲୁଅ ଜଳିଉଠେ, ସେତେବେଳେ ସେ ଅଦ୍ଭୁତ ପ୍ରତିଭା ଓ ପ୍ରଭାବ ଭିତରେ ଅବଲୀନ ହୋଇଯାଏ ସମସ୍ତ ବିରୂପତା, ବିସଦୃଶତା । ମିଥ୍ୟା ପ୍ରବଞ୍ଚନାର ଉର୍ଦ୍ଧ୍ୱରେ ଥିଲା ସେ ଆତ୍ମା ଯିଏ ଗହର ବାଈଜୀଙ୍କୁ ଡାହାଣୀ ଭାବି ଶିହରି ଉଠେ, ଆଉ ନିଜକୁ ସବୁଠାରୁ ବଡ଼ ବୀଣ୍‌କାର ମନେ କରି ନିରୀହ ଆତ୍ମପ୍ରସାଦରେ ମଝିରେ ମଝିରେ ମଜ୍ଜିଯାଏ ।

 

ଗହର ଥିଲେ ଅପରୂପ ସୁନ୍ଦରୀ, ଅସାମାନ୍ୟ ପ୍ରତିଭାର ଅଧିକାରିଣୀ । ବିଧିର ବିଚିତ୍ର ବିଧାନରେ ଗୋଟିଏ ନିନ୍ଦାର କାଳିମା ତାଙ୍କ ଜୀବନକୁ ଛାଇଭଳି ଅନୁସରଣ କରୁଥିଲା, ଯଦିଓ ସେ ଜ୍ୟୋତିର ଖର୍ବତାସାଧନ କରିପାରିନାହିଁ । କେହି କହୁଥିଲେ, ସେ ଯାଦୁଗର୍‌ଣୀ, ଡାହାଣୀ । କେହି ବା କହୁଥିଲେ, ସେ ବିଷକନ୍ୟା ଯାହାର ସଂସ୍ରବହିଁ ମାରାତ୍ମକ ! ସତ ବା ମିଛ ଯାହାହେଉ, କାଲେ ଖାଁ ସାହେବ ସେହି ଖ୍ୟାତି ଏବଂ ନିନ୍ଦାର ସବୁଟା ସରଳମନରେ ବିଶ୍ୱାସ କରୁଥିଲେ । ଥରେ ଭାବି ଦେଖନ୍ତୁ, ଯେତେବେଳେ ବେସୁରା ଗାନ ଗାଇ, ବେତାଳୁଆ ବେକାଇଦାରେ ନାଚି ଶହ ଶହ ଲୋକ ଆତ୍ମବିମୂଢ଼ ସେତେବେଳେ ନିଜକୁ ବୀଣ୍‌କାର ମନେ କରି ଆତ୍ମପ୍ରସାଦ ଲାଭ କରିବା ଏମିତି ଗୋଟାଏ କଅଣ ବିଚିତ୍ର କଥା ବା ! ବେତାଳୁଆ ବେସୁରାମାନଙ୍କ ଜ୍ଞାନ ନାହିଁ, ଧ୍ୟାନ ନାହିଁ, ଏ ଧାରଣା ନାହିଁ ଯେ ସେମାନେ ପରପୀଡ଼ନ କରୁଛନ୍ତି । ବରଞ୍ଚ ମୁଁ ମନେକରେ, କାଲେ ଖାଁ ସାହେବ ଆମର ଭଲ । ସେ ମନେ ମନେ ମନୋବୀଣା ବଜାନ୍ତି । ମେଜ୍‌ରାବ୍‌ ଦୁଇଟି ବାଁହାତ ଆଙ୍ଗୁଳି ପରିବର୍ତ୍ତେ ଡାହାଣହାତ ଆଙ୍ଗୁଳିକୁ ଆସନ୍ତା ନାହିଁ । ତାଙ୍କ ପକ୍ଷରେ ପରପୀଡ଼ନ ପ୍ରଶ୍ନ ଉଠୁ ନାହିଁ ।

 

ମୂଳ ପ୍ରସଙ୍ଗକୁ ଫେରିଯାଏ । ଖାଁ ସାହେବଙ୍କ ଦେହ ମିଜାଜ୍‌ ଭଲ ଅଛି କି ନା ପଚାରିବାରୁ ସେ କହିଲେ– ମନ ମିଜାଜ୍‌ ଭଲ ନାହିଁ । ଛ’ ମାସ ବିତିଗଲା, ଗାଟାଏ ହେଲେ ମଇଫିଲ୍‌ ରୋଜଗାର ହେଲା ନାହିଁ । ଯାହା ଘରେ ମୁଁ ଆଶ୍ରୟ ନେଇଛି ସେ ବିଚରା ଓସ୍ତାଦ୍‌ ମୁରଶିଦ୍‌ (ଗୁରୁ) ଲୋକଙ୍କ ସେବା-ଖବରଦାରୀ କରି ଜାଣେନା । ଏଥିରେ ତବିୟତ୍ କଥା କଅଣ କହିବି ? କେମିତି ବା ଭଲ ରହିବ ?

 

ସେ ଟୋପି ଓ ପଞ୍ଜାବି ଖୋଲିଦେଲେ । ସେତେବେଳେ ବୁଝିଲି ଖାଁ ସାହେବ ମେର୍‌ଜାଇଟା ଭିତରେ କାହିଁକି ପିନ୍ଧନ୍ତି ନାହିଁ । ତାଙ୍କ ଛାତି ପିଠିଯାକ ଯାଦୁ ଭଳି ଚର୍ମରୋଗରେ ଭରତି । କେବେହେଲେ ଗୋସଲ୍‌ (ସ୍ନାନ) କରନ୍ତି ବୋଲି ମନେ ହେଲା ନାହିଁ । ଛାତିପିଠି କୁଣ୍ଡାଉ କୁଣ୍ଡାଉ ସେ କହିଲେ– ରାତିରେ ନିଦ୍ରା ହେଉ ନାହିଁ । ଏଥିରେ ତବିୟତ୍ କଅଣ ଠିକ୍‌ ଥାଏ, ବାବୁସାବ୍ ?

 

ଦେଖିଶୁଣି ମୋ ମନ ବିଷାଦରେ ଭରିଗଲା । ଯେତେଥର ତାଙ୍କ ଉଦାସ ଦୃଷ୍ଟିର ଛବି ମୋ ମନରେ ଜାଗେ ସେତେଥର ମୋ ହୃଦୟ ଭାରାକ୍ରାନ୍ତ ହୋଇଯାଏ ଆଜିପର୍ଯ୍ୟନ୍ତ । ଛଳନା ଓ ମିଥ୍ୟାକଥାଦ୍ୱାରା ତାଙ୍କୁ ଆବିଷ୍କାର କରିଥିଲି ବୋଲି ମୋ ମନରେ ଅପରାଧବୋଧ ଜାଗି ନଥିଲା, ଏବେ ବି ଜାଗେ ନାହିଁ । କିନ୍ତୁ ମୁଁ ସେଇ ଛ’ଗୋଡ଼ିଆ ସିଂହାସନ କଥା କହି ତାଙ୍କ ସହିତ ଯେଉଁ ରସିକତା କରିଥିଲି, ସେଟା ନିର୍ମମ ହୋଇ ମୋ ଅଜ୍ଞାତସାରରେ ତାଙ୍କ ଦାରିଦ୍ର୍ୟ ପ୍ରତି କଟାକ୍ଷପାତ ହୋଇଥିବ ମନେକରି ମୁଁ ଅନୁତପ୍ତ ହେଲି, ଏବେ ବି ହୁଏ । ସେ ରସିକତା ବୁଝନ୍ତି ନାହିଁ ବୋଲି ମୁଁ ଭାବେ ନାହିଁ । କିନ୍ତୁ ମୋର ଚପଳତା ଯୋଗୁଁ ସେଇ ରସିକତା ତାଙ୍କ ପକ୍ଷରେ ଯେ ବକ୍ରସମ ହୋଇଥିବ ସେକଥା ଭାବି ମୁଁ ଏବେ ବି ପୀଡ଼ିତ, ଲଜ୍ଜିତ ହୁଏ ।

 

ପଚାରିଲି– ଖାଁ ସାହେବ, ଆପଣ ଶ୍ୟାମଲାଲଜୀ, ଦୁଲୀଚାନ୍ଦ ଭଳି ମୁରବୀମାନଙ୍କ ଖବରାଖବର ନେଲେ ନାହିଁ କାହିଁକି ? ସେମାନେ ଯେ ଆପଣଙ୍କ ଗୁଣମୁଗ୍‌ଧ ।

 

ଆକୁଣ୍ଠିତ ଚିତ୍ତରେ ଖାଁ ସାହେବ ଉତ୍ତର ଦେଲେ– କେମିତି ହବ ତା ବାବୁସାବ୍‌ ! ଗୋଟାଏ ସଫା ମୁରେଠା ଓ ଗୋଟାଏ ସଫା କୁରତା-ପାଇଜାମା ମୁଁ ବ୍ୟବହାର କରି ପାରେନା । କାରଣ, ଦିନେ ପିନ୍ଧିଲେ ମଇଳା ଲୋଚାକୋଚା ହୋଇଯାଏ । ରଇସ୍‌ (ସମ୍ଭ୍ରାନ୍ତ) ଲୋକଙ୍କ ଘରକୁ ଦୌଡ଼ା ଦୌଡ଼ି କରିବାକୁ ହେଲେ ହରବଖ୍‌ତ୍‌ ସାଫ୍‌ କପ୍‌ଡ଼ା-ଲତ୍ତା କି ଜରୁରତ୍‌ ।

 

ଟିକିଏ ଥମି ପୁଣି କହିଲେ– ଖଏର୍; ନ ଗଲି ତ ନାହିଁ । ଖୋଦା ଯେଉଁଦିନ ମୋ ମୁଣ୍ଡରେ ମୁରେଠା ପିନ୍ଧାଇବା ମର୍ଜି କରିବେ ସେଦିନ ନିଶ୍ଚୟ ପିନ୍ଧିବି । ନାହିଁ ତ ନାହିଁ ।

 

ସେଇ ଅତୁଳନୀୟ ଅଦ୍‌ଭୁତ ଅଭିମାନିଆ କଥା ଓ ସୁର ମୋ କାନରେ ଲାଖିରହିଚି । କ୍ଷୋଭର ମୁରେଠାକୁ ଅଭିମାନର ବାକ୍‌ସରେ ବନ୍ଦ କରି ଖାଁ ସାହେବ ନିବେଦନ କରି ସାଇତି ରଖିଦେଇଛନ୍ତି ଖୋଦାଙ୍କ ମର୍ଜି ପାଇଁ । ମାତ୍ର ଗୋଟିଏ ରାତିର ମଇଫିଲ୍‌ରେ ତାଙ୍କ ମୁଣ୍ଡରେ ରକ୍ତମନ୍ଦାର ରଙ୍ଗର ମୁରେଠା ଦେଖିଥିଲି । ସେତେବେଳେ ମନେ ହୋଇଥିଲା, ଏମିତି ଅପୂର୍ବ ରଙ୍ଗ ଓ ଶୋଭା ତ କେବେ ଦେଖିନାହିଁ ! ଖାଁ ସାହେବଙ୍କ ଅନ୍ତର୍ଦ୍ଧାନ ପରେ ବାରମ୍ୱାର ଭାବିଚି, ସେମିତି ମୁରେଠା ଉତ୍ତର-ଭାରତର ଯେକୌଣସି ଦୋକାନରେ ହଜାର ହଜାର ମିଳେ ନିଶ୍ଚୟ । ଆଉ ଦର୍ପଣ ସାମନାରେ ଛିଡ଼ା ହୋଇ ମୁରେଠା ପରସ୍ତକୁ ପରସ୍ତ ବାନ୍ଧିଲେ ମୁଣ୍ଡଟାକୁ ଭାରୀ ଓ ଜାକ୍‌ଜମକ କରାଯାଇପାରେ । କିନ୍ତୁ ସେ ରାତିରେ ସେଇ ଅପୂର୍ବ ରାଗରଞ୍ଜିତ ଶିରଶ୍ଚାଳନ ଓ ଆତ୍ମଭୋଳା ଆବେଦନ ତ ଆଉ ଦୋକାନରୁ ମିଳିବ ନାହିଁ !

 

ଏତିକିବେଳେ ନିକୁନ୍ ରସଦ୍ ନେଇ ଫେରିଆସିଲା । ସେ ଶସ୍ତାକାଳରେ ହିନ୍ଦୁସ୍ଥାନୀ ହାଲୁଇକର୍‌ମାନଙ୍କ ତିଆରି ଟଙ୍କାକର ପୁରି, କଚୁରି, ଜଲିବି, ହାଲୁୟା ଓ ତରକାରିର ପରିମାଣ ଅନୁମାନ କରନ୍ତୁ । କେହି ଖୁଣନ୍ତୁ ନାହିଁ ଦୟାକରି, ଖାଁ ସାହେବ ବାକ୍ୟ ବ୍ୟୟ ନ କରି ସେତକ ଅନାୟାସାରେ ଉଦରସାତ୍‌ କଲେ । ଖାଁ ସାହେବ ଶେଷ କରିଆସୁଥିବା ବେଳକୁ ପଚାରିଲି : ପିଇବା ପାଣି ଅଣାଇଦିଏ ?

 

ମିଛ କହିବି ନା । ପାତ୍ର ଭିତରେ ଥିଲା ମାତ୍ର ଗୋଟି ବଦ୍‌ନା । ସେଟା ମୁଁ କଦାପି ଛୁଇଁ ବି ପାରନ୍ତି ନାହିଁ । କିନ୍ତୁ ତାଙ୍କର ଯାତ୍‌ସାମାନ୍ୟ ସେବା କରିବାପାଇଁ ଆଦୌ କୁଣ୍ଠିତ ନ ଥିଲି । ସେ ହୁକୁମ ଦେଲେ ଯେନ ତେନ ପ୍ରକାରେଣ, ଅନ୍ତତଃ ଦୋକାନରୁ ଖୁରିରେ ପାଣି ଆଣି, ତାଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଥିଲି । ଯାହା ହେଉ, ଠିକ୍‌ ସେଇ ମୁହୂର୍ତ୍ତରେ ସେ କେତୋଟି କଚୁରୀ ଓ ଦୁଇ-ତିନୋଟି ଜିଲିବି ଏକାସଙ୍ଗରେ ଚର୍ବଣ-ପେଷଣ କାର୍ଯ୍ୟରେ ନିଯୁକ୍ତ ଥିଲେ । ମୋ କଥା ଶୁଣି ସେ ବାଁ ହାତଟି ଉର୍ଦ୍ଧ୍ୱକୁ ଉଠାଇ ଏମିତି ଭାବରେ ନେତିବାଚକ ସଙ୍କେତ ଦେଲେ ଯେ ମନେହବ ସେ କହିବାକୁ ଚାହାଁନ୍ତି ତାଙ୍କ ପକ୍ଷରେ ପାଣି ପିଇବା ଯାହା, ବିଷ ଖାଇବା ତା । ଖାଇସାରି ପତରଗୁଡ଼ିକ ଗୋଟାଇ ବଦ୍‌ନାଟି ନେଇ ସେ ତଳକୁ ଗଲେ ହାତ ମୁହଁ ଧୋଇବାକୁ ।

 

ନିକୁନ୍‌କୁ ମୁଁ କହିଲି– କାଳି ରାତିରେ ଖାଁ ସାହେବଙ୍କ ନିମନ୍ତ୍ରଣ ଥିଲା ବୋଲି ସିନା...ଆଉ କହିପାରିଲି ନାହିଁ । ନିକୁନ୍ ଚାପିବାକୁ ଯାଇ ତଣ୍ଟିରେ ଲାଗି କାଶ ଉଠିଲା । ଆଉ ଯେତେଥର ସେ କାଶିଲା ସେତେଥର ଖଟ ବିରକ୍ତି ପ୍ରକାଶ କରି ନିକୁନ୍‌କୁ ଗାଳିଦେଲା ।

 

ଆମେ ଜଳ୍ପନା କଳ୍ପନା କରୁଥିଲୁ ଖାଁ ସାହେବଙ୍କୁ କେମିତି ଗୋଟାଏ ମୁଜ୍‌ରା ମିଳେଇଦେବା । ଶେଷରେ ମୁଁ କହିଲି : ରହ, ଆଗେ ତ କଣ୍ଠର ସୁର ଶୁଣେ, ତାପରେ ସେ ଚିନ୍ତା ।

 

ନିକୁନ୍ କହିଲା : ଏ କଅଣ ସହଜରେ ଗାଇବେ ?

 

କହିଲି : ଚେଷ୍ଟାକରି ଦେଖାଯାଉ ତ, କ୍ଷତି କଅଣ ?

 

ଖାଁ ସାହେବ ବଦନା ଧରି ଅପେକ୍ଷାକୃତ ନିଶ୍ଚିନ୍ତ ଭାବ ଧାରଣ କରି ଆସିଲେ । ଗାମୁଛାରେ ମୁହଁହାତ ପୋଛିଲେ । ତା’ପରେ ଖଟର ଗୋଟାଏ କଡ଼େ ସେ ଏମିତି ଭାବରେ ଚିତ୍‌ ହୋଇ ଶୋଇଲେ ଯେଉଁଥିରେ ଆମର ଅସୁବିଧା ନ ହୁଏ । ଯେମିତି ଦିନଯାକର କାମ ଶେଷ ହେଲାଣି, ବର୍ତ୍ତମାନ ଖାଲି ଆରାମ କରିବା କଥା ।

 

କହିଲି : ଖାଁ ସାହେବ, ପାନ ଖାଆନ୍ତୁ । ସିଗାରେଟ ବି ଆପଣଙ୍କ ପାଇଁ ମଜୁଦ୍‌ ଅଛି ।

 

ସେ କହିଲେ : ହାଁ ହାଁ, ଠିକ୍‌ କଥା । ସେ କଥାଟା ମୋ ଖିଆଲରୁ ଉତର୍ ଗୟାଥା । କହିବାମାତ୍ରେ ଉଠି ବସି ପାନ ଗୋଟିଏ ଖାଇଲେ । ତା’ପରେ ଧୀରେ ଧୀରେ ସିଗାରେଟ ଧରାଇ ବାଁ ହାତରେ ବୁଢ଼ା ଆଙ୍ଗୁଳି ଓ ତର୍ଜନୀ ମୂଳପଟେ ତାକୁ କୟେଦ୍‌ କରି ଲମ୍ୱା ଲମ୍ୱା ଟାଣ ମାରିଲେ । ଦେଖିଲି, ମୁହଁରେ ପୁଣି ସେ ଉଦାସ ଭାବ ଦେଖା ଦେଇଛି, ଆଖିର ଦୃଷ୍ଟି ସୁଦୂର ପ୍ରସାରିତ ।

 

ସାହସ ବାନ୍ଧି କହିଲି– ଗୋସ୍ତାକି ମାଫ୍‌ କରିବେ ତ ଗୋଟାଏ ଆର୍ଜ୍ ପେଶ୍ କରିବି, ଖାଁ ସାହେବ ।

 

ସେ ଅବିଚଳିତ ଭାବେ କହଲେ– ହାଁ ହାଁ, କହିୟେ, ବାବୁସାବ୍ !

 

କହିଲି– ଆପଣଙ୍କ କଣ୍ଠରୁ ଟିକିଏ ସୁର, ଟିକିଏ ଛେଡ଼୍-ଛାଡ଼୍ ଶୁଣିପାରିବୁ କି ? ମନେ ମନେ ଠିକ୍‌ କରିଦେଇଥିଲି ସରଳ ମଣିଷଟି ସହିତ ସରଳ ଭାବରେହିଁ କଥାବାର୍ତ୍ତା କରିବି ।

ସେ ଗୋଟିଏ ସାନ ହାଇ ମାରି କହିଲେ– ବର୍ତ୍ତମାନ ବଖ୍‌ତ ନୁହେଁ । ମିଜାଜ୍‌ ବି ଆସୁ ନାହିଁ । ଟିକିଏ ରହି ବୋଧହୁଏ ଆମ ପ୍ରତି କରୁଣା କରି କହିଲେ– ଖଏର୍‌ ମଓକ ମିଲ୍‌ନେ ପର୍‌ କଭି ଶୁନାଉଙ୍ଗା ।

ପ୍ରଶ୍ନର ଜବାବ ବି ଖୁବ୍ ସରଳ । ଅବଶ୍ୟ ଏହା ଛଡ଼ା ଆଉ କି ଉତ୍ତର ବା ହୋଇପାରନ୍ତା-! ସାମାନ୍ୟ କଚୁରୀ-ଜଲିବି ଭୋଗ ଦେଇ ଯଦି କାଲେ ଖାଁ ସାହେବଙ୍କ ଭଳି ଲୋକର ମନ ଟଳାଇ ହୁଅନ୍ତା, ତାହେଲେ ତ ଚିନ୍ତା କରିବାର କିଛି ନାହିଁ ।

ମୁଁ କିଛିକ୍ଷଣ ପାଇଁ ଚୁପ୍ ରହିଲି । ଭାବୁଥିଲି, କେଉଁଥିପାଇଁ ଖାଁ ସାହେବ ଆମକୁ ସାଙ୍ଗରେ ଆଣିଲେ ? ଆମ ମୁଣ୍ଡରେ ହାତ ବୁଲାଇ ପ୍ରାତଃକାଳୀନ ନାସ୍ତା (ଜଳଯୋଗ)ଟା ଆଦାୟ କରିବା ପାଇଁ ନିଶ୍ଚୟ ନୁହେଁ, ସେମିତି ଲୋକ ସେ ନୁହନ୍ତି । ତା’ ହେଲେ କେଉଁଥିପାଇଁ ? ସେତେବେଳେ ମୁଁ କିଛି ଠିକ୍ କରି ପାରି ନ ଥିଲି । ଏଇ ନିର୍ଜନ ଆବାସରେ କିଛିକ୍ଷଣ ପାଇଁ ସଙ୍ଗଲାଭ କରିବା ? ମଣିଷ ସହିତ କଥା କହିବା ପାଇଁ ? କେଜାଣି !

ପୁଣି ଭାବିଲି, ସିଧା ଆଙ୍ଗୁଳିରେ ଘିଅ ଉଠେ ନାହିଁ । ଅଥଚ କଳସିଏ ଘିଅ ସାମନାରେ ରହିଚି । ଟିକିଏ ନମୁନା ଦେଖିବା ଚେଷ୍ଟା କରିବାକୁହିଁ ହେବ । ମୁଁ ଯେ କେଡ଼େ ବଡ଼ ବେହିୟା ଖାଁ ସାହେବ ତା ସ୍ୱପ୍ନରେ ଭାବି ପାରି ନ ଥିବେ ।

କହିଲି– ଖାଁ ସାହେବ, ଏଇ ବେ-ସରମ୍‌ ନା-ଲାୟେକ୍ ଆପଣଙ୍କ ପାଖରେ ଆଉ ଗୋଟିଏ ଅର୍ଜ୍ ପେଶ୍ କରିବାର ଇଚ୍ଛା କରିବ ଯଦି ଆପଣଙ୍କ ଇଜଜାଜତ୍‌ (ଅନୁଗ୍ରହପୂର୍ବକ ଅନୁମତି) ମିଳେ ।

 

ସେ ନିର୍ବିକାର ଚିଉରେ କହିଲେ : ହାଁ ହାଁ, କହିୟେ ଆପ୍ ।

 

ସେଇଠୁ ମୁଁ କହିଲି : ଖାଁ ସାହେବ, ଖଣ୍ଡେ ଉତ୍‌ରି ରେଖବ୍‌-ଓୟାଲା (କୋମଳ ରେଖବ ଥିବା) ଆସାଓରିର ଚିଜ୍ (ଜିନିସ, ଗାନ) ପାଇଛି । କିନ୍ତୁ ଅଳ୍ପ ଟିକିଏ ବଢ଼ତ୍‌ ଫରତ୍‌ କଲାବେଳକୁ ରେଖବ୍‌ର ଇଜ୍ଜତ୍ ରହୁ ନାହିଁ । ଯାହା ହେଉ, ରାଗର ଶକଲ୍ (ଚେହେରା) ଠିକ୍ ଅଛି କି ନା, ଯଦି କୃପା କରି....କହି ବଦ୍ଧାଞ୍ଜଳି ହେଲି । ଅର୍ଥାତ୍ କାଲେ ଖାଁ ସାହେବଙ୍କୁ ଆସାଓରିର ଗୋଟିଏ କଲି ଶୁଣାଇବାକୁ ପ୍ରସ୍ତୁତ ହୋଇ ରହିଚି ଏଇ ନା-ଲାଏକ୍‌ ନିର୍ଲଜ୍ଜ ପାଞ୍ଚୁ ସାଣ୍ଡେଲ୍‌ ଓ ତାଙ୍କ ଅନୁମତିକୁ ଅପେକ୍ଷା କରୁଛି ।

 

ମୋର ଏଇ ଦୁଃସାହସିକ ପ୍ରସ୍ତାବ ଶୁଣି ସେ ବର୍ତ୍ତମାନର ବାସ୍ତବତାକୁ ଓହ୍ଲାଇଆସିଲେ । କିନ୍ତୁ ସେ ‘ନର୍ଭାସ୍‌ ସକ୍’ ପାଇନାହାନ୍ତି । ଖାଁ ସାହେବଙ୍କ କଲିଜା ସିଂହର କଲିଜା ! ମୋତେ ଚାହିଁ ସେ କହିଲେ– ଆଚ୍ଛା, ଆପଣ ଗାଆନ୍ତି ବି ! ଖୁବ୍‌ ଆଶ୍ଚର୍ଯ୍ୟର କଥା ! ଆପ୍‌ ଦିଲ୍‌ଲଗି ଭି କର୍‌ତେ ହ୍ୟାଁୟ, ଔର ଗାନା ଭି ଲେତେହ୍ୟାଁୟ ! କ୍ୟା କହ୍‌ନା !

 

ସେ ଏମିତି ଭାବେ ତଳକୁ ଅନାଇଲେ ଯାହାର ଅର୍ଥ, ଯେ ଥଟ୍ଟାତାମସା କରେ ତା ପକ୍ଷରେ ଗାଇବା ଖୁବ୍ ଅଦ୍‌ଭୁତ । ଯା ହେଉ, ଖାଁ ସାହେବଙ୍କ କଥା ଶୁଣି ମୁଁ ଘାବରେଇ ଗଲି । ଚୁପ୍‌ ରହିଲି ।

 

ସେ ବି କଅଣ ଭାବିବା ଭଳି ମନେହେଲା । ଭାବିଲି, କଅଣ ଆଉ ଭାବିବେ ! ସେ ନିଶ୍ଚୟ ତାଙ୍କ ଦୁର୍ବିଷହ ଜୀବନକୁ ଧ୍ୱକ୍‌କାରୁଥିବେ । ନିଜକୁ ନିଜେ କହୁଥିବେ, ତୋ ପୋଡ଼ା କପାଳରେ ଏ ଯନ୍ତ୍ରଣା ବି ଲେଖାଥିଲା ! ହେ ଭଗବାନ, ଗୋଟାଏ ଫାଜିଲ୍‌ ଟୋକା କଣ୍ଠରୁ ଗାନ ଶୁଣିବାକୁ ପଡ଼ିବ ! ଏ ମୂର୍ତ୍ତିମାନ୍‌ ଆପଦଗୁଡ଼ାକ ବିଦାୟ ନେଲେ ବଞ୍ଚେ....

 

କିନ୍ତୁ ସେ ହଠାତ୍‌ କହିଲେ– ଆଚ୍ଛା ! ଶୁନାଇୟେ ବାବୁ ସାବ୍ – କହି ସେ ଚିତ୍‌ ହୋଇ ଶୋଇପଡ଼ିଲେ ମୁଣ୍ଡ ତଳେ ଦୁଇଟିଯାକ ହାତ ରଖି । ଖଟଟା ସେଥର ଅତ୍ୟନ୍ତ ଅପମାନସୂଚକ ସୁରରେ କହିଥିଲା, ‘ଠିକ୍‌ ଠିକ୍‌’ । ଦେଖିଲି, ଖାଁ ସାହେବଙ୍କ ଆଖି ଦିଓଟି ମୁଦ୍ରିତ ପ୍ରାୟ, ଦେହ ଶିଥିଳ-। ଶ୍ୱାସ ଉଠୁଚି ପଡ଼ୁଚି ।

 

ନିକୁନ୍ ଫୁସ୍ ଫୁସ୍ କରି ମୋ କାନରେ କହିଲା– ସେତିକି ଥାଉ ପାଞ୍ଚ୍‌ ଦା, ଏଥର ଚାଲ ଯିବା ।

 

ମୁଁ ଲଜ୍ଜାକୁ ଦେହକୁ ନ ନେଇ ଗମ୍ଭୀର ସ୍ୱରରେ କହିଲି– ରହ, ଆଗେ ନାକ ଡାକୁ । ଗାନ ଶୁଣେ ବା ନ ଶୁଣେ, ଘୁଙ୍ଗୁଡ଼ି ମାରିବା ସୁରଟା ତ ଶୁଣି ପାରିବି ।

 

କଥାଟା ଶୁଣି ତରଳମତି ନିକୁନ୍ ଯେମିତି ହସ ଚାପିବାକୁ ଚେଷ୍ଟା କରିଚି ଖଟ କହିଲା ‘ଠିକ୍‌’ । ସାଙ୍ଗେ ସାଙ୍ଗା ଖାଁ ସାହେବ କହିଲେ– ଗାଇୟେ ବାବୁ ସାବ୍, ଗାଇୟେ । ସର୍‌ମାଇୟେ ମତ୍ ।

 

ଖାଁ ସାହେବଙ୍କର ଅଭିମାନ ଥାଇପାରେ, ଆଉ ମୋର ଥାଇପାରେନା ? କହିଲି– ଖାଁ ସାହେବ, ଆପଣ ବର୍ତ୍ତମାନ ମୁସ୍ତ୍(କ୍ଳାନ୍ତ) । ଆପଣଙ୍କୁ ଆଉ ଦିକ୍‌ କରିବାକୁ ଚାହେନା ।

 

ସେ କହିଲେ– ନହି, ନହି, ବାବୁ ସାବ୍ । ମୁଁ ଟିକିଏ ଆରାମ କରୁଥିଲି ଖାଲି, ଆପଣ ଗାଆନ୍ତୁ ।

 

ବୁଝିଲି ଏଥର ଖାଁ ସାହେବ ଦୁଃସହ ଅଥଚ ଅନିବାର୍ଯ୍ୟ ଭବିତବ୍ୟକୁ ସହ୍ୟ କରିବା ଭଳି ମାନସିକ ଶକ୍ତି ସଞ୍ଚୟ କରି ଦେହ ଝାଡ଼ି ଉଠିଲେ । ଆଉ ସେ ଖଟଟା ବି ତାଙ୍କ ମନୋଭାବକୁ ସମର୍ଥନ ଜଣାଇଲା ।

 

ବେଶ୍ ବଡ଼ ବଡ଼ ଆଖିରେ ନିକୁନ୍‌କୁ ଚାହିଁଲି । ସେ ବୁଝୁ, ଆଉ ସାକ୍ଷୀ ଥାଉ ଯେ ସ୍ୱୟଂ କାଲେ ଖାଁ ସାହେବ ପାଞ୍ଚୁ ସାଣ୍ଡେଲ୍‌କୁ ଗାଇବାପାଇଁ ଦୁଇ ଦୁଇ ଥର କହିଲେ । କିନ୍ତୁ ମୋ ପୋଡ଼ା କପାଳକୁ ନିକୁନ୍ କଥାଟା ତିଳେ ଇ ବୁଝିଲା ନାହିଁ । କହିଲା– ପାଞ୍ଚ୍‌ ଦା, ଶୀଘ୍ର ଧରନ୍ତୁ ଗାନ । ନ ହେଲେ ସେ ପୁଣି ଶୋଇପଡ଼ିବେ ! ଧରନ୍ତୁ ନା, ଆଉ ଡେରି କରନ୍ତୁ ନାହିଁ । ଅସହ୍ୟ ହେଲାଣି ଏଣେ ।

 

ବୁଝିଲି ନିକୁନ୍‌କୁ ଭାରି ଭୋକ । ତା’ ହେଲେ ବି ନିକୁନ୍ ନିହାତି ବାଜେ କଥା କହିନି । ଆଉ ଥରେ ଦୁର୍ଗାନାମ ସ୍ମରଣ କରି ତାଙ୍କରି ଭର୍ତ୍ତାଙ୍କ ନାଁରେ ଗାନ ଧରିଲି ‘ତୁୟା ଚରଣ କମଲପର ମନଭ୍ରମର ଭାଲଭାନ ଘଉ ଚନ୍ଦଚକୋର’ ।

 

କଲିକତାର କୌଣସି ଏକ ଗାୟକ ସଂପ୍ରଦାୟ ଏଇ ମଧୁର ଗାନଟି ଚାଲୁ କରିଥିଲେ । ଶୁଣି ଶୁଣି ମୁଁ ଶିଖିଥିଲି । ବିଶ୍ୱନାଥଜୀଙ୍କ ସହିତ ପରିଚୟ ପରେ ସେ ସୁରର ଭାଙ୍ଗଗୁଡ଼ିକ ସ୍ଥାନେ ସ୍ଥାନେ ସୁଧାରି ଦେଇଥିଲେ ଓ କହିଥିଲେ, ଏଟି ଯେମିତି ଅଛି ସେମିତି ଗାଇବେ, କର୍‌ଦାନି କରିବାର ଚେଷ୍ଟା କରିବେ ନାହିଁ । ପୁଣି କହିଥିଲେ, ‘ଭାଲଭାନ’ ଶବ୍ଦର ‘ଭାନ’ର ମାନେ ହେଲା ‘ବହ୍‌ନ’, ଯାହା ବହ୍ନି ଶବ୍ଦର ଅପଭ୍ରଂଶ । ଭାଲଭାନ୍ ମାନେ ଯାହାଙ୍କ କପାଳରେ ବହ୍ନି, ବୋଇଲେ ମହାଦେବ । ବିଶ୍ୱାନଥଜୀଙ୍କ ମତରେ, ଏଇ ଆସାଓରିର ପଦଟିକୁ ଧ୍ରୁପଦ ଢଙ୍ଗରେ ଗାଇଲେ ଯାଇ ଏହାର ମହିମା ପରିସ୍ଫୁଟ ହେବ, ଆଉ ରଚୟିତା ବି ଧ୍ରୁପଦକୁ ଖିଆଲ ରଖି ଗାନଟି ରଚନା କରିଥିଲେ । କିନ୍ତୁ ସାଧାରଣରେ ପ୍ରଚଳିତ ହେବାପରେ ଗାୟକମାନେ ଏହାକୁ ଖେୟାଲ ଢାଞ୍ଚାରେ ପକାଇ ରୂପାନ୍ତରିତ କରିଦେଲେ । ଏହାଫଳରେ ଆସାଓରିର ବିଶୁଦ୍ଧତା ରକ୍ଷା ହେଲା ନାହିଁ । ସେତେବେଳେ ନାଟୋର ମହାରାଜା କୁମାର ଶ୍ରୀ ଯୋଗୀନ୍ଦ୍ରନାଥ ରାୟ ଏବଂ ମୁଁ ଏକଥା ବୁଝି ସ୍ୱୀକାର କରିନେଇଥିଲି । କିନ୍ତୁ ଅଳ୍ପସ୍ୱଳ୍ପ କାର୍‌ଦାନୀ କରିବା ଲୋଭଟା ଆମର ଥିଲା । ଲୋଭଯୋଗୁଁ ଆମେ ନାନା ପରୀକ୍ଷା କରୁଥିଲୁ ଓ ବିପଦ ଟାଣିଆଣୁଥିଲୁ । ଯେତେଦୂର ସମ୍ଭବ ସଂକ୍ଷେପରେ ଏଇ ବିପଦ କଥା କୁହେ । କାରଣ, ଇଚ୍ଛାକୃତ ବିପଦ ସହିତ କାଲେ ଖାଁ ସାହେବ ବୃତ୍ତାନ୍ତ ଜଡ଼ିତ ।

 

ଖେୟାଲ୍‌ ଢଙ୍ଗରେ ସାମାନ୍ୟ ଏପଟ ସେପଟ କରିବାକୁ ଯାଇ ଗାନ ଭିତରେ ଭୈରବୀ ଓ ଜୌନପୁରୀର ଭେଜାଲ୍‌ ଆସିଯାଏ । ‘ଆସିଲା ବୋହିଗଲା’ କହି ଉଡ଼ାଇଦେବା ବ୍ୟାପାର ଏଟା ନୁହେଁ । ଅଥବା ଅଜ୍ଞାତସାରରେ କୋମଳି ରେଖବ୍‌ଟି ଚଢ଼ିଯାଇ ତୀବ୍ର ରେଖବ୍‌ ହୋଇଯାଏ ସେତେବେଳେ । ପରେ ଯେତେବେଳେ ବଦଲ୍ ଖାଁ ସାହେବଙ୍କ ସହିତ ପରିଚୟ ହେଲା ଦେଖିଲି, ଜବରଦସ୍ତି ରେଖବ୍‌ର କୋମଳତ୍ୱ ସୁରକ୍ଷିତ କଲେ ବି, ହୁଏତ ବିଲାସଖନି ନ ହେଲେ ଖଟ୍‌ ଭୈରବୀ ଚେହେରା ଦେଖାଦିଏ । ବଦଲ୍‌ ଖାଁ ସାହେବଙ୍କ ଅଭ୍ୟସ୍ତ ବୁଲି ସ୍ମରଣ କରି କହିଲେ କୁହାଯିବ, ଆସାଓରି କି ହଲାକତ୍‌ (ଅପମୃତ୍ୟୁ) ଦୁଇ । ସମ୍ଭବତଃ ଏଇସବୁ କାରଣରୁ ଖେୟାଲୀୟାମାନେ ଉତ୍‌ରା ରେଖବ୍‌କୁ କାଟି ଫିଙ୍ଗି ଦେଇ ତା ସ୍ଥାନରେ ଚଢ଼ୀ ରେଖବ୍‌ କାୟେମ କରିଥିଲେ, ଟିକିଏ ନିଶ୍ଚିନ୍ତ ହେବା ପାଇଁ । କିନ୍ତୁ ମୁଁ ଓ ଶ୍ରୀ ଯୋଗୀନ୍ଦ୍ର ନାଥ ରାୟ ନିଶ୍ଚିନ୍ତ ହୋଇ ପାରି ନ ଥିଲୁ– ତେବେ ବି ନୁହେଁ ଏବେ ବି ନୁହେଁ । କାରଣ, ଏତାବତ୍‌ ଦେଖି ଆସିଛି, କଳାବନ୍ତ ଖେୟାଲୀ (ଜଣେ ବାଦ୍‌ ଅନେଶ୍ୱତ ଜଣ) ଚଢ଼ୀ ରେଖବ୍‌ର ଆସାଓରି ଦେବୀଙ୍କ ପାଇଁ ଭୋଗରାଗ ସଜାଇ ମହାନନ୍ଦରେ ଗାନର ପୂଜାରେ ବସିଯାଇଛନ୍ତି, ଖେୟାଲ୍‌ର କଳ୍ପନାବିଳାସରେ ଆଖି ମୁଦି ହୋଇଯାଇଛି । କିନ୍ତୁ ଏଣେ ଖିଆଲ ନାହିଁ ଯେ, ବାଡ଼ିପଟ ଦେଇ ସୁଚତୁରା ସିନ୍ଧୁ-ଭୈରବୀ ଓ ଯାଦୁମଣି ଜୌନପୁରୀ ପୁଜାରୀଙ୍କ ଅଜ୍ଞାତସାରରେ ଆସି ନୈବେଦ୍ୟ ସବୁ ନିଜେ ନିଜେ ଭୋଗ କରୁଛନ୍ତି ବା ବେମାଲୁମ୍ ଲୁଟି ନେଉଛନ୍ତି ଓ ସେହି ଲୋଭରେ ବାରମ୍ୱାର ଫେରି ଆସୁଛନ୍ତି । ଆମେ ଇୟା ବି ଭାବିଚୁ, ସିନ୍ଧୁ-ଭୈରବୀ ଓ ଜୌନପୁରୀକୁ ଆସାଓରିଠାରୁ ପୃଥକ୍ ଓ ବିଶିଷ୍ଟ କରି ଜାଣିବାଠାରୁ ନ ଜାଣିବା ଆନନ୍ଦ ବେଶି । ନ ଜାଣି ବେଶ୍ ନିଶ୍ଚିନ୍ତ ହୋଇ ଗାଇହୁଏ, ସୁର ଖେଳାଇହୁଏ । ଭାରି ମଜା ! କିନ୍ତୁ ଜାଣିବା ମାନେ ବିପଦକୁ ଟାଣି ଆଣିବା । ସେ କଥା ଥାଉ, ପ୍ରସଙ୍ଗକୁ ଫେରି ଆସେ ।

 

ଖାଁ ସାହେବ ଅର୍ଦ୍ଧ ନିମୀଳିତ ନୟନରେ ବସିଛନ୍ତି । ମୁଁ ଅଟକିବାରୁ କହିଲେ : ଫିର୍ ଆଗେ ବଢ଼ିୟେ । ଅର୍ଥାତ୍ ଅନ୍ତରାରେ ଆଗେଇ ଯାଆନ୍ତୁ । ମୁଁ ବି ଅନ୍ତରାଟି ମାଛିମରା କିରାଣୀ ଭଳି ଶେଷକରି ନିଛକ ଅନ୍ଦାଜ କରି ନୂଆ କାଇଦାରେ ‘ମୁହରା’, ଅର୍ଥାତ୍‌ ଗାନର ମୁହଁଟି ସଜାଇ ଗାଇବା ମାତ୍ରକେ ସେ କହିଲେ : ଏୟୟା ମତ୍‌ କୀଜିୟେ ବାବୁ ସାବ୍‌ ! ଇସ୍‌ସେ ଆସ୍ତାଇକା ଡୌଲ୍‌ ବିଗଡ଼୍ ଯାତା ହ୍ୟାୟ୍‌ । ଅର୍ଥାତ୍‌, ସେମିତି କଲେ ଗାନଟିର ମୂଳଗତ ଆସ୍ଥାୟୀରେ ଆସାଓରିର ଚେହେରାଟି ନଷ୍ଟ ହୋଇଯାଏ । ଯିବ ତ ! ନ ହେଲେ ସେମିତି କଲି କାହିଁକି ! କହିଲି : ମେହର୍‌ବାନି କରି ଗୋଟାଏ ନୂଆ କାଇବାର ମୁହ୍‌ରା ବତାନ୍ତୁ । ମୁଁ ଜୀବନଭର୍‌ ତାକୁହିଁ ସାଧିବି ।

 

ସେ ମୋ କଥାଟା କେମିତି ଭାବରେ ଗ୍ରହଣ କଲେ ଜାଣେନା । କହିଲେ ଠିକ୍‌ ହ୍ୟାୟ । ମଗର୍‌ ଶୁନିୟେ । ଏହାର ଅର୍ଥ ସମ୍ଭବତଃ ଏହି ଯେ, ତୁମ ସାଧନା କଥା ତେଣେ ଥାଉ, ବର୍ତ୍ତମାନ ମନଦେଇ ଶୁଣ ।

 

କହିବା ମାତ୍ରେ ସେ ଗୁଣୁଗୁଣୁ କରି ନିମିଷକ ମଧ୍ୟରେ ମୋ ସୁରର ଖାଦର ପଞ୍ଚମରେ ନିଜ ସୁର କାୟମ କରିନେଲେ । ମୋ ସୁରଟି ଥିଲା ବେଶୀ ଚଢ଼ା । ଯାହାହେଉ, ଖାଁ ସାହେବ ନିଜ କଣ୍ଠରେ ଗାନର ମୁହଁଟି ଧରିବା ମାତ୍ରେ କଚାଡ଼ି ଦେଲେ ! ମନେହେଲା ଯେମିତି ପଲକ ଭିତରେ କୁସ୍ତିର ଗୋଟାଏ ପେଞ୍ଚ ମାରିଦେଲେ । ଏପରି ଗୋଟିଏ ଅଭାବନୀୟ ଅଥଚ ସୁନ୍ଦର ମୁହ୍‌ରା ଜାହିର୍ ହେଲା ଯାହା ଅତି ଚମତ୍କାର, ବିସ୍ମୟଜନକ । ଅତିଶୟ କଠିନ ତ ନିଶ୍ଚୟ । ନିର୍ଦୋଷ ସୁରେଲା କଣ୍ଠର ସେ କାରିଗରି ଦେଖି ମୋ ମନ ସ୍ତବ୍‌ଧ ହୋଇଗଲା । ଯେତେଦୂର ମନେ ପଡ଼େ, ଏହାପରେ ଆରମ୍ଭ ହେଲା ଗୋଟିକ ପରେ ଗୋଟିଏ ନୂତନ ମୁହ୍‌ରା । ପୁଣି ସେଇ ଜମିରେ ଗୋଟିକ ପରେ ଗୋଟିଏ ବିସ୍ତାର ଓ ବିରତିର ଲହର୍‌ । ଗାନ ଆରମ୍ଭର କଥାଗୁଡ଼ିକ ଏଣେତେଣେ ଭାସି ଯାଉଛନ୍ତି । କେବେ ବା ଭଉଁରି ଖାଇ ସୁରତରଙ୍ଗରେ ତଳେଇ ଯାଉଛନ୍ତି, ତରଙ୍ଗର ଗଭୀରତାକୁ । କେବେ ବା ସାଥୀହରା ହୋଇ ଅକସ୍ମାତ୍ ଦେଖା ଦେଉଛନ୍ତି ତରଙ୍ଗର ଚୂଡ଼ାରେ । କ୍ରମେ ସେମାନେ ଅଦୃଶ୍ୟ ହେଲେ । ବିସ୍ତାର ପରେ ବିସ୍ତାରର ବନ୍ୟା ମାଡ଼ି ଯାଉଥାଏ । କଥାରେ ବନ୍ଧ ଗାନର ତରୀ ଓଲଟ-ପାଲଟ ହେଉ ହେଉ କେଉଁଠି ଅଦୃଶ୍ୟ ହୋଇଗଲେ କିଏ ଜାଣେ, କିଏ ବା ଖବର ରଖୁଛି ! ସୁର-ତରଙ୍ଗର କଳକଲ୍ଲୋଳରେ ଭାସି ଚାଲିଛି ମୋର ଅନୁଭବ । ଏହାର ବିଚାର ବିଶ୍ଳଷଣ କଅଣ ସମ୍ଭବ ! କେବଳ ଆରମ୍ଭବେଳର ଗୋଟାଏ କଥା ମନେ ଅଛି । ସବୁ କାମ ହେଉଥିଲା ଜମ୍‌ଜମାର ବୁଣେଇଦ୍ୱାରା, ଯାହା ଭିତରେ ଚମକି ଉଠୁଥିଲା ଛୋଟ ଫିରତ୍‌ର ଫୁଲପକା ମନେହାରୀ ନକ୍‌ସା । ଏହାର ବର୍ଣ୍ଣନା ଅସମ୍ଭବ, ବିଜ୍ଞାପନ ଅସମ୍ଭବ । କେବଳ ଅନୁଭବ ସର୍ବକ୍ଷଣ ଉଦଗ୍ର ଥାଇ ମୋତେ ଜଣାଇ ଦେଇଥିଲା– ଆସାଓରିର, କୋମଳ ରେଖବ୍‌ଓୟାଲା ଆସାଓରିର, ଧ୍ୟାନମୂର୍ତ୍ତି ଯେତେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇଛି, ସେତେ ବିକ୍ଷେପଚଞ୍ଚଳା ସୁରନର୍ତ୍ତକୀର ଆବେଦନ-ନିବେଦନ ତୀବ୍ରରୁ ତୀବ୍ରତର ଆବେଗରେ ଲୋଟି ପଡ଼ୁଛି ନଟରାଜଙ୍କ ଚରଣରେ । ଗାନର ଭାଷା ଥିଲା ଲୋକାତୀତ ଅନୁଭବର ଗୋଟାଏ ଇଙ୍ଗିତ ମାତ୍ର । ସେଇ ଅବର୍ଣ୍ଣନୀୟ ଅନୁଭବ ଯେତେବେଳେ ସଂବିତ୍‌ରେ ଦେଖା ଦେଲା ସେତେବେଳେ ଇଙ୍ଗିତର ଆଉ କି ପ୍ରୟୋଜନ-! ମିଳନ ପୂର୍ବରୁ ଚନ୍ଦ୍ର, ଚନ୍ଦନ, କୋକିଳର ସାର୍ଥକତା ଅଛି ଅବଶ୍ୟ । କିନ୍ତୁ ମିଳନ ହେଲେ ଏମାନେ ସେଇ ମିଳନ ମଧ୍ୟରେ ମିଳେଇ ଯାନ୍ତି । ସେତେବେଳେ ଜ୍ୟୋତ୍ସ୍ନା କଅଣ, ସୁଗନ୍ଧ କେଉଁଠି ଆଉ କୁହୁଧ୍ୱନି ବା କେଉଁଥିପାଇଁ ! ସବୁ ଏକାକାର ସେତେବେଳେ !

 

ଆରମ୍ଭ ବେଳର ଆଉ ଗୋଟିଏ କଥା ଅସ୍ପଷ୍ଟ ଭାବରେ ମନେ ପଡ଼େ । ମୋର ବସ୍ତୁଗ୍ରାସୀ ଚେତନା ଯେଉଁ ଅଳ୍ପକ୍ଷଣ ପାଇଁ ସଜାଗ ଥିଲା, ବିସ୍ତାରଗୁଡ଼ିକର ବୈଶିଷ୍ଟ୍ୟ ଓ ଚମତ୍‌କାରିତା ମୋର ଜ୍ଞାନବୃତ୍ତିକୁ ଉତ୍‌କୂଳିତ କରି ଦେଇଥିଲା, ସେହି ସମୟ ଭିତରେ ମୁଁ ଥରେ ଦି’ଥର ‘ଆହାଃ’ ଉଚ୍ଚାରଣ କରି ପକେଇଥିଲି । କିନ୍ତୁ ତା’ପରେ ବହୁକ୍ଷଣର କଥା ମୋର ବିଶେଷ ମନେ ନାହିଁ । ନିର୍ବିଶେଷ ସୁର ଓ ନିରୁପମ ଅନୁଭବରେ ସମସ୍ତ ଘର, ଆକାଶ, ପବନ ଯେମିତି ଭରିଗଲା । ଅଭିନବ ପରିଚୟ, ସ୍ମରଣୀୟ ଅଭିଜ୍ଞତା ବୋଇଲେ ଯାହା ଥିଲା ସବୁ ସେତେବେଳେ ଲୋପ ପାଇଯାଇଥାଏ ।

 

କିନ୍ତୁ ସେଇ ଜ୍ଞାନହରା ବହୁକ୍ଷଣଟି ବା କେତେକ୍ଷଣ ? ପରେ ମୋର ଓ ନିକୁନ୍‌ ଭିତରେ ଆଲୋଚନା ବେଳେ ଏ ପ୍ରଶ୍ନର ସମାଧାନ ହୋଇଥିଲା । ସାତଟାବେଳେ ଟ୍ରାମରେ ଉଠିଥିଲୁ । ଖାଁ ସାହେବଙ୍କ ସହିତ ଫାଜିଲାମି ପରିହାସ କରି ଶେଷରେ ତାଙ୍କ ଆବାସରେ ପହଞ୍ଚି ସ୍ଥିର ହୋଇ ବସି ତାଙ୍କ ଜଳଯୋଗ ପରେ ଗାନ ଆରମ୍ଭ ହେବା ବେଳକୁ ବାଜିଥିଲା ଆଠଟା ।

ଆମେ ଯେତେବେଳେ ସୁରର ଲୀଳା ଭିତରେ ଆତ୍ମସମର୍ପଣ କରି ମୁଗ୍‌ଧ ହୋଇ ବସିଛୁ ତା’ରି ଭିତରେ କୌଣସି ଏକ ସମୟରେ ଗୋଟିଏ ଅବାନ୍ତର ଘଟନା ଛାଇଭଳିଆ ଆମ ଚେତନାରେ ଦେଖାଦେଇଥିଲା । ଦୁଆର ସାମନାରେ ଲକ୍ଷ୍ମୀପ୍ରତିମା ଭଳି ଗୋଟିଏ ବାଳିକା ଆଉ ତା ପାଖେ ଜଣେ ବଙ୍ଗାଳୀ ଭଦ୍ରଲୋକ ଖାଲି ଦେହରେ—ଲହରାଏ ସୁନା ଚେନ୍ ତାଙ୍କ ଗଳାରେ ଥିଲା—ଦେଖା ଦେଲେ । ସେଇ ବେଳର ସାମାନ୍ୟ କିଛି କଥା ମୋର ମନେଅଛି । ଖାଁ ସାହେବ ସୁରର ଅପୂର୍ବ ଭଙ୍ଗିଦ୍ୱାରା ଅଦ୍‌ଭୁତ ପ୍ରକାରର ବଡ଼ ବଡ଼ ପାଲ୍ଲାର ଚମକ ସୃଷ୍ଟି କରି ଚାଲିଥାନ୍ତି । ଏହା ତୁଲ୍ୟ ବ୍ୟାପାର ପୂର୍ବେ ଆଉ ପ୍ରତ୍ୟକ୍ଷ କରି ନ ଥିଲି । ଆଉ ମନେ ପଡ଼େ, ଖାଁ ସାହେବଙ୍କ ସେଇ ହଜିଯିବା ଚାହାଣି । ମଝିରେ ମଝିରେ ତାଙ୍କ ଡାହାଣ ହାତଟି ତାଙ୍କ ଡାହାଣ କାନ ପାଖକୁ ଚାଲିଯାଏ । ଆଉ ବାଁ ହାତଟି ଥରେ ଉଚ୍ଚକୁ ଉଠି ଘୁରି ଘୁରି ତଳକୁ ଓହ୍ଲାଇ ଆସି ଖଟ ଛୁଏଁ ଏବଂ କେଜାଣି କାହିଁକି ପୁଣି ଉଠିଯାଏ ।

ଏ ତ ସେ କାଲେ ଖାଁ ନୁହେଁ ! ଦେହ ଓ ମନର ରୋଗ, ଖିଆଲିପଣ, ଦାରିଦ୍ର୍ୟ ଓ ଦୁଶ୍ଚିନ୍ତାରେ ବିଷଣ୍ଣ, ମଳିନ, ଉଦାସ ଉଦବିଗ୍ନ ଗୋଟିଏ ମୂର୍ତ୍ତି ସେ କାଲେ ଖାଁ । ଆଉ ଏଇ ମୁହୂର୍ତ୍ତର ଏ କାଲେ ଖାଁ ! ସଶ୍ରଦ୍ଧ ବିନତି ଜଣାଇ ମନ ମୋତେ କୁହେ, ତୁମେ ଏଇ ଜ୍ୟୋତିର୍ମୟ ବିଗ୍ରହ, ଏଇ ଶ୍ରୁତିମନ୍ତ୍ରର ଧ୍ୟାନୀସାଧକ, ଏଇ ଆସାଓରି ରସଧାରାର ଅମୃତ ପ୍ରସ୍ରବଣସ୍ୱରୂପ ପ୍ରକୃତ କାଲେ ଖାଁଙ୍କ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନା । କାରଣ, ପାରିବ ନାହିଁ, କଦାପି ପାରିବ ନାହିଁ ତୁମେ ! ତୁମର ମାତ୍ର ଗୋଟିଏ କର୍ତ୍ତବ୍ୟ ହେଉଚି, ଏହି ହୀରାକୁ ବାହାର ଆବରଣ ଓ ମାଟିକାଦୁଅରୁ ମୁକ୍ତ ପରିଷ୍କୃତ କରି ତୁମରି ସ୍ମରଣ ଅଞ୍ଜଳିରେ ତୋଳି ଧରିବା । ୟାଙ୍କୁ ଯେତେବେଳେ ପୁଣି ସ୍ମୃତିର ମନ୍ଦିରରେ ରଖିଦେବ ସେତେବେଳେ ବୁଝିବ, ତୁମେ ନିଜେହିଁ ଗ୍ଳାନିରୁ ମୁକ୍ତ ହୋଇଛ, କ୍ଳାନ୍ତି ତୁମର ଅବଲୁପ୍ତ ହୋଇଯାଇଛି ଶ୍ରମର ସାର୍ଥକତା ଭିତରେ, ଅନୁଭବ-ସୁଧା ପାନ କରି । ଏତିକି ତୁମ ପାଇଁ ଯଥେଷ୍ଟ-। ମନର କଥା ଶୁଣି ମୁଁ କ୍ଷାନ୍ତ ହେଲି । ମୁଁ ଯେ କେତେ ଅକ୍ଷମ ତା ମୁଁ ଜାଣେ, ମୋ ମନ ଜାଣେ-

ଏହି ଲକ୍ଷ୍ମୀମୂର୍ତ୍ତି ଓ ଭଦ୍ରଲୋକଟିକୁ ଆମେ ବସିବାକୁ କହି ନ ଥିଲୁ, ଅଭିବାଦନ କରି ନ ଥିଲୁ । ସମ୍ଭବତଃ ଖାଁ ସାହେବ ସେମାନଙ୍କୁ ଲକ୍ଷ୍ୟ କରି ନ ଥିଲେ । ଏମାନେ କେତେବେଳେ ଚାଲିଗଲେ ତା ବି ମନେନାହିଁ ।

ଗାନ ଶେଷ ହେବା ମାତ୍ରେ ସେ ଭଦ୍ରଲୋକଟି ଦ୍ୱିତୀୟ ଥର ଆସି ଛିଡ଼ା ହେଲେ । ସର୍ବପ୍ରଥମ ମନେ ପଡ଼େ, ଖାଁ ସାହେବ ଖଟ ଉପରେ ଡାହାଣ ଆଣ୍ଠୁ ଟେକି ସିଧା ହୋଇ ବସି ସିଗାରେଟ ପ୍ୟାକେଟରୁ ସିଗାରେଟ ବାହାର କରି ସେଥିରେ ଅଗ୍ନି ସଂଯୋଗ କରୁଛନ୍ତି । ମୁଁ ଓ ନିକୁନ୍‌ ସେତେବେଳ ପର୍ଯ୍ୟନ୍ତ ଚୁପ କରି ବସିଥାଉ । ଏହି ସମୟରେ ସେଇ ଝିଅଟି ଆସି ଭଦ୍ରଲୋକଙ୍କୁ କହିଲା : ବାପା, ଦଶଟା ବାଜିବାକୁ ଡେରି ନାହିଁ । ମା କହିଲା ତୁମେ ଗାଧୋଇପଡ଼ ।

ଦଶଟା ବାଜିବାକୁ ଡେରି ନାହିଁ ! ମୁଁ ଓ ନିକୁନ୍‌ ଚାହାଁଚାହିଁ ହେଲୁ । ପ୍ରାୟ ଦେଢ଼ଘଣ୍ଟାକାଳ ଆମେ ଗାନ ଶୁଣିଚୁ, କିନ୍ତୁ ବୁଝିପାରିନାହୁଁ ଏତେ ସମୟ କଟିଯାଇଚି !

ନିର୍ବିକାର ଚିତ୍ତରେ ଖାଁ ସାହେବ ସିଗାରେଟ ଟାଣି ଚାଲିଛନ୍ତି । ମୁଁ କଥା କହିବାକୁ ଯାଇ ଦେଖିଲି ମୋ ଗଳା ଭାରୀ ହୋଇଯାଇଛି । କି ଆଶ୍ଚର୍ଯ୍ୟ ! ଖାଁ ସାହେବଙ୍କ ଉଦ୍ଦଶ୍ୟରେ କହିଲି : ଭଗବାନ ଆପଣଙ୍କୁ ଶହେବର୍ଷ ଜିନ୍ଦଗି (ଆୟୁ) ଓ ଜାନ୍‌ଦାରୀ (ସପ୍ରାଣତା) ଦେଇ ବଞ୍ଚାଇ ରଖନ୍ତୁ ।

 

ଭଗବାନଙ୍କ ନାଁରେ ଖାଁ ସାହେବ ମୁଣ୍ଡ ନୁଆଁଇଲେ । ଟିକିଏ ପରେ ହସ ହସ ମୁହଁରେ ପଚାରିଲେ : କେଓଁ ବାବୁସାବ୍, ଆପ୍ ରାଜି ହୁଏ ତୋ ?

 

ହାୟ ହାୟ, ମୋ ଭଳି ଅର୍ବାଚୀନର ରାଜି ହେବା ନ ହେବା ପ୍ରଶ୍ନ ଏ ଲୋକ ମୁହଁରେ ? ଲଜ୍ଜିତ ହୋଇ କହିଲି : ମୋଠୁ ଢେର୍ ବଡ଼ ବଡ଼ ସମଝ୍‌ଦାର୍ ଓ କଦର୍‌ଦାନ୍‌ ଲୋକ ଆପଣଙ୍କ ତାରିଫ୍‌ କରିସାରିଛନ୍ତି । ଖାଁ ସାହେବ, ଆପଣଙ୍କ କଣ୍ଠସ୍ୱର ଓ ଲିୟାକତ୍‌ର (ସୁନ୍ଦର କାରୁକାର୍ଯ୍ୟ) ତାରିଫ କରିବା ଯୋଗ୍ୟତା କଅଣ ମୋର ଅଛି ? ତେବେ କାଣନ୍ତୁ ଯେ ଆପଣଙ୍କ ମେହେରବାନି ଓ ସୁର ଆମ ହୃଦୟରେ ଭରି ରହିଲା, କେବେ ଭୁଲିପାରିବୁ ନାହିଁ ।

 

କିନ୍ତୁ ଆଶ୍ଚର୍ଯ୍ୟ ଏଇ କାଲେ ଖାଁ ସାହେବ । ମନେ ହେଲା ମୋ କଥାରେ ସେ ସନ୍ତୁଷ୍ଟ ହୋଇପାରିଲେ ନାହିଁ । ପୁଣି ପଚାରିଲେ : ଠିକ୍‌ ହ୍ୟାୟ, ଠିକ୍ ହ୍ୟାୟ ବାବୁସାବ୍ ! ଲେକିନ୍ ଆପ୍ ଖୁସି ତୋ ହୁୟେ ? ଇୟେ ଭି ତୋ କହିୟେ ।

 

ଭଗବାନଙ୍କ କୃପା ପ୍ରାର୍ଥନା କଲେ ଚଳିବ ନାହିଁ । ରାଜି ହେଲେ ବି ନୁହେଁ । ଖୋଲାଖୋଲି ଖୁସି ହେବାକୁ ପଡ଼ିବ ଏବଂ ସେଇ କଥାଟି ତାଙ୍କୁ ଜଣାଇବାକୁ ପଡ଼ିବ । ଏମିତି ଖୁସି-କାଙ୍ଗାଳ ତ ଦେଖି ନାହିଁ ! ଯିଏ ଏତେ ସମ୍ପଦର ମାଲିକ ହୋଇ ବସିଛନ୍ତି ତାଙ୍କର ବା କେଉଁଥିପାଇଁ ଏ କାଙ୍ଗାଳପଣ ! ଏହାର ରହସ୍ୟ ମୁଁ ମୋ ଜୀବନରେ ଭେଦ କରିପାରି ନାହିଁ । ଯାହାହେଉ, ଖୋଲାଖୋଲି କହିଲି : ଖାଁ ସାହେବ, ଏକଥା ଫଜୁଲ୍ (ନିରର୍ଥକ) ମୋତେ ପଚାରୁଛନ୍ତି-! ଖୁସିରେ ଆମ ଦିଲ୍ ଭରିଯାଇଛି । ସେଠି ଅନ୍ୟ କୌଣସି ଲୋକର ଆସାଓରି ପାଇଁ ସ୍ଥାନ ଆଉ ରହିଲା ନାହିଁ । ଏହାପରେ କେହି ଯଦି ମୋତେ ଆସାଓରି ଶୁଣାଇବାକୁ ଚାହେଁ ତେବେ ତାଙ୍କୁ ମୁଁ କହିବି, କାଲେ ଖାଁ ସାହେବଙ୍କ ଆସାଓରି ଶୁଣିଛନ୍ତି କି ? ଯଦି ଶୁଣି ନ ଥାନ୍ତି ତେବେ ଆଗେ ସେ ଆସାଓରି ଶୁଣି ଆସନ୍ତୁ, ପରେ ମୋତେ ଶୁଣାଇବେ ।

ମୋ କଥାଟା ଆଜିପର୍ଯ୍ୟନ୍ତ ପରଖି ପାରିନାହିଁ । ଏପର୍ଯ୍ୟନ୍ତ ଅନେକ ଗାନ ଓ ରାଗ ଶୁଣିଲି । କିନ୍ତୁ କୌଣସି ଖେୟାଲୀ କଣ୍ଠରୁ ଉତ୍‌ରି ରେଖ୍‌ବ୍‌ଓୟାଲା ଆସାଓରି ଜାହିର ହେବାର ଶୁଣିଲି ନାହିଁ । ଚଢ଼ୀ ରେଖବ୍‌ର ଆସାଓରି, ଅର୍ଥାତ୍ ଜୌନ୍‌ପୁରୀ, ସିନ୍ଧୁଭୈରବୀ, ଦେଶୀ ତୋଡ଼ୀର ଭେଜାଲମିଶା ଶୁଣିଛି ଅଜସ୍ର । ଶୁଣିଲେ ମନେହୁଏ କୁଆଡ଼େ ଗଲା ବିଶ୍ୱନାଥଜୀଙ୍କ ଧ୍ରୁପଦର ଆସାଓରି, ଆଉ ସେଇ କାଲେ ଖାଁ ସାହେବଙ୍କ ଖେୟାଲର ଆସାଓରି !

ମୋ ପ୍ରାଣଖୋଲା କଥାରେ ଖାଁ ସାହେବ ଖୁସି ହେଲେ କି ନାହିଁ ଜାଣେନା । ସେଭଳି ଲୋକ କେଉଁଥିରେ ଖୁସି ହୁଅନ୍ତି, କେଉଁଥିରେ ବା ହୁଅନ୍ତି ନାହିଁ, ଜାଣିବା ଦୁଷ୍କର । କିନ୍ତୁ ମୋ କଥା ଶେଷରେ ଟିକିଏ ନାହୁଡ଼ ଥିଲା । ଖାଁ ସାହେବ ସେଥିରେ ଆପତ୍ତି ଜଣାଇ ଗମ୍ଭୀରଭାବେ କହିଲେ : ନହି ବାବୁସାବ୍, ଏୟସା ମତ୍‌ କହିୟେ । ଗୁଣିଓମେଁ ଏକ୍‌ ସେ ଏକ୍ ହ୍ୟାୟ । ଫିର୍ ହମାରେ ଆପ୍‌କେ କହନେମେ କ୍ୟା ହକ୍‌ ହ୍ୟାୟ । ଅର୍ଥାତ୍‌ ଆମେ ଯେ ଗୁଣୀମାନଙ୍କର ତୁଲ୍ୟମୂଲ୍ୟ କରିଥାଉଁ ସେକଥାର ହକ୍‌ ବୋଇଲେ ସତ୍ୟ ନାହିଁ । କାରଣ, ବଡ଼ରୁ ବଡ଼ ଗୁଣୀ ଅଛନ୍ତି । କେବଳ ଭଗବାନହିଁ ଜାଣନ୍ତି, ପ୍ରତ୍ୟକ ମଣିଷ ଭିତରେ କେତେ ଲାୟେକି ବୋଇଲେ ଗୁଣ ଓ କର୍ମଯୋଗ୍ୟତା ଅଛି । ଭଗବାନହିଁ ସର୍ବଜ୍ଞ । କିନ୍ତୁ ମୁଁ ବା ଆପଣ ତ ସର୍ବଜ୍ଞ ନୋହୁଁ ! ଅତଏବ ସେଭଳି କଥା ଆମ ମୁହଁରେ ଶୋଭା ପାଏନା ।

ମୋର ଏ କ୍ଷୁଦ୍ର ଜୀବନର ଅଭିଜ୍ଞତାରୁ ବୁଝିଚି ଖାଁ ସାହେବଙ୍କ କଥା ଅକ୍ଷରେ ଅକ୍ଷରେ ସତ୍ୟ । ଯେମିତି ପ୍ରିୟ ଓ ବିଚିତ୍ର ସେମିତି ଅପ୍ରିୟ ଓ ବିରକ୍ତିକର । ମୁଁ କଅଣ ଭାରତର ସବୁ ଗୁଣୀଙ୍କ ନାଁ ଶୁଣିଛି, ନା ଖବର ରଖେ ? ଆଦୌ ନୁହେଁ । ଯେଉଁମାନଙ୍କୁ ମୁଁ ଜାଣେ ସେମାନଙ୍କ ଭିତରୁ କେହି ଯଦି ଦରବାରର ସୌନ୍ଦର୍ଯ୍ୟ ସୃଷ୍ଟି କରିପାରେ ତ ଖାମ୍ୱାଜ ବେଳକୁ ତା ପାରେନା । କେହି ହୁଏତ ତୋଡ଼ୀରେ ସିଦ୍ଧ, ବେମୃକୁ କିନ୍ତୁ ତିଲକ୍‌କାମୋଦ୍ କଞ୍ଚା । ଏଥିରେ ଭଗବାନଙ୍କ ହାତ ଅଛି । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର । ପ୍ରତ୍ୟେକକୁ ଓଜନ କରି ତୁଳନା କରିବା ଅତ୍ୟନ୍ତ ଅନଧିକାର ସ୍ପର୍ଦ୍ଧାର କଥା । ବରଞ୍ଚ, ଭଗବାନ ଯାହା ଭିତରେ ଯେଉଁ ବିଷୟରେ ଯେତେ ଉଦ୍‌ଭାବନୀ ପ୍ରତିଭା ଦେଇଛନ୍ତି ତାହା ସାକ୍ଷାତ କରିବା, ସମ୍ମାନ କରିବା ହେଲା ଶ୍ରେଷ୍ଠ କାର୍ଯ୍ୟ । କାହା ଭିତରେ କଅଣ ନାହିଁ ଏମିତି ଅନୁସନ୍ଧାନ କରିବା ନିର୍ବୋଧର କାର୍ଯ୍ୟ । ମୟୂରର ଶୁଣ୍ଡ ନାହିଁ, ହାତୀ ପୁଚ୍ଛ ଟେକି ନାଚିପାରେ ନା, ଏପରି ବିଚାର କରିବା ଶିଳ୍ପକଳାର ସମାଲୋଚନା ନୁହେଁ । ବସ୍ତୁତଃ ସେଟି କିଛି ବି ନୁହେଁ, ଗାଲୁଗଳ୍ପ ମାତ୍ର ।

 

ସେଦିନ କଥା ଭଳି ମନେପଡ଼ୁଛି, ଖାଁ ସାହେବଙ୍କ ଗମ୍ଭୀର ମୃଦୁ ସ୍ୱରର ବାହନରେ ସେଇ କଥାଗୁଡ଼ିକ କେତେ ସୁନ୍ଦର ଭାବରେ ସତ୍ୟ ଓ ବିନୟକୁ ମୋ ହୃଦୟ ମଧ୍ୟକୁ ପହଞ୍ଚାଇ ଦେଇଥିଲା । ଏହା ପରେ ସେମିତି କଥା ଯଥାର୍ଥ ଗୁଣୀମାନଙ୍କ ପାଖରୁ ମୁଁ ଶୁଣିଛି । କିନ୍ତୁ ସେ କଥା ମୁଁ ପ୍ରଥମେ ଶୁଣିଥିଲି କାଲେ ଖାଁ ସାହେବଙ୍କ ପାଖରୁ । ଏତେ ସୁନ୍ଦର ଲାଗିଥିଲା ଯେ ତା’ର ସ୍ୱାଦ ଏପର୍ଯ୍ୟନ୍ତ ଭୁଲିପାରିନି ।

 

ଖାଁ ସାହେବଙ୍କୁ ପଚାରିଲି : ଖାଁ ସାହେବ, ବେ-ଆଦ୍‍ବୀ ମାଫ କରିବେ । ଆପଣଙ୍କ ମୁଣ୍ଡରେ ସେଇ ମୁରେଠା ବାନ୍ଧିବାକୁ କେତେ ନଜ୍‌ରାନା (ଦକ୍ଷିଣା) ପଡ଼ିବ ଜାଣିବାକୁ ଇଚ୍ଛା ହେଉଚି-

 

ସେ କହିଲେ : କାହେ ?

 

ମୁଁ ତାଙ୍କୁ ବୁଝାଇଦେଲି ଯେ ଭଗବାନଙ୍କ ଅନୁଗ୍ରହ ହେଲେ ଅବିଳମ୍ୱେ ତାଙ୍କ ପାଇଁ ଗୋଟାଏ ମୁଜ୍‌ରା ବନ୍ଦୋବସ୍ତ କରିପାରେ । ଦେଖିଲି, ମୁଜ୍‌ରା କଥାରେ ସେ ଖୁବ୍ ଆଗ୍ରହ ପ୍ରକାଶ କଲେ । କହିଲେ : ମୋ ମୁଜ୍‌ରା ପଚାଶ ଟଙ୍କା । କେଉଁଠି ମୁଜ୍‌ରା ହବ ?

 

ଏମିତି ଅକପଟ ମନ ଓ ପିଲାଙ୍କ ଭଳି ଆଗ୍ରହ ବି ଦେଖିନାହିଁ । କହିଲି : ଆଜି ସନ୍ଧ୍ୟାବେଳେ ଖବର ଦେଇଯିବି କେଉଁଠି ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ତେବେ ଗୋଟାଏ କଥା ଆପଣଙ୍କୁ କୁହେ । ଯେଉଁଠି ବନ୍ଦୋବସ୍ତ କରିବାପାଇଁ ମନ କରିଛି ସେଠି ଭଗବାନ ଖାଲି ପଇସା ଦେଇନାହାନ୍ତି, ଦିଲ୍‌ ବି ଦେଇଛନ୍ତି, ଆଉ ରେଖବ୍‌-ଗାନ୍ଧାରର ସମଝ୍‌ ବି ଦେଇଛନ୍ତି ।

 

ମୋ କଥା ଶୁଣି ଖାଁ ସାହେବଙ୍କ ବ୍ୟାକୁଳତା, ଉତ୍‌ଫୁଲ୍ଲତା କିଏ ସମ୍ଭାଳେ ! ତାଙ୍କ ମୁହଁ ଦେଖି ମୋ ତରୁଣ ମନରେ ଯୁଗପତ୍‌ ଯେଉଁ ହର୍ଷବିଷାଦ ହୋଇଥିଲା ସେଭଳି ଆଉ ହୋଇଛି କି ନା ସନ୍ଦେହ ।

 

ଖାଁ ସାହେବଙ୍କୁ ବହୁଥର ଆଦାବ ଜଣାଇ ଆପ୍ଳୁତ ହୃଦୟରେ ଯେତେବେଳେ ଆମେ ଉଠି ତାଙ୍କଠାରୁ ବିଦାୟ ପ୍ରାର୍ଥନା କଲୁ ସେତେବେଳେ ସେଇ ନଗ୍ନଦେହ ବିଗ୍ରହଟି ଦୁଇହାତରେ ମୋ ହାତ ଜାବୁଡ଼ି ଧରି କହିଲେ : ବାବୁ ସାବ୍‌, ଆପ୍‌ଣ ସନ୍ଧ୍ୟାକୁ ଆସୁଛନ୍ତି ତ ? ସେ ଏମିତି ଭାବେ ମୋତେ ଅନେଇଲେ ଯେ ମୁଁ ଅନୁଭବ କଲି ଯେମିତି ମୋ ଗଳାରେ କଅଣ ଗୋଟାଏ ଅଟକିଗଲା-। ମୁଁ କଥା କହିପାରିଲି ନାହିଁ । ଆଖିପାଣି ଅଟକାଇବା ମୋ ପକ୍ଷରେ କଷ୍ଟକର ହେଲା-। କୌଣସିପ୍ରକାରେ ହାତ ଟାଣିନେଇ ମୁଣ୍ଡ ହଲାଇ ତାଙ୍କୁ ଜଣାଇଦେଲି ଯେ ମୁଁ ପ୍ରତିଶ୍ରୁତି ପାଳନ କରିବି । ଭଗବାନଙ୍କୁ ଡାକିବା ଅଭ୍ୟାସ ନ ଥିଲା । କିନ୍ତୁ ସେତେବେଳେ ମୁଁ ମନେ ମନେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲି, ମୋ କଥା ଯେମିତି ମୁଁ ରଖିପାରେ । ଭଗବାନ ସେ କଥା ଶୁଣିଥିଲେ, ମଞ୍ଜୁର ବି କରିଥିଲେ ।

 

ଆମେ ଉପରୁ ତଳକୁ ଓହ୍ଲାଇଲା ପରେ ସେଇ ଭଦ୍ରଲୋକଟି ସବୁ ବୃତ୍ତାନ୍ତ ପଚାରିଲେ । ସେ ଏ ଗରୀବ୍‌ଖାନାର ମାଲିକ ବୋଲି ଜଣାଇଲେ । ଆମେ ଆଗେ ତାଙ୍କୁ ଖାତିର କରିନୁ ବୋଲି କ୍ଷମା ମାଗନ୍ତେ ସେ କହିଲେ : ସେକଥା କହିବା କି ଦରକାର । ଆପଣମାନେ ତ ସେତେବେଳେ ନିଶାରେ ଭର୍‌ପୂର୍ ।

 

ଅନେକ କଥା ବାଦ୍‌ ଦେଇ ସଂକ୍ଷିପ୍ତ ଭାବରେ ସମସ୍ତ ଘଟନାଟି କହିବାରୁ ସେ କହିଲେ : ସେ କଥା ତ ବୁଝିଲି । କିନ୍ତୁ ମହାଶୟ, ଛ’ ମାସ ହେଲା ତାଙ୍କ କଣ୍ଠରୁ ସୁର୍‌ ବାହାର କରି ପାରି ନାହିଁ-। ସନ୍ଧ୍ୟା ପୂର୍ବରୁ ବାହାରି ଯାନ୍ତି । ସକାଳେ କହନ୍ତି, ମିଜାଜ୍‌ ଠିକ୍ ନାହିଁ । ଭାଗ୍ୟେ ଆପଣମାନେ ଆସିଥିଲେ ।

 

ଦି ଚାରିଟା ତୁମ୍‌ତାରାନାନା କରି ତାଙ୍କ ପାଖରୁ ବିଦାୟ ନେଲୁ । ଗଳିରୁ ବାହାରିବା ପରେ ଜାଣନ୍ତୁ ଆମ ସ୍ୱପ୍ନଭଙ୍ଗ ହେଲା । ନିକୁନ୍ କହିଲା : ପାଁଚ୍‌ଦା, ବ୍ୟାପାରଟା ସ୍ୱପ୍ନ ଭଳି ମନେ ହେଉଛି, ନୁହେଁ କି ?

 

ମୁଁ କହିଲି : ତୁ ମୋ ମୁହଁରୁ କଥାଟା ଛଡ଼େଇନେଲୁ, ଭାଇ ! ଆଉ ସେଇ ପୟମନ୍ତ ଖଟଟା !

 

ନିକୁନ୍‌ ରାସ୍ତାରେ ଛିଡ଼ା ହୋଇ ପ୍ରାଣଭରି ହସିନେଲା । ବିଚାରା ! ମୁଁ କହିଲି : ଦେଖ୍‌ ନି୍ୁକୁନ୍‌, ଭଦ୍ରଲୋକଙ୍କୁ ଫୁସୁଲେଇ ସେ ଖଟଟା କିଣିନେଲେ ହୁଅନ୍ତା ନାହିଁ ? ଏମିତି ଜୋଇଁ-ଭଣ୍ଡେଇବା କାଠର ଖଟ ବୋଧହୁଏ କଲିକତାରେ ବି ମିଳିବ ନାହିଁ ।

 

ନିକୁନ୍‌ ଅତିଶୟ ସରଳପ୍ରାଣ । କହିଲା : କଅଣ ଯେ କହନ୍ତି ଆପଣ ଏଣୁ ତେଣୁ । ସେ ହେଲେ ଖାଁ ସାହେବଙ୍କ ସାକ୍‌ରେଦ୍‌ । ସେ କେବେ ହେଲେ ଗୁରୁଦେବଙ୍କ ଆସନ ବିକ୍ରି କରି ଦେଇ ପାରନ୍ତି ? କଦାପି ନୁହେଁ ।

 

ନିକୁନ୍ କଥାର ଗୁରୁତ୍ୱରେ ଖଟର ଲଘୁତ୍ୱ କଟିଗଲା । ସେଇ ଯାଦୁକର ଖଟ ସହିତ ମୋର ଆଉ ପୁନର୍ମିଳନ ହୋଇନାହିଁ ।

 

ଠିକ୍ କଲି, ଆଉ କେଉଁଠିକି ନ ଯାଇ ସିଧା ମହାରାଜ ଭବନକୁ ଯିବା ଆବଶ୍ୟକ । ସିଦ୍ଧାନ୍ତ ସାଙ୍ଗେ ସାଙ୍ଗେ କାମ । ଆମେ ଚାଲିଲୁ ମହାରାଜ ଶ୍ରୀ ଜଗଦିନ୍ଦ୍ରନାଥ ରାୟଙ୍କ ସମୀପକୁ, ଦରବାର କରିବା ପାଇଁ । ଟ୍ରାମ ଯୋଗେ ଏସ୍‍ପ୍ଲାନେଡ଼୍‌ । ତା’ପରେ ଭବାନୀପୁର ଟ୍ରାମ ଯୋଗେ ଏଲଗିନ୍‌ ରୋଡ଼ ଛକ । ସେଠାରୁ ପଦବ୍ରଜରେ ୬ନଂ ଲ୍ୟାନ୍‌ସ୍ ଡାଉନ୍ ରୋଡ଼ସ୍ଥ ରାଜଭବନକୁ । ଗନ୍ତବ୍ୟ ସ୍ଥାନରେ ଉପସ୍ଥିତ ହେଲା ବେଳକୁ ଦିନ ଦ୍ୱିପ୍ରହର ସରିକି ।

 

ପ୍ରଥମେ ଆମେ ମହାରାଜାଙ୍କୁ ଅଭିବାଦନ ଜଣାଇଲୁ । ପଶ୍ଚିମ ଦିଗର, ଅର୍ଥାତ୍‌ ବଡ଼ ମହଲର ଗାଡ଼ିବାରନ୍ଦାର ଉପର ଘରଟି ଥିଲା ମହାରାଜାଙ୍କ ବିଶ୍ରାମ କକ୍ଷ । ସିଡ଼ି ଦେଇ ଉପରକୁ ଉଠି ଦେଖିଲୁ ଅର୍ଦ୍ଧଶାୟିତ ଅବସ୍ଥାରେ ମହାରାଜା ଖଣ୍ଡେ ବହି ଧରି ନିବିଷ୍ଟ । ବୁଝିଲୁ ତାଙ୍କ ଆହାରାଦି ଶେଷ ହୋଇଛି । ଆମର ଗତିବିଧି ଥିଲା ପ୍ରାୟ ଅବାଧ । ଆମର କୌଣସି ଗୁଣ ପାଇଁ ନୁହେଁ, ଗୋଟାଏ ସମ୍ୱନ୍ଧ ଯୋଗୁଁ କେବଳ । ମହାରାଜ କୁମାର ମୋର ଖୁଡ଼ୁତା ଝିଅ ଭଉଣୀକୁ, ଅର୍ଥାତ୍ ନନୀର ସହୋଦରା ଭଉଣୀକୁ, ବିବାହ କରିଥିଲେ । ବଙ୍ଗର ଅଭିଜାତ ବଂଶର କୁଳତିଳକ ମହାରାଜା ଶ୍ରୀ ଜଗଦିନ୍ଦ୍ର ରାୟଙ୍କ ଚରିତ୍ର, ଗୁଣାବଳୀ କଥା ମୁଁ ବା ବିଶେଷ କଅଣ କହିବି ! ଆମେ କେବଳ ଜାଣୁ ଓ ବୁଝୁ ଯେ ସେ ଅତିଶୟ ସ୍ନେହପ୍ରବଣ, କୌତୁକପ୍ରିୟ ଓ ସଙ୍ଗୀତପ୍ରାଣ । ସେ ଯେତେବେଳେ ଓସ୍ତାଦ ବିଶ୍ୱନାଥଜୀଙ୍କ ଧ୍ରୁପଦ ସହିତ ସଙ୍ଗତ କରନ୍ତି ମୁଁ ବିସ୍ମିତ ହୁଏ ଏଇୟା ଭାବି ଯେ ପଖାଓଜ୍‌ ବାଦ୍ୟ ଓ ସଙ୍ଗତ ଏତେ ମଧୁର କିପରି ହୁଏ । ତାଙ୍କ ହୃଦୟର ପରିଚୟ ପାଇ ବୁଝିଥିଲି, ଅନ୍ତରର ସ୍ନେହଧାରା କେବଳ ସଜୀବ ମଣିଷକୁ କୃତାର୍ଥ କରି କ୍ଷାନ୍ତ ହୋଇନାହିଁ, ନିର୍ଜୀବ ବାଦ୍ୟଯନ୍ତ୍ରକୁ ସରସ କରିଛି ମନର ମାଧୁର୍ଯ୍ୟ ଓ ଆହ୍ଲାଦ ଦେଇ ।

 

ବର୍ତ୍ତମାନ ସ୍ମରଣର ଆନନ୍ଦଦେଇ ଉପଲବ୍‌ଧି କରେ ସେତେବେଳକାର ଯୋଗାଯୋଗର ମାହାତ୍ମ୍ୟ । ମୋର ଅକିଞ୍ଚନ ଜୀବନଲତା ସୌଭାଗ୍ୟଲବ୍‌ଧ ସେଇ ସମ୍ବନ୍ଧକୁ କେତେ ନିବିଡ଼ଭାବେ ଆଶ୍ରୟ କରିଥିଲା ଓ ପ୍ରତାନିତ ହୋଇଥିଲା ମନୋରମ ଅଭିଜ୍ଞତାର କୋରକସମ୍ଭାର ନେଇ ! ଜୀବନର ଗୋଟିଏ ଶାଖା ପଲ୍ଲବିତ ହୋଇଥିଲା ମହାରାଜା ନାଟୋର ଭବନର ସ୍ନେହସ୍ପର୍ଶ ପରିବେଶ ମଧ୍ୟରେ, ମୈତ୍ରୀ ଓ କରୁଣାର ସୁଶୀତଳ ଛାୟାତଳେ ଅନୁରାଗ ସଞ୍ଚୟ କରି ଓ ସଙ୍ଗୀତର ଭାସ୍ୱର ଜ୍ୟୋତିର ଅପୂର୍ବ ଆସ୍ୱାଦ ପାଇ । ଅନ୍ୟ ଗୋଟିଏ ଶାଖା ବିସ୍ତୃତ ହୋଇଥିଲା ଶ୍ୟାମଲାଲଜୀଙ୍କ ସଙ୍ଗୀତ ତୀର୍ଥର ବିଚିତ୍ର ଛାଇ-ଆଲୁଅ ଭିତରେ ଗୀତ-ବାଦ୍ୟ-ନୃତ୍ୟର ନବ ନବ ହିଲ୍ଲୋଳ ପ୍ରଲୋଭନରେ, ନବ ନବ ପ୍ରତ୍ୟାଶାର ଆକର୍ଷଣରେ । ଉନ୍ମୁଖ ଯୌବନର ସେଇ ଅତୀତ ଶୁଭ ମୁହୂର୍ତ୍ତସବୁ ବର୍ତ୍ତମାନ କ୍ଷଣେ କ୍ଷଣେ ମନେପଡ଼େ । ଅନାବିଳ ଆନନ୍ଦରେ ଆପ୍ଳୁତ ଏଇ ହୃଦୟକୁ ସେଇ ମୁହୂର୍ତ୍ତଗୁଡ଼ିକ ସହଜରେ ଜୟ କରି ନେଇଥିଲେ ସଙ୍ଗୀତର ବିଚିତ୍ର ଧ୍ୱନି ଓ ରୂପ ଦେଇ । ବିଦାୟକାଳରେ ସେମାନେ ଉନ୍ମେଷିତ କରିଦେଇଥିଲେ ମୋର ସ୍ୱଳ୍ପପରିସର ଜ୍ଞାନର ମଞ୍ଜୁଳ କୋରକଗୁଡ଼ିକୁ । ମୋର ଅଜ୍ଞାତସାରରେହିଁ ସେମାନେ ମୋର ଅନ୍ତରକୁ ସୁପୁଷ୍ଟ କରିଥିଲେ ଅନୁଭବର ନିଗୂଢ଼ ସମ୍ପଦ ଦେଇ । ଜୀବନର ସେଇ ଅତୀତ ମୁହୂର୍ତ୍ତସବୁର ସନ୍ଧାନ କରିବୁଲୁଛି ବ୍ୟାକୁଳ ଭାବରେ, ସଞ୍ଚିତ-ଲୋଭୀ କୃପଣ ଭଳି ସ୍ମରଣର ପ୍ରଦୀପ ଜାଳି ।

 

ମାତ୍ର ଅନୁଭବଦ୍ୱାରା ବର୍ତ୍ତମାନ ବୁଝିପାରେ, ସେହି ସ୍ନେହ-ବାତ୍ସଲ୍ୟର କେଉଁ ମହିମାରେ ମଣ୍ଡିତ ହୋଇ ମହାମହିମ ମହାରାଜା ଓ ମାତୃସମା ମହାରାଣୀମାତା ମୋ ଜୀବନରେ ପ୍ରତିଭାତ ହୋଇଥିଲେ । ଅକୃତ୍ରିମ ପ୍ରୀତି ଓ ଅନନ୍ୟ ସୌହାର୍ଦ୍ଦ୍ୟ ଶୃଙ୍ଖଳଦ୍ୱାରା ମହାରାଜକୁମାର ମୋତେ ଚିରଦିନ ପାଇଁ ବନ୍ଧନ କରିଥିଲେ । ଆତ୍ମୀୟସ୍ୱଜନମାନେ ସେମାନଙ୍କ ଅକୃପଣ ସ୍ନେହର ପୂତ ବାରିରେ ମୋର ସମସ୍ତ ତ୍ରୁଟି ଅପରାଧ କ୍ଷାଳନ କରିଦେଉଥିଲେ । ବାହ୍ୟିକ ଶିଷ୍ଟତା ଦେଖି ଶିଷ୍ଟ ହେବାର ଶିକ୍ଷା ପାଇଛି । ସୌଜନ୍ୟର ଆଶ୍ରୟରେ ସୌଜନ୍ୟର ମର୍ଯ୍ୟାଦା ଦେବାକୁ, ତାର ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଶିଖିଛି ।

 

ସେଇ ସୁକୃତି-ଲବ୍‌ଧ ସ୍ନେହ-ବାତ୍ସଲ୍ୟର ଗୋପନ ଅଧିକାର ବର୍ତ୍ତମାନ ଅନୁଭବ ମଧ୍ୟରେ ସବୁଠାରୁ ଉଜ୍ଜ୍ୱଳ ହୋଇ ଦେଖାଦିଏ । ସେଇ ପ୍ରୀତି ଓ ସ୍ନେହ ନିଗୂଢ଼ ସରିତ୍‌-ପ୍ରବାହ ଆଜି ସ୍ମୃତି ମଧ୍ୟରେ ସ୍ୱଚ୍ଛଳ ଉତ୍ସର ଆବେଗ ନେଇ ଉଚ୍ଛଳିତ ହୁଏ । କିନ୍ତୁ ଏସବୁ ଆନ୍ତରିକ ମୂଲ୍ୟ ସେତେବେଳେ ମୁଁ ବୁଝିପାରି ନ ଥିଲି । ସେମାନଙ୍କ ମର୍ଯ୍ୟାଦା ସେତେବେଳେ ମୁଁ ବିଚାର କରି ନ ଥିଲି । ବର୍ତ୍ତମାନ ଏହି ଅମାର୍ଜିତ ଲେଖନୀ-କଣ୍ଟକ କେବଳ ଯତ୍‌କିଞ୍ଚିତ ସ୍ଥୂଳ ଘଟନାଗୁଡ଼ିକୁ ସ୍ମୃତିର ଅତଳରୁ ଗୋଟିକ ପରେ ଗୋଟିଏ ବିଦ୍ଧ କରି ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଚି । ସେଇ ଅମୂଲ୍ୟ ରତ୍ନାବଳୀର ମାନ ମୂଲ୍ୟ ମର୍ଯ୍ୟାଦା କଳନା କରିବା ଭଳି ଶକ୍ତି, ଯୋଗ୍ୟତା ମୋର ନାହିଁ । ସବୁ ଦୀନଜନଙ୍କର ଯିଏ ଶରଣ ସେଇ ଦୀନନାଥଙ୍କୁହିଁ ଏ ହୃଦୟ ପ୍ରକାଶର ଅକ୍ଷମତା ଜଣାଇଦେବାକୁ ଚାହେଁ । ସ୍ନେହ-ପ୍ରୀତି-ବାତ୍ସଲ୍ୟର ମୁକ୍ତାନିଚୟ ଆଜି ଅକସ୍ମାତ୍‌ ଅନୁଭବରେ ଆବିର୍ଭାବ ହେଲେ ବି ସେମାନଙ୍କ ମର୍ଯ୍ୟାଦା ବିଚାର ମୋ ପକ୍ଷରେ ବୃଥା ମନେହୁଏ ।

 

ଆମେ ଦୁଇଜଣ ନିର୍ଭୟ ଅକୁଣ୍ଠିତ ଚିତ୍ତରେ ମହାରାଜାଙ୍କ ବିଶ୍ରାମକକ୍ଷରେ ଉପସ୍ଥିତ ହୋଇଥିଲୁ । ନିକଟକୁ ଯାଆନ୍ତେ ସେ ତାଙ୍କର ସ୍ୱଭାବସିଦ୍ଧ କୌତୁକ ଦୃଷ୍ଟିରେ ମୋତେ ଚାହିଁ କହିଲେ : କିଏ, ପାଁଚୁ ନା କଅଣ’ ଆରେ ଆ, ଆ ! ନିକୁଞ୍ଜ ବି ! ଆ, ବସ୍ ।

 

ତାଙ୍କୁ ପ୍ରଣାମ କରି ଆମେ ସତରଞ୍ଜି ଉପରେ ବସିଲୁ । ସେ ପଚାରିଲେ : ଖବର କଅଣ କହ । ଦୀନନାଥଦା (ମୋ ପିତୃଦେବ) ଭଲ ଅଛନ୍ତି ? ଛୁଟିରେ ମୈମନସିଂ ଯାଉଛୁ ତ ?

 

ମୁଁ ଉତ୍ତର ଦେଇ ଚୁପ୍‌ ରହିଲି । ସେ ନିକୁନ୍‌ର ଘର ଖବର ନେଲେ । ପରେ କହିଲେ : ନୂଆ ଖବର କଅଣ କହ । ମୁଁ ଉତ୍ତର ଦେବାକୁ ଯାଉଛି, ସେ ପୁଣି କହିଲେ ଅନ୍ଦର ମହଲକୁ ଯାଇଛ-?

 

ଆମେ କହିଲୁ : ନାଇଁ ଯାଇନୁ ଏପର୍ଯ୍ୟନ୍ତ । ଆପଣଙ୍କ ପାଖକୁ ପ୍ରଥମେ ଆସିଲୁଁ ।

 

କହିଲେ : ବୁଝିଲି କୌଣସି ଓସ୍ତାଦ୍-ଫୋସ୍ତାଦ୍‌ର ଖବର ନେଇ ଆସିବା ଭଳି ଲାଗୁଛି । କହ ତ ଶୁଣେ ।

 

ଆମେ ଚମତ୍କୃତ ହେଲୁଁ । ମୁଁ କହିଲି : ଆପଣ ନିଶ୍ଚୟ ଟେଲିଫ୍ୟାଥି ଜାଣନ୍ତି । ନ ହେଲେ କେମିତି ଜାଣିଲେ ଆମେ ଜଣେ ଓସ୍ତାଦ୍‍ଙ୍କ ଖବର ନେଇ ଆସିଛୁ ?

 

ସେ ଖୁବ୍ ଗମ୍ଭୀର ଭାବରେ ମୁଣ୍ଡ ହଲାଇ କହିଲେ : ନା ରେ ନା । ଶାର୍ଲକ ହୋମ୍‌ସ ଗଳ୍ପ ପଢ଼ିଚୁ ତ ? ସେଇ ବିଦ୍ୟାଟା ଠିକ୍ ଲାଗୁଛି କି ନା ପରଖିନେଲି । ଏ ଅସମୟରେ, ମାନେ ମନୁ-ଫନୁ ଏପର୍ଯ୍ୟନ୍ତ ନିଦରୁ ଉଠିନାହାନ୍ତି, ତୁମେ ସବୁ ଭିତରଘରକୁ ନ ଯାଇ ପାଖକୁ ଆସିଲ । ଏହାର ଆଉ କଅଣ କାରଣ ହୋଇପାରେ ତୁ କହ ।

 

ମୁଁ ଚକିତ ଦୃଷ୍ଟିରେ ସେ ଧରିଥିବା ବହିଟି ଦେଖିନେଲି । ସେଟା ଥିଲା ‘ମେମଇୟାର୍‌ସ ଅବ୍‌ ଶାରଲକ୍ ହୋମ୍‌ସ’ । ସେ ବୃତ୍ତାନ୍ତ ପଚାରନ୍ତେ ମୁଁ ଆନୁପୂର୍ବିକ ଘଟନାର ପ୍ରଧାନ କଥା ସବୁ କହିଗଲି, ଶ୍ୟାମଲାଲଜୀଙ୍କ ବୈଠକର ସନ୍ଧାନସୂତ୍ରଟି ସହିତ । ସମସ୍ତ କ୍ଷଣ ସେ ନୀରବ ଦୃଷ୍ଟିରେ ମୋ ମୁହଁକୁ ଚାହିଁ ରହିଥିଲେ । କଥା ଶେଷ ହୁଅନ୍ତେ ସେ ମୋତେ ତାଙ୍କ ପାଖକୁ ଯିବାକୁ ସଙ୍କେତ ଦେଲେ । ମୁଁ ତାଙ୍କ ନିକଟକୁ ଯାଇ ବସିଲି । ଭାବୁଥିଲି, ହୁଏତ କାନମୋଡ଼ା ଖାଇବି ।

 

ହାୟ, ହାୟ ! ହୋଇଥିଲେ ତ ଚାରିଆଡ଼େ କହିବୁଲିବା ଭଲ ଗୋଟାଏ ଘଟନା ଘଟିଥାନ୍ତା ଯେ ନାଟୋର ମହାରାଜାଙ୍କ ଯେଉଁ ଆଙ୍ଗୁଳି ମୃଦଙ୍ଗର ମଧୁର ‘ପରନ୍ଦ୍‌’ (ପ୍ରବନ୍ଧ ଶବ୍ଦର ଅପଭ୍ରଂଶ, ବୋଲ୍‌ର ବିସ୍ତାର ପରିପାଟୀ) ସୃଷ୍ଟି କରେ ସେଇ ଆଙ୍ଗୁଳିର କାନମୋଡ଼ା ଖାଇଛି ପାଁଚୁ ସାଣ୍ଡେଲ୍‌ ! ସେ ମୋ ହାତର କବ୍‌ଜି ଓ ବାଇସେପ୍‌ସ ପରୀକ୍ଷା କରି କହିଲେ : ସତେ ତ ! ତୁ ଗୋଟାଏ ଲାଏକ୍ ହୋଇଗଲୁ କେମିତି ! ଯା ହେଉ, ଆଜିଠୁ ତୋ ଉପରେ ଗୋଟାଏ କାମରେ ଦାୟିତ୍ୱ ଦିଆଗଲା । ତୁମ ସାହିକୁ (ଅର୍ଥାତ୍‌ ଉତ୍ତର-କଲିକତା ଅଞ୍ଚଳରେ) ନାମ୍‌ଜାଦା କେହି ଆସିଲେ ତୁ ନିଜେ ଦେଖିଶୁଣି ମୋତେ ଖବର ଦେବୁ । ବୁଝିଲୁ ? ବୀର୍‌ବଲଙ୍କ ଭଳି । ବୀର୍‌ବଲ୍ ଗଳ୍ପ ଜାଣୁ ତ ?

 

ବୀରବଲ୍‌ ଅଳ୍ପ ପାଞ୍ଚଦଶଟା ଜାଣିଥିଲି । ‘ବୀର୍‌ ବଲ୍‌ କା କିସ୍‌ସା’ ନାମରେ ହିନ୍ଦୀ ବହି ବି ସେତେବେଳେ ପଢ଼ିଥିଲି । କିନ୍ତୁ ସେ କେଉଁ ବିଶେଷ ଗଳ୍ପର ଇଙ୍ଗତ ଦେଲେ ବୁଝିପାରିଲି ନାହିଁ । ତା ଛଡ଼ା, ତାଙ୍କ ମୁହଁରୁ ନାନା ଛୋଟ ଛୋଟ ମଜେଦାର୍‌ ଗଳ୍ପ ଶୁଣି ଶୁଣି ମୋର ଗୋଟାଏ ଧାରଣା ହୋଇଥିଲା, ମୁହଁରେ ଗଳ୍ପ କହିବା ଗୋଟାଏ ପୃଥକ୍‍ ବିଦ୍ୟା ଅଛି । ମହାରାଜାଙ୍କ ଗଳ୍ପ କହିବା ଢଙ୍ଗ ଥିଲା ହୃଦୟହାରୀ । କହିଲି : ମହାରାଜା କେଉଁ ଗଳ୍ପ କଥା କହୁଛନ୍ତି ଆମେ ଜାଣୁ ନା ନିଶ୍ଚୟ । ଆପଣଙ୍କ ମୁହଁରୁ ଶୁଣିବୁଁ ।

 

ଦେଖିଲି, ସେ ଅନ୍ୟମନସ୍କ ଭାବରେ ପାଖ ଦୁଆର ଆଡ଼େ ଚାହିଁଲେ । ଏହି ସମୟରେ ସାକ୍ଷାତ୍ ଜନନୀରୂପିଣୀ ସ୍ନେହ-ପ୍ରତିମା ମହାରାଣୀମା ଆସି ଦେଖାଦଲେ । ଆମକୁ ଦେଖିବାମାତ୍ରେ କହିଲେ : କିଏ, ପଞ୍ଚୁ ! ନିକୁଞ୍ଜ ! କୁଆଡ଼ୁ ଆସିଲ ତୁମେସବୁ ଏତେବେଳେ ?

 

ଆମେ ତତ୍‌କ୍ଷଣାତ୍ ଛିଡ଼ା ହୋଇ ତାଙ୍କ ଶୁଭ୍ର ସୁକୋମଳ ପଦ ଦୁଇଟି ସ୍ପର୍ଶ କରି ନିଜକୁ ଧନ୍ୟ ମନେକଲୁ । କୌଣସି ଉତ୍ତର ପାଇଁ ଅପେକ୍ଷା ନ କରି ସେ କହିଲେ : ତୁମର ମୁହଁ ଦେଖି ମନେହେଉଚି ଏ ପର୍ଯ୍ୟନ୍ତ ଖାଇନା । ଘର ଭିତରକୁ ଆସ, ଖାଇବା ପିଇବା ସାରିନିଅ । ମନୁ ଏ ପର୍ଯ୍ୟନ୍ତ ଉଠି ନାହିଁ । ତା’ର ଖାଇବା ଅନେକ ଡେରି । ଆସ ସବୁ ମୋ ସାଙ୍ଗରେ ।

 

ମୁଁ ଗୋଟାଏ କ୍ଷୀଣ ଆପତ୍ତି ଜଣାଇ କହିଲି : ଆମେ ବର୍ତ୍ତମାନ ମହାରାଜାଙ୍କ ମୁହଁରୁ ବୀରବଲ୍‌ କାହାଣୀ ଶୁଣିବାର ମନସ୍ଥ କରିଛୁଁ ।

 

ମହାରାଜା ଏକଥା ଶୁଣିବାମାତ୍ରେ କହିଲେ : ନା ନା, ତୁମେ ସବୁ ଆଗ ଘରଭିତରକୁ ଯାଇ ପେଟ ଥଣ୍ଡା କରି ଆସ । ଖାଲିପେଟରେ ଗଳ୍ପ ଭଲ ଲାଗେନା । ମୁଁ ତ ସେଥିପାଇଁ ତୁମ ମହାରାଣୀଙ୍କ ନିକଟକୁ ଟେଲିପ୍ୟାଥି କଲି ! ବୁଝି ପାରି ନା ! କଲା ମାତ୍ରକେ ସେ ହାଜିର୍‌ ! ଏକୁହିଁ କହନ୍ତି ଟେଲିପ୍ୟାଥି–କହି ମହାରାଣୀଙ୍କ ଆଡ଼କୁ ଚାହିଁ ଯେମିତି ଅଭିନୟ କରି ବିନୟସୁରରେ କହିଲେ : ମହାରାଣୀ, ଆପଣ କଅଣ କହନ୍ତି ? ଏଭଳି ଟେଲିପ୍ୟାଥି କେତେଥର ହେଲାଣି ତା’ର ହିସାବ ରଖିଛନ୍ତି କି ?

 

ମୁଁ ମନ୍ତ୍ରମୁଗ୍‌ଧ ଭଳି ବସିରହିଲି । ତାଙ୍କ ଦୃଷ୍ଟିର ଅନ୍ତରାଳରେ କୌଣସି ହିସାବ ନିକାଶ୍ ହୋଇଥିଲା କି ନା ମୁଁ ବା କେମିତି ବୁଝିବି ! ଖାଲି ମନେ ଅଛି, ମହାରାଣୀମା ଆମ ହାତ ଧରି ମହାରାଜାଙ୍କୁ କହିଲେ : ଢେର୍‌ ହେଲା । ଆଉ ତୁମର ତମାସା କରିବା ଦରକାର ନାହିଁ । କାହାଣୀ ସେମାନେ ପରେ ଶୁଣିବେ । ବର୍ତ୍ତମାନ ଏଙ୍କୁ ଖୁଆଇ ଆଣେ ।

 

ଆମକୁ ସାଙ୍ଗରେ ନେଇ ମୃଦୁମନ୍ଦ ଚରଣଛନ୍ଦରେ ସେ ଅନ୍ଦରମହଲ ଆଡ଼କୁ ଚାଲିଲେ । ସେଇ ଧୀର ଚରଣସଞ୍ଚାର ! ଅତି କ୍ଷୁଦ୍ର ଏଇ ବାସ୍ତବ ଘଟନା ସ୍ମରଣ କରିବାକୁ ଯାଇ ମୁଁ ସ୍ତବ୍‌ଧ ହୋଇଯାଏ । ମୋର ଦୁର୍ବଳ ଲେଖନୀ ଦୁର୍ବଳତର ହୋଇଯାଏ । ସେଦିନର ସେ ବାସ୍ତବ ମୁହୂର୍ତ୍ତଗୁଡ଼ିକ ମଧ୍ୟରେ ମୋ ଆଖିରେ ମହାରାଣୀମା ଓ ମହାରାଜା ବିଶିଷ୍ଟ ମନୁଷ୍ୟ ରୂପରେ ହିଁ ତ ଦେଖା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଘଟନା ମନେପକାଇବାକୁ ଯାଇ ଦେଖେ, ସେଇ ଚରଣଧ୍ୱନି ମୋତେ କେଉଁଆଡ଼େ ନେଇଯାଉଛି, କି ସମ୍ୱାଦ ଶୁଣାଉଛି ! ସେହିକ୍ଷଣି ସତକୁ ସତ ଦୁଇ ନିମେଷକେ ହର-ପାର୍ବତୀଙ୍କ ରହସ୍ୟ-କୌତୁକରହିଁ ଆଦାନ-ପ୍ରଦାନ ହୋଇଗଲା । ସେଇ ଅନିର୍ବଚନୀୟ ରହସ୍ୟର ମର୍ମକଥା, ସେଇ ଗୁଣଗର୍ଭ କୌତୁକର ଅମୃଇମୟୀ ବାଣୀ କିଏ ବର୍ଣ୍ଣନା କରିପାରିବ ! ଅନ୍ତତଃ ମୁଁ ତ ନୁହେଁ ।

 

ଘଟନାକୁ ଆମେ କେବଳ ପ୍ରତ୍ୟକ୍ଷ କରୁ । ଘଟନାର ଅନ୍ତରାଳରେ ଥିବା ଦେବତାର ପୂଜା ତ ଆଉ କରୁନା । ଆଉ, ଆଜି ବା ଅନୁଭବର ନୈବେଦ୍ୟ ଦେଇ ମୋ ସ୍ମୃତି କେଉଁ ମହାସ୍ମୃତିର ପୂଜା କରୁଛି ! ଏଇ ମହାସ୍ମୃତିର ରହସ୍ୟ ବୁଝେନା । ଜାଣେ ନାହିଁ, ସେ ଅନୁଭବ କେଉଁଠୁ ଆସି ଚକିତେ ଦେଖା ଦେଇଯାଏ । ଇୟା ବି ଜାଣେ ନାହିଁ, ଅନ୍ତରର ପୂଜାଘରେ କିଏ କେତେବେଳେ ଏ ନୈବେଦ୍ୟ ସଜାଡ଼ି ରଖିଲା ! ଏତିକି ମାତ୍ର ବୁଝେ, ଆଉ ବୁଝି କ୍ଷାନ୍ତ ହେବାର ଚେଷ୍ଟା କରେ, ମନମନ୍ଦିରର ଗୋପନ ଦୁଆର ସବୁ ସମୟରେ ଉନ୍ମୁକ୍ତ ଥାଏନା । ଆଜି ଏଇ ମୁହୂର୍ତ୍ତକୁ ମୁଁ କଦାପି ଉପେକ୍ଷା କରିବି ନାହିଁ । ଅତୀତର ପ୍ରତ୍ୟକ୍ଷ ମୁହୂର୍ତ୍ତରେ, ଅନ୍ତରାତ୍ମାର ଗଭୀରତାରେ ମହାସ୍ମୃତିର ଆନନ୍ଦଧାମରେ ମୋର ଅଜ୍ଞାତସାରରେ ସଞ୍ଚିତ ହୋଇଥିଲା ନ ଜାଣି କେଉଁ ସୁକୃତିର କୁସୁମସମ୍ଭାର, ଯାହା ଅକସ୍ମାତ୍‌ ଦେଖାଦିଏ ସ୍ମରଣର ନୈବେଦ୍ୟ ହୋଇ । ଏକୁ କଅଣ ଅବହେଳା କରିପାରେ ! ଏ ଯେ ନିତାନ୍ତ ଆପଣାର । ଏକାନ୍ତ ଆପଣା ଅନ୍ତରର ସୁକୃତି ସଞ୍ଚୟ ସେଇ ଚରଣଧ୍ୱନିର ପ୍ରତିଧ୍ୱନି !

 

ଅନ୍ଦର ମହଲରେ ଯେତେବେଳେ ଆମେ ଖାଇବସିଛୁ, ଯଥାର୍ଥ କହିଲେ ଭୋଜନ ବ୍ୟାପାରରେ ମନୋନିବେଶ କରିଛୁ, ଆଉ ମହାରାଣୀମା ସ୍ୱୟଂ ଅନ୍ନପୂର୍ଣ୍ଣାରୂପରେ ପରିବେଷଣ କରୁଛନ୍ତି, ସେତେବେଳେ କାଲେ ଖାଁ ସାହେବଙ୍କୁ ଶିକାର କରିବା କାହାଣୀ ନିକୁନ୍‌ କଥାରେ କଥାରେ ପ୍ରକାଶ କଲା, ଅବଶ୍ୟ ସେ ଯେତେଟିକିଏ ବୁଝିଥିଲା । ନିକୁନ୍‌ର ବ୍ୟବହାର ଦେଖି ମନେ ମନେ ରାଗିଯାଇଥିଲି । ତା ଚିତ୍ତର ବିକ୍ଷେପ-ଦୋଷ ଦେଖି ବ୍ୟଥିତ ହୋଇଥିଲି । ଅର୍ଥାତ୍‌, ଠିକ୍ ସେହି ସମୟଟିରେ ଅହେତୁକୀ କୃପାର ଜ୍ୱଳନ୍ତ ଦୃଷ୍ଟାନ୍ତରୂପେ ଆମ ଥାଳିରେ ପରିବେଷିତ ହୋଇଥିଲା କଦାଚନ କୌଣସି ସୁବୃହତ୍ ଚିତ୍ରଫଲ୍ଲିକା ମତ୍ସ୍ୟର ଉତ୍‌କୃଷ୍ଟ ଅଂଶର ପାକପରିଣାମସମ୍ମତ ଅତିଶୟ ସୁଦର୍ଶନ ଗଣ୍ଡସୁଗଳ, ପ୍ରାଥମିକ ଧ୍ୟାନର ଅପେକ୍ଷାରେ । ମୁଁ ମୋର ଚିତ୍ତବୃତ୍ତିକୁ ଏକାଗ୍ର କରି ସେମାନଙ୍କ ଧ୍ୟାନ-ଧାରଣାରେ ଉଦ୍ୟତ ହେବାମାତ୍ରେ ନିକୁନ୍‌ର କଥାରେ ମୋ ଧ୍ୟାନ ଛିନ୍ନ-ଭିନ୍ନ ହୋଇଗଲା । ଏଥିରେ କିଏ ବା ନ ରାଗିବ ! ପରେ ଦିନେ ସେଇ କଥା ଉଠାଇ ନିକୁନ୍‌କୁ ତିରସ୍କାର କରି କହିଥିଲି : ସେଭଳି ପ୍ରତ୍ୟକ୍ଷ ମନୋହାରୀ ସୋରିଷ-ବଟା ଝାଲ୍ ରସାପ୍ଳୁତ ଚିତଳମାଛ ପେଟିରେ ଯଦି ତୁ ଧ୍ୟାନ ଠିକ୍‌ କରି ନ ପାରିଲୁ ତେବେ ବୁଢ଼ା ହେଲେ ଅଲକ୍ଷ୍ୟ, ନିର୍ଗୁଣ, ନିରାକାର ବ୍ରହ୍ମରେ ତୁ କେମିତି ମନ ସ୍ଥିର କରିବୁ ? ତୋ ଭବିଷ୍ୟତ ଅନ୍ଧକାର– ଇତ୍ୟାଦି ଇତ୍ୟାଦି କହି ତାକୁ ବିଭୀଷିକା ଦେଖାଇଲି ।

 

କିନ୍ତୁ ମନେ ମନେ ତାକୁ କ୍ଷମା କରିଥିଲି ସେତେବେଳେ । ସେ ଯେତେବେଳେ ଅନୁତପ୍ତ ହୋଇ କ୍ଷମା ମାଗିଲା ତାକୁ କହିଲି : ତୋତେ ମୁଁ ଅନେକ ଆଗରୁ କ୍ଷମା କରିଦେଇ ତୋ ନୂତନ ଅପରାଧ ଅପେକ୍ଷାରେ ଅଛି । ଭାଗ୍ୟେ ନିକୁନ୍ ଅପରାଧ କରି ମୋର କ୍ଷମାଧର୍ମକୁ ମଝିରେ ମଝିରେ ଶାଣେଇଦେଉଥିଲା !

 

ନିକୁନ୍ ପାଖରୁ ବିବରଣ ଶୁଣି ମହାରାଣୀମା ଖୁବ୍ ଚମତ୍‌କୃତ ହୋଇଥିଲେ । ଆମ ଆଗ୍ରହ ଅନୁମାନ କରି କହିଲେ : ତାଙ୍କୁ ଏଠିକି ନେଇଆସି ତୁମେ ସବୁ ଭଲ କରି ଗାନ ଶୁଣି ତ ପାରନ୍ତ ।

 

କହିଲି : ମହାରାଜ ଅଧାଅଧି ମଞ୍ଜୁର କରି ବାକି ଅଧଟା ଆପଣଙ୍କ ପାଇଁ ରଖିଛନ୍ତି । ସେଇଟା ବର୍ତ୍ତମାନ ଆପଣଙ୍କ ପାଖରୁ ଆଦାୟ କଲୁ ।

 

ତାଙ୍କ ଆଡ଼କୁ ଅନାଇବାରୁ ମନେହେଲା, ସ୍ନେହ-ବାତ୍ସଲ୍ୟର ଅବଦାନରେ ସେଇ ମାତୃମୂର୍ତ୍ତି ଉଜ୍ଜ୍ୱଳତର ହୋଇଛି । ସେଇ ଅନୁପମ ସ୍ୱଚ୍ଛ ଦୃଷ୍ଟି ମଧ୍ୟରେ ଆମର ଔତ୍ସୁକ୍ୟ ପ୍ରତିବିମ୍ୱିତ ହୋଇଛି । ଅଧରପ୍ରାନ୍ତର ସେଇ ସ୍ମିତହାସ୍ୟରେଖା ଭିତରେ ଲେଖା ରହିଛି ଆମ ଆଶାର ଭବିତବ୍ୟ-! ସେ ଛବି କଦାପି ଲିଭିବାର ନୁହେଁ । ଭବିତବ୍ୟର ସେଭଳି ଲେଖା କଦାପି ତ ବିଫଳ ହୋଇନି-

 

ଭୋଜନପର୍ବ ଶେଷ ହେବା ପରେ ସମ୍ୱାଦ ପାଇଲୁ, କୁମାର ବାହାଦୁର (ବର୍ତ୍ତମାନ ମହାରାଜା ଶ୍ରୀ ଯୋଗୀନ୍ଦ୍ରନାଥ ରାୟ) ସ୍ନାନ କରିବାକୁ ଯାଇଛନ୍ତି । କୁମାରବାହାଦୁରଙ୍କ ସ୍ନାନ ବୋଇଲେ ଆମେ ଜାଣୁ ଗ୍ରହଣ-ସ୍ନାନ ବ୍ୟାପାର । ପ୍ରଥମେ ପୋଷ୍ୟ-ପ୍ରେଷ୍ୟବୃନ୍ଦକୃତ ଅଭ୍ୟଙ୍ଗ-ସଂବାହନ ପ୍ରଭୃତି ଦ୍ୱାରା ଗାତ୍ରସ୍ପର୍ଶ ପାଇଁ ସ୍ପର୍ଶସ୍ନାନ । ମଧ୍ୟପର୍ବରେ ବାଥ୍‌-ଟବ୍ ଅଭିହିତ ଗୋଟିଏ ବିରାଟ ଆକୃତିର ମର୍ମରଦେହୀ ପାତ୍ରରେ, ରାହୁକବଳରେ ଚନ୍ଦ୍ରଭଳି, ଅବସ୍ଥାନ ଓ ବିଲୀନ ହେବାର ଏକ ବିଲମ୍ୱିତ ବ୍ୟାପାର । ଶେଷ ଅର୍ଥାତ୍ ମୋକ୍ଷପର୍ବରେ, ବାଥ୍‌-ଟବ୍‌ ଗ୍ରାସରୁ ମୁକ୍ତ ହୋଇ ‘ଶାଓୟାର୍‌-ବାଥ୍‌’ର ଝରଣାଧାରାରେ ମୁକ୍ତିସ୍ନାନ କରି ସ୍ନାନପର୍ବର ସମାପନ । ଏ ହେଲା ଦିନକ ଭିତରେ ଓଳିକର ବ୍ୟାପାର ! ଏହା ପରେ ମଣିରତ୍ନ ଆଦି ଧାରଣ କରି ସାକ୍ଷାତ୍‌ ପୁର୍ଣ୍ଣଚନ୍ଦ୍ରବତ୍‌ କୁମାର ଆବିର୍ଭୂତ ହୁଅନ୍ତି ପାର୍ଶ୍ୱସ୍ଥିତ ଆରାମ-କକ୍ଷରେ । ଭାଗ୍ୟକ୍ରମେ ଆମେ ସେଠି ଉପସ୍ଥିତ ଥିଲେ କିଞ୍ଚିତ୍ ଅମୂଲ୍ୟ ଦାନ-ପର୍ବ ନିଷ୍ପନ୍ନ ହେବାର ଦେଖିଛୁ, ଯଥା– କାହାକୁ ସ୍ନିଗ୍‌ଧ କଟାକ୍ଷଦ୍ୱାରା ମୋହିତ କରିବା, କାହାକୁ ବା ବିଚିତ୍ର ଭ୍ରୂକ୍ଷେପ ବା ଗାତ୍ରବିକ୍ଷେପର ପବନହିଲ୍ଲୋଳ ଦାନ, କାହାକୁ ବା ସହାସ ପରିତୋଷର କୋଳିଳକୂଜନଦ୍ୱାରା ବିଭ୍ରାନ୍ତ କରିବା ଇତ୍ୟାଦି ରକମାରି ଦାନଖଣ୍ଡଗୁଡ଼ିକୁ ଅମୂଲ୍ୟ ବୋଲି ମୁଁ ମନେକରିଛି ।

 

କୁମାରଙ୍କ ସହିତ ପରିଚୟ ଦିନରେହିଁ ବୁଝିଥିଲି, ସେ ବିଶେଷ କରି ଧ୍ରୁପଦ ଗାନ ମଧ୍ୟରେ ଆକଣ୍ଠ ନିମଜ୍ଜିତ ହୋଇ ସ୍ୱରଶ୍ରୁତିର ସୁଧା ପାନ କରି ଆକୁଳ ହେବା ବ୍ରତ ଗ୍ରହଣ କରିଛନ୍ତି-। ସେଦିନର ଘଟନା ମନେପଡ଼େ । ରାଜଭବନର ଉତ୍ତରଦିଗର ଗାଡ଼ିବାରନ୍ଦା ଉପରେ ସୁସଜ୍ଜିତ ଆସରରେ ସ୍ୱୟଂ ବିଶ୍ୱନାଥ ଓସ୍ତାଦଜୀ ଆସନ ଗ୍ରହଣ କରିଛନ୍ତି । ତାଙ୍କର ଗୋଟିଏ ପଟେ କୁମାର ଓ ଅନ୍ୟ ପଟେ ବ୍ରଜେନ୍ଦ୍ର ଗାଙ୍ଗୁଲି । ଦୁଇଜଣଙ୍କ ହାତରେ ତମ୍ୱୁରା । ଚାଟୁର୍ଜୀ (ଗିରୀଶ ଚଟ୍ଟୋପାଧ୍ୟାୟ) ମହାଶୟ ପଖାଓଜ୍‌ ନେଇଛନ୍ତି । ପ୍ରବୀଣ ମଦନମୋହନ ଭଟ୍ଟଜୀ ଉତ୍‌କର୍ଣ୍ଣ ହୋଇ ସୁର ଓ ଛନ୍ଦର ସହଯୋଗିତା ଲକ୍ଷ୍ୟ କରି ବସିଛନ୍ତି ଧ୍ୟାନୀ ଭଳି । ବିଶ୍ୱନାଥଜୀ ଥରେ ଗାଆନ୍ତି, ତା’ପରେ ଧରନ୍ତି କୁମାର, ତା’ପରେ ବ୍ରଜେନ୍ଦ୍ରବାବୁ । ଗାନ ହେଉଥିଲା ‘ମୋକୋ ତୋ ତିହାରୋ ଭରୋସା’ । ଶ୍ରୀ ଆନନ୍ଦକିଶୋର ରଚିତ ଖାମ୍ୱାଜ ଚୌତାଳର ଅନ୍ୟତମ ଶ୍ରେଷ୍ଠ ଉତ୍କୃଷ୍ଟ ପଦ ଗୋଟିଏ । ବିଦ୍ୟୁତ୍‌ର ଚମତ୍କୃତି ଭଳି ଗାନର ଦିଗନ୍ତକୁ ମୁହୂର୍ତ୍ତେ ଉଦ୍ଭାସିତ କରି ବିଶ୍ୱନାଥଜୀଙ୍କ କଣ୍ଠରେ ସ୍ୱରଶ୍ରୁତିର ଲୀଳା ଆଭାସ ଦେଉଥିଲା । ସୂକ୍ଷ୍ମ, ମଧୁର, ସୁଲଳିତ କଣ୍ଠରେ କୁମାର ସାଦର ଆହ୍ୱାନ ଜଣାଉଥିଲେ ଖାମ୍ୱାଜର ଚକିତ ମନୋହର ସେଇ ମୂର୍ତ୍ତିକୁ । ବ୍ରଜେନ୍ଦ୍ରବାବୁଙ୍କ କଣ୍ଠରେ ଥିଲା ଦୂରାଗତ ବଂଶୀଧ୍ୱନିର ହର୍ଷମାଧୁର୍ଯ୍ୟ ଓ ବିହ୍ୱଳତା ! କାହାକୁ ଦେଖିବି, କାହାକୁ ଶୁଣିବି, କାହାକୁ ପରିହାର କରିବି ! ତମ୍ୱୁରା ଗୁଞ୍ଜନ ଓ ମୃଦଙ୍ଗ ଧ୍ୱନି ଭିତରେ ପ୍ରଥମେ ଓ ଅନ୍ତରର ପରିଚୟ-! ଏପ୍ରକାର କୁଟୁମ୍ୱିତାର ଆଶ୍ୱାସ ଜୀବନରେ ଆଉ କେଉଁଠି ବା କେବେହେଲେ ପାଇନାହିଁ-

 

କ୍ରମଶଃ ପରିଚୟ ମଧ୍ୟରେ ପ୍ରକାଶ ପାଇଥିଲା କୁମାରଙ୍କ ସ୍ୱର୍ଗ-ସନ୍ଧାନୀ ହୃଦୟ । ସ୍ୱର୍ଗ କହନ୍ତେ ବାଣୀ; ସୁର ଛନ୍ଦର ଅଳକାନନ୍ଦା ଯେଉଁ ଦିବ୍ୟଧାମରୁ ଉତ୍ସାରିତ ହୋଇ ମର୍ତ୍ତ୍ୟଲୋକକୁ ପ୍ରବାହପ୍ଳାବିତ କରୁଛି, ସଙ୍ଗୀତର ସେଇ କଳ୍ପଲୋକ, ରାଗ-ରାଗିଣୀର ସେଇ ଅମରାବତୀ । ମାନବହୃଦୟର ଶତସହସ୍ର କଳୁଷ ସଂସ୍ପର୍ଶ ସେଇ ତ୍ରିଧାରାର ଆବିଳତା ଘଟାଇପାରେନା, ଶତସହସ୍ର ବିରୁଦ୍ଧ ପ୍ରଭାବ ସେଇ ତ୍ରିଧାରାର ଗତି ଓ ବେଗକୁ ନିରୁଦ୍ଧ କରିପାରେନା, ଶତସହସ୍ର ରୁଚିଭେଦ ସେଇ ତ୍ରିଧାରାର ସନାତନ ସୌନ୍ଦର୍ଯ୍ୟକୁ ଅବଲୁପ୍ତ କରିପାରେନା । କୁମାରଙ୍କ ଲଳିତ ମଧୁର କଣ୍ଠରେ କେତେବାର ଶୁଣିଛି ବଙ୍ଗଳା ଟପ୍‌ପା, କୀର୍ତ୍ତନଗୀତି, ସାନ ସାନ ଖେୟାଲ, ରବିନ୍ଦ୍ର ଗୀତି, ଗଜଲ୍‌ ଓ ଆଉ ଅନେକ । ସୁରର ଏକପ୍ରାଣତା ଓ ସମାନ ଅନୁଭୂତି ମଧ୍ୟରେ ଆମ ବନ୍ଧନ ହୋଇଥିଲା ଦୃଢ଼ ଅଥଚ ମଧୁର । ବନ୍ଧନ କେବେ ଶିଥିଳ ହୋଇଛି ବୋଲି ଆଦୌ ସନ୍ଦେହ ନାହିଁ, ଆଜି ଯାଏ ବି ।

 

ସେଇ ତରୁଣ ସହୃଦୟ ରସପ୍ରବଣ ସ୍ୱରୂପଙ୍କ ସହିତ ଘନିଷ୍ଠ ପରିଚୟ କୌଣସି ଏକ ଦିନରେ ତାଙ୍କ ସ୍ନାନପର୍ବ କଥା ତାଙ୍କୁ ନିଭୃତରେ କହିଥିଲି । କୌତୁକ କଟାକ୍ଷ ସଞ୍ଚାର ସହ ସେ ହସି ହସି କହିଲେ : ପାଁଚୁବାବୁ, ପାଦ୍ୟଫାଦ୍ୟ ଲେଖିବା ଅଭ୍ୟାସ ଅଛି ନା କଅଣ ଆପଣଙ୍କର ?

 

କହିଲି : ନ ଥିଲା । କିନ୍ତୁ ଆପଣଙ୍କ କାଣ୍ଡକାରଖାନା ଦେଖି ଗୋଟାଏ ପ୍ରବୃତ୍ତି ଚେଇଁ ଉଠୁଚି ।

 

ସେ ଭ୍ରୂକୁଟି କରି ପଚାରିଲେ : ଯଥା ?

 

କହିଲି : ଧରନ୍ତୁ, ଆପଣ ହେଲେ ଚନ୍ଦ୍ର ଅବଶ୍ୟ ଆକାଶର ଚାନ୍ଦଠୁଁ ଲକ୍ଷେ ଗୁଣ ଭଲ । କାରଣ ଆପଣ ହେଲେ ହାତପାଆନ୍ତା, ଇତ୍ୟାଦି...

 

ସେ ତତ୍‌କ୍ଷଣାତ୍‌ ପଚାରିଲେ : ତା’ହେଲେ କଳଙ୍କ ?

 

କହିଲି : ଅତି ସ୍ପଷ୍ଟ ଯେଉଁ ସମ୍ୱନ୍ଧର ଭାରା ଯୋଗୁଁ ଆପଣ ହାତପାଖକୁ ଓହ୍ଲାଇ ଆସିଛନ୍ତି ସେଇ ସମ୍ୱନ୍ଧଟା ତ ଚନ୍ଦ୍ରର କଳଙ୍କ । ଏ କଳଙ୍କ ଆପଣଙ୍କର ଆଉ ଯିବ ନାହିଁ ।

 

ସେଇ ମାରାତ୍ମକ କଥା ଶୁଣି ମୁହୂର୍ତ୍ତକ ପାଇଁ ତାଙ୍କର ପରାଜୟ ହୋଇଥିଲା । କିନ୍ତୁ ସମ୍ଭାଳିନେଇ ସେ ବାକ୍ୟର ଯୁଯୁତ୍ସୁ ପେଞ୍ଚ ମାରିଲେ । କହିଲେ : ଆପଣଙ୍କୁ ରାଣ ରହିଲା ପାଁଚୁବାବୁ, ଯା କହିଲେ କହିଲେ, ଆଉ କେବେ କହିବେ ନାହିଁ । ନ ହେଲେ ଆପଣଙ୍କ ସହିତ କଟାକଟି ହୋଇଯିବ ।

 

କଥାର ଯୁଯୁତ୍ସୁ ପେଞ୍ଚ ମାରି ହାରିଯିବାର ଛଳ କରି ସେ ଜିତିଗଲେ । ସେଇ ନିରହଙ୍କାର ହୃଦୟ ପାଖରେ ପ୍ରକୃତ ପରାଜୟ ମୋତେ ସ୍ୱୀକାର କରିବାକୁ ପଡ଼ିଲା । ତତ୍‌କ୍ଷଣାତ୍‌ କଫି ପରିବେଷଣର ହୁକୁମ ଦେଇ ସାମୟିକ ସନ୍ଧିର ପ୍ରସ୍ତାବ ହେଲା । ପରଜ କାଲଣ୍ଡାର ମଧୁବୋଳା ଗୋଟିଏ ଗାନର ବାଣ ସନ୍ଧାନ କରି ସେ ପ୍ରସ୍ତାବର ସୂଚନା କଲେ– ‘କଳଙ୍କକୁ ଡରିଯାଅନା ବିଧୁମୁଖୀ’ । କାନ ଭିତର ଦେଇ ସେଇ ବାଣଟି ମୋ ହୃଦୟକୁ ବିଦ୍ଧ କରିଥିଲା । ମୋର ଅଜ୍ଞାତସାରରେ ସେଇ ମାଧୁର୍ଯ୍ୟ ମଧ୍ୟ ସଞ୍ଚାରିତ ହୋଇଚି । ମୁଁ ବି ମଝିରେ ମଝିରେ ସୁର୍‌ ଛାଡ଼େ । ଦୁଇଜଣ ସୁରପାଗଳଙ୍କର ନିଭୃତ ମିଳନ ହେଲେ ଯାହା ଘଟିବାର କଥା ତାହାହିଁ ଘଟେ, ଅର୍ଥାତ୍‌– କେତେବେଳେ ଯେ କଫି ଦେଇଗଲାଣି ଆମର ଖିଆଲ ନ ଥାଏ । ଗାନ ବନ୍ଦ ହେବା ପରେ ଦେଖିଲୁ କଫି ଥଣ୍ଡା ହୋଇଗଲାଣି । ଏ ଯେମିତି ମିଳନ ପରେ ସନ୍ଧିର ମୂଳ ପ୍ରସ୍ତାବଟାହିଁ ବାତିଲ୍‌ ହୋଇଗଲା, ଏତେ ଘଟା ସେ ମିଳନର ! ପୁଣି ନୂଆ ପ୍ରସ୍ତାବ ହେଲା, ତଟକା ଗରମ କଫି ପୁଣି ଆସିଲା । କୌଣସି ଭବିଷ୍ୟତ ଯୁଦ୍ଧ ପାଇଁ ଆଗୁଆ ସନ୍ଧିର ପ୍ରସ୍ତାବ କରି ସେଥିରେ ଆମେ ସିଲ୍‌ ମାହର ମାରି ରଖିଲୁ ।

 

ବର୍ତ୍ତମାନ ତାଙ୍କର ଆଉ କଳଙ୍କ ଭୟ ନାହିଁ । ପରଜର ସୁରସନ୍ଧାନୀ ନିଷାଦ ପର୍ଦାରୁ ପ୍ରାଣର ସୁର୍‌ ଖସିଆସିଚି ବିନତି ଅଭିମାନର ଗାନ୍ଧାରକୁ । ଜୀବନର ପୁଞ୍ଜୀଭୂତ ଅନୁରଣନଗୁଡ଼ିକ ବିଶ୍ରାନ୍ତ ହେବାକୁ ଚାହାନ୍ତି ଖାମ୍ୱାଜର ସୁର୍‌ରେ, ଗୋଟିଏ ଗାନରେ–

 

ଧୀରେ, କୂଳେ ଲଗାଅ ତରୀ

ଆମେ ଯେ ଗୋପର ନାରୀ ନା ଜାଣୁ ସନ୍ତରି;

ଟଳମଳ ତରୀ କରେ ପାଣି ପଶେ ପସରାରେ

ମଝିରେ ବୁଡ଼ିଲେ ତରୀ କଳଙ୍କ ତୁମରି ।

 

ଗୋଟାଏ ଦୁଃଖ ଜୀବନରେ ରହିଗଲା । ଗାନ ଜିନିସଟା ଏମିତି ଯେ ତାକୁ ଲେଖି ବୁଝାଇବା ଅସମ୍ଭବ । ତା ଯଦି ହୋଇପାରନ୍ତା, ତେବେ ଜୀବନସନ୍ଧ୍ୟାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ସେଥିପାଇଁ ଚେଷ୍ଟା କରନ୍ତି । ସେଟା ଯେଣୁ ଅସମ୍ଭବ ମୂଳ ପ୍ରସଙ୍ଗକୁ ଫେରିଯିବା ଭଲ ।

 

କୁମାରଙ୍କ ସ୍ନାନପର୍ବ କଥା ସ୍ମରଣ କରି ମୁଁ ଏକା ମହାରାଜାଙ୍କ ପାଖକୁ ଗଲି । ମୋ ଭଉଣୀ ବହୁରାଣୀ କଅଣ ଗୋଟାଏ କାମରେ ନି୍ୁକୁନ୍‌କୁ ଅଟକାଇଥିଲେ ।

 

ମହାରାଜ ସେତେବେଳଯାଏ ବହି ପଢ଼ୁଥିଲେ । ମୁଁ ଉପସ୍ଥିତ ହେବାମାତ୍ରେ ଆମର ଆହାରାଦି ବିଷୟରେ ପ୍ରଶ୍ନ କଲେ । ଉତ୍ତର ଶୁଣି କହିଲେ– ମନୁ (କୁମାରଙ୍କ ଡାକ ନାଁ) ସହିତ ଦେଖାକରି କହିବୁ, ଆଜି ରାତିରେ ଆମର ଏଠି ସାହିତ୍ୟ ଆସର ଅଛି । ମୁଁ ଠିକ୍‌ କରିଛି, କାଲେ ଖାଁଙ୍କ ଗାନ କାଲିକାର ସନ୍ଧ୍ୟା ମଜ୍‌ଲିସ୍‌ରେ ହବ । ଓସ୍ତାଦ୍‌ଜୀ (ବିଶ୍ୱନାଥଜୀ) ଓ ଅନ୍ୟମାନଙ୍କୁ ସେ ଯେପରି ଜଣାଇଦିଏ ।

 

ସେ ମୌନ ହେଲେ । ମୁଁ ଅଳ୍ପକ୍ଷଣ ଚୁପ ରହି କହିଲି– ବୀର୍‌ବଲଙ୍କ ସେଇ କଥାଟା କଅଣ ଏହିକ୍ଷଣି କହିବେ ?

 

ସେ କହିଲେ– ଭଲକଥା ମନେ ପକେଇଦେଇଛ ।

 

ତା’ପରେ କୋଳତକିଆ ନେଇ ବସି ସେ କହିଲେ– ଆଚ୍ଛା, ତାହେଲେ କହୁଛି ଶୁଣ୍ ।

 

ଆରମ୍ଭ କରି ସେ ଗୋଟିଏ ଅତି ଚମତ୍କାର କାହାଣୀ କହିଲେ । ଗଳ୍ପର ମୂଳକଥା– ବୀରବଲ୍ ଓ ଜଣେ ଅଜ୍ଞାତନାମା ଧ୍ରୁପଦ ଗାୟକ ଅପ୍ରତ୍ୟାଶିତ ଭାବରେ ବାଦଶାହ ଆକ୍‌ବର ଓ ମିଆଁ ତାନସେନଙ୍କ ସହିତ ମିଳିତ ହୋଇଥିଲେ ବାଦଶାଙ୍କ ଖାସ୍‌-କାମରାରେ । ମୀରାବାଈଙ୍କ-ମଲ୍ଲାର ନାମରେ ଗୋଟିଏ କିମ୍ୱଦନ୍ତୀ ଏଥିସହିତ ଜଡ଼ିତ ଥିଲା । ଶେଷକଥା, ଅର୍ଥାତ୍‍ ଅସଲ କଥା, ପ୍ରତ୍ୟେକ ଗାନର କିଛି ଆନ୍ତରିକ ନିବେଦନ ଅଛି । ଏହାକୁ ପ୍ରକାଶ୍ୟ ଆବେଦନ ରୂପରେ ଫୁଟାଇବାହିଁ ହେଉଚି ଗୁଣୀର ଚରମ କୃତିତ୍ୱ । ଶ୍ରୋତାର ଚରମ ସାର୍ଥକତା ହେଉଚି ଏହାକୁ ଅନୁଭବଦ୍ୱାରା ହୃଦୟାସନକୁ ବରଣ କରିନେବା ।

 

ସଦ୍ୟ କାଲେ ଖାଁଙ୍କ ଗାନ ଶୁଣି ମୋ ମନ ସେତେବେଳେ ଭରି ରହିଥାଏ । ସେ କାହାଣୀର ମର୍ମକଥାଗୁଡ଼ିକ ମୋ ମନରେ ବିଚିତ୍ର ଆଲୋଡ଼ନ ସୃଷ୍ଟି କରିଥାଏ । ଏହାକୁ ଶାନ୍ତ କରିବାପାଇଁ ପରେ ଅନେକ ସମୟ ଲାଗିଚି । ଦ୍ୱିତୀୟଥର କାଲେ ଖାଁଙ୍କ ଗାନ ଶୁଣିବା ପରେ ଗୋଟାଏ ମୀମାଂସାର କୁଳକିନାରା ପାଇଥିଲି । କୁଳ କଥା ପରେ କହିବି । ଆପାତତଃ ଗଳ୍ପ ଶୁଣିବା ପରେ ମହାରାଜାଙ୍କ ନିକଟରୁ ବିଦାୟ ନେଇ ଯେତେବେଳେ କୂମାରଙ୍କ ନିକଟକୁ ଯାଉଛି ସେତେବେଳ ଅକୂଳ ସମୁଦ୍ରରେ ଭାସୁଛି । ଅକୂଳ ବୋଇଲେ, କାଲେ ଖାଁ ସାହେବଙ୍କ କଣ୍ଠଧ୍ୱନି ଆସାଓରିର ଏମିତି ଏକ ଅପୂର୍ବ ସମୁଦ୍ର ପ୍ରତ୍ୟକ୍ଷ କରାଇଥିଲା ଯାହା ଭିତରେ କଥା ବନ୍ଧନରେ ତିଆରି ଗାନ-ତରଣୀଟିର ଅସ୍ତିତ୍ୱ ବିଲୁପ୍ତ ହୋଇଥିଲା ସୁରଲହରୀର ବିକ୍ଷୋଭଲୀଳା ମଧ୍ୟରେ । ସ୍ଥାୟୀ କୂଳକିନାରା ବୋଲି ଲେଶମାତ୍ର ନଥିଲା । ସେ ଗାନର ମର୍ମକଥା ବା ‘ଅରମାଁ’ ତ ଧରାଛୁଆଁ ଦେଉନାହିଁ । ଏଭଳି କୂଳହଜା ଅନୁଭବର ତଳାତଳ କେଉଁଠି ! ଆଉ, କୂଳକୁ ଉଠିଲି ବା କେମିତି !

 

କୁମାରଙ୍କ ଆରାମକକ୍ଷରେ ଉପସ୍ଥିତ ହୋଇ ଦେଖିଲି ତାଙ୍କ ସହିତ ନିକୁନ୍‌ ଗଳ୍ପ କରୁଛି । ପରସ୍ପର ପ୍ରୀତି ସମ୍ଭାଷଣ ପରେ ସେହି ଉତ୍ସୁକ ନୟନରେ ପଚାରିଲେ : ପାଁଚୁବାବୁ, ନିକୁନ୍‌ ଯାହା କହିଲା ସବୁ ସତ ?

 

ଐତିହାସିକ ନିଷ୍ପତ୍ତି ଭାଷାରେ ଅତି ସଂକ୍ଷେପରେ କହିଲି, ସବୁ ସତ । କିନ୍ତୁ ଚରମ ସତ୍ୟଟା ଜଣାଇବାର ଚେଷ୍ଟା କଲି ସୁରରେ ଗାଇ ‘ନଣଦ ଗୋ କୁହ ନଗରେ, ମରିଛି ରାଈ ରାଜନନ୍ଦିନୀ କୃଷ୍ଣକଳଙ୍କ ସାଗରେ ।’ କହିଲି : କାଲେ ଖାଁ ସାହେବଙ୍କ ଆସାଓରି ଦରିଆରେ ବୁଡ଼ିଉଠି ଆମେ ଆସିଛୁ । ମହାରାଜ ଆପଣଙ୍କୁ ଜଣାଇବାକୁ କହିଲେ ଯେ କାଲି ସନ୍ଧ୍ୟାରେ କାଲେ ଖାଁ ସାହେବଙ୍କୁ ଆଣି ଗାନ ଶୁଣିବାର ବ୍ୟବସ୍ଥା ଆଜି କରାଯାଉ । ମହାରାଜା ଗୋଟିଏ ଚମତ୍କାର ଗଳ୍ପ କହିଲେ ବୀରବଲ୍‌ ବିଷୟରେ, ଇତ୍ୟାଦି ଇତ୍ୟାଦି ।

 

କୁମାର କିନ୍ତୁ କଳ୍ପନାରେ ଆସାଓରି ଦରିଆର ଯାତ୍ରା କରିବାକୁ ଇଚ୍ଛା କରି କହିଲେ– ପାଁଚୁବାବୁ, ଗଳାରେ ଟିକିଏ ସୁରର ଭାଙ୍ଗ ଦେଖାଅ, କେମିତିକା ସେ ଆସାଓରି ।

 

ମୁଁ ତାଙ୍କୁ ବହୁକଷ୍ଟରେ ବୁଝାଇଲି ଯେ ସେ କର୍ମ ବର୍ତ୍ତମାନ ବିଲ୍‌କୁଲ ବାତିଲ୍‌, ଅସମ୍ଭବ । ଧ୍ୟାନଟା ଟିକିଏ ମନ୍ଦୀଭୂତ ହେଲେ ଯାଇ ବା ପାଣିକୁ ଓହ୍ଲାଇବାର ଚେଷ୍ଟା କରିବା ସମ୍ଭବ ହୋଇପାରେ । ବର୍ତ୍ତମାନ ତ ଜୁଆର ଆରମ୍ଭ । ସେତେବେଳେ ସେ କାଲେ ଖାଁ ସାହେବ ପ୍ରସଙ୍ଗରେ କରଣୀୟ କଥା ଉଠାଇଲେ ।

 

ପ୍ରସଙ୍ଗକ୍ରମେ କଥା ଉଠିଲା । କହିଲି : ତମ୍ୱୁରା ତ ତ୍ରିସୀମା ଭିତରେ କେଉଁଠି ଦେଖିଲି ନାହିଁ । ଅଛି କି ନା ସନ୍ଦେହ । ତେବେ ଚିନ୍ତାର କାରଣ ନାହିଁ । ଆପଣଙ୍କ ସୁରର ଯାଦୁଘର ତ ରହିଚି । ସେଥିରୁ ତମ୍ୱୁରା ବାହାର କରି ବିଶ୍ୱନାଥଜୀ ବା ବ୍ରଜେନ୍ଦ୍ରବାବୁଙ୍କଦ୍ୱାରା ପରୀକ୍ଷା କରେଇ ନେଲେ ତ ହେଲା । ନା, କଅଣ ?

 

କୁମାରଙ୍କ ମହଲର ଉତ୍ତରପଟର ଗାଡ଼ିବାରନ୍ଦା ଉପରେ ସୁସଜ୍ଜିତ କାର୍ପେଟ ବିଛା ଘରଟି ସଙ୍ଗୀତ-ନିକୁଞ୍ଜ କହିଲେ ଚଳେ । ସେଇ ଘରେ ଗୋଟିଏ କାଚଦିଆ ଆଲମାରୀରେ ଥିଲା ରବାବ୍, ସୁରଶୃଙ୍ଗାର, ସୁରବାହାର, ସେତାର, ବଡ଼ ସାନ ହେଲେ ଦିଲ୍‌ରୁବା, ଏସ୍ରାଜ, ଦୁଇଟି ତମ୍ୱୁରା, ଦୁଇଟି ପଖାଓଜ୍‌, ଖୋଳ, ଖଞ୍ଜଣି, କରତାଳ ଓ ଡୁବିତବଲା । କେତେଥର ଯେ ଏମାନଙ୍କ ଆଡ଼କୁ ଅନେଇ ରହିଚି ତାର ସଂଖ୍ୟା ନାହିଁ ! ଥରେ ଥରେ ମନେ ହୋଇଚି, ଏମାନେ କାଠଚମଡ଼ା ଲୁହା ପିତଳ ଗଢ଼ା ଜମାଟବନ୍ଧା ସୁରର ସଂଯତ ତପୋମୂର୍ତ୍ତି ! କେବେ ବା ମନେ ହୋଇଚି ଏମାନେ ହେଉଛନ୍ତି କେଉଁ ଅଜଣା ସୁରମୂର୍ଚ୍ଛନାର ସ୍ୱପ୍ନକୁ ହୃଦୟରେ ଧାରଣ କରି ଅଭିଶାପ ସୁଷୁପ୍ତି ଭିତରେ ନିମଗ୍ନ ଦିବ୍ୟ ବିଦେହିନୀ ଦଳ, ପ୍ରତୀକ୍ଷା କରି ରହିଛନ୍ତି କୌଣସି ଦରଦୀ କଳାବନ୍ତଙ୍କ ଯାଦୁସ୍ପର୍ଶ ପାଇଁ ! ସେଇ ଆଲମାରୀ ନାଁ ମୁଁ ଦେଇଥିଲି ସୁରର ଯାଦୁଘର । ନିତିଦିନିଆ ସାଧାରଣ ମଜ୍‌ଲିସ୍‌ ପାଇଁ ପୃଥକ ତମ୍ୱୁରା ପ୍ରଭୃତି ବି ଥିଲା । କୁମାରଙ୍କ ପ୍ରିୟ ସୁରସୁକୁମାରୀ ସେତାରଟି ବିଶ୍ରାମଘରେ ରୁହେ । ଓସ୍ତାଦ୍‌ କେରାମତ୍‌ ଉଲ୍ଲା ଖାଁ ସାହେବଙ୍କ ପରିକଳ୍ପିତ ଆଡ଼ମ୍ବରପୂର୍ଣ୍ଣ ସ୍ୱରୋଦଟିର ଆବିର୍ଭାବ ସେତେବେଳ ପର୍ଯ୍ୟନ୍ତ ହୋଇ ନ ଥାଏ ।

 

କୁମାର କହିଲେ : ଠିକ୍ ଠିକ୍, ଆପଣ ଯାହା କହୁଛନ୍ତି ତା ହେବ । ସନ୍ଧ୍ୟାବେଳେ ବ୍ରଜେନବାବୁ ଆସିଲେ ଠିକ୍ ଠିକ୍ ବନ୍ଦୋବସ୍ତ କରାଯିବ । ଆଉ, ଓସ୍ତାଦଜୀଙ୍କୁ କହିବ ସଙ୍ଗତୀୟା କଥା, ନା କଅଣ କହୁଛନ୍ତି ? ବ୍ରଜେନବାବୁ, ଅର୍ଥାତ ବ୍ରଜେନ୍ଦ୍ର ଗାଙ୍ଗୁଲିଙ୍କ କଥା ମନେ ପଡ଼ିଯାଏ । ସେ ଥିଲେ ଓସ୍ତାଦ୍‌ ବିଶ୍ୱନାଥଜୀଙ୍କ ଶିଷ୍ୟ । ଏକଥା କହିଲେ ତାଙ୍କର ଯଥେଷ୍ଟ ପରିଚୟ ହେଲା ନାହିଁ-। ଏ ଯେତେବେଳେ ଧ୍ରୁପଦ ବା ରବିନ୍ଦ୍ରନାଥଙ୍କ ଗାନ ବା ରଜନୀ ସେନଙ୍କ ଗାନ ଗାଆନ୍ତି ସେତେବେଳେ ୟାଙ୍କ କଣ୍ଠରୁ ଭାସି ଆସେ ବଂଶୀଧ୍ୱନିର ପ୍ରାଣଶୀତଳକାରୀ ସୁର ଓ ଆବେଶଭରା ବାଣୀ ମୂର୍ତ୍ତି । କିନ୍ତୁ, ଜାତୀୟସଙ୍ଗୀତ, ବିଶେଷ କରି ‘ବନ୍ଦେ ମାତରମ୍‌’ ଗାଇବାବେଳେ ୟାଙ୍କ କଣ୍ଠଧ୍ୱନି ହୁଏ ଦୀପ୍ତ, ମଧୁର, ଓଜସ୍ୱିନୀ, ଯାହା ଏପର୍ଯ୍ୟନ୍ତ ମୋ କାନରେ ବାଜେ, ସ୍ମରଣରେ ଉଦ୍ଦୀପନା ଆଣେ ।

 

Unknown

ଆଜି ମୋ ସ୍ମୃତିରେ ‘ବନ୍ଦେ ମାତରମ୍‌’ ସୁର୍‌ଟି ସମୁଜ୍ଜ୍ୱଳ ଭାବରେ ଜାଗେ । ତିଲକ୍-କାମୋଦ ରାଗିଣୀ ବାହନରେ ଅପରୂପ ଗୋଟିଏ ସୁରଧ୍ୟାନରେ ସେଇ ମହୀୟସୀ ମାତୃପୂଜାର ଆବାହନୀ ବାଣୀ ଅଭିଷିକ୍ତ ! ବୀର ଓ ଅଦ୍ଭୁତ ରସର ଅଲୌକିକ ଭାବବିଭାବନାଗୁଡ଼ିକ ଯେମିତି ସ୍ୱତଃ ଉଚ୍ଛଳିତ ହୋଇଛି ଲୌକିକ ଶୌର୍ଯ୍ୟବୀର୍ଯ୍ୟ ଉତ୍ସାହର ଶବ୍ଦଛନ୍ଦୋମୟୀ ପ୍ରସ୍ରବଣ ଧାରାରେ ! ସେଇ ଧ୍ୟାନ, ସେଇ ଭାବ, ସେଇ ବିଭାବନାହିଁ ଆଜିସୁଦ୍ଧା ବି ମୋ ଅନ୍ତରକୁ ନିଷିକ୍ତ, ଦ୍ରବୀଭୂତ କରିଦିଏ ।

 

ଶତ ଶତ ଧନ୍ୟବାଦ ଜଣାଏ ବ୍ରଜେନ୍ଦ୍ର ଗାଙ୍ଗୁଲିଙ୍କ ସ୍ମୃତିକୁ । ଗାନ ଗାଇ ମା’ର ଡାକକୁ ସେ ମୋର ଆନ୍ତରିକ ଶ୍ରବଣପ୍ରତ୍ୟକ୍ଷରେ ଶୁଣାଇ ଦେଉଥିଲେ । ବନ୍ଦେ ମାତରମ୍ ଗାନର ସେ ସୁର ଓ ଛନ୍ଦ ଭିତରେ ନଥିଲା ଭାବର ଦ୍ୱନ୍ଦ୍ୱ, ଧ୍ୟାନର ବିକ୍ଷେପ, ଧ୍ୱନିର ପରାଭବ । ଏକାଳର ଗାନର ସୁର ଓ ଛନ୍ଦ ମୋର ଅନୁଭବକୁ କ୍ଳିନ୍ନ କରେ । ଏକାଳର ଦେଶମଲ୍ଲାରରେ ବର୍ଷାରମ୍ଭର ଆଲୁଅଛାଇ, ଦୂରବିରହକାତରାର ବିପ୍ରଲମ୍ଭ, ବେଦନାତୁର କାନ୍ତାର ହା-ହନ୍ତ ଧ୍ୱନି, ତାନ-ଗିଟ୍‌କାରୀର ଶୃଙ୍ଗାର ରଚନା ଓ ଅଳଙ୍କାର ଚମତ୍କାରୀ ବନ୍ଦେ ମାତରମ୍‌ର ମର୍ମଭେଦ କରିଛି, ତା ରୂପକୁ ବିକୃତ କରିଦେଇଛି । ଇୟେ ତ ମା’ଙ୍କ ଆଗମନୀ ନୁହେଁ । ଏ ତ ବିରହିଣୀ ନାୟିକାର ଅଭିସାର କଳ୍ପନା । ଏ ବ୍ୟାପାର ମୋତେ ଭଲ ଲାଗୁ ନାହିଁ । ଅନ୍ୟମାନଙ୍କ ମନ ମୁଁ ଜାଣେନା, ତାଙ୍କ କଥା କହିପାରିବି ନାହିଁ । ମୁଁ ଜାଣେ ସେ ଯୁଗକୁ ପଛରେ ପକାଇ ଏ ଯୁଗ ଅଗ୍ରଗତିର ସୁରରେ ଆତ୍ମସମର୍ପଣ କରିଛି-। କିନ୍ତୁ ଅନ୍ତରର ଅନୁଭୂତିର ଗତି ନାହିଁ, ପ୍ରବାହ ନାହିଁ । ଅଛି କେବଳ ହୃଦୟସ୍ପନ୍ଦନ, ଭାବତରଙ୍ଗର ଉଠିବା ପଡ଼ିବା । ସୁପ୍ରାଚୀନକାଳର ‘ସ୍ଫୋଟ’ ବା ସ୍ପନ୍ଦବାଦ କଥା ଉଠାଇ ଲାଭ ନାହିଁ-। ଆଧୁନିକ ବିଜ୍ଞାନର ତରଙ୍ଗବାଦ ପ୍ରସଙ୍ଗ ମଧ୍ୟ କହିବାକୁ ଚାହେନା । ମୁଁ ଜାଣେ, ମନର ଭାବର ଗତି ନାହିଁ, ସ୍ଥାନାନ୍ତର ହୁଏନା । ସବୁ ଖାଲି ଉତ୍‌ଥାନ ଓ ପତନ, ଆବିର୍ଭାବ ଓ ତିରୋଭାବ ।

 

ଏକାଳର ଲମ୍ପଝମ୍ପସାର ମୁହୂର୍ତ୍ତଗୁଡ଼ିକ ମଧ୍ୟରେ ମାତୃପୂଜାର ଆଦର ବେଶ୍ ଜମିଛି ! ଆରମ୍ଭରେହିଁ ବନ୍ଦେ ମାତରମ୍‌ର ଆର୍ତ୍ତନାଦ ! ଇୟାଭିତରେ ମୁଁ ପାଏ ବିସର୍ଜନର ଧ୍ୱନି । କାହାର ବିସର୍ଜନ ? ସଙ୍ଗୀତର ବାହନ ମାତୃମୂର୍ତ୍ତିର ବିସର୍ଜନ । ଶେଷଆଡ଼କୁ ଭାସିଆସେ ଚଳଚ୍ଚିତ୍ରର ଚର୍ଚରୀପ୍ରବାହ । ଭସାଇଆଣେ ଉଚ୍ଛୃଙ୍ଖଳତାର ଉପଚାର, ରିରଂସାର ମୌସୁମୀ କୁସୁମଦଳ ! ଚିତ୍ର, ଶିଳ୍ପ ଓ ସଙ୍ଗୀତରେ ଆଧୁନିକ ରୂପଦକ୍ଷର ଦଳ ପୈଶାଚିକ ଉଲ୍ଲାସସୂତ୍ରରେ ଗ୍ରଥିତ ଏହି ଆଦ୍ୟ ଓ ଉପାନ୍ତର କି ସୁନ୍ଦର ମାଳା ରଚନା ନ କରୁଛନ୍ତି ! ଦି’ଚାରି ଜଣ ବିଷାଦବାୟୁଗ୍ରସ୍ତ ବ୍ୟକ୍ତି ବ୍ୟଥିତ ହୋଇଛନ୍ତି । ଅନ୍ୟ କେହି ଅଭିଯୋଗ କରନ୍ତି, ବନ୍ଦେ ମାତରମ୍‌ ଖଣ୍ଡିତ, କର୍ତ୍ତିତ ହୋଇଗଲା, କି ସର୍ବନାଶ ! ମୁଁ ମନେକରେ, ଏଥିରେ ଭୟ ବା ଦୁଃଖ କରିବା ବୃଥା । ୟାକୁ ସହ୍ୟ କରିବାକୁହିଁ ହେବ-। ତା’ହେଲେ କାଲେ ଖାଁ ସାହେବଙ୍କ ଭାଷାରେ କୁହେ, ଠିକ୍‌ ହ୍ୟାୟ, ମଗର ଶୁନିୟେ ବାବୁସାବ୍‌-!

କଥାରେ ଅଛି, ଯେଉଁ ସେରରେ ଋଣ ନେଇଛ, ସେଇ ସେରରେ ଶୋଧ ଦିଅ । ଶକ୍ତିମାତୃକାର ପରିମାପ ତ ଆମେହିଁ ପଞ୍ଚମକାରର ମାପରେ କରିଥିଲୁ । ଏ ତ ବହୁଦିନର କଥା । ପ୍ରତୀଚ୍ୟର ଜଡ଼ବାଦର ମାପରେ ପ୍ରତିମାମୂର୍ତ୍ତିର ପରୀକ୍ଷା କରିବାପାଇଁ ଆମେ ବର୍ତ୍ତମାନ ପ୍ରସ୍ତୁତ । ପ୍ରତିମା ତ ମାଟି ପଥର କାଠ ପିତଳର କଣ୍ଢେଇ ! ଦେବଗ୍ରହ ତ ଦେଶର ଗଳଗ୍ରହ । ପୁଣି, ଶୁମ୍ଭ-ନିଶୁମ୍ଭଙ୍କ ଦୃଷ୍ଟିର ମାପରେ ସଂପ୍ରତି ଜଗତର ମାତୃକାମାନଙ୍କୁ ନିରୀକ୍ଷଣ କରିବାକୁ ଓ ବାହ୍ୟିକ ରୂପ-ସୌଷ୍ଠବର ମୂଲ୍ୟପଦକ ଦେଇ କୃତାର୍ଥ ହେବାକୁ ଚେଷ୍ଟା କରୁଛୁ । ୟାକୁହିଁ କହନ୍ତି, ଯେଉଁ ମାପରେ ନେବା ସେଇ ମାପରେ ଦେବା, ଯାହାର ଆରମ୍ଭ ମାତ୍ର ହୋଇଛି ।

ଅନ୍ତରା ଆଡ଼କୁ ଟିକିଏ ଆଗେଇଯାଏଁ । କାରଣ ଖାଁ ସାହେବହିଁ କହିଥିଲେ, ଫିର୍‌ ଆଗେ ବଢ଼ିୟେ ବାବୁସାବ୍‌ ! ମୁଁ କୁହେ, ଭୟ ବା ଦୁଃଖ କରି ଲାଭ ନାହିଁ । ଚତୁର୍ଦ୍ଦଶୀ ଓ ଅମାବାସ୍ୟାର ସନ୍ଧିକ୍ଷଣ ତ ଆରମ୍ଭ ହାଇଛି ମାତ୍ର । ଦେଖାଦେଇଛି ଝଡ଼ପୂର୍ବର ଶାନ୍ତି । ଏଇ ଯେ ଉଲ୍ଲାସ, ସେଟା ତ ରୁଦ୍ରଗଣର ନିଃଶ୍ୱାସ-ସଙ୍କେତ, ଭୂତପିଶାଚଙ୍କ ନେପଥ୍ୟ-ରଚନା । ଦକ୍ଷର, ଅର୍ଥାତ୍ ରୂପଦକ୍ଷମାନଙ୍କର ଶିବହୀନ ଯଜ୍ଞ ଆରମ୍ଭ ହୋଇଛି ମାତ୍ର ! ଆଧୁନିକ ମନ୍ତ୍ରାଚାର୍ଯ୍ୟଙ୍କ ଦଳ ତ ବିଲାତ ଉନ୍ମାଦନାର ଆସବରେ ଆଗମନ ସାରି ଆଙ୍ଗୁଳିରେ ନିର୍ଭୟ ନିରଙ୍କୁଶର କୁଶ ପିନ୍ଧି ବସିବାକୁ ଆରମ୍ଭ କରିଛନ୍ତି । କିଛି ତ ହୋଇନାହିଁ ଏପର୍ଯ୍ୟନ୍ତ ! ଆଗ ଯଜ୍ଞ ତ ଶେଷ ହେଉ । ନିଜ କାନ୍ଧରେ ନିଜ ମୁଣ୍ଡଟା ଅଛି କି ନାହିଁ ଦେଖାଯିବ ପରେ । ଦକ୍ଷଙ୍କ ମୁଣ୍ଡ ବିଜାତୀୟ ଛାରମୁଣ୍ଡ କି ନା, ସତୀଙ୍କର ବାବନ ପୀଠ ହେବ କି ଚଉଷଠି ପୀଠ ହେବ, ଏସବୁ ତ ପରକଥା । ବର୍ତ୍ତମାନ ଖାଲି ଧଳା ଆଖିରେ ଦେଖିବା କଥା ।

ଏତିକି ଥାଉ । ବ୍ରଜେନ୍ଦ୍ର ଗାଙ୍ଗୁଲିଙ୍କ କଣ୍ଠରେ ବନ୍ଦେ ମାତରମ୍‌ ସଙ୍ଗୀତ ସ୍ମୃତି ଉଦ୍ଧାର କରିବାକୁ ଯାଇ ମାଟିକାଦୁଅ ଉଠିଆସିଲା । ସ୍ମୃତିର ଚେହେରାଟା ବିଗିଡ଼ିଗଲା କି ? କାରଣ, ହାତ ଧୋଇବାକୁ ଯାଇ ଦେଖିଲି ଆଙ୍ଗୁଳି ପୋଡୁଚି । ମନକୁ ପଚାରେ, ଏମିତି କାହିଁକି ହେଲା ? ମନକୁହେ ସେ କିଛି ନୁହେଁ, ମାଟିକାଦୁଅ ଛାଇପାଉଁଶ ଭିତରେ ଭଙ୍ଗା କାଚଗିଲାସ, ବୋତଲ ଆଦିର ଟୁକୁରା ଥିଲା କି ନା, ସେଇଥିରେ କଟିଯାଇଛି । ଡର ନାହିଁ । ସଙ୍ଗୀତର ପୂର୍ବସୂରୀ, ଗୁଣୀ ଗାୟକମାନଙ୍କୁ ସ୍ମରଣ କର, ଜଳାପୋଡ଼ା ଥମିଯିବ ।

ଦେଖେ, ସଙ୍ଗୀତ ଭିତରେ ପୌତ୍ତଳିକତାର ଗନ୍ଧ ନାହିଁ, କଦାପି ନ ଥିଲା । ଶତ ଶତ ମୁସଲମାନ କୃଷ୍ଣ, ଶିବ, ଗଣେଶ ବିଷୟରେ ଗାନ ଗାଇ ଯାଇଛନ୍ତି, ଗୀତ ରଚନା ବି କରିଛନ୍ତି । ମୁସଲମାନ ବାଦଶାହମାନଙ୍କ ଦରବାରରେ ସେ ସବୁ ଗାନ ଗାଇ ବି ଛନ୍ତି । ଏଇ ତ ସେଦିନ କାଲେ ଖାଁ ସାହେବ ଗାଇଲେ ‘ତୁୟା ଚରଣକମଲପର ମନଭ୍ରମର ଭାଲ-ଭାନ’ !

ଏକଥା ସ୍ମରଣମାତ୍ରକେ ମନର ଜ୍ୱାଳା ପନ୍ଦରଅଣା ଚାଲିଗଲା । ବୁଝିଲି, ବିଲାତି ବୋତଲ ଓ ଗିଲାସ ଭରି ଧାରକରି ଆଣିଛୁ ପୌତ୍ତଳିକତାର ଆତଙ୍କ । ଆଗକାଳର ଘଟ, ମାଠିଆ ବା ମାଟିର ପାତ୍ରସବୁ ଥିଲା । କିନ୍ତୁ ମହିଷାସୁରର ଖୁରାରେ ଓ ଦେହର ଭାରରେ ସେ ସବୁର ଟୁକୁରା ଏଇ ମାଟିରେ ମିଶିଯାଇଛି । କିନ୍ତୁ ଏ କାଳର ବୋତଲ ଗିଲାସର ଭଙ୍ଗା କାଚ ଏ ମାଟିରେ ମିଶୁନାହିଁ । ତେଣୁ ଭବିଷ୍ୟତ ପାଇଁ ସାବଧାନତା ସହିତ ଚାଲେ ।

 

ତଥାପି ଗୋଟାଏ ଅଶ୍ୱସ୍ତି ରହିଯାଏ । ବ୍ରଜେନ୍ଦ୍ର ଗାଙ୍ଗୁଲି ଏବଂ ସେ କାଳର ପୁଲିନ ବାବୁଙ୍କ (ସୌଖୀନ ସୁକଣ୍ଠ ଗାୟକ ପୁଲିନବାବୁ) ଗାନ ଓ ବଙ୍କିମଚନ୍ଦ୍ରଙ୍କ ହୃଦୟର ସୁରକୁ ତ ଆମେ ଚପାଇ ଦେଇଛୁ । ବର୍ତ୍ତମାନ ଫଳଭୋଗ କରୁଛୁ । ଜାତୀୟ ପ୍ରଚାର-ସଙ୍ଗୀତ ନାମରେ ସଭା-ମଜ୍‌ଲିସ୍‌ର ଆରମ୍ଭ ଶେଷରେ ଉଠ୍‌-ବସ୍‌ କରୁଛୁ । ପ୍ରତୀଚ୍ୟରୁ ଆମଦାନୀ କରିଥିବା ଏ ପ୍ରକାର କଣ୍ଡୁରୋଗ ଆମ ପଶ୍ଚାଦ୍ଦେଶକୁ ଆକ୍ରମଣ କରିଛି । ସ୍ଥିରାସନରେ ବସି ‘ବନ୍ଦେ ମାତରମ୍‌’ ଗାନ ହୋଇପାରେନା ! ସ୍ଥିରାସନରେ ବସି ‘ବନ୍ଦେ ମାତରମ୍‌’ ଗାନ ଶୁଣିଲେ ହେବ ଯୁଗଦ୍ରୋହ ନା ରାଷ୍ଟ୍ରଦ୍ରୋହ ! ବଙ୍କିମଚନ୍ଦ୍ର କଅଣ ସ୍ୱପ୍ନରେ ସୁଦ୍ଧା ଭାବିଥିଲେ ଯେ ତାଙ୍କ ସାଧନାର ସିଦ୍ଧିକୁ ବାଟରେ ପଡ଼ିଆରେ ଲେଫ୍‌ଟ-ରାଇଟ୍‌ ତାଳରେ ନାଚିକୁଦି ପରୀକ୍ଷା ଦେବାକୁ ହେବ ! ଅଥବା, ଘର ଭିତରେ ଉଠା-ବସା କେବଳ ଆନୁଷ୍ଠାନିକ ଉପୋଦ୍‌ଘାତର ବିଡ଼ମ୍ୱନା ସହ୍ୟ କରି ଯତ୍‌କିଞ୍ଚିତ ଶ୍ରଦ୍ଧାର ସଙ୍କେତରେ ପରିଣତ ହେବ ! ଏହି ତିନୋଟି ଆତ୍ମା ନିକଟରେ ମୁଁ କ୍ଷମା ମାଗୁଛି ! ତେବେ ସ୍ୱସ୍ତି ନିଶ୍ୱାସ ଛାଡ଼ି କହିପାରେ ଯେ, ସଙ୍ଗୀତର ବସ୍ତୁକୁ ମୁଁ ଯେମିତି ସଙ୍ଗୀତ ରୂପରେ ଭଲ ପାଏ ।

 

ଅନ୍ୟ କାହାରି କଥା କହିପାରୁ ନାହିଁ, ତେବେ ମୋ ଅସ୍ୱସ୍ତି ମୁଁ ଦୂର କରିଛି । ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଫେରିଯାଏ ।

 

ତମ୍ୱୁରା ପ୍ରସଙ୍ଗରେ କୁମାରଙ୍କ ମୁହଁରେ ‘ଠିକ୍‌ ଠିକ୍‌’ ଶବ୍ଦ ଶୁଣି ମନେ ପଡ଼ିଗଲା ଜାରୁଲ କାଠର ଖଟ କଥା । ଗାମ୍ଭୀର୍ଯ୍ୟର ଅଭିନୟ କରି କହିଲି : ବାରମ୍ୱାର ସେମିତି ‘ଠିକ୍‌ ଠିକ୍‌’ କହନ୍ତୁ ନାହିଁ । ସେଥିରେ ବିପଦ ଘଟିପାରେ ।

 

ନିଖିଳ ବ୍ରହ୍ମାଣ୍ଡରେ ଯେକୌଣସି ଦେଶ-କାଳ-ପାତ୍ରଘଟିତ ବିପଦର ଇଙ୍ଗିତ କରିବା ମାତ୍ରେ କୁମାର ଚମକି ପଡ଼ନ୍ତି, ଡରିଯାଆନ୍ତି । ଏ ଥିଲା ତାଙ୍କ ସ୍ୱଭାବର ନିରତିଶୟ ସୌକୁମାର୍ଯ୍ୟ । ତାଙ୍କ ଜୀବଦ-ବୀଣାର ତାରଗୁଡ଼ିକ ଥିଲା ଭାରି ସୂକ୍ଷ୍ମ ଓ ନରମ । ଆଉ ବାଣୀ ଥିଲା ଅତି ଚଢ଼ା ସୁରରେ ବନ୍ଧା । ମାଛି ବସିବା ମାତ୍ରେ ରିନ୍-ଝିନ୍ କରେ । ମୁଁ ଓ ନନୀ କୁମାରଙ୍କୁ ଅକାରଣରେ ଜବ୍ଦ କରିବାର କୌଶଳଟି ଦେଖିଥିଲୁ ।

 

ଆମ ମୁହଁରୁ ବିପଦର ଆଭାସ ପାଇ କୁମାର ଥମକିଗଲେ । ସେତେବେଳେ ସେଇ ହୁଁସିୟାର ଖଟ ଚରିତ୍ର ବର୍ଣ୍ଣନା କଲି । ନିକୁନ୍‌ ଏ କଥାଟା ତାଙ୍କୁ କହି ନ ଥିଲା । କଥା ଶୁଣି କୁମାରଙ୍କ ମୁହଁଆଖି ହସକୌତୁକରେ ଭରିଗଲା । ବିଳାସ ପ୍ରାଚୁର୍ଯ୍ୟର ଘନସନ୍ନିବିଷ୍ଟ ଉପକରଣସଜ୍ଜିତ ସେହି ଆରାମ କକ୍ଷ ଯେମିତି ଏତେକ୍ଷଣ ସ୍ତବ୍‌ଧ ହୋଇ ଅପେକ୍ଷା କରୁଥିଲା ସହାସ ଆନନ୍ଦଧ୍ୱନିର ନିର୍ଦ୍ଦେଶ । ମନେହେଲା ଏମାନେ ବର୍ତ୍ତମାନ ସଜୀବ ହୋଇ ପ୍ରତିଧ୍ୱନି କରୁଛନ୍ତି । ବିଚିତ୍ର ଭଙ୍ଗୀର ମର୍ମର ମୂର୍ତ୍ତିସବୁ ଓ ଚିତ୍ରାର୍ପିତ କାରୁସୁନ୍ଦରୀମାନେ ଯେମିତି ସୁଚକିତ ଉଲ୍ଲାସରେ ଶିହରିତ ହେଲେ । ଅର୍ଥାତ୍‌, ମୁଁ ଯାହା ଦେଖିଥିଲି, ବୁଝିଥିଲି ହୁଏତ ତାହା ମୋ ଦୃଷ୍ଟିଭ୍ରମ ବା ବୁଦ୍ଧିର ପ୍ରମାଦ ମାତ୍ର । କିନ୍ତୁ ତରୁଣମନର ସେଇ ଅନୁଭବ କରିବାର ପ୍ରଲିପ୍‍ସା ଆଜିପର୍ଯ୍ୟନ୍ତ ବି ନିବୃତ୍ତ ହେଲା ନାହିଁ । ପ୍ରତ୍ୟକ୍ଷ ବା କଳ୍ପନାର ସୌନ୍ଦର୍ଯ୍ୟକୁ ଅସ୍ୱୀକାର କରିବା ଭଳି ପଟୁତା ମୋର ଏ ପର୍ଯ୍ୟନ୍ତ ହେଲା ନାହିଁ । ଏ ବିଷୟରେ ମୋର ଅପଟୁତା ଦୋଷ ବହୁକାଳସଞ୍ଚିତ ।

 

କିଛିକ୍ଷଣ ପାଇଁ ହସଖୁସିର ରେଶ୍‌ ଚାଲିଲା । ତା’ ଭିତରେ କୁମାର କହିଲେ– ଯାହା କୁହନ୍ତୁ ପାଞ୍ଚୁ ବାବୁ, ମୋ ହାତରେ ତମ୍ୱୁରା ଖାଁ ସାହେବଙ୍କୁ ଦେବ ନାହିଁ, କହି ରଖୁଚି ।

 

ମୁଁ କହିଲି : ବୁଝିଲି । ନିକୁନ୍‌ ବୋଧହୁଏ ଖାଁ ସାହେବଙ୍କ ଦେହଶ୍ରୀ କଥା ଆପଣଙ୍କୁ କହିଛି ।

 

ସେ ହସି ହସି କହିଲେ : ଆପଣ ଠିକ୍‌ ଧରିଛନ୍ତି । ଏ କଥା କହି ସେ ହଠାତ୍‌ ଅନ୍ୟମନସ୍କ ହୋଇଗଲେ । ସେଇ ସୁଶ୍ରୀ ସୁନ୍ଦର ମୁହଁ ବିଷାଦ-ମେଘଛାୟାରେ ଆବୃତ ହୋଇଗଲା-। ଖଞ୍ଜନ ଭଳି ସ୍ୱଭାବଚଞ୍ଚଳ ଆଖିଯୋଡ଼ିକ ଅକସ୍ମାତ୍‌ ସ୍ତବ୍‌ଧ ହୋଇ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଦୃଷ୍ଟିକୁ ଲାଞ୍ଛିତ ପ୍ରତିହତ କରି ଫେରାଇ ଆଣିଲା ଅନ୍ତରକୁ । କୋମଳ ଅଥଚ ପ୍ରଗାଢ଼ ସ୍ୱରରେ ସେ କହିଲେ : ଏତେବଡ଼ ଗୁଣୀକୁ ଭଗବାନ ସେଭଳି ବେହାଲ୍‌ କଲେ କାହିଁକି !

 

ସେ ଏକ ସନାତନ ଜିଜ୍ଞାସା ! ମୋ ମନର ମେଘାବରଣ ଅନ୍ତରାଳରେ ନିମିଷେକ ମଧ୍ୟରେ ଅଦୃଶ୍ୟ ହୋଇଗଲା ବିଚିତ୍ର ଶବ୍ଦ-ରୂପର ସେଇ ରହସ୍ୟ ପରିବେଶ । ହୃଦୟର ଅକ୍ଷୁବ୍‌ଧ ଅପରିମେୟ ଗଭୀରତାରେ ବିଲୀନ ହୋଇଗଲା ହାସ-ପରିହାସର ଉର୍ମିମାଳା । ମନର ନେପଥ୍ୟରେ ମୀମାଂସାର ସନ୍ଧାନ ପାଇଁ ଚିରନ୍ତନ ପ୍ରଶ୍ନଟି ଅନ୍ତର୍ହିତ ହୋଇଗଲା । ମୋ ମାନସନେତ୍ରରେ ଆବିର୍ଭୁତ ହେଲା କାଲେ ଖାଁ ସାହେବଙ୍କ ବିଦାୟକାଳୀନ ସେଇ ହର୍ଷୋତ୍‌ଫୁଲ୍ଲ ଆଭାସ । ଆଉ ଥରେ ତାଙ୍କ କଥାଟି ମୁଁ ଶୁଣିବାକୁ ପାଇଲି, ବାବୁସାବ୍ ଆପଣ ସନ୍ଧ୍ୟାବେଳକୁ ଆସିବେ ତ ?

 

ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ‘କାହିଁକି’ ବା ‘କି ହେତୁରୁ’ ଅଭିଯୋଗ ସେ ପ୍ରଶ୍ନ ଭିତରେ ତ ନ ଥିଲା । ତା ଭିତରେ ଥିଲା ଦୁଇଟି ଅକ୍ଷମ ଦୁର୍ବଳ ମାନବହୃଦୟର ପରସ୍ପର ପରିଚୟ ଶେଷରେ ‘କେବେ’ ଓ ‘କେତେବେଳେ’ ବୋଲି କିଛି ପ୍ରତୀକ୍ଷାର ବାର୍ତ୍ତା, ସୁଯୋଗର ସନ୍ଧାନ, ଆଶା ଓ ଆକୁତିର ରେଶ୍‌ । ସେତେବେଳେ ମୋ ମନରେ ଏଇ ଶେଷ ଛବିଟି ହିଁ ବଡ଼ ହୋଇ ଦେଖା ଦେଲା । କୁମାରଙ୍କ ପ୍ରଶ୍ନଟା ଯେମିତି କିଛି ନୁହେଁ । କିନ୍ତୁ, ସନ୍ଦେହ ହୁଏ, କେଜାଣି ହୁଏତ ସେଇ ସନାତନ ପ୍ରଶ୍ନହିଁ ଅନନ୍ତର କୂଳକିନାରା ନ ପାଇ ଘୁରି ଘୁରି ଶତଧା ଖଣ୍ଡିତ ହୋଇ ଫେରି ଆସେ । ଆଉ ମଣିଷର ଶାନ୍ତ ମନର କିନାରାରେ ଯିଏ ଯେମିତି ପାରେ ଆଶ୍ରୟ ନିଏ । ଏଇ ଟୁକୁରାଗୁଡ଼ିକ କଅଣ ତେବେ ଆମର ଆଶା ଓ ଆକାଂକ୍ଷା ! ତା ହେଲେ, ହୃଦୟଉପକୂଳ ଆଶ୍ରୟୀ ଏଇ ଆଶା-ଆକାଂକ୍ଷାର ଟୁକୁରାଗୁଡ଼ିକ ଆମର ପ୍ରେୟ ଓ ନିର୍ଭରଯୋଗ୍ୟ । ବଡ଼ ବଡ଼ ସନାତନ ପ୍ରଶ୍ନର ଦାର୍ଶନିକ ମୀମାଂସାରେ ମାନବ-ଜୀବନର ମନ ମଜ୍ଜେନା, କାମ ବି ଚଳେନା ଏତିକିବେଳେ କୁମାରଙ୍କର ଜଣେ ସ୍ୱଜନ ଆସି ମୃଦୁସ୍ୱରରେ ସମ୍ୱାଦ ଦେଲା ଯେ ତାଙ୍କ ଠା ହେଲାଣି-। ସମୟ ସେତେବେଳେ ପ୍ରାୟ ଦୁଇଟା । କୁମାରଙ୍କ ନିକଟରୁ ବିଦାୟ ନେଲି । ସେ ଶେଷଥର ପାଇଁ ଅନୁରୋଧ କଲେ ଯେ ଖାଁ ସାହେବଙ୍କୁ ନିମନ୍ତ୍ରଣ କରିବା ଓ ତାଙ୍କୁ ସାଙ୍ଗରେ ନେଇ ଆସିବା ଭାର ମୋ ଉପରେ ରହିଲା । ମୋ ଜୀବନରେ ସେଭଳି ଦାୟିତ୍ୱ ଆଉ କେତେଥର ମୋ ସ୍କନ୍ଧରେ ବହନ କରିଛି । କିନ୍ତୁ ପ୍ରତିଥର ସେ ଦାୟିତ୍ୱ ମୋ ମୁଣ୍ଡକୁ ଉଠିଯାଇଚି ଆନନ୍ଦର ଉପଢୌକନ ଭାବରେ-। ଗୁଣୀଙ୍କ ସଙ୍ଗଲାଭ, ତାଙ୍କ ସହିତ ଯାତାୟାତ କରିବା ତ ମହାନ୍‌ ସୁନିମିତ୍ତ ବୋଲି ମନେହୋଇଚି-। ସର୍ବପ୍ରଥମ କାଲେ ଖାଁ ସାହେବ ହିଁ ଏଭଳି ବ୍ୟାପାରର ସ୍ୱାଦଟି ଆସ୍ୱାଦନ କରାଇଥିଲେ ।

 

ରାଜଭବନରୁ ନନୀଘରକୁ ଆସିଲି । ନନୀ ଜାଣିଥିଲା, ନିକୁନ୍ ଓ ମୁଁ ହାଓଡ଼ା ଯାଇଛୁ । ମୋତେ ଏକା ଫେରିବାର ଦେଖି ନନୀ ପଚାରିଲା । ମୁଁ ସବୁ କଥା କହିଲି । ନନୀ ଖୁବ୍‌ ଉଲ୍ଲସିତ ହେଲା, କିନ୍ତୁ ଆଦୌ ଆଶ୍ଚର୍ଯ୍ୟ ହୋଇନି । ଅଭାବନୀୟ ବୋଲି ଯେଉଁ ଫଳ, ତା’ର ରସ ଓ ଶସହିଁ ସେ ବାଛିନିଏ, ଘଟନାର ଚୋପାକୁ ସେ ବାଦ ଦିଏ । ତାକୁ କହିଲି : ଭାଇ, ବସାକୁ ଫେରି ଗାଧୋଇବାକୁ ହେବ । ପୁଣି ଶୀଘ୍ର ଚାହା ପିଇ ସାଢ଼େପାଞ୍ଚଟା ବେଳକୁ ଖାଁ ସାହେବଙ୍କୁ ଖବର ଦେବାପାଇଁ ଯିବାକୁ ପଡ଼ିବ । ତୁମେ ପ୍ରସ୍ତୁତ ହୋଇଯାଅ । ଏକାସାଙ୍ଗରେ ଯିବା । କାଲେ ଖାଁ ଅଦ୍‌ଭୁତ ଲୋକ ।

 

ମୁଁ ଟିକିଏ ଅଧୀର ହୋଇଥିଲି । ମନେ ହେଉଥିଲା, ବେଳ ବୋଧେ ବୋହିଗଲା । ନନୀ ମୋ କଥା ଶୁଣି ଖପ୍‌କିନା କୁଦା ମାରିଲା । ପ୍ରସ୍ତୁତ ହେବା ପାଇଁ ନୁହେଁ । ଛିଡ଼ା ଛିଡ଼ା ଗଗନ ଓସ୍ତାଦ୍‍ଙ୍କ (ସ୍ୱନାମଧନ୍ୟ ବିଦ୍ୟାସୁନ୍ଦର ଟପ୍‌ପା ଗାୟକ) ଭଳି ଅଣ୍ଟା ହଲାଇ ହାତରେ ତାଳ ଦେଇ ନନୀ ସୁର୍‌କରି ପଦୁଟିଏ ଗାଇଲା–

 

ହେ ଯାଦୁମଣି ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧର,

ଏହି ତ ମାତର କଲିର୍ ସନ୍ଧ୍ୟା, ସକାଲ୍ ହେଇନି, ହୁଅ ଅ-ଧର ।

 

କାଲାଣ୍ଡା ସୁର, ଆଡ଼ଖେମ୍‌ଟା ଛନ୍ଦ । ହୀରା ମାଳିନୀଠାରୁ ସୁନ୍ଦରର ରୂପ-ଯୌବନ ଗୁଣାବଳୀର ପରିଚୟ ପାଇ ବିଦ୍ୟା ‘ଅ-ଧର’ ହୋଇଚି । ତାଙ୍କୁ ଧରି ରଖିବା ଅସମ୍ଭବ ହୋଇଚି । ବିଦ୍ୟାର ଢଙ୍ଗଢାଙ୍ଗ ଦେଖି ହୀରା ସେଇ କଥାଗୁଡ଼ିକ ରସାଇ ରସାଇ କହୁଛି ।

 

ଅଗତ୍ୟା ନନୀ କଥାରେ ମୁଁ ଧୈର୍ଯ୍ୟ ଧରିଲି ।

 

ଅନ୍ଦାଜ ସାଢ଼େପାଞ୍ଚଟାବେଳେ ମୁଁ ଓ ନନୀ ଟ୍ରାମରେ ଚାଲିଲୁ ଖାଁ ସାହେବଙ୍କୁ ନିମନ୍ତ୍ରଣ ଜଣାଇବାକୁ । ନନୀର ଥିଲା ସୌଖୀନ ନାଗରିକ ବହିର୍ଭ୍ରମଣ ବେଶ, ଅର୍ଥାତ୍‌ ଗିଲକରା ଦୁଗ୍‌ଧଧବଳ ପଞ୍ଜାବି, ଶାନ୍ତିପୁରୀ ଧୋତି ଓ ଗ୍ଳେଜ୍‌କିଡ଼୍‌ର ଆଲବର୍ଟ ଯୋତା । ଅସାଧାରଣ ବୋଇଲେ ହାତରେ ଥିଲା ବୁଲିଯିବା ବାଡ଼ି । ରାଜଭବନ ଗଲାବେଳେ ଏଇ ବାଡ଼ି ସେ ନିଏ । କଥା ଥିଲା, ଖାଁ ସାହେବଙ୍କୁ ନିମନ୍ତ୍ରଣ କଲାପରେ ସିଧା ରାଜଭବନକୁ ଯାଇ କୁମାରଙ୍କୁ ସେ ସଂବାଦ ଦେବ । ଟ୍ରାମରେ ନନୀ ପାଖରେ ମୁଁ ବସିଥିଲି, ତା’ର ବିଦୂଷକ, ବେଶି ହେଲେ ରାଜନ୍ୟବନ୍ଧୁ ଭଳି ।

 

କାଲେ ଖାଁ ସାହେବଙ୍କ ଆବିଷ୍କାର କଥା ମୁଁ ନନୀକୁ ଆଦ୍ୟୋପ୍ରାନ୍ତ ଜଣାଇଛି । ଖାଁ ସାହେବଙ୍କ ଚିତ୍ରଟି କଳ୍ପନାରେ ଆଙ୍କି ସେଥିରେ ଆହୁରି ରଙ୍ଗ ଚଢ଼ାଇ ସେ କହିଲା : ତା’ହେଲେ ଖାଁ ସାହେବ ତ ଖୁବ୍ ନିରୀହ ଭଲମଣିଷ ଜଣାଯାଉଛନ୍ତି । ତାଙ୍କ ସହିତ କଥା କହି ତ ତା ହେଲେ ସୁଖ ହେବ ନାହିଁ, ଭାଇ ! ଯିଏ ଚଟାପଟ୍‌ କଥା କୁହେ ନାହିଁ ସିଏ ତ ଗୋଟାଏ ପଥର । ପଥରକୁ ଉଖାରି ଲାଭ କଅଣ !

 

ମୁଁ କହିଲି : ମଣିଷକୁ ସବୁବେଳେ ଉଖାରିବା ବି କୋଇ ଭଲ କଥା କି ? ଯାହାହେଉ, ତାଙ୍କ ସାମନାରେ କୌଣସି ବୀଣା, ସେତାର ବା ସୁରବାହାର ବାଦକ କଥା ଉଠାଇବୁ ନାହିଁ । ତାହେଲେ ସେ ଭାରି ରାଗିଯିବେ ।

 

ଶ୍ୟାମଲାଲଜୀ ଓ ତନ୍‌ନୁଲାଲଜୀଙ୍କ ବର୍ଣ୍ଣନା ବି ତାକୁ କହିଲି । ନନୀ ସେ କଥା ଶୁଣି ଉତ୍ସାହିତ ହୋଇ କହିଲା : ସତେ ନା କଅଣ ! ତା ହେଲେ ତ ଭାରି ମଜା । ଇମ୍‌ଦାଦ୍‌ ଖାଁ ସାହେବଙ୍କ ସେଦିନର ସେଇ ଦରବାରୀ ଆଳାପ ଓ ଗାନ୍ଧାର କଥାଟା ତ ନିଶ୍ଚୟ କହିବାକୁ ପଡ଼ିବ ଦେଖୁଚି ।

 

ମହାରାଜଭବନକୁ ଯେଉଁସବୁ ଯନ୍ତ୍ରୀ ଆସନ୍ତି ସେମାନଙ୍କ ମଧ୍ୟରୁ ଇମ୍‌ଦାଦ୍‌ ଖାଁ ସାହେବ ଆମକୁ ଯଥାର୍ଥରେ ମଜାଇଥିଲେ । ବିଶେଷ କରି ଦିନେ ଦରବାରୀର ଆଳାପ ଛଳରେ କେତେଥର ଏମିତି ଗୋଟିଏ କୋମଳ ଗାନ୍ଧାରର ସମ୍ମୋହନ ବାଣ ମାରିଥିଲେ ଯେ ଆମେ ଅନେକଦିନ ମୋହଗ୍ରସ୍ତ ହୋଇ ରହିଲୁ । ମୂର୍ଚ୍ଛାଭାବଟା କଟିଯିବା ପରେ ବାଣଟି ଏପଟ ସେପଟ କରି ପରୀକ୍ଷା କରିବାରୁ ଦେଖିଲୁ, ସେଇ ମାଧୁର୍ଯ୍ୟର ବିଷଟା ହୃଦୟରୁ ନିଃଶେଷ ହେବାକୁ ନାରାଜ ! ଇମ୍‌ଦାଦ୍‌ ଖାଁ ସାହେବ ହେଉଛନ୍ତି ଇନାୟେତ୍‌ ଖାଁ ସାହେବଙ୍କ ପିତା । ମୋ ଧାରଣା, ଇମ୍‌ଦାବ୍‌ଙ୍କ ବଜେଇବା ଶୁଣି ତାଙ୍କ ପୁଅମାନଙ୍କ କାରିଗରି ଶିକ୍ଷା ଅନୁମାନ କରିହେବ । କିନ୍ତୁ ପୁଅମାନଙ୍କ ବଜେଇବା ଶୁଣି ଇମ୍‌ଦାଦ୍‌ଙ୍କ ପ୍ରତିଭା ଅନୁମାନ କରିହେବ ନାହିଁ, ଗତ ବଜେଇବାରେ ହେଉ ବା ଆଳାପ ବଜେଇବାରେ ହେଉ ।

 

ନନୀ କଥାରେ ଭୟ ପାଇ କହିଲି : ସର୍ବନାଶ ! ଆଉ ଯାହା କର ଭାଇ, ସେଇଟି କରିବ ନାହିଁ । କାଲେ ଖାଁ ସାହେବଙ୍କ ମୁହଁରୁ ଦୋଅକ୍ଷରି ଶୁଣିବାକୁ ପଡ଼ିବ ।

 

ନନୀ କହିଲା : ସତେ ତ ! ତା’ହେଲେ ତ ଆହୁରି ମଜା ! ଦୋଅକ୍ଷରି ବେଳେ ତ ଅସଲ ମଣିଷଟି ବାହାରିପଡ଼େ ! ତା ଛଡ଼ା, ପଞ୍ଜାବୀ ଦୋଅକ୍ଷରିର ବୋଲ୍‌ଚାଲ୍ ତ ଶୁଣି ଯିବ । ସେ ତ ଭଲ ହେବ । ଭୟ କାହିଁକି ?

 

ନନୀର ମତଲବ ମୋତେ ଭଲ ଲାଗିଲା ନାହିଁ । କହିଲି– ଭାଇ, ଆଜିର ଶୁଭଲଗ୍ନରେ ଦୋଅକ୍ଷରିଟା ନ ଶୁଣିବା ହିଁ ଭଲ । ଦୋଅକ୍ଷରି ଟାଣି ବାହାର କରିବା ଦରକାର ନାହିଁ । ତାଛଡ଼ା, ଖାଁ ସାହେବ ଟିକିଏ ଅଜବ୍‌ ପ୍ରକାରର ସୃଷ୍ଟିବହିର୍ଭୂତ ମଣିଷ । ରାଗିଯାଇ ହୁଏତ ମୁଜ୍‌ରା ନେବାକୁ ରାଜି ହେବେ ନାହିଁ । ତାହେଲେ ତ ବଡ଼ ବିପଦ । ଆଜି ଅନ୍ତତଃ ତାଙ୍କୁ ଉଖୁରାଉଖୁରି କର ନାହିଁ । ଟିକିଏ ମୁହଁ ସମ୍ଭାଳି ନିଅ, ମୋ ରାଣ ।

 

ନନୀ ଅସହାୟ ଭାବରେ କହିଲା : ସତେ କି ! ଆଗରୁ କହିଦେବା ଉଚିତ ଥିଲା । ଆଚ୍ଛା, ତୁମେ ଯେତେବେଳେ କହୁଚ, ତାହାହିଁ ହେବ । ଉପାୟ କଅଣ !

 

ଏକଥା ସେକଥା ଭିତରେ ଆମର ଖିଆଲ ହେଲା ଯେ ଚିତ୍‌ପୁର ଛକ ଆଗରୁ ଟ୍ରାମ୍‌ର ଗତି ମନ୍ଥର ହୋଇଚି । ନନୀ ହଠାତ୍‌ କହିଲା : ଛକରେ ଓହ୍ଲାଇପଡ଼ିବା ଚାଲ । କରିମ୍‌ର ଦୋକାନକୁ ଅନେକଦିନ ହେଲା ଯାଇନି । କିଛି ପେସ୍ତା ଆଖ୍‌ରୋଟ ଆଜି ନେବା । ଯଥେଷ୍ଟ ସମୟ ଅଛି । ବାକି ରାସ୍ତାଟିକକ ପାଦରେ ଚାଲିଯିବା ।

 

ଭାବିଲି, ତାହାହିଁ ହେଉ । ନନୀର ସବୁ ଖୁସି ସଉକରେ ସିଧା ବାଧା ଦେବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ । ଆଉ ଖାଁ ସାହେବ ବି ହୁଏତ ନମାଜ ପଢ଼ିବାକୁ ଯାଇଥିବେ । କରିମ୍‌ର ଦୋକାନ ହେଉଚି ଦୁଇନମ୍ୱର ଫଳ ଦୋକାନ । ଅବଶ୍ୟ କରିମ୍ ସେ ଦୋକାନର ମାଲିକ ନୁହେଁ । ତା’ହେଲେ ବି ଦୁଇନମ୍ୱର ଫଳ ଦୋକାନକୁ ଆମେ କରିମ୍‌ର ଦୋକାନ କହୁ । ସେ ଦୋକାନ ସହିତ ଆମର ବେଶ୍ ଖାତିରର ସମ୍ୱନ୍ଧ ଥିଲା । ସଖ୍‌ସଓଗାତ୍‌ ପାଇଁ ତ ନିଶ୍ଚୟ, ବିଶେଷ କରି ନନୀର ବଚନପଟୁତା ପାଇଁ । ଆଉ, ସେଇ ଦୋକାନରେ ଥିଲା ଆମ ସମବୟସୀ ଗାଟିଏ ଟୋକା-। ତା ନାଁ ଥିଲା କରିମ୍‌ । ଭାରତ ସୀମାନ୍ତ ପରେ ନଓଶେରା ଅଞ୍ଚଳର ପାର୍ବତ୍ୟ ପ୍ରଦେଶରେ ତା ଘର ଥିଲା । ସେ ନିଜକୁ ପଠାଣ ବୋଲି ପରିଚୟ ଦେଇଥିଲା ।

 

କରିମ୍‌ର ଚେହେରା ଥିଲା ସୁନ୍ଦର । ଗୋରା ରଙ୍ଗ, ମୁହଁର ଆକୃତି ଅଣ୍ଡାଭଳି, ଖଣ୍ଡାଧାରିଆ ନାକ ଓ ନାକ ତଳେ ନିଶର ରେଖା, ଚିକ୍‌କଣ ପରିଷ୍କାର । ତା ସହିତ ଆମର ସମ୍ୱନ୍ଧ ଥିଲା ହୃଦ୍ୟ, ବା ହୃଦୟର ଅତି ସନ୍ନିକଟ । ସମ୍ୱନ୍ଧଟା ଆବିଷ୍କାର ଓ ରଚନା କରିଥିଲା ନନୀ, ପ୍ରଥମେ ଶାବଳ ଢିଅ ମାରି ଓ ପରେ କାଶ୍ମିରୀ ଛୁଞ୍ଚିକାମ କରି ।

 

ସେଇ ଦୋକାନରେ ବସି ତା ସହିତ ପ୍ରଥମ କଥାବାର୍ତ୍ତାର ଟିକିଏ ଅବକାଶରେ ନନୀ କଅଣ ବୁଝିଥିଲା କେଜାଣି, ତା ହାତ ଧରି ଅନତିଦୂରର ଗୋଟିଏ ନିଭୃତ ଜାଗାକୁ ନେଇ ତାକୁ ପଚାରିଲା– ଅରେ ଇୟାର୍‌, ସାଦି-ଉଦି କେବେ କରୁଛ ? ଜଓୟାନିର ପିୟାଲା ତ ଭରିଗଲାଣି କରିବ୍‌-କରିବ୍‌ ! ଏବେଠୁ ଅଳ୍ପେ ଅଳ୍ପେ ପିଇବା ଆରମ୍ଭ ନ କଲେ ଯେ ବୋହିଯିବ !

 

ଅକସ୍ମାତ୍ ଏଇ ମନଖୋଲା ଭାଷଣ ଶୁଣି କରିମ୍‌ର ସୁର୍‌ମାଦିଆ ବଡ଼ ବଡ଼ ସରଳ ଆଖି ଦୁଇଟି ସଙ୍କୁଚିତ ହେଲା । ଚୋର ଧରାପଡ଼ିଥିବା ଭଳି ମୁହଁର ଭାବ ହେଲା । ମୁଣ୍ଡ ଝାଡ଼ି ସେ ନିଜକୁ ସମ୍ଭାଳିନେଲା । କଥାରେ ସ ନିଜକୁ ସେତେବେଳେ ଅବଶ୍ୟ ଧରା ଦେଲା ନାହିଁ । କିନ୍ତୁ ମନେହେଲା, ତା ମନର ଦୋଳନ ତା’ରି ଢେଉଢେଉକା ବାବୁରି ବାଳର ସୌନ୍ଦର୍ଯ୍ୟରେ ପ୍ରକାଶିତ ହେଲା । ପାହାଡ଼ ଦେଶର ଟୋକା କେବେ ବାହା ହେବା କଥା ଭାବେନା । ସୁଯୋଗ ଥାଏନା, ସମୟ ଥାଏନା, ଉତ୍ତେଜକ କାରଣ ବି ଦେଖାଦିଏନା । ଏସବୁ କଥା ଆମେ ଶୁଣିଥିଲୁଁ ଶ୍ୟାମଲାଲଜୀଙ୍କ ଏମିତି କେତେକ ଆତ୍ମୀୟଙ୍କ ପାଖରୁ ଯେଉଁମାନେ ହିନ୍ଦୁ ହୋଇ ବି ଦୁଇତିନି ପୁରୁଷ ଧରି ଡେରାଇସ୍‌ମାଇଲ୍‌ ଖାଁ ଅଞ୍ଚଳରେ ବସବାସ କରୁଛନ୍ତି ଓ ମଝିରେ ମଝିରେ ମଥୁରା ଓ କଲିକତା ଆସି ସ୍ୱଜନବିରହଭାର ଲାଘବ କରି ଫେରି ଯାଆନ୍ତି ସେ ଦେଶକୁ ।

 

ଯାହାହେଉ, କରିମ୍‌ ବିଚାରା ପଞ୍ଜାବରେ ଆତ୍ମୀୟସ୍ୱଜନ ଘରେ ବାସ କରିବାକୁ ଆସି ଗୋଟାଏ ମନୋରମ ଫାନ୍ଦରେ ପଡ଼ିଯାଇଥିଲା । ନନୀର କଥା ଦାଉରେ ସେକଥା ସେ ମୋଟାମୋଟି ସ୍ୱୀକାର କରିଥିଲା । ଏହା ପରେ ନନୀ ଯେତେବେଳେ ଗୁଣୁଗୁଣୁ କରି ଗଜଲ୍‌ ଗାଇଲା ‘ଜୁଲ୍‌ଫ୍‌ ପୁର୍‌ ପେଁଚ୍‌ମେ ଦିଲ୍‌ ଏୟାସ ତୋ ଗିରଫତାର୍‌ ହୁୟା, ଛୁଟ୍‌ନା ଦୁଶ୍‌ବାର ହୁୟା’ ସେତେବେଳେ ସେ ଏକଦମ୍ ନିସ୍ତବ୍‌ଧ ହୋଇଗଲା । ଆଉ ମୁଣ୍ଡ ଝାଡ଼ି ନାହିଁ । ଶାବଳ ଢିଅ ପରେ କାଶ୍ମିରୀ ଛୁଞ୍ଚିର ଦୁଇଚାରି ଫୋଡ଼ ଏକଦମ୍‌ ମର୍ମସନ୍ଧାନ କଲା । ସତକୁ ସତ ସେଇ ଆତ୍ମୀୟ ଘରେ ଗୋଟିଏ କିଶୋରୀର ଝୁମୁକାପିନ୍ଧା କାନ ପାଖରେ ଲପେଟ୍‌ଦାର୍‌ ଜୁଲଫି ପେଞ୍ଚରେ ତା ମନ ଲାଖି ଯାଇଥଏ । ମନଖୋଲି ବିନା ସଙ୍କୋଚରେ କରିମ୍‌ହିଁ ଏସବୁ କଥା କହିଥିଲା ।

 

କଲିକତା ସହରକୁ କରିମ୍‌ ନୂଆ ଆସିଥାଏ ମାଲ୍ ସରବରାହ କାମ ଶିଖିବାକୁ କିନ୍ତୁ ଆମଭଳି ସହୃଦୟ ଶ୍ରୋତା ବା କେଉଁଠୁ ପାଆନ୍ତା ! ଫଳ ଦୋକାନକୁ ଫଳ କିଣିବାକୁ ଯାଇ ଆବିଷ୍କାର କରିଥିଲା ଏଇ ପାହାଡ଼ୀ ଫୁଲଟି, ସରଳ ପ୍ରାଣଟି । ଦୋକାନ ମାଲିକ ଥିଲେ କରିମ୍‌ର ମୁରବ୍‌ବୀ । ଏଇ ଫୁଲ ଉପରେ ସେ କଡ଼ା ନଜର ରଖିଥିଲେ । କରିମ୍‌ ସହିତ ଆମ ଦୋସ୍ତିର ମନୋଭାବ ଦେଖି ସେ ମନେ ମନେ ଖୁସି ଥିଲେ । କିଛି ନହେଲେ, ଭଲ ଖରିଦ୍‌ଦାର ତ ପକ୍‌କା ଓ କାୟେମି ହେବାକୁ ଯାଉଛି ।

 

କରିମ୍‌ କଥା ଏଇଠି ଶେଷ କରିବାକୁ ମନ ବଳୁନାହିଁ । ସ୍ମୃତିପଥରେ ଶେଷ ଫଳ ଉପରେ ଫାଉ ସ୍ୱରୂପ ଗୋଟାଏ ଫୁଲର ସୁଗନ୍ଧ ଜମିଯାଇଚି । ନିକ୍ତିତଉଲା ପ୍ରୟୋଜନ ବାହାରେ ଗୋଟାଏ ପ୍ରେୟବସ୍ତୁର ସନ୍ଧାନ ମିଳିଛି । କାଲେ ଖାଁ ସାହେବଙ୍କ ଆଲୋକଇଲାକାକୁ କରିମ୍‌ ଆସିଯାଇଛି । ତଥାପି ତା ନିଜ ଜୀବନରେଖାର ଏମିତି ଗୋଟାଏ ସ୍ୱତନ୍ତ୍ର ଦୀପ୍ତି ବି ଥିଲା ଯାହା ଗୋଟିଏ ଘଟନା ସୂତ୍ରରେ ପରେ ପ୍ରକାଶ ପାଇଥିଲା ।

 

ସେବେଠୁଁ ବର୍ଷକପରର ସେ ଘଟନା । ବିପିନବାବୁ, ଶଚୀନ ଓ ମୁଁ ବେଲୁଡ଼ମଠରୁ ଫେରୁଥାଉଁ । ବିପିନବିହାରୀ ଦେ ହେଉଛନ୍ତି ଦର୍ଶନଶାଖାରେ ଇଶାନ୍‌-ସ୍କୁଲ୍‌ର (୧୯୧୪) । ଶଚୀନ, ଅର୍ଥାତ୍‌ ଶଚୀନ୍ଦ୍ରଲାଲ ଦାସ ବର୍ମା ବି ଉଣା ନୁହେଁ, ଇଂରାଜୀ ସାହିତ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ (୧୯୧୪) । ସେମାନଙ୍କ ପଛରେ ମୁଁ ଯେମିତି ଜାହାଜ ପଛର ଜାଲିବୋଟ୍‌ ! ବେଲୁଡ଼ମଠରେ ଆନ୍ଦୁଲର କାଳୀକୀର୍ତ୍ତନ ଦଳର ଧ୍ରୁପଦ ଶୁଣି ମୋ ମନ ରସସିକ୍ତ ହୋଇ ରହିଥାଏ-। ଶଚୀନ ମତରେ, ଗାନ ଖୁବ୍ ଭଲ ଲାଗିଛି, ହେଲେ ସେଠି ଅତିଥିସତ୍କାରର ମଧୁର ସରସ ଆସ୍ୱାଦନଟା ବି ଊଣା ଯାଏନା । ବିପିନବାବୁ ଗାନ ସହ୍ୟ କରିପାରନ୍ତି ନାହିଁ, ଯେତେଦୂର ସମ୍ଭବ ଏଡ଼ାଇ ଯାଆନ୍ତି । ଆଉ ଅଜୀର୍ଣ୍ଣ ରୋଗ ଯୋଗୁଁ ଭୋଜନ କାର୍ଯ୍ୟଟି ବି ଭୟରେ ସମାଧାନ କରିଛନ୍ତି-। ଆମେ ଗାନ ଶୁଣୁଥିବାବେଳେ ସେ ଉଠିଯାଇ ସ୍ୱାମୀଜୀମାନଙ୍କ ସହିତ ମାନବଜୀବନର ଇଷ୍ଟନିଷ୍ଟ ବିଷୟରେ ଆଲୋଚନା କରଥିଲେ । ସନ୍ଧ୍ୟାର ଟିକିଏ ପରେ ଆମେ ହାଓଡ଼ା ପୋଲ ଆଡ଼ୁ ହ୍ୟାରିସନ୍‌ ରୋଡ଼୍‌ର ଫୁଟପାଥ୍‌ ଦେଇ ଫେରୁଥାଉଁ ।

ଫଳବାଲାମାନଙ୍କ ଦୋକାନ ସାମନାରେ ଭିଡ଼ ଜମିବାର ଦେଖିଲି । ଆଲୁଅର ଶୋଭା ବି ଦେଖାଯାଉଥାଏ । ଭିଡ଼ ପାଖଦେଇ ଯାଆନ୍ତେ ପ୍ରଥମେ ଶୁଭିଲା ବିଜାତୀୟ ସୁର । କ୍ରମଶଃ ଦେଖାଗଲା ପେଶୋଓ୍ୟାରୀମାନଙ୍କ ଜମାତ ରାସ୍ତାକଡ଼ର ଗୋଟିଏ ଘରଭିତରେ । ଟିକିଏ ଚେଷ୍ଟା କରି ଉଙ୍କି ମାରି ଦେଖେଁ, ଘର ଭିତରେ ଗ୍ୟାସ୍‌ଲାଇଟ୍‌ର ଆଲୁଅ ଓ ସତରଞ୍ଜି ଉପରେ ଆସର ଜମିଛି । ଆସରରେ ଚାରିଜଣ ସରିକି ପେଶୋଓ୍ୟାରୀ, ମୁଣ୍ଡରେ ପଗଡ଼ି ନାହିଁ । ପ୍ରତ୍ୟକେ ଗୋଟିଏ ଲେଖାଏଁ ରବାବ୍‌ ନେଇ ଏକାସାଙ୍ଗରେ ଗାନ ଗାଉଛନ୍ତି । ଗାନର ଭାଷା ଆମ ପକ୍ଷରେ ଅବୋଧ୍ୟ । ଆଉ ସେ ସୁର ମୁଁ ଏଥିପୂର୍ବେ କେବେ ଶୁଣି ନ ଥିଲି । କିନ୍ତୁ କି ପ୍ରାଣମତାଣିଆ ଗାନ ସେ ! ପୁଣି, କେତେ ସରଳ ଛନ୍ଦର ଦୋଳନ ସେଇ ଗାନର ସୁରରେ ! ଆମେ ତିନିଜଣଯାକ ଛିଡ଼ା ହୋଇଗଲୁଁ ।

ଭଲକରି ନଜର ପଡ଼ିବାରୁ ଦେଖିଲି, ଆମ କରିମ୍‌ ସେ ଗାୟକ ଦଳରେ ଅଛି । ସେ ତ ବହୁତ ଦିନ ହେଲା ନଥିଲା ! ତେବେ ଫେରିଆସିଲାଣି । କିନ୍ତୁ କରିମ୍‌ ଏମିତି ସୁକଣ୍ଠ ଗାୟକ ଓ ବାଦକ ! ଗାନର ଧାରା ବିଚାର କରି ବୁଝିଲି କରିମ୍‌ ହେଉଚି ମୂଳ ଗାଆଣ । ପ୍ରଥମେ କରିମ୍‌ ପଦୁଟିଏ ଗାଏ, ଆଉ ସେ ଶେଷ କଲା ପରେ ଅନ୍ୟ ତିନିଜଣ ସେ ପଦଟି ଏକାସାଙ୍ଗରେ ଗାଆନ୍ତି । କରିମ୍‌ ତା’ହେଲେ ପକ୍‌କା ଗାୟକ !

ଏହି ସମୟରେ ଜଣେ ଚିହ୍ନା ପେଶୋଓ୍ୟାରୀ ମୋତେ ଦେଖି ଘରଭିତରେ ବସିବାକୁ ସାଦର ଅନୁରୋଧ ଜଣାଇଲେ । ତା ଅନୁରୋଧ ଉପେକ୍ଷା କଲି ନାହିଁ । ବିପିନବାବୁଙ୍କ ହାତ ଧରି ଟାଣିନେଇ ମୁଁ ଓ ଶଚୀନ ଘର ଭିତରେ ବସିଲୁଁ । ମୁହୂର୍ତ୍ତକ ପାଇଁ କରିମ୍‌ ମୋତ ଦେଖି ହର୍ଷଭରା ଚାହାଣି ଓ ଆଦାବ୍‌ ମାତ୍ର ଜଣାଇ ଅପ୍ୟାୟିତ କଲା । କିନ୍ତୁ ଗାନ କରୁଥିବାବେଳେ କୌଣସି କଥା ସେ କହି ନାହିଁ ।

ପାଗଳ ଭଳି ଚାରିଜଣ ଗାୟକ ଗାନ ଗାଉଥାନ୍ତି ! ସେମାନଙ୍କ ମୁଣ୍ଡ ହଲେଇବା ଓ ଆଖିରେ ଅଜଣାସନ୍ଧାନୀ ଦୃଷ୍ଟି ଦେଖି ଆମର ସେମିତି ଧାରଣା ହେଲା । ସୁରର ଭାଙ୍ଗ ଓ ଚଲତ୍-ଫରତ୍ ଥିଲା ଅଦ୍‌ଭୁତ ଓ ସାବଲୀଳ । ମଝିରେ ମଝିରେ ଗୋଟିଏ ପଦ ଶେଷରେ ହଠାତ୍‌ ରବାବ୍‌ର ତାନ୍ ଓ ସଙ୍ଗତ୍‌ ମାତ୍ର ଗୋଟିଏ ସୁରରେ ବିଶ୍ରାନ୍ତ ହୋଇଯାଏ । ଆଉ ଠିକ୍ ସେଇ ସମୟରେ କୌଣସି ଗୋଟିଏ ସ୍ୱରବର୍ଣ୍ଣର ପ୍ଳୁତ ଧ୍ୱନିକୁ ସମ୍ୱଳ କରି ରାଗାପ୍ଳୁତ କଣ୍ଠରେ ଆବେଗଭରା ରେଶ୍‌ଟି ଈଷତ୍‌ କମ୍ପମାନ ରେଖା ଭଳି ସୁରର ଦିଗଦିଗନ୍ତରରେ କ୍ରମଶଃ ସୂକ୍ଷ୍ମ ହୋଇ ମିଳାଇଯାଉଥାଏ । ପାହାଡ଼ୀ ବନଲତାର ଶୀର୍ଷକୁ ତ୍ୱରିତଚୁମ୍ୱନର ବିଦାୟ-ସଙ୍କେତ ଜଣାଇ ଗୋଟିକ ପରେ ଗୋଟିଏ ସମୀରଣ-ହିଲ୍ଲୋଳ ପ୍ରଲମ୍ୱିତ ନିଃସ୍ୱନ ରୂପରେ ମିଳାଇଯାଏ ଦୂରେ ସୁଦୂରେ, ଅତି ଦୂରେ । ସେ ଦୀର୍ଘଶ୍ୱାସ ଶ୍ରବଣର ସୀମା ପାରି ହୋଇଯିବା ପରେ ନିମିଷେକ ମଧ୍ୟରେ ମାନସଗଗନର ଅଲକ୍ଷ୍ୟ ଅବକାଶରେ ଭାବର ବିଚିତ୍ର ତାରାବଳୀ ଦେଖା ଦେଉ ଦେଉ ଆରମ୍ଭ ହୁଏ ରବାବ୍‌ର ଦୁଂ ଦୁଂ ଦୌଁ ଦୌଁ । ପାହାଡ଼ର ବୁକୁ ଫଟାଇ ନିର୍ଗତ ହୋଇଥିବା ସୁଦୂର ନିର୍ଝରର ଆସନ୍ନ ପ୍ରତିଧ୍ୱନି ଭଳି ଚମତ୍କାର ଅଲୌକିକ ସେ ଧ୍ୱନି ! ଚାରିଜଣ ବାଦକଙ୍କ ହାତର ଚାରୋଟି ଦର୍‌ବାର୍‌ (ରବାବ୍‌ ବଜାଇବାପାଇଁ ଉପଯୋଗୀ କାଠର ଏକପ୍ରକାର ମେଜ୍‌ରାବ୍‌) । ସମକାଳୀନ ଗୋଟିଏ ଗୋଟିଏ ଆଘାତ ଯେମିତି ଗୋଟିଏ ଗୋଟିଏ ହୃତ୍‌ସ୍ପନ୍ଦନ ! ଯନ୍ତ୍ରୀର ନା ଯନ୍ତ୍ରର ? କଥାର, ନା ସୁରର, ନା ଛନ୍ଦର ? ଅଥବା ଶ୍ରୋତାମାନଙ୍କ ହୃଦୟର ? ମୁଁ ଜାଣେନା । ମୋର ମନେହୁଏ, ସଭିଙ୍କର । ସେଠାକାର ସବୁ ଜଡ଼ ଓ ଚେତନ ବସ୍ତୁର ସ୍ପନ୍ଦନ ସେ ସବୁ ।

 

ପରେ ଅନେକଥର ଭାବିଚି, ଯେତେଥର କରିମ୍‌ ମନେପଡ଼େ୍‌ ଭାବେ, କଲିକତାର ସନ୍ଧ୍ୟାରେ ଏକମହଲା ଘରେ ବସି ଯଦି ଏମିତି ଅନୁଭବ ସମ୍ଭବ ହେଲା, ତେବେ ତା ନିଜ ଘର ଜମାତରେ ଆନନ୍ଦ ଭିତରେ ଏଭଳି ଅଭିଜ୍ଞତା ନ ଜାଣି ଆହୁରି କେତେ ତୀବ୍ର ଅନୁଭୂତି ସାକ୍ଷାତ କରାଇ ନ ପାରିବ ! କିନ୍ତୁ ସେ ସୌଭାଗ୍ୟ ମୋର ହୋଇନାହିଁ ।

 

ଗାନ ଶେଷ ହେଲାରୁ କରିମ୍‌ ଉଠିଆସି ମୋ ହାତଚାପି ଧରିଲା, କୁଶଳ ପ୍ରଶ୍ନ ପଚାରିଲା, ନନୀ କଥା ପଚାରିଲା ।

 

ଆମେ ବିଦାୟ ନେବାବେଳେ କରିମ୍‌ ଓ ସେ ଘରର ମାଲିକ ଜଣେ ପୋଶୋଓ୍ୟାରୀ ଭଦ୍ରଲୋକ ଆମ ପ୍ରତ୍ୟେକଙ୍କୁ ରିକାବିରେ ବାଦାମ-ପେସ୍ତା ପ୍ରଭୃତି ଆଣିଦେଲେ । ଆମେ ନେଲୁଁ । କରିମ୍‌ ବାହାରିଆସି ଆମକୁ ଫଳ ଦୋକାନ ପର୍ଯ୍ୟନ୍ତ ବାଟେଇଦେଲା ।

 

ଆମେ ଫୁଟପାଥ୍‌ରେ ଚାଲୁ ଚାଲୁ ଗାନର ସୁର ବିଷୟରେ କଥାବାର୍ତ୍ତା ହେଉଥାଉଁ । କଥାବାର୍ତ୍ତା ମଝିରେ ପକେଟରୁ ବାଦାମ୍‌-ପେସ୍ତା ଓ ମିଶିରିଖଣ୍ଡମାନ ଆଣି ଖାଉଥାଉଁ । ବିପିନବାବୁ ନୀରବରେ ଚାଲିଥାନ୍ତି । ବୋଧହୁଏ ସମୟର ଅପବ୍ୟୟ ବିଷୟରେ ଦାର୍ଶନିକ ତତ୍ତ୍ୱ ଚିନ୍ତା କରୁଥାନ୍ତି-। କଲେଜ ଷ୍ଟ୍ରୀଟ ଛକ ପାଖରେ ଆମର ଖିଆଲ ହେଲା ଯେ ପକେଟର ମାଲ୍ ଶେଷ ହେଲାଣି-। କି ଆଶ୍ଚର୍ଯ୍ୟ ! ମୋର ଓ ଶଚୀନର ଏକାସାଙ୍ଗରେ ମନେହେଲା, ବିପିନବାବୁଙ୍କ ଭଳି ଅଜୀର୍ଣ୍ଣରୋଗୀର ପକେଟରେ ବାଦାମ-ପେସ୍ତା ଭଳି ବିସ୍ଫୋରକ ପଦାର୍ଥ ରହିବା ବା ରହିବାକୁ ଦେବା ତଚିତ ନୁହେଁ ଆଦୌ । ଛିଡ଼ା ହୋଇଗଲୁଁ । ବିପିନବାବୁଙ୍କ ପକେଟରୁ ସେସବୁ ବିପଜ୍ଜନକ ପଦାର୍ଥ ବାହାର କରି ଆମ ପକେଟରେ ରଖିଲୁ । ବିପିନବାବୁଙ୍କ ମୁହଁରେ କଥା ନାହିଁ । ଆମକୁ ଧନ୍ୟବାଦ ଦେବାକୁ ବି ଭୁଲିଗଲେ ।

 

ନିଶ୍ଚୟ ତାଙ୍କୁ କଷ୍ଟ ହୋଇଥିଲା । ସାନ୍ତ୍ୱନା ଦେଇ କହିଲି : ବିପିନବାବୁ, ଆପଣଙ୍କୁ ଖୁବ୍‌ କଷ୍ଟ ହେଉଚି ବୋଧେ ?

 

ଦୀର୍ଘ ସମୟ ପରେ ଏଇ ମୋର ପ୍ରଥମ ପ୍ରଶ୍ନ । ବିପିନବାବୁ ମୋ କଥା ଶୁଣି ଚମକି ପଡ଼ିଲେ ଧ୍ୟାନଭଙ୍ଗ ହେବାଭଳି । କହିଲେ : କଅଣ କହିଲେ ? କଷ୍ଟ ? ନା କଷ୍ଟ ତ ହୋଇନି । ମୋ ଜୀବନର ଏଇ ସର୍ବପ୍ରଥମ ଗାନ ଶୁଣିଲି । ସତ କହୁଛି ମୁଁ । ଏଥିପୂର୍ବେ ଯାହା ଶୁଣିଚି ତାହା ଗାନ ନୁହେଁ କହି ସେ ଗମ୍ଭୀର ହେଲେ । ଏଥର ଆମର ଅବାକ୍‌ ହେବା ପାଳି ! ମୁଁ କଅଣ ପଚାରିଲି, ଆଉ ବିପିନବାବୁ କଅଣ ଭାବି କେଉଁ ଦିଗରୁ ତା’ର ଉତ୍ତର ଦେଲେ ! ସମ୍ଭାଳିନେଇ କହିଲି : ଆପଣ କଅଣ ଷ୍ଟିଫେନ୍‌ ସାହେବଙ୍କ ସାଗିର୍ଦ୍‌ ଭଳି କହୁଛନ୍ତି ? ନା, ଇମାର୍ସନ୍ ଉଦ୍ଧାର କରୁଛନ୍ତି ?

 

ଅଦାଲତର ହେଡ଼୍ ଜୁରି ଭଳି ଦୃଢ଼ ଅବିଚଳିତ ସ୍ୱରରେ ବିପିନବାବୁ କହିଲେ ନା, ଆଦୌ ନୁହେଁ । ମୋ ନିଜ ମନକଥା ତ ଏତେବେଳଯାଏଁ ଭାବିଥିଲି । ମନ କଥାହିଁ କହୁଛି । ସେଇ ପେଶୋଓ୍ୟାରୀଙ୍କ ଗାନ ଶୁଣିବା ପରେ ମୁଁ ଯେମିତି ଗୋଟାଏ ନୂଆ ଦୁନିଆ ପ୍ରତ୍ୟକ୍ଷ କଲି । ଭାବୁଛି, ବୋଧହୁଏ ମୋର ଗୋଟାଏ ଫ୍ୟାକଲ୍‌ଟିର ଚାବି ବନ୍ଦ ଥିଲା । ଆଜି ସେଇ ଘରର ଦୁଆର ଝରକା ଖୋଲିଗଲା । କେମିତି ଏଟା ହେଲା ସେଇକଥା ତ ଭାବୁଛି.....

 

କିଛିଦିନ ପରେ ଶଚୀନ ସହିତ ଦେଖା ହେଲା । ସେ କହିଲା, ବିପିନବାବୁ ମୋତେ ଡାକିଛନ୍ତି । ସେ ଗୋଟାଏ ହାରମୋନିୟମ କିଣିବେ, ମୁଁ ସାଙ୍ଗରେ ନ ଥିଲେ ଚଳିବ ନାହିଁ । ଆଶ୍ଚର୍ଯ୍ୟ ସତେ ! ଧୀର ସ୍ୱଳ୍ପବାକ୍‌ ନାର୍ଶନିକ ବିପିନବାବୁ, ଯାହାଙ୍କୁ ହିନ୍ଦୀ ବା ବଙ୍ଗଳା ଯେକୌଣସି ଗାନ ଶୁଣାଇ ମୁଁ ବା ଅନ୍ୟକେହି ତିଳେମାତ୍ର ପ୍ରଭାବିତ କରି ପାରି ନାହୁଁ, ସେ ବି ସୁରର ଫାନ୍ଦରେ ଧରା ପଡ଼ିଲେ ! ତା ପୁଣି ପଷ୍‌ତୁ ଭାଷାର ଗାନରେ ଓ ପାହାଡ଼ୀ ସୁରରେ ! ଶ୍ରୁତିତୂଣୀରେ ବାଇଶ ବାଣ । ସୁରର ଜାଲରେ ଆମେ ବଦ୍ଧ । କେତେବେଳେ କେଉଁ ବାଣ ଆମକୁ ବିନ୍ଧିବ ଜାଣୁନା ।

 

କରିମ୍‌ର ସୃତି ସହଜରେ ଉଦିତ ହୁଏ । କିନ୍ତୁ ତା’ର ସେଇ ପାହାଡ଼ୀ ଦେଶର ଗାନ ଓ ସୁର ଯାହା ବିପିନବାବୁଙ୍କ ମନରେ ଅନୁଭବର ନୂତନ ରାଜତ୍ୱ ଆଭାସିତ କରିଥିଲା, ଏତେ ସହଜରେ ବିଦାୟ ନିଏନା । ବର୍ତ୍ତମାନ ପ୍ରସଙ୍ଗକୁ ଫେରିଯାଏ ।

 

 

ନନୀର ହାତ ଚାପି ଇଶାରା କଲି । ନନୀ ଛିଡ଼ା ହୋଇଗଲା । କହିଲି : ହେଇ ଦେଖ୍‌, ସାକ୍ଷାତ କାଲେ ଖାଁ ସାହେବ ବସି ରହିଛନ୍ତି । ଖାଁ ସାହେବଙ୍କୁ ପ୍ରଥମ ଥର ଦେଖିଲା ନନୀ । ଖାଁ ସାହେବ ଅବଶ୍ୟ ସେତେବେଳଯାଏଁ ଆମକୁ ଦେଖିନାହାନ୍ତି । ନନୀ ଭଲକରି ଟିପେ ନାସ ନେଇ ରୁମାଲ ବାହାର କରି ନାକମୁହଁ ପରିଷ୍କାର କଲା । କହିଲା : ଚାଲ, ପକଡ଼ାଓ କରିବା ।

 

ସେ ଟିକିଏ ଆଗେଇ ଯାଆନ୍ତେ ଦୁଇତିନି ଜଣ ପେଶୋଓ୍ୟାରୀ ତାକୁ ଦେଖି କହିବାକୁ ଲାଗିଲେ, ‘ସେଲାମ ବାବୁ ସାବ୍‌’ ‘ଆଇୟେ ବାବୁସାବ୍, ଇଧର୍ ଆଇୟେ’ ସେମାନଙ୍କୁ ଭ୍ରୁକ୍ଷେପ ନ କରି ନନୀ ପହିଲିମାନମାନଙ୍କ ଭଳି ଛାତି ଫୁଲାଇ ଆଗେଇଗଲା । ମୁଁ ବି ଚାଲିଲି ଦୋକାନ ଆଡ଼େ-

 

ସେତେବେଳକୁ ସନ୍ଧ୍ୟା ହୋଇ ନ ଥାଏ, ଯଦିଓ ଦୋକାନମାନଙ୍କରେ ଆଲୁଅ ଜଳାଇ ଦିଆ ହୋଇଥାଏ । କରିମ୍‌ ଦୋକାନରୁ ଜଣେ ଚିହ୍ନା ଲୋକ ହଠାତ୍ ବାହାରି ଆସି ନନୀକୁ ଓ ମାତେ ସଲାମ୍‌ କରି ଦୁଇ ହାତ ମେଲାଇ ଆମ ବାଟ ଓଗାଳିଲା । ତା ମତଲବ ହେଲା, ଆମକୁ ଆଉ ଆଗେଇ ଯିବାକୁ ଦେବ ନାହିଁ । ମୁଁ ତାକୁ କଟାଇ ଆଗେଇଯିବାକୁ ଉଦ୍ୟତ ହେବାବେଳେ ନନୀ ପାଟି କରି ଧମକାଇ କହିଲା : ଆରେ, ହଟୋ ମିୟାଁ ! ଦେଖ୍‌ତେ ନହିଁ, ସାମ୍‌ନା ପର୍‌ ହିନ୍ଦୁସ୍ତାନ୍‌କେ ରିଝ ନେଓୟାଲା ଖୁଦ ବୈଠେ ହୁୟେ ହ୍ୟାୟଁ । ପହଲେ ଉନ୍‌ସେ ମୁଲାକାତ୍ ହୋ ଯାୟେ, ବନ୍ଦ୍‌ଗି କରେଁ, ତବ୍ ପିଛେ ଲେନ୍‌ ଦେନ୍ କି ବାତ୍‌ । ଘବ୍‍ଡ଼ାତା କେଓଁ ? ରିଝାନେଓୟାଲୀ ବୋଇଲେ ଯିଏ ଆନନ୍ଦ ସଞ୍ଚାର କରେ ।

 

ନନୀ କଥା ଶୁଣି ଲୋକଟି ହାତ ପକାଇଦେଲା । ସେ ଘାବୁରେଇବା ମଣିଷ ନୁହେଁ । କିନ୍ତୁ ନନୀ, ଅର୍ଥାତ୍‌ ସେମାନଙ୍କ ଡାକ୍ଟରସାବ୍‌ କାଲେ ଖାଁ ସାହେବଙ୍କୁ ଚିହ୍ନନ୍ତି, ଏଇଟା ହେଲା ତା ପକ୍ଷରେ ଯଥେଷ୍ଟ କଥା । ନନୀ ଓ ମୁଁ ଖାଁ ସାହେବଙ୍କ ସାମନାରେ ଉପସ୍ଥିତ ହୋଇ ବନ୍ଦ୍‌ଗି ଜଣାଇଲୁ । ଖାଁ ସାହେବ ଆମକୁ ଦେଖି ଉଠି ଛିଡ଼ା ହେଲେ ଓ ପ୍ରତିନମସ୍କାର କଲେ । ହୁଏତ ଆଉ କିଛି ସେ କହିଥାନ୍ତେ, କିନ୍ତୁ ନନୀର ଗୋଟିଏ କଥାରେ ସେ ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲେ । ନନୀ ମୁରବ୍‌ବୀଭଳି ଫଳବାଲାମାନଙ୍କୁ ପ୍ରାୟ ଚିତ୍‌କାର କରି ତିରସ୍କାର କରୁଥାଏ ଯେ ସେମାନେ ଏମିତି ଗଓଁୟାର (ଗ୍ରାମ୍ୟ) ବେ-ଅକ୍‌କଲ ଲୋକ ଯେ ଖାଁ ସାହେବଙ୍କ ଭଳି ବୁଜୁର୍ଗ ଶରୀଫଙ୍କୁ ଗୋଟାଏ ରଦ୍ଦି ନା-କାମିଲ୍ (ବସିବା ଅଯୋଗ୍ୟ) ତେପାଇୟା ଉପରେ ବସାଇ ତାଙ୍କୁ ତକ୍‌ଲିଫ ଦେଉଛନ୍ତି । ହାୟ ହାୟ କ୍ୟା ଶରମ୍‌କି ବାତ୍‌ ! ସାରା କଲ୍‌କତ୍ତା ସହର ବଦ୍‌ନାମି ହେଲା ! ଆରେ ଭାଇ, କୁର୍‌ସି ଉର୍‌ସି କିଛି ଥାଏ ତ ଜଲ୍‌ଦି ନିକାଲୋ !

 

ପ୍ରକୃତରେ ସେ ଟୁଲ୍‌ଟାର ଚାରୋଟି ଗୋଡ଼ ଥିଲେହେଁ ଗୋଟାଏ ଗୋଡ଼ ବିପଦ କାରଣ ହୋଇଥିଲା । ତା ଛଡ଼ା, ବାହାରେ ସର୍ବସାଧାରଣଙ୍କ ମଧ୍ୟରେ ଖାଁ ସାହେବଙ୍କ ବସିବାପାଇଁ ଟୁଲ୍‌ ଦେବା ତ ଅସମ୍ମାନଜନକ, ବିଶେଷକରି ଯେହେତୁ ଦୋକାନରେ ଚୌକି ରହିଛି । କିନ୍ତୁ ସେତେବେଳ ଆମେ ଜାଣି ନ ଥିଲୁ ଯେ ଘରୁ ବାହାରି ଖାଁ ସାହେବ ନିତ୍ୟ ନୈମିତ୍ତିକ ରୂପେ ସେଇ ଦୋକାନଟିରେ ବସନ୍ତି । ଏଟା ତାଙ୍କର ପ୍ରଥମ ହଲ୍‌ଟିଂ ଷ୍ଟେସନ୍ । ଆଉ ଚତୁଷ୍ପଦ ଚୌକି ଓ ଚତୁଷ୍ପଦ ଟୁଲ୍‌ ଭିତରେ ପାର୍ଥକ୍ୟଟା ଖାଁ ସାହେବ ଅତି ନଗଣ୍ୟ ମନେକରନ୍ତି ।

 

ନନୀର ସେଇ ଚେହେରା ଓ ତା ସାଙ୍ଗକୁ ମୁରବ୍‌ବୀପଣର ଢମ ଦେଖି ବୋଧହୁଏ ଖାଁ ସାହେବ ଅବାକ ହୋଇଯାଇଥିଲେ । ଦୋକାନୀମାନେ ବି ନନୀ କଥାରେ ଲଜ୍ଜିତ ହୋଇଥିଲେ । ଯଥାଶୀଘ୍ର ଗୋଟାଏ ଚୌକି ବାହାର କଲେ । ନନୀ ଖାଁ ସାହେବଙ୍କ ହାତ ଟାଣି ଚୌକି ଉପରେ ବସାଇ ଯାଇ ନିଶ୍ଚିନ୍ତ ହେଲା । ଇତିମଧ୍ୟରେ ନନୀର ପାଟିରେ କରିମ୍‌ ଭିତରୁ ଆସି ଛିଡ଼ା ହେଲା ଓ ଆମକୁ ନମସ୍କାର କଲା । ସେ ହୁଏତ ଭାବୁଥିଲା ଆମ ଦୁଇଜଣଙ୍କ ସହିତ ଖାଁ ସାହେବଙ୍କର କେବେ କେମିତି ପରିଚୟ ହେଲା ।

 

ଗୋଟିଏ ମାତ୍ର ଖାଲି ଟୁଲ ଓ ତା ପାଖକୁ ଅତିଥିସତ୍କାର ପାଇଁ ମାମୁଲି ବେଞ୍ଚ ପଡ଼ିଛି । ଆମେ ବସିବୁ ବସିବୁ ହେଉଚୁ ଏତିକିବେଳେ ଖାଁ ସାହେବ ଛିଡ଼ା ହୋଇ କରିମ୍‌ ଆଡ଼କୁ ଚାହିଁ ସୋଚ୍ଛାସେ ଆବାଜ୍‌ କଲେ : ଲାହଲ୍‌-ଓୟେଲା କୁବଚ୍‌ ! ଦୋ କୁର୍‌ସି ଔର୍‌ଭି ତୋ ନିକାଲୋ । କ୍ୟା ଇନ୍‌ଲୋଗ୍‌ ଖଡ଼େ ରହେଙ୍ଗେ ?

 

କରିମ୍ ତ ଦୌଡ଼େ ନ ଦୌଡ଼େ । ଏତିକିବେଳେ ଜଣେ ଖଣ୍ଡେମାତ୍ର ଚୌକି ଉଠାଇ ଆଣିଲା । ତୃତୀୟ ଚୈାକି ନାହିଁ । ମୁଁ ନନୀକୁ ଚୈାକିରେ ବସିବାକୁ କହି ନିଜେ ଟୁଲ୍‌ ଟାଣି ଆଣି ବସିଲି । କରିମ୍‌ ଓ ଦୋକାନର ଅନ୍ୟାନ୍ୟ ଲୋକବାକ ବ୍ୟସ୍ତ ହୋଇପଡ଼ିଥିଲେ ଏଯାଏଁ, ବର୍ତ୍ତମାନ ସେମାନେ ଆଶ୍ୱସ୍ତ ହେଲେ ।

 

ନନୀ ସୁସ୍ଥିର ହୋଇ ପକେଟରୁ ଦାମୀ ସିଗାରେଟ କେସ୍‌ ବାହାର କରି ସଥିରୁ ଗୋଟିଏ ଖାଁ ସାହେବଙ୍କୁ ନିବେଦନ କଲା ଏବଂ ଡିଆସିଲି ବାହାର କରି ଖାଁ ସାହେବଙ୍କୁ ସାହାଯ୍ୟ କଲା । ନିଜେ ବି ଗୋଟାଏ ଧରାଇଲା । କରିମ୍‍କୁ ଗୋଟାଏ ଯାଚିବାରୁ ସେ ଅଦାବ୍‌ ଜଣାଇ କହିଲା : ମାଫ୍ କରନ୍ତୁ । ନନୀ ସିଗାରେଟ କଦାଚିତ୍‌ ବ୍ୟବହାର କରେ । ହେଲେ ସର୍ବଦା କେସ୍ ବୋଝେଇ କରି ଘରୁ ବାହାରେ ।

 

ଦୁଇଜଣଙ୍କ ମୁହଁ ବନ୍ଦ । ମୁଁ ଆାରମ୍ଭ କଲି : ଇୟେ ମୋର ଚଚେରା ଭାଇ (ଖୁଡ଼ୁତା ପୁଅ ଭାଇ) । ଡାକ୍‌ଟାର । ରଇସ୍‌ ଆଦ୍‍ମି । ଆଉ ସୁର୍‌ରେ ନିହାୟେତ୍‌ ଗରିବ୍‌ (ଅତ୍ୟନ୍ତ ଆସକ୍ତ ଇୟେ)-। ମୋଠାରୁ ଆପଣଙ୍କ କଥା ଶୁଣି ସେ ଆଉ ରହିପାରିଲା ନାହିଁ । କହିଲା, ଚାଲ ଭାଇ ଖାଁ ସାହେବଙ୍କୁ ଦର୍‌ଶନ୍‌ କରି ଆସିବା । ନାଟୋର ମହାରାଜାଙ୍କ ରିସ୍ତେଦାର ଇୟେ । ଆପଣଙ୍କ ପାଖରେ କିଛି ଅର୍ଜ୍ଜ କରିବ ।

 

ନନୀକୁ ଇଶାରା କଲି ଯେ ସେ ଖାଁ ସାହେବଙ୍କୁ ନିମନ୍ତ୍ରଣ ସମ୍ୱାଦଟା ଜାହିର କରୁ, କାରଣ ତା ମୁହଁରେ ସୁନ୍ଦର ଶୁଭିବ । ନନୀ ସେବାଟେ ଗଲା ନାହିଁ । କହିଲା : ଖାଁ ସାହେବ, ବୁରା ମତ୍‌ ସମ୍‌ଝିୟେ । ଆପଣଙ୍କ ଡେରାକୁ ଯାଉଥିଲୁ, ଦୌଡ଼୍‌ତେ ହୁୟ (ପ୍ରାୟ ଦୌଡି ଦୌଡି ଯାଉଥିଲୁ) ସିର୍‌ଫ୍‌ ମୌଜ୍‌ ଓ ଖିଆଲ ବଶରେ ଆମେ ଏଠି ଓହ୍ଲାଇପଡ଼ିଲୁ । କୁହନ୍ତୁ ତ, ଯଦି ଦୈବାତ୍ ଏଠିକି ନ ଆସିଥାନ୍ତୁ ତାକି ମୁସ୍କିଲ୍‌ ହୁଅନ୍ତା ! ଆପଣଙ୍କ ପତ୍ତା ପାଇ ନ ଥାନ୍ତୁ । ମୁଲାକାତ୍‌ ହେବା ଭାଗ୍ୟରେ ନାହିଁ ବୋଲି କପାଳରେ ହାତ ମାରି ହାୟ ହାୟ କରି ଫେରିଯାଇଥାନ୍ତୁ ।

 

ନନୀ କଥାରେ ପ୍ରଚ୍ଛନ୍ନ ଅଭିଯୋଗ ଥିଲା ଯେ ଖାଁ ସାହେବହିଁ କଥାରେ ଖିଲାଫ୍‌ କରିଛନ୍ତି । ଖାଁ ସାହେବ ନନୀ କଥାରେ ଦୋଷ ଧରିଲେ ନାହିଁ । ଲଜ୍ଜିତ ବି ହେଲେ ନାହିଁ । ଚୌକିରେ ସିଧା ହୋଇ ବସି ହଠାତ୍‌ କଡ଼ପଟିଆ ଚାହିଁ ଗୁଣୁ ଗୁଣୁ କରି କଅଣ ଗମ୍ଭୀର ସ୍ପଷ୍ଟ ସ୍ୱରରେ କହିଲେ : ହର୍‌ଗିଜ୍‌ ନହିଁ (ଆଦୌ ନୁହେଁ) ଡକ୍‌ଟାର୍‌ ସାର୍‌ ! ଏୟସା ହୋ ନହିଁ ସକ୍‌ତା । ଖୋଦାକା ମର୍ଜି ଇୟେ ହ୍ୟାୟ କେ ଇସି ଜାଗାହ୍‌ ପର ଆପ୍ ଔର ହମାରା ମୁଲାକାତ୍‌ ହୋ ଯାୟଗି-। ତୋ ଫିର୍ କ୍ୟା କହୁଁ ଉନ୍‌କେ ରହମ୍‌ ଔର୍‌ ମର୍ଜିକେ ହିସାବ୍‌ !

 

ଅର୍ଥାତ୍, ଈଶ୍ୱରଙ୍କ ଇଚ୍ଛାରେ ଆଜି ଏଠି ସାକ୍ଷାତ ହେବାର ଥିଲା, ତେଣୁ ହୋଇଚି । ଆଉ ତାଙ୍କ ଇଚ୍ଛା ଓ କୃପାର ହିସାବ-ନିକାସ ମୁଁ କେମିତି ଦେବି ? ସେଭଳି କଥା ହେଲା ଶେଷ କଥା । ତା’ର କିଛି ଜବାବ ନାହିଁ, ଥାଇ ପାରେ ନା । କଥାଟା ଶୁଣି ନନୀ ଟିକିଏ ଥମକିଗଲା । ପରେ ମୁଣ୍ଡ ହଲାଇ ତାରିଫ୍ କରି କହିଲା : ବହୁତ୍‌ ଠିକ୍ ବାତ୍‌ ଆପଣ କହିଲେ । ଏହାର ଜବାବ୍‌ ନାହିଁ । କରିମ୍‌ ଓ ଅନ୍ୟମାନଙ୍କ ଆଡ଼କୁ ଅନାଇ ସେ ପୁଣି କହିଲା : କଅଣ ସବୁ ଛାଇପାଉଁଶ ଲେଣ-ଦେଣ କଥାରେ ମସ୍ତ ହୋଇ ରହିଚ ଭାଇ ! ଖାଁ ସାହେବ୍‌ଙ୍କ କଥାଟା ଥରେ ଖିଆଲ କଲ ନାହିଁ, ହାୟ ହାୟ-!

 

ସେମାନେ ଖିଆଲ କରିଛନ୍ତି । ନନୀ କଥା ଶୁଣି ସେମାନେ ଜୋରରେ ମୁଣ୍ଡ ହଲାଇ ଜଣାଇଦେଲେ ଯେ ସେମାନେ ଖିଆଲ କରିଛନ୍ତି । ଇୟା ଭିତରେ ନନୀ ମୋତେ ଫୁସ୍ ଫୁସ୍ କରି ଜଣାଇଦେଲା ଯେ ଖାଁ ସାହେବ ଯା ତା ଲୋକ ନୁହଁନ୍ତି, ସେ ଜଣେ ପ୍ରଚ୍ଛନ୍ନ ସାଧକ, ଆଉ ସେ କଥା ବୁଝିବାର କ୍ଷମତା ମୋର ନାହିଁ । କଥାଟା ମୋ ପ୍ରାଣକୁ ଛୁଇଁନାହିଁ । ଖୋଦାଙ୍କ ମର୍ଜି ଓ ଭଗବାନଙ୍କ କୃପା ବୋଲି ଶୁଣି ଶୁଣି କାନ ବଧିରା ହୋଇଗଲାଣି । ସେ ସବୁ ତ ଖାଲି କଥାରେ ମାତ୍ର । ଯାହା ହେଉ ନନୀ ଖାଁ ସାହେବଙ୍କୁ କହିଲା : ଇୟେ ମୋ ଭାଇ । ଆପଣ ଏକୁ କଅଣ ଏକ ଅଜବ୍ ଆସାଓରି ଶୁଣାଇ ଘାୟେଲ୍ କରିଛନ୍ତି । ମୋର ତ ମନେ ହୁଏ ଆପଣ ଖୋଦାଙ୍କ ତାରିଫ୍ ଲୋକ । ସବୁ ଜାଣନ୍ତି ବୁଝନ୍ତି । ବର୍ତ୍ତମାନ ମୋ ନସିବ୍‌ରେ ଆପଣଙ୍କ ଗାନ ଶୁଣିବା ଅଛି କି ନା ମେହେରବାନି କରି କହନ୍ତୁ ।

 

ନନୀ କଥାରେ ଚପଳତା ବା ଥଟ୍ଟାତମାସାର ସୁର ଆଦୌ ଆଉ ନାହିଁ । ଖାଁ ସାହେବ ସେମିତି ନିର୍ବିକାର ଭାବରେ କହିଲେ : ଖୋଦାହିଁ ଜାଣନ୍ତି ଖୋଦାଙ୍କ ମର୍ଜି ଓ ଆପଣଙ୍କ ନସିବ୍‌ର ନତିଜା (ଶେଷ ଫଳ) ! କଅଣ ଘଟିବ ମୁଁ କି ଜାଣେ !

 

ନନୀ ଏକଦମ୍ ନିର୍ବାକ୍ ହୋଇଗଲା । ନନୀର ଗୋଟାଏ ଦୁର୍ବଳତା ଥିଲା ଯେ କାହାକୁ ଥରେ ସାଧକ ବୋଲି ମନେ ହେଲେ ତା କଥାର ଜୋର୍ କମିଯାଏ । ଶୁଣିବା ଆଗ୍ରହଟା ବଢ଼େ । ମୁଁ ଆଉ ଚୁପ୍ ରହି ପାରିଲି ନାହିଁ । ଖାଁ ସାହେବଙ୍କୁ କହିଲି : ଆପଣ ହୁଏତ ନାଟୋର ମହାରାଜାଙ୍କ ନାଁ ଶୁଣିଥିବେ । ବାଂଲା ମୁଲ୍‌କ୍‌ର ପୁରାନା ଶାହା ଶରୀଫ୍ ଔର୍‌ ସିଲ୍‌ସିଲା (ରାଜଗୌରବ ଓ ବଂଶପରଂପରା) ଆଜି ପର୍ଯ୍ୟନ୍ତ ଚାଲିଆସିଛି । ବର୍ତ୍ତମାନର ନାଟୋର ମହାରାଜା ଆପଣଙ୍କୁ ନିମନ୍ତ୍ରଣ ଜଣାଇ ଅନୁରୋଧ କରିଛନ୍ତି ଯେ ଆସନ୍ତା କାଲି ସନ୍ଧ୍ୟାରେ ଆପଣ ତାଙ୍କ ଭବନରେ ତସ୍‌ରିଫ୍ ନେବେ । କିଛି ସୁର୍‌ ଓ ରାଗର ଶକ୍‌ଲ୍‌ (ରୂପ) ଜାହିର କରି ଖୁସୀ ଔର୍ ଇନାୟେତ୍‌ କି ଖୁସ୍‌ବୁ ଡାଲ୍‌ ଦେଁ (ଆନନ୍ଦ ଓ ପରସ୍ପର ପ୍ରୀତିର ସୁଘ୍ରାଣ ବିକିରଣ କରିବେ) । ମେହେରବାନି କରି କହନ୍ତୁ ଆପଣଙ୍କ ସୁବିଧା ହେବ କି ନା । ଆପଣଙ୍କ ରାଜି ହେବାର ଶୁଣି ଆମେ ତାଙ୍କୁ ଖବର ଦେବୁ ଓ ପ୍ରସ୍ତୁତ ହୋଇ ରହିବୁ ।

 

ମୋ କଥା ଶୁଣି ଖାଁ ସାହେବ ଆଦାବ୍ ଜଣାଉ ଜଣାଉ କହିଲେ : ବହୁତ୍‌ ଖୁସିକି ବାତ୍ ! ମଗର୍‌ ଆପ୍‌କୋ ବଡ଼ି ତକ୍‌ଲିଫ୍‌ ହୁୟି ହୋଗି ମେରେ ଖୁସିକେ ଲିୟେ ।

 

ଚୌକିରୁ ଉଠିଆସି ସେ ମୋ ହାତ ଧରିଲେ । ମୁଁ ବି ଛିଡ଼ା ହେଲି । କିଛି କହିବାକୁ ବା କରିବାକୁ ସାହସ ହେଲା ନାହିଁ । କାରଣ ଦେଖିଲି, ସେ ଉପରକୁ ଚାହିଁ ଏକପ୍ରକାର ମନ୍ତ୍ର ଉଚ୍ଚାରଣ କରୁଛନ୍ତି ! ଟିକିଏ ପରେ ଉତ୍‌ଫୁଲ୍ଲ ନୟନରେ ନନୀ ଓ ମୋ ଆଡ଼େ ଚାହିଁ କହିଲେ : ଖୋଦା ଆପଣମାନଙ୍କର ଭଲ କରିବେ । ମୁଁ ତାଙ୍କ (ଆନନ୍ଦ) ପାଖରେ ଦୋୟା ମାଗିଛି, ଆପଣମାନଙ୍କ ହୃଦୟ ଯେମିତି ଏମିତି ଲୁତ୍‌ଫ୍‌ ଓ ସଖାଓତ୍‌ (ସୌଜନ୍ୟ) ରେ ଭରି ରୁହେ ।

 

ତାଙ୍କ ହୃଦୟ ଭିତରେ କି ବ୍ୟାପାର ସବୁ ଘଟୁଥିଲା ମୁଁ ଜାଣେନା । କିନ୍ତୁ ଅନୁଭବରେ ବୁଝିପାରିଲି ତାଙ୍କ ହାତ ଦୁଇଟି ସୁଖୋଷ୍ଣ ଓ କୋମଳସ୍ପର୍ଶ । ଆମ ହୃଦୟ ସର୍ବଦା ଆନନ୍ଦ ଓ ସୌଜନ୍ୟରେ ଭରି ରହି ନାହିଁ । ଦୁଃଖ, ଦୈନ୍ୟ, ହିଂସାରେ ମଳିନ ହୋଇଯାଇଛି ବେଳେବେଳେ । କିନ୍ତୁ କହିପାରେ, ତାଙ୍କ ପ୍ରାର୍ଥନା ଓ ଆଶୀର୍ବଚନ ଆମ ହୃଦୟରୁ ଲିଭିଯାଇନି ।

 

ଖାଁ ସାହେବଙ୍କୁ ବସିବାପାଇଁ ଅନୁରୋଧ କଲି । ସେ ବସିବାରୁ ପଚାରିଲି : ତାହେଲେ ଆପଣ ରାଜି ଅଛନ୍ତି ବୋଲି ମହାରାଜାଙ୍କୁ ଖବର ପଠାଇଦେବି ? ସେ କହିଲେ : ଜରୁର୍‌ ବେଶକ୍ ! ଆପ୍‌ ଇସ୍ ବାତ୍‌କୋ ଖବର୍‌ ଭେଜ୍ ଦିଜିୟେ । ମୈ ତୈୟାର୍ ରହୁଙ୍ଗା ଔର୍ ଆପ୍‌କା ଇନ୍ତିଜାର୍ (ଅପେକ୍ଷା) କରୁଙ୍ଗା ମଗର୍‌...

 

କଥା ଶେଷ କରିବାକୁ ନନୀ ତାଙ୍କୁ ଦେଲା ନାହିଁ । ନନୀ ତାଙ୍କୁ କହିଲା : ଆସନ୍ତା କାଲି ମୋର ଏଇ ଭାଇ ଆପଣଙ୍କ ପାଖକୁ ଆସିବ । ଏଇଠିକି ଆସିବ ଆଉ ଆପଣଙ୍କୁ ସାଙ୍ଗରେ ନେଇଯିବ ।

 

ନନୀ କଥା ଶୁଣି ଖାଁ ସାହେବ ତାକୁ କହିଲେ : ବହୁତ୍‌ ମେହେରବାନି ହ୍ୟାୟ ଆପ୍‌କି । ଅବ୍ ଦେଖିୟେ ଡାକ୍ଟର ସାବ୍ ! ଆପ୍‌ ନସିବ୍‌କା ଜିକ୍‌ର୍‌ କର୍‌ତେଥେ । ଖୋଦା ଉସ୍‌ ବାତ୍‌କୋ ମନ୍‌ଜୁର କର୍ ରଖ୍‌ଖା ହ୍ୟାୟ, ନ ମାଲୁମ୍ କବ୍‌ସେ ! ଖଏର୍, ଆପ୍‌ ତୋ ଜଲ୍‌ସେମେ ତସ୍‌ରିଫ୍‌ ଲାୟେଙ୍ଗେ ?

 

ନନୀ ହାତ ମଚାଳୁ ମଚାଳୁ କହିଲା : ଅଜୀ ! ହମାରା ଜିକ୍‌ର୍‌କା ଜିକ୍‌ର୍‌ ଛୋଡ଼୍ ଦିଜିୟେ ଖାଁ ସାବ୍ ! ହମ୍‌ ତୋ ବିଲ୍‌କୁଲ୍‌ ନା-ଲାୟେକ୍ ହ୍ୟାଁୟ ଔର୍‌ ଆପ୍‌କେ ଅଧୀନ ହ୍ୟାଁୟ । ଆପ୍‌ ବୁଜୁର୍ଗ ହ୍ୟାଁୟ । ଆପ୍‌କା ମୁହଁସେ ଯୋ ବାତ୍‌ ନିକ୍‌ଲେଗି ଉସି ବାତ୍‌ କାୟେମ୍‌ ହୋ ଯାୟେଗି ! ଜୀହାଁ, ଜଲ୍‌ସେମେ ମ୍ୟାୟ ଜରୁର୍ ହାଜିର ରହୁଙ୍ଗା ।

 

ନନୀ ଓ ମୁଁ ପ୍ରାୟ ଏକାସାଙ୍ଗରେ କହିଲୁ : ଓସ୍ତାଦ୍‌ ବିଶ୍ୱନାଥଜୀ ବି ଆସିବେ । କୁମାର ବାହାଦୁର ତ ବିଶ୍ୱନାଥଜୀଙ୍କ ସାଗିର୍ଦ୍‌ । ଆହୁରି ଅନେକ କଦର୍‌ଦାନ୍ ସମଝଦାର ରହିବେ ଆଶା କରୁଁ ।

 

ଖାଁ ସାହେବ ତମ୍ୱୁରା ଓ ସଙ୍ଗତୀ କଥା ଉଠାନ୍ତେ ମୁଁ ତାଙ୍କୁ ସେ ବିଷୟରେ ନିଶ୍ଚିନ୍ତ କଲି । କହିଲି : କମ୍‌ସେ କମ୍‌ ଦୋ ତମ୍ୱୁରା ମିଜୁଜ୍‌ ଅଛି ଆପଣଙ୍କ ପାଇଁ । ସ୍ୱୟଂ ବିଶ୍ୱନାଥଜୀ ସଟ୍ଟତୀୟା ଅଣିବେ । ଖାଁ ସାହେବ ଖୁବ୍ ଖୁସୀ । କରିମ୍‌କୁ କହିଲେ : ଏଇ ବାବୁ ସାବ୍‌ ଆଜି ସକାଳେ ମୋ ସହିତ ମୋର ବସାକୁ ଯାଇଥିଲେ ।

 

ଖାଁ ସାହେବଙ୍କ କଥା ଶୁଣି କରିମ୍‌ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ମୋତେ ଅନାଇଲା । ମୁଁ ତାକୁ କହିଲି : ମୁଁ ଓ ମୋର ଆଉ ଏକ ଭାଇ ଆଜି ସକାଳେ ଖାଁ ସାହେବଙ୍କ ଦର୍‌ଶନ୍ ପାଇଥିଲୁ ।

 

ନନୀ ଏହି ସମୟରେ ଖାଁ ସାହେବଙ୍କୁ କହିଲା : ବିଶ୍ୱନାଥଜୀଙ୍କ ପାଖରୁ ଆପଣଙ୍କ ବୀଣାବାଦନର ପ୍ରଶଂସା ଶୁଣିଛୁ । ଯଦି ମେହେରବାନି ହୁଏ ତ ଆପଣଙ୍କ ବୀଣାଟି ସାଙ୍ଗରେ ଆଣିଲେ ହୁଅନ୍ତା ନାହିଁ ?

 

ବୁଝିଲି, ନନୀ ବି ଖାଁ ସାହେବଙ୍କ ଚରିତ୍ରଗତ ବ୍ୟାପାରରେ ପରୀକ୍ଷା କରିବାକୁ ଚାହେଁ ! ଖାଁ ସାହେବ ସପ୍ରତିଭ ହୋଇ କହିଲେ : ବୀଣାଟି ଏଠାରେ ନାହିଁ । ଲାହୋରରେ ଛାଡ଼ି ଆସିଛି ।

 

ସେଇ ଗୋଟିଏ କଥା ! ଯାହା କହ ନା କାହିଁକି, ଖାଁ ସାହେବ ଭଦ୍ରଲୋକ । ଲାହୋର ଛଡ଼ା ଅନ୍ୟ କୌଣସି ସ୍ଥାନର ନାଁ ସେ କହିଲେ ନାହିଁ । ମୋର ଦୃଢ଼ ବିଶ୍ୱାସ ହେଲା, ସେ ଯଥାର୍ଥରେ ଏକଦା ବୀଣା ବଜାଉଥିଲେ । ନନୀର କଥାଗତି ବଦଳାଇଦେବା ପାଇଁ ମୁଁ କାଲେ ଖାଁ ସାହେବଙ୍କୁ ପଚାରିଲି : ଆପଣ କଅଣ ବର୍ତ୍ତମାନ ଡେରାକୁ ଫେରିବେ ? ନା, ଅନ୍ୟ କେଉଁଠିକି ଯିବେ ?

 

ଖାଁ ସାହେବ କହିଲେ ସେ ଡେରାକୁ ଯିବେ ନାହିଁ, ଜଣେ ଲୋକ ଆସିବ, ତା ସହିତ ଯିବେ ମେଛୁଆବଜାର । କହୁ କହୁ ଜଣେ ଲୋକ ଆସି ସଲାମ୍‌ କରି ଛିଡ଼ା ହେଲା । ସେହିକ୍ଷଣି ମୋର ମନେ ହେଲା, ଭାଗ୍ୟକୁ ମୁଁ ଓ ନନୀ ଫଳବାଲା ଦୋକାନକୁ ଆସିଥିଲୁ, ନ ହେଲେ ଆଜି ଖାଁ ସାହେବଙ୍କ ଦେଖା ମିଳି ନ ଥାନ୍ତା ଏବଂ ଖାଁ ସାହେବ ଆମର ଆସିବାର ଭରସା ନ କରି ତାଙ୍କ ଡେରାରୁ ବାହାରି ଆସିଥାନ୍ତେ ! କାହିଁକି ସ ମେଛୁଆବଜାର ଯିବେ ବୁଝିପାରିଲି ନାହିଁ । କିନ୍ତୁ ପଚାରିବାଟା ଉଚିତ ମନେ କଲି ନାହିଁ ।

 

ଖାଁ ସାହେବ ଆମଠାରୁ ବିଦାୟ ନେଇ ଚାଲିଯିବା ବେଳେ ନନୀ ଆଉ ଗୋଟିଏ ସିଗାରେଟ ବାହାର କରି ଖାଁ ସାହେବଙ୍କୁ ଭକ୍ତିସହକାରେ ନିବେଦନ କଲା । ଆମେ ଛିଡ଼ା ହୋଇ ଆାଦାବ୍‌ ଜଣାଇଲୁ । ଖାଁ ସାହେବ ଚାଲିଗଲେ । ନନୀ କହିଲା : ଭାଗ୍ୟ ଭଲ ଯେ ଆମେ ଟ୍ରାମରୁ ଓହ୍ଲାଇଥିଲୁ !

 

ନନୀ ତା’ପରେ ବାଦାମ ପେସ୍ତା ଆଖରୋଟ କିଣିବାରେ ମନ ଦେଲା । କରିମ୍‌ ଆମ ପାଖରେ ଥିଲା । କରିମ୍‌କୁ ଖାଁ ସାହେବଙ୍କ କଥା ପଚାରନ୍ତେ ସେ ଖୁବ୍ ଶ୍ରଦ୍ଧା ସହକାରେ ଆମକୁ ଯେଉଁ ବୃତ୍ତାନ୍ତ କହିଲା ତା’ର ସାର କଥା ହେଲା– ଖାଁ ସାହେବଙ୍କ ସହିତ ତା’ର ଆଳାପ ହୁଏ ପଞ୍ଜାବରେ । ଖାଁ ସାହେବଙ୍କୁ ସେ ନିଜ ବାପ ଦାଦା ଭଳି ଭକ୍ତି କରେ । ଖାଁ ସାହେବ ପୀର୍‌-ବୁଜୁର୍ଗ୍‌ ଶ୍ରେଣୀର ଲୋକ । ଖୁବ୍‌ ଅଦ୍‌ଭୁତ ଲୋକ । ଦୁନିଆରେ କାହାରି ପରୁଆ ସେ କରନ୍ତି ନାହିଁ । ଯାହାଙ୍କ ଘରେ ସେ ଅଛନ୍ତି ସେଠି ସେ ଖାଆନ୍ତି ନାହିଁ । ମାସକ ଭିତରେ ପ୍ରାୟ କୋଡ଼ିଏ ଦିନ ସେ ପାଖ ହୋଟେଲରୁ ରୁଟି ତରକାରି ମଗାଇ ଖାଆନ୍ତି । ଏଇ ଦୋକାନର ମାଲିକ, ଅର୍ଥାତ୍ କରିମ୍‌ର ମୁରବ୍‌ବୀ ସେ ଖରଚ ବହନ କରନ୍ତି ଏବଂ ସେ କଥା ତଦାରକ କରନ୍ତି ।

 

କହୁ କହୁ କରିମ୍‌ର ଡକରା ଆସିବାରୁ ସେ ଭିତରକୁ ଚାଲିଗଲା । ଟିକିଏ ପରେ ଦୋକାନ ମାଲିକ, କରିମ୍‌ ଓ ନନୀ ଆସି ବାହାରେ ମୁଁ ବସିଥିବା ଜାଗା ପାଖରେ ଛିଡ଼ା ହେଲେ । ନନୀ ହାତରେ ବେଶ୍‌ ବଡ଼ ଗୋଟାଏ ପୁଟୁଳି । ମାଲିକ ହାତରେ ବି ସେଇ ଆକାରର ଆଉ ଗୋଟିଏ । ମାଲିକ ସାହେବ ସେ ପୁଟୁଳିଟା ମୋ ହାତରେ ଦେଇ ଅନୁରୋଧ କଲେ ଯେ ଏ ଉପହାର ମୋତେ ନେବାକୁ ପଡ଼ିବ । ଆଜି ଏ ଆନନ୍ଦ ଦିନରେ ଯତ୍‌ସାମାନ୍ୟ ନଜରାନା ସେଟା । ମୁଁ ସାମାନ୍ୟ ଦୋଦୋପାଞ୍ଚ କରିବାରୁ ମାଲିକ ଓ କରିମ୍‌ ଅତ୍ୟନ୍ତ ସରଳ ଭାଷାରେ ବୁଝାଇଦେଲେ ଯେ ମୁଁ ଯଦି ଖାଁ ସାହେବଙ୍କୁ କଚୁରି-ଜିଲବୀର ନାସ୍ତା କରାଇପାରିଲି ତ ସେମାନେ କାହିଁକି ସାମାନ୍ୟ ମେଓୟା ବି ନ ଖୋଇ ପାରିବେ ! ମୁଁ ବିଲ୍‌କୁଲ୍‌ ନିର୍ବାକ୍ ହୋଇଗଲି । ସେମାନଙ୍କ ମନୋଭାବର ସମ୍ମାନ ଦେବାକୁ ଭାଷା ପାଇଲିନି ! ମୁଁ ଯଦି ସେଇ ପାହାଡ଼ ଅଞ୍ଚଳରେ ସରଳ ଭାଷା ଜାଣିଥାନ୍ତି, ଆଉ ସେମାନଙ୍କ ଭଳି ସରଳ ହୃଦୟ ବ୍ୟାପାରଟା ବୁଝିଥାନ୍ତି, ତାହେଲେ ବୋଧହୁଏ କିଞ୍ଚିତ୍ ଧନ୍ୟବାଦ ବା ଆଉ କିଛି କହିପାରିଥାନ୍ତି । ମୁଁ ସଭ୍ୟ ଶିକ୍ଷିତ ସମାଜର ଲୋକ । ମୋ ତରୁଣ ମନ ଯେତେ ଅସ୍ଥିର ଚଞ୍ଚଳ, ସେତେ ସନ୍ଦେହକାତର ! ଆଉ ହୃଦୟରେ ସ୍ଥାୟୀ ବିଶ୍ୱାସ ବୋଲି କିଛି ଦେଖା ଦେଇନାହିଁ । କିନ୍ତୁ ସେଇ ମୁହୂର୍ତ୍ତରେ ଗୋଟାଏ ସୌନ୍ଦର୍ଯ୍ୟ ଅନୁଭବ କରିଥିଲି ଓ ବୁଝିଥିଲି, ଲୌକିକତାର କୃତ୍ରିମ ଉତ୍ତର ଦେଇ ନିଜ ହୃଦୟକୁ କଳୁଷିତ କରିବି ନା ନାହିଁ ।

 

ନନୀ ପକ୍ଷରେ ସିଧା ରାଜଭବନ ଯିବା ସମ୍ଭବ ହେଲା ନାହିଁ । ଆମେ ବସାକୁ ଫେରିବା ବାଟରେ ଆମ ଭିତରେ ମତଭେଦ ଦେଖାଦେଲା । ନନୀ କୁହେ, ଖାଁ ସାହେବ ଜଣେ ପ୍ରଚ୍ଛନ୍ନ ସାଧକ । ମୁଁ କୁହେ, ଖାଁ ସାହେବ ଜଣେ ସରଳ ଓ ଭଲମନ୍ଦ ମିଶା ପୂରା ମଣିଷଟିଏ । ନନୀ ମଣିଷ ଭିତରେ ସାଧକତ୍ୱ ଖୋଜି ବାହାର କରିବାର ଚେଷ୍ଟା କରେ । ମୁଁ ଖୋଜେ, ମଣିଷ ଭିତରେ ଯେଉଁଟା ଅସଲ, ବୋଇଲେ ତାଜା ମଣିଷ । ଅନେକ ଯୁକ୍ତିତର୍କ ପରେ ଆମ ଭିତରେ ଗୋଟାଏ ସାମୟିକ ରଫା ହେଲା । ମଣିଷ ଭିତରେ ପ୍ରଚ୍ଛନ୍ନ ସାଧକ ବୋଲି ନନୀ ଯାହାକୁ ଶ୍ରଦ୍ଧା କରୁଛି, ସେଇଟି ହେଲା ମଣିଷ ଭିତରେ ଅସଲ ମଣିଷ, ଯାହାକୁ ମୁଁ ଚିହ୍ନିବାର ଚେଷ୍ଟା କରେ । ଗୋଟିଏ କଥାରେ କହିଲେ, ପ୍ରତ୍ୟେକ ମଣିଷ ଭିତରେ ଅସଲ ମଣିଷଟିଏ ପ୍ରଚ୍ଛନ୍ନ ଥାଏ । ଆଉ ବାହାରର ନକଲି ମଣିଷଟି ହେଲା ସମାଜର ଛାପମରା ଗୋଟିଏ ଜଡ଼ ଓ ଚୈତନ୍ୟର ପିଣ୍ଡ ।

 

ପରଦିନ ସନ୍ଧ୍ୟାର ଟିକିଏ ପରେ କରିମ୍‌ ଦୋକାନରେ ଖାଁ ସାହେବଙ୍କ ଦେଖା ମିଳିଲା । ସେ ତାଙ୍କ ବସାକୁ ଯାଇ ବେଶ ବଦଳାଇବେ । କରିମ୍‌ ଓ ମୁଁ ତାଙ୍କ ସହିତ ଗଲୁ । କରିମ୍‌ ହାତରେ ଗୋଟିଏ ଲଣ୍ଠନ । ଯାଉ ଯାଉ ସେ କହିଲା ଯେ ପ୍ରାୟ ପ୍ରତିଦିନ ରାତିରେ ସେ ଲଣ୍ଠନ ନେଇ ଖାଁ ସାହେବଙ୍କୁ ତାଙ୍କ ଡେରାରେ ପହଞ୍ଚାଇଦିଏ । ବୁଝିଲି, କରିମ୍‌ହିଁ ତାଙ୍କର ଯଥାର୍ଥ ସେବକ ।

 

ସେଇ ଉପର ବଖରାରେ ପହଞ୍ଚି ଦେଖେ, ଖଟଟି ଗାୟେବ୍ ! ତା ସ୍ଥାନ ଦଖଲ କରିଚି ଗୋଟିଏ ଦଉଡ଼ିଆ ଖଟିଆ । ଆମକୁ ଆରାମ କରିବାକୁ କହି ଖାଁ ସାହେବ ପାଖ ବଖରା କବାଟ ଖୋଲିଲେ । ଲଣ୍ଠନ ହାତରେ ତା ଭିତରକୁ ଗଲୁ । ଏଇ ଅବସରରେ କରିମ୍‌କୁ ପଚାରିଲି ସେଇ ଖଟ କଥା । କରିମ୍‌ କହିଲା ଖାଁ ସାହେବ ଆଜି ସକାଳେ ତାକୁ ନା-ମଞ୍ଜୁର୍‌ କରି ବିଦାୟ ଦେଇଛନ୍ତି, କାରଣ ସେଟା ସବୁବେଳେ ବଦ୍‌-ଅଓୟାଜ୍‌ କରି ଭଦ୍ରଲୋକମାନଙ୍କୁ ବିରକ୍ତ କରେ ।

 

ଏହି ସମୟରେ ଖାଁ ସାହେବ ମୋତେ ଡାକି ପଚାରିଲେ : ଜରା ଦେଖିୟେ ତୋ ଇସ୍‌ ଚିଜ୍‌କୋ ।

 

ଆମେ ଛିଡ଼ା ନ ହେଉଣୁ ଖାଁ ସାହେବ ଆସ୍‌ମାନି ରଙ୍ଗର ଗୋଟିଏ ଲମ୍ୱା କୁର୍‌ତା ହାତରେ ଧରି ହାଜର୍‌ । କରିମ୍‌କୁ ଲଣ୍ଠନଟା ଟେକି ଧରିବାକୁ କହିଲେ । ଲଣ୍ଠନ ଆଲୁଅରେ ତାକୁ ଦେଖିବାକୁ ପଡ଼ିଲା । ଖାଁ ସାହେବ ଯେ ନ ଦେଖେଇ ଛାଡ଼ିବେ ନାହିଁ ! ନିହାତି ମନ୍ଦ ନୁହେଁ ଦେଖିବାକୁ । ତେବେ ପୁରୁଣା ବୋଲି ମନେ ହେଲା । ଖାଁ ସାହେବ ମୋତେ ସତୃଷ୍ଣ ନୟନରେ ଚାହିଁଥିବାର ଦେଖି କହିଲି : ବଡ଼ି ବାରିକ (ନରମ) ଔର୍‌ ବେହ୍‌ତର୍‌ (ଉତ୍କୃଷ୍ଟ) ଚିଜ୍‌ ଇୟେ କୁର୍‌ତା ଆପ୍‌କେ ! ମାଲୁମ୍ ହୋତା ଯୈସେକି ସିତାଁରୋସେ (ନକ୍ଷତ୍ରପୁଞ୍ଜରୁ) ରୋସ୍‌ନିକି ଟୁକ୍‌ରିୟେଁ କୁଦ୍ ପଡ଼ି ରହି ହ୍ୟାଁୟ ! ଆହଃ ହା !

 

ଖାଁ ସାହେବ ପ୍ରସନ୍ନ ମନରେ ପୁଣି ଚାଲିଗଲେ ସେ ଘର ଭିତରକୁ ଲଣ୍ଠନ ଓ କୁର୍‌ତାଟି ନେଇ । ଏଥର ପକ୍‌କା ଦରବାରୀ ବେଶରେ ଖାଁ ସାହେବ ବାହାରିଲେ । ମୁହଁରେ ସଂଯତ ଆନନ୍ଦ ଭାବ । ମଝିରେ ମଝିରେ ନିଶହଳକ ସାଉଁଳି ଦେଉଥାନ୍ତି । ଛାତିର ବୁଟିଦାର ବୋତାମସବୁ ଟାଇଟ୍ ହେଉଥିବାରୁ ସାନ ବୋଇତାଳୁ ଆକାରର ପେଟଟିର ଟିକିଏ ଉନ୍ନତ ଆଭାସ ଦିଶୁଥିଲା । ତେବେ ଅସୁନ୍ଦର ଦିଶୁ ନ ଥିଲା, କାରଣ ମୁଣ୍ଡରେ ବୃହଦାକାର ସୁଷ୍ଠୁ କୁଣ୍ଡଳୀବଦ୍ଧ ମୁରେଠା ରୂପକ ବଟକରାଦ୍ୱାରା ଉପର ତଳ ସମାନ ରଖାଯାଇଛି । କିନ୍ତୁ ଗୋଟେ ବେଖାପ ଜିନିସ ନଜରରେ ପଡ଼ିଲା । ଦେଖେ, ସେଇ ରେଶମୀ ତାରା-ପକା ଜାମାର ଶୋଭା ନଷ୍ଟ କରୁଚି ଗଳାରୁ ଝୁଲୁଥିବା ଗୋଟିଏ ଲାଲ ଫିତାର ଘେର ଓ ତା ଶେଷରେ ଗୋଟିଏ ସବୁଜ ପଥରର ଚକ୍‌ତି, ଯାହା ଉପରେ ଖୋଦେଇକରା ସୁନେଲି ଆରବି ହରଫରେ କଅଣ ସବୁ ଲେଖା ହୋଇଚି । ଏ ତ ଫିରୋଜ୍‌ ପଥରର ଚକ୍‌ତି ।

 

ଦେଖିବାମାତ୍ରେ ମନେପଡ଼ିଗଲା ମୋ ମା’ଙ୍କ କଥା । ପୂର୍ବେ ଆମେ ଗୟାରେ ଥିବାବେଳେ ମୋ ମା ମଝିରେ ମଝିରେ ଏକପ୍ରକାର ମାନସିକ ଉଦ୍‌ବେଗରେ କାତର ହୋଇ ପଡ଼ୁଥିଲେ । ଆଜିକାଲିକାର ଚିକିତ୍ସକ ଏହାକୁ ‘ନିଉରୋସିସ୍‌’ କହନ୍ତି । ମୋ ପିତୃଦେବଙ୍କର ଜଣେ ସମ୍ଭ୍ରାନ୍ତ ମୁସଲମାନ ବନ୍ଧୁ ମୋ ମା’ଙ୍କ ରୋଗର ପ୍ରତିକାର ପାଇଁ ଏମିତିକା ଗୋଟିଏ ଫିରୋଜ୍ ପଥରର ଚକ୍‍ତି ଅଣାଇ ଦେଇଥିଲେ । ଯାହାହେଉ, ସେତେବେଳେ ଜାଣିପାରିଥିଲି ‘ଫିରୋଜ୍’ ମାନେ ‘ବିଜୟ’ ।

 

ଖାଁ ସାହେବଙ୍କ ଗଳାରେ ସେ ପଥରଟି ମୋତେ ଭଲ ଲାଗିଲା ନାହିଁ । ତାଙ୍କୁ କହିଲି : ଫିରୋଜ୍‌ ପଥରର ଯାଦୁମନ୍ତ୍ରକୁ କୁର୍‌ତା ଭିତରେ କଲେଜା ପାଖରେ ରଖିଲେ ଖୁବ୍ ଭଲ ହୁଅନ୍ତା । ଆଉ ଫିରୋଜ ! ସେ ତ ଆପଣଙ୍କ ସୁରରେ ଦମ୍‌ ପର୍ ଦମ୍‌ ବାହାରି ଆସିବ ମଇଫିଲ୍‌ରେ । ଖାଁ ସାହେବ ମୋ ପରାମର୍ଶକୁ ସମ୍ମାନ ଦେଇ ବୋତାମ ଖୋଲି ଯାଦୁ ପଥରଟି ଭିତରେ ଗଳାଇଦେବାକୁ ମୋତେହିଁ କହିଲେ । ବୁଟିଦାର ବୋତାମ ଖୋଲି ସେ ଫିତା ଓ ଚକ୍‍ତିଟି ଭିତରକୁ ଗଳାଇଦେଲି ଓ ବେଶ୍‌ ପରିଶ୍ରମ ସହକାରେ ପୁଣି ବୋତାମଗୁଡ଼ିକ ଲଗାଇଦେଲି ।

 

ଦମ୍‌ ନେଇ ଦୁଇ କଦମ୍‌ ପଛେଇଯାଇ ଖାଁ ସାହେବଙ୍କୁ ଅନେଇଲି । ତାଙ୍କ ମୁଣ୍ଡରେ ରକ୍ତମନ୍ଦାର ରଙ୍ଗର ମୁରେଠା ଖୁବ୍ ଦୁରସ୍ତ ସଓୟାର ହୋଇଛି ଅବଶ୍ୟ । ଯେମିତି ସୁନ୍ଦର ତା ଢଙ୍ଗ ସେମିତି ସୁନ୍ଦର ତା ପରିପାଟି । କହିଲି : ଆପଣଙ୍କ ଲାଲ୍ ମୁରେଠା ମାଲକୋସ୍ ରାଗର ମଧ୍ୟମ ଭଳି ଜଗ୍‌ମଗ୍‌ କରୁଛି; ଲା-ଜଓୟାବ୍ !

 

ଖାଁ ସାହେବ ଏଥର ମୁହଁ ଖୋଲି ହସି ପକେଇଲେ । ସେଇ ଥରୁଟିକ ପାଇଁ ତାଙ୍କ ହସର ଆଓୟାଜ୍ ଶୁଣିଥିଲି ! ଆଓୟାଜ୍‌ଟା ମୋତେ ଭଲ ଲାଗି ନ ଥିଲା । ମନେ ପଡ଼ିଗଲା । ଗ୍ରୀକ୍‌ ଦେଶୀୟ ବୁଦ୍ଧିମନ୍ତର ପ୍ରବାଦ ବାକ୍ୟ, Laugh if you are wise. ବୋକାମାନେ କଥା ନାହିଁ ବାର୍ତ୍ତା ନାହିଁ ସଦାବେଳେ ଦାନ୍ତ ଦେଖେଇ ହସୁଥାନ୍ତି । ବୁଦ୍ଧିମାନମାନେ ହସିବା ଆଗରୁ ବୁଦ୍ଧି ଖରଚ କରି ଦେଖନ୍ତି ହସିବା କାରଣ କିଛି ଅଛି କି ନା । ବୁଝି ବିଚାରି ସେମାନେ ହସନ୍ତି ।

 

କରିମ୍‌ ସପ୍ରଶଂସ ନୟନରେ ଖାଁ ସାହେବଙ୍କ ପୋଷାକ ଆଡ଼କୁ ଅନାଇ ରହିଥାଏ । ଖାଁ ସାହେବ ମୋତେ କହିଲେ : ଏଇ କରିମ୍‌ ଟୋକା ଭାରି ତମିଜ୍‌ଦାର୍ (ଶିଷ୍ଟ) ଓ ହୋସିୟାର୍ । ୟା ଉପରେ ଆଲ୍ଲାଙ୍କ ନେକ୍‌-ନଜର୍‌ ଅଛି ।

 

କରିମ୍‌ର ସୁଖ୍ୟାତି ଶୁଣି ମୋର ଈର୍ଷା ହୋଇଥିଲା । ଖାଁ ସାହେବଙ୍କୁ କହିଲି : ମୁଁ ଆପଣଙ୍କ ପୋଷାକର ଏତେ ତାରିଫ୍ କଲି, ତେବେ ବି ଆପଣ ମୋତେ କିଛି ମୁବାରକ୍‌ (ଭଲ କଥା) ଦେଲେ ନାହିଁ !

 

ଖାଁ ସାହେବ ବିଶଦ ନୟନରେ ମୋତେ ଚାହିଁଲେ । କତିକୁ ଆସି ମୋ ମୁଣ୍ଡରେ ହାତ ରଖି ସେ କଅଣ ଅସ୍ଫୁଟ ଶବ୍ଦ କଲେ ଓ ମୁଣ୍ଡ ଉପରେ ତିନିବାର ଫୁଙ୍କିଲେ । ତା’ପରେ କହିଲେ : କିଛି ଭୟ ନାହିଁ, କିଛି ପରବାଏ କରିବେ ନାହିଁ । ଆଲ୍ଲା ଆପଣଙ୍କ ମଙ୍ଗଳ କରିବେ, ମନେ ରଖିବେ-

 

କାହିଁକି ସେ ଏମିତି କଥା କହିଲେ ବୁଝିପାରିଲି ନାହିଁ, କାରଣ ଭୟ ବା ପରବାଏ ମୋର କୌଣସି ପ୍ରତି ନ ଥିଲା । ତେବେ ପରେ ଭାବି ଠିକ୍‌ କଲି ଯେ, ମୋର ଯୌବନ ବୟସ । ଗାନ ସୁରରେ ମୁଁ ଉନ୍ମତ୍ତ । ପ୍ରାୟ ଅବାଧ ମୋର ଗତି । ବିପଦ ପଡ଼ିବାକୁ କେତେକ୍ଷଣ ! ହୁଏତ ଖାଁ ସାହେବ ଭାବିଥିଲେ, ମୋ ପାଇଁ ଗୋଟାଏ ରକ୍ଷାମନ୍ତ୍ର ବା ପ୍ରାର୍ଥନାର କବଚ ପ୍ରୟୋଜନ ଅଛି ବା ହୋଇପାରେ ।

 

ଟ୍ୟାକ୍‌ସି ଧରି ମୁଁ ଓ ଖାଁ ସାହେବ ରାଜଭବନ ଚାଲିଛୁଁ । ଖାଁ ସାହେବ ଚୁପ୍‌ କରି ବସିଛନ୍ତି । ତାଙ୍କୁ ଗୋଟେ କଥା ପଚାରିବାର ଇଚ୍ଛା ହେଲା । ସେଦିନ ଟ୍ରାମ୍‌ରେ ବସି ସେ ମୋତେ ଚୌଧୁରାନ୍‌ଙ୍କ ଜଲ୍‌ସା କଥା କହିଥିଲେ । କାହିଁକି ଓ କଅଣ ଭାବି ସେ ମୋତ ସେକଥା ପଚାରିଥିଲେ ସେଇ କଥାଟା ବର୍ତ୍ତମାନ ପଚାରିଲି ।

 

ସର୍ବନାଶ ! ପ୍ରଶ୍ନ ଶୁଣି, ମନେ ହେଲା, ସେ ଅତ୍ୟନ୍ତ ବିରକ୍ତ ହେଲେ । କାରଣ ସେ ହଠାତ୍‌ ଆବାଜ କଲେ ‘ଲାହଲ୍‌-ଓୟେଲା-କୁବତ୍‌’ ଓ କଅଣ ବଡ଼ର୍‌ ବଡ଼ର୍ ହେଉ ହେଉ ଦେହ ଝାଡ଼ି ସଜାଡ଼ି ବସିଲେ ସିଟ୍‌ ଉପରେ । ମୁଁ ଟିକିଏ ଅପ୍ରସ୍ତୁତ ହେଲି । କଅଣ ଅପରାଧ କରିପକେଇଲି ବୁଝିପାରିଲି ନାହିଁ । ଖାଁ ସାହେବ ତ ନିଜେ ସେ କଥା ମୋତେ ପଚାରିଥିଲେ । ଛାଡ଼, ଚୁପ୍ ରହିବା ହିଁ ଭଲ । କିନ୍ତୁ ମନ ମୋର ଚଞ୍ଚଳ । ସତର୍କ ଦୃଷ୍ଟିରେ ତାଙ୍କ ଆଡ଼କୁ ଅନାଇବାରୁ ଦେଖିଲି, ତାଙ୍କ ଡାହାଣ ଆଣ୍ଠୁ ଉପରେ ଡାହାଣ ହାତ ଆଙ୍ଗୁଳିରେ ଗୋଟିଏ ତସ୍‌ବିର ମାଳି ବୁଲୁଚି । ମୁସଲମାନ ସାଧକମାନେ ଏହି ପ୍ରକାର ଜପାମାଳାରେ ଜପ କରନ୍ତି । ହରିବୋଲ, ବୋଲ ହରି ! ସେ ଯେ ଜପ କରୁଛନ୍ତି ଏକଥା କହିଦେଲେ ତ କଥା ଛିଣ୍ଡିଯାନ୍ତା, ମୁଁ ତାଙ୍କ ଜପରେ ବିଘ୍ନ କରି ନ ଥାନ୍ତି ! ଚୁପ୍‍ କରି ବସି ନନୀ କଥା ଭାବିଲି । ନନୀ ତା’ହେଲେ ନିହାତି ବାଜେ କଥା କହିନାହିଁ । କିନ୍ତୁ ସେ ବୁଝିପାରିଲା କେମିତି ! ନନୀ ବା କେଉଁ ମଣିଷଟିକୁ ଦେଖିଲା ଓ ବୁଝିଲା ! ମୁଁ ବା କେଉଁ ମଣିଷଟିକୁ ଦେଖୁଚି ! କିଛି ବୁଝିପାରିଲି ନାହିଁ ! ସେ ଯାହା ହେଉ, ମଣିଷ ଦୁଇଟି ନୁହେଁ, ଗୋଟିଏ ।

 

ଏଲ୍‌ଗିନ୍‌ ରୋଡ଼ରେ ଗାଡ଼ି ବୁଲିବାବେଳେ ଖାଁ ସାହେବଙ୍କ ଧ୍ୟାନ ଭାଙ୍ଗିଲା । ହାତକୁ ଚାହିଁ ଦେଖିଲି ମାଳା ଅଦୃଶ୍ୟ, ବୋଧହୁଏ ତାଙ୍କ ପକେଟରେ । ତଥାପି କଥା କହିବାକୁ ସାହସ ହେଲା ନାହିଁ । ଦେଖିଲି ଖାଁ ସାହେବ ତାଙ୍କ ଛାତି ପାଖରେ ଥିବା ଅଲକ୍ଷ୍ୟ ଫିରୋଜ ପଥରର ଚକ୍‍ତି ଉପରେ ହାତ ବୁଲାଉଛନ୍ତି । ଅଥଚ ଏଇ ଲୋକ ମୋ ମୁଣ୍ଡ ଫୁଙ୍କି କୃପା କରି ଅଭୟ ଦେଉଥିଲେ !

 

ଏତିକିବେଳେ ସେ ହିଁ ମୋତେ ପଚାରିଲେ, ମୁଁ ଗଣେଶୀଲାଲ ଚୋବେଜୀଙ୍କ ତାରିଫ୍, ଅର୍ଥାତ୍‌ ନାଁ ଗାଁ ଗୁଣାବଳୀ କଥା ଶୁଣିଛି କି ନା । ସେ ନାଁଟି ମୁଁ ମୋ ଜୀବନରେ ପ୍ରଥମ ଶୁଣିଲି, ତାଙ୍କ ମୁହଁରୁ । ଶୁଣିନାହିଁ ବୋଲି କହିଲି । ସେ ନିଜେ ତେଣୁ ଗଣେଶୀଲାଲ ଚୋବେଜୀଙ୍କ ବିଷୟରେ ଯେଉଁ ତାରିଫ୍ କଲେ ସେଥିରୁ ବୁଝିଲି ସେ ଚୋବେଜୀ ଜଣେ ସଙ୍ଗୀତସିଦ୍ଧ ଧ୍ରୁପଦ ଗାୟକ । ସେତିକି ନୁହେଁ, ସେ ଜଣେ ଇଲମ୍‌ଦାର୍‌ ବୁଜୁର୍ଗ୍‌ ଶ୍ରେଣୀର ଲୋକ । ସେ ହିଁ ଖାଁ ସାହେବଙ୍କୁ କହିଥିଲେ, ଦୁନିଆରେ ସଇତାନର ଅନୁଚରମାନଙ୍କଠାରୁ ରକ୍ଷା ପାଇବାକୁ ହେଲେ ଯାଦୁମନ୍ତ୍ର ଲେଖା ହୋଇଥିବା ଫିରୋଜ ପଥର ଧାରଣ କରିବା ଉଚିତ ।

 

ଖାଁ ସାହେବଙ୍କ କଥା ଶୁଣି ମନେହେଲା, ତାଙ୍କ ହୃଦୟ ବାଳକସୁଲଭ ସରଳତାରେ ଭରି ରହିଚି । ଆଉ ସାବାସ୍‌ ଦିଏ ସେଇ ଫିରୋଜ ପଥରକୁ ! ମୁସଲମାନ ଏକୁ ଆଣି ଦିଏ ହିନ୍ଦୁର କଲ୍ୟାଣ ପାଇଁ, ଆଉ ହିନ୍ଦୁ ସାଧକ ବି ମୁସଲମାନକୁ ପରାମର୍ଶ ଦିଏ ଏହି ସବୁଜ ଫିରୋଜ ପଥର ଧାରଣ କରିବାକୁ ! ପରେ ଜାଣିପାରିଥିଲି, ତୁରସ୍କ ଓ ଏସିଆ ମାଇନର୍‌ ହେଉଚି ଏହାର ଜନ୍ମସ୍ଥାନ ଓ ମିଶର୍‌ ଏହାର ପ୍ରତିଷ୍ଠା କ୍ଷେତ୍ର । ପୟଗମ୍ୱର ମହମ୍ମଦଙ୍କ ବହୁ ପୂର୍ବରୁ ବେଦୁଇନ ଦଳ ଏଇ ଚକ୍‍ତିର ଗୁଣାଗୁଣ ପ୍ରଚାର କରିଛନ୍ତି । ଅଜବ୍ ଏଇ ଭାରତବର୍ଷ ଓ ତା’ର ସର୍ବ ଲୋଲୁପ ମନୋଭୂମି-!

 

*             *             *

 

ରାଜଭବନରେ କୁମାରଙ୍କ ରହିବାପଟର ଗାଡ଼ି ବାରନ୍ଦାରେ ଆମେ ପହଞ୍ଚିଲୁ । ଜଣେ ବଙ୍ଗାଳୀ ଭଦ୍ରଲୋକ ଓ ଦୁଇଜଣ କୃପାଣଧାରୀ ରକ୍ଷୀଙ୍କ ଅଭ୍ୟର୍ଥନା ସ୍ୱୀକାର କରି ସୁସଜ୍ଜିତ ବାରନ୍ଦା ପାରି ହୋଇ ଭିତରକୁ ପ୍ରବେଶ କଲୁ । ସେଠାରେ ପାଇଲୁ ନୀରବ ସମାଦର । ଦୁଆରର ଦୁଇପଟେ ଦୁଇଟି ଦୀର୍ଘାକାର ଯୋଦ୍ଧୃବର୍ମ ଏମିତି ଭାବରେ ସଜାଇ ରଖା ହୋଇଚି ଯେ ଦେଖିଲେ ମନେହୁଏ ଦୁଇଟି ଜୀବନ୍ତ ସୈନିକ ପ୍ରହରା ଦେଉଛନ୍ତି । ଏମାନଙ୍କ ଛଡ଼ା କେତୋଟି ନିର୍ଜୀବ ଜନ୍ତୁ ବି ସଜା ହୋଇ ରହିଚି ସଜୀବ ଭଙ୍ଗୀରେ । ଖାଁ ସାହେବ ଏସବୁକୁ ଚାହିଁଲେ ବି ନାହିଁ । କାର୍ପେଟ ବିଛା ସିଡ଼ି ବାଟେ ଆମେ ଉପରକୁ ଗଲୁ । ତାଙ୍କ ହାତରେ ଲାଠି ନ ଥିଲେ ବି ତାଙ୍କର ପରିଶ୍ରମ ହୋଇଛି ବୋଲି ମନେ ହେଲା ନାହିଁ । ସେ ତ ଜାହାଜୀ ସିଡ଼ି ବାଟେ ଯିବା ଆସିବା କରନ୍ତି । ତାଙ୍କ ଜୀବନ କାଷ୍ଠ-କଠିନ ଆରୋହ-ଅବରୋହରେ ଅଭ୍ୟସ୍ତ । ଏଟା ତ ତାଙ୍କ ପକ୍ଷରେ କୁସୁମକୋମଳ ସତ୍‌କାର, ସୁରଶୃଙ୍ଗାରର ସୁଚିକ୍‌କଣ ବକ୍ଷରେ ସୁରର ଆସ୍ତରଣ !

 

ସିଡ଼ି ଶେଷରୁ ବାରନ୍ଦା ଆରମ୍ଭ ହୋଇଚି । ବାରନ୍ଦାର ଆରମ୍ଭସ୍ଥଳରେ ରହିଚି ଦୁଇଟି ମର୍ମରମୟୀ କିଶୋରୀ ମୂର୍ତ୍ତି, ବିଜୁଳି ପ୍ରଦୀପ ଧରି ଅତିଥିମାନଙ୍କୁ ବରଣ କରୁଛି । ଏହାପରେ ଆଖିରେ ପଡ଼େ ବଡ଼ ଖଣ୍ଡେ ହାତୀଦାନ୍ତ । ଅଦ୍‌ଭୂତ, ବୃହଦାକାର ଅଥଚ ରୂପେଲି ବଳୟର ବହୁ-ବେଷ୍ଟନୀଚର୍ଯ୍ୟାଦ୍ୱାରା ନିରତିଶୟ ଶୋଭନ ରୂପ ଧାରଣା କରିଛି । ସଙ୍ଗୀତ-ନିକୁଞ୍ଜ ଅର୍ଥାତ୍ ଆସର ଘରର ପ୍ରବେଶ ପଥରେ ନାନାପ୍ରକାର ଶିଳ୍ପସଜ୍ଜା ଭିତରେ ଏହି କାରୁ-ପଦାର୍ଥଟିର ଏଭଳି ସମଞ୍ଜସ ପରିବେଷଣ ଥିଲା ଯେ ସମାଗତ ଦର୍ଶକମାନଙ୍କ ଦୃଷ୍ଟିକୁ ପୀଡ଼ା ଦେଉ ନ ଥିଲା । ଅଥଚ ଏହାର ରୂପଟି ଆଖିରେ ପଡ଼ିବା ମାତ୍ରେ ବିସ୍ମୟରେ ମତି ସ୍ତବ୍‌ଧ ହୋଇଯାଏ । ଅଜ୍ଞାତସାରରେ ଗତି ମନ୍ଥର, ଏପରି କି ସ୍ଥିର ହୋଇଯାଏ । କିନ୍ତୁ ସେଇ ସୁନ୍ଦରୀ ଯୁଗଳଙ୍କ ନିର୍ନିମେଷ ଆମନ୍ତ୍ରଣ ଅଥବା ଗଜଦନ୍ତର ବିଚିତ୍ର ଶୋଭା-ସମ୍ପଦ ଖାଁ ସାହେବଜୀଙ୍କ ମତି ଗତିକୁ ତିଳେମାତ୍ର ବ୍ୟାହତ କଲା ନାହିଁ ।

 

ନିକୁଞ୍ଜର ପ୍ରବେଶ ଦ୍ୱାରରେ ଯେଉଁ ବୁଦ୍ଧମୂର୍ତ୍ତିଟି ଅଛି ତା ପ୍ରତି ଶ୍ରଦ୍ଧାନିବେଦନ ଉଦ୍ଦଶ୍ୟରେ ଆମେ ଛିଡ଼ା ହୋଇଯାଉ । ସମ୍ୟକ ନିର୍ବିରୋଧ ପ୍ରଶାନ୍ତି ଯେପରି ଘନୀଭୂତ ହୋଇଛି ସେଇ ସୌମ୍ୟ ପ୍ରତିମୂର୍ତ୍ତି ରୂପରେ । କିଞ୍ଚିତ୍ ଇଙ୍ଗିତ, କୌଣସି ସଙ୍କେତ ପ୍ରତୀକ୍ଷାରେ ଅନେକଥର ଏ ମୂର୍ତ୍ତିକୁ ମୁଁ ଚାହିଁରହିଛି । କଦାପି ମୋ ଆଶାଭଙ୍ଗ ହୋଇନାହଁ । ନିର୍ମଳ ଅନୁଦ୍ଧତ ମନୋଭାବର ପଟ୍ଟଭୂମିକାରେ ଆମ ଜୀବନରେଖାର ଶାନ୍ତ ଦୀପ୍ତ ପ୍ରତିଭାସ ସମ୍ଭବ ହେଉ, ଜୀବନ-ସଙ୍ଗୀତର ପବିତ୍ର ଉଲ୍ଲାସରେ ଆମ ତରୁଣ ହୃଦୟ ସ୍ପନ୍ଦିତ ହେଉ, ଆନନ୍ଦର ପରିଶେଷ ମୁହୂର୍ତ୍ତଗୁଡ଼ିକ ପୁନରାୟ ଶାନ୍ତକୋଳରେ ସାର୍ଥକ ଭାବରେ ପର୍ଯବସିତ ହେଉ– ବୁଦ୍ଧମୂର୍ତ୍ତିର ସେଇ ନିଷ୍ପନ୍ଦ ଓଷ୍ଠଯୁଗଳର ଇଙ୍ଗିତରେ ଏ ପ୍ରକାର ଅସ୍ଫୁଟ ବାଣୀ ମଝିରେ ମଝିରେ ଶୁଣିବାକୁ ପାଇଛି । ଏହାଠୁ ବଳି ଗୂଢ଼ତର କିଛିର ଆଭାସ ମୁଁ ପାଇନାହିଁ । ମୋ ହୃଦୟର ତରୁଣ ଗ୍ରନ୍ଥିସବୁ ସୁରର କୁସୁମବାଣଦ୍ୱାରା ଅନୁବିଦ୍ଧ । ଏମାନଙ୍କୁ ଉଚ୍ଛେଦ କରି ନିର୍ବାଣ କଳ୍ପନା କରିବା ମୋ ପକ୍ଷରେ ଥିଲା ପ୍ରାଣାନ୍ତକର !

 

ଖାଁ ସାହେବ ସେ ବୁଦ୍ଧମୂର୍ତ୍ତି ପ୍ରତି ଭ୍ରୂକ୍ଷେପ କଲେ ନାହିଁ । ଖାଁ ସାହେବଙ୍କ ମନ କଅଣ ଲୁହା ? ହାତୀଦାନ୍ତ ବା ମାର୍ବଲ ପଥରଠାରୁ ଅଧିକ କଠିନ ? ମୁଁ ତାଙ୍କୁ ଯେମିତି ଦେଖିଛି ଓ ବୁଝିଛି, ସେଭଳି ତ ମନେ ହୁଏ ନାହିଁ ।

 

*             *             *

 

ଆସରକୁ ଖାଁ ସାହେବଙ୍କ ଆଗମନରେ ଉପସ୍ଥିତ ସମସ୍ତେ ଉଠି ଛିଡ଼ା ହୋଇ ନମସ୍କାର ଜଣାଇଲେ । ବ୍ରଜେନ୍ଦ୍ରବାବୁ ଓ ନଗେନ୍ଦ୍ରବାବୁ (ଭବାନୀପୁର ନିବାସୀ ସୁକଣ୍ଠ ଧ୍ରୁପଦ ଗାୟକ ଓ ସୁରସିକ ପୁରୁଷ) ଅଭିବାଦନ କଲେ । ଖାଁ ସାହେବ ମୃଦୁ ଗମ୍ଭୀର ସ୍ୱରରେ ଆଦାବ୍‌ ଜଣାଇଲେ । ସେପର୍ଯ୍ୟନ୍ତ ବିଶ୍ୱନାଥଜୀ ଆସି ନଥାନ୍ତି । ଆସରର ଗୋଟିଏ ପଟରେ ଦୁଇଟି ସୁନ୍ଦର ତମ୍ୱୁରା ପ୍ରସ୍ତୁତ ଓ ଶାୟିତ ରହିଛି । ପାଖରେ ରହିଛି ତବଲା ଯୋଡ଼ି ଓ ସ୍ଥିରସ୍ୱରା ଗୋଟିଏ ବକ୍‌ସ ହାରମୋନିୟମ-। ସ୍ଥିରସ୍ୱରା ସତେ ! ହାରମୋନିୟମ ସ୍ଥିରସ୍ୱରା ନ ହେଲେ ତମ୍ୱୁରା ବାନ୍ଧିବାର ସୁବିଧା ହୁଏନା, କଣ୍ଠରେ ସ୍କେଲ ଠିକ୍ କରିବା ସୁବିଧା ହୁଏନା ଓ ପ୍ରାଥମିକ ଗୀତନବିସ କଣ୍ଠରେ ସୁର୍‌ ଅଭ୍ୟାସ କରିବାର ସୁବିଧା ହୁଏନା । ବିଶ୍ୱନାଥଜୀ ଏ ଯନ୍ତ୍ରଟିକୁ ତ୍ୟାଜ୍ୟ ବା ଅପାଂକ୍ତେୟ ମନେ କରୁ ନ ଥିଲେ । ସେକାଳରେ ଗଣପତ୍‌ରାଓ ସାହେବ, ଶ୍ୟାମଲାଲଜୀ, ସୋହ୍‌ନୀଜୀ, ବସିର ଖାଁ, ଜନାବ ମିର୍ଜା ସାହେବ ଓ ଜଙ୍ଗୀଙ୍କ ଯାଦୁଭରା ଆଙ୍ଗୁଳି କ୍ଷେପଣରେ ହାରମୋନିୟମ ଯନ୍ତ୍ରର ହୃଦୟରୁ ସୁରର ବନ୍ୟା ନିର୍ଗତ ହୁଅନ୍ତା । ଏ ଗୁଣୀମାନେ ହାରମୋନିୟମର ସ୍ଥିର ଅନାଡ଼ମ୍ୱର ସ୍ୱରଲହରୀରେ ରଚନା କରୁଥିଲେ ସୁତ୍‌ ଓ ମୀଡ଼୍‌ର ଇନ୍ଦ୍ରଜାଲ । ଏଇ ଆଶ୍ଚର୍ଯ୍ୟ ବ୍ୟାପାର ଯେଉଁମାନେ ପ୍ରତ୍ୟକ୍ଷ କରିଛନ୍ତି ସେହିମାନେହିଁ କେବଳ ବୁଝିପାରିବେ । ଅନ୍ୟ ପକ୍ଷରେ ବିଶ୍ୱାସ କରିବା କଠିନ-। ସଂପ୍ରତି ଏ ଯନ୍ତ୍ରଟି ଆପାଂକ୍ତେୟ ହୋଇଯାଇଛି । ଅବଶ୍ୟ ଆମେ ଏପରି ଆଶା କରିନାହୁଁ ଯେ, ସୋହ୍‌ନୀ ଶ୍ୟାମଲାଲଜୀମାନେ ଦେହ ଧାରଣ କରି ଅଜର ଅମର ହୋଇ ରହିବେ-। ସେମାନେ କୀର୍ତ୍ତିରେ ଅମର । କୀର୍ତ୍ତିଲେଖା ସହିତ ଅବିଚ୍ଛେଦ୍ୟ ହୋଇ ରହିବ ହାରମୋନିୟମ ଏବଂ ତାହାର ସମ୍ଭାବନା-

 

ଆସରର ଆଲୋକ ଶୋଭାର ଉଜ୍ଜ୍ୱଳତାରେ ଆମ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଖାଁ ସାହେବଙ୍କ ଲାଲ ପଗଡ଼ିର ଜୌଲୁସ୍‌ ଉପରେ । ଇତି ପୂର୍ବରୁ ଆସରରେ କୁକଭ୍‌ ଖାଁ । (ଓସ୍ତାଦ୍ କେରାମତ୍‌ଉଲ୍ଲା ଖାଁ ସାହେବଙ୍କ ସାନଭାଇ, ଯିଏ ବ୍ୟଞ୍ଜୋ ବଜାଇ କଲିକତାରେ ନାଁ କିଣି ଥିଲେ), ଚନ୍ଦନ ଚୋବେଜୀ ଓ ମୌଜୁଦ୍‌ଦୀନ ଖାଁ ସାହେବ ମଧ୍ୟ ପଗଡ଼ି ପିନ୍ଧି ଅବତୀର୍ଣ୍ଣ ହୋଇଥିଲେ । କିନ୍ତୁ ଲାଲ ପଗଡ଼ିର ଏଭଳି ଜମକ ଆମେ ପୂର୍ବେ କେବେ ଦେଖି ନ ଥିଲୁ ।

Unknown

 

ମୁଁ ଚାଲିଗଲି କୁମାରଙ୍କୁ ଖବର ଦେବାପାଇଁ । ସେ କହିଲେ, ମହରାଜ ଗୋଟିଏ ବିଶେଷ ସଭାକୁ ଆହୂତ ହୋଇଥିବାରୁ ବୋଧହୁଏ ଉପସ୍ଥିତ ରହିପାରିବେ ନାହିଁ । ମହାରାଜ କହିଯାଇଛନ୍ତି, ଓସ୍ତାଦ୍‌ଜୀ ଅର୍ଥାତ୍‌ ବିଶ୍ୱନାଥଜୀ ଆସିବା ମାତ୍ରେ ଗାନ ଯେମିତି ଆରମ୍ଭ କରାହୁଏ । ବିଶ୍ୱନାଥଜୀ ଯେପରି ମହାରାଜାଙ୍କୁ ଅପେକ୍ଷା ନ କରନ୍ତି । ଆସରକୁ ବିଶ୍ୱନାଥଜୀ ଆସିବା ମାତ୍ରେ ତାଙ୍କୁ ସମ୍ୱାଦ ଦେବାପାଇଁ କୁମାର ମୋତେ ଅନୁରୋଧ କଲେ ଓ ଖାଁ ସାହେବଙ୍କୁ ପାନ-ଅଳେଇଚ ପ୍ରଭୃତି ଦ୍ୱାରା ଖାତିର କରିବା ଦାୟିତ୍ୱ ମୋତେ ଦେଲେ । ଇତିମଧ୍ୟରେ କୁମାର ପୋଷାକ ବଦଳାଇବେ ।

 

ଆସରକୁ ଫେରିଯାଇ ବସିଲି । ସାମନାରେ ରୂପାଥାଳିରେ ପାନ-ଅଳେଇଚ ପ୍ରଭୃତି ରହିଚି । ଚକାଲଗା କ୍ଷୁଦ୍ର ହାଓୟାଗାଡ଼ି ଭଳି ଗୋଟିଏ ଆଧାରରେ ଭଲ ସିଗାରେଟ ସରଞ୍ଜାମ ବି ରହିଚି । ଖାଁ ସାହେବ ପାନ ନେଲେ ନାହିଁ, ସିଗାରେଟରେ ମନୋନିବେଶ କଲେ ।

 

*             *             *

 

ଓସ୍ତାଦ୍‌ ବିଶ୍ୱନାଥଜୀ ଆସିଲେ । ସାଙ୍ଗରେ ଜଣେ ବଙ୍ଗାଳୀ ଭଦ୍ରଲୋକ । ସେ ସଙ୍ଗତ୍‌ କରିବେ । ଓସ୍ତାଦ୍‌ମାନେ ଛିଡ଼ା ହୋଇ ପରସ୍ପର ପ୍ରୀତି ସମ୍ଭାଷଣ ଜ୍ଞାପନ କଲେ । ଆମେ ବି ସେମାନଙ୍କ ସହିତ ଛିଡ଼ା ହେଲୁ । ବିଶ୍ୱନାଥଜୀଙ୍କୁ କହିଲି : ଆପଣ ଆସିବା ମାତ୍ରେ କୁମାରଙ୍କୁ ଖବର ଦେବାର କଥା । ମୁଁ ଯାଏଁ ଜଣାଇ ଆସେ ?

 

ବିଶ୍ୱନାଥଜୀ କଅଣ ଭାବି ମୋତେ ଟିକିଏ ସବୁର୍‌ କରିବାକୁ କହିଲେ । ଖାଁ ସାହେବଙ୍କୁ ସେ ଟାଣି ନେଇ ଗୋଟିଏ ଝରକା ଅଢ଼ୁଆଳକୁ ଗଲେ । ସେଠି ସେମାନଙ୍କ ଭିତରେ କଅଣ କଥାବାର୍ତ୍ତା ପରେ ସେମାନେ ଆସରକୁ ଫେରିଆସିଲେ ।

 

ବିଶ୍ୱନାଥଜୀ ସେଇଠୁ କହିଲେ : ଚାଲନ୍ତୁ କୁମାରବାହାଦୁରଙ୍କ ସହିତ ଟିକିଏ କଥା ଅଛି ।

 

ବିଶ୍ୱନାଥଜୀଙ୍କ ସହିତ ସାକ୍ଷାତ ହେବାରୁ କୁମାର ଗୁରୁଦେବଙ୍କ ପଦଧୂଳି ନେଲେ । ବିଶ୍ୱନାଥଜୀ କହିଲେ : ଖାଁ ସାହେବଙ୍କୁ ଆଗେ ଖୋଇବାକୁ ହେବ । ନ ହେଲେ ଅସ୍ୱସ୍ତି ବୋଧ କରନ୍ତି ।

 

ଖାଁ ସାହେବଙ୍କ ଭୋଜନ ଆୟୋଜନ କରିବାକୁ ତତ୍‌କ୍ଷଣାତ୍‌ ହୁକୁମ ହେଲା । ମୋର ମନେ ପଡ଼ିଗଲା ମୌଜୁଦ୍‌ଦୀନ୍‌ଙ୍କ ‘ତୈୟାରୀ’ ହେବା କଥା । ଏତିକିବେଳେ ନନୀ ଆସି ଉପସ୍ଥିତ । ମହାରାଜାଙ୍କ ଅନୁପସ୍ଥିତିର କାରଣଟା ବିଶ୍ୱନାଥଜୀଙ୍କୁ କୁମାର ବୁଝାଇଦେଲେ । ବିଶ୍ୱନାଥଜୀ ସ୍ୱଳ୍ପଭାଷୀ ଥିଲେ ଓ କାମ କଥାଟା ପ୍ରଥମରୁହିଁ ସାରିଦିଅନ୍ତି । କହିଲେ : ଖାଁ ସାହେବଙ୍କୁ ଖୁଆଇ ପିଆଇ ଗାନ ଆରମ୍ଭ କରିବା, ନା କଅଣ କୁମାର ବାହାଦୁର ?

 

କୁମାର କହିଲେ : ଆପଣ ଯାହା କହିବେ ତାହାହିଁ ହେବ ।

 

ଖାଁ ସାହେବଙ୍କ ଖାଇବାବେଳେ ନିଜେ ଉପସ୍ଥିତ ଥାଇ ତଦାରକ କରିବା ଭାର ପଡ଼ିଲା ନନୀ ଉପରେ ।

 

ଅନ୍ଦର ମହଲରୁ ମୁଁ ଥରେ ମୁହଁମାରି ଆସି ଦେଖେ ଖାଁ ସାହେବ ଜଳଯୋଗ ସାରି ଆସରକୁ ଗଲେଣି । ଖାଁ ସାହେବଙ୍କ ଜଳଯୋଗ କଥା ନନୀକୁ ଏକାନ୍ତରେ ପଚାରିଲି । ସେ କହିଲା : ଖାଁ ସାହେବଙ୍କ ପତରରେ ଦିଆ ହୋଇଥିଲା ପ୍ରତିଥର ଚାରିପଟ ଲେଖାଏଁ ପାଞ୍ଚଥରରେ କୋଡ଼ିଏ ପଟ ଲୁଚି- ତେବେ ଚବିଶ ପର୍ଯ୍ୟନ୍ତ ଯାଇନି । ତା ଉପରେ ତରକାରି ମାଛ ମାଂସ ଦହି ରାବିଡ଼ି ବି ଥିଲା । ଖାଁ ସାହେବ କାହାରି ପ୍ରତି ତିଳେ ମାତ୍ର ଅମାନ୍ୟ କରିନାହାନ୍ତି ।

 

ମୁଁ ଭବିଷ୍ୟତ ଗାନ କଥା ଭାବି କହିଲି : କି ସର୍ବନାଶ !

 

ନନୀ ମୋ କଥା ବୁଝି ନ ପାରି କହିଲା : ସାଧକଙ୍କ ପକ୍ଷରେ ଏ ଏମିତି କଅଣ ବଡ଼ କଥା ! ମାଠିଆ ମାଠିଆ ଦୁଧ-ମଲାଇ ବା ମଦ ଅଥବା ଶହେ ଚିଲମ ଗଞ୍ଜେଇ ତ ସେମାନେ ଗଣ୍ଡୁଷରେ ଶୋଷି ନେଇ ପାରନ୍ତି । ପୁଣି ସାତ ଆଠଦିନ ନିରମ୍ୱୁ ଉପବାସ ବି କରିପାରନ୍ତି !

 

ମୁଁ କହିଲି : ବଞ୍ଚିଲି ! ଭାଗ୍ୟକୁ ଆହାର ଓ ଉପବାସ ବ୍ୟାପାରରେ ସାଧକମାନଙ୍କ ସେଭଳି ବ୍ୟାଲାନସ ଅଛି ବୋଲି ସିନା ଭାରତର ଗୃହସ୍ଥମାନେ ଏବେଯାଏଁ ବଞ୍ଚି ରହି ପାରିଛନ୍ତି ।

 

ନନୀ କହିଲା : ତୁମେ ଗୋଟାଏ ନାସ୍ତିକ । ତୁମେ ଏ ସବୁର ରହସ୍ୟ ବୁଝିପାରିବ ନାହିଁ-

 

ବିଶ୍ୱନାଥଜୀ ଓ କୁମାର ଆସରରେ ଆସନ ଗ୍ରହଣ କଲେ । ପ୍ରାଥମିକ ଶିଷ୍ଟାଚାର ସମ୍ପନ୍ନ ହେଲା । ମଇଫିଲ୍‌ ଗମ୍‌ରମ୍‌ କରୁଛି । ବିଶ୍ୱନାଥଜୀ ମଇଫିଲ୍‌ର କର୍ତ୍ତା । ତେଣୁ ସେ ଖାଁ ସାହେବଙ୍କୁ ଅନୁରୋଧ କଲେ ଯେ ଅନ୍ୟ କିଛି ଅସୁବିଧା ନ ଥିଲେ ଖାଁ ସାହେବ ଗାନ ଆରମ୍ଭ କରନ୍ତୁ ।

 

ଖାଁ ସାହେବ ବିନୀତ ଭାବରେ କହିଲେ : ରାଓଜୀ, ଆପଣ ଧ୍ରୁପଦର ବାଦଶାହା । ଆପଣ ପ୍ରଥମେ ଖଣ୍ଡେ ଧ୍ରୁପଦ ଗାଇବେ କି ?

 

ବିଶ୍ୱନାଥଜୀ ଖାଁ ସାହେବଙ୍କୁ ବୁଝାଇ କହିଲେ : ଏ ମଇଫିଲ୍‌ ଖାଁ ସାହେବଙ୍କ ମଇଫିଲ, ଆଉ କାହାରି ନୁହେଁ । ମହାରାଜା ବାହାଦୁର ଏଇ ପ୍ରକାର ବନ୍ଦୋବସ୍ତ ହୁକୁମ କରିଯାଇଛନ୍ତି । ଅତଏବ ଅନୁଗ୍ରହ କରି ଖାଁ ସାହେବ ତମ୍ୱୁରା ଗ୍ରହଣ କରନ୍ତୁ ।

 

ଖାଁ ସାହେବ ଗୋଟିଏ ତମ୍ୱୁରା ହାତରେ ଧରିଛନ୍ତି ଠିକ୍ ଏଇ ସମୟରେ ଏ ଘରୁ, ସେ ଘରୁ, ସିଡ଼ି ଉପରୁ, ତଳୁ ଇତ୍ୟାଦି ସ୍ଥାନରୁ ଟୁଂ ଟାଂ ଶବ୍ଦରେ ପରିସ୍ଫୁଟ ଧ୍ୱନି କରି ବାଜିବାକୁ ଲାଗିଲା କେତୋଟି ବଡ଼ କ୍ଳକ୍‌ ଘଡ଼ି, ଷଡ଼୍‌ଜ ଗାନ୍ଧାର ପଞ୍ଚମ ନିନାଦର ସୁରରେ । ସେଇ ଧ୍ୱନି ଓ ଅନୁରଣନ ଖାଁ ସାହେବଙ୍କ ସଂବିଦ୍‍କୁ ଆନ୍ଦୋଳିତ କଲା, ହୃଦୟକୁ ସ୍ପର୍ଶ କଲା । ଈଷତ୍‌ ଆବେଶରେ ସେ ମୁଣ୍ଡ ହଲାଇବାକୁ ଲାଗିଲେ । ଥର ଥର କରି ତିନିଥର ସ୍ୱର ପରିକ୍ରମାଦ୍ୱାରା ଆମ ହୃଦୟାକାଶ ବିଧ୍ୱନିତ କରି ଘଡ଼ିସବୁ ଏକାସାଙ୍ଗରେ ଏକାସୁରରେ ପରେ ପରେ ଧ୍ୱନି କରି ଜଣାଇଦେଲେ ଯେ ରାତି ନ’ଟା ବାଜିଲା । ଘଣ୍ଟାର ଏଇ ସଙ୍କେତ ଶବ୍ଦଗୁଡ଼ିକ ସୁରରେ ବନ୍ଧା । ଆମେ ଏଇ ସୁରକୁ ମୂଳ ଷଡ଼୍‌ଜ ଧରି ପୂର୍ବର ସୁରସନ୍ଦୋହକୁ ‘ସ-ଗ-ପ-ନ’ ବୋଲି ଅନୁଭବ କରିବାକୁ ଅଭ୍ୟସ୍ତ ଥିଲୁ ।

 

ଘଣ୍ଟାଧ୍ୱନିର ରେଶ୍‌ ମିଳାଇ ଯାଉଥିବାବେଳେ ଖାଁ ସାହେବ ବିଶ୍ୱନାଥଜୀଙ୍କୁ ଚାହିଁ କହିଲେ : କି ସୁନ୍ଦର ରସିଲା ସୁରରେ ଘଡ଼ିର ଆଓୟାଜ ବାନ୍ଧି ଦିଆହୋଇଛି, ବାଃ ବାଃ !

 

ରେଶ୍‌ଟି ସଂପୂର୍ଣ୍ଣ ମିଳାଇ ଯିବା ପର୍ଯ୍ୟନ୍ତ ସେ ଅପେକ୍ଷା କଲେ । ଏପର୍ଯ୍ୟନ୍ତ ଅଭିଜ୍ଞତାରେ ବୁଝିଲି, ଅନ୍ତତଃ ଏଇ ଗୋଟାଏ ଜିନିଷ ଖାଁ ସାହେବଙ୍କ ମନ ହରଣ କରିଛି । ଖାଁ ସାହେବ ବୋଧହୁଏ ଶବ୍ଦତାନ୍ତ୍ରିକ ଲୋକ । ଶ୍ରାବ୍ୟ ରୂପର ସୌନ୍ଦର୍ଯ୍ୟହିଁ ତାଙ୍କ ପାଖରେ ଅଧିକ ମନୋରମ, ଦୃଶ୍ୟ ରୂପର ସୌନ୍ଦର୍ଯ୍ୟଠାରୁ । ଚକ୍ଷୁସ୍ୱାନ୍‌ଙ୍କ ଭିତରେ ସେ ଅସାଧାରଣ ଲୋକ ବୋଲି ମୋର ଧାରଣା ହେଲା ।

 

ହାରମୋନିୟମ ସାହାଯ୍ୟରେ ଗୋଟିଏ ତମ୍ୱୁରାକୁ ସୁରରେ ବାନ୍ଧି ଖାଁ ସାହେବ ସେଇଟି ବିଶ୍ୱନାଥଜୀଙ୍କୁ ଦେଲେ ପରୀକ୍ଷା କରିବା ପାଇଁ । ଇତିମଧ୍ୟରେ ଆଉ ଗୋଟିଏ ତମ୍ୱୁରା ଖାଁ ସାହେବ ବାନ୍ଧିଦେଲେ । ଲକ୍ଷ୍ୟ କଲି ଖରଜର ତାରଟି ଖାଁ ସାହେବ ବାନ୍ଧିଲେ ଖାଦର ମଧ୍ୟମରେ, ଅଥଚ ପଞ୍ଚମର ତାରଟି ପଞ୍ଚମରେହିଁ ବନ୍ଧା ହେଲା । ଦୁଇଟିଯାକ ତମ୍ୱୁରା ଏକା ସୁରରେ ବନ୍ଧା ହେବା ପରେ ବିଶ୍ୱନାଥଜୀ ତାଙ୍କ ତମ୍ୱୁରାଟି ବ୍ରଜେନ୍ଦ୍ରବାବୁଙ୍କ ହାତରେ ଦେଇ ସ୍ୱୟଂ ତବଲା ବାନ୍ଧିଦେଲେ ତମ୍ୱୁରା ସୁରରେ । ସଙ୍ଗୀତ ନିକୁଞ୍ଜ ତମ୍ୱୁରାର ଗୁଣୁ ଗୁଣୁ ଧ୍ୱନିରେ ଭରିଗଲା ।

 

ଆଶ୍ଚର୍ଯ୍ୟ ଯନ୍ତ୍ର ଏହି ସୁରକଣ୍ଠାଭରଣ ତମ୍ୱୁରା ! ଅତୁଳନୀୟ ଏହାର ଚାରୋଟି ତାରର ମଧୁର ଗୁଞ୍ଜନ ଧ୍ୱନି ! ସତେ ଯେମିତି ଶତଦଳ କମଳକୁ ବେଷ୍ଟନ କରି ସମାଗତ ଭ୍ରମରବୃନ୍ଦ ମନ୍ଦମଧୁର ଝଙ୍କାର ତୋଳିଛନ୍ତି ! ଉନ୍ମୁଖ ଶ୍ରୋତାଙ୍କ ହୃଦ୍‌ପଙ୍କଜ ଯେ ଏହି ଚାରୋଟି ତାରର ଉପଚ୍ଛନ୍ଦମୟ ଗୁଞ୍ଜନ ପ୍ରଭାବରେ ବିକଶିତ ଓ ରାଗୋତ୍‌ଫୁଲ୍ଲ ହୁଏ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ !

 

କିଏ ଏହି ଯନ୍ତ୍ରଟି ନିର୍ମାଣ କରିଥିଲେ ? ସେପର୍ଯ୍ୟନ୍ତ ଆମେ ଜାଣିଥିଲୁ, ତମ୍ବୁରୁ ନାମରେ ଏକ ଦିବ୍ୟ ଗନ୍ଧର୍ବ ପୁରୁଷ ଏହି ତମ୍ୱୁରୁ ବୀଣାର, ଅର୍ଥାତ୍‌ ତମ୍ୱୁରାର ଉଦ୍‌ଭାବକ । ବେଶ୍‌ (ଆତ୍ମପ୍ରସାଦର) ତୃପ୍ତିରେ ଥିଲୁ । କିନ୍ତୁ ଇତିହାସ ଚର୍ଚ୍ଚା କରିବାକୁ ଯାଇ ତୃପ୍ତିଟା ନଷ୍ଟ ହୋଇଗଲା । ମହାମୁନି ଭରତପ୍ରଣୀତ ନାଟ୍ୟଶାସ୍ତ୍ର, ନାରଦୀୟ ‘ସଙ୍ଗୀତ ମକରନ୍ଦ’ ଗ୍ରନ୍ଥ, ମତଙ୍ଗପ୍ରଣୀତ ‘ବୃହଦ୍ଦେଶୀ’ ଗ୍ରନ୍ଥ, ଏବଂ ଶାର୍ଙ୍ଗଦେବରଚିତ ‘ସଙ୍ଗୀତରତ୍ନାକର’ ଗ୍ରନ୍ଥରେ (୧୨୪୭ ଖ୍ରୀ : ଅ :) ନାନାପ୍ରକାର ବୀଣାର ନାମ ଉଲ୍ଲେଖ ଓ ବର୍ଣ୍ଣନା ପଢ଼ି ମୁଗ୍‌ଧ ହେଲେହେଁ ‘ତମ୍ୱୁରାବୀଣା’ ନାମ ମୁଁ ପାଇନାହିଁ । ଚାରି ତାରବିଶିଷ୍ଟ କୌଣସି ଯନ୍ତ୍ରର ଉଲ୍ଲେଖ ସେସବୁରେ ନାହିଁ । ଏ ଗ୍ରନ୍ଥମାନଙ୍କରେ ଦୁଇ-ତାର, ତିନି-ତାର, ପାଞ୍ଚ-ତାର, ସାତ-ତାର, ନ’-ତାର, ଏକୋଇଶ-ତାର, ଛଅଷଠି-ତାର, ଏପରି କି ଶହେ-ତାରବିଶିଷ୍ଟ ବୀଣାର ଉଲ୍ଲେଖ ଅଛି । କେବଳ ଏହି ଚାରି-ତାରର ତମ୍ୱୁରା ବା ତମ୍ୱୁରୁ ବୀଣାର ଉଲ୍ଲେଖ ନାହିଁ ! କେହି କେହି ଅର୍ବାଚୀନ ଶାସ୍ତ୍ରକାର ନିଜ ଉଦ୍‌ଭାବିତ ବୀଣାର ନାମ-ରୂପ ପ୍ରଚାର ବି କରିଥିଲେହେଁ ତମ୍ୱୁରୁ ଗନ୍ଧର୍ବର ଖାତିର କଲେ ନାହିଁ ସେମାନେ ! ଏ କେମିତି କଥା ! ପ୍ରଶ୍ନ ଉଠେ, ତେବେ ତମ୍ୱୁରା ନାମକ ଏହି ଚାରି-ତାରବିଶିଷ୍ଟ ଯନ୍ତ୍ରଟି ଆସିଲା କୁଆଡ଼ୁ ? ଆଉ, କେବେ ବା ଏହା ଧ୍ରୁପଦ-ଖେୟାଲ-ଆଳାପ ସଙ୍ଗୀତର କ୍ରୋଡ଼ ଅଧିକାର କଲା ? ଏହାର ଚରମ ଉତ୍ତର ଆଜିପର୍ଯ୍ୟନ୍ତ ପାଇନାହିଁ । ପ୍ରାଚୀନ ସସ୍କୃତ ଶବ୍ଦକୋଷରେ ତମ୍ୱୁରା ବା ତାନପୁରା ବା ତମ୍ୱୁରୁବୀଣା ଶବ୍ଦ ମିଳେ ନାହିଁ । ସହଜ ସରଳ କଥା ହେଲା, ତମ୍ୱୁରା ନାମକ ଯନ୍ତ୍ରଟି ପ୍ରାଚୀନ ବା ମଧ୍ୟଯୁଗୀୟ ସଙ୍ଗୀତଶାସ୍ତ୍ରଦ୍ୱାରା ସ୍ୱୀକୃତ ବା ସମ୍ମତ ନୁହେଁ ।

 

ଜର୍ମାନୀ ଦେଶର ବୈଜ୍ଞାନିକପ୍ରବର ସଙ୍ଗୀତରସିକ ହେଲ୍‌ମହୋଲ୍‌କପ୍ରଣୀତ ଶବ୍ଦ ଧ୍ୱନି ବିଷୟକ ଗ୍ରନ୍ଥ (ଅବଶ୍ୟ ଇଂରାଜୀ ଅନୁବାଦ, ତୃତୀୟ ସଂସ୍କରଣ, ୧୮୯୫ ଖ୍ରୀ : ଅ : ) ପଢ଼ି ଦେଖିଲି, ତାହାର ଭାଷ୍ୟ-ଟୀକାରେ ତମ୍ୱୁର ନାମରେ ଗୋଟିଏ ଆରବଦେଶୀୟ ତାରଯନ୍ତ୍ରର ପ୍ରସଙ୍ଗ ଅଛି । କ୍ରମେ ଜ୍ଞାତ ହେଲି, ‘ତମ୍ୱୁର’ * ଶବ୍ଦଟି ଆରବୀ ଅଭିଧାନରେ ମିଳେ । ଶବ୍‌ଦଟି ପାରସିକ ଓ ଆରବୀ ଭାଷାର ଶବ୍ଦ ।

 

* [ମାତ୍ର ସାଧାରଣ ଆଲୋଚନାର ଦିଗନିର୍ଣ୍ଣୟକଳ୍ପେ କୁହାଯାଏ– (୧) Cassel and Company Limited କର୍ତ୍ତୃକ ପ୍ରକାଶିତ The Encyclopaedic Dictionary (1889) ଗ୍ରନ୍ଥାବଳୀର ପ୍ରାସଙ୍ଗିକ ବିଭାଗରେ ‘ତମ୍ୱୁରା’ ଶବ୍ଦର ଉଲ୍ଲେଖ ଅଛି ଓ ଉଲ୍ଲେଖକାର କହିଛନ୍ତି– ପାରସ୍ୟ, ତୁରସ୍କ, ଇଜିପଟ୍‌ ଓ ହିନ୍ଦୁସ୍ଥାନରେ ଏହି ଯନ୍ତ୍ର ବ୍ୟବହୃତ ହୁଏ ଏବଂ ପ୍ରାଚୀନ ଆସିରିୟା ଓ ଇଜିପ୍ଟ ଦେଶରେ ଏଇ ଏକ ଯନ୍ତ୍ର ବିଭିନ୍ନ ନାମରେ ପ୍ରଚଳିତ ଥିଲା : (୨) ଡ : ହେଲ୍‌ମହୋଲ୍‌କଙ୍କ ଗ୍ରନ୍ଥର (Sensation of Tone, 1895) ପରିଶିଷ୍ଟ ଅଂଶରେ ଖୋରାସାନୀ ତମ୍ୱୁର ଓ ବାଗ୍‌ଦାଦୀ ତମ୍ୱୁରର ବିଶିଷ୍ଟ ଉଲ୍ଲେଖ ଅଛି : (୩) ରାଜା ସାର୍‌ ସୌରୀନ୍ଦ୍ରମୋହନ ଠାକୁର ପ୍ରଣୀତ Universal History of Music ଗ୍ରନ୍ଥରେ (୧୮୯୬ ଖ୍ରୀ : ଅ : ? ୧୮୯୪ ଖ୍ରୀ : ଅ : ? ) ଆରବ, ପାରସ୍ୟ, ଆସିରିୟା, ପ୍ୟାଲେଷ୍ଟାଇନ ଓ ପ୍ରାଚୀନ ଇଜିପ୍ଟ ଦେଶର ଏବଂ ହିବ୍ରୁଜାତିର ସଙ୍ଗୀତ ପ୍ରସଙ୍ଗରେ ‘ତମ୍ୱୁର’ ଯନ୍ତ୍ରର ଉଲ୍ଲେଖ ଅଛି । ଭାରତୀୟ ସଙ୍ଗୀତର ଇତିହାସ ପ୍ରସଙ୍ଗରେ ଗ୍ରନ୍ଥକାର କହିଛନ୍ତି (ବିଶେଷ ପ୍ରମାଣ ଉଦ୍ଧୃତ ନ କରି) ଯେ, ତମ୍ୱୁର ନାମକ ଗନ୍ଧର୍ବ ତୁମ୍ୱୁରୁ ବୀଣାର ଉଦ୍‌ଭାବକ । କିନ୍ତୁ ସେ କହିନାହାନ୍ତି ଯେ ସେ ତୁମ୍ୱୁରୁ ବୀଣା ଓ ଅଧୁନା ପ୍ରଚଳିତ ତମ୍ୱୁରା ଏକ ଯନ୍ତ୍ର । ମୁସଲମାନ ବାଦଶାହୀ ଯୁଗର ସଙ୍ଗୀତ ପ୍ରସଙ୍ଗରେ ଗ୍ରନ୍ଥକାର ଯେଉଁସବୁ ଯନ୍ତ୍ରର ନାମ ଉଲ୍ଲେଖ କରିଛନ୍ତି ତା ଭିତରେ ତମ୍ୱୁର ବା ତାନପୁରା ନାଁ ନାହିଁ । ଚାରି-ତାର ଯନ୍ତ୍ର ବି ଉଲ୍ଲିଖିତ ହୋଇନାହିଁ । ଇତି – ଲେଖକ-]

 

ତେବେ କଅଣ ଏହି ଯନ୍ତ୍ରଟି ନାମ-ରୂପ ସମ୍ୱଳ କରି ଆରବ ଢେଉ ସମୁଦ୍ରଗାମୀ ବଡ଼ ବଜ୍‌ରା ଚଢ଼ି ଆରବ୍ୟ ସାଗର ଅତିକ୍ରମ କରି ଭାରତ ଉପକୂଳରେ ଅବତୀର୍ଣ୍ଣ ହୋଇଥିଲା ! ଅସମ୍ଭବ ନୁହେଁ ।

 

ଯଦି ତାହା ହୁଏ, ତେବେ ନିଶ୍ଚୟ ନୌକାସବୁ ଜେହାଦୀ (ଧର୍ମଯୁଦ୍ଧ) ନୌକା ନ ଥିଲେ । ଯେଉଁ ପ୍ରକାର ନୌକାରେ ଭାରତରୁ ସେତାର ଯନ୍ତ୍ର ରପ୍ତାନୀ ହୋଇ ପାରସ୍ୟ ପ୍ରଭୃତି ଦେଶରେ ପହଞ୍ଚିଥିଲା, ସେଇ ପ୍ରକାର ନୌକାରେ ହୁଏତ ଆମଦାନୀ ହୋଇଥିଲା ଏଇ ଶାନ୍ତିମୟ ତମ୍ୱୁରା ଯନ୍ତ୍ରଟି । ହୁଏତ ବା ଫକିର ଦରବେଶୀ ବା ଯାଯାବର ଶ୍ରେଣୀର ଲୋକମାନଙ୍କ ହାତରେ ବୁଲି ବୁଲି ଭାରତକୁ ଏହା ଆସିଯାଇଥିଲା । ସେ ନୌକାଗୁଡ଼ିକ ହୁଏତ କରାଚୀର ଛିଦ୍ରପଥ ସନ୍ଧାନ ନ କରି ମାଲାବାର ଉପକୂଳର ଅରଣ୍ୟବେଷ୍ଟିତ ସ୍ଥାନରେ ନଙ୍ଗର ପକାଉଥିଲେ । ‘ମିରାଜ୍‌’ ନାମକ ଯେଉଁ ସ୍ଥାନଟି ବହୁକାଳରୁ ତମ୍ୱୁରା ତିଆରି ପାଇଁ ସାରା ଭାରତରେ ବିଖ୍ୟାତ ସେଇ ‘ମିରାଜ୍‌’ ତ ପଶ୍ଚିମ ଉପକୂଳର ସନ୍ନିକଟ । ମିରାଜ ହୁଏତ ଥିଲା ସେଭଳି ପଣ୍ୟର ପ୍ରାଥମିକ ଗନ୍ତବ୍ୟ ସ୍ଥାନ ବା ଆମଦାନୀ ମାଲ୍‌ର ଆଖ୍ଡ଼ା । କିଏ ନା କହିବ ସେକଥା !

 

ସଙ୍ଗୀତ ଶାସ୍ତ୍ରପ୍ରଣେତାମାନେ ଯଦି ମ୍ଳେଚ୍ଛସଂସ୍ରବ ତ୍ୟାଗ କରିବା ଉଦ୍ଦେଶ୍ୟରେ ଏହି ଯନ୍ତ୍ରଟିକୁ ଗ୍ରହଣ ବା ଉଲ୍ଲେଖ ପାଇଁ ଅଯୋଗ୍ୟ ମନେକରିଥିଲେ, ତେବେ ସେଥିରେ କିଛି କ୍ଷତି ହୋଇନାହିଁ, କାମ ଅଟକିନାହିଁ । ଯଦି ତମ୍ୱୁରା ଆରବ ସାଗରର ଢେଉ ସହ୍ୟ କରି ଭାସିଆସିଥାଏ ତେବେ ମୁଁ କହିବି, ଭଲ ହୋଇଛି, ରକ୍ଷା ପାଇଯାଇଛି ସେ । ଆଉ ଧ୍ରୁପଦ-ଧାମାର ଖେୟାଲ ଓ ଆଳାପର ଗୁଣୀମାନଙ୍କ କ୍ରୋଡ଼ରେ ସ୍ଥାନ ପାଇ ଓ ସେମାନଙ୍କ କରାଙ୍ଗୁଳିର କୋମଳ ସ୍ପର୍ଶ ପାଇ ସମ୍ମାନ ମଧ୍ୟ ସେ ପାଇଛି । ଉକ୍ତ ଗ୍ରନ୍ଥକାରମାନଙ୍କ କଲମ ମୁନରେ ଏହାର ନାଁଟି କଳିତ ନହେଲା ତ ନାହିଁ । କଳ୍ପନାର ଏହି ‘ହୁଏତ’ ଓ ‘ଯଦି’ଗୁଡ଼ିକ ଅପ୍ରମାଣିତ ହେଲେ ବି କ୍ଷତି କଅଣ ! ବଞ୍ଚିଥାଆନ୍ତୁ (ଆଉ ବେଶିଦିନ ନୁହେଁ ବୋଧହୁଏ) ବଙ୍ଗଳାଦେଶର ଅଶିକ୍ଷିତ ତ୍ରିଟୁୟାଦଳ, ଯେଉଁମାନେ ଏଇ ତମ୍ୱରାକୁ ଦେଶକାଳୋପଯୋଗୀ କରି ନୀଳକଣ୍ଠ ମହାଦେବଙ୍କ କୋଳରେ ଥୋଇଛନ୍ତି । କିନ୍ତୁ ତୁମ୍ୱୁର ଗନ୍ଧର୍ବଙ୍କ ଛବି ଏମାନେ ଆଙ୍କନ୍ତି ନାହିଁ । ନୀଳକଣ୍ଠ ସମୁଦ୍ରଜାତ ବିଷ ହଜମ କରିଛନ୍ତି, ଆଉ ଏ ସାମାନ୍ୟ ତମ୍ୱୁରାକୁ ହଜମ କରିପାରିବେ ନାହିଁ ! ମୁଁ କୁହେ, ସେ ପାରିଛନ୍ତି-। କାରଣ ସେ ଯେ ଆଶୁତୋଷ । ବର୍ତ୍ତମାନ ମୁହୂର୍ତ୍ତରେ ଯାହାକୁ ଭଲ କାମରେ ଲଗାଯାଇପାରୁଛି, ଯାହାକୁ ସଦ୍ୟ ଓ ସହଜରେ ନିବେଦନ କରାଯାଇପାରୁଛି, ସେଇଥିରେ ସେ ତୁଷ୍ଟ-। ଅତୀତର ପରିବର୍ତ୍ତନଶୀଳ ଇତିହାସର ‘ହୁଏତ’ ବା ‘ଯଦି’ର ହା-ହୁତାଶମୟ ଅଭିମାନରେ ଉପବାସୀ ହୋଇ ସେ ରହନ୍ତି ନାହିଁ । ଅତୀତ ବୋଲି ତମ୍ୱୁରାର କିଛି ଥାଉ ବା ନ ଥାଉ, ବର୍ତ୍ତମାନ ଆଶୁଫଳ ଦିଏ ଏ ଯନ୍ତ୍ରଟି । ତମ୍ୱୁରାର ଚାରୋଟି ସୁରଭ୍ରମରର ସଙ୍ଗତ ଭିତରେ ମିଳନର ଧ୍ୱନି ରହିଛି । ସେଇ ଧ୍ୱନି-ମାତ୍ରକୁ ହୃଦୟରେ ଧାରଣ କରାଯାଉ ବର୍ତ୍ତମାନ ।

 

ଆସରକୁ ନତି ଜଣାଇ ଖାଁ ସାହେବ ସୁର ଛାଡ଼ିଲେ ତମ୍ୱୁରା କୋଳରେ ଧରି ।

 

କୌଣସି ତୋମ୍ ନାୟ ନୋମ୍‌ ବୋଲ୍‌ ବ୍ୟବହାର ନ କରି କେବଳ ସ୍ୱରବର୍ଣ୍ଣ ଉଚ୍ଚାରଣ କରି ଖାଁ ସାହେବ ସୁରର ନକ୍‌ସା ଫୁଟାଇଲେ ଏକା ନିଃଶ୍ୱାସକେ । ପ୍ରଥମ ଅଂଶଟି କେବଳ ମନେ ଅଛି । ଆରମ୍ଭରେହିଁ ପ୍ରକାଶ ହେଲା ମୁଦାରାର ମଧ୍ୟମ ସ୍ୱର । ଏହାପରେ ଅବରୋହଣକ୍ରମରେ ଦେଖାଦେଲା ମୁକ୍ତାହାର ମୁକ୍ତାଦାନାଭଳି ସ୍ପଷ୍ଟ, ସମାନ ଓ ଘନସଂଲଗ୍ନ କେତୋଟି ସୁର । ଶେଷ ସୁର ଛିଡ଼ା ହେଲା ଉଦାରାର ମଧ୍ୟମରେ । ଦ୍ରୁତ ଅଭ୍ରାନ୍ତ ସୁରକ୍ଷେପଦ୍ୱାରା ଗୋଟିଏ ଲେଖାଙ୍କନ ଆମ ଶ୍ରବଣରେ ଆବିର୍ଭୂତ ହେଲା । କାନର ଧ୍ୟାନରେ ବୁଝିଲି, ଦରବାରୀ କାନାଡ଼ର ସୁର । କିନ୍ତୁ ରେଖବଟି ସେତେବେଳେ ନ ଥିଲା । ଦରବାରୀ ରାଗ ସେ ନୁହେଁ । କାରଣ ଉଦାରାର ମଧ୍ୟମ ସ୍ୱର ଦରବାରୀରେ ଏମିତି ଭାବରେ ପ୍ରକାଶମାନ ହୁଏନା । କଣ୍ଠର ଚାରୁଚିତ୍ର ପଟରେ ଅପୂର୍ବ ସେ ମହିମା ! ଏଭଳି ବିଶିଷ୍ଟ ସାକ୍ଷାତ୍‌କାର ଜୀବନରେ ଆଉ ବି କେବେ ଘଟି ନାହିଁ ! ମୋ ଶ୍ରବଣ ଆକାଶ ଯେମିତି ଅକସ୍ମାତ୍‌ କେତୋଟି ସୁରନକ୍ଷତ୍ରଦ୍ୱାରା ଖଚିତ ହୋଇଗଲା । ଅଜଣା ସେମାନଙ୍କ ସଙ୍କେତ, ମଧୁର ସେମାନଙ୍କ ଆଭାସ । ଆଉ, ସମସ୍ତଙ୍କ ମଝିରେ ସେଇ ମନ୍ତ୍ର ମଧ୍ୟମହିଁ ଯେମିତି ସମୁଜ୍ଜ୍ୱଳ ମଧ୍ୟମଣି ! ମଧ୍ୟମର ସେହି ଦୀପ୍ତିମାନ ନିଷ୍କମ୍ପ ସ୍ୱରୂପ ଆଜି ବିଶେଷ କରି ମନେପଡ଼େ ।

 

ଅତି ତ୍ୱରିତ ସ୍ମୃତିର ଆଲୋକରେ ଝକମକ କରେ ଗୋଟିଏ ଉଦାରାର ଗାନ୍ଧାର । ମୌଜୁଦ୍‌ଦୀନଙ୍କ କଣ୍ଠରେ ‘ସୁପ୍‌ନେମେ ଆୟେ’ ପୁରିୟା ରାଗିଣୀ ଗାନର ସେଇ ଅପୂର୍ବ ଗାନ୍ଧାର । ସାଙ୍ଗେ ସାଙ୍ଗେ ମନେପଡ଼ିଯାଏ ଓସ୍ତାଦ୍‌ ମୁସ୍ତାକ୍ ହୁସେନ ଖାଁ ସାହେବଙ୍କ କଣ୍ଠରେ ‘ତାନ୍‌ ତଲବାର’ ବସନ୍ତ ମାଳତୀ ରାଗର ଗାନରେ ଉଦାରାର ଶୁଦ୍ଧ ମଧ୍ୟମର ନିରାଲା ମାଧୁରୀ ! ଆହା ! ଏ ଯେମିତି ଅନ୍ଧକାର ଭିତରେ ହଜିଯାଇଥିବା ଗୋଟିଏ ରତ୍ନର ଆଲୁଅରେ ଅନ୍ୟ ରତ୍ନଗୁଡ଼ିକୁ ଫେରି ପାଇବା ! ସନ୍ଧାନର କଷ୍ଟ ନାହିଁ । ନିରଭ୍ର ଶାରଦ-ଶର୍ବରୀର ନିଶୀଥରେ ଉର୍ଦ୍ଧ୍ୱ ଗଗନରେ କୃତ୍ତିକା ନକ୍ଷତ୍ରପୁଞ୍ଜ ଭଳି ଏମାନେ ଯେମିତି ପରସ୍ପରକୁ ପ୍ରଭାନ୍ୱିତ କରି ଉଦିତ ହୁଅନ୍ତି । ମୋ ଜୀବନ-ଶରତରେ ସ୍ମୃତିର ନିଶୀଥସବୁ ଶତ ଶତ ତାରକାର ସ୍ନିଗ୍‌ଧ ରଶ୍ମିଚ୍ଛଟାରେ ଭରିଯାଏ । କିନ୍ତୁ ଆଜିକାର ଲଗ୍ନର ଏମିତି ଉଜ୍ଜ୍ୱଳ ସମାବେଶ ଆଉ ତ କେବେ ଦେଖିନାହିଁ, ଏହି ଦୁଇଟି ମଧ୍ୟମ ଓ ଗୋଟିଏ ଗାନ୍ଧାର ଭଳି ।

 

ମୌଜୁଦ୍‌ଦୀନ୍‌ କାଲେ ଖାଁ ସାହେବମାନେ ଗତ ହୋଇଛନ୍ତି । ସେମାନଙ୍କ କଣ୍ଠସ୍ୱର ଆଉ ଶୁଣାଯିବ ନାହିଁ । ମୁସ୍ତାକ ହୁସେନ ଖାଁ ସାହେବ (ଭଗବାନ ୟାଙ୍କୁ ଓ ୟାଙ୍କ ଯୋଗ୍ୟ ପୁତ୍ରକୁ ଦୀର୍ଘଜୀବୀ କରନ୍ତୁ) ଏ ପର୍ଯ୍ୟନ୍ତ ସୁସ୍ଥ ପ୍ରାଣବନ୍ତ କଣ୍ଠରେ ସଙ୍ଗୀତ ପରିବେଷଣ କରି ଚାଲିଛନ୍ତି । ଏଙ୍କ କଣ୍ଠର ଗାନ ଶୁଣିବାର ସୌଭାଗ୍ୟ ଯେଉଁମାନଙ୍କର ହୋଇଛି ବା ଏବେ ବି ଯେଉଁମାନଙ୍କ ସେଭାଗ୍ୟ ନୂଆକରି ଦେଖା ଦେଉଛି ସେଇମାନଙ୍କୁ ପଚାରୁଛି ସେଇ ବସନ୍ତମାଳତୀ ଗାନ କଥା, ଉଦାରାର ସେଇ ମଧ୍ୟମର ଶୋଭାସୁଗନ୍ଧ, ଅନୁପମ ସୌନ୍ଦର୍ଯ୍ୟ କଥା । ମୋର ଦୃଢ଼ ଧାରଣା, ଥରୁଟିକ ପାଇଁ ଯଦି ଏହାର ସାକ୍ଷାତ ପରିଚୟ ଘଟିଥାଏ ତେବେ କଦାପି ସେମାନେ ଭୁଲିପାରିବେ ନାହିଁ ଏହି ମନ୍ତ୍ର ମଧ୍ୟମକୁ ।

 

ଖାଁ ସାହେବ ଗାନ ଆରମ୍ଭ କଲେ ‘ଦୁଖକେ ପାତ ସବ୍‌ ଝର୍‌ ଗୟେ’ ଦେଇ ଆରମ୍ଭ ଗୋଟିଏ ପଦ । ପରେ ବିଶ୍ୱନାଥଜୀଙ୍କଠାରୁ ଶୁଣିଥିଲି ରାଗର ନାମ ‘କୌଶିଜୀ କାନାଡ଼ା’ । ଏକ ପ୍ରକାର ଉଦାର ଓ ଅସାଧାରଣ ଆବେଦନର ମାହାତ୍ମ୍ୟରେ ଉଜ୍ଜ୍ୱଳ ହୋଇଛି ମୁଦାରାର ମଧ୍ୟମ ସ୍ୱର-। କାହିଁକି ବା ନ ହେବ ! ଆରମ୍ଭର ପ୍ରଥମ ପାଞ୍ଚୋଟି ମାତ୍ରାର ଅବିରଳ ଦାକ୍ଷିଣ୍ୟଦ୍ୱାରା ମଣ୍ଡିତ ହୋଇ ଆବିର୍ଭୂତ ହୋଇଛି ଏହି ମଧ୍ୟମସ୍ୱର । ଠିକ୍‌ ପରେ ପଞ୍ଚମ ଓ କୋମଳ ଗାନ୍ଧାର ଯେପରି ପ୍ରିୟ ନର୍ମସଖାର ଆକୁଳ ଆବେଗ ନେଇ ସେହି ମଧ୍ୟମକୁ ପ୍ରଦକ୍ଷିଣ କରି ଫେରିଛି । କୌଣସି ଏକ ଆକସ୍ମିକ ସୁସମ୍ୱାଦର ଆନନ୍ଦ ଏମାନେ ହିଁ ତ ବହନ କରି ନେଇଛନ୍ତି ଷଡ଼୍‍ଜ ଋଷଭ ଓ କୋମଳ ଧୈବତର ଶ୍ରୁତି ପ୍ରସ୍ଥକୁ । ଚାରିଆଡ଼େ ବିଛାଡ଼ି ପଡ଼ିଥିବା ଆକୁଳତା ଶେଷ ଚରଣର ଧ୍ୱନି ଭିତରେ ମିଳାଇଗଲା । ନୂତନ ଉଚ୍ଛ୍ୱାସର ସୌନ୍ଦର୍ଯ୍ୟ ନେଇ ପୁଣି ଦେଖାଦିଏ ‘ଦୁଖକେ ପାତ ସବ୍‌ ଝର୍‌ ଗୟେ’ । ଉପକ୍ରମଣିକାର ମୁହୂର୍ତ୍ତରେ ମନ୍ତ୍ରମଧ୍ୟମ ଶୁଣାଇଥିଲା ଅଲକ୍ଷ୍ୟ ଲୋକର ଅଶ୍ରୁତପୂର୍ବ ଗୋଟିଏ ଧ୍ୱନି । ବର୍ତ୍ତମାନ ଗାନ ଭିତରେ ସେଇ ଧ୍ୱନି ନିଜଆଡ଼ୁ ଧରା ଦେଲା ମରଲୋକର ମାନବ ହୃଦୟବାଣୀର ଛଦ୍ମବେଶରେ । ସମଗ୍ର ପଦଟିର ଭାବାର୍ଥ ଥିଲା- ଦାୟିତ୍ୱର ଆଗମନ ବାର୍ତ୍ତା ଶୁଣି, ହେ ସଖି, ମୋ ଆଶାଲତାରୁ ଦୁଃଖର ପତ୍ରଗୁଡ଼ିକ ଝରି ପଡ଼ୁଛି । ତୁମେ ସବୁ ଆନନ୍ଦ କର ଓ ମୋ ହୃଦୟର ଆମନ୍ତ୍ରଣ ଜଣାଇ ତାଙ୍କୁ ଝଟତି ନେଇ ଆସ ।

 

ଅତୀତ ଦୁଃଖର ଛାୟାଘେରା ଅଥଚ ସୁଖସ୍ମୃତିରେ ଭରା ଏଇ କଳିକାଟି ବାରମ୍ବାର ସୃରଣପଥରେ ଜାଗେ । ପୂରା ଗାନଟି ପାଇଥିଲେହେଁ ତାକୁ ହଜେଇଛି ମୁଁ । ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଗୁଣୀ ମୁହଁରେ ଏ ଗାନଟି ଶୁଣି ନାହିଁ, କୌଶିକୀରେ ହେଉବା ଅନ୍ୟ କୌଣସି ରାଗରେ ହେଉ । ପରେ ଚନ୍ଦନ ଚୋବେଜୀଙ୍କ ପାଖରୁ କୌଶିକୀ କାନାଡ଼ାର ଗୋଟିଏ ଗାନ ପାଇଥିଲି । ସେଇ ଗାନର ସୁର ସାହାଯ୍ୟରେ ଅନେକ ମିନତି ଜଣାଇଛି ମୁଁ ମୋର ସ୍ମୃତିକୁ, ‘ଦୁଖକେ ପାତ ସବ୍‌’ ଫେରେଇ ଦେବାକୁ । କିନ୍ତୁ କେବଳ ମଝିରେ ମଝରେ ଗାନର ଚରଣ ଧ୍ୱନି ଶୁଣେ । ସ୍ମୃତିର ଅଲକ୍ଷ୍ୟରେ ମୂର୍ତ୍ତିଟି ଘୂରିବୁଲେ ।

 

ଅଳ୍ପକ୍ଷଣ ପରେ ଖାଁ ସାହେବ ହାତର ତମ୍ବୁରାଟି ପାଖରେ ବସିଥିବା ନରେନ୍ଦ୍ରବାବୁଙ୍କୁ ନେଇ ଡାହାଣ ଆଣ୍ଠୁ ଉଚ୍ଚ କରି କାଇଦା କରି ବସିଲେ । ତାଙ୍କ ଡାହାଣ ହାତ ଚାଲିଗଲା ଡାହାଣ କାନ ପାଖକୁ । ବାଁ ହାତଟି ରଖିଛନ୍ତି ଆଣ୍ଠୁ ଉପରେ । ମୌଜୁଦ୍‌ଦୀନ ମଧ୍ୟ ଏକ ଆସନରେ ବସି ଗାନ କରନ୍ତି, ମନେ ପଡ଼ିଗଲା ।

 

ବର୍ତ୍ତମାନ, ମନେହେଲା, ଆବେଗ ସଞ୍ଚୟ ହେତୁରୁ ତାଙ୍କ କଣ୍ଠସ୍ୱର ଔଜ୍ୱଲ୍ୟ ଓ ମଧୁରତାରେ ଅପୂର୍ବ ହେଲା । ଚିକ୍‌କଣ ସୁମାର୍ଜିତ ସେଇ କଣ୍ଠଧ୍ୱନିର ପ୍ରତି ଝଲକରେ ଆଭାସ ଦେଉଛି ମୀଡ଼ମୂର୍ଚ୍ଛନାଦ୍ୱାରା ତିଆରି ଅଳଙ୍କାରଗୁଡ଼ିକ । ରାଗର ଆବାହନ ଗାୟକିର ଶୃଙ୍ଗାରସଜ୍ଜାରେ ସାର୍ଥକ ହୋଇଛି । ସେପର୍ଯ୍ୟନ୍ତ ‘ଦୁଖକେ ପାତ ସବ୍‌’ ଶବ୍ଦଗୁଡ଼ିକ ଧରିପାରୁଥାଏ । ପ୍ରତି ଆବର୍ତ୍ତରେ ନୂତନ ତାନର ଉପସଂହାର ହୋଇ ନୂତନ ସଜ୍ଜାରେ ଫେରିଆସେ ସେ ଶବ୍ଦଗୁଡ଼ିକ-

 

ଏହାପରେ ସ୍ମୃତିପଥରେ କଥା ଆଉ ଯେମିତି ଆଗେଇ ପାରୁନାହିଁ । ସୁରର ଢେଉଗୁଡ଼ିକ ବିଶାଳ ହୋଇ ଅଜାଡ଼ି ପଡ଼ୁଛି ମୁଖପାତର ଉପକୂଳ-ଭୂମିରେ । ଗାନର ଠିକ୍‌ କେଉଁ ସମୟରେ ଅନ୍ତରାରେ ପଦଚାରୀ ଶେଷ ହୋଇଚି ଆମେ ଜାଣି ପାରିଲୁ ନାହିଁ । କେବଳ ମନେ ପଡ଼ୁଛି, ଜମ୍‌ଜମା ଓ ଗମକର ମାଳାରେ ନୂଆ ନୂଆ ସୁରର ସଜ୍ଜା ରଚିତ ହେଉଛି । ବିଚିତ୍ର ରାଗର ଫୁଲଝରିରେ ରାଗର ଆରତି ଆରମ୍ଭ ହୋଇଛି । ଆମ ଅନୁଭବ ରାଜ୍ୟରେ ସାକ୍ଷାତ୍‌ ରାଗର ଆବିର୍ଭାବ ହୋଇଛି । କଥା ଓ ସୁରର ଉପଚାରଗୁଡ଼ିକୁ ସ୍ତରେ ସ୍ତରେ ସଜାଇବା ଆଉ ବଡ଼ କଥା ନୁହେଁ । ନିବେଦନ କରିଦେବାଟାହିଁ ସେତେବେଳେ ବଡ଼କଥା, ଏକମାତ୍ର କଥା । ପୂଜାରୀ କେତେବେଳେ ବା ଗୋଟା ଫୁଲଟିକୁ ଚନ୍ଦନରେ ବୋଳି ନିବେଦନ କରନ୍ତି, କେତେବେଳେ ବା ଫୁଲର ପାଖୁଡ଼ାଟିଏ ଛିଣ୍ଡାଇ ଚନ୍ଦନରେ ବୋଳି ନିବେଦନ କରନ୍ତି । ରାଗର ପୂଜାରୀ ସେମିତି କେତେବେଳେ ପୂରା କଥା ବା ଶବ୍ଦକୁ ସୁରର ଚନ୍ଦନରେ ସୁରଭିତ କରି ନିବେଦନ କରନ୍ତି, କେତେବେଳେ ବା କଥାର, ଶବ୍ଦର ଟୁକୁରାକୁ ସୁରରେ ସୁରଭିତ କରି ସମର୍ପଣ କରନ୍ତି ରାଗଦେବତାଙ୍କ ଚରଣରେ । ଅନୁଷ୍ଠାନର ପର୍ଯ୍ୟାୟ ବିଲୀନ ହୋଇଯାଏ ଅନ୍ତରର ଆରାଧନାରେ । ଆରାଧନାହିଁ ରୂପାନ୍ତରିତ ହୋଇ ଫେରିଆସେ ଅନୁରାଗରେ ଆରକ୍ତିମ ହୋଇ, ଅନୁଭବ ଅମୃତରେ ସୁସିକ୍ତ ହୋଇ । ଏଇ ଅନୁଭୂତି, ମାନସୀ ରତି ଓ ଅମୃତର ଆସ୍ୱାଦ କେଜାଣି କେମିତି ଆଶ୍ଚର୍ଯ୍ୟଭାବେ ସଂକ୍ରମିତ ହୁଏ ଶ୍ରୋତାଙ୍କ ହୃଦୟକୁ । ଗାୟକ ଓ ଶ୍ରୋତାର ଆନ୍ତରିକ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ ଆଉ ରୁହେନା ।

 

ଗାନ ଶେଷ ହେଲା ପରେ ମନେ ହେଲା ଧ୍ରୁପଦ-ଧାମାର ଓ ଖେୟାଲ ମଧ୍ୟରେ ଭେଦ କେବଳ ସାଧନ ଓ ଅନୁଷ୍ଠାନର ଭେଦ । ସବୁ ସାଧନାର ଚରମ ଲକ୍ଷ୍ୟ ଯେଉଁ ଅନୁଭବର ଉନ୍ମେଷ ସେଥିରେ ତ ଭେଦ ନାହିଁ । ଧ୍ରୁପଦ-ଧାମାର ଗାୟକ ରାଗଦେବତାଙ୍କ ପୂଜାପାଇଁ କଦାପି କଥାର ଫୁଲ ଛିଣ୍ଡାଇ ଛିନ୍ନଦଳ ନିବେଦନ କରେନା । ଖେୟାଲ ଗାୟକ ହୁଏତ ଆବେଗବଶରେ ଆନୁଷ୍ଠାନିକ ନିୟମ ଜଳାଞ୍ଜଳି ଦିଏ । ତଥାପି ସେ ଅନୁତପ୍ତ ହୁଏନା ।

 

ଅନୁଭବ ମୁହୂର୍ତ୍ତରେ କଥାର ବିଶ୍ଳେଷଣ ହୁଏନା, କଥାର ଆକର୍ଷଣ ଥାଏନା । କିନ୍ତୁ କଣ୍ଠସ୍ୱରର ଆଭାସ ସର୍ବକ୍ଷଣ ଥାଏ । ଖାଁ ସାହେବ ଯେତେବେଳେ ସାନ ସାନ ପାଲ୍ଲାର ‘ହର୍‌କତ୍‌’ (ପ୍ରତ୍ୟେକ ନୂତନ ବିସ୍ତାର ମୁହଁରେ ମୂର୍ଚ୍ଛନାର ମୋଲାୟେମ ଆଲିମ୍ପନ) ଦ୍ୱାରା ବିସ୍ତାରର ବିଚିତ୍ର ତରଣୀ ସବୁ ସୁରର ତରଙ୍ଗରେ ଭସାଇ ଦେଉଥିଲେ ସେତେବେଳେ ତାଙ୍କ କଣ୍ଠସ୍ୱରର ବୈଚିତ୍ର୍ୟ ଅନୁଭବ କଲି । ଶୁଣିବାବେଳେ ସେ କଣ୍ଠସ୍ୱରର ତୁଳନା ମୁଁ ପାଇନାହିଁ । ପରେ ଇନ୍ଦୋରନିବାସୀ ବୀଣ୍‌କାର ମଜିଦ୍‌ ଖାଁ । ସାହେବଙ୍କ ବୀଣାବାଦନରେ ହର୍‌କତ୍‌ ଶୁଣି ମନେ ପଡ଼ିଗଲା କାଲେ ଖାଁ ସାହେବଙ୍କ କଣ୍ଠର ସ୍ନିଗ୍‌ଧ ଗମ୍ଭୀର ଲୀଳାୟିତ ଚରିତ୍ର * ଯାହା ଭିତରେ ରୁକ୍ଷତାର ଲେଶମାତ୍ର ନଥିଲା । ନାନା ପ୍ରକାରର ଗତିବେଗ ଭିତରେ ନାନାପ୍ରକାରର ଅଜସ୍ର ତାନ, ଅଥଚ କଣ୍ଠର ସେଇ କୋମଳତାର ସାମାନ୍ୟ ବିଚ୍ୟୁତି ବି ଘଟିନାହିଁ । ମୋ କାନରେ ସୁରର ସ୍ନେହଲେପ ନାହିଁ କେବଳ ଅନୁଭବ କରିଛି । ସ୍ୱରଦ୍ୱାରା ଶ୍ରବଣ ବେଧ ବା ଆଘାତ ଘଟିଥିବାର ମନେପଡ଼େନା । ଜର୍‌ବଦାର (ଅର୍ଥାତ୍‌, staccato-style ର) ବୋଲ୍‌ ବା ତାନ୍‌ର ଛୁଁଇବାମାତ୍ରେ ବିଦ୍ଧ କରିବା ଲକ୍ଷଣ ସହଜରେ କାନରେ ଧରାପଡ଼େ । ସୁର୍‌ସବୁ ଯେମିତି ସେମାନଙ୍କ ବିଶିଷ୍ଟ ପରିଛିନ୍ନ ଆବିର୍ଭାବ ସ୍ପଷ୍ଟ ଆଘାତଦ୍ୱାରା ଜଣାଇ ଦେଉଛନ୍ତି । ଖାଁ ସାହେବଙ୍କ କଣ୍ଠର ଚରିତ୍ର ଓ କାରୁକାର୍ଯ୍ୟ ଏଭଳି ଜରବ୍‌ଦାର ତାନ୍‌କୁ ଉପେକ୍ଷା କରୁଥିବା ଭଳି ମନେହେଲା । ଏମିତିକି, ଚୌଦୁନି ତାନ୍‌ ଭିତରେ ବି ଜରବ୍‌ଦାର ଲକ୍ଷଣ ନଥିଲା ।

 

* ଶବ୍ଦର ‘ଚରିତ୍ରକୁ’ ସଙ୍ଗୀତାଚାର୍ଯ୍ୟ ଭରତ ‘ଗୁଣ’ ବୋଲି ବ୍ୟାଖ୍ୟା କରିଛନ୍ତି । ଆଧୁନିକ ପାଶ୍ଚାତ୍ୟ ବୈଜ୍ଞାନିକମାନେ ଏହାକୁ କହନ୍ତି ‘character’ ବା ‘timber’ ।

 

ମଜିଦ୍‌ ଖାଁ ସାହେବଙ୍କ ବୀଣାରେ ଗମକ୍‌-ଯୋଡ଼ ଶୁଣି ମନେପଡ଼ିଥିଲା କାଲେ ଖାଁ ସାହେବଙ୍କ ମୋଲୟେମ୍‌ ଗମକ୍‌ର କାମ । ତମ୍ବୁରାଗୁଞ୍ଜନ ସହଯୋଗରେ କଣ୍ଠରେ ସେ ଆନ୍ଦୋଳନଗୁଡ଼ିକ ନିଶ୍ଚୟ ବୀଣାଯନ୍ତ୍ରରେ ଗମକ୍‌ର ଅନୁରୂପ ଥିଲା । ତା ନ ହେଲେ ମଜିଦ୍‌ ଖାଁ ସାହେବଙ୍କ ହାତରେ ଗମକ୍‌ ଶୁଣି କାଲେ ଖାଁ ସାହେବଙ୍କ କଣ୍ଠରେ ଗମକ୍‌ ମନେପଡ଼ନ୍ତା ନାହିଁ । କାଲେ ଖାଁ ସାହେବଙ୍କ ଗାନ ଶୁଣିବା ପୂର୍ବରୁ ଇମ୍‌ଦାଦ୍‌ ଖାଁ ସାହେବଙ୍କ ସେତାର ସୁରବାହାରରେ ଗମକ୍‌ ଶୁଣିଥିଲି । ପରେ ଆଲ୍‌ଲାଉଦ୍‌ଦୀନ ଖାଁ ସାହେବ, କେରାମତ୍‌ ଉଲ୍‌ଲା ଖାଁ ସାହେବ ଓ ଫିଦାହୁସେନ୍‌ ଖାଁ ସାହେବଙ୍କ ସରୋଦରେ ଗମକ୍‌ ଶୁଣିଛି । କିନ୍ତୁ ସେ ସବୁ କାଲେ ଖାଁ ସାହେବଙ୍କ କଣ୍ଠଚରିତ୍ର ସ୍ମରଣ କରାଇ ପାରି ନାହିଁ । ଏ ହେଲା ଅସଲ କଥା ।

 

କଣ୍ଠସ୍ୱର ସହିତ କଣ୍ଠସ୍ୱରର ସାଦୃଶ୍ୟ ଅନୁଭବ କରି ଏକପ୍ରକାର ତୁଳନା ସମ୍ଭବ । କେବଳ ମାତ୍ର ଅବ୍‌ଦୁଲ କରିମ ଖାଁ ସାହେବଙ୍କ କଣ୍ଠର ସ୍ୱଭାବଚରିତ୍ର ସହିତ କାଲେ ଖାଁ ସାହେବଙ୍କ କଣ୍ଠର ବିଶିଷ୍ଟ ଚରିତ୍ରର ସାଦୃଶ୍ୟ ଓ ସାଜାତ୍ୟ ବୋଧ କରିଛି । ଏପ୍ରକାର ବୋଧକୁ ଗୋଟାଏ ଦୃଷ୍ଟାନ୍ତରୂପେ ସ୍ମୃତିରେ ଧରି ରଖିଛି । ସାରଙ୍ଗୀର ଧ୍ୱନି ଓ ଏସ୍ରାଜ ଧ୍ୱନି ଭିତରେ ଯେଉଁ ସାଦୃଶ୍ୟ, କାଲେ ଖାଁ ସାହେବଙ୍କ କଣ୍ଠଧ୍ୱନି ଓ ଅବ୍‌ଦୁଲ୍‌ କରିମ୍‌ ଖାଁ ସାହେବଙ୍କ କଣ୍ଠଧ୍ୱନି ଭିତରେ ସେଇଭଳି ସାଦୃଶ୍ୟ ବୋଧ କରେ । ପାର୍ଥକ୍ୟ ମଧ୍ୟ ଏଇ ଦୃଷ୍ଟାନ୍ତର ଅନୁଗତ ବୋଲି ମନେହେଲା । ଏସ୍ରାଜ ଯନ୍ତ୍ରରେ ତାରାର ସପ୍ତକର ସୁରମାନଙ୍କ ଚରିତ୍ରରେ ଗୋଟାଏ ଅସାଧାରଣ ତୀବ୍ରତା ଦେଖାଦିଏ, ଯାହାକୁ ଇଂରାଜୀରେ Falsetto କହନ୍ତି । ସାରଙ୍ଗୀରେ ଏଭଳି ହୁଏନା । କାଲେ ଖାଁ ସାହେବଙ୍କ କଣ୍ଠ ଥିଲା ସାରଙ୍ଗୀ ଭଳି । ତାର-ସପ୍ତକର ସୁରରେ କୌଣସି ପ୍ରକାର ତୀକ୍ଷ୍‌ଣତା ଦେଖା ଦିଏ ନାହିଁ-। ଅବଦୁଲ୍‌ କରିମ୍‌ ଖାଁ ସାହେବଙ୍କ କଣ୍ଠ ଏସ୍ରାଜ ଭଳି ତାର-ସପ୍ତକକୁ ଉଠିଲେ କୃତ୍ରିମ ଓ ସୁତୀକ୍ଷଣ ରୂପ ଧାରଣ କରେ । ଏହାହିଁ ମୋର ଧାରଣା ।

 

ଗାନ ଶେଷ ହେବା ପରେ ଖାଁ ସାହେବ ଅଳ୍ପକ୍ଷଣ ପାଇଁ ବିଶ୍ରାମ ନେଲେ । ଇତିମଧ୍ୟରେ ବିଶ୍ୱନାଥଜୀ ମୃଦୁସ୍ୱରରେ ବଙ୍ଗଳା ଭାଷାରେ କୁମାରଙ୍କୁ ସ୍ମରଣ କରାଇ ଦେଲେ : ଖବରଦାର୍, ଖାଁ ସାହେବଙ୍କୁ ଯେମିତି କୌଣସି ଫରମାସ୍‌ କରା ନ ହୁଏ । ସେ ନିଜ ଖିଆଲରେ ଯାହା ଗାଇବେ ସେଇଟାହିଁ ହେବ ଚରମ ।

 

ତମ୍ବୁରାର ସୁରରେ କୌଣସି ପରିବର୍ତ୍ତନ ନ କରି, କୌଣସି ଉପକ୍ରମଣିକା ନ କରି ଖାଁ ସାହେବ ଦ୍ୱିତୀୟ ଗାନ ଆରମ୍ଭ କଲେ ‘ଯୋବନ ଆୟେ’ । ଉଦ୍‌ଭଟ ଅଥଚ ରମଣୀୟ ସ୍ମୃତିର ବେଷ୍ଟନୀଦ୍ୱାରା ସେ ଗାନ ଘେରାଉ ହୋଇ ରହିଚି । ବେଷ୍ଟନୀ ଚାରିଆଡ଼େ ଶୁଖିଲା ଲତା-ପତରର ଜଞ୍ଜାଳ ଭଳି ଅବାନ୍ତର ଅଭିଜ୍ଞତା ମଧ୍ୟ ଜଡ଼ାଇ ଅଛି । ସ୍ମୃତିପଥରେ ଏଇମାନେ ବାଧା ସୃଷ୍ଟି କରନ୍ତି । ଏ ସବୁକୁ ଆଡ଼େଇ ନ ଦେଇ ଅନୁଭବ ମନ୍ଦିରକୁ ପ୍ରବେଶ କରିବା କଠିନ ।

 

ଓସ୍ତାଦ ବିଶ୍ୱନାଥଜୀ କହିଥିଲେ, ଏଇ ଗାନର ରାଗ ‘ପଞ୍ଚମ’ ନାମକ ରାଗର ପ୍ରକାର ଭେଦ । ସେ ସମୟର ବଙ୍ଗଳାର ଧ୍ରୁପଦୀୟା ଗୁଣୀମାନେ ‘ବସନ୍ତ’ ନାମକ ଯେଉଁ ରାଗ ଅନୁଶୀଳନ କରୁଥିଲେ ‘ପଞ୍ଚମ’କୁ ସେଇ ବସନ୍ତର ଜ୍ଞାତି ବୋଲି ମଣିଥିଲି । ପରେ ଶ୍ୟାମଲାଲଜୀ ଓ ବଦଲ୍‌ ଖାଁ ସାହେବଙ୍କ ସହିତ କଥାବାର୍ତ୍ତାରୁ ଜାଣିଲି ଯେ ସେମାନଙ୍କ ମତରେ ‘ଯୋବନ ଆୟେ’ ଗାନଟିର ରାଗ ‘ଲଲ୍‌ତା-ପଞ୍ଚମ’, ଓ ସାମାନ୍ୟ ପାର୍ଥକ୍ୟ ଥାଇ (ଲଲତ୍‌-ପଞ୍ଚମ) ନାମରେ ଅନ୍ୟ ଗୋଟିଏ ରାଗ ମଧ୍ୟ ଅଛି । ଏମାନଙ୍କ ମନ୍ତବ୍ୟର ଭିତ୍ତି ଥିଲା ଘରାନା ଓସ୍ତାଦମାନଙ୍କ ମୁହଁରେ ପ୍ରଚଳିତ ଧ୍ରୁପଦ-ଧାମାର ଖେୟାଲ ଗାନର ସାକ୍ଷାତ ନିଜର । ଏହି ଭିତ୍ତି ନିର୍ଭରଯୋଗ୍ୟ ବୋଲି ମନେକରିଛି-। ଫଳରେ ବସନ୍ତ, ଲଲତ୍‌ (ଲଳିତ), ଲଲ୍‌ତା (ଲଳିତା), ପଞ୍ଚମ ଏବଂ ଲଲତ୍-ପଞ୍ଚମ ଓ ଲଲ୍‍ତା-ପଞ୍ଚମ ଅରଣ୍ୟ ଭିତରେ ପ୍ରବେଶ କରି ବାଟବଣା ହୋଇଗଲି । ପରେ ଜଙ୍ଗଲ ସଫା କରି ଗୋଟାଏ ବାଟ ବାହାର କଲି । ଯାହା ହେଉ, ସ୍ମୃତିପଥରେ ଏ ସବୁର ଶୁଖିଲା ଡାଳ ପତରର ଆବର୍ଜନା ଜମିରହିଛି । ଏ ସବୁକୁ ଛୁଇଁଲେ ବିପଦ ଅଛି । ଜଞ୍ଜାଳ ଭିତରେ ମତଭେଦର କଣ୍ଟାଗଛ ଓ ଐତିହାସିକ ଅନାବନା ଗଛ ଉଠିଛି । ଆପାତତଃ କାଲେ ଖାଁ ସାହେବଙ୍କ ମୁହଁରେ ‘ଯୋବନ ଆୟେ’ ଗାନଟି ପ୍ରତି ମୋର ଆଗ୍ରହ ପ୍ରବଳ । ଏଇ ଆଗ୍ରହ ନିଆଁରେ ପୋଡ଼ି ଦିଏ ସେଇ ଆବର୍ଜନା ଓ ଅନାବନା ଗଛ ସବୁ । ଶୁଖିଲା ଜିନିଷ ସହଜରେ ଦାଉ ଦାଉ ଜଳି ଉଠେ । କିନ୍ତୁ ସେ ଅନାବନା ଗଛର ନିତ୍ୟ-ନୂତନ କଞ୍ଚା କାଠ ପୋଡ଼ୁ ପୋଡ଼ୁ ଧୂଆଁର କୁଣ୍ଡଳୀ ସୃଷ୍ଟି କରୁଛି ବୋଲି ବେଶ୍‌ ବୁଝିପାରୁଛି ।

 

ଗାନ ଆରମ୍ଭରେ ‘ଯୋବନ ଆୟେ’ର ପାଞ୍ଚୋଟି ଅକ୍ଷରଦ୍ୱାରା ଗଠିତ ସୁରର ଫାନ୍ଦ । ସେଇଥିରେ ଧରାପଡ଼ିଛି ମୋ ମନ । ପୂର୍ବର କୌଶିକୀ-କାନାଡ଼ାର ରେଶ୍‌ଟି ସେ ପର୍ଯ୍ୟନ୍ତ ଲାଗି ରହିଥାଏ । ‘ଯୋବନ ଆୟେ’ ନାମକ ଦ୍ୱିତୀୟ ଅବଶିଷ୍ଟ କଥା ଓ ସୁରଗୁଡ଼ିକର ଏକ ଆବର୍ତ୍ତ ଖତମ୍ ହୋଇ ଗାନର ମୁଖବନ୍ଧନୀ ଦ୍ୱିତୀୟବାର ଫେରିଆସିଲା । ଯେମିତି ଭାସି ବୁଲୁଥିବା ପାତଳା ମେଘର ମର୍ମ ଭେଦ କରି ସ୍ତିମିତ ଜ୍ୟୋତ୍ସ୍ନାର ଆଲୋକ– ଗାନର ଆଲୋକ– ମୋ ମନରେ ବିଛାଡ଼ି ପଡ଼ିଲା । ମୁଁ ଖୋଜୁଥାଏ ଆରମ୍ଭର ସେଇ ‘ଯୋବନ ଆୟେ’ର ଚମତ୍‌କାର ବ୍ୟାପାରଟିକୁ, ମେଘ ଆଢୁଆଳରେ ସେଇ ଚନ୍ଦ୍ରମା, ସେଇ ଅନୁଭବର ଚନ୍ଦ୍ରମାକୁ, ଯିଏ ମୋ ହୃଦୟ ବାତୟନକୁ ପଠାଇଦେଲା ଗୀତମଧୁର ଜୋଛନାଦୂତୀକୁ । କି ଚମତ୍କାର ସେଇ ‘ଯୋବନ ଆୟେ’ର ମୁହରା ! ଗାନଟି ତିନି ଚାରି ଥର ଶୁଣୁ ଶୁଣୁ ମନେହେଲା, ମେଘ ଓ ଚାନ୍ଦର ଖେଳରେ ଶୋଭା ଖୋଲିଯାଇଛି-। ଅସ୍ଫୁଟ ଜ୍ଞାନ ଓ ଅବିକଶିତ ଅନୁଭବର ମିଳନ-ଲୀଳା ମୋ ଅନ୍ତରକୁ କ୍ଷଣକେ ପୁଲକିତ, କ୍ଷଣକେ ଶାନ୍ତ କରିଦେଉଥାଏ । ଏଇ ପାଞ୍ଚୋଟି ଅକ୍ଷର ଓ ସୁରର ପଞ୍ଚପ୍ରଦୀପ ଆଶ୍ଚର୍ଯ୍ୟ ଆଲୋକରେ ଭରା-! ମୁଦାରାର ମଧ୍ୟମ, ପଞ୍ଚମ, ଧୈବତ ଓ ତାର-ଷଡ଼୍‌ଜ । କେତେ ସାମାନ୍ୟ ଏ କଥା ! ଜଗତରେ କିଏ ଏମିତି ଗୀତନବିସ ବା ସୁରନବିସ୍‌ ଅଛି ଯାହାର ଗଳା ଏହି କେତୋଟି ସୁରରେ ଯା-ଆସ କରିନାହିଁ ! କିନ୍ତୁ ସୁର୍‌ରେ ଯା-ଆସ କରିବା ଗୋଟାଏ କଥା, ଆଉ ସୁରଶ୍ରୁତିର ଅନୁଭବ ସୁନ୍ଦର ଆସନ ରଚନା କରି ଗାନ ବା ରାଗକୁ ଆମନ୍ତ୍ରଣ ଜଣାଇବା ଅନ୍ୟ କଥା ।

 

ଗୋଟିଏ ସାନ ଗିଟ୍‌କିରିର ଚମକ୍‌ ଓ ଗୋଟିଏ ହାଲୁକା ମୋଲାୟେମ ବିସ୍ତାର ରଚନା କରି ଖାଁ ସାହେବ ନିଷାଦ ସୁରରେ ଯେମିତି ତଲ୍‌ବାରରେ ଗୋଟିଏ ଚୋଟ ହାଣିଲେ ସମ୍‌ ଉପରେ-। ‘ଆୟେ’ ଶବ୍‌ଦର ‘ଆ’ ଉପରେ ଥିଲା ସମ୍‌ର ସନ୍ଧାନ । ତୀବ୍ର ନିଷାଦର ଗୋଟିଏ ଅମୃତମୁଖ ବାଣଦ୍ୱାରା ଯେମିତି ଗାନର ମର୍ମଭେଦ ହେଲା । ଆଉ, ଛନ୍ଦ ଓ ମାତ୍ରାର ଗ୍ରନ୍ଥିରେ ଗାନର ପ୍ରତି ଅଙ୍ଗକୁ ଅନୁସ୍ୟୁତ ହୋଇ ଚାଲିଲା ଏକ ପରମ ସୁସ୍ୱାଦୁ ଶ୍ରବଣାମୃତ । ଧୈବତର ମୂର୍ଚ୍ଛନା ମଧ୍ୟରେ ନିଷାଦର ସେଇ ବେଦନା-ମଧୁର ସ୍ୱରୂପଟି ମିଳାଇଗଲା । କିନ୍ତୁ ତା’ର ଶିହରଣ ଉପୁଚି ପଡ଼ି ପଞ୍ଚମର ସ୍ପର୍ଶରେ ଦେଖାଦେଲା । ମନେହେଲା ଯେମିତି ଆତ୍ମସମର୍ପଣର କ୍ରମିକ ଲୀଳାପର୍ଯ୍ୟାୟ ଶ୍ରୁତିମାନଙ୍କ ସାଥେ ସାଥେ ସୁରର ପଥରେ ଉଙ୍କି ମାରୁଛି । ନିଜ ଅଭିମାନ ସ୍ପର୍ଦ୍ଧାରେ ନିଜ ଆବେଗ ସଞ୍ଚୟ କରି ପ୍ରତିଟି ସୁର ଆସୁଥାଏ । ପରମୁହୂର୍ତ୍ତରେ ବିମୋହ ଓ ବିସ୍ମୟ ଭିତରେ ଘଟେ ଆତ୍ମବିସ୍ମରଣର ଚମତ୍କାରୀ । ଅନୁଭବର ସେ ମାଧୂର୍ଯ୍ୟ ଅସ୍ଫୁଟ, ଅବର୍ଣ୍ଣନୀୟ । ହାତପାଆନ୍ତା ଆସି ବି ସେ ଧରାଦିଏ ନା । ଅଥଚ ଅଜ୍ଞାତସାରରେ ସେ ବାରମ୍ବାର ଧରାଦେଇ ଚାଲିଯାଏ । ଚାଲିଯିବା ପରେ ମନର ମାଧୁରୀରୁହିଁ ବୁଝେ ଏକ ମଧୁର ସୁନ୍ଦର କେତେବେଳେ ଆସି ମୋତେ ସ୍ପର୍ଶମାତ୍ର ଦେଇ ଚାଲିଯାଇଛି । ଚାଲିଯିବାବେଳେ ମୋର ସମସ୍ତ ମନୋଭୂମିକୁ ସୁରଶ୍ରୁତିର ସ୍ନିଗ୍‌ଧ ଶିଶିର ସିଞ୍ଚନଦ୍ୱାରା ନିସ୍ନାତ କରିଦେଇଛି ।

 

ମାତ୍ର ସେଇ ପାଞ୍ଚୋଟି ଅକ୍ଷରକୁ ଧରି ଖାଁ ସାହେବ ସୁରର ବଢ଼ତ୍‌ (କ୍ରମଶଃ ଅଗ୍ରଗାମୀ ସୁରର ଭାଙ୍ଗଦ୍ୱାରା ଏକପ୍ରକାର ରାଗ-ବିସ୍ତାର) ରଚନା କରି ଚାଲିଲେ ଗୋଟିକ ପରେ ଗୋଟିଏ । ପ୍ରତିଥର ଫେରିଆସେ ‘ଯୋବାନ ଆୟେ’ର ମୁଖବନ୍ଧନୀ ନୂତନ ତାନର ବେଗ ସଂଗ୍ରହ କରି, ସୁର-କଲ୍ଲୋଳର ଉଦ୍ଦାମ ତରଙ୍ଗ-ସମ୍ଭାର ବହନ କରି । ଏ କଅଣ ଯୌବନ ସମୁଦ୍ରର ନିତ୍ୟ ନବ ପରିଚୟ ? କେଜାଣି ! ମୋ ମାନସ ପ୍ରତ୍ୟକ୍ଷରେ ବାରମ୍ବାର ଉପଲବ୍‌ଧି କରୁଥାଏ ସେଇ ମନୋହର କ୍ଷଣବିପର୍ଯ୍ୟୟର ଭଙ୍ଗିମା । ଭାବତରଙ୍ଗର ଫେନିଳ ଉଚ୍ଛ୍ୱାସ, ଲୀଳାୟିତ ଅଙ୍ଗବିକ୍ଷେପର ଉର୍ମିଳ, ଆବେଗବିହ୍ୱଳ ବକ୍ଷଶ୍ୱାସର ଅଧୀର ଶବ୍‌ଦାୟମାନ ସ୍ୱରୂପ ଯେମିତି ମୋ ମନୋଭୂମିକୁ ଉପପ୍ଳାବିତ କରିବାକୁ ଅଗ୍ରସର ହେଉଚି । ସେଇ ଆଗମନର ଚରମ ବିସ୍ମୟ ଆସ୍ୱାଦ କରିବା ଆଶାରେ ମୁଁ ପ୍ରତୀକ୍ଷା କରି ରହିଥାଏ । ଠିକ୍‌ ଏହି ସମୟରେ, ଆଉ ପ୍ରତିଥର, ସେଇ ତରଙ୍ଗଭଙ୍ଗି ମୁଖବନ୍ଧନୀର ଘୂର୍ଣ୍ଣାବର୍ତ୍ତରେ ପଡ଼ି ନିଷାଦ ଓ ଧୈବତର ଶ୍ରୁତି-ସୀମାରେ ଅକସ୍ମାତ୍‌ ଛତ୍ରଭଙ୍ଗ ହୋଇଯାଏ । ପଞ୍ଚମସ୍ୱରର ଅକିଞ୍ଚନ ଉପକୂଳକୁ ଆସି ସେଇ ପ୍ରମତ୍ତଭାବଗୁଡ଼ିକ ଯେମିତି ଶାନ୍ତ ମୂର୍ଚ୍ଛିତ ହୋଇଯାଏ ଆତ୍ମପ୍ରକୃତିର ଗଭୀରତାରେ । ଏଭଳି ଅନୁଭବର ଉନ୍ମେଷ, ଅନୁଭୂତିର ଏକ ଅକସ୍ମାତ୍‌ ପ୍ରଶାନ୍ତ ବିସ୍ମୟ, ଅନ୍ତର ଭିତରେ ଆକସ୍ମିକ ଉପଶମରୁ ଏହି ଅନୁପମ ପରିଚୟ ଅତି ବିଚିତ୍ର ।

 

ବିସ୍ତାରକ୍ରମ ଭିତରେ ଯେତେଥର ଗାନମୁଖ ଏଇ ନିଷାଦ ଓ ଧୈବତର ସମ୍ମୁଖୀନ ହୋଇଛି ସେତେଥର ମୋ ମନରେ ଏଇ ଅନୁଭବର ବିସ୍ମୟ ଓ ମୋହ ଦେଖାଦେଇଛି । କେତେପ୍ରକାର ଗାନରେ କେତେ ବିଭିନ୍ନ ପ୍ରକାରର ରାଗତରଙ୍ଗରେ ଶୁଦ୍ଧ ନିଷାଦ ଓ ଶୁଦ୍ଧ ଧୈବତ ଭାସିଆସେ, ଭାସିଯାଏ । ଏ-ସବୁକୁ ମୁଁ କେବେହେଁ ଅବହେଳା କରିନାହିଁ, ଏବେ ବି କରେନା । କଦାଚିତ୍‌ ଏମାନଙ୍କ ଶ୍ରୁତିସବୁ ଈଷତ୍‌ ଅବଗୁଣ୍ଠନର ଅନ୍ତରାଳରୁ କଟାକ୍ଷ ଓ ଭ୍ରୂବିଳାସର ଇଙ୍ଗିତ ମାତ୍ର ଦେଇ ଚାଲିଯାଆନ୍ତି, କିଛି ହିଁ ସ୍ପଷ୍ଟ କରି କୁହନ୍ତି ନାହିଁ । କେବେ ବା ସୁରସବୁ ହସ ହସ ବଦନରେ ବୁଝାଇ ଦେଇ ଯାଆନ୍ତି ସେ ଶିଳ୍ପୀର ଅଭ୍ୟାସ-ନିଗଡ଼ରେ ଏମାନେ ବଦ୍ଧ ବିହଙ୍ଗ । କଳକାକଳୀ ସୃଷ୍ଟି କରନ୍ତି, ମାତ୍ର ଶିଳ୍ପଚାତୁର୍ଯ୍ୟ ‘window dressing’ ବଜାଏ ରଖିବାକୁ ଏମାନେ ପାଳି ଅନୁସାରେ ଆସନ୍ତି ଓ ଚାଲିଯାଆନ୍ତି । କେତେବେଳେ ବା ଏମାନେ ଗୋଟିକ ପରେ ଗୋଟିଏ ଶାନ୍ତଶିଷ୍ଟ ନିର୍ବିକାର ଧ୍ୱନି କରନ୍ତି । ଟାଇମ୍‌ପିସ୍‌ ଘଡ଼ିର ଟିକ୍‌ଟିକ୍‌ ଧ୍ୱନିଭଳି ଶବ୍‌ଦର ଆହୁଲା ମାରି କାଳ-ସମୁଦ୍ରକୁ ଖଣ୍ଡିତ ବିଖଣ୍ଡିତ କରିବା ଯେମିତି ଏମାନଙ୍କ ଜୀବନର ଏକମାତ୍ର କର୍ତ୍ତବ୍ୟ; ଆଗମନର ଏକମାତ୍ର ହେତୁ ! ଏମାନଙ୍କ ସହିତ ସାକ୍ଷାତ୍‌ ହେବାମାତ୍ରେ କୁହେ, ‘ତୁମେ ଯେ ଆସିଲ ଏ ମୋର ଭାଗ୍ୟ । ତୁମର କର୍ତ୍ତବ୍ୟନିଷ୍ଠା ଦେଖି ମୁଁ ପ୍ରୀତ, କୌଶଳ ଦେଖି ଚମତ୍କୃତ ! ଆଶୀର୍ବାଦ କରେ, ସୁଖରେ ବଞ୍ଚ । ଆଉ ତୁମ ଯାତ୍ରାପଥର ପଣ୍ଡା ଯେମିତି ତୁମକୁ ବିପଥ ବିପଦକୁ ନେଇ ନ ଯାଆନ୍ତି । ଖୁବ୍‌ ଖୁସିରେ ଏମାନେ କର୍ତ୍ତବ୍ୟ ପାଳନ କରନ୍ତି, ନିଜ ନିଜ ଭିତରେ ଛଳା-କଳାର ଖେଳ ଖେଳନ୍ତି, ଆଉ ଛୁଟି ପାଇବା ମାତ୍ରକେ ଇସ୍କୁଲର ପିଲାଙ୍କଭଳି ଦୌଡ଼ି ପଳାନ୍ତି । କିଛି ଆଣନ୍ତି ନାହିଁ, କିଛି ଦେଇଯାଆନ୍ତି ନାହିଁ । ଶିଳ୍ପଚାତୁର୍ଯ୍ୟକୁ ଅବହେଳାର ବସ୍ତୁ ବୋଲି ଭାବି ନାହିଁ କେବେହେଁ । କିନ୍ତୁ ଚାତୁର୍ଯ୍ୟ ଯେ ଶିଳ୍ପର ଚରମଚର୍ଯ୍ୟା ବା ଶିଳ୍ପୀ ଜୀବନର ପ୍ରଥମ ଓ ଶେଷ ନିଃଶ୍ୱାସ ତା କେବେ ମନେ କରି ନାହିଁ ।

 

ଏଇ ନିଷାଦ ଓ ଧୈବତ ! ଏମାନେ ଖାଲି ସାଧନସିଦ୍ଧ କଣ୍ଠକୂଳନ ନୁହଁନ୍ତି । ଅନୁଭବରାଜ୍ୟକୁ ପ୍ରବେଶ କରିବାର ଯୋଗ୍ୟ ପରିଚୟପତ୍ର ସାଙ୍ଗରେ ନେଇ ଅନୁଭବ ପଥରେ ଏମାନେ ଆସନ୍ତି । ଶ୍ରୋତାର ଅନୁଭବ ନିକଟରେ ସାକ୍ଷାତ୍‌ ନିବେଦନ ଜଣାଇ ଫେରିଯାଆନ୍ତି ଏମାନେ । ମନେହୋଇଚି, ନିଷାଦ ଓ ଧୈବତର ଯୁଗଳ ପରିଚୟ ହିଁ ସେ ଗାନର ଜୀବନସୂତ୍ରର ରସମୟ ମିଳନଗ୍ରନ୍ଥି । ଅନ୍ୟ ସବୁ କଥା ଓ ସୁର ସେଇ ଜୀବନସୂତ୍ର ମାଧ୍ୟମରେହିଁ ପରସ୍ପର ଗୁନ୍ଥା, ସେଇ ସଙ୍ଗମ-ସୁଧାହିଁ ସେମାନଙ୍କ ପରସ୍ପର ମାଗୁଣି ଓ ପାଆଣିର ଚରମ କଥା । ଏମାନଙ୍କ ଆବେଦନ ମୋ ଅନ୍ତରକୁ ସଞ୍ଜୀବିତ କରିଛି, ବେଦନା ଓ ଅନୁଭୂତିର ପରମ ପ୍ରସାଦ ଦାନ କରି ମୋ ଆକାଂକ୍ଷାକୁ ସାର୍ଥକ କରିଛି । ତଥାପି ଏମାନଙ୍କ ମର୍ମକଥାଟି ମୌଖିକ କଥାରେ ମୁଁ ଧରି ରଖି ପାରୁନାହିଁ । ସୁରର ସ୍ମୃତିପଟରେ ଭାବର ଯେଉଁ ବିଚିତ୍ର ବିପର୍ଯ୍ୟୟର ଚିତ୍ର ଅଙ୍କିତ ହୋଇ ରହିଚି ତାହାର ବର୍ଣ୍ଣରେଖା ମୋ ଅନ୍ତରରେ କ୍ଷଣେ ଦେଖାଦିଏ ବୁଝିପାରେ । ସେଇ ବିପର୍ଯ୍ୟୟର ଗଭୀରତାରେ ଏକ ଅଜଣା ଅନୁଭୂତି ଘଟିଯାଏ, ଯାହାର ଆଭାସମାତ୍ର ପାଇ ମୁଁ ତତ୍‌କ୍ଷଣାତ୍‌ ଆବିଷ୍ଟ ହୋଇଯାଏ ଓ ନିଜକୁ ସାର୍ଥକ, ଧନ୍ୟ ମନେକରେ ।

 

ନିଷାଦ- ଧୈବତର ସଙ୍ଗମ ସମ୍ଭୂତ ଏଇ ଗାନର ଆନ୍ତରିକ ବିପର୍ଯ୍ୟୟକୁ ନାନା ଭାବରେ ବୁଝିବାର ଚେଷ୍ଟା କରିଛି । ଶ୍ୟାମଲଲଜୀ ଓ ବଦଲ୍‌ ଖାଁ ସାହେବଙ୍କ ସହିତ ଆଲୋଚନା ଅବସରରେ ବଦଲ୍‌ ଖାଁ ସାହେବ କୃପା କରି ଏଇ ଗାନ ଓ ଲଲତ୍‌-ପଞ୍ଚମ ରାଗର ଗୋଟିଏ ଗାନ ଶିଖାଇ ଦେଇଥିଲେ । ପରୀକ୍ଷା କରି ଦେଖିଲି, ନିଷାଦ ଓ ଧୈବତର ସେଇ ଖେଳ ! ଏକା ପ୍ରକାର ମାଧୁର୍ଯ୍ୟ ଓ ବିସ୍ମୟ ସୃଷ୍ଟି କରି ଏ ଦୁଇ ସୁର ସହସା ଅନୁଭବର ଉନ୍ମେଷଣା ଘଟାନ୍ତି ! ଏକା ପ୍ରକାର ଅନୁଭୂତି ରାଗର ଏକ ଅନ୍ତର୍ନିହିତ ଆକାଂକ୍ଷା ସହିତ ସାକ୍ଷାତ୍‌କାର ଘଟାଏ । ଏଇ ପରିଚୟ, ଏଇ ଆତ୍ମସାକ୍ଷାତ୍‌କାର ମାଧୁର୍ଯ୍ୟ ଓ ବିସ୍ମୟବୋଳା ! ୟାକୁ ବର୍ଣ୍ଣନା କରିବା ଅସମ୍ଭବ । ନିଧୁବାବୁଙ୍କ କଥାରେ କହିବାକୁ ହୁଏ, ତୁମରି ତୁଳନା ତୁମେ, ପ୍ରାଣ, ଏ ମହୀମଣ୍ଡଳେ । ଅଥଚ ଏକଥା କହି ମଧ୍ୟ ସେ କ୍ଷାନ୍ତ ହୋଇନାହାନ୍ତି, ତୁଳନା ଖୋଜିଛନ୍ତି । ମୁଁ ତୁଳନା ଖୋଜିବାକୁ ଚେଷ୍ଟା କରିନାହିଁ । ତଥାପି ଭାବଜଗତର ଗୋଟିଏ ଉଦାହରଣ ଆଲୋଚନାର ଅବକାଶରେ ଦେଖା ଦେଇଥିଲା । ଜଣେ ଭାବୁକ କୌଣସି ରୂପଗର୍ବିତା ନାୟିକା ଜୀବନରେ କୈଶୋର ଓ ଯୌବନର ସନ୍ଧିକ୍ଷଣରେ ବିପରୀତ ପ୍ରକାର ଭାବାଭାସର ଗୂଢ଼ ସୌନ୍ଦର୍ଯ୍ୟ ଇଙ୍ଗିତ କରି କହିଛନ୍ତି–

 

ଯୌବନାଗମେ ବିଭ୍ରମୈରୁଦ୍‌ଭ୍ରାନ୍ତା ହରିଣେକ୍ଷଣା

ପୁନର୍ନୂପୁରନିକ୍ୱାଣମୁଗ୍‌ଧା ମୁଗ୍‌ଧୈବ ତିଷ୍ଠତି ।

 

ଏହାର ଭାବାର୍ଥ– କୁରଙ୍ଗଲୋଚନା କନୈକା କିଶୋରୀ ବିଶିଷ୍ଟ ରୂପଗର୍ବିତ ଆଚରଣଦ୍ୱାରା ସଖୀମାନଙ୍କୁ ମୁଗ୍‌ଧ କରୁଥିଲା । ଏହି ସମୟରେ ଯୌବନ ଉପଗମ ହେତୁ ନାୟିକାର ଆଚରଣରେ ‘ବିଭ୍ରମ’ ନାମରେ ଅନେକ ବିଶେଷ ଲକ୍ଷଣମାନ ଦେଖାଦେଲା । ଏକେ ତ ରୂପବର୍ଗ, ସେଥିରେ ପୁଣି ଯୌବନର ବିଭ୍ରମ ! ନାୟିକାର ଦେହ ଓ ମନରେ କେତେ ପ୍ରକାର ବିଚିତ୍ର ବିକାର ଓ ଚଞ୍ଚଳତା ଦେଖା ନ ଦିଏ– : ‘ବିଭ୍ରମ’ ବୋଇଲେ ଅସ୍ଥିର ମନ ହେତୁରୁ କାରଣ ଅକାରଣରେ ଆସନ ତ୍ୟାଗ, ହାସ୍ୟ, ରୋଷପ୍ରକାଶ, କାର୍ଯ୍ୟ ଶେଷ ନ ହେଉଣୁ ଅନ୍ୟ କାର୍ଯ୍ୟରେ ମନୋନିବେଶ ପ୍ରଭୃତି ବିଶିଷ୍ଟ ଲକ୍ଷଣ । କିନ୍ତୁ ଆଶ୍ଚର୍ଯ୍ୟ ଏଇ କୈଶୋର ଓ ଯୌବନର ସନ୍ଧିକ୍ଷଣ ! ବିଭ୍ରମ ହେତୁରୁ ନାନାପ୍ରକାର ଚଞ୍ଚଳତା ଓ ଅଧୀରତା ନାୟିକାର ଆଚରଣରେ ଉଦ୍‌ଭ୍ରାନ୍ତି ସୃଷ୍ଟି କଲେ ବି କ୍ଷଣେ କ୍ଷଣେ ସେ ନିଜ ଚରଣର ନୂପୁରଶିଞ୍ଜିତ ଶୁଣି ସହସା ସ୍ତବ୍‌ଧ ଓ ବିମୂଢ଼ ହୋଇ ଯାଏ, ଆତ୍ମପ୍ରକୃତିର ପ୍ରଶାନ୍ତି ମଧ୍ୟରେ ସେ ମଗ୍ନ ହୋଇ ଯାଏ ! ଯୌବନ ଉପଗମର ଭାବ-ବିପ୍ଳବ ତା’ର ସବୁ ଅଭିଯାନ ଓ ରୂପଗର୍ବକୁ ମୁହୂର୍ତ୍ତକେ ଅଭିଭୂତ କରିଦିଏ । ବାଲ୍ୟାବସ୍ଥାର ପୂର୍ବାସ୍ୱାଦିତ ବିସ୍ମୟ-ବିମୋହର ପୁନରାସ୍ୱାଦ ତା’ର ଅନ୍ତଃପ୍ରକୃତି ମଧ୍ୟରେ ଘଟେ । ଫଳରେ, ବିଶେଷ ସନ୍ଧିକ୍ଷଣରେହିଁ ଏହି ବିପ୍ଳବ-ବିପର୍ଯ୍ୟୟର ସୌନ୍ଦର୍ଯ୍ୟ ପ୍ରତ୍ୟକ୍ଷ ହୁଏ । ଏବଂ ସେହି ଅତିପରିଚିତ ନୂପୁରଧ୍ୱନି ମଧ୍ୟ ଏ ସମୟରେ ସେହି ପ୍ରକାର ଆନ୍ତରିକ ଆଲୋଡ଼ନର କାରଣ ହୋଇପାରେ ।

 

ଭାବୁକ ଭାବର ଇଙ୍ଗିତ ମାତ୍ର ଦେଇ କ୍ଷାନ୍ତ ହୁଅନ୍ତି । ରସିକ ଭାବସୌନ୍ଦର୍ଯ୍ୟର ରସ ଗ୍ରହଣ କରନ୍ତି, କିନ୍ତୁ ଅନ୍ୟକୁ ରସାସ୍ୱାଦନ କରାନ୍ତି ନାହିଁ । ଆଉ କବି ହେଉଛନ୍ତି ଭାବୁକ ଓ ରସିକର ଉର୍ଦ୍ଧ୍ୱରେ, କାରଣ କେବଳ ସେଇହିଁ ଅନ୍ୟକୁ ରସାସ୍ୱାଦ କରାଇପାରନ୍ତି । ଏ ଶ୍ଳୋକଟିର ଲେଖକକୁ ମୁଁ ଭାବୁକ ବୋଲି ଧରିଛି । ମୁଁ ନିଜେ ସେହି ଭାବୁକଙ୍କ ରଚନାର ଆଲୋଚକ ମାତ୍ର ।

 

କାଲେ ଖାଁ ସାହେବଙ୍କ ଗାନର ମୁହରାଟି ଶୁଣି ମୋ ମନରେ ଯେଉଁ ଆଲୋଡ଼ନ ହୋଇଥିଲା ତା ସହିତ ଏଇ ଭାବୁକର ଇଙ୍ଗିତଗୁଡ଼ିକ ମିଳାଇବାର ଚେଷ୍ଟା କରିଛି ମାତ୍ର । ମୋର ଗୋଟାଏ ବିଶ୍ୱାସ ଯେ ଅନୁଭୂତି ସ୍ତରରେ ସାଦୃଶ୍ୟ ଅଛି ବୋଲି ମୁଁ ଏଭଳି ବିଶିଷ୍ଟ ଚେଷ୍ଟା କଲି । ଏଇ ଗାନ ‘ଯୌବନ ଆୟେ’ ହୁଏତ ରାଗାନୁଭୂତିର ଗୋଟିଏ ସନ୍ଧିକ୍ଷଣ । ନିଷାଦ ଓ ଧୈବତର ବ୍ୟଞ୍ଜନାହିଁ ହୁଏତ ସେହି ସନ୍ଧିକ୍ଷଣରେ ନୂପୁରଧ୍ୱନି ଭଳି ଚମତ୍‌କାର ଆସ୍ୱାଦନ କରାଇଛି ।

 

ଅବଶ୍ୟ କାଲେ ଖାଁ ସାହେବଙ୍କ ପ୍ରତିଭା ସେଭଳି ଉନ୍ମେଷଣା ଓ ସାକ୍ଷାତ୍‌କାରର ଚରମ ସୌନ୍ଦର୍ଯ୍ୟ ଆସ୍ୱାଦ କରାଇଦେଇଥିଲେ । ବଦଲ୍‌ ଖାଁ ସାହେବଙ୍କ ଅନ୍ୟ ଗାନରେ (ଫୁଲି ବସନ୍ତ ବାହାର) ଧୈବତ ସୁରହିଁ ଥିଲା ଗୂଢ଼ ଘୂର୍ଣ୍ଣିପାକର ପ୍ରକାଶ୍ୟ ନିଶାନା, ରାଗୋଚ୍ଛ୍ୱାସର ଅକସ୍ମାତ୍ ତିରୋଧାନର ପ୍ରଥମ ସ୍ତମ୍ଭ । ବହିର୍ଜଗତରେ ଦୃଷ୍ଟାନ୍ତ ଖୋଜୁଛି । ମନକୁ ଆସିଛି, ଏଭଳି ରାଗରେ ଧୈବତ-ନିଷାଦର ମଧୁର ଚକ୍ରାନ୍ତ ଯେମିତି ସମୁଦ୍ର ତଟରୁ କିଛି ଦୂରରେ ଅବସ୍ଥିତ ବ୍ରେକ୍‌ଓ୍ୱାଟରର ତରଙ୍ଗ ବନ୍ଧନୀ ଭଳି ବିପର୍ଯ୍ୟୟକାରୀ । ତରଙ୍ଗ ବିକ୍ଷୋଭ ଯେମିତି କାରଣ ଅକାରଣରେ ଏଠି ଥମିଯାଏ । ବାହ୍ୟ ଜଗତର ଉଦାହରଣ ଦେଇ ଭିତରର ଭାବଜଗତର ଘଟନାକୁ ବୁଝାଇବାର ଗୋଟାଏ ଚେଷ୍ଟା ମାତ୍ର । କିନ୍ତୁ ସାକ୍ଷାତ୍‌ ଅନୁଭୂତିର ରହସ୍ୟ ଭାବପ୍ରହେଳିକାର ଅନ୍ତରରେ ଆଚ୍ଛନ୍ନ ରହିଯାଏ ।

 

ପୁଣି ମନେହୋଇଛି, ଷଡ଼୍‌ଜ, ଋଷଭ, ଗାନ୍ଧାର ପ୍ରଭୃତି ସୁରର ଅନ୍ତରରେ ବସ୍ତୁତଃ କେତେ ଶକ୍ତି ଲୁକ୍‌କାୟିତ ହୋଇ ରହିଛି, ଧ୍ୱନିର ବିଚିତ୍ର ସଂଘାତ ସବୁ ଶ୍ରୋତାର ଅନ୍ତରକୁ କେତେ ପ୍ରକାର ଉନ୍ମେଷଣାଦ୍ୱାରା ଆପ୍ଳୁତ ଓ ଅନୁଗୃହୀତ କରିପାରେ, ଏସବୁ ଆମେ ସେତିକିବେଳେ ବୁଝିପାରୁ ଯେତେବେଳେ ସଙ୍ଗୀତର ପ୍ରତିଭା ଗାନରେ ଆମକୁ ତାହା ବୁଝାଇଦିଅନ୍ତି, ହୃଦୟ ଅନ୍ଧକାରକୁ ସୁରର ଆଲୋକ ପହଞ୍ଚାଇ ଦିଅନ୍ତି, ଅଥବା ଯେତେବେଳେ ସୁରତରଙ୍ଗର ମଧୁର କଲ୍ଲୋଳଦ୍ୱାରା ଆମେ କାନରେ ଶୁଣିଥିବା କୌଣସି ନିତ୍ୟ-ନୈମିତ୍ତିକ କୋଳାହଳକୁ ଉତ୍ସାଦିତ କରିଦିଅନ୍ତି । ଏହି ଭାବରେହିଁ କବିପ୍ରତିଭା ଶବ୍ଦ-ବାକ୍ୟର ଅଲୌକିକ ଧ୍ୱନିମାହାତ୍ମ୍ୟ ସହିତ ଆମର ହୃଦୟର ପରିଚୟ ଘଟାଇଦିଅନ୍ତି । ଆମର ଅନୁଭବ ଯନ୍ତ୍ରକୁ ଉନ୍ମୁଖ କରିଦିଅନ୍ତି ବିଚିତ୍ର ଅନୁଭୂତିର ପ୍ରତ୍ୟାଶା ଦେଇ । ସଙ୍ଗୀତର ଅନୁଭବ ଓ କାବ୍ୟର ଅନୁଭବ ! ଏମାନଙ୍କ ଭିତରେ ହୁଏତ ମୃଣାଳସୂତ୍ରର ବ୍ୟବଧାନ ଅଛି । ଗାନର ଅବକାଶରେ ଏହି ସୂତ୍ରଟି ଆମେ କ୍ଷଣକେ ପାଉ, କ୍ଷଣକେ ହରାଉ । ସେଥିପାଇଁ ମନେକରେ, ବ୍ୟବଧାନ ଥିଲେ ବା କଅଣ, ନ ଥିଲେ ବା କଅଣ ! ଯେଉଁ ପ୍ରକାରେ ହେଉ ବା ଯେଉଁ ଉପାୟରେ ହେଉ, କୃପା କରି ଅନୁଭବ ଘଟାଇଦିଅ, ହେ କବି, ହେ ଗାୟକ ! ଅନୁଭବର ଘରଟି ଯଦି ଆକାଂକ୍ଷା ଓ ଅନୁରାଗରେ ଭରି ନ ଗଲା, ତା’ହେଲେ ଗାନ ଓ କବିତା, ଅର୍ଥାତ୍‌ ସୁରର ଷଡ଼ଯନ୍ତ୍ର ଓ କଥାର କାକଳୀଦ୍ୱାରା କର୍ଣ୍ଣକୁହରକୁ ଉତ୍ତେଜିତ କରି କି ଲାଭ !

 

ଖାଁ ସାହେବଙ୍କ ଗାନ ଓ ସୁର କାନରେ ଧରି ରଖିଲି । ଆଗର ସେ ବିସ୍ମୟ ବିମୋହ ଆଉ ନାହିଁ । ଗାନର ଆଲୋକରେ ଦେଖାଦେଇଛି ବର୍ଣ୍ଣର ଛଟା, ରୂପର ଶୋଭା । ଢିମା ଏକତାଲାର ଛନ୍ଦବନ୍ଧନରେ ଖାଁ ସାହେବ ରଚନା କରୁଥାନ୍ତି ଗିଟ୍‌କାରିର କୁସୁମଗୁଚ୍ଛ । ବାଣୀ ଓ ସୁରକୁ ଛନ୍ଦର ବନ୍ଧନରେ ଜଡ଼ାଇ ବୋଲ୍ ଓ ତାନର ବିଭୂତି ଦେଇ ଅଳଙ୍କୃତ କରୁଥାନ୍ତି । ରାଗର ଆଲୋକ ଓ ଛାୟା, ଛନ୍ଦର ଆଭାସ ଓ ନିରାଭାସର ସୁଯୋଗ ପାଇ ଯେମିତି କଥା ଓ ସୁରର ପାଖୁଡ଼ାସବୁ ଲୁଚୁକାଳି ଖେଳରେ ମାତିଗଲେ । ଗାନର ଲୟରେ କଥା ଓ ସୁରର ହେଲା ପଲକେ ପ୍ରଳୟ, ପଲକେ ଆବିର୍ଭାବ ! ସମ୍‌ର ନିକୁଞ୍ଜ ପଥରେ ହେଲା ଏମାନଙ୍କ ପରସ୍ପରର ଧରାଛୁଆଁର ଅଭିଯାନ ! ଅଭିଯାନ ଭିତରେ ମିଳନ ଓ ବିଚ୍ଛେଦର ଲୀଳା ! କେତେ ଅପୂର୍ବ ମିଳନ, କି ଅପୂର୍ବ ବିଚ୍ଛେଦ ! ଏହା ପୂର୍ବରୁ ଆଉ କେବେହେଁ ଏପ୍ରକାର ବ୍ୟାପାର ପ୍ରତ୍ୟକ୍ଷ କରିନାହିଁ ବୋଲି ମନେପ୍ରାଣେ ସଜାଗ ରହିଥାଏ । ରାଗର ଶରଧିରୁ ବଛା ବଛା ସୁରର ବାଣ ଖାଁ ସାହେବ ଉଠାଇ ନିଅନ୍ତି, କଥାର ଚାଙ୍ଗୁଡ଼ିରୁ ବ୍ୟଞ୍ଜନାର ଶ୍ଳିଷ୍ଟ ଧ୍ୱନିସବୁ ଚୟନ କରନ୍ତି, ଆଉ ମାତ୍ରା ଛନ୍ଦର ସନ୍ଧିକ୍ଷଣରେ କଥାର କୁସୁମାମୃତ ଗୋଳା ସୁରର ବାଣସବୁ ଖାଁ ସାହେବଙ୍କ କଣ୍ଠଚ୍ୟୁତ ହୋଇ ଆମର ଶ୍ରବଣ ଆକାଶକୁ ବ୍ୟାପିଯାଆନ୍ତି । ମାତ୍ର ମୁହୂର୍ତ୍ତକର ପରିଚୟ । ଏମାନେ ଶ୍ରୁତିର ଦିଗନ୍ତରେ ବଲୀନ ହେଉ ନ ହେଉଣୁ ପରିସ୍ଫୁଟ ହୁଏ ଗାନର ରୂପ ନିଜ ଦୀପ୍ତିରେ, ନିଜ ସୁଷମାରେ !

 

ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲି ଯେ ଢିମା ଖେୟାଲ୍‌ର ମନ୍ଥର ଗତିଭଙ୍ଗିର ଅନ୍ତରାଳରେ ଏତେ ଚପଳତା ଗୋପନରେ ଥାଇପାରେ, ଗିଟ୍‌କାରି ଓ ବୋଲ୍‌ତାନର ଛନ୍ଦସଜ୍ଜାରେ ଗାନର ରୂପ ଏମିତି ମହିମାରେ ମୂର୍ତ୍ତ ହୋଇପାରେ । ସେପର୍ଯ୍ୟନ୍ତ ମୁଁ ଟପ୍‌ପା ଗାନର ଅଙ୍ଗରେହିଁ କେବଳ ଗିଟ୍‌କାରିର ଶୋଭା ଦେଖିଥିଲି । ବୋଲ୍‌ତାନ୍‌ର ରୂପ ତ ଇତିପୂର୍ବେ କେବେ ଦେଖି ନ ଥିଲି-। ଏମିତି କି ମୌଜୁଦ୍‌ଦୀନଙ୍କ ଗାନରେ ବି ଏଭଳି ଛନ୍ଦୋବଦ୍ଧ ସୁରଶୃଙ୍ଖଳ ପ୍ରତ୍ୟକ୍ଷ କରି ନ ଥିଲି-। ପରେ ବଦଲ୍‌ ଖାଁ ସାହେବ ଓ ଶ୍ୟମଲାଲଜୀଙ୍କ ସହିତ ଏ ବିଷୟରେ ଆଲୋଚନା କରି ଗୋଟାଏ ସ୍ପଷ୍ଟ ଧାରଣା ହୋଇଛି । ଏପର୍ଯ୍ୟନ୍ତ ନନା ଗୁଣୀଙ୍କ କଣ୍ଠରେ ନାନାପ୍ରକାର ଖେୟାଲ୍‌ ଗାନ ଶୁଣି ଧାରଣା ହୋଇଛି, ଧ୍ରୁପଦ ଗାନର ଆନୁଗତ୍ୟ ସ୍ୱୀକାର କରି ଓ ବିଧି-ନିଷେଧର ଗଣ୍ଡିବଦ୍ଧ ହୋଇ ସାଧାରଣଭାବେ ଖେୟାଲ୍‌ ଗାନର ରୂପ ଗଢ଼ିଉଠିଛି । କିନ୍ତୁ ଏମିତି ସବୁ ଖେୟାଲ ଗାନର ରୂପ ଦେଖିଛି—ବିଶେଷକରି ବଦଲ୍‌ ଖାଁ ସାହେବ ଓ ଆଲ୍ଲାଦିୟା ଖାଁ ସାହେବଙ୍କ ସଂପ୍ରଦାୟର ଗାନ କଥା ମନେ ପଡ଼ୁଛି—ଯାହା ନିଜସ୍ୱ ନିୟମରେ ଗଢ଼ା, ନିଜସ୍ୱ ଭଙ୍ଗିମାରେ, ନିଜସ୍ୱ ସମ୍ଭ୍ରମରେ ଓ ଇଚ୍ଛାନୁରୂପ ଜମ୍‌ଜମା, ଗିଟ୍‌କାରି ଓ ବୋଲ୍‌ତାନ୍‌ରେ ସଜ୍ଜିତ ହୋଇ ଗତି କରୁ କରୁ ନିଜ ପ୍ରାଣର ପରିଚୟ ଦିଏ, ନିଜସ୍ୱ ସୁଷମା ପରିସ୍ଫୁଟ କରେ । ଧ୍ରୁପଦ ଗାନର ନିୟମନିଷ୍ଠା ଭିତରେ ଏମାନେ ଗଢ଼ା ହୋଇ ନାହାନ୍ତି । ଖେୟାଲ୍‌ ଗାନର ଏହି ସ୍ୱଛନ୍ଦ ସ୍ୱତନ୍ତ୍ର ରୂପର ପରିଚୟ ସର୍ବପ୍ରଥମେ ଘଟିଥିଲା କାଲେ ଖାଁ ସାହେବଙ୍କ କଣ୍ଠରୁ ବିଲମ୍‌ପଦ ଆସ୍ଥାୟୀ ଶୁଣି । ପୁଣି ମନେହୋଇଛି, ସ୍ଥାପିତ-ଶିଳ୍ପର ପାଶ୍ଚାତ୍ୟ ସମାଲୋଚକମାନେ ଯାହାକୁ ‘ବାରୋକ୍ ଷ୍ଟାଇଲ୍’ର ରଚନା କୁହନ୍ତି, ବସ୍ତୁତଃ ସେଇ ଧରଣର ରଚନା ଓ ବିଭୂତି ଥିଲା କାଲେ ଖାଁ ସାହେବଙ୍କ ଗାନ ଭିତରେ । ତାଙ୍କ ଗାନ ଶୁଣି ମନେକରିବାକୁ ବାଧ୍ୟ ହୋଇଥିଲି– ଖେୟାଲ୍‌ ତ ଖେୟାଲ୍‌ ଛଡ଼ା ଆଉ କିଛି ନୁହେଁ ! ଆଉ ଗୁଣୀର ନିଜ ଖିଆଲହିଁ ଚରମ କଥା । ପର ଖିଆଲ ଅନୁସାରେ ଗାନ କରିବା ତ ଚାକିରି କରିବା ସହିତ ସମାନ । କେବଳ ଏହି କଥାଟି ମନେରଖିଲେ କାଲେ ଖାଁ, ମୌଜୁଦ୍‌ଦୀନ, ଅବ୍‌ଦୁଲ୍‌ କରିମ୍‌ ଖାଁ ସାହେବଙ୍କ ଛଡ଼ା ଆଉ କାହାକୁ ମନେ କରି ପାରେବା ।

 

ବାଲ୍‌ତାନ୍‌ର ବାହନରେ ଗାନର ଅର୍ଥ ସାମର୍ଥ୍ୟ ପରିସ୍ଫୁଟ ହେଉଥିଲା ବୋଲି ଗାନର ଭାବାର୍ଥ ମୁଁ ସନ୍ଧାନ କରିପାରିଥିଲି । ଭାବାର୍ଥ ହେଲା– ଦେହଧାମରେ ଯୌବନଶ୍ରୀ ରାଜନନ୍ଦିନୀ ରୂପରେ ଦେଖା ଦେଇଛି । ପ୍ରିୟ ହିତୈଷୀ ସଖୀମାନଙ୍କ ଭଳି ଅଙ୍ଗପ୍ରତ୍ୟଙ୍ଗମାନେ ନିଜ ନିଜ ରୂପଗୁଣ ଶୋଭା ଓ ଅଳଙ୍କାରଦ୍ୱାରା ସମୃଦ୍ଧ ହୋଇ ରାଜନନ୍ଦିନୀ ଯୌବନଶ୍ରୀକୁ ଅଭିନନ୍ଦନ ଜଣାଇଲେ । ଗାନ ଶୁଣୁ ଶୁଣୁ ମନେ ହେଲା, ତେବେ କଅଣ ଗୀତରହିଁ ଯୌବନ ଦେଖା ଦେଲା, କଥା ସୁର ଓ ଛନ୍ଦରେ ସମୃଦ୍ଧ ହୋଇ । ସତକୁ ସତ ଯେମିତି ଗାନର ଉଲ୍ଲାସ-ଚଞ୍ଚଳ ଯୌବନ ଆମର ପ୍ରତ୍ୟକ୍ଷୀଭୂତ ହେଲା ।

 

ବିଚିତ୍ର ଛନ୍ଦର ବୋଲ୍‌ତାନ ଶୁଣି ଆମେ ଉତ୍ତେଜିତ ଅବସ୍ଥାରେ ଥାଉ । ଛନ୍ଦ ବା ମାତ୍ରାରେ ଆମର ଦେହ ଦୋହଲୁଥାଏ । ଶିଷ୍ଟ ଶାନ୍ତ ହୋଇ ବସି ରହିବାର କଥା ଆଉ ବା ଉଠୁଛି କେଉଁଠି ! ଖାଁ ସାହେବଙ୍କ ପଗଡ଼ି ବି ମଝିରେ ମଝିରେ ଦୋହଲୁଥାଏ । ତାନ୍ ପୂର୍ବରୁ ତାଙ୍କ ବାଁ ହାତଟି ଉପରକୁ ଉଠିଯାଏ ଓ ବୋଲ୍‌ତାନ୍‌ର ଚିତ୍ର ସହିତ ଘୁରୁ ଘୁରୁ, ଓହ୍ଲାଇ ଆସେ । ବେଳେବେଳେ ଆବେଗର ଚରମ ଅବସ୍ଥାରେ ସେ ହାତଟି ଶୀଘ୍ର ଓହ୍ଲାଇ ଆସି ବାମ ଆଣ୍ଠୁ ଉପରେ ଧକ୍‌କା ମାରି ଥମିଯାଏ । କେବେ ବା ଆସରର ଗାଲିଚା ଉପରେ ଗୋଟାଏ ଚାପୁଡ଼ା ମାରି ଉଠିଯାଏ । ସଙ୍ଗତୀୟା ଭଦ୍ରଲୋକଟି ଗାନ ଶୁଣିବା ଉଲ୍ଲାସରେ ଅନ୍ୟମନସ୍କ ହୋଇ ଥରେ ଅପ୍ରତିଭ ହୋଇସାରିଥାନ୍ତି । ତା ପରଠୁଁ ଠେକାକୁ ସେ ଯତ୍ନ ସହକାରେ ସଂଯତ କରି ରଖିଲେ ହେଁ ମୁଣ୍ଡ ତାଙ୍କର ଦୋହଲୁଥାଏ ।

 

ସହସା ଆମେ ଶୁଣିବାକୁ ପାଇଲୁ ଗୋଟିଏ ନୂତନ ଗାନର କଳିକା– ଲଳିତ-ଲବଙ୍ଗଲତା-ପରିଶୀଳନ କୋମଳ-ମଳୟ-ସମୀରା ! ଖାଁ ସାହେବଙ୍କ ମୁହଁରେ ସୁର ଓ ଛନ୍ଦର ବନ୍ଧନରେ, ବାଲ୍‌ତାନ୍‌ର ସଜ୍ଜାରେ ! ସେ ଠିକ୍ ଯେମିତି ଉଚ୍ଚାରଣ କରିଥିଲେ ସେମିତି ଲେଖିଛି । ରାଗ ତ ମନେହେଲା ସେଇ ଏକା ପ୍ରକାରର । କିନ୍ତୁ ଏଟା କଅଣ ନୂତନ ଗାନର ଆରମ୍ଭ ? ସଙ୍ଗତୀୟା ଭଦ୍ରଲୋକ ତ୍ରସ୍ତ ହୋଇ ଠେକା ଛାଡ଼ିଦେଲେ । କଅଣ କରିବା ଉଚିତ ସେ ବୁଝି ପାରିଲେ ନାହିଁ । ମୁଁ ଭାବୁଥାଏ, ନୂତନ ଗାନ ଆରମ୍ଭରେହିଁ ଏତେ ଶୋଭା କିପରି ସମ୍ଭବ ! ଅବିଳମ୍ୱେ ସବୁ ପ୍ରଶ୍ନର ମୀମାଂସା ହୋଇଗଲା । ଖାଁ ସାହେବ ନୂତନ ପଦଟିର ଶେଷରେ ଅର୍ଥାତ୍‌ କବିଶେଖର ଜୟଦେବଙ୍କ ଲେଖାର ସମସ୍ତ ପଦଟି ଶେଷ କରି ଗାଇଲେ– ବିହରତ ହରିହର ସରସ ବସଓନ୍‌ତ ଯୋଓବନଆ । ଅବିକଳ ପୂର୍ବଗାନର ମୁହରା ଓ ସମ୍‌ ! ଏ କି ଉଦ୍‌ଭଟ ପ୍ରଥାବିରୁଦ୍ଧ ବ୍ୟାପାର, ଏହି ଏକା ଗାନ ଭିତରେ ଅନ୍ୟ ଗାନର ବୋଲ୍ ! ନିମିଷେକ ଭିତରେ ଛଡ଼ାଛଡ଼ା ହୋଇଗଲା ! ଆମେ ସବୁ ସ୍ତମ୍ଭିତ ଓ ହତବୁଦ୍ଧି ! ଏଟା ଖେୟାଲ୍‌, ନା ଖାଁ ସାହେବଙ୍କ ଖାମ୍‌ଖିଆଲ !

 

ଦୁଇଜଣ ହତବୁଦ୍ଧି ହୋଇ ନ ଥିଲେ । ସ୍ୱୟଂ କାଲେ ଖାଁ ସାହେବ ଓ ବିଶ୍ୱନାଥଜୀ । ଠେକା ବନ୍ଦ ହେଲେ ବି, ତମ୍ୱୁରାର ଛେଡ଼୍‌-ଛାଡ଼୍‌ରେ ଗୋଳମାଳ ହେଲେ ବି ଖାଁ ସାହେବ ଅବିଚଳିତ ଭାବରେ ଗାଇ ଚାଲିଥାଆନ୍ତି, ନିଜ ଖିଆଲରେ । ଆଉ ବିଶ୍ୱନାଥଜୀ ସେ ସଙ୍ଗତୀୟା ଭଦ୍ରଲୋକଟି ହାତରୁ ତବଲା ଯୋଡ଼ିଟି ଛଡ଼ାଇନେଲେ କହିଲେ ଚଳେ, ଯେମିତି ବ୍ୟଗ୍ର ମୁଁ ତାଙ୍କୁ ଦେଖିଲି ! ଗାନର ବୃନ୍ଦର ଅନୁକ୍ରମଗୁଡ଼ିକ ଅବଲୀଳାକ୍ରମେ ବିଶ୍ୱନାଥଜୀ ଧରିନେଲେ । ଖାଲି ସେତିକି ନୁହେଁ । ଚୌତାଳର ଦୁଇ-ଚାରି-ଛ’ ମାତ୍ରାର କେତୋଟି ସାନ ସାନ ଶୋଭନ ବୋଲି ଏମିତି ଭାବରେ ସଙ୍ଗତରେ ଲଗାଇଦେଲେ ଯେ ଖାଁ ସାହେବଙ୍କ ଉତ୍ସାହ ବଢ଼ିଗଲା ଓ ଆମର ମନେ ହେଲା, ବିଶ୍ୱନାଥଜୀ ମୂଳରୁ ସଙ୍ଗତ କରିଥିଲେ ଗାନର ଶୋଭା ଆହୁରି ଖୋଲିଥାଆନ୍ତା । ସେତେବେଳେ ଆରମ୍ଭ ହେଲା ଏକ ଉଦ୍‌ଭଟ ଅଥଚ ସୁନ୍ଦର ଚମତ୍‌କାର ଗୀତରୂପର ରଚନା । ଗୋଟିଏ ଗାନର ଲତା ପତର ଫୁଲରେ ଅନ୍ୟ ଗୋଟିଏ ଗାନର ଶୃଙ୍ଗାର-ସଜ୍ଜା ! ପ୍ରଥମେ ବୁଝିବାକୁ ଅସ୍ୱସ୍ତି ଲାଗିଥିଲା । ବୁଦ୍ଧିର ଚଲାଖି ବନ୍ଦ କରି ଗାନ ମନ ଦେଇ ଶୁଣିବାକୁ ସେ ଅସ୍ୱସ୍ତି ଚାଲିଗଲା ।

 

ସେଇ ‘ଯୌବନ’ ଯେମିତି ‘ଲବଙ୍ଗଲତିକା’ର ସୁରଛନ୍ଦ ତାନପ୍ରତାନର ଆଢୁଆଳରେ ବେଳେ ବେଳେ ଅଦୃଶ୍ୟ ହୋଇ ପୁଣି ‘ବସଓନ୍‌ତ’ର ଆଗମନୀବାର୍ତ୍ତା ପାଇ ଫେରିଆସି ଦେଖା ଦିଏ-। ବର୍ତ୍ତମାନ ସୁର ଓ ସୁର ଭିତରେ ନୁହେଁ, ଗାନ ଓ ଗାନ ଭିତରେ ଲୁଚକାଳି ଖେଳ ଚାଲିଲା-। ଅଦ୍‌ଭୁତ ! ଆଉ ମନେହେଲା ଯେମିତି ଅସମ୍ଭବ ସାଧନ-ଚାତୁର୍ଯ୍ୟ ଦେଇ ନିରତିଶୟ ମନୋରମ ଭଙ୍ଗିରେ, ପ୍ରତି ଥର ନୂଆ ନୂଆ ପ୍ରକାରର ଗିଟ୍‌କାରି ଓ ବୋଲ୍‌ତାନ୍‌ର ସଜ୍ଜାରେ ଦେଖାଦେଉଛି ‘ଲଳିତ-ଲବଙ୍ଗଲତା’ । ଶବ୍ଦଗୁଡ଼ିକ କେବେ କେବେ ସୂକ୍ଷ୍ମ ଗମକର ନିଃସ୍ୱନରେ କମ୍ପମାନ କେବେ ବା ଜମ୍‌ଜମାର ମାଦକତାରେ ଢଳି ଢଳି ସପ୍ତକର ଏପଟ ସେପଟ ଯେଉଁଠି ପାରେ ସେଠି ନୃତ୍ୟର ଆନନ୍ଦରେ ମତୁଆଲା ହୋଇ ଘୁରୁ ଘୁରୁ ଚାଲିଯାଏ । ଶୀତ ପରେ ବସନ୍ତ ଆଭାସରେ ପତ୍ରପଲ୍ଲବର ଶୋଭା ଭଳି କଥାର ଟୁକୁରାସବୁ ଝକଝକ କରୁଥାଏ । ଏକାସାଙ୍ଗରେ ବସନ୍ତ ଓ ଯୌବନର ସମାଗମ ! ଏମାନଙ୍କ ଆଭାସ ଇଙ୍ଗିତରେ ରାଗଲତିକାର ବୃନ୍ତରେ ଦେଖାଦିଏ ଗିଟ୍‌କାରିର ଗୁଚ୍ଛ, ଅର୍ଦ୍ଧ-ପ୍ରସ୍ଫୁଟିତ ଫୁଲର ସ୍ତବକ ଭଳି । ‘ଲଳିତାପଞ୍ଚମ’ ରାଗିଣୀର ଅଙ୍ଗ ପ୍ରତ୍ୟଙ୍ଗରେହିଁ ତ ଦେଖେ ବସନ୍ତ ଚମକ ! ସୁରଶ୍ରୁତିର ଶିହରଣ ତ ଗାନର ଦେହରେ ଯୌବନର ଜାଗରଣ ! ଏମିତି ଆଶ୍ଚର୍ଯ୍ୟ କଥା କେବେ ଦେଖି ନ ଥିଲି, ଶୁଣି ନ ଥିଲି, କି କଳ୍ପନା ବି କରି ନଥିଲି-। ଏ କଅଣ ବାସ୍ତବିକ ‘ଲଳିତା-ପଞ୍ଚମ’ର ଉନ୍ମତ୍ତ ଯୌବନ-ବିଭ୍ରମ ? ନା ଗୁଣୀହୃଦୟରେ ପ୍ରତିଭାର ଉନ୍ମାଦନାର ଚରମ ଏକ ମୂର୍ତ୍ତି ?

 

ପରେ ଅବସର ସମୟରେ ସେହିଭଳି ପ୍ରଶ୍ନ ଆଲୋଚନା କରିବାକୁ ଯାଇ ମନେହୋଇଛି, ମୂଳରୁ ଗୋଟିଏ ପ୍ରହେଳିକାର ସୂତ୍ରକୁ ଦୁଇଖଣ୍ଡ କରି ଦୁଇପ୍ରକାର ସମସ୍ୟା ସୃଷ୍ଟି କରିବା ଏବଂ ଦଶପ୍ରକାର ବ୍ୟାଖ୍ୟାର ଜାଲ ସୃଷ୍ଟି କରି ସେମାନଙ୍କ ମୂଳ ରୂପଟି ଆବରଣ କରି ତୃପ୍ତି ପାଇବାଟା ହେଉଛି ଅନର୍ଥକ ପରିଶ୍ରମ । ଗୁଣୀ ଓ ତାଙ୍କ ଗୁଣ, ଶକ୍ତି ଓ ପ୍ରତିଭାକୁ ପୃଥକ୍‌ କରିବାର ଅର୍ଥ ଗୋଟିଏ ବାଳକୁ ଚିରି ଚାରୋଟି ବାଳରେ ପରିଣତ କରିବା । ଏ ଯେମିତି ପ୍ରାଣର ସନ୍ଧାନ କରିବାକୁ ଯାଇ ଜୀବନ୍ତ ମଣିଷକୁ କାଟି ଶତଖଣ୍ଡ କରି ପ୍ରତିଖଣ୍ଡ ଭିତରେ ପ୍ରାଣକୁ ଖୋଜିବାର ଚେଷ୍ଟା ! ଅସଲ କଥା ଯାହା ମୋ ମନକୁ ଆସିଛି ତା ହେଉଛି– ଅଗ୍ନି ଓ ତା’ର ଦାହିକା ଶକ୍ତି,ତା’ର ଆଲୋକ, ତା’ର ଶିଖା, ତା’ର ଔଜ୍ଜ୍ୱଲ୍ୟ ଯେମିତି ଅଗ୍ନିଠାରୁ ପୃଥକ୍ ବା ବିଚ୍ଛିନ୍ନ ବ୍ୟାପାର ନୁହେଁ, ସେମିତି ଗୁଣୀର ହୃଦୟରେ ସଙ୍କଳ୍ପ, ତାଙ୍କ କଣ୍ଠଧ୍ୱନି ଓ ସେଇ ଧ୍ୱନିର ବାହନରେ ଗାନ ବା ରାଗରୂପର ଅଭିବ୍ୟକ୍ତି ସେଇ ସଙ୍କଳ୍ପରୁ ପୃଥକ୍ ବା ବିଚ୍ଛିନ୍ନ ନୁହେଁ । ଏସବୁ ମିଶି ଗୋଟାଏ ସମଗ୍ର ଜିନିଷ । ଗୁଣୀର ହୃଦୟରେ ଥାଏ ପ୍ରତିଭାର ଅଗ୍ନି । ବାହାରୁ ଆମଦାନୀ କରିଥିବା ସୀମାବଦ୍ଧ ଶିକ୍ଷାର କଥା, ସୁର ଓ ଛନ୍ଦ ବିଚିତ୍ର ପ୍ରକାରରେ ମିଳିମିଶି ସେଇ ଅଗ୍ନିର ଇନ୍ଧନରୂପେ କାର୍ଯ୍ୟ କରେ । ସବାଶେଷରେ କଣ୍ଠର ସୁରରେ ଯେଉଁ ଆଲୋକ ଦେଖାଦିଏ ସେଇ ଆଲୋକ ହେଲା ଚରମ କଥା-। ଗୁଣୀ, ଗୁଣୀର ପ୍ରତିଭା ଓ ଏଇ ଶିଖାର ଦେଦୀପ୍ୟମାନ ରୂପ– ଏମାନଙ୍କୁ ପୃଥକ କରି ସମସ୍ୟା ସୃଷ୍ଟି କରିବା ଓ ତାହାର ମୀମାଂସା କରିବାର ଅର୍ଥ ହେଲା, ଇଚ୍ଛା କରି ହାତରେ କାଦୁଅ ବୋଳିବା ପରେ ସେ କାଦୁଅକୁ ଘଷିମାଜି ପରିଷ୍କାର କରି ପ୍ରକାରେ ତୃପ୍ତି ପାଇବା ।

 

ଖାଁ ସାହେବ ଗାନର ଜାଲ ଓଟାରି ଆଣିବା ପ୍ରାୟ ଶେଷ କରୁଥାନ୍ତି । ‘ଲବଙ୍ଗଲତିକା’ର ଇନ୍ଦ୍ରଜାଲ କେତୋଟି ସରଳ ମଧୁର ହଲକ୍ ତାନ୍‌ର ହିଲ୍ଲୋଳରେ ଅଦୃଶ୍ୟ ହୋଇଗଲା । ଆମେ ଭାବୁଥାଉଁ, ହୁଏତ ବା ଆହୁରି କିଛି ଖେଳ ଖାଁ ସାହେବଙ୍କ ମୁଣିରେ ଲୁଚି ରହିଛି । କ୍ରମେ ଦଖାଦେଲା ଚୌ-ଦୁନି ତାଳର ବିଦ୍ୟୁତ୍‌-ବଳୟ । ଏମାନେ ରାଗର ଉପଯୁକ୍ତ ଅଳଙ୍କାର । କେତୋଟି କଥାର ଇଙ୍ଗିତର ଝଲକେ ଝଲକେ ସୁରସବୁ ଆରୋହ-ଅବରୋହର ଅଲାତ-ଚକ୍ର ସୃଷ୍ଟି କରୁ କରୁ ‘ଯୋଓବନ ଆୟେ’ ଭିତିରେ ମିଳାଇଗଲେ । ଏମାନେ ଆଖ୍‌ରୀ ତାନ୍‌ । ଅନୁଭବରେ ବୋଧ ହେଲା, ସୁରର ପ୍ରଦୀପରେ ଶେଷ ଆରତି ଦେଇ ଗାନର ପୂଜା ସମାପନ କଲେ ଖାଁ ସାହେବ । ଗାନ ସମାପ୍ତ ହେଲା । ଗାନର ସମଗ୍ର ମହିମାର ଗାଟିଏ ରେଶ ଯେମିତି ବିଦାୟ ନେବାକୁ ଚାହୁଁ ନାହିଁ ଆମ ପାଖରୁ, ସେପର୍ଯ୍ୟନ୍ତ ବି ।

 

ଖାଁ ସାହେବଙ୍କ ସବିଶେଷ ପ୍ରଶଂସା ଆମେ କରିପାରି ନ ଥିଲୁ । ବାକ୍ୟର ସାମର୍ଥ୍ୟ ଆମର ନ ଥିଲା । ସମସ୍ତେ ବିଶ୍ୱନାଥଜୀଙ୍କ ମୁହଁକୁ ତକାଇ ରହିଲେ । ତାଙ୍କ ଆଖି ଦିଓଟି ଆନନ୍ଦରେ ଛଳ ଛଳ । ସେଇ ଶ୍ୟେନଦୃଷ୍ଟିର ଅନ୍ତରରେ ଏଭଳି ଚାହାଣି ଆଗରୁ ଦେଖି ନଥିଲି । ଗଦଗଦ୍‌ କଣ୍ଠରେ ବିଶ୍ୱନାଥଜୀ କହିଲେ : ଖାଁ ସାହେବଙ୍କ ଜିହନ (ପ୍ରତିଭା) ବଳରେ ଏଭଳି ଆଶ୍ଚର୍ଯ୍ୟ ବେ-ନଜିର ବ୍ୟାପାର ସମ୍ଭବ ହେଲା ।

 

ଖାଁ ସାହେବ ସେଇ ରକ୍ତ-ମନ୍ଦାର ମୁରେଠା ସମେତ ମୁଣ୍ଡ ନୁଆଁଇ ସେ ପ୍ରଶଂସାକୁ ଯେମିତି ଧରିନେଲେ । ଭଗବାନଙ୍କ ପ୍ରତି ଅଭିମାନ କରି ଏଇ ମୁରେଠାକୁ ସେ ବାକୁସ ଭିତରେ ରଖିଦେଇଥିଲେ । ପବିତ୍ର ଅଭିଯାନରେ ମହୀୟାନ ଏହି ଶିରୋଭୂଷଣହିଁ ତ ପ୍ରତିଭାର ଯୋଗ୍ୟ ପ୍ରଶସ୍ତି ଧାରଣ କରି ଅନ୍ତରର ମନ୍ଦିରକୁ ବହନ କରି ନେଇଯିବ । ଗୋଟିଏ ପ୍ରତିଭାର ମୁହଁରେ ଅନ୍ୟ ଏକ ପ୍ରତିଭାର ପ୍ରଶଂସା ଓ ସାଧୁବାଦ ! ହୃଦୟରେ କେଉଁ ଗୋପନ ମନ୍ଦିରରେ ଏ ଦୁଇ ଆଲୋକର ମିଳନ ଘଟେ ! ଆମେ ବାହାରେ ଥାଇ ତାହାର ରହସ୍ୟ କଅଣ ବା ବୁଝିପାରିବୁ ! ବିଶ୍ୱନାଥଜୀ ଗୋଟିଏ ଚରମ କଥା କହିଥିଲେ– ଖାଁ ସାହେବ ! ମୁଁ ଆଉ ବେଶିଦିନ ବଞ୍ଚିବି ନାହିଁ । କିନ୍ତୁ ଏମାନେ ଅନେକଦିନ ବଞ୍ଚିବେ । ଏମାନଙ୍କ ମୁହଁରେ ଆପଣଙ୍କ ନାମଓୟାରୀ ଅନେକ ବାଟ ପ୍ରସରିଯିବ । ତା’ପରେ ସବୁ ଖତମ୍‌ ! ପୁଣି ଯେତେବେଳେ ଆପଣଙ୍କ ଭଳି ଲୋକ ଦୁନିଆରେ ଦେଖାଦେବ ସେତେବେଳେ ପୁଣି ଦୋ-ଚାର ରୋଜ୍‌ର ପାଲ୍‌ଲାରେ ଦୁନିଆ ହାୟ ହାୟ କରିବ ।

 

ଖାଁ ସାହେବ ତମ୍ୱୁରାର ସୁର ଅଦଳବଦଳ କରିସାରିଲେଣି । ଖରଜର ତାର ଖରଜରେ ଓ ପଞ୍ଚମର ତାର ମଧ୍ୟମରେ । ଆସର ଗମ୍‌ଗମ୍ କରୁଥାଏ ଯୁଗଳ ତମ୍ୱୁରାର ସୁରରେ-ମଧ୍ୟମର ମଧୁର ସଂବାଦରେ । ବିଶ୍ୱନାଥଜୀ କହିଲେ, ଆମର ଖାଁ ସାହେବ ତ ମାଲକୌଶ୍‌ରେ ସିଦ୍ଧ । ମୁଁ ମନେ ମନେ କହିଲି, ସିଦ୍ଧିର ନମୁନାର ଆଉ ବାକି ବା କଅଣ ରହିଲା । ସତକୁ ସତ ଖାଁ ସାହେବ ଆରମ୍ଭ କଲେ ମାଲକୌଶ୍ ରାଗର ଗୋଟିଏ ପଦ ‘ପର୍‌ଲାଗନ ଦେ’ । ବିନା ଉପକ୍ରମଣିକାରେ ମଧ୍ୟଲୟର ତୋତଲାରେ ଗାଇଲେ । ଏ ଗାନଟି ଜୀବନରେ ପ୍ରଥମ ଶୁଣିଲି । ପରେ କେତେଥର ଶୁଣିଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ପରିଚୟଟିହିଁ ଶେଷ ପରିଚୟ ହୋଇ ରହିଚି ।

 

ଆରମ୍ଭରେହିଁ ମୁଦାରାର ମଧ୍ୟମସ୍ୱରରେ ଦୁଇ ଗମକର ମାଣିକଯୋଡ଼ି ! ପରେ ଗୋଟିଏ ସୁତ୍‌ । ଯେମିତି ସଚଶୃଙ୍ଗାରର ଧ୍ୱନି ଭଳି ଚିକ୍‌କଣ ଉଜ୍‌ଜ୍ୱଳ ରେଖାଟିଏ ତଳକୁ ଓହ୍ଲାଇଆସି ଉଦ୍‌ଗାର କୋମଳ ନିଷାଦର ଚାରିପଟେ କୁଣ୍ଡଳୀ କାଟି ନିଷାଦକୁ କୟେଦ୍ କରିନେଇ ଚାଲିଗଲା କୋମଳ ଧୈବତର ଅପ୍ରମେୟ ସୀମାନ୍ତକୁ । ଏହାପରେ ବାଣୀ ଓ ସୁର ଏକାସାଙ୍ଗରେ ସପ୍ରତିଭ ସଞ୍ଚାର ସହ ଫେରିଆସି ଛିଡ଼ା ହେଲେ ଷଡ଼୍‌ଜରେ । ସମ୍‌ର ମନ୍ଦିରରେ ରାଗବିଗ୍ରହର ଅଧିଷ୍ଠାନ ହୋଇଗଲା । ସେଇ ଯୋଡ଼ି-ଗମକ ଓ ସୂତ୍‌ରେ ସୁଚାରୁ ଚରଣ-କ୍ଷେପ ଓ ପ୍ରକାଶଭଙ୍ଗିମା ଭୁଲିବା ଅସମ୍ଭବ । ପରେ ମଜିଦ୍‌ ଖାଁ ସାହେବଙ୍କ ବୀଣାବାଦନ ଶୁଣି ମନେ ମନେ ତର୍କ କରିଛି, ବୀଣ୍‌କାର ଗୁଣୀମାନେ କଅଣ ଗାୟକ ଗୁଣୀମାନଙ୍କ କଣ୍ଠରୁ କିଛି କିଛି ଧ୍ୱନି ତାଙ୍କ ଆଙ୍ଗୁଳିରେ ଧରି ରଖନ୍ତି ? ନା, ଗୁଣୀ ଗାୟକମାନେ ବୀଣାବିନେ ଦଲହରୀର କିଞ୍ଚିତ୍‌ ଅମୃତ ଆକଣ୍ଠ ପାନ କରି ହୃଦୟ ଆଧାରରେ ସଞ୍ଚୟ କରି ରଖନ୍ତି, ଯାହାକି ଗାନ ସମୟରେ ଗୀତସୁଧାର ଅଭିନବ ଧାରାରେ ଉଛୁଳି ପଡ଼େ ? ଖାଁ ସାହେବଙ୍କ କଥା ପଚାରିବାରୁ ସେ କହିଥିଲେ, କାଲେ ଖାଁ ସାହେବଙ୍କୁ ତ ସେ ଜାଣନ୍ତି ନାହିଁ, ସେ ବନ୍ଦେଆଲି ଖାଁ ସାହେବ ବୀଣ୍‌କାରଙ୍କ ସାଗିର୍ଦ୍‌ । ସେ ଯାହାହେଉ, ଏକଥା ଭାବିବାକୁ ଯାଇ ପରେ ମନକୁ ଆସିଛି, କଣ୍ଠଶିଳ୍ପୀ ଓ ବାଦ୍ୟଶଳ୍ପୀ ଦୁହିଁଙ୍କ ଭିତରେ ଅଧମର୍ଣ୍ଣ ଓ କିଏ ଉତ୍ତମର୍ଣ୍ଣ ଏ ବିଷୟରେ କାଳେ ତର୍କ କଳହ ହୋଇ ପାରେ ବୋଲି ଦେବୀ ସରସ୍ୱତୀ ଏକାଧାରରେ ବାଗ୍‌ବାଦିନୀ ଓ ବୀଣାଧାରିଣୀ ହୋଇ ଆମ ଧ୍ୟାନରେ ଆବିର୍ଭୂତା ହୁଅନ୍ତି । ଐତିହାସିକ ଜିଜ୍ଞାସାର ତିମିର ଆମ ଆଖି ସାମନାରୁ ଅପସୃତ ହୁଏ । ପ୍ରତିଭା ଧାର୍‍ କରି ଆଣିବା ବସ୍ତୁ ନୁହେଁ । ଧାର ଦେବା ମଧ୍ୟ ଅସମ୍ଭବ । କାଲେ ଖାଁ ସାହେବଙ୍କ କଣ୍ଠର ସୁତ୍‌-ଗମକର ଲହରୀ ଉଛୁଳିପଡ଼େ ସ୍ମୃତି ମଧ୍ୟରେ ପ୍ରଣୟୀ-ଜନର କୋମଳ କରାଘାତ ସଙ୍କେତ ଦେଇ ସ୍ମୃତିର ଲହରୀ କହେ– ଆପାତତଃ ରମଣୀୟ ବସ୍ତୁ ପ୍ରତି ତୁମ ଲକ୍ଷ୍ୟ ରଖ, ଇତିହାସର ଶୁଷ୍କ ହାସ୍ୟ ତୁମ କାମରେ ଲାଗିବ ନାହିଁ ।

 

ସଙ୍କେତ ବୁଝିବାମାତ୍ରେ କାଲେ ଖାଁ ସାହେବଙ୍କ ଗାନ ଆଡ଼େ ମନଦେଲି । କିନ୍ତୁ ଏ କଅଣ ! ‘ପାଗଲଗନ ଦେ’ ଦେଇ ଆରମ୍ଭ କରି ମୁହରାଟି କାୟେମ ହେଉ ନ ହେଉଣୁ ଗୋଟିଏ ସପାଟ୍‌ତାନ୍‌ ତଡ଼ିତ୍‌ଗତିରେ ଖେଳିଗଲା ! ଏହା ପରେ ଗାନର ପୂର୍ଣ୍ଣ ସ୍ଥାୟୀ ଦେଖା ଦେଲା ଝଡ଼ ପୂର୍ବରୁ କାଉ-ଚିଲମାନଙ୍କ ଭଳି । ଅନ୍ୟ ଶବ୍ଦଗୁଡ଼ିକ ଯିଏ ଯେମିତି ପାରେ । ଏଣେ ତେଣେ ହୋଇ ଘରକୁ ପଳେଇ ପାରିଲେ ବଞ୍ଚନ୍ତି, ଏମିତି ଅବସ୍ଥା । ହଠାତ୍ ଏମିତି ଭାବରେ ସୁରର ଝଡ଼ ଉଠିଲା ଯେ ଅନ୍ୟ ଶବ୍ଦଗୁଡ଼ିକ ସେମାନଙ୍କ ରୂପ ବଜାଏ ରଖି ପରିଚୟ ଦେଇପାରିଲେ ନାହିଁ । ଖାଁ ସାହେବଙ୍କ ହୃଦୟରେ ସୁର ଓ ଛନ୍ଦର ଗୋଟାଏ ଅଭିନବ ଉତ୍ତେଜନା ଦେଖା ଦେଇଛି । ତାଙ୍କ ଆଖିମୁହଁର ଉଲ୍ଲସିତ ଭାବ ଦେଖି, ତାଙ୍କ କଣ୍ଠଧ୍ୱନିର ଆକୁଳ ଆବେଦନ ଅନୁଭବ କରି ଏକଥା ବୁଝିପାରିଲି । ସାଧାରଣତଃ ମଧ୍ୟଲୟର ଛନ୍ଦରେ ଗାନର ଓ ସଙ୍ଗତର ଗୁରୁଲଘୁ ଶବ୍ଦଗୁଡ଼ିକ ଶ୍ରୋତାର ମନରେ ଆଶା ପ୍ରାତ୍ୟାଶାଗୁଡ଼ିକ ଯା ଆସ କରନ୍ତି, କାଳ ପୂର୍ଣ୍ଣ ହେଲେ ସେମାନେ ଚାଲିଯାଇ ପୁଣି ଫେରିଆସନ୍ତି । ଗାନର ଆରମ୍ଭରେହିଁ ଧ୍ୱନି ଓ ଛନ୍ଦର ଏହି ଆଶାପ୍ରତ୍ୟାଶାଗୁଡ଼ିକ ଅଡ଼ୁଆ-ତଡ଼ୁଆ ହୋଇଯାଆନ୍ତି । ଖାଁ ସାହେବ ସେମାନଙ୍କୁ ପେଷି ବାଟି ରଗଡ଼ି ସୁର ଓ ଛନ୍ଦର ନୂତନ ସମାଜରେ ସଜାଇ ନାନା ରୂପ ରଚନା କରୁଥାନ୍ତି ଓ ପୁଣି ମୁହୂର୍ତ୍ତକ ମଧ୍ୟରେ ସେମାନଙ୍କୁ ବିଦାୟ ଦେଉଥାନ୍ତି । ସୁର ଓ ଛନ୍ଦର ମଧୁର ରୋଳରେ ଆମ ମନ ପ୍ରାଣ ଭରିଗଲା । କଥାସବୁ ଆସିଲେ, କି ନ ଆସିଲେ, କି ଚାଲିଗଲେ ସେ ଆଡ଼କୁ ଆମ କାନ ନାହିଁ । ଝଡ଼ର ସୌନ୍ଦର୍ଯ୍ୟରେ ପ୍ରାଣ ଯେତେବେଳେ ଭରିଉଠେ ସେତେବେଳେ ପ୍ରଜାପତିର ସୁଯୋଗ ଦୁର୍ଯ୍ୟୋଗ କଥା କଅଣ ଆଉ ଭାବି ହୁଏ !

 

ଆରମ୍ଭ ହେଲା ମୋଟା ମୋଟା ସୁରର ଦାନାରେ ହରକତ୍‌ ପରେ ହରକତ୍‌ ! ତା ଭିତରେ ମଝିରେ ମଝିରେ ଦେଖା ଦେଉଥାଏ ଗମକ-ଲଗା ସୁରର ଫିରତ୍‌ ଓ ଫିକର୍‌-ବନ୍ଦୀ ଚକ୍ରଗୁଡ଼ିକ ! ଦଳ ଦଳ ହୋଇ ସୁରସବୁ ମୁହରାର ଚାରିପଟେ ଗହଳି କରି ଘୂରି ବୁଲୁଥାନ୍ତି ! ଛନ୍ଦର ଦୋଳା ତ ଯେମିତି ଝଡ଼ର ଦାଉରେ ତାଳ-ତମାଳ-ଶାଳ ବନର ଅଗଭଳି ଏପଟ ସେପଟ ଓଲଟପାଲଟ ହେଉଥାନ୍ତି ! ଅଥଚ ସୁରର ଝଡ଼ ଚାଲିଯିବା ପରେ ଯିଏ ଯେମିତି ଥିଲେ ସେମିତି ରହନ୍ତି ! ହଠାତ୍‌ ମନେହେଲା, ସୁରର ଝଡ଼ ଭିତରେ ମୁହରାଟି ଏଥର ଉଡ଼ି ଉଡ଼ି ଆସିବ ପରା ! କିନ୍ତୁ ଆସେ ନା । ଆମେ ଯେତେବେଳେ ଭାବୁଥାଉଁ ଯେ ଗାନର ମୁହରା ଆସିବା ବେଳ ଏ ନୁହେଁ ସେତେବେଳେ ସେ ଚକିତେ ଦୌଡ଼ିଆସେ । ଯେମିତି ଭୟରେ ଆସର କୋଳକୁ ଡେଇଁ ପଡ଼ିଲା ସେ ! ଘରପୁଅ ଘରକୁ ଫେରି ଆସିଲା ବୋଲି ଆମେ ଯେ ତାକୁ ଟିକିଏ ଆଦର ଆପ୍ୟାୟନ କରିବୁ ତାର ଅବକାଶ ବି ପାଉନା । କାରଣ, ସେଇ ଦୁର୍ଦ୍ଦାନ୍ତ ପିଲାଟା ନିର୍ଭୟରେ ମୁହୂର୍ତ୍ତକ ଭିତରେ ସୁର ଓ ଛନ୍ଦର ସଂଗ୍ରାମ ଇଲାକାରେ ଅଦୃଶ୍ୟ ହୋଇଯାଏ, ହୁଙ୍କାର ଗର୍ଜନ ଓ କଳରୋଳ ଭିତରେ । ଘରକୁ ଫେରିବାଟା ତାହାର ଯେମିତି ଚାତୁରୀ, ଛଳନା, ଅଭିନୟ ! ଶ୍ରାବଣର ବର୍ଷଣ ଭଳି ସୁରର ଅବିରଳ ଧାରା ଆମ ଶ୍ରବଣକୁ ପ୍ଳାବିତ କରି ରଖେ । ମନ ଆକାଶରେ ଆଲୋଚନାର ଛିଦ୍ର ନାହିଁ, ଅବକାଶ ନାହିଁ ।

 

ଗାନର ଆରମ୍ଭ ଥିଲା ମଧ୍ୟଲୟରେ । ଗତିବେଗର ଉତ୍ତେଜନାରେ ବର୍ତ୍ତମାନ ଗାନର ମେଘମାଳା ଯେମିତି ଉଡ଼ିଯାଉଛି ଦ୍ରୁତ ମାନ-ଲୟର ଡେଣା ମେଲି । ଛନ୍ଦର ପ୍ରତ୍ୟେକ ଦୋଳନରେ ସୁରର ପ୍ଳାବନ ବୋହିଯାଉଛି । ତାନ୍‌ର ତୁଫାନ ଅତର୍କିତ ଭାବରେ ଦେଖାଦିଏ । ଝଡ଼ର ଅବକାଶରେ ବିଦ୍ୟୁତ୍‌ର ଝଲକ ସହିତ ମେଘର ଗୁରୁଗୁରୁ ଧ୍ୱନି ଭଳି ଗୋଟିଏ ଗୋଟିଏ ପର୍ଯ୍ୟାୟ ହଲକ୍ ତାନ୍‌ର ଶୋଭାରେ ଶେଷ ହୁଏ । ଏଇ ହଲକ୍‌ର ମେଘଧ୍ୱନି ଭିତରେ ରୁକ୍ଷତାର ଲେଶମାତ୍ର ନାହିଁ । ମଧୁର ସୁରରେ ଏମାନେ ସିକ୍ତ । ଏଇ ହଲକ୍‌ର ଦଳ ତିନି ସପ୍ତକର ସବୁଦିଗକୁ ବେଗେ ଚାଲିଯାଇ ପୁଣି ଫେରିଆସେ । ଏମାନେ ଯେ ସୁରସିକ୍ତ ! ଅନୁଭବର ମାଧୁର୍ଯ୍ୟ ଦେଇ ବେଶ୍ ବୁଝିହୁଏ ଏକଥା । ଏମାନେ ଶୁଷ୍କ ଧୂଆଁ ବା ବାଷ୍ପର କୁଣ୍ଡଳୀ ନୁହନ୍ତି ! ମଧୁର ଆବାଜର ଏଇ ହଲକ୍ ତାନ୍‌ର ଦୃଷ୍ଟାନ୍ତ ଦୁଷ୍ପ୍ରାପ୍ୟ । କଳ୍ପନା କରେ, ବୀଣା ତାରରେ ଅଙ୍ଗୁଳିର ଗୋଟିଏ ଦବାଓତରେ ଯଦି ଦେଢ଼ସପ୍ତକ ସୁରରେ ମୀଡ଼ ମୂର୍ଚ୍ଛନା ସମ୍ଭବ ହୁଅନ୍ତ, ତାହେଲେ କୁହନ୍ତି, କାଲେ ଖାଁ ସାହେବଙ୍କ କଣ୍ଠରେ ହଲକ୍ ସେହି ବୀଣାର ହଲକ୍‌ଭଳି । ପ୍ରସଙ୍ଗତଃ କହିରଖେ, ସାଧାରଣ ଭାବରେ ଗୀତଶିଳ୍ପୀଙ୍କ ମୁହଁରେ ହଲକ୍‌ ତାନ୍‌ରେ ଚେଷ୍ଟା ଓ ଶେଷଫଳ ଦେଖି ବୁଝିଛି– ହଲକ୍ ତାନ୍‌ର ଚମତ୍କାରିତ୍ୱ ନିର୍ଭର କରୁଛି ଶିଳ୍ପୀର କଣ୍ଠରେ ମାଧୁର୍ଯ୍ୟର ପୁଞ୍ଜି ଉପରେ । ହଲକ୍‌ର ଧକ୍‌କା ଓ ହାଓୟା, ଜାରଜବରଦସ୍ତ ହେଲେ କଣ୍ଠର ସ୍ୱାଭାବିକ ମାଧୁର୍ଯ୍ୟ ଗିଳିପକାନ୍ତି ସେମାନେ ଏକାଦମ୍‌କେ-। ଯେଉଁମାନଙ୍କ କଣ୍ଠମାଧୁର୍ଯ୍ୟର ପୁଞ୍ଜି ଅଳ୍ପ ସେମାନଙ୍କ ପକ୍ଷରେ ହଲକ୍ ତାନ୍‌ର ପ୍ରୟାସର ଅର୍ଥ ମାଧୁର୍ଯ୍ୟ ବିଷୟରେ ଦେଉଳିଆ ହୋଇ ହାହାକାର କରୁକରୁ ଘରକୁ ଫରିବା । କଣ୍ଠସ୍ୱରର ଅନୁନାସିକତ୍ୱ ଥିଲେ ହଲକ୍‌ର କାରବାରରେ ଦେଉଳିଆ ହେବାରୁ କିଛିଟା ପରିତ୍ରାଣ ମିଳେ-। ଏହାର ଦୃଷ୍ଟାନ୍ତ ଅଛି । କିନ୍ତୁ, ଗାନର ଅନ୍ୟସବୁ କାରବାରରେ ସେଇ ଅନୁନାସିକ ସୁରସବୁ କଣ୍ଠରେ ଭେଜାଲ ସ୍ୱଭାବମାଧୁର୍ଯ୍ୟ ଭଳି ଶୁଭେ । ଯେମିତି ମହୁ ସହିତ ଖଜୁରିଗୁଡ଼ିକର ଭେଜାଲ-। ଆଉ ତମ୍ୱୁର ସହଯୋଗରେ ସେଇ ଭେଜାଲର ଉଗ୍ରତା ପରିସ୍ଫୁଟ ହୋଇଯାଏ ।

 

ପ୍ରସଙ୍ଗ ଖାତିରରେ କହୁଛି, କାଲେ ଖାଁ ସାହେବଙ୍କ ହଲକ୍‌ ତାନ୍‌ ସବୁ ମୋ ସ୍ମରଣରେ ଆଉ ଏକ ଗୁଣୀ କଥା ଜଗାଏ । ସେ ହେଲେ ଅବ୍‌ଦୁଲ କରିମ୍‌ ଖାଁ ସାହେବ । ୟାଙ୍କ ମୁହଁରେ ‘କଙ୍ଗନ ମୁଦରିୟା’ ମୁଲତାନ ରାଗର ଗାନରେହିଁ ଅନ୍ୟତମ ଉତ୍କୃଷ୍ଟ ହଲକ୍‌ର ପରିଚୟ ପାଇଥିଲି । ହଲକ୍ ତାନ୍‌ର ଯଥାର୍ଥ ଶୋଭା ଖୋଲିଛି ବୋଲି ଅନୁଭବ ହେବାମାତ୍ରକେ ବୁଝେ, ଶିଳ୍ପୀର ଛାତିଭରା ଦମ୍ ଅଛି, କଣ୍ଠଭରା ମାଧୁର୍ଯ୍ୟ ଅଛି, ଆଉ ଅଛି ଚମତ୍କାର ପ୍ରବୃତ୍ତି ଦମନ କରିବାର ସୁବୁଦ୍ଧି ଓ ସାମର୍ଥ୍ୟ । କିନ୍ନରକଣ୍ଠୀ ବାଈଜୀମାନେ ଯେ ହଲକ୍‌ର ପ୍ରୟାସ କରନ୍ତି ନାହଁ ତାହାର ଏକମାତ୍ର କାରଣ, ମୁଁ ବୁଝେ, ସେମାନେ ମାଧୁର୍ଯ୍ୟର ପୁଞ୍ଜି ନେଇ ହଲକ୍‌ର କାରବାରରେ ଜୁଆଖେଳର ଇଚ୍ଛା ବା ସାହସ କରନ୍ତି ନାହିଁ । ସେକାଳର ଜୋହରା ବାଈଜୀ ଏହାର ଏକମାତ୍ର ବ୍ୟତିକ୍ରମ । ଏହି କାରଣପାଇଁ ଗୁଣୀମହଲରେ ସେ ଯେ ଯଥେଷ୍ଟ ଯଶ ଅର୍ଜନ କରିଥିଲେ ଏକଥା ଶୁଣିଛି ମୁଁ ଶ୍ୟାମଲାଲଜୀ, ବାଦଲ୍‌ ଖାଁ ସାହେବ ଏବଂ ରାଣାଘାଟ ନିବାସୀ ପ୍ରସିଦ୍ଧ ଗାୟକ ନରେନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ମୁହଁରୁ । ଜୋହରା ବାଈଜୀ ରେକର୍ଡରେ ଯେଉଁସବୁ ଗାନ ପରିବେଷଣ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ‘ଆଲ୍ଲା ଜାନେ’ (ଟୋଡ଼ିରାଗ) ଓ ‘ଧେତେଲେ ଦର୍‌ ତନନ୍‌’ (ଭୂପାଳୀ ରାଗର ତେରାନା) ଶୁଣିବାମାତ୍ରେ ବୁଝିହୁଏ : ସେକଥା ବାସ୍ତବିକ ସତ । ଅନୁମାନ ବି କରିହୁଏ– ମଧୁର ବାମାକଣ୍ଠରେ ହଲକ୍‌ର ସୌନ୍ଦର୍ଯ୍ୟ କେତେ ବିଚିତ୍ର ଓ ସୁନ୍ଦର ହୋଇପାରେ ।

 

କାଲେ ଖାଁ ସାହେବଙ୍କ ଗାନକୁ ଫେରିଆସେଁ । ଏ ଗାନ ଆମୂଳଚୂଳ ଛନ୍ଦର ଦୋଳାୟମାନ ସ୍ତମ୍ଭମାନଙ୍କ ଉପରେ ନିର୍ଭରଶୀଳ ସୁରର ବିରାଟ ଛାଉଣି । ଛାଉଣିର ଶିରାରେ ଶିରାରେ କଥା ବା କଥା ଟୁକୁରାସବୁ ଏମିତି ମିଶି ରହିଛନ୍ତି ଯେ ଛାଉଣି ଚିହ୍ନି ସେମାନଙ୍କୁ ବାଛି ଯୋଖାଯୋଖି କରିବାପାଇଁ ରୀତିମତ ପରିଶ୍ରମ କରିବାକୁ ପଡ଼େ । ସଂପ୍ରତି ଏଭଳି କାର୍ଯ୍ୟରେ ଆମେ ଅପାରଗ ହୋଇଛୁ । ସେଇ ମହାନ ଦୋଦୁଲ୍ୟମାନ ରାଗରୁ ପ୍ରତ୍ୟକ୍ଷ କରି ଆମେ ସମ୍ମୋହିତ ହୋଇ ବସି ରହିଲୁ । ସୁର ଓ ଛନ୍ଦର ପ୍ରାଣରେ ଜାଗିଛି ଉଲ୍ଲାସ-ତାଣ୍ଡବର ଉତ୍ତେଜନା । ଆମେ ଅନ୍ତରରେ ଶୁଣୁଥାଉ ମଲ୍ଲ-କୌଶିକର ପିନାକନିଃସ୍ୱନ ଓ ଡମ୍ୱରୁଧ୍ୱନି ।

 

ଅକସ୍ମାତ୍‌ ସୁର-ଛାନ୍ଦର ତାଣ୍ଡବଲୀଳା ଥମିଗଲା । ଅବକାଶ ଆଘାତରେ ଆମ ଚମକ ଭାଙ୍ଗିଲା । ସୁରର ରେଶ୍ ଓ ଛନ୍ଦର ଦୋଳନ ପ୍ରହରୀ ଭଳି ଜଗିରହିଥାଏ । ତମ୍ୱୁରାର ଗୁଞ୍ଜନରେ ଏମାନଙ୍କ ସାବଧାନବାଣୀ ଶୁଣିଲୁ । ମାତ୍ରାର ଯାତ୍ରାରେ ସଙ୍ଗତର ପଦଧ୍ୱନି ଶୁଣିଲୁ । ଗୁଣୀ ହୃଦୟରେ କତେବେଳେ କେଉଁ ସଙ୍କଳ୍ପର ନିଆଁ ଜଳିଉଠେ ଜାଣିବା କଠିନ । ଖାଁ ସାହେବ ଯେପରି ଆମକୁ ପ୍ରସ୍ତୁତ ହେବାପାଇଁ ଅବସର ଦେଲେ ମୁହୂର୍ତ୍ତକ ପାଇଁ ।

 

ଏହିପରି ଏକ ସତର୍କ ଅବକାଶରେ କୌଣସି ଏକ ମୁହୂର୍ତ୍ତରେ ଜ୍ୱଳନ୍ତ ସୁରରେଖା ଭଳି ଗୋଟିଏ ସୂତ୍‍ ଆମର ଶ୍ରବଣ ଆକାଶରେ ସହସା ଦେଖା ଦେଲା । କେଉଁଠୁ ସେଟା ଉଦୟ ହେଲା ଜାଣେନା । ସେଇ ଜ୍ୟୋତିର୍ମୟୀ ରେଖା ଯେତେବେଳେ ଯାଇ ଛିଡ଼ା ହେଲା ତାର ସପ୍ତକର ମଧ୍ୟମ ସ୍ୱରରେ, ସେତେବେଳେ ମନେହେଲା ଗୋଟାଏ ଉଲ୍‌କାପିଣ୍ଡ ଉଡ଼ି ଯାଉଁ ଯାଉଁ ସହସା ନିଜ ଦୀପ୍ତିର ଧ୍ୟାନରେ ସ୍ତବ୍‌ଧ ହୋଇଯାଇଛି, ନିଜ ପ୍ରଭାରେ ନିଜେ ମୋହିତ ହୋଇ । ଅପରୂପ ଦେଇ ‘ତାରା’ର ମଧ୍ୟମ ଓ ତାହାର ଆଲୋକ ! ଆମ ଅନ୍ତରରୁ ତା’ର ରଶ୍ମିଚ୍ଛଟା ସେ ପର୍ଯ୍ୟନ୍ତ ମ୍ଳାନ ହୋଇ ନ ଥାଏ । ଆମର ଧ୍ୟାନ କଳ୍ପନା ସେପର୍ଯ୍ୟନ୍ତ ପରିତୃପ୍ତ ହୋଇ ନ ଥାଏ । ଏତିକିବେଳେ ଚମକି ଉଠୁଥାଏ ଅବରୋହର ସୁରନକ୍ଷତ୍ର ନିଚୟ । ଆଉ, ଶେଷରେ ଦେଖା ଦେଲା ମୁଦାରାର ମଧ୍ୟମ ସ୍ୱର, ସମୁଜ୍ଜ୍ୱଳ ଗୋଟିଏ ତାରକା ସଦୃଶ । ମୁଦାରାର ମଧ୍ୟମରେ ଆମ ଶ୍ରୁତିର ଧ୍ୟାନ ସ୍ଥିର ନ ହେଉଣୁ ସୁରର ପଂକ୍ତି ଉଦାରାର ମଧ୍ୟଗଗନକୁ ଧାଇଁଗଲେ । ମନେହେଲା, ରାଗର ଗୋଟିଏ ଜ୍ୟୋତିଷ୍ମାନ ସୂତ୍ରଦ୍ୱାରା ରଚିତ ସୁରର ହାରାବଳୀ ତାର-ସପ୍ତକର ଦିଗନ୍ତରୁ ପ୍ରଳମ୍ୱିତ ହୋଇ ଆସିଲା ଉଦାରାର ଗଗନକୁ । ସେ ଉଲ୍‌କାର ସ୍ୱରୂପ ସେପର୍ଯ୍ୟନ୍ତ ସଂପ୍ରଭ ଓ ପ୍ରାଣବନ୍ତ ହୋଇ ଆମ ମନରେ ରହିଥାଏ । ସୁରର ହାରଦେହରେ ମୁଦାରାର ମଧ୍ୟମର ରକ୍ତରାଗମଣି ! ଅପୂର୍ବ ଏହି ମଣିମାଳାର ଶୋଭା ଓ ସୌନ୍ଦର୍ଯ୍ୟ !

 

ପ୍ରତିଥର ନୂଆ ନୂଆ ପ୍ରକାର ସୂକ୍ଷ୍ମ ସୂତ୍ ଦେଇ ଗୁଣୀ ସୁରର ଅଭିନବ ଜ୍ୟୋତିର୍ମାଲ୍ୟ ରଚନା କରିବାକୁ ଲାଗିଲେ । ଥରକୁଥର ସେ ରାଗରାଜ ମାଲ୍‌କୌଶ୍ କଣ୍ଠରେ ସେଇ ହାର ପିନ୍ଧାଇଦେଲେ ! ଏହା ପରେ ଆଉ କଅଣ ହୋଇପାରେ, କଅଣ ହେବ, କଅଣ ବା ହେବା ଉଚିତ, କିଛିମାତ୍ର କଳ୍ପନା କରିନାହିଁ, କିଛିମାତ୍ର ପ୍ରତ୍ୟାଶା କରିନାହିଁ । ମୁହୂର୍ତ୍ତକ ପାଇଁ କଥା, ସୁର ଓ ଛନ୍ଦର ଆଲୋଡ଼ନ ଥମିଗଲା । ଆମ ମାନସଚକ୍ଷୁରେ ଉଦ୍‌ଭାସିତ ହେଲା ରାଗର ଗୋଟିଏ ସମାହିତ ଯୋଗମଗ୍ନ ସ୍ୱରୂପ । ତା ଭିତରେ ରକ୍ତଲାଲାଟିକା ସେପର୍ଯ୍ୟନ୍ତ ଝଟକୁଥାଏ । ସୁରର ହାରାବଳୀର ଆଲିଙ୍ଗନରେ କଣ୍ଠ ଓ ବକ୍ଷ ଈଷତ୍‌ ଆନ୍ଦୋଳିତ ହେଉଥାଏ । ଆମେ ଭାବୁଥାଉ, ସୁରର ମୁହରାଟି କେଉଁ ରୂପରେ ଦେଖାଦେବ କେଜାଣି ! ଏତିକିବେଳେ ଆଚମ୍ୱିତେ ଦେଖା ଦେଲା ବଡ଼ ବଡ଼ ପାଲ୍‌ଲାର ଗମକ । ବିସ୍ମୟକର ଉଦ୍‌ଭ୍ରାନ୍ତ ସେ ଏକ ବ୍ୟାପାର !

 

ଅସ୍ପଷ୍ଟଭାବରେ ମନେପଡ଼େ, ଉଦାରର ଷଡ୍‌ଜ ଓ ମଧ୍ୟମର ମଝିମଝିଆ କୌଣସି ସୁରରୁ ଏମାନଙ୍କ ଉଦ୍‌ଭବ ଓ ଅଭିଯାନ ଆରମ୍ଭ ହେଲା ଏବଂ ତାର-ସପ୍ତକର ମଧ୍ୟମ ଶ୍ରୁତିଦୁଆରରେ ଯେମିତି ତିନିଚାରିଥର ଧକ୍‌କା ମାରି ଢଳି ଢଳି ଫେରିଆସିଲା ପୁଣି ସେଇ ଉଦାରାର ମଧ୍ୟମର ଇଲାକାକୁ । ନିମିଷେର ବିରାମ ପରେ ପୁଣି ଆରମ୍ଭ ହେଲା ଏହି ଯୁଗଳ ସୁରର ବିରାଟ ହିନ୍ଦୋଳ । ପୁଣି ଏମାନେ ପ୍ରମତ୍ତ ଭଳି ଚାଲିଗଲେ ତାର-ସପ୍ତକକୁ ଓ ମଧ୍ୟମର ଘରରେ କେଇଥର ଧକ୍‌କା ଦେଇ ଢଳି ଢଳି ଫେରି ଆସିଲେ ଉଦାରାର ମଧ୍ୟମକୁ । ଦ୍ୱିତୀୟଥର ଏହି ବ୍ୟାପାର ଆରମ୍ଭ ହୁଅନ୍ତେ ମୋର ମନେ ହେଲା ଯେମିତି ସଙ୍ଗୀତ ନିକୁଞ୍ଜର ଆଲୋକମାଳା, ଝରକା-କବାଟ ସବୁ ଜଳୁଛି ଏଇ ଗମକର ଦୋଳାରେ, ଯେମିତି ସୁରର ଭୂମିକମ୍ପ ରହି ରହି ଘଟିଯାଉଛି ! ମନେ ହେଲା, ମୁଁ ନିଜେ ଦୋଳାୟମାନ ।

 

ସେଇ ବିହ୍ୱଳ ଅବସ୍ଥାରେ ଖାଁ ସାହେବଙ୍କୁ ଚାହିଁଲି । ପ୍ରକାରେ ଅଦ୍‌ଭୂତ ଆବେଦନ ନିଆଁ ତାଙ୍କ ଦୃଷ୍ଟିରେ ଖେଳୁଥାଏ । ତାଙ୍କ ଆଖି ଦିଓଟି ଦୀପ୍ତିରେ ଉଦ୍‌ଭାସିତ । ସେଇ ମୁରେଠା ସମେତ ସର୍ବଦେହଟି ତାଙ୍କର ଗମକର ପ୍ରତି ପର୍ବ ସହିତ କମ୍ପି ଯାଉଥାଏ ଓ ଦୋଳୁଥାଏ ! ବାହାର ଜଗତ ବିଷୟରେ ତାଙ୍କର ଯେମିତି ଆଉ ଜ୍ଞାନ ନ ଥାଏ । ପରେ ଏହି ସ୍ୱରୂପଟି ସ୍ମରଣ କଲା ମାତ୍ରକେ ମନେହୁଏ, ଭିତର ଜ୍ଞାନ ଥିଲା କି ନା ବୁଝିପାରି ନାହିଁ ଅବଶ୍ୟ । କିନ୍ତୁ ଭିତରେ ନିଆଁ ଲାଗି ଯାଇଥାଏ ।

 

କାଲେ ଖାଁ ସାହେବ ମାଲକୌଶ୍‌ ରାଗରେ ସିଦ୍ଧ ବୋଲି ବିଶ୍ୱନାଥଜୀ କହନ୍ତି । ମୋର ଧାରଣା ଖାଁ ସାହେବ କେବଳ ସିଦ୍ଧ ନୁହନ୍ତି, ରାଗର ଅଗ୍ନିରେ ବିଦଗ୍‌ଧ ଗୋଟିଏ ସତ୍ତା ସେ ! ସ୍ମୃତିର ଆଲୋକରେ ଏପର୍ଯ୍ୟନ୍ତ ବି କ୍ଷଣେ କ୍ଷଣେ ରାଗାବେଶର ସେଇ ମୂର୍ତ୍ତିମାନ ବିଗ୍ରହ ଦେଖା ଦିଏ । ଏବେ ବି ଦେଖେ କାଲେ ଖାଁ ସାହେବଙ୍କ ଜୀବନ୍ତ ଛବି–ସେଇ ନୀଳ କୁର୍‌ତା ଉପରେ ତାରାର ନକ୍‌ସା ଓ ସେଇ ରକ୍ତମଲାର ରଙ୍ଗର ମୁରେଠା । କିନ୍ତୁ ଏଇ ଗାନଟି ମନକୁ ଆସିବା ମାତ୍ରେ ଦେଖେ, ସେଇ ଦେହ, ସେଇ ପରିଧେୟ, ସେଇ ମୁରେଠା-ସମସ୍ତ ମିଶି ଯେମିତି ମାଲକୌଶ୍‌ ରାଗର ସ୍ୱରୂପ । ଆଉ ସେଇ ରୂପଟି ଦୋହଲୁଛି ଗମକର ଦୋଳାରେ ।

 

ଏ ପର୍ଯ୍ୟନ୍ତ ମହାରାଜା ଶ୍ରୀ ଯୋଗୀନ୍ଦ୍ରନାଥ ରାୟଙ୍କ ସହିତ ମଝିରେ ମଝିରେ ଦେଖାହୁଏ-। କେବେ କେବେ ସେହି ଅଭୂତପୂର୍ବ ବ୍ୟାପାର ପ୍ରସଙ୍ଗ ଉଠିଲେ ସେ ଚମକିତ ହୋଇ ସେଦିନମାନଙ୍କର ବିଚିତ୍ର କଥା ସ୍ମରଣ କରି କୁହନ୍ତି : ପାଁଚୁବାବୁ, ଏସବୁ କଥା ବର୍ତ୍ତମାନ ମନେପକାଇ ଆନନ୍ଦ ପାଏ । ଆଜି ସେଇ ଆନନ୍ଦଟାହିଁ ହୋଇଚି ଗୋଟାଏ ବଡ଼ ଉପରି ପାଉଣା-। ଅସଲ ଉପରେ ସୁଧ ଭଳି ! ବେଳେବେଳେ ଟିକିଏ ଅଧେ ଗାନ ଓ ସୁର ଶୁଣେ । ନୂଆ ନୂଆ ଗୁଣୀଙ୍କ ନୂଆ ନୂଆ କାରିଗରି ଦେଖି ମୋହିତ ବି ହୁଏ । କିନ୍ତୁ ଭାବେ, ଯେମିତି ଘଟିଯାଇଛି ଆଉ ତ ସେମିତି ଘଟୁ ନାହିଁ ।

 

ଏଇ ସେ ତାନ ଯାହା କଥା ଶ୍ୟାମଲାଲଜୀ ଓ ବଦଲ୍‌ ଖାଁ ସାହେବଙ୍କୁ କହିବା ମାତ୍ରକେ ସେମାନେ କହିଲେ : ହାଁ ହାଁ, ଏତେ ଲରଜ୍‌ଦାର୍‌ ତାନ୍ ।

 

ଆଉ ବଦଲ ଖାଁ ସାହେବ ସେତିକିବେଳେ ଗଡ଼ଗଡ଼ କେତେ କଅଣ କହିଗଲେ । ସାରକଥା-ବୀଣାକାର୍‌ମାନଙ୍କ ଘରେ, ବିଶେଷ କରି ବନ୍ଦେ ଆଲି ଖାଁ ସାହେବଙ୍କ ଘରେ, ଏହାର କାଇଦା ପ୍ରଚଳିତ ଅଛି ସତ, ହେଲେ ଏ ଜମାନାର ଗାୟକମାନେ ଏଭଳି ତାନ୍‌ର ପ୍ରୟାସ କରନ୍ତି ନାହିଁ । କାରଣ, ଥରେ ଏ ତାନ୍‌ ଗାଇବାକୁ ଆରମ୍ଭ କଲେ ବେସୁରା ହୋଇଯାଆନ୍ତି । ତା ହେଲେ ସେ ଗାୟକ ହୁଏତ ପାଗଳ ହେବ, ନ ହେଲେ (ପକ୍ଷପାତ)..... ମୁହଁରୁ ରକ୍ତ ବାହାରିବ । ଏ ଜମାନାର ରାମପୁରନିବାସୀ ମୁସ୍ତାକ୍ ହୁସେନ୍ ହେଉଛି ଆଉ ଜଣେ ଗୁଣୀ ଯିଏ ତାଙ୍କ କଣ୍ଠରେ ଏ କାମ ହାସିଲ କରିପାରିଥିଲେ; ଇତ୍ୟାଦି ।

 

ଏତେ ଖବର ବି ବଦଲ୍‌ ଖାଁ ସାହେବ ରଖିଥିଲେ ! ଶ୍ୟାମଲାଲଜୀ ବି ସେଇ ମୁସ୍ତାକ୍‌ ହୁସେନ୍ ଖାଁ ଓ ତାଙ୍କ ସଂପ୍ରଦାୟର ଗୁଣୀମାନଙ୍କ ବିଷୟରେ ଭଲ ଖବର ରଖୁଥିଲେ । କିନ୍ତୁ ମୁସ୍ତାକ୍ ହୁସେନ୍‌ ଖାଁ ଏଇ ଲରଜ୍‌ଦାର ତାନ୍‌ର କାଇଦା ଗାନ କରି ଦେଖାଇ ପାରୁଥିଲେ ବୋଲି ଶ୍ୟାମଲାଲଜୀ ବି ପ୍ରଥମ ଶୁଣିଲେ ଖଲିଫା ବଦଲ୍‌ ଖାଁ ସାହେବଙ୍କ ମୁହଁରୁ ।

 

ମୁସ୍ତାକ ହୁସେନ ଖାଁଙ୍କ କଥା ବିସ୍ତାରିତ ଭାବରେ କହିବି ନାହିଁ । ମାତ୍ର ଏତିକି କହିବି ଯେ, ବହୁବର୍ଷ ପରେ ଶ୍ୟାମଲାଲଜୀଙ୍କ ବୈଠକରେ ବସି ଶ୍ୟାମଲାଲଜୀ, ବଦଲ୍‌ ଖାଁ ସାହେବ ପ୍ରଭୃତି ସମଝ୍‌ଦାରମାନଙ୍କ ସାମନାରେ ମୁସ୍ତାକ ହୁସେନ ଖାଁ ସାହେବ ସେହି ଅଦ୍ଭୁତ ଲରଜ୍‌ଦାର ତାନ୍‌ର ନମୁନା ଦେଖାଇଥିଲେ । ମୋ ଜୀବନର ସାକ୍ଷାତ୍‌ ଅଭିଜ୍ଞତା ପକ୍ଷରେ ମୁସ୍ତାକ ହୁସେନ-ଖାଁ ସାହେବହିଁ ଦ୍ୱିତୀୟ ଗୁଣୀ ଯାହାଙ୍କ ମୁହଁରୁ ଲରଜ୍‌ଦାର ତାନ୍ ଶୁଣିଛି । ଭାରତର ସବୁ ଗୁଣୀଙ୍କ ଗାନ ତ ମୁଁ ଶୁଣି ନାହିଁ । ବରଞ୍ଚ ବର୍ତ୍ତମାନ ଏମିତି ଧୂରନ୍ଧର ଖେୟାଲୀ ଜଣେ ଅଛନ୍ତି ଯାହାଙ୍କ କଣ୍ଠର ସାମର୍ଥ୍ୟ ଓ ଶିଳ୍ପ ପରିବେଷଣର ଚାତୁର୍ଯ୍ୟ ଦେଖି ମନେହୁଏ, ସେ ଏଇ ତାନ୍‌ ପରିବେଷଣ କରିବାକୁ ସକ୍ଷମ । ଖାଲି ସେତିକି ନୁହେଁ, ସେ ଇତିମଧ୍ୟରେ ଏକାଧିକ ଥର ଏମିତି ତାନ୍‌ ରଚନା କରି ଶୁଣାଇଛନ୍ତି ଯାହାର ଛବି ଲରଜ୍‌ଦାରର ଖୁବ୍‌ ନିକଟବର୍ତ୍ତୀ ବୋଲି ବୋଧ ହୋଇଛି । ଏଇ ଗୁଣୀଙ୍କ ନାମ ଶ୍ରୀ ଓଙ୍କାରନାଥ ଠାକୁର । ୟାଙ୍କ ଖ୍ୟାତି ଭାରତ ବାହାରକୁ ମଧ୍ୟ ଚାଲିଯାଇଛି ।

 

ସେଇ ସୁରର ଭୂମିକମ୍ପ ପ୍ରସଙ୍ଗକୁ ଫେରିଯାଏଁ । ପୁଣି ମନେପଡ଼ିଯାଏ, ଇନ୍ଦୋରନିବାସୀ ମଜିଦ୍‌ ଖାଁ ସାହେବ ବୀଣ୍‌କାରଙ୍କ କଥା । ଏପ୍ରସଙ୍ଗ ଏଡ଼ାଇପାରୁ ନାହିଁ ।

 

୧୯୮୯ ସାଲ – ଶ୍ୟାମଲାଲଜୀଙ୍କ ବୈଠକରେ ମଜିଦ୍‌ ଖାଁ ସାହେବଙ୍କ ମଇଫିଲ୍‌ । ବୀଣାର ଶବ୍ଦ ଯେମିତି ମୃଦୁ ସେମିତି ମଧୁର । ଶ୍ୟାମଲାଲଜୀ, ମୁଁ, ଗିରିଜାବାବୁ, ତନ୍‌ନୁଲାଲଜୀ, ବଦଲ୍‌ ଖାଁ ସାହେବ, ନନୀ ଏବଂ ଠାଣ୍ଡୀରାମ ବୈଠକରେ ଅଛନ୍ତି । ଗୁଣୀଙ୍କ ଖୁବ୍ ନିକଟରେ ଏମାନେ ବସିଛନ୍ତି । ପ୍ରଥମ ତିନିଜଣ ଗୁଣୀ ମୁହାଁମୁହିଁ ବସିଛନ୍ତି । ଉଦ୍ଦେଶ୍ୟ– ସୂତ୍‌ମୀଡ଼ର ଗୋଟିଏ ବି କାମ ଯେମିତି କାନରୁ ଖସି ନ ଯାଏ । ସବୁ ପୂରା ଆଦାୟ କରିବାକୁ ହେବ । କାରଣ, କିଛିଦିନ ପୂର୍ବେ ମଜିଦ୍‌ ଖାଁ ସାହେବଙ୍କ ବାଦ୍ୟ ଶୁଣି ବୁଝିଥିଲି, ସେ ସେଇ ପର୍ଯ୍ୟାୟର ଗୁଣୀ ଯେଉଁମାନେ ଗୋଟିଏ ‘କାମ’ ବିନା ପ୍ରାର୍ଥନାରେ, ଦୁଇବାର ଦେଖାନ୍ତି ନାହିଁ । ଶୁଣିବା ଆଗ୍ରହ ଯୋଗୁଁ ଆମେ ସାମନାକୁ ଲଇଁ ପଡ଼ିଥାଉ । ବାହ୍ୟଜ୍ଞାନ ଅବଲୁପ୍ତ । ଜଗତ ବୋଇଲେ ଦରବାରୀର ବିଲମ୍‌ପଦର ଶ୍ରାବ୍ୟରୂପ ଛଡ଼ା ଆଉ କିଛି ନାହିଁ ।

 

ବିଲମ୍‌ପଦ ଶେଷ ହୋଇ ସହସା ଦେଖାଦେଲା ଯୋଡ଼ର କାମ । ଯୋଡ଼ର କାମ ଜମି ଆସିଲା ବେଳକୁ ଖାଁ ସାହେବ ଏମିତି ଗୋଟିଏ ଗମକଯୋଡ଼ ଜାହିର କଲେ ଯେ ଆମେ ତିନିଜଣ ଚମକିପଡ଼ି ମେରୁଦଣ୍ଡ ସିଧା କରି ବସିଲୁ । ଖାଁ ସାହେବ ‘ଲରଜ୍‌’ର ଯୋଡ଼ ଆରମ୍ଭ କରିବାମାତ୍ରେ ଗୋଟିଏ ଲମ୍ୱା ତାନ୍‌କୁ ତିନିସପ୍ତକର ପାଲ୍ଲାରେ ଦୌଡ଼ାଇ ଓ ନଚାଇ ଖରଜର ନିମ୍ନସ୍ଥ ବୃଦ୍ଧ ଖରଜର ପଞ୍ଚମକୁ ଆସି କେଇଥର ଦୋଳାଇଲେ ।

ଆମର ମନେହେଲା, ଦୁନିଆ ଯେମିତି ଓଲଟ-ପାଲଟ ହୋଇଯାଉଛି । ଉପରେ ଝୁଲୁଥିବା ଆଲୁଅ ପେନ୍ଥାଟି ହଲୁଛି । ତାନର ଶେଷ ମୁହୂର୍ତ୍ତ ଭିତରେ ମନେପଡ଼ିଗଲା, କାଲେ ଖାଁ ସାହେବଙ୍କ କଣ୍ଠରେ ଲବଜ୍‌ର ରୂପ ଓ ବଦଲ୍‌ ଖାଁ ସାହେବଙ୍କ ମନ୍ତବ୍ୟ ଯାହା ଭୁଲିଯାଇଥିଲି । ତାନଟି ଶେଷ ହୁଅନ୍ତେ ବାବୁଜୀ ଖାଁ ସାହେବଙ୍କୁ ଆଉଥରେ ସେ କାମଟି ଦେଖାଇବାକୁ କହିଲେ । ଖାଁ ସାହେବ ମୁଣ୍ଡ ସାମାନ୍ୟ ଝୁଙ୍କାର ବାବୁଜୀଙ୍କ ପ୍ରତି ଆଦରର ଇଙ୍ଗିତ ଜଣାଇ ଦ୍ୱିତୀୟଥର ଏବଂ ବିନା ବିଶ୍ରାମରେ ତୃତୀୟଥର ସେଇ ଏକ ବ୍ୟାପାର କମାଲ୍‌ କରି ଦେଖାଇଲେ । ଠାଣ୍ଡୀରାମ ତୃତୀୟ ଆବୃତ୍ତି ଶେଷରେ ନିଜକୁ ସମ୍ଭାଳି ନ ପାରି ‘ହୋୟ ହୋୟ’ ଶବ୍ଦରେ ପାଟି କରିଉଠିଲା । ବାବୁଜୀ ଖାଁ ସାହେବଙ୍କୁ ଅଳ୍ପକ୍ଷଣ ପାଇଁ ବିରାମ ଦେବାକୁ ଅନୁରୋଧ କରି ଉଠିଯାଇ ଆଲମାରୀରୁ ସବୁଜ ରଙ୍ଗର ଗୋଟିଏ ରେଶମୀ ଦୋ-ପଟ୍ଟା ଆଣିଲେ । ଖାଁ ସାହେବଙ୍କ ଡାହାଣ ହାତଟି ଧରି ତା ଉପରେ ସେଇ ଦୋ-ପଟ୍ଟା ରଖି କହିଲେ : ଏଟା ଆପଣଙ୍କ ଇନାମ୍ ନୁହେଁ, ଏଟା ସେଇ ଚାରୋଟି ଅଙ୍ଗୁଳିର ମେହେନତର ଗୋଟିଏ ସେଲାମୀ ମାତ୍ର ବୋଲି ମନେକରିବେ । ଜୀ ହାଁ ।

ଚାରି ଅଙ୍ଗୁଳି ବୋଇଲେ ଡାହାଣ ଓ ବାଁହାତର ତର୍ଜନୀ ଓ ମଝି ଅଙ୍ଗୁଳି ଦୁଇଟି । ଖାଁ ସାହେବ ବୀଣାଟି ବିଛଣା ଉପରେ ରଖି ଦୁଇହାତରେ ବାବୁଜୀଙ୍କୁ ଓ ଅନ୍ୟମାନଙ୍କୁ ବାରମ୍ୱାର ଆଦାବ ଜଣାଇ ବୀରାସନରେ ବସି ପୁଣି ସାରସ୍ୱତ ଯନ୍ତ୍ରଟିକୁ କାନ୍ଧକୁ ଉଠାଇନେଲେ । ଗୁଣୀଙ୍କ ଅଙ୍ଗୁଳି ବି ରକ୍ତମାଂସରେ ଗଢ଼ା ଅଙ୍ଗୁଳି । କିନ୍ତୁ ଅଦ୍ଭୁତ ସେ ସବୁ ମୁହୂର୍ତ୍ତ ଯେତେବେଳେ ସେଇ ଅଙ୍ଗୁଳିରେ ସାରସ୍ୱତ ବହ୍ନିର ଗୋଟିଏ ଯୋଡ଼ିଏ ଲେଲିହାନ ସୁରଶିଖା ପ୍ରଦୀପ୍ତ ହୋଇଉଠେ ଓ ରାଗର ଅନନ୍ୟସାଧାରଣ ରୂପକୁ ମୁହୂର୍ତ୍ତକ ପାଇଁ ଉଦ୍‌ଭାସିତ କରେ ।

ଶ୍ୟାମଲାଲଜୀଙ୍କ ଗୁରୁ ଗଣପତ୍‌ରାଓ ଭାଇୟା ସାହେବ ବନ୍ଦେ ଅଲି ଖାଁ ବୀଣ୍‌କାରଙ୍କ ପରମବନ୍ଧୁ ଥିଲେ । ଅଧିକନ୍ତୁ ସେ ବନ୍ଦେ ଅଲି ଖାଁ ସାହେବଙ୍କଠାରୁ ବୀଣାର ତାଲିମ୍‌ ବି ନେଇଥିଲେ । ଅତଏବ ଶ୍ୟାମଲାଲଜୀ ଓ ମଜିଦ୍‌ ଖାଁ ସାହେବଙ୍କ ଭିତରେ ସମୃଦ୍ଧ ଥିଲା ଶିଷ୍ୟ ଓ ଗୁରୁପର୍ଯ୍ୟାୟର ସମ୍ମାନ । ଆମେ ସମସ୍ତେ ଦେଖିଲୁ, ବାବୁଜୀ ଯେପରି ସେଇ ସମ୍ୱନ୍ଧ ଖାତିରରେ ପ୍ରଣାମୀ ନିବେଦନ କଲେ । କିନ୍ତୁ ପରେ ମଜିଦ୍‌ ଖାଁ ସାହେବଙ୍କ କୃତିତ୍ୱର ସମଧିକ ପରିଚୟ ପାଇ ମୋର ମନେ ହୋଇଥିଲା, ସେ ନଜ୍‌ରାନା ବାହାରର କଥା ମାତ୍ର । ଭିତରର କଥାଟା ଥିଲା, ଗୁଣୀଙ୍କ ହାତର ଅଙ୍ଗୁଳି ଛୁଇଁ ସଦ୍ୟ ସଦ୍ୟ ସେଇ ଅଗ୍ନିଶିଖାର କିଛି ତାପ ଗ୍ରହଣ କରିବା । ଠିକ୍‌ ଯେମିତି ଆରତି ଶେଷରେ ପଞ୍ଚପ୍ରଦୀପରୁ ଆମେ ତାପ ନେଇ ସେ ତାପକୁ ଆଖି ମୁହଁରେ ମାଖୁ । ସତକଥା କହିବାକୁ ବର୍ତ୍ତମାନ ଲଜ୍ଜା ନାହିଁ ଯେ ସେଦିନ ସେଇ ମୁହୂର୍ତ୍ତରେ ମୋର ଆଗ୍ରହ ହୋଇଥିଲା, ଗୁଣୀଙ୍କ ସେହି ଅଙ୍ଗୁଳିଗୁଡ଼ିକୁ ଥରେ ଛୁଅଁନ୍ତି କି ! କିନ୍ତୁ ଲଜ୍ଜାରେ ସେ କଥା କହିପାରି ନଥିଲି । ରକ୍ତହୃଦୟ ନ ହେଲେ ବି ମୁଁ ଯେ ରିକ୍ତହସ୍ତ ! ପରେ ଆଉ ଦିନକ କଥା, ଯେଉଁଦିନ ମଜିଦ୍‌ ଖାଁ ସାହେବ ଯେ ଗିୟା ରାଗର ଆଳାପ କରୁଥିଲେ । ସେଦିନ ଲଜ୍ଜା ଜୟ କରି ଗୁଣୀଙ୍କ ଅଙ୍ଗୁଳି ଛୁଇଁ ଦେଖିଥିଲି । ତାପ ମଧ୍ୟ ଅନୁଭବରେ ଆହରଣ କରିଥିଲି । ଜୀବନରେ ନାନା ପ୍ରକାର ତାପ ନେଇଛି । ମଧୁର-ତାପଗୁଡ଼ିକ ମନ ଧରିରଖି ପାରିନାହିଁ । ବର୍ତ୍ତମାନ ସେସବୁ ଅନୁତାପରୂପେ ଦେଖାଦିଅନ୍ତି । କାରଣ, ତପସ୍ୟା ତ ମୋର ହୋଇନି ।

ମଜିଦ୍‌ ଖାଁ ସାହେବଙ୍କ ଅଙ୍ଗୁଳିରେ ଲରଜ୍‌ଦାର ତାନ ଶୁଣି ମୋର ବିଶ୍ୱାସ ହୋଇଥିଲା, କାଲେ ଖାଁ ସାହେବ ନିଶ୍ଚୟ ତାଙ୍କ ବୀଣାରେ ଗମକ ଓ ଲରଜ୍ ପରୀକ୍ଷା ଓ ଅଭ୍ୟାସ କରିଥିଲେ ଏବଂ ଫଳରେ ତାଙ୍କ କଣ୍ଠରେ ଗମକ ଓ ଲରଜ୍‌ର ସୂକ୍ଷ୍ମତା ଓ ସୌନ୍ଦର୍ଯ୍ୟ ଏକାସାଙ୍ଗରେ ଦେଖାଦେଇଥିଲା । ଆହୁରି ବି ମନେ ହୋଇଛି, କାଲେ ଖାଁ ସାହେବ ନିଜକୁ ଶ୍ରେଷ୍ଠ ବୀଣ୍‌କାର ମନେ କରୁଥିଲେ ତା ମୂଳରେ ସମ୍ଭବତଃ ସେହି ଗମକ ଲରଜ୍‌ଦାର ଯୋଡ଼ର ସାଧନା ଓ ସିଦ୍ଧି ଜନିତ ଆତ୍ମପ୍ରତ୍ୟୟ ତୀବ୍ରଭାବେ ଜାଗରୁକ ଥିଲା । ଏକଥା କହିପାରେ, ମଜିଦ୍‌ ଖାଁ ସାହେବଙ୍କ ଛଡ଼ା ଅନ୍ୟ ଦ୍ୱିତୀୟ କୌଣସି ଯନ୍ତ୍ରୀଙ୍କୁ ଲରଜ୍‌ଦାର ତାନ ଚେଷ୍ଟା କରିବାର ଦେଖି ନାହିଁ । ତେବେ ସବିନୟ ନିବେଦନ କରୁଛି, ମୁଁ ଭାରତର ସମସ୍ତ ଯନ୍ତ୍ରୀ ବା ବୀଣ୍‌କାରଙ୍କ ବାଦ୍ୟ ଶୁଣିନାହିଁ ।

ମଜିଦ୍‌ ଖାଁ ସାହେବଙ୍କ ଅଙ୍ଗୁଳିରୁ ବର୍ତ୍ତମାନ କାଲେ ଖାଁ ସାହେବଙ୍କ କଣ୍ଠରେ ‘ପାଗ୍‌ଲଗନ ଦେ’ ଗାନକୁ ଫେରିଯାଏଁ । କିନ୍ତୁ ବିଶେଷ ଲାଭ ଆଉ ନାହିଁ । ସ୍ମୃତିର ଖସଡ଼ାଖାତା ପରୀକ୍ଷା ଓ ଅନୁସନ୍ଧାନ କରି ଦେଖେ, ଆଉ ସବୁକଥାକୁ ଆଚ୍ଛନ୍ନ ଅଭିଭୂତ କରି ବିରାଜିଛି ସେଇ ଲରଜ୍‌ଦାର ଗାନର ଅବଶେଷ । ସୁରର କିଞ୍ଚିତ ଛାୟାରୂପ ଅସ୍ପଷ୍ଟ ରେଖାବର୍ଣ୍ଣର ଛବିଭଳି ଆଭାସ ଦେଉଛି । ଅସ୍ପଷ୍ଟ ଭାବେ ମନେ ରଖିଛି । ‘ପାଗ୍‌ଲଗନ ଦେ’ ଗାନଟି ଆହୁରି କିଛି ସମୟ ଚାଲିଥିଲା-। ଖାଁ ସାହେବ କିଛି ଚକ୍‌କରଦାର ଚୌଦୁନି ତାନର ଖେଳ ଦେଖାଇଥିଲେ । ଗାନର ସ୍ମୃତି ବୋଲନ୍ତେ ଯେଉଁ ମହଲ୍ଲା ମୋତେ ଏଯାବତ୍‌ ଚମତ୍କୃତ କରି ରଖିଥିଲା ତାହାର ଅନ୍ୟ ସମସ୍ତ ଘର ଯେମିତି ଶୂନ୍ୟ ଓ ଅନ୍ଧକାର ।

ଏହାପରେ ସ୍ମୃତିପଟରେ ଅଙ୍କିତ ହୋଇ ରହିଛି, ସଙ୍ଗୀତର ସାକ୍ଷାତ୍‌ ଅବଧୂତ ସେଇ କାଲେ ଖାଁ ସାହେବଙ୍କୁ ପରିତୃପ୍ତ ଭୋଜନ ଅର୍ପଣ । ବିଶ୍ୱନାଥଜୀ ମହାରାଜକୁମାର, ନନୀ ଓ ମୁଁ ସେଠାରେ ଉପସ୍ଥିତ ଥିଲୁ ।

ଏହାପରେ ମନେପଡ଼େ, ବିଶ୍ୱନାଥଜୀ, ଖାଁ ସାହେବ ଓ ସର୍ବ୍ବତୀୟା ଭଦ୍ରଲୋକଟି କୁମାରଙ୍କ ମୋଟରରେ ଉଠି ବିଦାୟୀ ନମସ୍କାର ଜଣାଉଛନ୍ତି । ମୋଟରଟି ଯେତେବେଳେ ନିଃଶବ୍ଦରେ ନିଷ୍କ୍ରାନ୍ତ ହୋଇଗଲା, ମୋର ସେତେବେଳେ ମନେ ହେଲା, ଯେମିତି ସଙ୍ଗୀତ ଆସରର ଦୁଇଟିଯାକ କଲେଜା ଛିଟ୍‍କି ବାହାର ହୋଇଗଲା ।

ତା ପରଦିନର ପରଦିନ ଖାଁ ସାହେବଙ୍କ ଡେରାକୁ ଯାଇ ଦେଖେ, କୋଲପ ପଡ଼ିଛି । କରିମ୍‌ ପାଖକୁ ଗଲି । କରିମ୍‌ କହିଲା : ଖାଁ ସାହେବ ଗତକାଲି ଢାକା ରମାନା ହେଲେ । ଏହାପରେ ଖାଁ ସାହେବଙ୍କର ଆଉ ପତ୍ତା ପାଇନାହିଁ ।

ମୋ ଜୀବନାକାଶରେ ମାତ୍ର ଦୁଇଟିଦିନ ପାଇଁ କାଲେ ଖାଁ ସାହେବ ପ୍ରତ୍ୟକ୍ଷ ଭାବରେ ଦେଖାଦେଇ ଚାଲିଗଲେ, ତେଜଃପୁଞ୍ଜ ଉଲକା ଭଳି । ସେହି ଉଡ୍‌ଡ଼ୀୟମାନ ଅଗ୍ନିର ଭଗ୍ନାବଶେଷରୁ କିଛି କିଛି ମୋ ଅଭିଜ୍ଞତାରେ ଉଡ଼ିଆସି ପଡ଼େ ! ଏସବୁକୁ ମୁଁ ଉପେକ୍ଷା କରିନାହିଁ । ପ୍ରତିଭା ପକ୍ଷରେ ଯାହା ଭଗ୍ନାବଶେଷ ମୋ ପକ୍ଷରେ ତାହା ସ୍ମୃତିର ବିଭୂତି ବୋଲି ଜ୍ଞାନ କରିଛି ।

ଶ୍ୟାମଲାଲଜୀ ଫେରିଆସିବା ପରେ ସବୁ କଥା ତାଙ୍କୁ କହିଲି । ଖାଁ ସାହେବଙ୍କ ଚରିତ୍ରର କେତୋଟି ଅସଙ୍ଗତ ପ୍ରସଙ୍ଗ ଉଠିବାରୁ ଶ୍ୟାମଲାଲଜୀ ମୋର ସନ୍ଦେହ ଓ ତର୍କକୁ ନିରସ୍ତ କରିଦେଲେ । କହିଲେ : ଗହରଙ୍କ ପ୍ରତି ଖାଁ ସାହେବଙ୍କ ଦୃଷ୍ଟି ଥିଲା ସମ୍ପୂର୍ଣ୍ଣ ବିଶୁଦ୍ଧ ଓ କାମନାରହିତ ପ୍ରଶଂସାର ଦୃଷ୍ଟି । ଗହର୍‌ଙ୍କ ଗାନର ପ୍ରତିଭାହିଁ ଖାଁ ସାହେବଙ୍କ ହୃଦୟକୁ ଆକୁଳିତ କରିଥିଲା । କିନ୍ତୁ କିଛି ବିଚିତ୍ର ଭୟ ବା ବର୍ଜନ-ସଂସ୍କାର ବି ଖାଁ ସାହେବଙ୍କ ହୃଦୟରେ ଥିଲା ଯେଉଁଥିପାଇଁ ସେ ଗହର୍‌ଙ୍କ ଅନୁନୟ ଓ ସଂସ୍ରବ ଏଡ଼ାଇ ଯାଉଥିଲେ । ଗହର୍‌ ଅନେକ ଥର ତାଙ୍କୁ ଅନୁରୋଧ ପଠାଇଥିଲେ ଯେ ସେ କଲିକତାରେ ଥିବା ସମୟରେ ଗହରଙ୍କ ଘରେ ସମ୍ମାନିତ ଅତିଥି ଓ ମୁରଶିଫ୍‌ଭଳି ଥାଆନ୍ତୁ । ଖାଁ ସାହେବ ସେକଥା ଆଦୌ କାନକୁ ନେଇନାହାନ୍ତି । ଅଥଚ ସେ ଯଦି ଗହର୍‌ଙ୍କ ପ୍ରସ୍ତାବରେ ରାଜି ହୋଇଥାଆନ୍ତେ ତେବେ ତାଙ୍କୁ ବସବାସ ଆହାରାଦି ପାଇଁ ଦୁଶ୍ଚିନ୍ତାରେ ପଡ଼ିବାକୁ ହୋଇ ନ ଥାନ୍ତା । ଏଭଳି ଏକ ବାଞ୍ଛିତ ସୁଯୋଗକୁ ସେ ଉପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଏହାହିଁ ସମ୍ଭବତଃ ଥିଲା ତାଙ୍କ ଆନ୍ତରିକ ଦୁଃଖ ଓ ଦୀର୍ଘନିଃଶ୍ୱାସର ମୂଳ କାରଣ ।

‘ଚୌଧୁରାନ୍’ ପ୍ରସଙ୍ଗରେ ମୋ ମିଥ୍ୟା ରଚନା ଶୁଣି ସେ ଟିକିଏ ହସି କହିଲା : ମିଥ୍ୟାଟା ସତ୍ୟର କାନପାଖ ଦେଇ ବାହାରିଯାଇଛି । ଚୌଧୁରାନ୍‌ ବିଖ୍ୟାତ ନର୍ତ୍ତକୀ । ବିନ୍ଦାଦୀନ୍‌ର ଶାଗିର୍ଦ୍‌ । ଦୁଲୀଚାନ୍ଦଙ୍କ ଘରେ ଥରେ ଚୌଧୁରାନ୍‌ଙ୍କ ନାଚ ଓ କାଲେ ଖାଁଙ୍କ ଗାନ ଗୋଟିଏ ଜଲ୍‌ସାରେ ହୋଇଥିଲା । କିନ୍ତୁ ଗହର୍‌ ସେଠାରେ ନ ଥିଲେ । କାଲେ ଖାଁ ସମ୍ଭବତଃ ଆପଣଙ୍କ (ଲେଖକଙ୍କ) ଚେହେରାବାଲା କାହାକୁ ନଜର କରିଥିଲେ । ସେଥିପାଇଁ ସେ ପ୍ରଶ୍ନଟି ତାଙ୍କ ମନକୁ ଆସିଥିଲା । ଖାଁ ସାହେବ କଳ୍ପନା ବି କରି ନ ଥିଲେ ଯେ, ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆପଣ ଗହର୍‌ ଓ ମୋତେ (ଶ୍ୟାମଲାଲଜିଙ୍କୁ ) କୁଟାଇ ଗୋଟିଏ ମିଥ୍ୟା ସମ୍ୱାଦ ଦେବେ । ସେ ଜାଣିବାକୁ ଚାହିଥିଲେ ଯେ, ମୁଁ (ଶ୍ୟାମଲାଲଜୀ) ତାଙ୍କର ସେଦିନର ଜଲ୍‌ସାରେ ଗାନ ବିଷୟରେ କିଛି ମନ୍ତବ୍ୟ କରିଥିଲି କିନା !

ଫିରୋଜ୍ ପଥରର ଚକ୍‌ତି ପ୍ରସଙ୍ଗରେ ଶ୍ୟାମଲାଲଜୀ ହସି ହସି କପାଳରେ ହାତ ଛୁଆଁଇ ପାଖରେ କ୍ୟାଶ୍‌ ବାକ୍‌ସରୁ ଗୋଟିଏ ସଯତ୍ନରକ୍ଷିତ ମଖମଲକନା-ଘୋଡ଼ା ପଥର ଚକ୍‌ତି ବାହାର କରି କହିଇେ : ତାଙ୍କର ଗୋଟାଏ ପୁରୁଣା ବେମାରି—ସେକାଳର ଡାକ୍ତର ହ୍ୟାରିସ୍‌-ଲିଉକ୍‌ସ ସାହେବମାନେ ଯାହାକୁ କହୁଥିଲେ ‘ପ୍ୟାରେକ୍‌ସିଜ୍‌ମାଲ୍‌ ଟ୍ୟାକିକାଡ଼ିଆ’—ପାଇଁ ହାକିମ୍‌ ଅଜ୍‌ମଲ୍‌ ଖାଁ ସାହେବ ଏହି ଫିରୋଜ୍ ପଥରଟି ଉପହାର ଦେଇଥିଲେ । ମୁଁ ଭାବିଲି, ଏଇ ପଥରଟି ସମେତ ତିନୋଟି ହେଲା ।

 

ଶ୍ୟାମଲାଲଜୀଙ୍କୁ ପଚାରିଲି : ମୌଜୁଦ୍‌ଦୀନ୍, ବଶୀର୍, ଜଙ୍ଗୀ ଭଳି ଏହି ଗୁଣୀଙ୍କୁ ଆପଣମାନେ ଆଶ୍ରୟ ନ ଦେଲେ କାହିଁ କି ?

 

ସେ କହିଲେ : କାଲେ ଖାଁ ଅତ୍ୟନ୍ତ ଖିଆଲି, ଅଜବ୍ ପ୍ରକୃତିର ଲୋକ । କେତେବେଳେ କେଉଁଠିକି ଯାଆନ୍ତି ତା’ର ଠିକଣା ନାହିଁ । ସେମିତି ଲୋକକୁ ଆଶ୍ରୟ ଦେବା ସୁବିଧାଜନକ ନୁହେଁ । ମୌଜୁଦ୍‌ଦୀନ୍, ବଶୀର, ଜଙ୍ଗୀମାନେ ସେମାନଙ୍କ ସହିତ ମୋ ସମ୍ୱନ୍ଧ ଯୋଗୁଁ ଯେ କଥା ମାନନ୍ତି, ସଭ୍ୟଭବ୍ୟ ଭାବରେ ମଜ୍‌ଲିସ୍‌ରେ ବସନ୍ତି । କିନ୍ତୁ କାଲେ ଖାଁ ସେ ଧରଣର ଲୋକ ନୁହନ୍ତି । ଦୁଲୀଚାନ୍ଦ୍‌ ଥରେ ଚେଷ୍ଟା କରିଥିଲେ । କିନ୍ତୁ ସୁବିଧା ତ ଦୂରର କଥା, ଅସୁବିଧା ଘଟିଥିଲା ।

 

ବର୍ତ୍ତମାନ ଭାବେ, ସୁରର ଏଇ ବିଦଗ୍‌ଧ ପୁରୁଷ, ରାଗର ଏଇ ବିଚିତ୍ର ଅବଧୂତ ଆହୁରି କେତେ ଲୋକଙ୍କ ହୃଦୟରେ କେତେ ପ୍ରକାରର ରେଖାପାତ କରିଛନ୍ତି କିଏ ଜାଣେ ! ରେଖାସବୁ ଏକତ୍ର କଲେ ହୁଏତ ଗୋଟିଏ ପରିପୂର୍ଣ୍ଣ ଜୀବନଗତିର ଚିତ୍ର ଫଳିତ ହୋଇପାରେ । ପ୍ରତି ମଣିଷର ଅନ୍ତରର ଜୀବନ ଗୋଟିଏ ଗୋଟିଏ ଗାନ । ପ୍ରତ୍ୟେକର ଗାନର ସ୍ଥାୟୀ ଅନ୍ତରା ସଞ୍ଚାରୀ ଭୋଗ ଆଭୋଗ ଅଛି ନିଶ୍ଚୟ ।

 

କିନ୍ତୁ ସେଟା ସମ୍ଭବ ନୁହେଁ । ବିଶେଷ କରି କାଲେ ଖାଁଙ୍କ ଭଳି ଅବଧୂତର ଜୀବନ ପକ୍ଷରେ, ପ୍ରତିଭା ପକ୍ଷରେ । ମନରେ ଦୁଃଖ ହୁଏ, ଲଜ୍ଜା ବି ହୁଏ ଏହି କଥା ଭାବି ଯେ, ଆମେ ହୁଏତ ଜୀବନସଙ୍ଗୀତର ଯଥାର୍ଥ ସମ୍ମାନ କରି ଜାଣୁନା । ଦେବାକୁ ନୁହେଁ, ନେବାକୁ ବି ନୁହେଁ । ଏମିତି ଗୋଟିଏ ଉଦାସ ମୁହୂର୍ତ୍ତରେ ପ୍ରତିଭାହିଁ ଯେପରି କବିଙ୍କ ମୁହଁରେ ସାନ୍ତ୍ୱନା ବାଣୀ ଶୁଣାଏ–

 

ପଚାର ନା କେବେ କେଉଁ ଗାନ

କାହାକୁ ମୁଁ କରିଥିଲି ଦାନ ।

ପଥ ଧୂଳିରେ ସେ ଶୋଇ

ପଡ଼ିଅଛି ତା’ରି ପାଇଁ

ଯିଏ ତାକୁ ଦେଇ ପାରେ ମାନ ।

 

[କାଲେ ଖାଁ-ଗହର୍‌ଜାନ୍‌ ବ୍ୟାପାର ଏବଂ କାଲେ ଖାଁଙ୍କ ବୀଣାବାଦନ ବିଷୟରେ ଶ୍ରୀ ଦିଲୀପକୁମାର ମୁଖୋପାଧ୍ୟୟ ତାଙ୍କ ‘ସଙ୍ଗୀତେର୍‌ ଆସରେ’ ନାମକ ପୁସ୍ତକରେ ଯଉଁ ତଥ୍ୟ ଦିଅନ୍ତି ତାହର ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦିଆଗଲା-ଅନୁବାଦକ]

 

କାଲେ ଖାଁ-ଗହର୍‌ଜାନ୍ ବୃତ୍ତାନ୍ତ

 

ଖାଁ ସାହେବ କଲିକତାର ବୀଡ଼୍‌ନଷ୍ଟ୍ରୀଟସ୍ଥ ଘରେ ବର୍ଷେକାଳ ବାସ କରିଥିଲେ । ଏହି ଘରେ ଭାରତର ବହୁ ବିଖ୍ୟାତ ଗୁଣୀମାନଙ୍କ ସମାଗମ ଘଟିଛି, ବହୁ ଉଚ୍ଚାଙ୍ଗ ଆସର ବସିଛି । ଏଥିପାଇଁ ଏ ଘରଟି ଆଜିପର୍ଯ୍ୟନ୍ତ ସଙ୍ଗୀତ ଜଗତର ଏକ ତୀର୍ଥକ୍ଷେତ୍ରରୂପେ ବିବେଚିତ ହୁଏ । ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଏ ଘରର ମାଲିକ ଥିଲେ ତାରାପ୍ରସାଦ ଘୋଷ । ସେ ଥିଲେ ସଙ୍ଗୀତପ୍ରେମୀ ଓ ପୃଷ୍ଠପୋଷକ ।

 

ଏହି ଘରେ ବାସ କରିବା ପୂର୍ବରୁ ଖାଁ ସାହେବ ଗହର୍‌ଜାନ୍‌ଙ୍କ ଚିତ୍‌ପୁର ରୋଡ଼ସ୍ଥିତ ଘରେ ବାସ କରୁଥିଲେ । ଗହର୍‌ଜାନ୍‌ ଏହି ଘରେ ପ୍ରାୟ ଆଜୀବନ କଟାଇଛନ୍ତି । ଏଇଠି ବାସ କରୁଥିବାବେଳେ ଖାଁ ସାହେବ ଗହର୍‌ଜାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଗହର୍‌ଜାନ୍‌ ତାହା ତତ୍‌କ୍ଷଣାତ୍‌ ପ୍ରତ୍ୟାଖ୍ୟାନ କଲେ । ଖାଁ ସାହେବ ଏଥିରେ ଅତ୍ୟନ୍ତ ମର୍ମାହତ ହୋଇ ଗହର୍‌ଜାନ୍‌ଙ୍କ ଘର ଛାଡ଼ି ବୀଡ଼୍‌ନଷ୍ଟ୍ରୀଟ ଘରକୁ ଉଠି ଆସିଲେ । ଘୋଷ ପରିବାରର ସମସ୍ତେ ଏ ଘଟନା ସହିତ ସୁପରିଚିତ ଥିଲେ ଏବଂ ଏବେ ବି ସେ ପରିବାରର ବୁଢ଼ା ବୁଢ଼ା ଲୋକଙ୍କ ମୁହଁରୁ ଏ ଘଟନା ଶୁଣିବାକୁ ମିଳେ । ଏମାନେ ଯାହା କହନ୍ତି ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଖାଁ ସାହେବଙ୍କ ମନରେ ଗହର୍‌ ପ୍ରତି ପ୍ରବଳ ଆକର୍ଷଣ ଥିଲା ଏବଂ ତାହା ବାଧା ପାଇବାରୁ ଖାଁ ସାହେବ ହୁଏତ ଗହର୍‌ଜାନ୍‌ଙ୍କ ସହିତ ମୁହାଁମୁହିଁ ହେବାକୁ କଦାପି ଇଚ୍ଛା କରୁ ନ ଥିଲେ ।

 

କାଲେ ଖାଁଙ୍କ ବୀଣା ବାଦନ

 

ଖାଁ ସାହେବ ଜଣେ ଉଚ୍ଚଶ୍ରେଣୀର ବୀଣ୍‌କାର ଥିଲେ । ବୃହତ୍ତର ସଙ୍ଗୀତ ଜଗତରେ ଏକଥା ସେତେ ସୁପରିଚିତ ନ ଥିଲା । ତାହାର କାରଣ, ସେ ଆସରରେ କେବଳ ଗାନ ଗାଉଥିଲେ-। କିନ୍ତୁ ଖାଁ ସାହେବଙ୍କୁ ଅନ୍ତରଙ୍ଗଭାବେ ଜାଣିଥିବା ଲୋକ ତାଙ୍କର ବୀଣାବାଦନ ଶୁଣିଛନ୍ତି-। ଘୋଷ ପରିବାରର ଲୋକେ ଜାଣିଥିଲେ ଏକଥା । ଖାଁ ସାହେବଙ୍କ ବୀଣାଟି ବୀଡ଼ନ୍‌ଷ୍ଟ୍ରୀଟର ସେଇ ଘରେ ଥିଲା । ଘରର ଦକ୍ଷିଣ-ପଶ୍ଚିମ ପିଣ୍ଡାରେ ବସି ଖାଁ ସାହେବ ବୀଣା ବଜାଇବାର ଘୋଷ ପରିବାରର ଲୋକେ ଦେଖିଛନ୍ତି ଓ ତାଙ୍କ ଅପୂର୍ବ ବୀଣାବାଦନ ଶୁଣିଛନ୍ତି ବୋଲି ଏବେ ବି କୁହନ୍ତି ।

Image